Thursday, March 15, 2018

ଅଁଳା ଚଟଣି

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପ୍ରଣାଳୀ - ଅଁଳା ଭଲ ରସାଳ ରସାଳ ଦେଖି ମୋଟା ଭାତରେ ପକାଇ ସିଝାଇବ । ଏହାକୁ ଡାଲିରେ ସିଝାଇଲେ ମାଟି ହାଣ୍ଡି ଛଡ଼ା ଅନ୍ୟ କଉଁଥିରେ ଡାଲି ରାନ୍ଧିବ ନାହିଁ । କାରଣ ଅଁଳାରେ ଖଟାର ଭାଗ ଥିବାରୁ ଧାତୁ ପାତ୍ରରେ ସିଦ୍ଧ ଡାଲିର ରଙ୍ଗ ଖରାପ ହୋଇଯାଏ । ଭାତରେ ସିଝା ଅଁଳା ଅପେକ୍ଷା ଡାଲିରେ ସିଝା ଅଁଳାର ସ୍ୱାଦୁ ଭଲ ହୁଏ ।


ଅଁଳା ଚକଟି ମଞ୍ଜି ବାହାର କରି ପକାଅ । ଲୁଣ, ତେଲ ଓ ଗୋଲମରିଚଗୁଣ୍ଡି ଅଥବା କଞ୍ଚାମରିଚକଟା ମିଶାଇ ଖାଇବାକୁ ଦିଅ ।  

ବି.ଦ୍ର. - ଅଁଳା ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Tuesday, March 13, 2018

ଅର୍ଥ ସହ ଏକ ରିଭଲଭର୍

ଜ୍ୟୋତି ନନ୍ଦ


ପାବଲୋ ପିକାଶୋ

ଛବିଟି ସ୍ୱତନ୍ତ୍ର । ପାବଲୋ ପିକାଶୋଙ୍କ ଛବି ।

ପିକାସୋଙ୍କ ଏହି ବିଶେଷ ଛବି ପଛର କାହାଣୀଟି ତାତ୍ପର୍ଯ୍ୟପୂର୍ଣ୍ଣ । କାହାଣୀଟି ପଛକୁ ରହୁ ।

ପ୍ରଥମେ ଛବି ସହିତ ଏଇ ଲେଖାଟି ନିବେଦନ କରୁଛି ମୋର ଜଣେ ପ୍ରିୟ ସମ୍ମାନାସ୍ପଦ କବି ବନ୍ଧୁଙ୍କୁ । ବନ୍ଧୁଙ୍କ ସହ ମୋର ଯଥେଷ୍ଟ ଆତ୍ମୀୟତା । ଏମିତି ଆତ୍ମୀୟତା ଯେ ଯେଉଁଠି ଆମ ଭିତରେ ସମରତରଙ୍ଗ ଆଉ ପ୍ରେମସୁଧାନିଧି ଏକତ୍ର ସହାବସ୍ଥାନ କରିପାରନ୍ତି ।କରୁଛନ୍ତି ଆଜିଯାଏଁ ।

ଏଇ ଟିକିଏ ଆଗରୁ ତାଙ୍କ ସହ ସମରରତ ଥିଲି ବୋଲି ଯେ, ଏମିତି ଅଲିଭପତ୍ର ସୁଲଭ ଲେଖା ଲେଖୁଛି ବୋଲି ଯଦି କିଏ ଭାବୁଥାଏ ତେବେ କହିବାକୁ ଚାହିଁବି ଆମ ଭିତରେ ସେମିତି ଗଡ଼ଖାଇ ନଥିଲା ବା ଆମେ କେହି କୌଣସି ଗଡ଼ଖାଇ ଦ୍ୱାରା ସୁରକ୍ଷିତ ରହିବାର ପ୍ରୟାସରେ ନଥାଉ ।

ପିକାସୋଙ୍କ ଏଇ ଛବିଟି ମିଳିଗଲା ବୋଲି ଏଇ ଲେଖା ।

ସେହି ବନ୍ଧୁଙ୍କୁ ଥରେ ଅକସ୍ମାତ ଭାବରେ ଦେଖିଥିଲି କୋରାପୁଟ ଟାଉନ୍‌ରେ ଏକ ହାଟପାଳିରେ । ୧୯୯୪ର ସେପ୍ଟେମ୍ବର ମାସ, ସେତେବେଳକୁ କୋରାପୁଟର ଶୀତ ସେତେ ବ୍ୟାଘ୍ରରୂପ ଧାରଣ କରିନଥାଏ ।

ରବିବାରର ହାଟପାଳିରେ କୋରାପୁଟର ରାସ୍ତାରେ ଟିକିଏ ଅଧିକ ଭିଡ ରହିଥାଏ । ଅବଶ୍ୟ ସେହି ଭିଡ] ଭିତରୁ କେହି ଜଣେ ହେଲେ ଆମର ଏହି ପ୍ରିୟବନ୍ଧୁଙ୍କୁ କୌତୁହଳ ଦୃଷ୍ଟିରେ ଚାହୁଁଥିବାର ମୋର ମନେହେଲା ନାହିଁ । ସତ କହୁଛି ମୁଁ କିନ୍ତୁ ଢେର୍ କୌତୁହଳୀ ଥିଲି । ବନ୍ଧୁ ଜଣକ ଯେମିତି ପୋଷାକରେ ସେତେବେଳେ ଥିଲେ, ଯଦି ସେମିତି ବେଶରେ ଜଣେ ଆମ ରାଜଧାନୀର ରାସ୍ତାରେ ଚାଲୁଥିବାର ଦେଖାଯାଏ, ତେବେ ସମସ୍ତଙ୍କ ନିଷ୍କର୍ଷଟି ହେବ ଚରିତ୍ର ର "ହେଡ୍ ବ୍ୟାଡ୍" । ସେ ସାଧାରଣତଃ ବେଶ୍ ଲମ୍ବା ପଞ୍ଜାବୀ ପିନ୍ଧନ୍ତି । ସେଥିରେ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ ବା ଗୋଟିଏ ପଟ କାନ୍ଧରୁ ଝୁଲୁଥିବା ଝୁଲାମୁଣୀ ବି ଗୁରୁତ୍ୱପୂର୍ଣ୍ଣ ନୁହଁ, କିନ୍ତୁ ଆର ପଟ କାନ୍ଧରୁ ଗୁରୁତ୍ୱପୂର୍ଣ୍ଣ କୌତୁହଳଟି ଝୁଲୁଥିଲା ସେଦିନ ।

କାନ୍ଧରେ ଧନୁଶର ଝୁଲାଇ ରାଜରାସ୍ତାରେ ପ୍ରଚ୍ଛନ୍ନ ଦିବାଲୋକରେ ଲମ୍ବା ପାହୁଣ୍ଡ ପକାଇ ଚାଲୁଥିବା ଚରିତ୍ରଟି  ପ୍ରତି କ'ଣ କେହି କୌତୁହଳୀ ହେବ ନାହିଁ ?

ପରେ ଆମେ ଦୁହେଁ ଗେଷ୍ଟହାଉସ୍‌ର ଗୋଟିଏ ପ୍ରକୋଷ୍ଠରେ ରାତ୍ରିଯାପନ କରିଥିଲୁ । ସେତେବେଳେ ସେ କହିଲେ, ବୁଝିଲ ଏଇ ଧନୁଶର ମାଲକାନଗିରିରୁ, ଶରକୁ ଦେଖ ବଣ୍ଡା ରକ୍ତ ପିଇଛି । ଜଣାପଡୁନି ?

ମୁଁ ଘୋର ସଂଶୟବାଦୀ । ହସିଥିଲି ।

ଧନୁଶର ସହ ଗୋଟିଏ ସଂଶୟ ମୋ ଭିତରେ ସ୍ୱର୍ଗତ ଭଗବତୀ ଚରଣ ପାଣିଗ୍ରାହୀ ତାଙ୍କ "ଶିକାର" ଗପ ମାଧ୍ୟମରେ ଭର୍ତ୍ତି କରିଦେଇଛନ୍ତି । ଚରିତ୍ର ଘିନୁଆକୁ ପ୍ରତିବାଦର ଯେତେ ବଡ଼ ପ୍ରତୀକ ବୋଲି ବିବେଚନା କଲେ ବି, ଶ୍ରୀଯୁକ୍ତ ପାଣିଗ୍ରାହୀ ତାହା ହାତରେ ପ୍ରତିବାଦର ଯେଉଁ ଶସ୍ତ୍ରଟି ଧରାଇଦେଇଛନ୍ତି ତାହା ତ୍ରୁଟିଯୁକ୍ତ ଅର୍ଥାତ୍ ଘିନୁଆ ହାତରେ ଥିବା ଧନୁଶରରେ ଆଉ ଯାହା ହେଉ ପଛକେ କେଉଁ ଶୋଷଣଜୀବୀ ସାହୁକାରର ଗଣ୍ଡିରୁ ମୁଣ୍ଡଟିକୁ କାଟି ଅଣାଯାଇପାରିବ ନାହିଁ । ସେଥି ପାଇଁ ଟାଙ୍ଗି କି ଖଣ୍ଡା ଭଳି ଅସ୍ତ୍ର ଦରକାର ।

ଏମିତିରେ ଆମର ସମସ୍ତ ପ୍ରତିବାଦର ଅସ୍ତ୍ରକୁ ନେଇ ସବୁବେଳେ ନୀତିଗତ ପ୍ରଶ୍ନ ଉଠୁଛି ।

ପିକାସୋ ସବୁବେଳେ ତାଙ୍କର ଜଣେ ପୂର୍ବସୂରୀ ଫରାସୀ ଲେଖକ ଆଲଫ୍ରେଡ୍ ଜାରୀଙ୍କ ଜୀବନଯାପନ ଶୈଳୀକୁ ଅନୁକରଣ କରୁଥିଲେ । ତାଙ୍କ ଭଳି କଥାବାର୍ତ୍ତାର ନକଲ କରି କହିବାକୁ ସେ ଭାରି ସୁଖ ପାଉଥିଲେ । ଆଲଫ୍ରେଡ୍ ଜାରୀ "ପାଟାପିଜିକ୍ସ"ରେ ବିଶ୍ୱାସ କରୁଥିଲେ । ଏହି ପାଟାଫିଜିକ୍ସ୍ ଅନୁସାରେ ସବୁ ଜ୍ଞାନ ଇନ୍ଦ୍ରୀୟଗ୍ରାହ୍ୟ ନୁହଁ ଆଉ ସବୁଥିରେ ଥିବା ଆଧିଭୌତିକ କ୍ରିୟାକଳାପକୁ ବୁଝିବା ପାଇଁ ମଣିଷ ଭିତରେ ସ୍ୱତନ୍ତ୍ର ବୋଧଶକ୍ତି ଥିବା ଆବଶ୍ୟକ । ସରଳ ଭାବରେ କହିଲେ ଆଲଫ୍ରେଡ୍ ଜାରୀଙ୍କ ବିଚାର ଅନୁସାରେ କେହି କାହାକୁ କିଛି ବୁଝାଇ ପାରିବ ନାହିଁ । ପିକାସୋ ମଧ୍ୟ ସେଇ ସମାନ ଧାରଣାକୁ ଅନୁକରଣ କରୁଥିଲେ ।

ଆଲଫ୍ରେଡ୍ ଜାରୀ ସବୁବେଳେ ନିଜସହ ଗୋଟିଏ ରିଭଲଭର୍ ରଖୁଥିଲେ । ଏଇ ରିଭଲଭର୍‌ଟି ହେଉଛି ପ୍ରସିଦ୍ଧ ବ୍ରାଉନିଂ ରିଭଲଭର୍ ।ସବୁବେଳେ ଜାରୀ ନିଜର ଏହି ରିଭଲଭର୍‌କୁ ଜୀବନ୍ତ ଗୁଳିରେ ଭର୍ତ୍ତି କରି ପାଖରେ ରଖିଥିଲେ । ତାଙ୍କର ମୃତ୍ୟୁ ପରେ ୧୯୦୭ ଖ୍ରୀଷ୍ଟାବ୍ଦରେ ପିକାସୋ ଏଇ ବ୍ରାଉନିଂ ରିଭଲଭର୍‌ଟି ଆଲଫ୍ରେଡ୍ ଜାରିଙ୍କ ବଂଶଧରଙ୍କ ଠାରୁ କିଣି ନେଇ ସାଥିରେ ଧରି ସବୁବେଳେ ବୁଲୁଥିଲେ । ପିକାଶୋ ଏଥିରେ ଆଲଫ୍ରେଡ୍ ଜାରୀଙ୍କ ଭଳି ଜିଅନ୍ତା ଗୁଳି ଭର୍ତ୍ତି କରି ରଖୁନଥିଲେ । ସେ ସେଥିରେ ବ୍ଲାଙ୍କ କାର୍ତ୍ତୁଜ ଭର୍ତ୍ତି କରି ରଖୁଥିଲେ । ଏଇ ଭଳି କାର୍ତ୍ତୁଜ୍‌ଗୁଡିକ ସାଧାରଣତଃ କୌଣସି ଦୌଡ଼ ପ୍ରତିଯୋଗିତାରେ ବା କାହାକୁ ତୋପସଲାମୀ ଦେଲା ଭଳି ଯେତେକ ଶୂନ୍ୟକୁ ଫୁଟାଇବା ପାଇଁ ଦରକାର ହେଉଥିବା କାମରେ ବ୍ୟବହୃତ ହୋଇଥାଏ ।

ତେଣୁ ବ୍ଲାଙ୍କ୍ କାଟ୍ରିଜ୍ ଭରା ରିଭଲଭର୍ ହାତରେ ପିକାସୋଙ୍କୁ ସବୁବେଳେ ଦେଖାଯାଇଛି ।

ଆମର ବନ୍ଧୁ ଜଣକଙ୍କର ଆର କାନ୍ଧର ଝୁଲାମୁଣିଟି ବି କମ୍ ଗୁରୁତ୍ୱପୂର୍ଣ୍ଣ ନୁହଁ । ସେହି ଝୁଲାମୁଣିରେ ଥିଲା ତାଙ୍କର ସମ୍ପାଦିତ ସାହିତ୍ୟ ପତ୍ରିକାର ସଦ୍ୟତମ ସଙ୍ଖ୍ୟା, ଯାହାର କମ୍ପ୍ଲିମେଣ୍ଟାରୀ କପିଟିକୁ ଲେଖକ ପାଖରେ ପହଞ୍ଚାଇ ଦେବା ପାଇଁ ସେ ଛୁଟି ଆସିଛନ୍ତି ମାଲକାନଗିରି ଆଉ ମାଲକାନଗିରିରୁ କୋରାପୁଟ । କୋରାପୁଟରୁ ଯିବେ ରାୟଗଡ଼ା ଦେଇ ବ୍ରହ୍ମପୁର ।

ଓଡିଆ ସାହିତ୍ୟର ମୁଷ୍ଟିମେୟ ପୂରା ଦାଢୀବାଲା ସାହିତ୍ୟିକମାନଙ୍କ ଭିତରେ ସେ ଜଣେ, ଯାହାଙ୍କୁ ବୟସ ଦୃଷ୍ଟିରୁ ନିଜର ସମସାମୟିକ ହୋଇଥିବା ସତ୍ତ୍ୱେ, ଆମ ସାହିତ୍ୟର ତରୁଣ-ଆବିଷ୍କାରର କଲମ୍ବସ୍ ଚିନ୍ତକ-କବି ତାଙ୍କର "ନବପର୍ବ"ରେ ସ୍ଥାନୀତ କରିଥିଲେ ଏକଦା । ସେ ହେଉଛନ୍ତି "ସିଂହାସନ"ର କବି ଶ୍ରୀଯୁକ୍ତ ପ୍ରଭାକର ଶତପଥୀ ଆଉ ତାଙ୍କର ସେଦିନର ଝୁଲାମୁଣିରେ ଥିଲା ସେତେବେଳେ ସେ ସମ୍ପାଦନା କରୁଥିବା ଅଭିଜାତ ସାହିତ୍ୟ ପତ୍ରିକା, "ଅନିଶା ସାହିତ୍ୟ ପତ୍ର" ।

କିଛି ସମୟ ଆଗରୁ ଆମର ଏଇଠି ସମର ଅଭ୍ୟାସ ବେଳେ ସେ କହିଛନ୍ତି, କବିତା ଲେଖିଲା ବେଳେ ମୁଁ କେବେ ଭାବେ ନାହିଁ ଯେ, କିଏ ମୋତେ କେବେ କବିତାଟିକୁ ବୁଝାଇବା ପାଇଁ କହିବ ।

(ଏଇଠି କହିବାକୁ ଚାହିଁବି ଶ୍ରୀରାଧାଙ୍କର ଶୃତଲିଖନକାର ତଥା ଆମର ଶିଖର କବି ଶ୍ରୀଯୁକ୍ତ ରମାକାନ୍ତ ରଥ ଏକଦା ତାଙ୍କର ଏକ କବିତା ସଙ୍କଳନରେ, ଅବଶ୍ୟ "ଶ୍ରୀରାଧା" ବ୍ୟତୀତ ତାଙ୍କର ଆଉ କିଛି ଉଲ୍ଲେଖଯୋଗ୍ୟ କୃତି ରହିଛି ବୋଲି ଅନେକଙ୍କ ସ୍ମରଣରେ ନାହିଁ, ନିଜର "ବାଘଶିକାର" ବୋଲି ଏକ କବିତାକୁ କବିତା ବହିର ପୃଷ୍ଠବନ୍ଧରେ ଧାଡ଼ି ଧାଡ଼ି ବୁଝାଇଛନ୍ତି )

କବିତା ବୁଝାଇବା ବା ଅର୍ଥ କରିବାର ଗହନ କଥା ଉଠିଲେ ମୁଁ ପ୍ରିୟ ପ୍ରଭାକର ବାବୁ ଓ ତାଙ୍କ ସହିତ ସମସ୍ତ ସାହିତ୍ୟିକଙ୍କୁ ପ୍ରସିଦ୍ଧ ଚିତ୍ରକର ପାବଲୋ ପିକାସୋଙ୍କର ଏଇ ରିଭଲଭର୍-ହସ୍ତ ଛବିଟି ଦ୍ୱାରା ଅନୁପ୍ରେରିତ ହେବାକୁ ଚାହିଁବି । ପିକାସୋ ଫରାସୀ ଲେଖକ ଆଲଫ୍ରେଡ୍ ଜାରୀଙ୍କ ଏଇ ବ୍ରାଉନିଂ ରିଭଲଭର୍‌କୁ ସବୁବେଳେ ବ୍ଲାଙ୍କ କାର୍ତ୍ତୁଜ ରେ ଭର୍ତ୍ତି କରି ରଖୁଥିଲେ, କାରଣ ଏହା ତାଙ୍କୁ ସୁରକ୍ଷିତ କରି ରଖିବ ସେଇ ପ୍ରଶ୍ନକର୍ତ୍ତା ନିକଟରୁ, ଯିଏ ସୁଯୋଗ ପାଇଲା ମାତ୍ରକେ ଅଳ୍ପ ଗଳା ଝାଡ଼ି ପଚାରିଥାଏ, ଆଚ୍ଛା ଆପଣ ଏଇ ଯେଉଁ ଛବିଟି ଆଙ୍କିଛନ୍ତି ତାହାର ଅର୍ଥ ଟିକେ ବୁଝାଇ କହିବେ ?

ବ୍ଲାଙ୍କ-ଫାୟାର୍‌ର ଦରକାର ନାହିଁ । ଖାଲି ନଳୀଟିକୁ ସାମ୍ନାରେ ଦେଖିଲେ ସବୁ ଗୂଢ଼ ତତ୍ତ୍ୱ ଆମ ଆଗରେ ଘଡ଼ିକରେ ପରିଷ୍କାର ।

ଭୁଲ୍ କହିଲି ?

Sunday, March 11, 2018

ରାଗ ପଡ଼ିରେ ଜଣାଣ - 'ଶ୍ୟାମ ହେ ମୋହନ ରାଧାରମଣ'


କବି - ରାଜା ସୁଢ଼ଳ ଦେବ (୧୮୫୧-୧୯୦୩)


ବାମନାବତାରରେ ତ୍ରିବିକ୍ରମ ବିଷ୍ଣୁ (ୱିକିମିଡିଆ କମନ୍ସ୍)

ଶ୍ୟାମ ହେ ମୋହନ ରାଧାରମଣ
ଅଗତିକୁ ଗତି ଦେଇ କର ତାକୁ ତାରଣ
ଶ୍ୟାମ ସୁନ୍ଦର ମନ୍ଦରଧର ଆନନ ଅତି ଶୋଭନ
ନନ୍ଦନନ୍ଦନ ଛନ୍ଦ ନ କର ସୁନ୍ଦର ମୁଖ ଲୋଚନ ।୧।

ହରି ହେ, ବଳିକୁ ଛଳି ଆପଣ
ମହାଦାନୀ ପଣ ତାର କର୍ଣ୍ଣ ଶୁଣିଣ
ବାମନ ହେଲ ଦାନ ମାଗିଲ ବଳିର ଶିର ଚାପିଣ
ପାତାଳ ପୁର ଦ୍ୱାର ତାହାର ଜଗି ବସିଲ ଆପଣ ।୨।

ହରି ହେ, ଶ୍ୟାମଳ ଶାନ୍ତ ମୂରତି
ଶ୍ରୀ ଜାନକି ଦେବୀଙ୍କର ପ୍ରାଣର ପତି
କାକୁସ୍ଥ କୁଳ ମଣ୍ଡନକାରୀ ପରଶୁରାମ ଦର୍ପ ସଂହାରୀ
ବିଶ୍ୱାମିତ୍ର ଜାଗରକ୍ଷକ ତାଡ଼କୀକୁ କଲ ନିଧନ ।୩।

ହରି ହେ, ଯୁଦ୍ଧ ଦେଖି ତୁମ୍ଭର -
ପରାକ୍ରମେ ଜମ୍ବେବ କଲା ବିଚାର
ସମର ମନ ଜାଣି ଆପଣ ହରଷ ହେଲ ତକ୍ଷଣ
ଯୋଗ ଅନ୍ତରେ ବାହୁ ଯୁଦ୍ଧ ଦେଇ ଜମ୍ବୁବତୀ କଲ ହରଣ ।୪।

ବାମଣ୍ଡା ବାସୁଦେବ ନୃପତି
ନିତି ଶରଣ ମାଗେ କରି ବିନତି
ଆରତ ତ୍ରାଣ ଦୁଃଖ ନାଶନ ଦୁଃଖକୁ କର ମୋଚନ
ଦାସ ଗଲେ ନାଶ ଲଭିବ କି ଯଶ ନିନ୍ଦା ବହିବ ଆପଣ ।

Friday, March 09, 2018

ପାଲି ଧମ୍ମପଦ (୭୩) ର ଓଡ଼ିଆ  ପଦ୍ୟାନୁବାଦ


୧୪ ବାଳବଗ୍ଗୋ (ବାଳ ବର୍ଗ)


ଫାରସୀ ଶୈଳୀର ଚିତ୍ରରେ ବିଷ୍ଣୁଙ୍କର ଅବତାର ଭାବରେ ବୁଦ୍ଧ
ସପ୍ତଦଶ ଶତାବ୍ଦୀର ଚିତ୍ର (ୱିକିମିଡିଆ କମନ୍ସ୍)

ନିଜ ଠାରେ ଯେଉଁପରି ସମ୍ଭାବନା ନାହିଁ
ମୂର୍ଖ ସେହି ଭାବନାର କାମନା କରଇ ।

ଭିକ୍ଷୁକମାନଙ୍କ ମଧ୍ୟେ ଇଚ୍ଛେ ଅଗ୍ରସ୍ଥାନ
ପରକୂଳେ ଚାହେଁ ପୂଜା, ଆବାସରେ ଧନ ।୧୪। 

ଅସତ୍ ଭାବନମିଚ୍ଛେତ୍  ପୁରସ୍କାରଂ ଚ ଭିକ୍ଷୂଷୁ ।
ଆବାସେଷୁ ଚ ଐଶ୍ୱର୍ଯ୍ୟଂ ପୂଜାଃ ପରକୁଳେଷୁ ଚ ।୧୪।

ଅସତଂ ଭାବନମିଚ୍ଛେୟ୍ୟ ପୁରେକ୍କାରଞ୍ଚ ଭିକ୍ଖୁସୁ ।
ଆବାସେସୁ ଚ ଇସ୍ସରିୟଂ ପୁଜା ପରକୁଳେସୁ ଚ ।୧୪। 

Wednesday, March 07, 2018

ଓଡ଼ିଆ କବୀର ଭଜନ 'ତରିଯିବୁ ଯେବେ ଏ ଘୋର ସାଗର'


ଶିଷ୍ୟଙ୍କ ସହ କବୀର (୧୮୨୫ ମସିହାର ଛବି)
ୱିକିମିଡିଆ କମନ୍ସ୍

ତରିଯିବୁ ଯେବେ ଏ ଘୋର ସାଗର
ପ୍ରେମର ତରଣୀ ଧରରେ,
ତିମିର ଭେଦିଲେ ପାଇବୁ ଅନାଦି
ଶାଶ୍ୱତ ଶିବ ସୁନ୍ଦରରେ ।

ଅଖଣ୍ଡ ମଣ୍ଡଳ ବ୍ୟାପ୍ତ ଚରାଚର
ନମୋ ନାରାୟଣ ନମୋ ନିରାକାର
ଅମଳ କମଳ ଚରଣ ତଳକୁ 
ଲଗା ତୋ ମନ ଭ୍ରମରରେ ।

ପଞ୍ଚମନ କରି ସ୍ଥିର
ଷଡ଼ରିପୁକୁ ସଂହାର
ସାତତାଳ ପାଣି ତଳେ ଦେଖିବୁ ସେ,
ଅଷ୍ଟମ ଡାଳେ ଭ୍ରମରରେ ।

ଉତ୍ସ - ନାଟକ 'ଭକ୍ତ କବୀର' । ନାଟ୍ୟକାର - ଗୋଲକଚନ୍ଦ୍ର ମହାନ୍ତି । ପ୍ରକାଶକ, ଉତ୍କଳ ବାଣୀବିହାର: କଟକ । ୧୯୫୧ ମସିହା କିମ୍ବା ତାହା ପୂର୍ବରୁ ଲିଖିତ ।

Sunday, March 04, 2018

କବିତା - 'ପ୍ରଭୁଙ୍କୁ ଦେଖିଲେ'


କବି - ମଧୁସୂଦନ ରାଓ


ଆଟଲାଣ୍ଟିକ ମହାସାଗରର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ପ୍ରଭୁଙ୍କୁ ଦେଖିଲେ ଥରେ ଆଉ ତ ନ ଛାଡ଼ିବି ରେ । (ଘୋଷା)

ପ୍ରେମବିମୋହିତ ଡୋଳେ ଅନାଇ ରହିବି ଭୋଳେ
ଭକ୍ତିଅଶ୍ରୁ ଜଳେ ଭାସି ପଦତଳେ ପଡ଼ିବି ରେ ।୧।

କହିବି କ୍ଷମାସାଗର ଦୀନ-ହୀନେ କ୍ଷମା କର
ନୋହିଲେ ଗଲିଟି ସରି ବୋଲି କର ଯୋଡ଼ିବି ରେ ।୨।

ଫିଙ୍ଗି ଦୂରେ ଅହଙ୍କାର ଶ୍ରୀପଦ କରିବି ସାର
ରଖ ରଖ ବୋଲି କୃପାସିନ୍ଧୁ ଜଣେ ବୁଡ଼ିବି ରେ ।୩। 

Friday, March 02, 2018

କବିତା - 'ମୁକତିର ସୂର୍ଯ୍ୟ ପରା ଉଇଁଲା'


କବି - ମନମୋହନ ମିଶ୍ର


'ତାରକାଙ୍କିତ ଲଙ୍ଗଳ' - ଆୟାରଲାଣ୍ଡ ନାଗରିକ ସେନାର ୧୯୧୪ ମସିହାର ଚିହ୍ନ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତୋର ମୁକତିର ସୂର୍ଯ୍ୟ ପରା ଉଇଁଲା,
ଉଇଁଲା, ଆଖି ତୋର କିଆଁ ଛଳଛଳ ।
ଯାହା ଲାଗି ଲଢ଼ିଲୁ ତୁ, କାରାଗାରେ ସଢ଼ିଲୁ ତୁ
ଫାସି ମଞ୍ଚେ ଚଢ଼ିଲୁ
ପାଇଛୁ କି ତାରେ ଅବିକଳ ।୧।

ଛୁଞ୍ଚିମୁନ ଭୂମି ପାଇଁ ଘୁଞ୍ଚିଲାନି କୁରୁସାଇଁ
ବଞ୍ଚିତ ସେ ଭାବଗ୍ରାହୀ, ସାରଥି ହୋଇଲେ ଯାଇ,
ଗୀତା ଛଳେ ଉଲୁସାଇ ଅରଜୁନ ବଳରେ
ଆଖି ତୋର କିଆଁ ଛଳଛଳ ।୨।

ବସ୍ତ୍ର ମାଗୁ ସେ ତ ବହୁ ଦୂର
ଅନ୍ନ ମାଗୁ ଗୁଳି ତ ପ୍ରଚୁର
ଯୋଡ଼ି ହାତ ଗୋଡ଼ ଛୁଇଁ
ମାଗ ଭାତ, ମାଗ ଭୂଇଁ
ଦାନୀଷଣ୍ଢ ରାଜ୍ୟ ମହାବଳ ରେ
ଆଖି ତୋର କିଆଁ ଛଳଛଳ ।୩।

କଳି ଯୁଗେ ପରା, ଧରମ ସ୍ୱରାଜ !
ବଳି-ଦାନୀ ହେଲେ, ରଜା ମହାରାଜ !
ଉଡ଼ିଗଲା ଲିୟା ହେଲା
ଗୋବିନ୍ଦାୟ ସ୍ୱାହା ରେ ।
ହେଣ୍ଡି ମାରେ ଅହିଂସା-ମାଦଳ
ଆଖି ତୋର କିଆଁ ଛଳଛଳ ।୪।

ନୋହୁ ଯଦି ଭାଗ୍ୟବାନ
ନାହିଁ ଜମି ଦେବୁ ଦାନ
ପେଟ ପାଳିବାକୁ ତୋର
ନଅଣ୍ଟ କାଳରୁ
ଲଭ ବେଠି-ଶ୍ରମଦାନ ପୂଣ୍ୟ ଫଳରେ
ଆଖି ତୋର କିଆଁ ଛଳଛଳ ।୫।

ଏ ବୁଦ୍ଧି ଦୁର୍ଲଭ ବଡ଼ ଶୋଷଣର ଇତିହାସେ
ଏ ଶୁଦ୍ଧି ସୁଲଭ ବଡ଼ ପାମର ଅରଥ-ଦାସେ
ପ୍ରଜା ସାମ୍ୟବାଦୀ ଆଉ ରଜା କଙ୍ଗରେସରେ ।
ନେତାଙ୍କୁ ଏ ଛାଇ ସୁଶୀତଳ
ଆଖୁ ତୋର କିଆଁ ଛଳଛଳ ।୬।

ବି.ଦ୍ର. - ୧୯୫୧ ମସିହାରେ କଟକ ଜେଲର ୧୫ ନମ୍ବର ଉଆର୍ଡ଼ରେ ରଚିତ ।