Monday, December 25, 2017

ମାଥିଉଙ୍କର ମଙ୍ଗଳ ସମାଚାର ୨୮

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ସିଂହାସନାୠଢ଼ ପ୍ରଭୁ ଯୀଶୁ
ପଞ୍ଚଦଶ ଶତାବ୍ଦୀର ଆୟରିଶ ପୋଥି ବୁକ୍ ଅଫ୍ କେଲ‌ସ୍‌ରୁ ଆନୀତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏଥି ଉତ୍ତାରୁ ଯେଉଁ ଯେଉଁ ନଗରରେ ତାହାଙ୍କର ବହୁତ ଆଶ୍ଚର୍ଯ୍ୟକ୍ରିୟା କରାଯାଇଥିଲା, ସେହି ସେହି ନଗର ନିବାସିମାନଙ୍କର ମନଫେରଣ ନ ହେବାରୁ ସେ ସେହି ସମସ୍ତଙ୍କୁ ଧମକାଇବାକୁ ଲାଗିଲେ । ହାୟ ହାୟ କୋରାଜୀନ, ହାୟ ହାୟ ବେଥସେବା, ତୁମ୍ଭମାନଙ୍କ ମଧ୍ୟରେ ଯେ ଯେ ଆଶ୍ଚର୍ଯ୍ୟ କର୍ମ କରାଯାଇଅଛି, ତାହା ସବୁ ଯେବେ ସୋର ଓ ସୀଦୋନ ମଧ୍ୟରେ କରାଯାଇଥାନ୍ତା, ତେବେ ଅନେକ କାଳ ଆଗରୁ ସେମାନେ ଚଟ ପିନ୍ଧି ଭସ୍ମରେ ବସି ମନ ଫେରାଇଥାନ୍ତେ । କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ କହୁଁ, ବିଚାର ଦିନରେ ତୁମ୍ଭମାନଙ୍କ ଦଶାରୁ ସୋର ଓ ସୀଦୋନର ଦଶା ସହନୀୟ ହେବ । ଆଉ ହେ କଫର୍ନାହୁମ, ତୁମ୍ଭେ ପରା ସ୍ୱର୍ଗ ପର୍ଯ୍ୟନ୍ତ ଉଚ୍ଚୀକୃତ ହେବ । ତୁମ୍ଭେ ନରକରେ ନିପାତିତ ହେବ; ଯେହେତୁ ତୁମ୍ଭ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରାଯାଇଅଛି, ତାହା ଯେବେ ସିଦୋମରେ କରାଯାଇଥାନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ଥାନ୍ତା । ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହୁଁ, ତୁମ୍ଭର ଦଶାରୁ ବରଂ ସିଦୋମର ଦଶା ବିଚାର ଦିନରେ ସହନୀୟ ହେବ । 

ଉତ୍ସ - 'ପବିତ୍ର ବାଇବେଲ ପୁରାତନ ଓ ନୂତନ ନିୟମ। ବାଇବେଲ ସୋସାଇଟି ଅଫ ଇଣ୍ଡିଆ ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

ଶ୍ୟାମା ସଙ୍ଗୀତ

ଜ୍ୟୋତି ନନ୍ଦ 



ସଦାନନ୍ଦମୟୀ କାଲୀ ମହାକାଲେର ମନମୋହିନୀ,
ତୁମି ଆପନି ନାଚୋ, ଆପନି ଗାଓ ମା,
ଆପନି ଦାଓ ମା କରତାଲି।
ସଦାନନ୍ଦମୟୀ କାଲୀ...।
ଆଦିଭୂତା ସନାତନୀ ,ଶୂନ୍ୟରୂପା ଶଶି ଭାଲି,
ବ୍ରହ୍ମାଣ୍ଡ ଛିଲୋନା ଯଖନ, ମୁଣ୍ଡୁମାଲା କୋଥା ପେଲି ?
ସଦାନନ୍ଦମୟୀ କାଲୀ...।
ସବେମାତ୍ର ତୁମି ଯନ୍ତ୍ରୀ, ଆମରା ତୋମାର ଯନ୍ତ୍ରେ ଚଲି,
ଯେମନ ରାଖୋ ତେମନି ଥାକି ମା
ଯେମନ ବଲାଓ ତେମନି ବଲି।
ସଦାନନ୍ଦମୟୀ କାଲୀ...।
ଅଶାନ୍ତ କମଲାକାନ୍ତ ,ଦିଏ ବଲେ ଗାଲାଗାଲି,
ଏବାର୍ ସର୍ବନାଶୀ ଧରେ ଅସୀ
ଧର୍ମାଧର୍ମ ଦୁଟୋ ଖେଲି।
ସଦାନନ୍ଦମୟୀ କାଲୀ....।

[ ମୋର ପ୍ରିୟ ଏଇ ଶ୍ୟାମାସଙ୍ଗୀତଟି ଆପଣମାନଙ୍କ ପାଇଁ ରଖୁଛି । ଆଶାକରିବି ଏଇ ଭକ୍ତିର ନିବେଦନଟି ଆପଣଙ୍କର
ପସନ୍ଦ ହେବ ।

କାଳେ ଭାବଟି କ୍ଷୁର୍ଣ୍ଣ ହୋଇଯିବ ବୋଲି ଏହାର ଅନୁବାଦରୁ ବିରତ ରହିଛି । ଆପଣମାନେ ଏହାକୁ ବୁଝିପାରିବେ ବୋଲି ବିଶ୍ୱାସ ।
ଏଇ ଶ୍ୟାମାସଙ୍ଗୀତଟିକୁ ଅନେକ ଗାୟକ ଗାଇଛନ୍ତି । ସେମାନଙ୍କ ମଧ୍ୟରୁ ମୋର ବ୍ୟକ୍ତିଗତ ପସନ୍ଦ ଶ୍ରୀଯୁକ୍ତ ପାନ୍ନାଲାଲ ଭଟ୍ଟାଚାର୍ଯ୍ୟ । ]


ମାଆ କାଳୀଙ୍କର ଉପରେ ଦିଆଯାଇଥିବା ଚିତ୍ରଟି ବାସ୍ତବରେ ଗୋଟିଏ ପଟ୍ଟଚିତ୍ର ।

ଏଇ ପ୍ରକାରର ପଟ୍ଟଚିତ୍ରକୁ "ଜାଦୁପଟୁଆଙ୍କ ପଟ୍ଟ" ବୋଲି କୁହାଯାଏ । ଜାଦୁପଟୁଆ ମାନେ ବିହାର ଓ ପଶ୍ଚିମବଙ୍ଗର ସାନ୍ତାଳ ସମ୍ପ୍ରଦାୟର ସବୁଠାରୁ ପ୍ରାଚୀନ ଚିତ୍ରକର ଗୋଷ୍ଠୀ । ସେମାନେ ଏଇ ପଟ୍ଟଗୁଡିକରେ ସାନ୍ତାଳମାନଙ୍କର ଆତ୍ମା କୁହାଯାଉଥିବା ବଙ୍ଗାକୁ ଆବାହନ କରିଥାଆନ୍ତି । ଏଇ ପଟ୍ଟରେ ସେମାନଙ୍କର ପର୍ବ, ଭୋଜିଭାତ ଆଉ ନୃତ୍ୟ ଆଦି ଚିତ୍ରିତ ହୋଇଥାଏ । ଏହା ସହିତ ଚିତ୍ରକରମାନେ ଗାଆଁକୁ ଗାଆଁ ବୁଲି ସାନ୍ତାଳ ଲୋକକଥାରେ ପୃଥିବୀର ଉତ୍ପତ୍ତି ଆଉ ମୃତ୍ୟୁକୁ ସେଇ ଗୁଡା ହୋଇରହିଥିବା ପଟ୍ଟଟିକୁ ଖୋଲି ଦେଖାଇ କହନ୍ତି ଏଇ ପଟ୍ଟରେ ଜାଦୁ ଲେଖାହୋଇ ରହିଛି ବୋଲି । ଏହି ବିଶ୍ୱାସରୁ ସେମାନଙ୍କୁ ଜାଦୁପଟୁଆ କୁହାଯାଏ ।

ଏଇ ଜାଦୁପଟୁଆରେ କାଳୀଙ୍କର ଏଇ ଲୋକଚିତ୍ରଟିର ଉପସ୍ଥିତି, ବିଶେଷ କରି ସାନ୍ତାଳ ସମ୍ପ୍ରଦାୟର ପାର୍ବଣର ଅଂଶବିଶେଷ ହିସାବରେ, ନୃତାତ୍ତ୍ୱିକ ଦୃଷ୍ଟିରୁ କାଳୀଙ୍କର ପ୍ରାଚୀନତା ସହ ତାଙ୍କର ଅଣ-ଆର୍ଯ୍ୟ ସମ୍ପୃକ୍ତିଜନିତ ଆଦିପର୍ବକୁ ସ୍ପଷ୍ଟ କରିଥାଏ ।

ଆପଣମାନେ ଜାଣନ୍ତି, ଆମର ପୂଜାକ୍ରମରେ କାଳୀପୂଜା ଏକ ସ୍ୱତନ୍ତ୍ର ବ୍ୟତିକ୍ରମ । ଆମର ପୂଜାରେ ସାଧାରଣତଃ ସୂର୍ଯ୍ୟଙ୍କର ଆଲୋକିତ ଦିନ ଓ ଚନ୍ଦ୍ରଙ୍କ ଆଲୋକିତ ରାତ୍ରିର ଉପାସନା ପ୍ରଧାନ । ଏଇ ଗୋଟିଏ ପର୍ବରେ ଅମାବାସ୍ୟା, ଅନ୍ଧାର, ମଧ୍ୟରାତ୍ରୀ ଆଉ ମୃତ୍ୟୁ । ଏହାର ବିଶେଷ ଚର୍ଚ୍ଚା ପରେ କେବେ ।

କାଳୀରଙ୍କ ସାନ୍ତାଳ ସମ୍ପୃକ୍ତି ବିଷୟରେ ଗୋଟିଏ ଏବେକାର କଥା ମନକୁ ଆସିଲା । ଲେଖୁଛି । ବଙ୍ଗଳାର ବିଶିଷ୍ଟ କବି ଓ ଔପନ୍ୟାସିକ ସୁନୀଲ ଗଙ୍ଗୋପାଧ୍ୟାୟ ବଙ୍ଗଳାର ପୁନର୍ଜାଗରଣ ବା ରେନେଁସାନ୍ସ୍ ଉପରେ "ପ୍ରଥମ ଆଲୋ" ବୋଲି ଏକ ଐତିହାସିକ ଉପନ୍ୟାସ ଲେଖିଛନ୍ତି । ସେଥିରେ ସମୟର ଗୋଟିଏ ବିଶିଷ୍ଟ ପର୍ଯ୍ୟାୟକୁ ତଥା ରାମକୃଷ୍ଣ ପରମହଂସ ଆଉ ଡାଃ ମହେନ୍ଦ୍ରଲାଲ୍ ସରକାର୍‌ଙ୍କ ସମୟକୁ ସେ ବିଶ୍ୱାସ ଆଉ ବିଚାରର ସଙ୍ଘର୍ଷର ସମୟ ହିସାବରେ ଚିତ୍ରଣ କରିଛନ୍ତି । ରାଣୀ ରାସମଣୀଙ୍କ ଦକ୍ଷିଣେଶ୍ୱର ଓ ରାମକୃଷ୍ଣ ପରମହଂସଙ୍କ ମାର୍ଫତ ଯେଉଁ କାଳୀ ଆବାହନୀର ଜୁଆରଟି କଲିକତାରେ ଆସିଥିଲା, ତାହାର ପ୍ରତିପକ୍ଷ ବିଚାରଟି ବି ସେତେ ଦୁର୍ବଳ ନଥିଲା । ଶ୍ରୀ ଗଙ୍ଗୋପାଧ୍ୟାୟଙ୍କର ସେଇ ରାସନାଲ୍ ଚରିତ୍ରଟିଏ ସେତେବେଳେ କହିଥିଲା, "କାଲୀ ଏକଟା ସାନ୍ତାଲ୍ ମାଗି" ।

ବଙ୍ଗଳା ଭାଷାରେ "ମାଗି" ନାରୀର ଶ୍ଳୀଳତାହାନିକର ଏକ ଶବ୍ଦ । ସେଇଥି ପାଇଁ ଏହା ଲେଖାହେବା ପରେପରେ, ପଶ୍ଚିମବଙ୍ଗରେ ତୀବ୍ର ଆଲୋଡନ ହୋଇଥିଲା । ଏପରିକି ଶ୍ରୀଗଙ୍ଗୋପାଧ୍ୟାୟଙ୍କୁ ହତ୍ୟାର ଧମକ ବି ମିଳିଥିଲା ।

ସାନ୍ତାଳମାନଙ୍କର ଜାଦୁପଟୁଆରେ ମାଆ କାଳୀଙ୍କ ଚିତ୍ରରୂପଟି ଦେଖିବା ପରେ, ଏଇ କଥାଟି ମନକୁ ଆସିଲା । ତାହା ପରେ ମୁଁ ମୋ ଭିତରେ ଗୋଟିଏ ନିଷ୍କର୍ଷ ବାହାର କଲି । ସେଇଟି କହୁଚି ।

ନିଜ ଜୀବନରେ ପ୍ରଥମଥର କିଛି ରଙ୍ଗ ପେନସିଲ୍ ପାଇଥିବା ଶିଶୁଟିଏ ଯଦି କେଉଁ ଖାତାରେ ମାଆ କାଳୀଙ୍କୁ ଆଙ୍କି ବସେ, ତେବେ ତାହା ହେବ ପୃଥିବୀର ସର୍ବଶ୍ରେଷ୍ଟ ଚିତ୍ର ମାଆ କାଳୀଙ୍କର । କାରଣ ଏଇ ଚିତ୍ରରେ ରହିଛି କେବଳ ଆବେଗ ଆଉ ସରଳତା ।

ପୃଥିବୀର ଏଇ ସରଳତମ ମାଆଙ୍କ ଚିତ୍ରରୂପକୁ ପ୍ରଣାମ ।

Saturday, December 23, 2017

ମାଥିଉଙ୍କର ମଙ୍ଗଳ ସମାଚାର ୨୭

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ମାଥିଉଙ୍କର ମଙ୍ଗଳ ସମାଚାରର ପ୍ରାରମ୍ଭ (୧୫ଶ ଶତାବ୍ଦୀର ପୋଥି)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କିନ୍ତୁ ଆମେ କାହା ସଙ୍ଗରେ ଏକାଳର ଲୋକମାନଙ୍କୁ ତୁଳନା ଦେବା ? ହାଟରେ ବସି ଯେଉଁ ବାଳକମାନେ ଆପଣା ସଙ୍ଗିଗଣକୁ ଡାକି କହନ୍ତି, 'ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁଁ, ମାତ୍ର ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁଁ, ମାତ୍ର ତୁମ୍ଭେମାନେ ଦୁଃଖ କଲ ନାହିଁ,' ସେମାନେ ଏପରି ବାଳକମାନଙ୍କ ପରି; ଯେହେତୁ ଯୋହନ ଆସି ଭୋଜନ ପାନ କଲେ ନାହିଁ; ତହିଁରେ ଲୋକମାନେ କହନ୍ତି, ସେ ଭୂତଗ୍ରସ୍ତ । ମନୁଷ୍ୟପୁତ୍ର ଆସି ଭୋଜନ ପାନ କଲେ; ତହିଁରେ ଲୋକମାନେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦ୍ୟପାୟୀ, କରଆଦାୟକାରୀମାନଙ୍କର ଓ ପାପିମାନଙ୍କର ବନ୍ଧୁ । ମାତ୍ର ଜ୍ଞାନ ନିଜ କର୍ମ ସମୁଦାୟ ଦ୍ୱାରା ନିର୍ଦ୍ଦୋଷ ଗଣିତ ହୁଏ ।  

ଉତ୍ସ - 'ପବିତ୍ର ବାଇବେଲ ପୁରାତନ ଓ ନୂତନ ନିୟମ। ବାଇବେଲ ସୋସାଇଟି ଅଫ ଇଣ୍ଡିଆ ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

Thursday, December 21, 2017

ନିକାନୋର ପାର୍ରାଙ୍କର କବିତା 'ଆଣ୍ଟିପୋଏମ୍'

ଅନୁବାଦ - ଜ୍ୟୋତି ନନ୍ଦ


ନିକାନୋର ପାର୍ରା (୧୯୧୪ - )
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଣ୍ଟିପୋଏଟ୍ରି୍ କ'ଣ ?

କଫିନ୍ ଆଉ ଶବାଧାରର କେଉଁ ସୌଦାଗର ?
ଏମିତି ଜଣେ ସେନାନାୟକ ଯିଏ ନିଜ ଉପରେ ଆସ୍ଥାଶୀଳ ନୁହଁ?
ଜଣେ ଯାଜକ ଯାହାର ବିଶ୍ୱାସ ନାହିଁ କେଉଁଥିରେ ?
ଜଣେ ଯାଯାବର ଯିଏ ସବୁକିଛିକୁ କୌତୁକ କରେ ଏପରିକି ବାର୍ଦ୍ଧକ୍ୟ ଓ ମୃତ୍ୟୁକୁ ବି ?
ଜଣେ ଅବିଶ୍ୱାସୀ କେଉଁ ଭାଷଣଦାତା ?
ଉଚ୍ଚପାହାଡର ତୀଖରେ ଛିଡା କେଉଁ ନର୍ତ୍ତକ ?
ଏମିତି ଏକ ନାର୍ସିସିଷ୍ଟ ଯିଏ ସବୁଥିରେ ଖୋଜିପାଏ ସୌନ୍ଦର୍ଯ୍ୟ ?
ଏମିତି ଜଣେ ଭାଣ୍ଡ ଯିଏ ଜଘନ୍ୟଭାବରେ କାହାକୁ ହରାଇ ଦିଏ 
କେବଳ ମାତ୍ର ତାମସା ପାଇଁ ?
ସାରାରାତି ଚେୟାର୍‌ରେ ଘୁମାଏ, ଏମିତି ଏକ ବିଖ୍ୟାତ କବି ?
ଜଣେ ଆଧୁନିକ ଅପରସାୟନବିଦ୍ ?
ଜଣେ ଭୟାତୁର ବିପ୍ଳବୀ ?
ଜଣେ ନଗଣ୍ୟ ଶିଳ୍ପପତି ?
ଜଣେ ଭଣ୍ଡ ?
ଜଣେ ଈଶ୍ୱର ?
ଜଣେ ସହଜ ମଣିଷ ?
ଚିଲ୍ଲିର ସାନ୍ତିଆଗୋରୁ ଆଗତ କେଉଁ ଚାଷୀ ?

ସଠିକ ଉତ୍ତର ତଳେ ଦାଗ ଦିଅ ।

ଆଣ୍ଟିପୋଏଟ୍ରି କ'ଣ ?
ଚା' କପରେ ଝଡ ?
ପଥର ଦେହରେ ତୁଷାର ଚିହ୍ନ ?
ଫାଦର୍ ସାଲଭାତିୟାର୍‌ଙ୍କ ମତ ଅନୁସାରେ
ମଣିଷର ମଳ ଭର୍ତ୍ତି ଏକ ବିଶାଳ ପ୍ଲେଟ୍ ?
ମିଛ କହିବାକୁ ଅପାରଗ ଏକ ଆଇନା ?
ଲେଖକ ସମିତିର ସଭାପତିଙ୍କ ଗାଲରେ ହଠାତ୍ ଏକ ଚାପୁଡା ?
(ଈଶ୍ୱର ତାହାର ଆତ୍ମାକୁ କ୍ଷମା କରନ୍ତୁ )
ତରୁଣ କବିଙ୍କ ପ୍ରତି ଏକ ସାବଧାନ ବାଣୀ ?
ଜେଟ୍‌ଚାଳିତ କେଉଁ କଫିନ୍ ?
କେନ୍ଦ୍ରପଥରେ ଧାବିତ ଏକ କଫିନ୍ ?
ଗୋଟିଏ କଫିନ୍ ସ୍ୱୟଂଚାଳିତ ?
ଶବହୀନ କେଉଁ ଲାଶକଟା ଘର ?

ସଠିକ ଉତ୍ତରଟିରେ ଗୋଟିଏ X ଚିହ୍ନ ଦିଅ।

ଶହେ ବରଷ ବୟସରେ ନିକାନୋର ପାର୍ରା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୧୯୧୪ରେ ଜନ୍ମିତ ଚିଲ୍ଲିର ଗଣିତବିଦ୍, ପଦାର୍ଥ ବିଜ୍ଞାନୀ ଏବଂ ବିଂଶ ଶତକର ସ୍ପେନିୟ ସାହିତ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରଭାବଶାଳୀ କବି ହେଉଛନ୍ତି ନିକାନୋର ପାର୍ରା । କବିତାର ପ୍ରଥାଗତ ଶୈଳୀ ଓ ବିନ୍ୟାସକୁ ଭାଙ୍ଗି ସେ ରଚନା କରନ୍ତି ଆଣ୍ଟି-ପୋଏସିଆ ବା ପ୍ରତି-କବିତା । ଏହା ଛଡା ସନାତନ ନନ୍ଦନତତ୍ତ୍ୱକୁ ବିରୋଧକରି କବିତାକୁ ତୀବ୍ର ଗଦ୍ୟଗନ୍ଧି କରିବାରେ ତାଙ୍କର ଆଗ୍ରହ ଥିଲା ।

Tuesday, December 19, 2017

ପାଲି ଧମ୍ମପଦ (୭୧) ର ଓଡ଼ିଆ  ପଦ୍ୟାନୁବାଦ

୧୨ ବାଳବଗ୍ଗୋ (ବାଳ ବର୍ଗ)


ପ୍ରଜ୍ଞା ପାରମିତା କେନ୍ଦ୍ରରେ ଥାଇ ବୌଦ୍ଧ ମଣ୍ଡଳ (୧୯ଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପାପ କର୍ମ କୃତ ମାତ୍ରେ ସଦ୍ୟ କ୍ଷୀର ପରି
ନିଜର ସ୍ୱଭାବକୁ କେବେ ହେଁ ନ ଛାଡ଼ଇ ।

ମୂର୍ଖକୁ ଜଳାଇ କରଇ ଅନୁସରଣ
ଭସ୍ମରେ ଆଚ୍ଛନ୍ନ  ଯେପରି ହବ୍ୟବାହନ ।୧୨। 

ନହି ପାପଂ କୃତଂ କର୍ମ୍ମ ସଦ୍ୟଃ କ୍ଷୀରମିବ ମୁଞ୍ଚତି ।
ଦହତ୍ ତତ୍ ବାଳମନ୍ୱେତି ଭସ୍ମଚ୍ଛନ୍ନଃ ଇବ ପାବକଃ ।୧୨।

ନହି ପାପଂ କତଂ କମ୍ମଂ ସଜ୍ଜୁ ଖୀରଂ ବ ମୁଚ୍ଚତି ।
ଡହନ୍ତ‌ଂ ବାଳମନ୍ୱେତି ଭସ୍ମଚ୍ଛନ୍ନୋ ବ ପାବକୋ ।୧୨।

Sunday, December 17, 2017

ପ୍ରଳୟ ପୟୋଧି ଜଳେ

ଜ୍ୟୋତି ନନ୍ଦ



ବୋଇତ ଯାଉଛି ପ୍ରଳୟ ନେଇ,
ରାଜା ଋଷି ନର ସବାର ଥାଇ ।

ଘରର ଦୁଆର ଅଥଳ ଥଳ
କାଳ ଚହଟିଣ ହୁଏ ବିକଳ ।

ଗତି ଅଛି ନାହିଁ ଦିଗବାରେଣୀ,
ଆଲୁଅ ଖେଳକୁ ଅନ୍ଧାରେ ଗଣି ।

ସଭିଏଁ ଏଇଠି ବୋଇତିଆଳ,
କେତେ ସମ୍ଭାଳିବେ ଆପଣା ଖେଳ ।

ମାଛରୂପ ନେଇ ନିଜ ବୋଇତ,
ବୁଝାଇଣ କହେ ସୃଜନଗୀତ ।

କାର୍ତ୍ତିକ ଶେଷର କଥାଟି ଏହି,
ଅଶୁଦ୍ଧ ଶୁଦ୍ଧକୁ ଘେନିବେ ନାହିଁ ।

ସେଇଠି ସମାପ୍ତ ପ୍ରଳୟ ଜଳ,
ଏକ କାଳ ହେବ ସହସ୍ର କାଳ ।

ଅଥଳରୁ ଜାତ ସେ ରୂପବତୀ,
ସବୁ ବୋଇତର ଏକଇ ଗତି ।

ଚିତ୍ରଟି ବିଷୟରେ ମୋତେ ବିଶେଷ କିଛି ଜଣାନାହିଁ । ଗୋଟିଏ ବୋଇତ ଆଉ ମାଛ ଆଉ କିଛି ଯାତ୍ରୀଙ୍କୁ ଏକାଠି ଦେଖି ଏଇଠି ପ୍ରଳୟର କଥା ଉଠୁଛି ।

ପୁରାଣରେ ଚାରି ପ୍ରକାର ପ୍ରଳୟର ବର୍ଣ୍ଣନା ଅଛି ଯଥା, ନିତ୍ୟ, ନୈମିତ୍ତିକ, ପ୍ରାକୃତ ଓ ଆତ୍ୟନ୍ତିକ । ଆତ୍ୟନ୍ତିକ ପ୍ରଳୟଟି ସବୁଠୁ ଜଟିଳ । ଜ୍ଞାନ ଲାଭ ପାଇଁ ଯୋଗୀ ମାନଙ୍କର ପରମାତ୍ମାଙ୍କ ସହ ବିଲୀନ ହେବାକୁ ଆତ୍ୟନ୍ତିକ ପ୍ରଳୟ ବୋଲି କୁହାଯାଏ । ଜୀବ ଓ ବସ୍ତୁର ପ୍ରାତ୍ୟହିକ ବିନାଶକୁ ନିତ୍ୟ ପ୍ରଳୟ ବୋଲି କୁହାଯାଏ । ଏହାଛଡା ସୁସୁପ୍ତି ବା ନିଦ୍ରାକୁ ବି ଏହି ନିତ୍ୟ ପ୍ରଳୟ ଭାବରେ ଉଲ୍ଲେଖ କରାଯାଇଛି ।

ନୈମିତ୍ତିକ ପ୍ରଳୟକୁ ବ୍ରହ୍ମ ପ୍ରଳୟ ବୋଲି ବି କୁହାଯାଏ । ଗୋଟିଏ କଳ୍ପର ଶେଷରେ ବ୍ରହ୍ମାଙ୍କ ଭଳି ଏକ ସମୟକାର ଯାହାର ପୂର୍ଣ୍ଣରୂପଟି ହେଉଛି ସହସ୍ର ଚତୁର୍ଯୁଗ ଆଉ ତାହା ମଧ୍ୟରୁ ଏକ ଦିବାଭାଗର ଅବସାନ ହେଲେ ତ୍ରିଲୋକର ବିନାଶ ହୁଏ । ଏହି ବିନାଶକାରୀ ଘଟଣାକୁ ନୈମିତ୍ତିକ ପ୍ରଳୟ ବା ଖଣ୍ଡ ପ୍ରଳୟ ବୋଲି କୁହାଯାଇଥାଏ । ଏହି ପ୍ରଳୟ ସମୟରେ ପ୍ରଜାପତି ବା ବ୍ରହ୍ମା ସମଗ୍ର ତ୍ରିଲୋକକୁ ତାଙ୍କର ଆଖି ଭିତରେ ରଖିଥାନ୍ତି । ଆପଣମାନେ ଜାଣନ୍ତି ଆଖିଠୁ ବଳି ସୁରକ୍ଷିତ ବନ୍ଦୀଶାଳା ଆଉ କେଉଁଠି ନାହିଁ । ଆଖିରେ ଯିଏ କଏଦୀ ରହିଗଲା ମାନେ ଆଉ ତାହାର କେବେହେଲେ ମୁକୁଳିବାର ବାଟ ନାହିଁ । ଠିକ୍ ସେହିପରି ବିଧାତାର ଆଖିରେ ତ୍ରିଲୋକଟି ସୁରକ୍ଷିତ ହୋଇ ରହିବା ବେଳେ ଯାବତୀୟ ପ୍ରଳୟ ଖେଳରେ ସେଇଠି ମାତି ରହୁଛି । ଆଖି ଭିତରେ ସବୁ ସ୍ଥିର ଆଉ ନିୟମିତ, ଭଙ୍ଗାରୁଜା ବି ଚାଲିଥାଏ ଏକାବେଳେ ।

ନୈମିତ୍ତିକ ପ୍ରଳୟର ଆଉ କିଛି ଦୃଶ୍ୟ ଦେଖିବା, ଯାହା ଆମକୁ ଆମର ଋଷି ମହର୍ଷି ମାନେ ଦେଖାଇଯାଇଛନ୍ତି । ଏଇ ସମୟରେ ଆମର ପାଳନକର୍ତ୍ତା ବିଷ୍ଣୁ, ସୂର୍ଯ୍ୟଙ୍କର ଯେଉଁ ସାତୋଟି ରଶ୍ମି ଅଛି, ତାହା ଭିତରେ ମିଳାଇ ଯାଆନ୍ତି । ଏହା ଯେମିତି ଭଡାଘର ଛାଡୁ ନଥିବା କେଉଁ ଲୋକକୁ ଆଲୁଅ ପାଣି ଆଦି ବିଚ୍ଛିନ୍ନ କଲା ଭଳି କଥା । ବିଷ୍ଣୁ ମିଶିଗଲା ପରେ ସୂର୍ଯ୍ୟଙ୍କ ରଶ୍ମି ଆହୁରି ବଳିଆନ ହୋଇ ଉଠେ ।

ଯେତେବେଳେ ପାଳନକର୍ତ୍ତାଟିଏ ସଂହାରମୁଖା ହୋଇପଡେ, ସେତେବେଳର ଭୟାବହତାକୁ ଆମେ ଆମ ଇତିହାସରୁ ସଠିକ ରୂପେ ହୁଏତ କଳନା କରି ନେଇ ପାରିବା । ବିଷ୍ଣୁଯୁକ୍ତ ସେଇ ସୂର୍ଯ୍ୟ ରଶ୍ମି ତ୍ରିଭୂବନର ସବୁ ଜଳକୁ ପାନ କରିଦିଅନ୍ତି । ପାତାଳ ବି ଜଳଶୂନ୍ୟ ହୋଇଉଠେ । ତାହାପରେ ବିଷ୍ଣୁ ସାତଟି ରଶ୍ମିକୁ ସାତଟି ସୂର୍ଯ୍ୟ କରିଦେବେ ଆଉ ସେଇ ସାତଟି ଯାକ ସୂର୍ଯ୍ୟ ତ୍ରିଭୂବନକୁ ପୋଡି ଛାରଖାର କରିଦେବେ ।

ଭୂଃ, ଭୂବଃ ଆଉ ସ୍ୱଃ ଏଇ ତିନୋଟି ଯାକ ଲୋକ ଧ୍ୱଂସ ପାଇଯିବ । ସ୍ୱଃ ଲୋକର ଅଧିବାସୀମାନେ ବିସ୍ଥାପିତ ହେବେ ମହଃ ବୋଲି ଏକ ଲୋକକୁ, କିନ୍ତୁ ମହଃ ବୋଲି ଲୋକଟି ଉତ୍ତପ୍ତ ହୋଇଯିବାରୁ ସେମାନେ ଯାଇ ଜନ ବୋଲି ଏକ ଲୋକରେ ଆଶ୍ରା ନେବେ । ବ୍ରହ୍ମା ସେତେବେଳକୁ ଯୋଗ ନିଦ୍ରାରେ ।

ତାହା ପରେ ପାଳନକର୍ତ୍ତା ଫେରିବେ ତାଙ୍କର ପୂର୍ବ ଆସ୍ଥାନକୁ । ସୂର୍ଯ୍ୟଙ୍କ ଠାରୁ ଅଲଗା ହୋଇଗଲା ପରେ ବିଷ୍ଣୁଙ୍କ ମୁଖ ବଜ୍ର ବିଦ୍ୟୁତ ଇରମ୍ମଦମୟ । ଶହେ ବର୍ଷର ଅବିରାମ ବର୍ଷାରେ ସମସ୍ତ ଅଗ୍ନି ନିର୍ବାପିତ ହେବ ।

ସେହି ପ୍ରଳୟ ପୟୋଧି ଜଳରେ ଉପସ୍ଥିତ ହେବ ଶେଷ ନାଗ ଆଉ ତାହା ଉପରେ ଶାୟିତ ଯୋଗନିଦ୍ରାରେ ବିଷ୍ଣୁ । ତାହା ପରେ ତାଙ୍କର ପଦ ତଳେ ଲକ୍ଷ୍ମୀ ଆଉ ନାଭିପଦ୍ମରେ ବ୍ରହ୍ମା । ଯେତେ ପ୍ରଳୟ ହେଲେବି ଏଇ ଚାରି ଜଣ ଅବିନାଶୀ, ଅନନ୍ତ, ବିଷ୍ଣୁ, ଲକ୍ଷ୍ମୀ ଓ ବ୍ରହ୍ମା । ଏଇ ଚାରିଜଣଙ୍କର ଉପସ୍ଥିତିର ତତ୍ତ୍ୱାବଧାନରେ ନିର୍ମାଣ ହୋଇଥାଏ ଯେ କୌଣସି ପ୍ରଳୟ ପରବର୍ତ୍ତୀ ସୃଜନ ।

ଏଇ ଚାରୋଟି ପ୍ରଳୟରୁ ଆଉ ରହିଲା ଗୋଟିଏ ପ୍ରଳୟ ଯାହାକୁ ପ୍ରାକୃତ ପ୍ରଳୟ ବୋଲି କୁହାଯାଏ । ଏହା ଆତ୍ୟନ୍ତିକ ପ୍ରଳୟ ପରି ଅନେକ ପରିମାଣରେ ତାତ୍ତ୍ୱିକ ପ୍ରଳୟ । ଅବଶ୍ୟ କେଉଁ ପ୍ରଳୟଟି ତାତ୍ତ୍ଵିକ ପ୍ରଳୟ ନୁହଁ ? ଯେ କୌଣସି ବିନାଶକୁ ଦେଖିବା ଆଉ ବୁଝି ପାରିବା ଭଳି ତଲ୍ଲିନତା ସବୁବେଳେ ଆମର ତାତ୍ତ୍ୱିକ ପକ୍ଷଟିକୁ ଉଜାଗର କରିଥାଏ । ସେ ଯାହାହେଉ ସମଗ୍ର ସୃଷ୍ଟି ଯେତେବେଳେ ପ୍ରକୃତିରେ ଲୀନ ହୋଇଯାଏ, ସେହି ବିନାଶକୁ ପ୍ରାକୃତ ପ୍ରଳୟ ବୋଲି ବୁଝାଯାଏ । କାଳ ଅଗ୍ନିରୂପ ହୋଇ ଏଇ ପ୍ରଳୟଟି ଘଟାଇ ଥାଏ ।

ଆଜି ପ୍ରଳୟମୁଖ କାହିଁକି ? ପ୍ରଳୟ କହିଲେ ତ ବିନାଶ, ତେବେ ବିନାଶମୁଖ କାହିଁକି ଆଜି ?

ବିନାଶ ସହିତ ଗୋଟିଏ ହିଂସ୍ରତା ଜଡିତ ରହିଥାଏ ସବୁବେଳେ । ଏଇ ମାନବିକ ହିଂସ୍ରତା, ଦୃଶ୍ୟ ହେଉ କି ମନ ଗମ୍ଭୀରାରେ ରହି ନିଜର ପାଉଁଜି ଛମଛମ କରୁଥାଉ ବେଳ ଅବେଳରେ, ତାହା ବିଷୟରେ ଗୋଟିଏ ସୁନ୍ଦର ବ୍ୟବଚ୍ଛେଦ କରିଛନ୍ତି ବିଶିଷ୍ଟ ମନୋବିଜ୍ଞାନୀ ଏରିଖ୍ ଫ୍ରମ୍ ତାଙ୍କର ପ୍ରସିଦ୍ଧ ବହି "ଦି ଆନାଟୋମି ଅଫ୍ ହ୍ୟୁମାନ ଡେଷ୍ଟ୍ରକ୍ଟିଭନେସ୍"ରେ । ସେ ବିଷୟରେ ବିସ୍ତାରରେ ଆଉ କେବେ । ଏଇଠି ଏରିଖ୍ ଫ୍ରମ୍ ଙ୍କର ଗୋଟିଏ କଥା କହିବି । ମାନବିକ ହିଂସ୍ରତାର ଗୋଟିଏ ଅନ୍ୟତମ ପ୍ରମୁଖ କାରଣ ହିସାବରେ ସେ ବିବେଚନା କରିଛନ୍ତି ଯେ ସାର୍ବଜନୀନ ଜୀବନରେ ଜଣେ ଯେତେବେଳେ ନିଜର ଅଭିଳଷିତ ବ୍ୟକ୍ତିଗତ ସ୍ଥାନଟିକୁ ନିଜର କରି ରଖିବାରେ ଅସମର୍ଥ ବା ଅସଫଳ ହୁଏ ସେତେବେଳ ସେ ହିଂସ୍ର ।

ଆମେ ହୁଏତ ଆମମାନଙ୍କର ପ୍ରାଇଭେଟ୍ ସ୍ପେସ୍ ଟି ପାଇବାରେ ଅସମର୍ଥ,ତେଣୁ ହିଂସ୍ର। ଆମର ଯାବତୀୟ ହିଂସ୍ରତାର ପ୍ରଳୟ-ପୟୋଧି-ଜଳଜାତୀୟ ବିନାଶରୁ ଆମକୁ ଉଦ୍ଧାର କରିବା ପାଇଁ ସବୁବେଳେ ସେ ପ୍ରସ୍ତୁତ ରହିଛି, ପ୍ରକାରରେ ହେଉ କି ପ୍ରତୀକରେ ହେଉ । ଆସନ୍ତୁ ଖାଲି ଆଜି ନୁହଁ, ତାହାକୁ ବନ୍ଦାଣ କରିବା ସବୁବେଳେ ।

ମୁଁ ଆମର ମୟୁରକଣ୍ଠୀ ବୋଇତମାନଙ୍କର କଥା କହୁଛି ।

Friday, December 15, 2017

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 

ଦ୍ୱିତୀୟ ଅଧ୍ୟାୟ 

ତୃତୀୟା ବଲ୍ଲୀ : ମନ୍ତ୍ର ୧୬


କାର୍ଲ୍ ୟୁଙ୍ଗ୍‌ଙ୍କର ଜଣେ ଚିକିତ୍ସୁ ଆଙ୍କିଥିବା ମଣ୍ଡଳର ଚିତ୍ର (୧୯୨୯ ପୂର୍ବରୁ ଅଙ୍କିତ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରସରିଛି ହୃଦୁଁ ନାଡ଼ୀ ଏକୋତ୍ତର ଶତ
ତା ମଧ୍ୟେ ସୁଷୁମ୍ନା ଉର୍ଦ୍ଧେ ବ୍ରହ୍ମରନ୍ଧ୍ର ଗତ ।

ଜ୍ଞାନବଳେ ଜୀବନ୍ମୁକ୍ତ ନହୁଏ ଯେ ନର
ଉପାସନା ଅନୁସାରେ ପାଏ ଲୋକାନ୍ତର ।

ମରଣେ ଯେ ଉର୍ଦ୍ଧ୍ୱେ ଯାଏ ସୁଷୁମ୍ନା ଆଶ୍ରୟେ
ବ୍ରହ୍ମଲୋକେ ଅମୃତତ୍ୱ ଭୋଗେ ସେ ନିର୍ଭୟେ ।

ଭିନ୍ନ ଭିନ୍ନ ଲୋକେ ଯାଏ ଅନ୍ୟ ନାଡ଼ୀ ଯୋଗେ
ନିଜ କର୍ମ ଅନୁରୂପେ ସୁଖ ଦୁଃଖ ଭୋଗେ । (ନ.ଉ. ୨।୩।୪୦)