Monday, September 04, 2017

ପାଲି ଧମ୍ମପଦ (୬୬) ର ଓଡ଼ିଆ  ପଦ୍ୟାନୁବାଦ

୭ ବାଳବଗ୍ଗୋ (ବାଳ ବର୍ଗ)


ଇଣ୍ଡୋନେସିଆ ଦେଶର ବୋରବୋଦୁର ସ୍ତୁପ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦୁରୁବୁଦ୍ଧିଯୁକ୍ତ ଯେବେ ଅପଗଣ୍ଡମାନ
ନିଜଠାରେ ଶତୃ ପରି କରି ବିଚରଣ ।

ପାପ କର୍ମ କରି ସେ ଯେ କରନ୍ତି ବିହାର
ବଡ଼ କଷାୟ ହୁଅଇ ଫଳଟି ତାହାର ।୭।  

ଚରନ୍ତି ବାଳା ଦୁମ୍ମେଧା ଅମିତ୍ତେନେବ ଅତ୍ତନା ।
କରୋନ୍ତା ପାପକଂ କମ୍ମଂ ଯଂ ହୋତି କଟୂକପ୍ଫଳଂ ।୭।

ଚରନ୍ତି ବାଳା ଦୁର୍ମ୍ମେଧସଃ ଅମିତ୍ରେଣୈବ ଆତ୍ମନା ।
କୁର୍ବନ୍ତଃ ପାପକଂ କର୍ମ୍ମ ୟତ୍ ଭବତି କଟୂକଫଳମ୍ । ୭।

Sunday, September 03, 2017

ସାନ୍ତାଳୀ ଲୋକ କବିତା - 'ପତର'

ସଙ୍ଗ୍ରହକ - ବ୍ରହ୍ମାନନ୍ଦ ଦାସ 


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେଉଁ ପତର ଝରି ପଡ଼ିଛି
ସେ ସବୁ ସାଉଁଟିବାକୁ
ଆମେ ଏ ଗାଁର ଯୁବା ଯୁବତୀ
ଆସିଛୁ ବାହାରି ।

ପୁଣି, ଯେଉଁ ପତର ସବୁ
ଝରିବାକୁ ଅଛି
ନୁଆଇଁ ଗଛର ଡାଳ
ସେ ସବୁକୁ ନେବୁ ଆମେ ତୋଳି ।

ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।

ମାଥିଉଙ୍କର ମଙ୍ଗଳ ସମାଚାର - ୨୩

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଚିତ୍ର - 'ମେଷପାଳକମାନଙ୍କର ଆରାଧନା'
ଚିତ୍ରକର - ଗେରାଡ଼୍ ଭନ୍ ହନ୍ଥ୍ରଷ୍ଟ୍ (୧୫୯୨-୧୬୫୬)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆମ୍ଭେ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛୁ ଏହା ମନେ କର ନାହିଁ ; ଶାନ୍ତି ଦେବାକୁ ନୁହେ ମାତ୍ର ଖଣ୍ଡା ଦେବାକୁ ଆସିଅଛୁଁ ; ଯେହେତୁ ପିତା ସହିତ ପୁତ୍ରର ଓ ମାତା ସହିତ କନ୍ୟାର, ପୁଣି ଶାଶୁ ସହିତ ପୁତ୍ରବଧୁର ବିରୋଧ କରାଇବାକୁ ଆସିଅଛୁଁ । ତହିଁରେ ମନୁଷ୍ୟର କୁଟୁମ୍ବମାନେ ତାହାର ଶତୃ ହେବେ । ପୁଣି ଯେ କେହି ପିତା ବା ମାତାକୁ ଆମ୍ଭଠାରୁ ଅଧିକ ସ୍ନେହ କରେ, ସେ ଆମ୍ଭର ଯୋଗ୍ୟ ନୁହେ ; ପୁଣି ଯେ କେହି ଆପଣା ପୁତ୍ର ବା କନ୍ୟାକୁ ଆମ୍ଭଠାରୁ ଅଧିକ ପ୍ରେମ କରେ, ସେ ଆମ୍ଭର ଯୋଗ୍ୟ ନୁହେଁ । ଆଉ ଯେ କେହି ଆପଣ।  କ୍ରୁଶ ନେଇ ଆମ୍ଭର ପଶ୍ଚାଦ୍ଗାମୀ ନ ହୁଏ, ସେ ଆମ୍ଭର ଯୋଗ୍ୟ ନୁହେ । ଯେ କେହି ଆପଣା ପ୍ରାଣ ରକ୍ଷା କରେ, ସେ ତାହା ହରାଇବ ; ଯେ କେହି ଆମ୍ଭ ନିମନ୍ତେ ଆପଣା ପ୍ରାଣ ହରାଏ, ସେ ତାହା ରକ୍ଷା କରିବ ।

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

Saturday, September 02, 2017

ସାନ୍ତାଳୀ ଲୋକ କବିତା - 'ମହୁଲ ଫୁଲ'


ସଙ୍ଗ୍ରହକ - ବ୍ରହ୍ମାନନ୍ଦ ଦାସ 


ମହୁଲ ଫୁଲ : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୋଖରୀ ଧାରରେ
ମହୁଲ ଗଛରୁ
ଝରିପଡ଼େ ମହୁଲ ଫୁଲ ।

ଘୋଡ଼ା କିଛି ଖାଇଯାଏ
ମୁଁ କିଛି ଅଣ୍ଟିରେ ପୁରାଏ ।

ମହୁଲ ଫୁଲ
ତଥାପି ଝରେ
ସରିଯାଏନା, ଝରେ ।

ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।

ସାରୁ ଚଟଣି


ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପ୍ରଣାଳୀ -   ସାରୁକୁ ଭଲ ରୂପେ ଘସି ଧୋଇ ପରିଷ୍କାର କନା ଖଣ୍ଡେ ଧୋଇ, ତହିଁରେ ଟିକେ ଢ଼ିଲାକରି ବାନ୍ଧି ଭାତରେ ପକାଇ ସିଝାନ୍ତୁ ।ସିଝିଗଲେ ବାହାର କରି ଆଣି ଛଡ଼ାନ୍ତୁ ଏବଂ ଚକଟି କଞ୍ଚାମରିଚ, ତେଲ ଓ ଲୁଣ ଦେଇ ଖାଇବାକୁ ଦିଅନ୍ତୁ ।

ଗୁଣାଗୁଣ - ସାରୁ ମଧୁର, କଟୁ ରସ, ପିଚ୍ଛିଳ, ଗୁରୁପାକ, ମଳଭେଦକ, ଏବଂ ବାୟୁ ପିତ୍ତ ଓ ଆମଦୋଷର ବୃଦ୍ଧିକାରକ ।

ବି.ଦ୍ର. - ସାରୁ ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

Friday, September 01, 2017

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୪


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'


ପୁରୀର ଶ୍ରୀମନ୍ଦିର : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଖଜା - ମଇଦା, ଚିନି ଓ ଘିଅରେ ତିଆରି ହୋଇଥିବା ପିଠା । ମକର ସଙ୍କ୍ରାନ୍ତିରେ ଦେବତାଙ୍କୁ ଖଜା ବା ତିଲୁଆ ଭୋଗ ହୁଏ । ଏହାକୁ ଫେଣି ବୋଲି କୁହାଯାଏ ।

ଖଟଣି - ବରାଦିଆ ମହାପ୍ରସାଦ । ଦେବତାଙ୍କ ନିକଟରେ ଖଞ୍ଜାଥିବା ଦୈନିକ ଭୋଗ । ରାଜା ଓ ଦେବତାଙ୍କ ସେବାରେ ନିୟୋଜିତ ଭୃତ୍ୟ ଦଳଙ୍କୁ ଖଟଣିଆ କହନ୍ତି । ଶ୍ରୀମନ୍ଦିରର ଶ୍ରୀଜୀଉଙ୍କ ସେବାକାରୀଙ୍କୁ କାବ୍ୟସାହିତ୍ୟରେ ଖଟଣି ସାମନ୍ତ ବୋଲି କୁହାଯାଏ ।

ଖଟୁଆନିତିଆନି - ଆଶ୍ୱିନ ଷୋଳପୂଜା ମଧ୍ୟରେ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ଶ୍ରୀମନ୍ଦିରରୁ ବିମଳାଙ୍କ ପାଖେ ସଙ୍ଖୁଡ଼ି ଭୋଗ ପାଇଁ ବ୍ୟବହୃତ ହେଉଥିବା ମାଛ । ମାଛ ଶବ୍ଦ ଶ୍ରୀମନ୍ଦିର ମଧ୍ୟରେ ପ୍ରୟୋଗରେ ବାରଣ ଥିବାରୁ ଏହା ଖଟୁଆନିତିଆନି ନାମରେ ଶ୍ରୀମନ୍ଦିର ଭାଷାରେ ପ୍ରଚଳିତ । 

ଖଡ଼କା - ଖଡ଼କା ସେବକ ଠାକୁରଙ୍କ ଭୋଗ ଛେକ ସ୍ନାନ ମଣ୍ଡପକୁ ଆସିବାବେଳେ ଆଗେ ଆଗେ ରାସ୍ତାରେ ଚୂନପାଣି ପକାନ୍ତି ଓ ରାସ୍ତା ପରିଷ୍କାର ରଖନ୍ତି । ଠାକୁର ବିଜେ ପୂର୍ବରୁ ରାସ୍ତା ପରିଷ୍କାର କରିବା ଏମାନଙ୍କ କାର୍ଯ୍ୟ । 

ଖଣ୍ଡମଣ୍ଡା - ଶ୍ରୀଜୀଉଙ୍କ ଭୋଗରେ ଲାଗି ହେଉଥିବା ଏକ ପ୍ରକାର ପିଷ୍ଟକ ବିଶେଷ । ମଇଦା, ଚାଉଳ ଚୂନା ମିଶି ଏହି ପିଠା ପ୍ରସ୍ତୁତ ହୁଏ । ମକର ସଙ୍କ୍ରାନ୍ତିରେ ଲାଗିହୁଏ ।

ଖଣ୍ଡଶାକର ଯୋଗାଣିଆ - ଶ୍ରୀମନ୍ଦିରରେ ଖଇ, କୋରା, ଶାକର, ଫେଣି ଆଦି ଯୋଗାଉଥିବା ଗୁଡ଼ିଆ ସେବକ ।

ଖିରା - କ୍ଷୀର, ଛେନା, କଦଳୀ ଓ ଚିନି ସହିତ ଗୋଲମରିଚ, ଅଦା, ଅଳେଇଚଗୁଣ୍ଡ ମିଶ୍ରଣରେ ଏହା ପ୍ରସ୍ତୁତ ।ଏହା ଠାକୁରଙ୍କ ଜେଓଡ଼ ଭୋଗରେ ଲାଗି କରାଯାଏ । ଖୁବ୍ ଘନ ହୋଇ ଆଉଟା ହୋଇ ଖିରି ପରି ଗାଢ଼ ହୋଇଥିବା ଦୁଧ, ରାବିଡ଼ି ।  

ସାନ୍ତାଳୀ ଲୋକ କବିତା - 'କୋଇଲିକୁ'


ସଙ୍ଗ୍ରହକ - ବ୍ରହ୍ମାନନ୍ଦ ଦାସ 


ଅଷ୍ଟ୍ରେଲିଆର କୋଇଲି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କୋଇଲି,
ନୂଆ ନୂଆ କଅଁଳ ପତ୍ର
ଆଢ଼ୁଆଳେ ଥାଇ
କାହାପାଇଁ ଗୀତ ଗାଉଚୁ
ଏଡ଼େ ଉଚ୍ଚ ସ୍ୱରରେ ଆକୁଳ ପ୍ରାଣରେ ?

କୋଇଲି,
ମୋର ବି ସାଥି ନାହିଁ
ମୁଁ କାନ୍ଦୁଚି ଦିନ ରାତି
ଠିକ୍ ତୋରି ପରି

ମୁଁ କାନ୍ଦୁଚି ମୋର
ପହିଲି ଯୌବନରେ ।

ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।