Wednesday, December 13, 2017

ଶତୃଘ୍ନଙ୍କ ପାଠପଢ଼ା

ମହାନଈର କୂଳ


ଶତୃଘ୍ନ ବାବୁ ଜନମ ହୁଅନ୍ତି ବିରୂପା ନଈ କୂଳର ଗୋଟେ ଗାଁରେ । ଗାଁଟିର ନାମ କୋଠପଦା, ଥାନା ମାହାଙ୍ଗା । ସେ ସମୟରେ ଗାଁଟି କୋଠପଦା ମଠ ଓ ତହିଁର ଦିଅଁ ରଘୁନାଥ ଜୀଉ ଠାକୁରଙ୍କ ପାଇଁ ପ୍ରସିଦ୍ଧ ଥାଏ । ବାପାଙ୍କ ନାଁ ସୁଦର୍ଶନ ପାଣି । ମାତାଙ୍କର ନାମ ଚାନ୍ଦଦେବୀ । ଇଂରାଜୀ ହିସାବରେ ଜନମ ବରଷ ହେଲା ୧୮୮୨ ମସିହା; ଜନ୍ମ ତିଥି ହେଲା କୁମାର ପୂନେଇ ରାତି, ଗୁରୁବାରେ । ଶତୃଘ୍ନ ପାଣିଙ୍କର ଖଡ଼ି ଛୁଆଁ ଆରମ୍ଭ ହୁଏ ନିଜ ପିଉସି ଘର ଶୁକ୍ଳେଶ୍ୱର ନୂଆଗାଁ ଠାରେ । ଆଦ୍ୟଗୁରୁ ଥିଲେ କଳ୍ପତରୁ ବେଦୀନାମକ ଜଣେ ଶିକ୍ଷକ । ଖଡ଼ିଛୁଆଁର ଅନେକ ବର୍ଷ ପରେ, ଏଗାର ବର୍ଷ ବୟସରେ, ପାଣିପୁଅଙ୍କର ବ୍ରତଘର ହୁଏ ନିଜ ଗାଁରେ । ପେଟ ପୋଷିବା ପାଇଁ ଗୋରୁ ଚରାଇବା ପରି ଅନେକ ପାଇଟି କରିବାକୁ ପଡ଼େ ଶତୃଘ୍ନଙ୍କୁ । କାନ୍ଧରେ ପଇତା ପଡ଼ିବା ପରେ ପାଣିଏ ଠିକଣା ହୁଅନ୍ତି କୋଠପଦା ମଠର ରଘୁନାଥ ଜୀଉଙ୍କ ଫୁଲ ତୋଳା ଓ ଗୁନ୍ଥା କାମରେ । ନିଯୁକ୍ତି ଦିଅନ୍ତି ସେ ସମୟର ମହନ୍ତ ରଘୁନାଥପୁରୀ ଗୋସ୍ୱାମୀ । ନିହାତି ଦରିଦ୍ର ବାମୁଣ ପରିବାରର ହୋଇଥିବାରୁ ଅନେକ ସମୟରେ ମଠର ପରସାଦ ଖାଇ ଉଦରାଗ୍ନିକୁ ଶାନ୍ତ କରିବାକୁ ପଡ଼ୁଥିଲା ।

ଏତିକି ବେଳକୁ କୋଠପଦା ମାଇନର ଇସ୍କୁଲୁର ରୋଷେଇଆ ପରଲୋକଗମନ କଲେ । ବିଦ୍ୟାଳୟଟିର ସ୍ଥାପନା ମଧ୍ୟ ରଘୁନାଥସ୍ୱାମୀ ଗୋସେଇଁ ହିଁ କରିଥିଲେ । ସେତେବେଳେ ସେଥିରେ ଛାତ୍ର ସଙ୍ଖ୍ୟା ସତାଇଶ । ଅଗତ୍ୟା ଶତୃଘ୍ନ ବାବୁ ଏଇ ବିଦ୍ୟାର୍ଥୀମାନଙ୍କୁ ରୋଷେଇକରି ଖାଇବାକୁ ଦେବା କର୍ମରେ ନିଯୁକ୍ତ ହୁଅନ୍ତି । ମାସିକ ଦରମା ୧୬୦ ପୁରୁଣା ପଇସା । ସେତେବେଳେ ଇସ୍କୁଲୁରେ ଥାଆନ୍ତି ଦୁଇ ଜଣ ମାଷ୍ଟର । ହେଡ଼ମାଷ୍ଟର ହେଲେ ଗୋପୀନାଥପୁର ଗାଁର ଭୋଳି ମିଶିରେ । ସହକାରୀ ଶିକ୍ଷକ ଭାବରେ ଥାଆନ୍ତି ବାଙ୍କିର ହୁରୁଷି ପଣ୍ଡା । କିଛି ଦିନ କାମ କଲା ପରେ ପାଚକ କର୍ମରେ ଏହି ଦୁଇ ଜଣ ଶିକ୍ଷକ ଖୁସି ହେଲାଠୁଁ, ପାଣିପୁଅ ଏକା ସାଙ୍ଗରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାନ୍ତି । ଏହା ସହିତ ମାଷ୍ଟରମାନେ ବହି, କାଗଜ, ପେନସିଲ ଇତ୍ୟାଦି ପାଠ ସାମଗ୍ରୀ ମଧ୍ୟ ଯୋଗାଇ ଦିଅନ୍ତି । ହେଲେ ରାତିରେ ପଢ଼ିବା ପାଇଁ ଆଲୁଅ ଅଭାବରୁ ବୋତଲ ଭିତରେ ଜୁଳୁଜୁଳା ପାଳି ବେବସ୍ତା କରିବାକୁ ପଡ଼େ ।

ଛାତ୍ର ଜୀବନରେ ପ୍ରଥମ ପାଦ ଭାବରେ ଚତୁର୍ଥରୁ ପଞ୍ଚମକୁ ଖୁବ ଆରାମରେ ଶତୃଘ୍ନ ଉତ୍ତୀର୍ଣ୍ଣ ହୁଅନ୍ତି । ସେତେବେଳେ ପଞ୍ଚମ ଶ୍ରେଣୀରେ ଦଶକ ପଣିକିଆ ଖନ୍ଦା ଘୋଷିବାକୁ ପଡ଼େ । ତାହା ସହିତ ଖନ୍ଦାଶାଳର ବୋଝ । ହେଲେ ପାଠପଢ଼ା ଓ ରୋଷେଇ ଛଡ଼ା ଅନ୍ୟ ନାନାଦି ଅଣପାଠ୍ୟ କାର୍ଯ୍ୟକଳାପରେ ମଧ୍ୟ ପାଣି ନିଜର କୃତିତ୍ୱ ପ୍ରତିପାଦିତ କରନ୍ତି । ଅବଶ୍ୟ ଏଥି ମଧ୍ୟରୁ ଅନେକ କିଛି ନିଜର ମୌଳିକ କର୍ତ୍ତବ୍ୟ ସହିତ ସମ୍ପର୍କିତ । ଯଥା, ତରକାରୀ ରାନ୍ଧିବା ପାଇଁ ପନିପରିବା ଅଭାବ ପଡ଼ିଲେ ପାଖର ଗାବିନ୍ଦ ଗୁଇଁ ଓ ଦୋଳିଦତ୍ତଙ୍କ ବାଡ଼ିରୁ ବନ୍ତଳ କଦଳୀ ଚୋରି କରିବା, ପାଖ ଗୋଦାମରୁ ଗୁଡ଼ ଚୋରାଇ ନେବା, ପାଖ ବଗିଚାରୁ କାଗଜି ଚୋରି କରିବା ଇତ୍ୟାଦି । ବାମୁଣ ଗୋସାଇଁଙ୍କର ଚୋରି କଅଣ ଆଉ ଚୋରୀ ! ଥରେ ଅବଶ୍ୟ ଶତୃଘ୍ନ ବାବୁ ଚୋରି କରୁକରୁ ଧରାପଡ଼ିବାରୁ ଅଳ୍ପକେ ବଞ୍ଚନ୍ତି । ଏପରି ସଚ୍ଚରିତ୍ରତା ତାଙ୍କୁ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗୁଣଆଡ଼କୁ ଅଧିକ ସତର୍କ କରାଏ ଆଉ ଏସବୁ ଦୁଷ୍କୃତି (ଯଥା ଲଳିତଗିରିର ଜଣେ ଛାତ୍ର ଓ ଜନୈକ ସେକେଣ୍ଡ ମାଷ୍ଚରଙ୍କ ମଧ୍ୟରେ ସ୍ୱେଚ୍ଛାରେ ଚାଲିଥିବା ‘ଅନ୍‌ନେଚୁରାଲ ଅଫେନ୍‌ସି’) ରୁ କର୍ତ୍ତାମାନଙ୍କୁ ନିବୃତ କରିବାକୁ ଯାଇ ସେ ଗୁଣ୍ଡାଗିରି ମଧ୍ୟ କରିବସନ୍ତି ।

ଯେହେତୁ ପାଲାଗାୟକ ହେବାର ଇଚ୍ଛାଥାଏ, ଛାତ୍ର ଜଣଙ୍କ ଅମରକୋଷ ଓ ସର୍ବସାର ବ୍ୟାକରଣ ଆଦି ବଡ଼ି ଭୋରରୁ ଉଠି ଡ଼ିବି ଜାଳି ଘୋଷୁଥାଆନ୍ତି । ଏସବୁ ସରିଲେ ଯାଇ ଇସ୍କୁଲୁ ପାଠପଢ଼ା ଓ ରାନ୍ଧଣା ଆଦି କାମ ଆରମ୍ଭ ହୁଏ । ହେଲେ ଏପରି ଉଦ୍‌ଯୋଗୀ ଛାତ୍ରଙ୍କୁ କାଳ ହେଲା ଗଣିତ । ଶତୃଘ୍ନ ପାଣିଙ୍କର ଗଣିତ ପାଠ ଆଦୌ ହେଉ ନ ଥିବାରୁ, ଚତୁର୍ଥ ଓ ପଞ୍ଚମ, ଦୁଇଟି ଶ୍ରେଣୀ ପାଠ ସାରି, ଷଷ୍ଠ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ବସ୍ତାନିରେ ସେ ଡ଼ୋରି ବାନ୍ଧିଲେ । ହେଲେ ଗରିବ ବାପାଙ୍କର ସେଥି ନେଇ ବିଶେଷ ଚିନ୍ତା ନଥିଲା ବୋଧେ । ପିଲାବେଳେ ପାଣିପୁଅ ଗୋଟିଏ ସାଙ୍ଘାତିକ ରୋଗରେ ପଡ଼ିଥିବାବେଳେ ସୁଦର୍ଶନ ବାବୁ ପୁତ୍ରକୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ବଡ଼ କଷ୍ଟରେ ମୃତ୍ୟୁର ସୁଅରୁ ଛାଣି ଆଣିଥିବା ପିଲାଟି ବଞ୍ଚି ରହିବା ତାଙ୍କ ପାଇଁ ବଡ଼ କଥା ଥିଲା । ବଇଷ୍ଟଁବ କରିଦେଇଥିବା ପିଲାଟିକୁ ବାପା ବଡ଼ ସରଧାରେ ଶତୃଘ୍ନ ନ ଡ଼ାକି, ବୋଲୁଥିଲେ, ବଇଷ୍ଟଁବ । ପିଲାଟି ବଡ଼ ହୋଇ ହେଲା, ବଇଷ୍ଟଁବ ପାଣି - ବୈଷ୍ଣବ ପାଣି ।

ବି.ଦ୍ର. - ଏହି ଲେଖାରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା । ଉପରେ ପ୍ରଦତ୍ତ ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପାଯାଇଥିଲା ।

Monday, December 11, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୬

ନୁବାଦକ - ଫକୀର ମୋହନ ସେନାପତି


ନେପାଳି ପ୍ରାର୍ଥନାଚକ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କର୍ମ ଯୋଗ ବିନା ପାର୍ଥ କେବଳ ସନ୍ୟାସ । ଦୁଃଖର କାରଣ ବୋଲି ଜାଣିବ ଅବଶ୍ୟ ।।
ସନ୍ୟାସୀ ହୁଅଇ ଯେବେ କର୍ମ ଅନୁଷ୍ଠାୟୀ । ଅବିଳମ୍ବେ ମୁକ୍ତି ପଦ ଲାଭ କରେ ସେହି ।୬।

ସନ୍ୟାସସ୍ତୁ ମହାବାହୋ ଦୁଃଖମାପ୍ତୁ ମୟୋଗତଃ ।
ୟୋଗୟୁକ୍ତୋମୁନିର୍ବହ୍ମ ନ ଚିରେଣାଧିଗଚ୍ଛତି ।୬।

Saturday, December 09, 2017

କାର୍ଲ ଗୁସ୍ତାଭ୍ ଇୟୁଙ୍ଗ୍ : କବିଟିଏ ଯେତେବେଳେ ସୃଜନର ଶିଳ୍ପୀ

ଅନୁବାଦ ଓ ଟୀକା - ଜ୍ୟୋତି ନନ୍ଦ


କାର୍ଲ ୟୁସ୍ତାଭ ଇୟୁଙ୍ଗ୍ (୧୮୭୫-୧୯୬୧)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମଣିଷର ଇଚ୍ଛାର ସ୍ୱାଧୀନତା ଯେମିତି ରହସ୍ୟପୂର୍ଣ୍ଣ ବିଷୟଟିଏ,ସେମିତି ବି ରହସ୍ୟପୂର୍ଣ୍ଣ ତାହାର ସୃଷ୍ଟିଶୀଳତା ର କଥା।ମନୋବିଜ୍ଞାନୀ ମାନେ ଏଇ ବିଷୟ ଦୁଇଟିକୁ ବିଚ୍ଛିନ୍ନଭାବେ ବ୍ୟାଖ୍ୟା କରିଲେ ବି ତାହା ଭିତରୁ ବାହାରିଥିବା କିଛି ଦର୍ଶନଗତ ସମସ୍ୟାର କୌଣସି ସମାଧାନ ପାଇ ନାହାଁନ୍ତି। ସୃଷ୍ଟିଶୀଳ ମଣିଷର ପ୍ରକୃତି ଏମିତି ଏକ ପହେଳି ଯେ,ନାନା ଉପାୟରେ ତାହାକୁ ସମାଧାନ କରିବାକୂ ଚେଷ୍ଟା କରାଗଲେ ବି,ଶେଷ ପର୍ଯ୍ୟନ୍ତ ଏହାର ଉତ୍ତର ଟିଏ ମିଳିବା ପ୍ରାୟ ଅସଂଭବ।ଆଧୁନିକ ମନୋବିଜ୍ଞାନ ଏହି ବିଷୟ ଟିକୁ ଉପଲବ୍ଧି କରିବା ପରେ ବାରଂବାର ଚେଷ୍ଠାକରିଛି ଶିଳ୍ପ ଓ ଶିଳ୍ପୀର ଅନୁଧାବନ କରିବାକୁ।

ଫ୍ରୟେଡ୍ ଗୋଟିଏ ବାଟ ଦେଖାଇଥିଲେ। ତାଙ୍କ ମତରେ,ଶିଳ୍ପୀର ବ୍ୟକ୍ତିଗତ ଅଭିଜ୍ଞତା ରୁ ଶିଳ୍ପର ଉଦ୍ଭବ ହୁଏ।ଏହି ଧାରଣାଟି ସତ ହେବାର କିଛି ସଂଭାବନା ଅବଶ୍ୟ ରହିଛି,କାରଣ ଗୋଟିଏ କଥା ଅନେକ ପରିମାଣରେ ପରିଷ୍କାର ଭାବରେ ଦେଖାଯାଏ ,ତାହା ହେଉଛି,ଯେ କୌଣସି ଶିଳ୍ପସୃଷ୍ଟିର ଇଚ୍ଛା କୁ,ପାଗଳାମି ସହିତ ଯାହାର ପାର୍ଥକ୍ଯ ସାମାନ୍ୟ,ମାନସିକ ଅବସ୍ଥା ବିକାଶର କିଛି ସମସ୍ୟାଯୁକ୍ତ ଜଟିଳ ପର୍ଯ୍ୟାୟ ର ସହ ସଂପର୍କ ଯୁକ୍ତ ବୋଲି ଧରି ନିଆଯାଏ।ପାଗଳାମିର କାରଣ ଗୁଡିକ ଯେ ମଣିଷର ଆଗର ମାନସିକ ଅବସ୍ଥା ମଧ୍ୟରେ ନିହିତ ରହିଥାଏ,ଅର୍ଥାତ୍ ପାଗଳାମିର ସୃଷ୍ଟି ବିଭିନ୍ନ ଆବେଗ ବା ପିଲାଦିନର କିଛି ବାସ୍ତବ ବା କାଳ୍ପନିକ ଅଭିଜ୍ଞତା ରୁ ହୋଇ ଥାଏ,ଏଇ ସତଟି ଫ୍ରୟେଡ୍ ଙ୍କ ଗୋଟିଏ ବଡ ଆବିଷ୍କାର। 

ପରବର୍ତ୍ତୀ କାଳରେ ଆଉ କିଛି ମନୋବିଜ୍ଞାନୀ ଏଇ ବିଷୟରେ ଗବେଷଣା କରିଛନ୍ତି ଓ ଅନୁରୂପ ଫଳ ପାଇଛନ୍ତି। ଜଣେ କବି ବା ଶିଳ୍ପୀର ମାନସିକ ଗଢଣ ତାହାର ତିଆରି ଶିଳ୍ପର ଭିତରେ ପ୍ରତିଫଳିତ ହୋଇ ଥାଏ ବୋଲି କଥାଟିକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।ପୁଣି ବ୍ୟକ୍ତିଗତ ଅଭିଜ୍ଞତା ଶିଳ୍ପୀକୁ ଶିଳ୍ପର ବିଷୟବସ୍ତୁ ନିର୍ଦ୍ଧାରଣ ରେ ପ୍ରଭାବିତ କରେ,ଏଇ ଧାରଣାଟି କିଛି ନୂଆ ନୁହଁ।ତାହାପରେ ଫ୍ରୟେଡ୍ ଓ ତାଙ୍କର ଅନୁଗାମୀ ମାନଙ୍କର ଅବଦାନକୁ ଅସ୍ୱୀକାର କରାଯାଇ ପାରିବ ନାହିଁ,କାରଣ ସେମାନେ ଦେଖାଇଛନ୍ତି ଏଇ ପ୍ରଭାବ ଟି କେତେ ସୁଦୂରପ୍ରସାରୀ ହୋଇପାରେ ଆଉ କେତେ ଆଶ୍ଚର୍ଯ୍ୟଜନକ ଭାବରେ ସେଗୁଡିକର ଅଭିବ୍ୟକ୍ତି ଘଟିପାରେ।

ଫ୍ରୟେଡ୍ ଙ୍କ ମତରେ ପାଗଳାମି ହେଉଛି ଅବଦମିତ ବାସନା ପୂରଣର ଏକ ବିକଳ୍ପ ପନ୍ଥା।ତେଣୁ ସେ ବିଷୟଟିକୁ ବିବେଚନା କରିଛନ୍ତି ଏକ ପ୍ରକାରର ଅଯୋଗ୍ୟତା ହିସାବରେ,ଗୋଟିଏ ଭୁଲ୍,ପ୍ରତାରଣା ବା ସ୍ୱତଃ ପ୍ରବୃତ୍ତ ବିବେଚନାହୀନତା ହିସାବରେ।ତାଙ୍କ ପାଇଁ ପାଗଳାମି ହେଉଛି କୌଣସି ନା କୌଣସି ଅସଂପୂର୍ଣ୍ଣତା ର ଫଳ,ଯାହା ସ୍ୱାଭାବିକ ଭାବରେ ହେବାର କଥା ନଥିଲା।ତେବେ ଗୋଟିଏ ଶିଳ୍ପକର୍ମକୁ ଯଦି ଶିଳ୍ପୀର ଅବଦମିତ ଆକାଂକ୍ଷାର ଆଲୁଅରେ ବ୍ୟାଖ୍ୟାକରି ଏହାକୁ ଗୋଟିଏ ପାଗଳାମି ବୋଲି ଧରି ନିଆଯାଏ ତାହାହେଲେ ସେଇଠି ପ୍ରଶ୍ନ ଉଠିବ। ଫ୍ରୟେଡୀୟ ମନୋବିଜ୍ଞାନ ଏଇ ଭଳି ଭାବରେ ବ୍ୟାଖ୍ୟା କରିବାକୁ ଚାହିଁଚି ଦର୍ଶନ ଆଉ ଧର୍ମକୁ।ଯଦି କୁହାହୁଏ ଯେ ଉଲ୍ଲେଖ କରାଯାଇଥିବା ତତ୍ତ୍ୱଟି ଜଣେ ଶିଳ୍ପୀର ବ୍ୟକ୍ତିଗତ ଜୀବନର ସେଇ ସବୁ ନିର୍ଧାରକକୁ ବ୍ୟାଖ୍ୟା କରେ ଯାହାକୁ ବାଦଦେଲେ କୌଣସି ଶିଳ୍ପକର୍ମ ସମ୍ଭବ ନୁହଁ ,ତାହାହେଲେ କିଛି ଆପତ୍ତି ରହେ ନାହିଁ।କିନ୍ତୁ ଯଦି କୁହାହୁଏ ଯେ ତତ୍ତ୍ୱଟି ସ୍ୱୟଂ ଶିଳ୍ପକର୍ମକୁ ବ୍ୟାଖ୍ୟା କରି ପାରେ,ତେବେ ଅବଶ୍ୟ ତାହା ଗ୍ରହଣଯୋଗ୍ୟ ହେବନାହିଁ।

ଜଣେ ଶିଳ୍ପୀର ବା କବିର ଯେଉଁ ସ୍ୱଭାବ ବୈଶିଷ୍ଟ୍ୟ ଗୁଡିକ ଶିଳ୍ପକର୍ମ ଭିତରେ ନିହିତ ଥାଏ,ସେ ଗୁଡିକ ଶିଳ୍ପର ମୂଖ୍ୟବିଷୟ ନୁହୈ,ଯେତେ ଆମେ ସେଇସବୁ ବିଷୟଗୁଡିକ ପ୍ରତି ଦୃଷ୍ଟି ଦେବା ଆମେ ସେତିକି ସେତିକି ଶିଳ୍ପକର୍ମ ର ମୂଳକଥାଠୁ ଦୂରେଇ ଯାଉଥିବା।ଶିଳ୍ପକର୍ମ ବା କାବ୍ୟ ବ୍ୟକ୍ତିଗତ ଜୀବନର ଗଣ୍ଡିରୁ ଉର୍ଦ୍ଧ୍ୱକୁ ଉଠି,ମଣିଷ ହିସାବରେ ଶିଳ୍ପୀ ବା କବିର ଆତ୍ମା ଓ ହୃଦୟରୁ ଉଦ୍ଭୁତ ବକ୍ତବ୍ୟକୁ ପ୍ରକାଶ କରିଥାଏ,ସମଗ୍ର ମାନବ ଜାତିର ଆତ୍ମା ଆଉ ହୃଦୟ ନିକଟରେ।ଶିଳ୍ପରେ ବ୍ୟକ୍ତିଗତ ବିଷୟବସ୍ତୁ ହେଉଛି ଗୋଟିଏ ପ୍ରକାରର ସୀମାବଦ୍ଧତା,ଯାହାକୁ ଶିଳ୍ପର ନୈତିକତା ବିରୋଧୀ ବୋଲି କୁହାଯାଇ ପାରେ।କୌଣସି ଶିଳ୍ପକର୍ମ ଯଦି ମୂଖ୍ୟତଃ ଏକ ବ୍ୟକ୍ତିଗତ ବିଷୟବସ୍ତୁ ଦ୍ୱାରା ଗଠିତ ହୋଇଥାଏ,ତେବେ ସେଇଟି ପାଗଳାମୀର ଫଳ ବୋଲି ବିବେଚିତ ହେବାର ଯୋଗ୍ୟ।

ସମସ୍ତ ଶିଳ୍ପୀ ନିଜ ଭିତରେ ନିଜେ ଏକାନ୍ତ ଭାବରେ ଅଭିନିବିଷ୍ଟ,ଅର୍ଥାତ୍ ସେମାନେ ହେଉଛନ୍ତି ଶିଶୁସୁଲଭ ଓ ସ୍ୱକାମ ସ୍ୱଭାବର ଅବିକଶିତ ବ୍ୟକ୍ତିତ୍ୱର ମଣିଷ- ଫ୍ରୟେଡ୍ ଅନୁଗାମୀ ମାନଙ୍କର ଏଇ ଭଳି ଏକ ମତାମତର କିଛି ଭିତ୍ତି ରହିଛି।କିନ୍ତୁ ଏଇ ଧାରଣା ଗ୍ରହଣଯୋଗ୍ୟ ହେବ ଯେତେବେଳେ ଆମେ ଜଣେ ଶିଳ୍ପୀକୁ ମଣିଷ ହିସାବରେ ବ୍ୟାଖ୍ୟା କରିବୁ ସେତେବେଳେ,କିନ୍ତୁ ଯେତେବେଳେ ମଣିଷକୁ ଶିଳ୍ପୀ ହିସାବରେ ବ୍ୟାଖ୍ୟା କରିବୁ ସେତେବେଳେ ନୁହଁ।ଶିଳ୍ପୀ ହିସାବରେ ଜଣକୁ ବ୍ୟାଖ୍ୟା କରିବାକୁ ହେଲେ ତାହାକୁ ଯୌନତା ଦୃଷ୍ଟିରୁ ବିଚାର କରାଯାଏ ନାହିଁ।ଶିଳ୍ପୀ ହିସାବରେ ସେ ନୈର୍ବ୍ୟକ୍ତିକ ଅର୍ଥାତ୍ ସକଳ ମାନବିକ ବୈଶିଷ୍ଟ୍ୟର ସୀମାରେଖାର ବାହାରେ। ଶିଳ୍ପ ଶିଳ୍ପୀସତ୍ତାର ପ୍ରତିଫଳନ,ତାହାର ବ୍ୟକ୍ତିଗତ ବୈଶିଷ୍ଟ୍ୟର ନୁହଁ।

ପ୍ରତ୍ୟେକ ସୃଷ୍ଟିଶୀଳ ମଣିଷ ଦ୍ୱୈତ ସ୍ୱଭାବର,ଅର୍ଥାତ୍ ତାହା ଭିତରେ ବିପରୀତମୁଖୀ ପ୍ରବଣତା ଗୁଡିକ କ୍ରୀୟାଶୀଳ।ଗୋଟିଏ ପଟେ ମଣିଷ ହିସାବରେ ତାହାର ଗୋଟିଏ ବ୍ୟକ୍ତିଗତ ଜୀବନ ରହିଛି,ଆରପଟେ ସେ ସୃଷ୍ଟିଶୀଳ ନୈର୍ବ୍ୟକ୍ତିକ ସ୍ୱଭାବର ଅଧିକାରୀ।ଶିଳ୍ପୀ ହିସାବରେ ତାହାକୁ ପରିମାପ କରିବାକୁ ଗଲେ,ତାହାର ଶିଳ୍ପକର୍ମ ଉପରେ ଗୁରୁତ୍ୱ ଦେବାକୁ ହେବ।ଉଦାହାରଣ ସ୍ୱରୂପ,ଗୋଟିଏ ପ୍ରତିଷ୍ଠାନର ଅଫିସର୍ ବା କ୍ଲର୍କ ଯେତେବେଳେ ଦାୟିତ୍ୱ କରୁଥାଏ ସେତେବେଳେ ତାହାର ବ୍ୟକ୍ତିତ୍ୱଟି ଅନେକ ପରିମାଣରେ ନୈର୍ବ୍ୟକ୍ତିକ ହୋଇ ଉଠେ,ବ୍ୟକ୍ତିଗତ ବୈଶିଷ୍ଟ୍ୟ ଦ୍ୱାରା ଯାହା ନିୟନ୍ତ୍ରୀତ ନୁହଁ।ଜଣେ ଶିଳ୍ପୀ କ୍ଷେତ୍ରରେ ସମାନ କଥା ଘଟିଥାଏ।ଶିଳ୍ପ ସୃଷ୍ଟିର ସମୟ ସେ ବ୍ୟକ୍ତିଗତ ବୈଶିଷ୍ଟ୍ୟରୁ ଅପସରି ଆସି ନୈର୍ବ୍ୟକ୍ତିକ ହୋଇଯାଏ।

ଶିଳ୍ପ ହେଉଛି ଭିତରୁ ଜାତ ହୋଇଥିବା ଏକ ଶକ୍ତି ଯାହା ଦ୍ୱାରା ମଣିଷ ଅଧିକୃତ ହୁଏ ଏବଂ ପରିଣତ ହୁଏ ସେହି ଶକ୍ତିର ପ୍ରକାଶ ର ଏକ ମାଧ୍ୟମ ହିସାବରେ।ଶିଳ୍ପର କ୍ଷେତ୍ରରେ ଶିଳ୍ପୀ ନିଜର ସ୍ୱାଧୀନ ଇଚ୍ଛା ଦ୍ୱାରା ସବୁକିଛିକୁ ନିର୍ଦ୍ଧାରଣ କରେ ନାହିଁ ବରଂ କୌଣସି ଶିଳ୍ପକୁ ଶିଳ୍ପୀଟିଏ ତାହାର ନିଜ ମାର୍ଫତରେ ଶିଳ୍ପର ଅଭୀଷ୍ଟ ପୂରଣର ସମ୍ମତି ପ୍ରଦାନ କରିଥାଏ।ମଣିଷ ହିସାବରେ ତାହାର ବ୍ୟକ୍ତିଗତ ଇଚ୍ଛା ଓ ଲକ୍ଷ୍ୟ ଥାଇପାରେ,କିନ୍ତୁ ଶିଳ୍ପୀ ହିସାବରେ ସେ ଉଚ୍ଚତର ଅର୍ଥରେ “ମଣିଷ”,ସେ ସମଷ୍ଟିଗତ ମାନବସତ୍ତାର ଧାରକ,ସେ ମଣିଷର ସାମଗ୍ରିକ ଅବଚେତନ ଓ ମାନସିକ ଜୀବନଧାରଣ ଓ ଆକୃତି ପ୍ରଦାନ କରିଥାଏ।ଏଇ କଠିନ କାମଟିକୁ ସଂପାଦନ କରିବା ପାଇଁ ତାହାକୁ ଅନେକ କ୍ଷେତ୍ରରେ କିଛି ସାଧାରଣ ଆନନ୍ଦକୁ ବିସର୍ଜନ କରିବାକୁ ପଡିଥାଏ,ଯେଉଁ ଆନନ୍ଦଗୁଡିକର ପ୍ରାପ୍ତି ଜଣେ ସାଧାରଣ ମଣିଷ ନିକଟରେ ତାହାର ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ।

ଜଣେ ଶିଳ୍ପୀର ଜୀବନ ଦ୍ୱନ୍ଦ୍ୱପୂର୍ଣ୍ଣ ହେବାକୁ ବାଧ୍ୟ,କାରଣ ଦୁଇଟି ବିପରୀତମୁଖୀ ଶକ୍ତି ତାହା ଭିତରେ ସଂଘାତରେ ଲିପ୍ତ,ଗୋଟିଏ ପଟେ ଆନନ୍ଦ,ତୃପ୍ତି ଆଉ ସୁରକ୍ଷା ପାଇଁ ସାଧାରଣ ମାନବୀୟ ବାସନା,ଅନ୍ୟପଟରେ ସୃଷ୍ଟି ପାଇଁ ଅଦମ୍ୟ ଆକାଂକ୍ଷା,ଯାହାର ବାସ୍ତବାୟନ ପାଇଁ ସବୁ ମାନବୀୟ ବାସନାଗୁଡିକୁ ଅଗ୍ରାହ୍ୟ କରିବା ଆବଶ୍ୟକ।ସାଧାରଣ ମାନବ ବୈଶିଷ୍ଟ୍ୟଗୁଡିକ ର ଅଭାବ ରୁ ଶିଳ୍ପୀମାନଙ୍କର ଜୀବନ ସାଧାରଣଭାବରେ ଅତ୍ୟନ୍ତ ଅସନ୍ତୋଷଜନକ ହୋଇ ଥାଏ। ସୃଷ୍ଟିଶିଳତା ଭଳି ଏକ ଐଶ୍ୱରିକ କ୍ଷମତାପ୍ରାପ୍ତ ହୋଇଥିବାରୁ ଜଣେ ଲୋକକୁ ସାଧାରଣ ଜୀବନର ମୂଲ୍ୟ ଦେବାକୁ ପଡିଥାଏ-ଏହି ସତ୍ୟଟିକୁ ଅତିକ୍ରମ କରିବା ପ୍ରାୟ ଅସଂଭବ।

ଅନ୍ତର୍ନିହିତ ଶକ୍ତି ନେଇ ଆମେ ପ୍ରତ୍ୟେକେ ଜନ୍ମଗ୍ରହଣ କରିଥାଉ।ପରବର୍ତ୍ତୀ ସମୟରେ ଆମର ମାନସିକ ଗଠନ ର ପଛରେ ଯେଉଁ ପ୍ରବଣତାଟି ମୂଖ୍ୟଭୂମୀକା ପାଳନ କରିଥାଏ ସେହି ପ୍ରବଣତା ହିଁ ଆମ ଭିତରର ଅନ୍ତର୍ନିହିତ ଶକ୍ତିକୁ ଏକଛତ୍ର ଭାବରେ କାମରେ ଲଗାଇବାକୁ ଚାହେଁ,ତାହା ଫଳରେ ମାନସିକ ବିକାଶର ଅନ୍ୟାନ୍ୟ କ୍ଷେତ୍ର ଗୁଡିକ ବଂଚିତ ହୋଇ ରହିଯାଏ। ଠିକ୍ ସମାନ ଭାବରେ ସୃଷ୍ଟିଶୀଳ ସତ୍ତା ଦ୍ୱାରା ଶିଳ୍ପୀ ଏହିପରି ତାଡିତ ହୋଇଥାଏ ଯେ ତାହାର ଅଂହବୋଧ ସୃଷ୍ଟିଶୀଳତାକୁ ରକ୍ଷାକରିବା ପାଇଁ ନିଷ୍ଠୁରତା,ଆତ୍ମକେନ୍ଦ୍ରୀକତା,ଓ ଅହମିକା ଭଳି ବିଭିନ୍ନ ନେତିବାଚକ ସ୍ୱଭାବକୁ ଜନ୍ମ ଦେଇଥାଏ।

ଜଣେ ଶିଳ୍ପୀକୁ ତୁଳନା କରାଯାଇ ଥାଏ ଅବୈଧ ବା ବଂଚିତ ଶିଶୁଟିଏ ସହ।ଶୈଶବରୁ ସ୍ନେହ କଲା ଭଳି ଜଣେ ପାଖରେ ନରହିଲେ ଶିଶୁଟିଏ ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ବଢିଉଠେ।ଏହି ପ୍ରତିକୂଳତାକୁ ପ୍ରତିରୋଧ କରିବା ପାଇଁ ସେ ଅତ୍ୟନ୍ତ ଆତ୍ମକେନ୍ଦ୍ରୀକ ହୋଇ ଅସହାୟ ଭାବରେ ଜୀବନଯାପନ କରେ ଅଥବା ଧ୍ୱଂସାତ୍ମକ ଚରିତ୍ରର ଅଧିକ କାରୀ ହୋଇ ଅନୈତିକ କାମରେ ଲିପ୍ତ ହୋଇଥାଏ।ତାହାହେଲେ,ବ୍ୟକ୍ତିଗତ ଦୁର୍ବଳତା ବା ଦ୍ୱନ୍ଦ୍ୱ ନୁହଁ ବରଂ ଶିଳ୍ପ ହିଁ ଶିଳ୍ପୀକୁ ବ୍ୟାଖ୍ୟା କରିଥାଏ-ଏଇଭଳି ସିଦ୍ଧାନ୍ତକୁ ନେଇ ସନ୍ଦିହାନ ହେବାର କିଛି କାରଣ ରହିଛି କି ? ଜଣେ ଶିଳ୍ପୀର ଚରିତ୍ରର ସମସ୍ତ ନେତିବାଚକ ଦିଗ,ସେ ଯେ ଜଣେ ଶିଳ୍ପୀ,ଏହି ସତ୍ୟର ପ୍ରତ୍ୟକ୍ଷ ଫଳାଫଳ।ଜଣେ ଶିଳ୍ପୀକୁ ଜନ୍ମପରଠାରୁ ସାଧାରଣ ମଣିଷ ଅପେକ୍ଷା ବେଶି ଦାୟିତ୍ୱର ବୋଝ ମୁଣ୍ଡାଇବାକୁ ପଡିଥାଏ। ଗୋଟିଏ ବିଶେଷ କ୍ଷମତା ରହିଛି ମାନେ ଅନ୍ୟାନ୍ୟ କ୍ଷେତ୍ରଗୁଡିକୁ ବଂଚିତ କରି ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ଶକ୍ତି ବ୍ୟୟ କରିବା।

ଜଣେ କବି ବା ଶିଳ୍ପୀ ହୁଏତ ଭାବିପାରନ୍ତି ଯେ,ତାହାର ମନୋଜଗତରେ ଶିଳ୍ପ ବା କାବ୍ୟ ଜନ୍ମଲାଭ କରିଛି ଓ ବୁଦ୍ଧିପ୍ରାପ୍ତ ହୋଇ ବିକଶିତ ହୋଇଛି;ତେଣୁ ସେ ଏହାବି ଭାବି ପାରନ୍ତି ଯେ,ନିଜସ୍ୱ ଚିନ୍ତାଶୀଳତାକୁ କାମରେ ଲଗାଇ ସେ ଏକଦମ୍ ଶୂନ୍ ରୁ ଶିଳ୍ପର ସୃଷ୍ଟି କରିଛନ୍ତି।ଶିଳ୍ପୀଟିଏ ଯାହା ଭାବୁନା କାହିଁକି,ଗୋଟିଏ ସତର ପରିବର୍ତ୍ତନ ନାହିଁ,ତାହା ହେଉଛି ଶିଳ୍ପୀର ଶିଳ୍ପସୃଷ୍ଟିର ପ୍ରକ୍ରୀୟା ଜଣେ ମାଆର ସନ୍ତାନ ଜନ୍ମଦାନର ଅନୁରୂପ।ସୃଷ୍ଟିଶୀଳତାର ପ୍ରକ୍ରୀୟା ସ୍ୱଭାବତ ନାରୀସୁଲଭ,ଏବଂ ତାହା ଉତ୍ସରିତ ହୁଏ ଶିଳ୍ପୀର ଅବଚେତନରୁ,ବା ତାହା ଭିତରେ ସୁପ୍ତାବସ୍ଥାରେ ଥିବା ମାତୃସତ୍ତାରୁ।ଯେତେବେଳେ ସୃଷ୍ଟିଶୀଳ ଶକ୍ତି ପ୍ରବଳ ହୋଇଉଠେ ସେତେବେଳେ ମଣିଷ ନିଜଇଚ୍ଛାର ବଦଳରେ ଅବଚେତନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ଏବଂ ସଚେତନତା ନିଷ୍କ୍ରିୟ ହୋଇଯାଇ ପରିଣତ ହୋଇଯାଏ କ୍ରୀୟାଶୀଳ ସୃଷ୍ଟି-ପ୍ରକ୍ରୀୟାର ନୀରବ ପର୍ଯ୍ୟବେକ୍ଷକ । ସୃଷ୍ଟି ଜଣେ ଶିଳ୍ପୀର ନିୟତି ହୋଇଉଠେ ଓ ଏହା ନିୟନ୍ତ୍ରଣ କରିଥାଏ ତାହାର ମାନସିକତା।

ଉଦାହାରଣ ସ୍ୱରୂପ କୁହାଯାଇ ପାରିବ,ଗେଟେ ଫାଉଷ୍ଟ ସୃଷ୍ଟି କରି ନାହାନ୍ତି ବରଂ ଫାଉଷ୍ଟ ହିଁ ସୃଷ୍ଟି କରିଛି ଗେଟେଙ୍କୁ।ଆଉ ଏଇ ଫାଉଷ୍ଟ ମୂଳତଃ ଏକ ପ୍ରତୀକ ଛଡା ଆଉ କିଛି ନୁହଁ।ତେବେ ପ୍ରତୀକ ର ମାନେ ଏହା ନୁହଁ ଯେ,ତାହା ଏମିତି କିଛି ନିର୍ଦ୍ଦେଶ କରୁଛି ଯାହା ସମସ୍ତଙ୍କ ପାଇଁ ସୁପରିଚିତ;ବରଂ ତାହା ଏମିତି କିଛି ପ୍ରକାଶ କରେ ଯାହା ସେପର୍ଯ୍ୟନ୍ତ ଅପ୍ରକାଶିତ ଥିଲେ ବି ଅଜାଣତରେ ପ୍ରଗାଢ ଭାବରେ ସକ୍ରୀୟ ରହିଥିଲା।ଫାଉଷ୍ଟ ଏମିତିକିଛି ପ୍ରକାଶ କରେ ଯାହା ପ୍ରତ୍ୟେକ ଜର୍ମାନ୍ ର ମନୋଜଗତରେ ବିରାଜିତ ହେଉଥାଏ,ଗେଟେ କେବଳ ତାହାର ବହିଃପ୍ରକାଶ ଘଟାନ୍ତି।ଯଦି ଆମେ ଫାଉଷ୍ଟ କି ଜରାଥୁଷ୍ଟ୍ରାକୁ ଦେଖିବା,ତେବେ ଦେଖିବା ଜଣେ ଆଦର୍ଶ ପ୍ରଜ୍ଞାବାନ ବ୍ୟକ୍ତି ଅର୍ଥାତ୍ ଜଣେ ତ୍ରାଣକର୍ତ୍ତାର ପ୍ରତିକୃତି ମଣିଷର ଅବଚେତନ ମନରେ ସଭ୍ୟତାର ଉଷାଲଗ୍ନ ଠାରୁ ସୁପ୍ତ ଅବସ୍ଥାରେ ଅବସ୍ଥାନ କରିଆସୁଛି। 

ଯେତେବେଳେ ମାନବ ସମାଜ ଅଧଃପତିତ ହୁଏ ବା ବିଭ୍ରାନ୍ତ ହୋଇପଡେ,ସେତେବେଳେ ଜାଗରଣ ଘଟିଥାଏ ଏହି ପ୍ରତିକୃତିର। ଏଇଭଳି ଅନେକ ଗୁଡିଏ ପ୍ରତିକୃତି ରହିଥିଲେ ବି ସାଧାରଣ ମଣିଷର ସ୍ୱପ୍ନ ବା ଶିଳ୍ପୀର ଶିଳ୍ପକର୍ମରେ ସେଗୁଡିକ ଧରା ପଡିନଥାଏ। ଆମର ସଚେତନ ଜୀବନଯାପନ ଯେତେବେଳେ ଏକପାର୍ଶ୍ୱିକ ଓ ଭ୍ରାନ୍ତିପୃର୍ଣ୍ଣ ହୋଇପଡେ ସେତେବେଳେ କିଛି ପରିମାଣରେ ସହଜାତ ଭାବେ ପ୍ରତିକୃତିଗୁଡିକ ସାଧାରଣ ମଣିଷର ସ୍ୱପ୍ନ ବା ଶିଳ୍ପୀର ଅନ୍ତର୍ଦୃଷ୍ଟିରେ ଧରା ଦେଇଥାଏ,ଏବଂ ଏହା ଫଳରେ ପୁନରାୟ ସୁସ୍ଥିତି ଲାଭ କରିଥାଏ ଆମର ମନୋଜଗତ।

ଏଇ ଭାବରେ ଜଣେ କବି ବା ଶିଳ୍ପୀ ତାହାର ସମୟର ଆଧ୍ୟାତ୍ମିକ ପ୍ରୟୋଜନୀୟତାକୁ ପୂରଣ କରିଥାଏ ,ଏବଂ ମୂଳତଃ ଏହି କାରଣରୁ ଶିଳ୍ପୀ ପାଇଁ ତାହାର ଶିଳ୍ପକର୍ମ ଜୀବନ ଠାରୁ ଅଧିକ ମୂଲ୍ୟବାନ ବୋଲି ମନେହୁଏ,ଯଦିଓ ସେ ସବୁବେଳେ ତାହା ଉପଲବ୍ଧି କରି ପାରେନାହିଁ।ଯେହେତୁ ଶିଳ୍ପୀ ତାହାର ଅନ୍ତର୍ଜାତ ଶିଳ୍ପର ବହିଃପ୍ରକାଶର ମାଧ୍ୟମ ମାତ୍ର ତେଣୁ ତାହାଠାରୁ ତାହାର ସୃଷ୍ଟ ଶିଳ୍ପର ବ୍ୟାଖ୍ୟା ଚାହିଁବା ଅଯୌକ୍ତିକ।ଶିଳ୍ପୀର ଭିତରେ ଯାହା ଉତ୍ସରିତ ହୁଏ,ତାହାକୁ ସଠିକ ଉତ୍ତର ପ୍ରଦାନ କରିବା ହେଉଛି ଜଣେ ଶିଳ୍ପୀର ପ୍ରଧାନ କାମ।ବ୍ୟାଖ୍ୟା କରିବା କଥାଟିକୁ ତାହାକୁ ଅନ୍ୟ କାହା ଉପରେ ଛାଡ ଦେବାକୁ ହେବ। 

ଗୋଟିଏ ମହତ ଶିଳ୍ପକର୍ମ ହେଉଛି ଗୋଟିଏ ସ୍ୱପ୍ନ ଭଳି;କାରଣ ଅନେକ ପରିମାଣରେ ତାହା ସ୍ପଷ୍ଟ ଭାବରେ ପ୍ରତୀୟମାନ ହେଲେବି କେବେହେଲେ ତାହା ନିଜକୁ ବ୍ୟାଖ୍ୟା କରେନାହିଁ ଏବଂ ପୁରାପୁରି ଧରା ଦିଏ ନାହିଁ।ସ୍ୱପ୍ନ କେବେହେଲେ “ତୁମର ଏଇଭଳି କରିବା ଉଚିତ” ବା “ଏହାହିଁ ସତ”,ଏଇଭଳି କିଛି ନିର୍ଦ୍ଦେଶ ଦେଇନଥାଏ।ସ୍ୱପ୍ନ ଅତ୍ୟନ୍ତ ସାଧାରଣ ଭାବରେ ଆମପାଖରେ କିଛି ଚିତ୍ରକଳ୍ପର ଉପସ୍ଥାପନ କରିଥାଏ,ଆଉ ସେଇ ଗୁଡିକୁ ଆମେ ଆମ ନିଜ ଅନୁସାରେ ବ୍ୟାଖ୍ୟା କରିନେଇଥାଉ।ଗଭୀର ଭାବରେ ଶିଳ୍ପକୁ ପର୍ଯ୍ୟବେକ୍ଷଣ କରିଲେ ଏକଥା କୁହାଯାଇପାରିବ,ଗୋଟିଏ ଶିଳ୍ପକର୍ମ ଦର୍ଶକ ଓ ତାହାର ଶିଳ୍ପୀ ଉପରେ ସମାନ ପ୍ରତିକ୍ରୀୟା ସୃଷ୍ଟି କରିଥାଏ।

ଶିଳ୍ପକର୍ମର ଅର୍ଥ ଅନୁଧାବନ ପାଇଁ ସେଇ ଶିଳ୍ପକର୍ମ ଦ୍ୱାରା ଆମମାନଙ୍କୁ ନିୟନ୍ତ୍ରୀତ ହେବାକୁ ପଡିଥାଏ,ଠିକ୍ ଯେଉଁପରି ଏଇ ଶିଳ୍ପକର୍ମ ଦ୍ୱାରା ଆଗରୁ ନିଜେ ନିୟନ୍ତ୍ରୀତ ହୋଇଥିଲା ସ୍ୱୟଂ ଶିଳ୍ପୀ ନିଜେ।ତେଣୁ ତାହା ହୋଇଅଛି ବୋଲି ଆମେ ନିଜେ କୌଣସି ଶିଳ୍ପୀର ପ୍ରକୃତ ଅଭିଜ୍ଞତାକୁ ଉପଲବ୍ଧି କରିପାରୁଛେ ବୋଲି କହି ପାରିବା।ତାହା ହୋଇଛି ବୋଲି ଆମେ ଶିଳ୍ପୀଟିଏ ପ୍ରକାଶ କରିଥିବା ସେଇସବୁ ସତ୍ୟସମୂହ ଯାହା ଚେତନାର ଅତଳ ଗହୀରରେ ବିରାଜିତ ତାହାକୁ ଅନୁଧାବନ କରି ପାରିବା। ତାହା ହୋଇଛି ବୋଲି ଶିଳ୍ପୀଟିଏ ମଣିଷ ଜୀବନର ସେଇ ଗଭୀର ସ୍ତରରେ ଅବଗାହନ କରିଛି ଯେଉଁଠି ସବୁ ମଣିଷ ଗୋଟିଏ ସୂତ୍ରରେ ବଂଧା ଆଉ ସେଇଠୁ ଜଣେ ମଣିଷ ପକ୍ଷରେ ଏମିତି କିଛି ଅନୁଭୂତିକୁ ବ୍ୟକ୍ତ କରିବା ସମ୍ଭବପର ଯାହା ସମଗ୍ର ମାନବଜାତିର ପାଇଁ ଗ୍ରହଣଯୋଗ୍ୟ ହୋଇ ପାରିବ ବୋଲି ଏଇ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ବୁଝି ପାରିବା।

ଶିଳ୍ପର ସ୍ୱରୂପ ଓ ତାହାର ମର୍ମକଥା ର ସଂଧାନ ଅଭିଜ୍ଞତା ର ସେହି ସ୍ତର ରେ ମିଳିଥାଏ, ଯେଉଁଠି ମଣିଷ କେବଳମାତ୍ର ସ୍ୱତନ୍ତ୍ର ବ୍ୟକ୍ତି ହିସାବରେ ଅସ୍ତିତ୍ୱଶୀଳ ନୁହେଁ,ଯେଉଁଠି ବ୍ୟକ୍ତିଗତ କଲ୍ୟାଣ-ଅକଲ୍ୟାଣର ପ୍ରଶ୍ନ ବିବେଚିତ ହୁଏ ନାହିଁ,ବରଂ ବିବେଚିତ ହୋଇଥାଏ ସାମଗ୍ରୀକ ଅର୍ଥରେ ମାନବ-ଅସ୍ତିତ୍ୱ।ଏଇଥି ପାଇଁ ପ୍ରତିଟି ମହତ ଶିଳ୍ପକର୍ମ ନୈର୍ବ୍ୟକ୍ତିକ ହୋଇ ବି ଆମକୁ ଗଭୀର ଭାବରେ ଆଲୋଡିତ କରିଥାଏ।ଆଉ ଏହି କାରଣରୁ ଶିଳ୍ପୀର ବ୍ୟକ୍ତିଗତ ଜୀବନକୁ ନେଇ ଶିଳ୍ପକୁ ବ୍ୟାଖ୍ୟା କରିବା ଠିକ୍ ହେବନାହିଁ,ଅତିବେଶିରେ ତାହା ଶିଳ୍ପ ଅନୁଧାବନର ଏକ ସହାୟକ ହିସାବରେ ବ୍ୟବହାର କରାଯାଇପାରେ। ଜଣେ ଶିଳ୍ପୀ ମଣିଷ ହିସାବରେ ଅସାମାଜିକ,ସୁନାଗରିକ,ବିକାରଗ୍ରସ୍ତ, ଅଥର୍ବ ବା ଅପରାଧୀ ହୋଇପାରେ,କିନ୍ତୁ ଏଇ ବୈଶିଷ୍ଟ୍ୟଗୁଡିକର ଆଲୋକରେ ତାହାକୁ ବ୍ୟାଖ୍ୟା କରିବା ଅନୁଚିତ।

( ବିଶିଷ୍ଠ ସ୍ୱିସ୍ ମନୋବିଜ୍ଞାନୀ କାର୍ଲ ଗୁସ୍ତାଭ ଇୟୁଙ୍ଗ୍ ଏଇ ପ୍ରବଂଧଟିରେ ସୃଜନଶୀଳତାର ଅନେକ ମୌଳିକ ପ୍ରଶ୍ନକୁ ଆଲୋଚନାର ପରିସରକୁ ଆଣିଛନ୍ତି।ଏଥିରେ ଯେଉଁ କଥା ଗୁଡିକ ଉପରେ କୁହାଯାଇଛି ସେ ଗୁଡିକ ଏହିପରି:

 ସୃଜନଶୀଳ ଶିଳ୍ପକର୍ମ କ’ଣ ଓ କାହିଁକି?ଏହା ଜଣକର ବ୍ୟକ୍ତିଗତ କର୍ମ ଠାରୁ କେଉଁ ଭଳି ଅଲଗା?

ଗୋଟିଏ ଶିଳ୍ପୀଜୀବନ ଆଉ ତାହାର ବ୍ୟକ୍ତିଗତ ଜୀବନରେ କିଛି ପାର୍ଥକ୍ୟ ଅଛିକି ଆଉ ତାହା କାହିଁକି ?

ସୃଜନଶୀଳତା ଏକ ପାଗଳାମୀ କି ?ଯଦି ପାଗଳାମୀକୁ ଏହାର ଏକ ମାନଦଣ୍ଡ ବୋଲି ଧରାଯାଏ ତେବେ ସେଇ ପାଗଳାମୀଟିର ସ୍ୱରୂପଟି କେଉଁପରି?

ଶିଳ୍ପକର୍ମଟି ଶିଳ୍ପୀର ଯାଥାର୍ଥ୍ୟ କି ?

ଶିଳ୍ପକର୍ମ ଟିର ଆବଶ୍ୟକତା କିଛି ଅଛିକି ?

ସୃଜନକର୍ମ ଏକ ମାତୃପଣ କି ?

ଆଗରୁ “ଶ୍ରୀରାଧା” ସଂପର୍କ ରେ ପ୍ରଖ୍ୟାତ କବି ରମାକାନ୍ତ ଅନେକଗୁଡିଏ ସାକ୍ଷାତକାରରେ କହିଛନ୍ତି ଯେ ସ୍ୱୟଂ ଶ୍ରୀରାଧା କବିଙ୍କୁ ସଂପୂର୍ଣ୍ଣ କବିତାଟି ଏକ ପ୍ରକାର ଶ୍ରୁତଲିଖନରେ ଡାକିଦେଇଛନ୍ତି । ତେଣୁ କବିଙ୍କର ପ୍ରକୃତପକ୍ଷରେ କୌଣସି ଭୂମୀକା ନାହିଁ।ଓଡିଆ ସାହିତ୍ୟରେ ଶ୍ରୀଯୁକ୍ତ ରମାକାନ୍ତ ରଥ ତାଙ୍କର ବିନମ୍ରତା ପାଇଁ ପ୍ରସିଦ୍ଧ।ସେଇ ଶ୍ରୁତଲିଖନ କବିତ୍ୱର କଥାକୁ ଆମର ବିଶିଷ୍ଟ ଚିନ୍ତକ କବି ହରପ୍ରସାଦ ଆଉ ଟିକିଏ ଆଗେଇ ଯାଇ ଶ୍ରୀରାଧାଙ୍କର ଯୋଗ୍ୟତମ ହାତଟିର ସଠିକ ନିର୍ବାଚନ ବୋଲି କହିଛନ୍ତି।ଏହି ପ୍ରସଂଗ ଟିକୁ ଉଠାଇବାର କାରଣକୁ ଦୟାକରି କୌଣସି ବ୍ୟକ୍ତିଗତ ବିତର୍କ ଭିତରକୁ ଟାଣିବେ ନାହିଁ। ଜଣେ ପରିଣତ ବୟସର ସମ୍ମାନାସ୍ପଦ କବିକୁ କୌଣସି ପ୍ରକାର ଆହତ କରିବା ଆଦୌ ସ୍ଫୃହଣୀୟ ବା ରୁଚିକର ନୁହଁ।ଏଠାରେ ଜଣେ ଲେଖକ ତାହାର ନିଜର ଶିଳ୍ପକର୍ମରେ ଶ୍ରୁତଲିଖନକାର ଭୂମୀକା ନିର୍ବାହ କରିବାର ତାତ୍ତ୍ଵିକ ଦିଗଟିର କଥାଟି କହିବା ପାଇଁ ଏହି ଜଣାଶୁଣା ପ୍ରସଂଗଟିକୁ ଉଠାଇଛି।

ଇୟୁଙ୍ଗ ଙ୍କ ମତରେ କେବଳ ଶ୍ରୀରାଧା ନୁହଁନ୍ତି ସମସ୍ତ ଶିଳ୍ପକର୍ମ ସବୁବେଳେ ଶିଳ୍ପୀଟିକୁ ନିଜର ମାଧ୍ୟମ ହେବାପାଇଁ ଲୋଡୁଥାନ୍ତି।ସେଥିରେ ଯୋଗ୍ୟ ଅଯୋଗ୍ୟର କଥା ନଥାଏ।ଆମର ନିଜର ଶିଳ୍ପ ଲେଖନ ପାଇଁ ଆମେ ଶ୍ରୁତଲେଖନକାର ହେବାପାଇଁ ଏକ ପ୍ରକାର ବାଧ୍ୟ।
କାର୍ଲ ଇୟୁଙ୍ଗ ଜଣେ ଜଟିଳ ମନୋବିଜ୍ଞାନୀ।

ସୃଜନଶୀଳତାକୁ ନେଇ ତାଙ୍କର ଚିନ୍ତାଧାରାକୁ ଦୟାକରି ଶେଷ ଯାଏଁ ପଢନ୍ତୁ।ହୁଏତ ଆପଣଙ୍କ ଭିତରେ ନୂଆ କିଛି ପ୍ରଶ୍ନ ଉଠିପାରେ,ଆପଣଙ୍କର ଭିତରେ ଥିବା କିଛି ପ୍ରଶ୍ନର ଉତ୍ତର ହୁଏତ ଆପଣମାନେ ଏଥିରୁ ପାଇପାରନ୍ତି।
ଅନୁବାଦଟିର ତ୍ରୁଟିଭାଗ ପାଇଁ କ୍ଷମା ପ୍ରାର୍ଥନା ସହ ଆପଣମାନଙ୍କର ସୃଜନଶୀଳତାର ବହିଃପ୍ରକାଶର କାମନା କରୁଛି। )

Thursday, December 07, 2017

ପାଲି ଧମ୍ମପଦ (୭୦) ର ଓଡ଼ିଆ  ପଦ୍ୟାନୁବାଦ


୧୧ ବାଳବଗ୍ଗୋ (ବାଳ ବର୍ଗ)


ବୋର୍ବୋଦୁରର ୯ମ ଶତାବ୍ଦୀର ବୌଦ୍ଧ ମନ୍ଦିରର ମଣ୍ଡଳ ଆକାରର ଭିତ୍ତିଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କଉଣସି ମୂର୍ଖ ଲୋକ ମାସ ମାସ ଧରି
ଯଦି କୁଶର ଅଗ୍ରରେ ଭୋଜନ କରଇ ।

ଧର୍ମଜ୍ଞ ବ୍ୟକ୍ତିର ଷୋ'ଳ କଳାରୁ ଗୋଟିଏ 
କଳାଏକୁ ମଧ୍ୟ ସିଏ ଯୋଗ୍ୟ ତ ନ ହୁଏ ।୧୧।

ମାସେ ମାସେ କୁଶାଗ୍ରେଣ ବାଳୋ ଭୁଞ୍ଜୀତ ଭୋଜନମ୍ ।
ନ ସଃ ସଙ୍ଖ୍ୟାତଧର୍ମ୍ମାଣାଂ କଳାମ୍ ଅର୍ହତି ଷୋଡ଼ଶୀମ୍ ।୧୧।

ମାସେ ମାସେ କୁସଗ୍ଗେନ ବାଳୋ ଭୁଞ୍ଜେଥ ଭୋଜନଂ ।
ନ ସୋ ସଙ୍ଖାତଧମ୍ମାନଂ କଳଂ ଅଗ୍ଘତି ସୋଳସିଂ ।୧୧।

Tuesday, December 05, 2017

କଖାରୁ ଚଟଣୀ


ସରୋଜିନୀ ଚୌଧୁରୀ



ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପକରଣ - କଖାରୁ ଭଲ ମିଠା ରକମ ଦେଖି ଖଣ୍ଡେ, ଲୁଣ ଅନ୍ଦାଜ ମୁତାବକ, ପିଆଜ ଦୁଇଟା କିମ୍ବା ତିନିଟା, କଞ୍ଚାମରିଚ ଦୁଇଟା ଓ ତେଲ ପଳେ ।

ପ୍ରଣାଳୀ - କଖାରୁ ଖଣ୍ଡରୁ ଚୋପା ଛଡ଼ାଅ । ଅନ୍ତି ଭଲ କରି କାଢ଼ି ପକାଅ ଏବଂ ଧୋଇଧାଇ ଭାତରେ ପକାଅ । ଭାତରେ ନ ପକାଇ ଡାଲିରେ ପକାଇଲେ ସ୍ୱାଦୁ ଅପେକ୍ଷାକୃତ ଭଲ ହୁଏ । ଭାତଠାରୁ ଡାଲିରୁ କାଢ଼ିବାକୁ ମଧ୍ୟ ସୁବିଧାଜନକ । ଭାତରୁ କାଢ଼ିଲାବେଳେ ଯଦି ଭାଙ୍ଗିଯାଏ ତେବେ ଭାତରେ ତାର ଗୁଣ୍ଡ ବା ଖଣ୍ଡ କୋରାକୋରା ମାନ ବାହାରିବାରୁ ବିରକ୍ତିକର ହୁଏ ।

ସିଝା କଖାରୁ ଭଲ କରି ଚକଟି ତେଲ, ଲୁଣ, ପିଆଜ ସରୁ ସରୁ କାଟି ଓ ଗୋଟାଏ ଲଙ୍କାମରିଚ ଟିକିଟିକି କରି କାଟିଦେଇ ଏକାଠି ସବୁ ମି‌ଶାଇବ । ଗୋଳା ଗୋଳା କରି ରଖ, ବାକିଥିବା ଲଙ୍କାମରିଚଟିକୁ ଚେକି ଚେକି କାଟି ମଞ୍ଜି ଯେତେ ଥିବ ଝାଡ଼ି ପକାଇ ଗୋଳାର ଉପରେ ବସାଇ ଦିଅ ।

ଗୁଣାଗୁଣ - କଖାରୁ ମଧୁରରସ, ଉଷ୍ଣବୀର୍ଯ୍ୟ, ଗୁରୁପାକ, ଅଗ୍ନିମାନ୍ଦ୍ୟକାରକ, ପିତ୍ତବର୍ଦ୍ଧକ, ବାୟୁକୋପକ ଓ ଶ୍ଲେଷ୍ମ ନାଶକ । 

ବି.ଦ୍ର. - କଖାରୁ ଚଟଣୀ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

Sunday, December 03, 2017

ନପଢିବା ପାଇଁ ପଢା କଥା


ଜ୍ୟୋତି ନନ୍ଦ


କିଣ୍ଡିଲ ଇ-ରିଡରର ପରଦା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ନ ପଢିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା । ଯାହା ନାହିଁ ତାହାକୁ ଖୋଜି ଖୋଜି, ଯାହା ଅଛି ବା ରହିବାର କଥା ତାହାକୁ, ବେଳେ ବେଳେ ପ୍ରମାଣ ଆକାରରେ ଉପସ୍ଥାପନ କରାଯାଇଥାଏ । ଯେମିତ ଆମର ଈଶ୍ୱରଙ୍କ ଅସ୍ତିତ୍ୱର କଥା ।

ସେ ଯାହାହେଉ, ଆମର ବହି ନ ପଢିବାର ମାନସିକତାଟି ଅସଲରେ ଆସିଲା କେଉଁଠୁ ? ସେଇ ବିଷୟରେ ଟିକିଏ ବିଚାର କରାଯାଉ ।ଆପଣ ରାସ୍ତାରେ ଯାଉଛନ୍ତି । ରାସ୍ତାକଡ ଝଙ୍କା ବରଗଛ ତଳେ ମାଦାରିଟିଏ ତାହାର ଚେଲାଚାମୁଣ୍ଡାଙ୍କୁ ଜାଦୁବିଦ୍ୟା ଦେଖାଇବାର ଆୟୋଜନ କରୁଛି । ତାହାର ପ୍ରକୃତ ଜାଦୁ ଅପେକ୍ଷା ସେ କେତେ ଆଶ୍ଚର୍ଯ୍ୟଜନକ କଣ୍ଠରେ ମେହେରବାନ୍ ଆଉ କଦରଦାନ୍ କହି ତାହା ଚାରିପଟେ ସଶକ୍ତ ଭୀଡଟିଏ ଯୋଗାଡ କରିପାରିବ, ସେହି ଆୟୋଜନରେ ତାହାର ସବୁତକ ଫିକର । 

ଆପଣ ହୀନଯାନ ଅର୍ଥାତ୍ ସାଇକେଲ୍ ଚଳାଇ ନିଜ ଅବସର ସମୟର ବ୍ୟାୟାମକୁ ସେତେ ଉପଭୋଗ କରୁନାହାଁନ୍ତି । ଆମର ପୃଥିବୀରେ ଯେତେ ଯେତେ ଦୃତଗାମୀ ମହାଜନପନ୍ଥିମାନେ ଅଛନ୍ତି, ସେମାନଙ୍କର କଥା ଅଲଗା । ହେଲେ ଆପଣ ଆଗରୁ ନିଜ ପୁରୁଣା ସାଇକେଲ୍‌ରୁ ଓହ୍ଲାଇବାର ବାହାନାଟିଏ ବାରମ୍ବାର ଖୋଜୁଥିଲା ବେଳେ ଏଇ ବରଗଛ ତଳର ମାଦାରିର କଣ୍ଠ ବା ମାଦାରୀର ସ୍ତନ୍ୟବତି ସ୍ତ୍ରୀର ଶାରୀରିକ ସୌଷ୍ଠବର ଉପଲବ୍ଧ ଆକର୍ଷଣକୁ ଏଡାଇଗଲେ । ଆପଣ ଆପଣଙ୍କ ହୀନଯାନରେ ଦୃଢ ରହିଲେ । ଓହ୍ଲାଇଲେ ନାହିଁ । ଏଇ ପ୍ରକାରର ଅନାଗ୍ରହରୁ ଆପଣଙ୍କ ଭିତରେ ଯେଉଁ ମାନସିକତା ତିଆରି ହୋଇଗଲା, ତାହା କହିବାକୁ ଗଲେ କିଛି ନ ପଢିବାର ବୀଜସୂତ୍ର । ସଂକ୍ଷେପରେ କହିଲେ, ସର୍ବସାଧାରଣ ଅଭିନିବିଷ୍ଟ କରୁଥିବା ବିଷୟ ପ୍ରତି ଅନାକର୍ଷଣରୁ ନ ପଢିବାର ପ୍ରବୃତ୍ତିଟି ସଚରାଚର ଆସିଥାଏ ।

ସର୍ବସାଧାରଣ ଆଉ ବ୍ୟକ୍ତିବିଶେଷର ପ୍ରବୃତ୍ତିଗତ ଏଇ ପାର୍ଥକ୍ୟଟି ପଛରେ ଆମର ରାଜନୈତିକ ଓ ଧାର୍ମିକ ପରିଚର୍ଚ୍ଚା କାମ କରିଥାଏ ।ରାଜନୀତି ଆଉ ଧର୍ମର ସୂତ୍ରଧର ମାନେ କୋଳାହଳକୁ ନିଜର ସ୍ଥିତାବସ୍ଥାର ଏକମାତ୍ର ଏକକ ବୋଲି ବିଚାର କରି, ସର୍ବଦା ସବୁକିଛିକୁ କୋଳାହଳମୟ କରିବାରେ ଲାଗିଥାନ୍ତି, ଆଉ ଅନ୍ୟପକ୍ଷରେ ବ୍ୟକ୍ତି ନିଜର ମନନ ପାଇଁ ମାନସିକ ନିର୍ଜନତା ଆବଶ୍ୟକ କରୁଥାଏ । ତେଣୁ ବ୍ୟକ୍ତି ବିଶେଷର କୋଳାହଳ ପ୍ରତି ଅନାକର୍ଷଣ ବଢୁଥାଏ । 

ଏହା ବ୍ୟତୀତ ଆମର ସାମାଜିକ ଜୀବନରେ ଆଜିର ସୂଚନାକ୍ରାନ୍ତି ଏକ ପ୍ରକାର ଅନାକର୍ଷଣ ସୃଷ୍ଟି କରୁଛି ଆମ ଭିତରେ । ମୁଁ କୌଣସି ରାଜନୀତିର କଥା କହିବାକୁ ଚାହୁଁ ନାହିଁ । କିଛି ଦିନ ତଳେ ବରଗଡର ଚାଷୀ ବୃନ୍ଦାବନ ସାହୁଙ୍କର ଆତ୍ମହତ୍ୟା ପ୍ରସଙ୍ଗଟି ଟିଭିରୁ ଦେଖୁଥିଲି । ଗୋଟିଏ ସତେଜ ଜୁଆନ୍ ଚାଷୀ ନିଜର କ୍ଷୋଭ ଆଉ ଯନ୍ତ୍ରଣାକୁ ପରିଷ୍କାର ବ୍ୟକ୍ତ କରି ତାହା ପରଦିନ ଲାଶ୍ ହୋଇଯିବାର ଦୃଶ୍ୟକୁ ଆପଣମାନେ ପ୍ରତ୍ୟକ୍ଷ କରିଥିବେ । ପୃଥିବୀରେ ଏମିତି କରୁଣତମ ଦୃଶ୍ୟ ଆଉ ନ ଥିବ । କିନ୍ତୁ ଯେତେବେଳେ ଆମର ଅତ୍ୟୁତ୍ସାହୀ ଗଣମାଧ୍ୟମମାନେ ତାହାକୁ ବାରମ୍ବାର ଦେଖାଇଚାଲିଲେ, ଆମକୁ ଲାଗିଲା ଯେମିତି ଏହା କୌଣସି ଏକ ବିୟୋଗାତ୍ମକ ସିନେମାର ଦୃଶ୍ୟବାସ୍ତବତାରେ ତାହାର କିଛି ସ୍ଥିତି ନାହିଁ । ଆମେ ସାଧାରଣ ମଣିଷ ଆଉ ଆମ ଭିତରେ ଯେଉଁ ମାନବିକ କରୁଣା ଆଉ ସମ୍ବେଦନାଟି ଥିଲା, ତାହାକୁ ବିନଷ୍ଟ କରିବାର ଏଇ ପ୍ରୟାସଟିକୁ ମୁଁ କଦାପି ଗ୍ରହଣ କରିବି ନାହିଁ ।

ଆମର ସାମାଜିକ ଜୀବନରେ ଏହା ଏକ ପ୍ରକାର କରୁଣାସମୂହ ପ୍ରତି କ୍ଳାନ୍ତି ସୃଷ୍ଟି କରୁଛି । ତେଣୁ ଆମର ସାମାଜିକ ଦୁର୍ଦ୍ଦିନରୁ ଆମେ ମୁହଁ ଫେରାଇ ନେଉଛୁ । ଯାହା ଦେଖିଛି ସେଇଠୁ ମନେ କରେ ଯେ ସ୍ଵର୍ଗତ ବୃନ୍ଦାବନ ସାହୁଙ୍କର ଗୋଟିଏ ଆଳୁଦୋଷ ଥିଲା । କଥା କଥାକେ ସେ କହୁଥିଲେ, ”ବୁଝିଲକି ନାହିଁ”। ବୃନ୍ଦାବନ ବାବୁ ଏବେ ଆପଣ ହୁଏତ ପରଲୋକରେ ବୁଝିପାରୁଥିବେ ଯେ, ଆମେମାନେ କେହି କିଛି ବୁଝୁନା, ଆଉ ବୁଝିବାର ଆଗ୍ରହ କ୍ରମଶଃ ହରାଇ ବସୁଛୁ ।

ଏଇମିତି ଆମର ନ ପଢିବାର ରୂପରେଖ ।

ବହି ପଢିବାକୁ ନେଇ ବିଶିଷ୍ଟ ଲେଖକ ବୋର୍ହେସ୍‌ଙ୍କ କଥାକୁ ଉଦ୍ଧାର କରିବି । ବୋର୍ହେସ୍ କହିଛନ୍ତିବହି ପଢିବା କାରଣରୁ ତାଙ୍କର ଦୁଇଟି ଭୟ ସୃଷ୍ଟି ହୋଇଛି । ପ୍ରଥମ ଭୟଟି ହେଉଛି ଗୋଲକଧନ୍ଦା । ପଢାପଢି ପରେ ଯଦି ଏହି ଗୋଲକଧନ୍ଦା ଭିତରୁ ହଠାତ୍ କେଉଁଠୁ ବାହାରି ପଡିବ ଗୋଟିଏ ବିକଟାଳ ଦାନବ ଯାହା ତାହାଙ୍କୁ ଗ୍ରାସ କରିଦେଇପାରେ । ବୋର୍ହେସ୍‌ଙ୍କ ଦ୍ୱିତୀୟ ଭୟଟି ଆହୁରି ଭୟଙ୍କର । ଭୟଟି ଦର୍ପଣକୁ ନେଇ । ପଢାପଢି ପରେ ହଠାତ୍ ସକାଳୁ ଦର୍ପଣରେ ନିଜ ମୁହଁକୁ ଦେଖିଲାବେଳେ ଯଦି ସେ ଦେଖନ୍ତି ଯେ, ସେଇ ମୁଣ୍ଡଟି ଆଉ କାହାର, ବା ମୁଣ୍ଡର ଜାଗାଟି ପୂରାପୁରି ଫାଙ୍କାତେବେ ସେଇ ଭୟଟିକୁ ସେ କେମିତି ଗ୍ରହଣ କରିବେ ?

କାହିଁକି ଆମେ ଗୋଲକଧନ୍ଦା ଭିତରକୁ ପଶିବା ରାକ୍ଷସକୁ ଭେଟିବା ପାଇଁ ଅବା ନିଜ ଦର୍ପଣରେ ଆଉ କାହାର ମୁଁହ ଦେଖିବା ତାହା ଠାରୁ ନିରାପଦ କିଛି ନ ପଢି ମାଦାରିର କୋଳାହଳର ଆୟୋଜନରେ ଭାଗନେବା ।

ଆର୍ଥର୍ ସୋପେନହାଉଆର୍ ବହି ନ ପଢିବାକୁ ଏମିତି ବ୍ୟାଖ୍ୟା କରିଛନ୍ତି । ତାଙ୍କ ଅନୁସାରେ ଖରାପ ବହି ନ ପଢିବା ହିଁ ଭଲ ବହି ପଢିବାର ପ୍ରଥମ ସର୍ତ୍ତ ।

ଭଲ ବହି ଆଉ ଖରାପ ବହିର ବିଚାର ଆପଣମାନଙ୍କର ନିଜର । ମୋର ସେଥିରେ କିଛି କହିବାର ନାହିଁ । ଯଦି ଅତି ବେଶିରେ ଆପଣମାନେ ମୋତେ ଗୋଟିଏ ଭୂମିକା ଦେବାକୁ ପସନ୍ଦ କରନ୍ତି, ତେବେ କୌଣସି ସିନେମାସୁଟିଂରେ ମୋର ଭାଗ ନେବାକୁ ଭାରି ଇଚ୍ଛା । ଭୂମିକାଟି ଭାବୁଛି ସେତେ କଷ୍ଟକର ହେବନାହିଁଗୋଟିଏ ଦର୍ପଣ-ଧାରକର ଭୂମିକା । ଆପଣମାନଙ୍କ ଭଳି ହିରୋହିରୋଇନ୍‌ମାନେ ଘଡିକୁଘଡି ଆସି ନିଜ ମୁହଁକୁ ସଜାଡି ନେଇ ଚାଲିବେ ମହାକାଳର କ୍ୟାମେରା ସାମ୍ନାକୁ ସୁନ୍ଦର ଅଭିନୟ ପାଇଁ ।

ଅବଶ୍ୟ ଦର୍ପଣରେ ଆପଣମାନେ କାହା ମୁହଁ ଦେଖିବେ ତାହା ଆପଣମାନଙ୍କର ବିଚାର ।

ବହିମାନେ ସବୁବେଳେ ନିଜ ପାଇଁ ଗୋଟିଏ ଗୋଟିଏ ଭାଷାକୁ ଖୋଜୁଥାନ୍ତି ଅତି ଆଗ୍ରହରେ । ବହୁ ସମୟରେ ସେମାନେ ଯେଉଁ ଭାଷାକୁ ପାଇଥାଆନ୍ତି, ତାହା ବହୁ ପୁରୁଣା କାଳର ପିଲାଟିର ଭାଷା ପରି ।

ବହିମାନେ ଆକୁଳର ସହ ଯେଉଁ ଭାଷାକୁ ଖୋଜୁଛନ୍ତି, ଆପଣମାନେ ସେଇ ଭଳି ବୟସ୍କ ହୁଅନ୍ତୁ ।

Friday, December 01, 2017

କାକୁଡ଼ି ଚଟଣି


ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପକରଣ - ତିନୋଟି ମଝିଆଳିଆ କଞ୍ଚା ବଡ଼ କାକୁଡ଼ି, କୋଡ଼ିଏ ଗ୍ରାମ ଗୋଲମରିଚ ଗୁଣ୍ଡ, ଦଶ ଗ୍ରାମ ସୋରିଷ ତେଲ, ପନ୍ଦର ଗ୍ରାମ ଲେମ୍ବୁ ରସ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ -  କାକୁଡ଼ିଗୁଡ଼ିକର ଚୋପା ଛଡାଇ ଦିଅନ୍ତୁ । ଏହା ପରେ ଗୋଟା କାକୁଡ଼ିଗୁଡ଼ିକୁ ଫୁଟୁଥିବା ଭାତ ବା ଡାଲିରେ ପକାଇ ଦିଅନ୍ତୁ । ସିଝିଗଲେ ରେକାବିରେ ରଖି ସରୁ ସରୁ କରି କାଟନ୍ତୁ ।  ତେଲ, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ ଓ ଲୁଣ ମିଶାଇ ଭଲ କରି ଚକଟି ଦିଅନ୍ତୁ ।


ଗୁଣାଗୁଣ - ବଡ଼କାକୁଡ଼ି ମଧୁର ରସ, ଶୀତଳ, ଗରୁପାକ, ରୁଚିକାରକ, ବାୟୁବର୍ଦ୍ଧକ, ମୂତ୍ରକାରକ ଓ କଫଜନକ ଏବଂ ଦାହ, ବାନ୍ତି, ପିତ୍ତ, ଭ୍ରମ, ମୂତ୍ରକୂଚ୍ଛ ଓ ମୂତ୍ରାଶ୍ମରୀ ରୋଗରେ ଉପକାରକ ।


ବି.ଦ୍ର. - କାକୁଡ଼ି ଚଟଣି  ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏହି ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।