Sunday, March 25, 2018

ମହାନଦୀ ଓଡ଼ିଶାର ଗମନାଗମନ ପରିବହନ

ସମ୍ବଲପୁର ପରଠାରୁ ମହାନଦୀ


ପ୍ରାକ-ବ୍ରିଟିଶ ବ୍ରିଟିଶ ଅମଳରେ ପ୍ରାକୃତିକ ଓଡ଼ିଶାର ଗମନାଗମନ ବ୍ୟବସ୍ଥାରେ ମହାନଦୀର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା ମହାନଦୀର ତ୍ରିକୋଣଭୂମିରେ ଅବସ୍ଥିତ ସେବେଳର ହରିହରପୁର (ଏବେକାର ଜଗତସିଂହପୁର) ଭାରତରର ପ୍ରଥମ ବ୍ରିଟିଶ ଫ୍ୟାକ୍ଟରି (ବାଣିଜ୍ୟିକ ପେଣ୍ଠ) ଭିତରୁ ଗୋଟିଏ ଏହା ୧୬୩୩ ମସିହାରେ ସ୍ଥାପିତ ହୋଇଥିଲା ଏଥିରୁ ମଧ୍ୟଯୁଗୀୟ ଭାରତରେ ମହାନଦୀର ବାଣିଜ୍ୟିକ ଗୁରୁତ୍ତ୍ୱ ଅନୁମେୟ

ଥମାସ ମୋଟ୍ଟେ ୧୭୬୬ ମସିହାରେ ରିପୋର୍ଟ କରନ୍ତି ଯେ ମହାନଦୀରେ ଡଙ୍ଗାଗୁଡ଼ିକ ତିରିଶି କୁଇଣ୍ଟାଲ ପର୍ଯ୍ୟନ୍ତ ଜିନିଷ ପରିବହନ କରୁଥିଲେ ଜେମସ୍ ଡେଭିଡସନଙ୍କର ଦ୍ୱାରା ଲିଖିତ ଅପ୍ରକାଶିତ ପାଣ୍ଡୁଲିପିଜର୍ନାଲ ଅଫ୍ ରୁଟ ଫ୍ରମ କଟକ ଟୁ ନାଗପୁରରେ ଜଣେ ଅଜ୍ଞାତ ବ୍ରିଟିଶ ପରିବ୍ରାଜକଙ୍କୁ ଆମେ କହିବାର ଶୁଣୁ ଯେ ବନରାସ ଛାଡ଼ିବା ପରେ ସେ ପ୍ରଥମ ପୋତ ସୋନପୁର ପାଖ ବିନିକାରେ ହିଁ ଦେଖିଲେ ମହାନଦୀ କୂଳ ବଡ଼ମୂଳ ତଳ ଅଞ୍ଚଳରେ ସେତେବେଳେ ପୋତମାନେ ସତୁରି କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଓଜନର ମାଲମତା ବୋହିପାରୁଥିଲେ ଏହାର ଆଠ ଦଶନ୍ଧି ପରେ ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ପି.ଡବ୍ଲ୍ୟୁ.ଡ଼ି. ବିଭାଗର ରିପୋର୍ଟରୁ ଆମେ ଜାଣୁ ଯେ ମହାନଦୀରେ ଆତଯାତ କରୁଥିବା ଡଙ୍ଗାଗୁଡ଼ିକ ଚାଳିଶିରୁ ୧୪୦ କୁଇଣ୍ଟାଲ ଓଜନର ମାଲ ପରିବହନ କରୁଥିଲେ ହଣ୍ଟରଙ୍କର ଷ୍ଟାଟିଷ୍ଟିକାଲ ଆକାଉଣ୍ଟ୍ରୁ ଏହି ଡଙ୍ଗା ଗୁଡ଼ିକରେ ବୁହାହେଉଥିବା ମାଲମାତାର ଓଜନ ୨୫୦ କୁଇଣ୍ଟାଲ ପାଖାପାଖି ଜଣାଯାଏ



ଅର୍ଥାତ, ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ମହାନଦୀର ନାବିକମାନେ ବହୁ ଓଜନ ବିଶିଷ୍ଟ ମାଲ ପରିବହନ କରିବାରେ ଅଭ୍ୟସ୍ତ ଥିଲେ କଟକର ଉପର ମୁଣ୍ଡରେ ୨୪୦ କିଲୋମିଟର ପର୍ଯ୍ୟନ୍ତ, ଅର୍ଥାତ ବିନିକା ଯାଏଁ, ଛୋଟ ନାବ ଗୁଡ଼ିକ ବର୍ଷ ସାରା ଚଳପ୍ରଚଳ ହୋଇପାରୁଥିଲେ ମହାନଦୀରେ ଯଥେଷ୍ଟ ପାଣି ଥିବା ସମୟରେ ରାୟପୁରର ୩୫ କିଲୋମିଟର ପୂର୍ବରେ ଥିବା ଅରଙ୍ଗ ପର୍ଯ୍ୟନ୍ତ ଡଙ୍ଗାଗୁଡ଼ିକ ଗତି କରିପାରୁଥିଲେ ମାତ୍ର ଛତିଶଗଡ଼ରେ ପ୍ରାୟତଃ ନାବଗୁଡିକରେ ମହାନଦୀର ଶାଖା ନଦୀ ଶେଓନାଥ ଉପକୂଳରେ ସ୍ଥିତ ନନ୍ଦଘାଟ ଠାରେ ହିଁ ମାଲ ଭର୍ତ୍ତି କରାଯାଉଥିଲା ମହାନଦୀ୍ରେ ଯାତ୍ରା ପାଇଁ ନାବିକମାନଙ୍କୁ ବହୁତ କୌଶଳ ପ୍ରୟୋଗ କରିବାକୁ ପଡ଼ୁଥିଲା ମୌସୁମୀ ସମୟରେ ଏହି ଡଙ୍ଗାଗୁଡ଼ିକର ଗତି ଘଣ୍ଟାକୁ ଆଠରୁ ଦଶ କିଲୋମିଟର ଥିଲା ଗ୍ରୀଷ୍ମ କାଳରେ ଏହା ଘଣ୍ଟା ପିଛା ତିନି କିଲୋମିଟରକୁ ଖସି ଆସୁଥିଲା ଏଣୁ ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଯାତ୍ରା ବର୍ଷା ଦିନେ ମାତ୍ର ଚାରି ଦିନରେ ଏବଂ ଅନ୍ୟ ୠତୁରେ ୧୨-୧୫ ଦିନ ପର୍ଯ୍ୟନ୍ତ ସମୟ ନେଉଥିଲା ମହାନଦୀ ଉପରେ ଅବସ୍ଥିତି ଯୋଗୁଁ ହିଁ ସମ୍ବଲପୁର ତଥା ସୋନପୁର ପଶ୍ଚିମ ଓଡ଼ିଶାର ଗୁରୁତ୍ତ୍ୱପୂର୍ଣ୍ଣ ବାଣିଜ୍ୟିକ ପେଣ୍ଠ ଥିଲେ



ଓଡ଼ିଶା ବିଜୟ ପରେ ଆମେ ଔପନିବେଶିକ ମହଲରେ ଛତିଶଗଡ଼ରୁ ଜିନିଷ ରପ୍ତାନୀ ପାଇଁ ମହାନଦୀର ଗୁରୁତ୍ତ୍ୱ ବିଷୟକ ଅନେକ ଆଲୋଚନା ଆମେ ଶୁଣିବାକୁ ପାଉ ୧୮୬୦ ଦଶକର ପ୍ରାରମ୍ଭରେ ସାର୍ ରିଚାର୍ଡ୍ ଟେମ୍ପଲ ଲେଖନ୍ତି ଯେ ବାର୍ଷିକ ସୋନପୁରକୁ ୨୦୦, କଟକକୁ ୨୦୦, ବିନିକାକୁ ୩୦୫ ସମ୍ବଲପୁରକୁ ୫୦୦ ପାଖାପାଖି ଡଙ୍ଗା ବାଣିଜ୍ୟ ଉଦ୍ଦେଶ୍ୟରେ ଛତିଶଗଡ଼ରୁ ଧାଡ଼ି ଦେଉଥିଲେ ଛତିଶଗଡ଼ରୁ କଟକକୁ ଆସୁଥିବା ମାଲମତାର ଓଜନ ପ୍ରାୟ ୧୯୦୦ ଟନ୍ (୧୫୨, ୫୪୧ ଟଙ୍କା ମୂଲ୍ୟର) କଟକରୁ ଛତିଶଗଡକୁ ଯାଉଥିବା ଜିନିଷର ଓଡନ ପ୍ରାୟ ୯୪୦ ଟନ୍ ( ୭୭,୧୮୭ ଟଙ୍କା ମୂଲ୍ୟର) ଥିଲା ଏହା ଥିଲା ବ୍ରିଟିଶ ଓଡ଼ିଶା ଛତିଶଗଡ଼ ଭିତରେ ମହାନଦୀରେ ବାଣିଜ୍ୟରେ ହିସାବ ମହାନଦୀ ଉପରେ ଘଟୁଥିବା ସ୍ଥାନୀୟ ବାଣିଜ୍ୟ ବୋଧେହୁଏ ପରିମାଣରେ ଏହାର ବହୁ ଗୁଣ ଥିଲା ଯଥା ଅନୁଗୁଳରୁ କଟକ ପର୍ଯ୍ୟନ୍ତ କାଠଗଡ଼ ଭସାଯାଇ ବ୍ୟାବସାୟିକ ଉପଯୋଗ ପାଇଁ ବ୍ୟବହାର କରାଯଉଥିଲା ଏହା ଉପରୋକ୍ତ ଛତିଶଗଡ଼-ବ୍ରିଟିଶ ଓଡ଼ିଶାର ବାଣିଜ୍ୟର ହିସାବରୁ ବାହାରେ



ମହାନଦୀ ଯୋଗୁଁ ହିଁ ଓଡ଼ିଶାର ଆଭ୍ୟନ୍ତରୀଣ ବାଣିଜ୍ୟ ଔପନିବେଶିକ ଶାସନ ଉନବିଂଶ ଶତାବ୍ଦୀର ତୃତୀୟ ଚଉଠ ପର୍ଯ୍ୟନ୍ତ ପାକଳ ହେବା ପର୍ଯ୍ୟନ୍ତ ଏକ ପଶ୍ଚିମ-ଦକ୍ଷିଣପୂର୍ବ କର୍ଣ୍ଣ ଦେଇ, ନଈର ପ୍ରବାହର ସହ ସଙ୍ଘଟିତ ହେଉଥିଲା ବ୍ରିଟିଶ ଶାସନ କଳର ପ୍ରଭାବରେ ରେଳ ଇତ୍ୟାଦି ଫିଟି ଯିବାରୁ ଧିରେ ଧିରେ କଲିକତା ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ବଢ଼ିଲା ଆପେକ୍ଷିକ ଭାବରେ ଛତିଶଗଡ଼ ଗଡ଼ଜାତମାନଙ୍କ ସହିତ ବ୍ରିଟିଶ ଓଡ଼ିଶାର ମହାନଦୀ ଦେଇ ଘଟୁଥିବା ବାଣିଜ୍ୟର ଗୁରୁତ୍ୱ ଛିଡ଼ିବାକୁ ଆରମ୍ଭ କଲା ଏହି ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି



ଗ୍ରନ୍ଥସୂଚୀ

ରବି ଆହୁଜା ୨୦୦୪ ଓପନିଙ୍ଗ ଅପ୍ ଦି କଣ୍ଟ୍ରି? ପ୍ୟାଟର୍ଣ୍ଣସ୍ ଅଫ୍ ସିର୍କୁଲେସନ୍ ଆଣ୍ଡ୍ ପଲିଟିକ୍ସ୍ ଅଫ୍ କମ୍ୟୁନିକେଶନ ଇନ୍ ଅର୍ଲି କଲୋନିଆଲ୍ ଓଡ଼ିଶା ଷ୍ଟଡ଼ିଜ୍ ଇନ୍ ହିଷ୍ଟ୍ରୀ ୨୦() : ୭୩-୧୩୦ ପୃଷ୍ଠା



ଥମାସ ମୋଟ୍ଟେ ୨୦୧୦ ନ୍ୟାରେଟିଭ୍ ଅଫ୍ ଜର୍ଣ୍ଣି ଟୁ ଦି ଡାଇମଣ୍ଡ ମାଇନ୍ସ୍ ଆଟ୍ ସମ୍ଭଲପୁର୍, ଇନ୍ ଦି ପ୍ରୋଭିନ୍ସ୍ ଅଫ୍ ଓଡ଼ିଶା ଫୋର୍ କର୍ଣ୍ଣର୍ସ୍ ୱିଥ୍ ପ୍ରଫୁଲ୍ଲ

ଏଚ୍.ଏଚ୍. ଡଡ୍-ୱେଲ୍ (ସମ୍ପାଦକ) ୧୯୨୯ ଦି କେମ୍ବ୍ରିଜ୍ ହିଷ୍ଟ୍ରୀ ଅଫ୍ ଦି ବ୍ରିଟିଶ୍ ଏମ୍ପାୟାର୍ ଭଲ୍ୟୁମ୍ (୧୪୯୭-୧୮୫୮) କେମ୍ବ୍ରିଜ୍ ୟୁନିଭର୍ସିଟି ପ୍ରେସ୍ : କେମ୍ବ୍ରିଜ୍

ବି.ଦ୍ର. - ଏହି ଲେଖାଟି ମାସିକ ପତ୍ରିକା ସମ୍ଭାବନାର ୨୦୧୭ ମସିହାର ବାର୍ଷିକ ସଙ୍ଖ୍ୟାରେ ପ୍ରକାଶ ପାଇଥିଲା ।

Friday, March 23, 2018

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 

ଦ୍ୱିତୀୟ ଅଧ୍ୟାୟ 

ତୃତୀୟା ବଲ୍ଲୀ : ମନ୍ତ୍ର ୧୮


ହ‌ଂସାୠଢ଼ ବ୍ରହ୍ମାଙ୍କର ପାହାଡ଼ି ପରମ୍ପରାରେ ଚିତ୍ର (୧୭୦୦ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଯମରାଜା କହିଲେ ଯେ ବ୍ରହ୍ମତତ୍ତ୍ୱ ଜ୍ଞାନ,
କହିଲେ ଯେ, ଯୋଗଫଳ ସାଧନ ବିଧାନ,
ବୁଝି ହୃଦେ ଅନୁଧ୍ୟାଇ ସେ ତତ୍ତ୍ୱ ସକଳ
ହେଲେ ନଚିକେତା ଶୁଦ୍ଧ ନିର୍ଦ୍ଦୋଷ ନିର୍ମଳ ।

ଅବିଦ୍ୟାର ମୋହବନ୍ଧ ଗଲା ହୃଦୁଁ ତୁଟି
ଉଠିଲା ଅନ୍ତରେ ପୂର୍ଣ୍ଣ ଆତ୍ମତତ୍ତ୍ୱ ଫୁଟି ।

ମୁକ୍ତ ହୋଇ ନଚିକେତା ଗଲେ ମୃତ୍ୟୁ ପାରେ
ଆତ୍ମତତ୍ତ୍ୱ ଅନ୍ୟ ଯେହୁ ଜାଣିବେ ସଂସାରେ ।

ନଚିକେତା ସମ ସେହୁ ଲଭିବ ମୁକତି
ହେବ ବ୍ରହ୍ମପଦ ପ୍ରାପ୍ତି, ଘୁଞ୍ଚିବ ଦୁର୍ଗତି । (ନ.ଉ. ୨।୩। ୪୦-୪୧)

Wednesday, March 21, 2018

ବରଗୁଡ଼ି ବା ଝୁଡ଼ଙ୍ଗ ଛୁଇଁ ଚଟଣି

ସରୋଜିନୀ ଚୌଧୁରୀ


ଚିତ୍ର - 'ଦି ବିନ୍‌ଇଟର୍' (୧୫୮୪-୧୫୮୫)
ଚିତ୍ରକର - ଆନିବେଲ୍ କାରାଚି (୧୫୬୦-୧୬୦୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରଣାଳୀ - ଛୁଇଁଗୁଡ଼ିକ ଗୋଟିେ ଗୋଟିଏ କରି ଦେଖି ଚାହିଁ, ଶିରା କାଢ଼ି ଧୋଇ ଗୋଛା କରି ସୁତାରେ ବାନ୍ଧ । ଭାତରେ ଅଥବା ଡାଲିରେ ପକାଅ । ଭଲରୂପେ ସିଦ୍ଧ ହୋଇଗଲେ ବାହାର କରି ଆଣି ଝାଡ଼ିଝୁଡ଼ି କୌଣସି ପାତ୍ରରେ ରଖ ଓ ଚକଟ । ଯଦି କିଛି ଶିରା ବାକି ରହିଥାଏ, ତେବେ ବାହାର କରି ପକାଅ ଏବଂ ଘିଅ, ଜିରାମରିଚଗୁଣ୍ଡ ଓ ଲୁଣ ଦେଇ ଗୋଳାଇ ରଖ । 

ତେଲ, ଲୁଣ, ପିଆଜ ଓ ମରିଚ ମଧ୍ୟ ଦେଇ ଚକଟି ପାର । ଇଚ୍ଛାନୁସାରେ ଅଦା ଖଣ୍ଡେ ଛଡ଼ାଇ ସରୁ ସରୁ ବାଟି ଦେଇ ପାର ।

ବି.ଦ୍ର. - ବରଗୁଡ଼ି ବା ଝୁଡ଼ଙ୍ଗ ଛୁଇଁ ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Monday, March 19, 2018

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 

ଦ୍ୱିତୀୟ ଅଧ୍ୟାୟ 

ତୃତୀୟା ବଲ୍ଲୀ : ମନ୍ତ୍ର ୧୭


ୠକ୍‌ବେଦର ପୁରୁଷ ସୁକ୍ତ (ୱିକିମିଡିଆ କମନ୍ସ୍)

ବ୍ରହ୍ମତତ୍ତ୍ୱ କଥା ଯେତେ କଲି ମୁଁ ପ୍ରଚାର
ଶୁଣ ନଚିକେତ, ଏବେ ସେ ସବୁର ସାର ।

ପ୍ରାଣୀଗତ ହୃଦପଦ୍ମେ ସଦା ବିଦ୍ୟମାନ
ଅନ୍ତରାତ୍ମା ପୁରୁଷ, ସେ ଅଙ୍ଗୁଠି ପ୍ରମାଣ ।

ଗୁଞ୍ଜଗର୍ଭୁଁ ମଞ୍ଜ ସମ ସେ ପୁରୁଷୋତ୍ତମେ
ନିଜ ଦେହୁଁ ଭିନ୍ନ କରି ଧୈର୍ଯ୍ୟ ଶମ ଦମେ ।

ସେ ଅନ୍ତର୍ଯ୍ୟାମୀଙ୍କୁ ଶୁଦ୍ଧ ବ୍ରହ୍ମ ବୋଲି ଜାଣ
ସେହି ବିଶ୍ୱଆତ୍ମା, ସେହି ସର୍ବ ପ୍ରାଣୀପ୍ରାଣ । (ନ.ଉ. ୨।୩।୪୦)

Saturday, March 17, 2018

ଓଡ଼ିଆ ଚଳଚିତ୍ର ଗୀତ - 'ଛଳଛଳ ମେଘ ଆଜି'


ଗୀତର ୟୁଟ୍ୟୁବ୍ଲିଙ୍କ୍ - https://www.youtube.com/watch?v=jPqU1QHcmvM


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍