Wednesday, August 23, 2017

ମହିମା ଭକ୍ତି କବିତା - 'ଗୁରୁ ପାଦ ତଳେ'


ଭକ୍ତ କବି ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗୁରୁ ପାଦ ତଳେ ଗତି ମୁକତି ଗୋ
ଆଉ କଥାମାନ ଫଳ ସୁରତି ଗୋ । ଘୋଷା ।

ଅତିଥିକୁ ଦେଖି ମାନ୍ୟ ଆତ୍ମା ଚିହ୍ନି ଅନ୍ନଦାନ
ଯେ ଅବା ଦିଅନ୍ତି ଗୋ, ଧର୍ମକୁ ଲଭନ୍ତି
ବୋଲାନ୍ତି ପ୍ରଭୁ ଭକତ ଦାନୀପଣେ ସାମରଥ
ପଣ୍ଡିତ ସୁଜ୍ଞାନୀ ସେହୁ ଅଟନ୍ତି ଗୋ ।୧।

ପୁଣ୍ୟ ଯେବେ କରିଥିବ ଧର୍ମ ତାକୁ ସାହା ହେବ
ବ୍ରହ୍ନକୁ ଚିହ୍ନନ୍ତି ଗୋ, ବୈକୁଣ୍ଠେ ବସନ୍ତି
ଅଟନ୍ତି ସେ ମହାଜନ ଅଭୟ ବ୍ରହ୍ମରେ ଲୀନ
କଟିତ ହୁଅଇ କାଳ ବିପତ୍ତି ଗୋ ।୨।

ବ୍ରହ୍ମଙ୍କୁ ଚିହ୍ନିଲା ଲୋକ ସକଳଠାରୁ  ଅଧିକ 
ପାଦକୁ ସେବନ୍ତି ଗୋ, ଭେଦକୁ ଜାଣନ୍ତି
ପ୍ରସନ୍ନ ହୋଇଲେ ବ୍ରହ୍ମ ତୁଟିଯାଇ ମାୟା ଭ୍ରମ
ଅନଳ ପରାଏ ଅଙ୍ଗ ମୂରତି ଗୋ ।୩।

ଅଲେଖ ପୁରୁଷ ଯେହୁ ଲେଖାରେ ନ ବସେ ସେହୁ
ଅଶ୍ରୁତି ଅମୂର୍ତ୍ତି ଗୋ, ନାହିଁ ରୂପକାନ୍ତି
ମହା ଶୂନ୍ୟ ଶୂନ୍ୟ ଦେହୀ ନିଶବ୍ଦରେ ଛନ୍ତି ରହି
ଛପନା କୋଟି ଜୀବର ସମ୍ପତ୍ତି ଗୋ ।୪।

ନିଗମ ଭୂବନ ସେହି ମହା ଦୁର୍ଗମ ଅଟଇ
ଗଲେ ନ ଆସନ୍ତି ଗୋ, ପେଲି ନ ପଶନ୍ତି
ତହିଁକି ଦୃଷ୍ଟି ଲଗାଇ ଯେ ପାରିଲେ ଧର ଯାଇ
ଭକତ ପଣକୁ ଯେହୁ ଶକତି ଗୋ ।୫।

ଭାବକୁ ଆସନ୍ତି ଚାଲି ପୁଣି ପଛେ ଦ୍ୟନ୍ତି ଛଳି
ସତ୍ୟ ଥିଲେ ଥା’ନ୍ତି ଗୋ, ଅସତ୍ୟେ ନ ଥା’ନ୍ତି
ଭଣେ ଭୀମ ଅରକ୍ଷିତ ଧ୍ୟାୟି ଗୁରୁ ପାଦଗତ
ନିଷ୍କାମ ନିର୍ଗୁଣେ ଧରା ଦିଅନ୍ତି ଗୋ ।୬।

Tuesday, August 22, 2017

କଦଳୀ ଚଟଣୀ


ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଉପକରଣ - ବଡ଼ ପୋଖତ ଯେଉଁ କଦଳୀ ଚକଟିଲେ ନରମ ହୋଇଯିବ (ଏକଜାତୀୟ କଦଳୀ ଅଛି ଯେ ସିଝିଲେ ଶକ୍ତ ହୁଏ, କିନ୍ତୁ ଅନ୍ୟ କେତେକ ସିଝାଇଲେ ବେଶ ମୋଲାମ ନରମ ହୁଏ ) ଏହିଭଳି କଦଳୀ ଯୋଡ଼ିଏ, ଲୁଣ ଅଧତୋଳେ, ଗୋଲମରିଚ ଗୁଣ୍ଡା ଚିମୁଟେ, ଅଦା ଅଧଗିରେ, ଘିଅ ପଳେ, କାଗଜି ଲେମ୍ବୁ ଗୋଟାକର ତିନିଭାଗର ଏକ ଭାଗ, ଗୋଟା ଗୋଲମରିଚ ବା କିସମିଶ ଚାରିଟା ।

ପ୍ରଣାଳୀ - କଦଳୀ ଚୋପା ଛଡ଼ାଇବ ନାହିଁ ; ଚୋପା ସୁଦ୍ଧା ଧୋଇ ଭାତରେ ପକାଇବ । ସିଝିଗଲେ ବାହାର କରିନେଇ ଗରମଗରମ ଥାଉ ଥାଉ ଛଡ଼ାଇ ଚକଟିବ । ଥଣ୍ଡା ହୋଇଗଲେ କଦଳୀର ଶସ ଶୁଖିଲା ହୋଇଯାଏ, ଭଲ ଚକଟି ହୁଏ ନାହିଁ । ଅଦା ଛଡ଼ାଇ ସରୁ, ଛୋଟ, ଲମ୍ବା କରି କାଟ । କଦଳୀ ଚକଟାରେ ଘିଅ, ଲୁଣ, ମରିଚଗୁଣ୍ଡି, ଓ ଲେମ୍ବୁର ରସ ମିଶାଇ ବାଦାମି ଆକାରରେ ଗଢ଼ । ଅଦାଖଣ୍ଡମାନ ତେରଛା ଭାବରେ ପୋତି ଯାଅ;  ଧୀରେ ଧୀରେ ମଝିରେ ମରିଚଟିଏ ଅଧା ପୋତିଦିଅ ।

ଗୁଣାଗୁଣ - କଞ୍ଚା କଦଳୀ ଶୀତଳ, ମଳରୋଧକ, ଦୁର୍ଜୟ ଓ ବଳବର୍ଦ୍ଧକ

ବି.ଦ୍ର. - କଦଳୀ ଚଟଣୀ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

ଚାଟଶାଳୀର ଗଣେଷ ବନ୍ଦନା


ବାଶୋଲି ମିନିଏଚର (୧୭୩୦)
ଜାତୀୟ ସଙ୍ଗ୍ରହାଳୟ, ନୂଆ ଦିଲ୍ଲୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


କରୀ ମସ୍ତକେ କପୋଳୋ ଶୋହେ ଚିତା
ଖଡ଼ଗ ଡମ୍ବରୁ ଶୋହେ ବ୍ରହ୍ମବେତ୍ତା
ଗ୍ୟାନ ଗୁରୁ ବୋଲି ଦେବେ ଦେଲେ ବର
ନମୋ ନମୋ ଗଣନାଥ ବିଦ୍ୟାବର ।

ଚତୁରପଣେ ଅମୃତ ଲଡ଼ୁକର
ନମୋ ନମୋ ଗଣନାଥ ବିଦ୍ୟାବର
ଛତ୍ରୀବୀରପଣେ ବାନାଉଡ଼େ ନେତ
ଜଟା କଉପୀନ ବେଶ ଚଣ୍ଡୀସୁତ ।

ଡାକି ଡମ୍ବରୁ ବଜାନ୍ତି ଗଣେଶ୍ୱର
ଢଳି ଢଳି ନୃତ୍ୟକର ବିଦ୍ୟାବର । 

ବି.ଦ୍ର. - ଶିକ୍ଷାସନ୍ଧାନ ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତିଙ୍କର ଆତ୍ମଜୀବନୀ 'ଆମ ପାଠପଢ଼ା ସମୟ'ରୁ ସଙ୍ଗୃହିତ 

Monday, August 21, 2017

ମହିମା ଭକ୍ତି କବିତା - 'ନିରନ୍ତରେ ଭଜୁଥାଅ ନାମକୁ ଗୋ'


ଭକ୍ତ କବି ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ନିରନ୍ତରେ ଭଜୁଥାଅ ନାମକୁ ଗୋ
ଛାଡି ସୁତ ବିତ୍ତ ଦାରା ଧନକୁ ଗୋ । ଘୋଷା।

ଏ ସେ ବ୍ରହ୍ମ ଜ୍ଞାନ ତତ୍ତ୍ୱ ଏ ଜୀବ ଆତ୍ମାକୁ ହିତ
ଆସଇ ମନକୁ ଗୋ, ସୁଜ୍ଞାନୀ ଜନଙ୍କୁ
ପଚିଶ ପ୍ରକୃତି ମାରି ମନ ପବନରେ ଭରି
ଧରିଥିବ ମନ ଧ୍ୟାନ ଯୋଗକୁ ଗୋ ।୧।

ଏତେବେଳେ ଥିଲେ ବାଞ୍ଛି ନିଶ୍ଚୟେ ରଖିବେ ସଞ୍ଚି
ଆଗତ ଦିନକୁ ଗୋ, ଭକତମାନଙ୍କୁ
ପୃଥ୍ୱୀ ହୋଇଲେ ଉତ୍ସୁକ ଶୂନ୍ୟରୁ ପଡିବ ଡାକ
ଡେରିଥିବ ବାମକର କର୍ଣ୍ଣକୁ ଗୋ ।୨।

ଅମଡା ଅପୋଡା ଭୂଇଁ ଚନ୍ଦ୍ର ସୂର୍ଯ୍ୟ ଗମ୍ୟ ନାହିଁ
ଲୋଡା ସେ ସ୍ଥାନକୁ ଗୋ, ସୁମରି ଗୁରୁଙ୍କୁ
ପାଞ୍ଚ ମନ କଲେ ତତ୍ତ୍ୱୁ ପାଇବ ପୂର୍ବର ହେତୁ
ଭାଜନ ହୋଇବ ଦାସପଣକୁ ଗୋ ।୩।

ଗମି ପାରିଲେ ସେ ପୁର ଯୁଗ ଯୁଗାନ୍ତେ ଅମର
ଛେଦଇ ଭୟକୁ ଗୋ, ଭେଦଇ ଜ୍ଞାନକୁ
ସୁଜନେ ନ ଦେବ ଦୋଷ ଶ୍ରୀଗୁରୁ ଆଜ୍ଞାରେ ଦୃଶ୍ୟ
ସେଠାରୁ ଫିଟିଛି ବାଟ ଶୂନ୍ୟକୁ ଗୋ ।୪।

ବହୁଛି ବସନ୍ତ ତହିଁ କ୍ଷୁଧା ତୃଷ୍ଣା ବାଧା ନାହିଁ
ସୁସ୍ଥ ଏ ପିଣ୍ତକୁ ଗୋ, ଆଶ୍ୟ ଏ ଜୀବକୁ
ସଦ ବ୍ରହ୍ମଜ୍ଞାନ ଏହି ତିନି ତ୍ରୈଲୋକ୍ୟ ନ ପାଇ
ହିତକୁ ଆସଇ ଜ୍ଞାନୀ ଜନକୁ ଗୋ ।୫।

ବ୍ରହ୍ମଲୋକଙ୍କର ବାସ ତହିଁକି କରିଛି ଆଶ
ବିଚାରି ମନକୁ ଗୋ, ନ ଭଜି ଆନକୁ
କହେ ଭୀମ ଅରକ୍ଷିତ ଶ୍ରୀଗୁରୁ ଯେମନ୍ତେ ସତ୍ୟ
ଭାଗ୍ୟେ ଥିଲେ ଯିବି ତପୋବନକୁ ଗୋ ।୬।

 ପାଲି ଧମ୍ମପଦ (୬୪) ର ଓଡ଼ିଆ  ପଦ୍ୟାନୁବାଦ

୫ ବାଳବଗ୍ଗୋ (ବାଳ ବର୍ଗ)


ବୁଦ୍ଧଙ୍କର ମହାପ୍ରୟାଣର ସ୍ଥାନ କୁଶୀନଗର ଠାରେ ସ୍ଥାପିତ ବୌଦ୍ଧ ସ୍ତୁପ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆକମନ୍ସ୍

ଯଦି ମୂର୍ଖ ଜନ କେହି ଜନ୍ମରୁ ମରଣ
ପର୍ଯ୍ୟନ୍ତ ପଣ୍ଡିତ ଲୋକେ କରେ ଉପାସନ ।

ଡଙ୍କି ଯେପରି ଝୋଳର ରସ ନ ଚାଖଇ
ସେହିପରି ବାଳଜନ ଧର୍ମ  ନ ଜାଣଇ ।୫।

ଯାବଜୀବମ୍ପି ଚେ ବାଳୋ ପଣ୍ଡିତଂ ପୟିରୁପାସତି ।
ନ ସୋ ଧମ୍ମଂ ବିଜାନାତି ଦବ୍ବୀ ସୂପରସଂ ଯଥା ।୫।

ଯାବଜ୍ଜୀବମପି ଚେତ୍ ବାଳଃ ପଣ୍ଡିତ‌ଂ ପର୍ଯ୍ୟୂପାସ୍ତେ ।
ନ ସଃ ଧର୍ମ୍ମଂ ବିଜାନାତି ଦର୍ବ୍ୱୀ ସୂପରସଂ ୟଥା ।୫। 

ସ୍ତ୍ରୀଲିଙ୍ଗ ନିର୍ମାଣ


ଜ୍ୟୋତି ନନ୍ଦ


ପୁସ୍ତକ - 'ଦି ଫିମେଲ୍ ୟୁନକ୍'
ପ୍ରଥମ ସଂସ୍କରଣର ମଲାଟ (୧୯୭୦)
ଲେଖିକା - ଜର୍ମେନ୍ ଗ୍ରିଅର୍
(୨୯ ଜାନୁୂଆରୀ ୧୯୩୯- ବର୍ତ୍ତମାନ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 



ଏଇ ଶୀର୍ଷକ଼ଟି କବି ଓ ନାରୀବାଦୀ ମଲ୍ଲିକା ସେନଗୁପ୍ତଙ୍କର ଗୋଟିଏ ବହିର ମଧ୍ୟ  । ପ୍ରତିବେଶୀ ବଙ୍ଗଳାର ଏଇ ପ୍ରଥିତଯଶା ଲେଖିକା "ସୀତାୟନ" ବୋଲି ଗୋଟିଏ ରାମାୟଣ ଲେଖିଛନ୍ତି । ତାଙ୍କର ଅମର ସ୍ମୃତି ପ୍ରତି ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ନାରୀଟିଏ ଜନ୍ମ ହୁଏ ନାହିଁ, ମାତ୍ର ନାରୀଟିକୁ ଆମେ ନାରୀ କହିଲେ ଯେମିତି ଦେଖୁ ବା ଭାବୁ, ସେମିତି ତାହାକୁ ନିର୍ମାଣ କରାଯାଇଥାଏ ।ଅର୍ଥାତ୍ କଳେବଳେ କଉଶଳେ ସେମାନଙ୍କୁ ଶରୀର ଭିତରେ ବନ୍ଦୀ କରାଯିବାର ଚେଷ୍ଟା ଚାଲିଥାଏ । ଆଉ ସେଥିରେ ଆମେ ବିଶେଷ ଭାବରେ ସଫଳ ।

ନାରୀର ଶ୍ରେଷ୍ଠ ରୂପ ଆମେ କହୁ ମାଆ, ଯାହାର ଏମିତି ଅର୍ଥ ବି ହୋଇପାରିବ ଯେ ନାରୀଟିର ସର୍ବଶ୍ରେଷ୍ଠ ଉପଲବ୍ଧି ହେଉଛି ସନ୍ତାନ ଉତ୍ପାଦନ ଆଉ ସନ୍ତାନର ପାଳନ । ମାଆଟିର ଯୌନତାକୁ ଆମେ ଗ୍ରହଣ କରିପାରୁନାହିଁ, ଯେମିତି ବାପାଟିର ଯୌନତାକୁ ଆମେ ମୋଟାମୋଟି ଭାବେ ଗ୍ରହଣ କରିନେଇଥାଉ । ସାବତ ମାଆଟି ଆମର ପସନ୍ଦ, ସାବତ ବାପ ସେତେ ନୁହଁ । ସେଇଥି ପାଇଁ ନାରୀବାଦୀ ଜର୍ମାନେ ଗ୍ରୀଅର୍ 'ଦି ଫିମେଲ୍ ୟୁନକ୍' ବା 'ଲିଙ୍ଗହୀନା ନାରୀ ବୋଲି ଗୋଟିଏ ସୁନ୍ଦର ବହି ବି ଲେଖିଛନ୍ତି ।

କହିବାକୁ ଗଲେ ସନ୍ତାନ ଜନ୍ମ, ରୂପଚର୍ଯ୍ୟା, ପତି ପରମଗୁରୁ ଲଗାମରେ ବନ୍ଧା ବିବାହର ସାମାଜିକତା ଓ ଯୌନ-ପୁସ୍ତକ ଆଦିରେ ଆମେ ନାରୀକୁ ଶରୀରରେ ବାନ୍ଧିଥାଉ ।

ଷଷ୍ଠ ଦଶକ ମଝିରୁ ଜନ୍ମ ନିୟନ୍ତ୍ରଣ ବଟିକାର ଉଦ୍ଭାବନ ନାରୀକୁ ଶରୀର-ମୁକ୍ତିର ଆନନ୍ଦ ଦେଇଥିଲେ ହେଁ, ଆମେ ପ୍ରସାଧନ ସାମଗ୍ରୀର ବିପଣନରେ ସେମାନଙ୍କୁ ବଶ କରିନେଲୁ । ଆମ ଗଳିର ବାପାମାଆ ମାନେ ହୋଟେଲ୍ କ୍ରାଉନ୍ ସାମ୍ନାରେ କାମ ପାଇବା ଆଶାରେ ହାତବାନ୍ଧି ବସିଥିଲା ବେଳେ ତାଙ୍କର କିଶୋରୀ ଝିଅ ବିଜ୍ଞାପନର ହଳଦିଆ କାଗଜ ଖଣ୍ଡେ ଧରି ବିଶ୍ୱସୁନ୍ଦରୀ ହେବାର ସ୍ୱପ୍ନ ଦେଖିଲା ।

ଯଦି ନାରୀଟିଏ ଆର୍ଥିକ ସ୍ୱଚ୍ଛଳତାକୁ ମାଧ୍ୟମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଲା, ନିଜ ପ୍ରେମକୁ ଲିଭ୍ ଇନ୍ ରେ ରୂପାୟିତ କରିବାକୁ ଚାହିଁଲା, ସେତେବେଳେ ଆମେମାନେ ଲକ୍ଷ ଲକ୍ଷ ଯୌନପୁସ୍ତକ ପ୍ରସ୍ତୁତ କରି ତାହାକୁ ସଂସ୍କୃତିର ବଶବମ୍ବଦା ହେବାପାଇଁ ବାଧ୍ୟ କଲୁ । ସେହି ସବୁ ପୁସ୍ତକରେ ଆପଣଜାଣନ୍ତି ନାରୀଟି ଶାରୀରିକ ଭାବରେ ଚିର ପିପାସୁ ବୋଲି ଚିତ୍ରିତ । ପୁରୁଷ ଯେମିତି ଶରୀର କ୍ଷେତ୍ରରେ ଏକ ଉଦାସୀନ ଧର୍ମଯାଜକ ।

ବାଃ।

ଏବେ ତ ଆମ ହାତରେ ସାଇବର୍ ଜଗତ ଅଛି । ଆମକୁ ଲାଗୁଛି ଯେମିତି ଆରପଟରେ ବିଚରଣ କରୁଛନ୍ତି ଅସଂଖ୍ୟ ଭର୍ଚୁଆଲ୍ ଅସତୀ ।ସେଇ ଅସତୀ ଶବ୍ଦଟିକୁ ମୁଁ ବ୍ୟବହାର କରିବାକୁ ସବୁବେଳେ କୁଣ୍ଠା ପ୍ରକାଶ କରିଥାଏ, ଯେହେତୁ ତାହାର ପୁରୁଷ ସୁଲଭ ବ୍ୟବହାରଯୋଗ୍ୟ ପ୍ରତିଶବ୍ଦ ନାହିଁ ସେଇଥିପାଇଁ । ଆଗରୁ ଶ୍ରୀଯୁକ୍ତ କମଳାକାନ୍ତ ମହାପାତ୍ରଙ୍କ ସେକ୍ରେଟାରୀଏଟ୍ ର ବାବୁଟି ଅଫିସ୍ ସାରିଲା ପରେ ମାଳିସାହିକୁ ଯାଉଥିଲା । ଏବେ କୁଆଡକୁ ଯିବା ଦରକାର ନାହିଁ । ଢେର ରାତି ହେଲେ ଚିନ୍ତକ ହେଉକି ଅଚିନ୍ତକ, ସମସ୍ତେ ସହଜରେ ଭର୍ଚୁଆଲ୍ ଶରୀର ଖୋଜିବେ । ଆଉ ତୃପ୍ତ ହେବେ ନିଜ ଶରୀର କର୍ମରେ । ମୋର ଆଖି କାନ ନାକ ପାଟି ଆଦି ସବୁ ପୁରୁଷାଂଙ୍ଗ ହୋଇଥିଲା କେବଳ ବେଳେ ମୋ'ର ନିର୍ଦ୍ଦିଷ୍ଟ ଗୋଟିଏ ଅଙ୍ଗକୁ କାହିଁକି ପୁରୁଷାଙ୍ଗ କୁହାଯିବ, ବା କୁହାଯାଉଛି, ସେକଥାକୁ ମୁଁ ଏଯାଏଁ ବୁଝିପାରିନାହିଁ । 

ବିଚାର ଆପଣଙ୍କର । ଏ ପ୍ରସଙ୍ଗଟି ବହୁତ ଦୀର୍ଘ । ବହୁତ କଥା ଅଛି । ପରେ ଗପ କରିବା ।

ମୁଁ ମୋର ଶିକ୍ଷକ ଜୀବନର ଏକତୃତୀୟାଂଶ ସମୟ ଝିଅମାନଙ୍କ ସହ ବିତାଇଛି । ମୁଁ ବେଳେବେଳେ ସେମାନଙ୍କୁ ପଚାରେ, ତମ ଘରମାନଙ୍କରେ ନିଷ୍ପତ୍ତି କିଏ ନିଏ, ବାପା ନା ମାଆ ? ଅଧିକାଂଶ ସମୟରେ ସେମାନେ ଖାଲି ହସିଥାଆନ୍ତି । ହସକୁରୀ ଝିଅଟିକୁ ଦେଖିବାକୁ ଭାରି ସୁନ୍ଦର ଲାଗେ । କିନ୍ତ ମୁଁ ତାହା ଭିତରର ବିମର୍ଶର ଭାବଟି ପଢିପାରେ ।

ପରିବାରରେ ପିଲାପିଲି ହେବାର ନିଷ୍ପତ୍ତି କିଏ ନିଏ  ? ନା, ଏଇ ପ୍ରଶ୍ନ ମୁଁ ମୋ' ପିଲାମାନଙ୍କୁ ବୋଧହୁଏ ପଚାରିପାରିବି ନାହିଁ ।

Sunday, August 20, 2017

ମହିମା ଭକ୍ତି କବିତା - 'ଭଜ ଆହେ ଜ୍ୟୋତିନାଦ'


ଭକ୍ତ କବି ଭୀମ ଭୋଇ


ରୁଦ୍ର ବୀଣା : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭଜ ଆହେ ଜ୍ୟୋତିନାଦ କରୁଛି ବୀଣା ଶବଦ
ଶବଦ ଉପରେ ରହିଅଛିଟି ନିର୍ବେଦ । ଘୋଷା ।

ବେଦର ଉପରେ ରହିଅଛିଟି ନିର୍ବେଦ
ନିର୍ବେଦ ଉପରେ ଅଛି ଅଣାକାର ପଦ ।୧।

ଅଣାକାର ପାଦବିନ୍ଦ ଗଳୁଅଛି ମକରନ୍ଦ
ଧ୍ୟାନକରି ସାଧୁଜନେ ପିଅ ମକରନ୍ଦ ।୨।

ଅଲେଖ ଶୂନ୍ୟ ଶବଦ ଶୂନ୍ୟେ କରୁଅଛି ନାଦ
ଶୂନ୍ୟପୁରେ ଦ୍ୱାରୀ ହୋଇଛନ୍ତି ଚାରିବେଦ ।୩।

ଶୂନ୍ୟ ଜ୍ୟୋତି ପାଦମୋଦ ରହିଛନ୍ତି ଛଡବେଦ
ଛଡ ମଣ୍ଡଳରେ ଶୂନ୍ୟ ରୂପ କରି ଭେଦ ।୪।

ଋକ୍ ସାମ ଯଜୁ ଅଥ ତଳ ପାବଚ୍ଛରେ ମୁଦ
ଅଲେଖ ବ୍ରହ୍ମେ ବିଷ୍ଣୁଙ୍କୁ କରିଛନ୍ତି ଭେଦ ।୫।

ଅଭୟ ବ୍ରହ୍ମର ପଦ ଭଜିଣ କରନ୍ତି ମୁଦ
ଭଜୁଛନ୍ତି ନିର୍ବେଦରେ ଭକ୍ତ ଜନ ବୃନ୍ଦ ।୬।

ଶୂନ୍ୟେ ଶୂନ୍ୟେ ବ୍ରହ୍ମନାଦ ରହି ଅନାମିକା ପଦ
ବୀଣାଯନ୍ତ୍ର ଚାଳୁଛନ୍ତି ଅଲେଖ ନିର୍ବେଦ ।୭।

ଅଲେଖ ଅରୂପାନନ୍ଦ ଶୂନ୍ୟେ ରାଉଅଛି ନାଦ
ଲୟ କରି ସାଧୁ ଜନେ ମନକୁ ନିରୋଧ ।୮।

ଧର ନିଷ୍କାମ ନିର୍ବେଦ ମାୟା ଜାଲମାନ ଛେଦ
ଶୂନ୍ୟେ ଜ୍ୟୋତିପାଦ ଚିତ୍ତେ ମନକୁ ମୋଦ ।୯।

ଅଣାକାର ପାଦବିନ୍ଦ ଝରୁଅଛି ମକରନ୍ଦ
ଭଣିଲେ ସେ ଭୀମକନ୍ଧ କବିକୁଳ ଚାନ୍ଦ ।୧୦।