Tuesday, July 11, 2017

ପ୍ରଥମ ଶ୍ରାବଣ ସନ୍ଧ୍ୟାର ବର୍ଷଣମୁଖୀ ମେଘମାଳା


ଜ୍ୟୋତି ନନ୍ଦ 


ଚିତ୍ର - 'ଡ୍ୱେଲିଙ୍ଗ ଇନ ଦି ଫ୍ଲୋଟିଙ୍ଗ୍ ଜେଡ଼ ମାଉଣ୍ଟେନ୍ସ୍' (ତ୍ରୟୋଦଶ ଶତାବ୍ଦୀ, ବେଜିଙ୍ଗ)
ଚିନ ଦେଶର ଚିତ୍ରକର - କିନ୍ ଜୁଆନ୍ (୧୨୩୫-୧୩୦୫)


"ଶ୍ରାବଣରେ ମନେ ପଡେ ଶ୍ୟାମଳବରଣା ଏକ ଝିଅଟିର କଥା 
ଯାହାକୁ ମୁଁ ଭୁଲିବାକୁ ଦେଇଥିଲି କଥା"


ଆଜି ଶ୍ରାବଣ ର ପ୍ରଥମ ସନ୍ଧ୍ୟାର ଅପୂର୍ବ ମେଘାଡମ୍ବରରେ ଏଇ ଗୀତଟି ମନକୁ ଆସିଲା, ହଠାତ୍ । ଏଇଟି ଆମର ତରୁଣ ବୟସର ଶୁଣା ରେଡିଓର ଗୀତ । ରେଡିଓର ଗୀତମାନେ ମନ ଖରାପ କରିଦେବାର କ୍ଷମତା ରଖନ୍ତି । ଆଜି କାଲିର ଗୀତର ପରିବେଷଣଗତ ମାନ ବଢିଛି, ଯାନ୍ତ୍ରିକ ଅନୁଷଙ୍ଗ ବଢିଛି, ପ୍ରାପ୍ତି ସ୍ଥାନ ଓ ସୁଲଭତା ବଢିଛି । କିନ୍ତୁ, ସେଦିନର ରେଡିଓରୁ ଭାସି ଆସୁଥିବା ସେଇ ମନଖରାପ କରିଦେବା ଭଳି ପ୍ରଭାବରେ କିଛି ମାତ୍ରାରେ ଊଣା ଆସିଛି ବୋଲି ମୋର ମନେହୁଏ ।

ମୁଁ ଗୀତର ଯେ ଅତ୍ୟନ୍ତ ସମଝଦାର ପଣ୍ଡିତ ବ୍ୟକ୍ତି ସେକଥା ଆଦୌ ନୁହଁ । ମୁଁ ମୋ ବୟସକୁ ଚାହିଁ ମୋତେ ଯାହା ଭଲଲାଗିବ, ସେଇ କଥା ଟିପା ଖାତାରେ ଲେଖିଲା ଭଳି ଲେଖୁଛି ।

ଶ୍ୟାମଳବରଣା ଝିଅ ଲେଖିଦେଲି ବୋଲି ମୋତେ ବର୍ଣ୍ଣବିଦ୍ୱେଷୀ ଭାବିବେ ନାହିଁ । ସୁନ୍ଦରତା କ'ଣ କେଉଁଠି ରଙ୍ଗରେ ବିଚାର କରାଯାଏ ?ସୁନ୍ଦରର ସଂଜ୍ଞା କେବଳ ସୁନ୍ଦରତା ରେ ରହୁ ।

ଏମିତିରେ ଆମେ କ'ଣ ସବୁ ରଙ୍ଗ ଦେଖିପାରୁ ? ଆମ ଭିତରେ ଅନେକ ବର୍ଣ୍ଣାନ୍ଧ ବା କଲର ବ୍ଲାଇଣ୍ଡ୍ ଅଛନ୍ତି । ଜଣେ ପ୍ରସିଦ୍ଧ ବର୍ଣ୍ଣାନ୍ଧଙ୍କ କଥା ଲେଖୁଛି । ତାଙ୍କର ଏହି ଅକ୍ଷମତାଟି ସମ୍ପର୍କରେ ଯେତେବେଳେ ଗୋଟିଏ ପୁସ୍ତକରେ ପ୍ରକାଶ ପାଇଲା, ସେତେବେଳେ ତାହା ଯଥେଷ୍ଟ ଆଲୋଡନ ସୃଷ୍ଟି କରିଥିଲା । ଆମେ ଆମପାଇଁ ସବୁବେଳେ ଗୋଟିଏ ଗୋଟିଏ ନାୟକ ନିର୍ମାଣ କରିଥାଉ । ସେଇ ନାୟକ ଟି ଆମର ଚିନ୍ତାର ଏକ ପ୍ରକାର ପ୍ରତୀକ ଓ ସୁରକ୍ଷାର କବଚ । ଆମେ ନାୟକଟିର ଛତ୍ରଛାୟାରେ ନିଜକୁ ସୁରକ୍ଷିତ ମଣି ଆହ୍ଲାଦର ଜୀବନଯାପନ କରିଥାଉ । ତେଣୁ ନାୟକ ଦେହରେ ସାମାନ୍ୟ ଫୁଲଟିଏ ପଡିଲେ ଆମ ଦେହରେ ପଥର ପଡିଲା ଭଳି ଲାଗେ । ସେଇଭଳି ଜଣେ ଅବିସମ୍ବାଦିତ ନାୟକକୁ ବର୍ଣ୍ଣାନ୍ଧ କହିବାରେ ସମପରିମାଣର କ୍ରିୟା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ସେଇ ନାୟକ ଜଣକ ହେଲେ ଆମର ପ୍ରିୟ ଆଉ ଆମ ପ୍ରତିବେଶୀ ରାଜ୍ୟର ପ୍ରିୟତମ ରବି, ଗୁରୁଦେବ ରବୀନ୍ଦ୍ରନାଥ ଠାକୁର । କବି ଓ ରବୀନ୍ଦ୍ର-ସାହିତ୍ୟ ବିଶେଷଜ୍ଞା କେତକୀ କୁଶାରୀ-ଡାଇସନ୍ ଓ ଜଣେ ବଙ୍ଗୀୟ ଚିତ୍ରସମାଲୋଚକ ସୁଶୋଭନ ଅଧିକାରୀ "ରଙ୍ଗେର ରବୀନ୍ଦ୍ରନାଥ" ବୋଲି ବୃହତ ଗ୍ରନ୍ଥଟିଏ ଲେଖିଥିଲେ । ସେଥିରେ ରବୀନ୍ଦ୍ର-ସାହିତ୍ୟ ଓ ଚିତ୍ରାବଳୀରୁ ତଥ୍ୟ ସମୂହକୁ ନେଇ ବୈଜ୍ଞାନିକ ପଦ୍ଧତିରେ ଅନୁଶୀଳନ ପରେ ଏଇ ନିଷ୍କର୍ଷ ରେ ପହଞ୍ଚିଥିଲେ ଯେ ରବୀନ୍ଦ୍ରନାଥ ଙ୍କୁ ଲାଲ୍ ରଙ୍ଗଟି ଦେଖାଯାଉନଥିଲା ।

ରବୀନ୍ଦ୍ରନାଥଙ୍କ ଦୃଷ୍ଟି ପଥରେ ଲାଲ୍ ରଙ୍ଗଟି କେବଳ ଅନୁପସ୍ଥିତ ବୋଲି କହିଲେ କଅଣ ତାଙ୍କର ବିଶ୍ୱଦୃଷ୍ଟି, ସୌନ୍ଦର୍ଯ୍ୟବୋଧର ପ୍ରାମାଣିକତାରେ କିଛି ଫରକ ପଡିବ କି ? ରବୀନ୍ଦ୍ରନାଥ ତାଙ୍କର ସ୍ଥାନରେ ସେଇମିତି ଉଜ୍ଜ୍ବଳ ଦିଶୁଥିବେ ।

ସେଇ ରବୀନ୍ଦ୍ରନାଥଙ୍କର ବି ଶ୍ୟାମଳବରଣା ପ୍ରତି ପ୍ରଚୁର ଅନୁରାଗ ଥିଲା । ତାଙ୍କର ଗୋଟିଏ ଜନପ୍ରିୟ ସଙ୍ଗୀତରେ ଶ୍ୟାମଳବରଣା ସହ ମେଘକୁ ପରିପୂରକ ଭାବରେ ଚିତ୍ରାୟିତ କରାଯାଇଛି । ତାହାର ପ୍ରଥମ ପଦଟି ହେଲା:

କୃଷ୍ଣକଲି ଆମେ ତାରେଇ ବଲି,
କାଲୋ ତାରେ ବଲେ ଗାଏଁର ଲୋକ;
ମେଘଲା ଦିନେ ଦେଖେଛିଲେମ୍ ମାଠେ,
କାଲୋ ମେଘେର କାଲୋ ହରିଣ ଚୋଖ।।

ପ୍ରଥମ ଶ୍ରାବଣର ମେଘମାଳା ସହ ଏମିତି ଆସିଲେ ଏକ ଶ୍ୟାମଳ ବରଣା ଓ ରବୀନ୍ଦ୍ରନାଥ । କିନ୍ତୁ ମୁଁ ରବୀନ୍ଦ୍ରନାଥଙ୍କୁ ଜାଣିନଥିବା ସମୟରେ ମୋ ଭାଷାର ରେଡିଓରୁ ଶୁଣିଥିଲି ଶ୍ୟାମଳବରଣାକୁ ଭୁଲିବାକୁ କଥାଦେଇଥିବା ଏକ ଶ୍ରାବଣର ଗୀତ । ଗୀତଟିର ଗାୟକ ଅକ୍ଷୟ ମହାନ୍ତି । ଯଦି ଏଥିରେ କୌଣସି ତଥ୍ୟଗତ ତୃଟି ଥାଏ ତେବେ ଓଡିଆ ସିନେମା ଆଉ ସଙ୍ଗୀତର ଚଳନ୍ତି ଅଭିଧାନ ମୋର ଅନୁଜପ୍ରତିମ ସୂର୍ଯ୍ୟ ଦେଓ ନିଶ୍ଚୟ ସୁଧାରି ଦେବେ ବୋଲି ବିଶ୍ୱାସ ।


ଚିତ୍ର - 'ଆଠଟି ପୁଷ୍ପ'  (ତ୍ରୟୋଦଶ ଶତାବ୍ଦୀ, ବେଜିଙ୍ଗ): ଚିତ୍ରକର - କିନ୍ ଜୁଆନ୍

ଶ୍ରାବଣର ମେଘମାଳା ସହ ଆଉ ଗୋଟିଏ କଥା ଜଡିତ ହୋଇ ରହିଛି।

ମଣିଷ ମଲାପରେ ବିଶ୍ୱାସ କରାଯାଏ ତାହାର ଆତ୍ମାଟିମାନ ପୃଥିବୀର ସବୁଠାରୁ ସୁନ୍ଦରତମ ସ୍ଥାନରେ ପ୍ରାଥମିକ ଭାବରେ ବସବାସ କରିଥାନ୍ତି । କୌଣସି ଫୁଲର ପାଖୁଡାଠୁ ଅଧିକ ସୁନ୍ଦର ଜାଗା ଏଇ ପୃଥିବୀରେ ଆଉ ଦ୍ୱିତୀୟ କ'ଣ ଅଛି ଯେ ? ସେଇ ଫୁଲର ପାଖୁଡାରେ ବିଶ୍ରାମ ନେଲାବେଳେ ସେମାନେ ଅପେକ୍ଷା କରନ୍ତି ଏକ ଆଦିଗନ୍ତ ଆଲିଙ୍ଗନକୁ । ପ୍ରସାରିତ ଜହ୍ନରାତିକୁ । ଜହ୍ନରାତିର କାରକ ଓ କର୍ତ୍ତା ଜହ୍ନ ସେମାନଙ୍କୁ ଆକର୍ଷଣ କରେ । ବୃକ୍ଷଲତାଦି ସହ ନିବିଡ ସମ୍ପର୍କ ଯୋଗୁ ଜହ୍ନର ଆଉ ଗୋଟିଏ ନାଆଁ ହେଉଛି ଓଷଧୀଷ । ଜହ୍ନର ଆଲିଙ୍ଗନରେ ଆମର ସମସ୍ତ ବିହ୍ୱଳ ଆତ୍ମା ନଭଚାରୀ ହୁଅନ୍ତି । ଘନ ବଉଦ ମାଳାରେ ଅପାର୍ଥୀବ ଲୀଳାଖେଳାରେ ମାତିଯାଆନ୍ତି ।ତାହାପରେ ଆରମ୍ଭ ହୁଏ ସେମାନଙ୍କର ଅବରୋହଣର ପର୍ବ ।

ଏଇ ତଥ୍ୟଟି ଯେତେବେଳେ ମୁଁ ବିଶିଷ୍ଟ ପ୍ରାଚ୍ୟତତ୍ତ୍ୱବିଦ୍ ଏ.ଏଲ୍. ବାଶାମ୍ ଙ୍କ ଅତ୍ୟନ୍ତ ଜନପ୍ରିୟ ଓ ଉଲ୍ଲେଖଯୋଗ୍ୟ କୃତି "ଏକଦା ବିସ୍ମୟକର ଭାରତ" (ଦି ୱଣ୍ଡର ଦ୍ୟାଟ୍ ୱାଜ୍ ଇଣ୍ଡିଆ)ରୁ ପ୍ରଥମ ପଢିଥିଲି, ସେତେବେଳର ରୋମାଞ୍ଚ ଏତେ ବର୍ଷ ପରର ଯୁକ୍ତିପ୍ରବଣ ମାନସିକତାରେ ସଠିକ ବଖାଣ କରିବା ସହଜ ନୁହଁ । ଫୁଲ, ଜହ୍ନ ଆଉ ଆକାଶ ସେତେବେଳେ ସେମାନଙ୍କ ଭଳି ଅବିକଳ ଦେଖାଯାଉଥିଲେ ?

ଯୁକ୍ତି ଆମକୁ ଅସହଜ କରେ । ସରଳ ନିଷ୍କପଟ ଶିଶୁଟିର କାନ୍ଦଣା କେଉଁ ବନ୍ଦୀଶାଳରୁ ଶୁଭେ । କଂସ ସମେତ ସମସ୍ତ ପ୍ରହରୀ, ଏପରି କି ଯେତେ ବସୁଦେବ ଆଉ ଦେବକୀ, ସମସ୍ତେ ନିଘୋଡ ନିଦରେ ଅଚେତନ ।

ସେହି ଚିରକାଳର ଶିଶୁକୁ ଏଇଲେ ଘଡିଏ ବୋକ ଦେବାକୁ ହେବ।

ଆମର ପବିତ୍ର ଆତ୍ମାମାନେ ଅବରୋହଣ କରିବେ ସେମାନଙ୍କର ନଭଶ୍ଚାରଣରୁ, ଏଇ ପ୍ରଥମ ଶ୍ରାବଣରେ, ବର୍ଷଣମୁଖୀ ମେଘମାଳାରେ ।ତାହାପରେ ନଦୀନାଳରେ ସେମାନଙ୍କ ଭିତରୁ କିଛି ବହିଯିବେ ସମୁଦ୍ରକୁ । ଆଉ ସମୁଦ୍ର ହେବ, ସେମାନଙ୍କର ଚିରନ୍ତନ ଅନନ୍ତ ଶୟନର ବିଶ୍ରାମ । ସେମାନଙ୍କ ମଧ୍ୟରୁ ଆଉ କିଛି ମାଆର ଗର୍ଭଟିମାନ ଖୋଜିବେ, ପୃଥିବୀରୁ ଜୀବନର ସୁଆଦ ଚାଖିବା ପାଇଁ ଆଉ ଥରେ ।

ଏବେ ଯେତେବେଳେ ମୋ ଝରକା ସେପଟେ ଶ୍ରାବଣର ପ୍ରଥମ ବାରିଧାରାରେ ପବିତ୍ର ଆତ୍ମାମାନଙ୍କର ପୃଥିବୀକୁ ଆଗମନ, ସେତେବେଳେ ମୋ କାନ୍ଧରେ ବୟସର ବେତାଳ ସବାର୍ । ତାହା ସହିତ ପ୍ରଶ୍ନୋତ୍ତର ଖେଳ ଖେଳିବାକୁ ମୁଁ ଏକ ପ୍ରକାର ବାଧ୍ୟ ।

ଝରକା ଦେଇ ଯେତେବେଳେ ଶଙ୍ଖା ସହ ଶଙ୍ଖ ଶୁଭ୍ର ହାତ ଦୁଇଟିରେ ବାହାରର ବର୍ଷାକୁ ନିଜ ଆଞ୍ଜୁଳିରେ ଧରିବାର ଛବିଟିଏ ଆମ ସମୟର ବଳିଷ୍ଠ ତରୁଣ କାବ୍ୟସ୍ୱରର ଅଧିକାରିଣୀ ପ୍ରତୀକ୍ଷାର ଦେଖିବାର ସୁଯୋଗ ପାଏ, ସେତେବେଳେ ମୋର ମନେହୁଏ, ଏହାଠୁ ଅଧିକ ନିବିଡତା ଅନ୍ତରଙ୍ଗତା ଆମେ କ'ଣ ଆଉ ଦେଖାଇ ପାରିବା ଆମର ପବିତ୍ର ଆତ୍ମାମାନଙ୍କୁ ?

ସେହି ଆଞ୍ଜୁଳିଟିଏ ହିଁ ଯଥେଷ୍ଟ, ଆଜିର ଏଇ ପ୍ରଥମ ଶ୍ରାବଣରେ, ବାରିଧାରାରେ ।

Monday, July 10, 2017

ଓଡ଼ିଆ ସିନେମା ଗୀତ - 'ତୁମେ ଜାଣନା ଜାଣନା'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=TA5OgTv65aU



'କା' ଚଳଚିତ୍ରର ପ୍ରଚାର ସାମଗ୍ରୀ 
















ଦିଅଁ ଦେଖା - ୧

ଜ୍ୟୋତି ନନ୍ଦ 


ଗଙ୍ଗ ବଂଶୀୟ ନରସିଂହ ଦେବ ଜଗନ୍ନାଥ ଉପାସନରତ

ଆମ କଥା ନଶୁଣିଲେ ଆମେ କହୁ ସେମାନେ ଖାଲି କାଠ ଆଉ ପଥର ।
ସେମାନେ ମୂଳତଃ କାଠ ଆଉ ପଥର । ସେଇଥିରେ ହିଁ ଆମେ ତାଙ୍କୁ ଗଢିଥାଉ । ଗଢି ସାରି ଦିଅଁ ବୋଲି ପୂଜା କରୁ । ଆମର ଆରତର ନଳିନୀବନ ମାନଙ୍କୁ ଦଳନ କରିବା ପାଇଁ ଦରକାର ହେଉଥିବା ମତ୍ତ ବାରଣଟିଏ ହେବାପାଇଁ କରପତ୍ର ଯୋଡି ଲୁହ ଧାରଧାର ଆଖିରେ ଜଣାଣ କରୁ । ଆମ ଜଣାଣର ସୁର ଆମ ଦୁଃଖରେ ଜୁଡୁବୁଡୁ, ଖୁବ୍ ମିଠା । ଯିଏ ଶୁଣିବ ଘଡିଏ କାନ ଡେରିବା କଥା ଥୟ ।
ଏଇଠି ଦିଅଁଙ୍କ କାନ ବୋଲି କଥା । ଆମେ ତାହାର ସଠିକ ଉଦନ୍ତ ବଖାଣ କରିବାକୁ ଭାଜନ ନୋହୁଁ ।
ଆମେ ବିଶ୍ୱାସ କରୁ ଆମ ସାମନ୍ତ ପରି ସାମନ୍ତ ନାହିଁ । ନଖ ଠାରୁ ଶିଖା ପର୍ଯ୍ୟନ୍ତ ଦୁଃଖି ଜନଙ୍କର କରୁଣାବାରିଧି ସେଇ ନୀଳାଦ୍ରୀକେଶରୀର ସରି ହେବାର ଆଉ କେହି ନାହିଁ ।
ସେଇଥିପାଇଁ ଆମ ଦୁଃଖର ରୋଷଘରୁ ତିଆରି ହୁଏ ଲକ୍ଷ ଲକ୍ଷ କୁଡୁଆର ଆର୍ତ୍ତି, ଜଣାଣ, ଯାହାକୁ ଆମେ ନିଷ୍ଟାର ସହ ବାଢି ଦେଉ ଆମର ଭୋଜନପ୍ରିୟ ଦିଅଁକୁ ।

ତେଣୁ ଜଣାଣରେ ବିସ୍ୱାଦ ନାହିଁ । ବେସୁରା ବୋଲି କିଛି ନାହିଁ ।
ସବୁଠି ଛଳଛଳ ପହଣ୍ଡି ।
ଆମ ଦିଅଁ କାଠର । ପଥରର ବି ।
ଏଇଠେ ତିନୋଟି ପଥର ଦିଅଁଙ୍କୁ ଦେଖିବେ ।
ପ୍ରଥମଟି ଗଙ୍ଗ ବଂଶର ରାଜା ନରସିଂହ ଦେବ ପ୍ରଭୂ ଜଗନ୍ନାଥଙ୍କୁ ଆରାଧନା କରୁଥିବାର ଦୃଶ୍ୟ ରହିଛି । ଏହା କୋଣାର୍କ ମନ୍ଦିରରୁ ସଙ୍ଗୃହିତ ଓ ଏହାର ସମୟ କାଳ ବାରଶହ ଶତାବ୍ଦୀ ।

ଦ୍ୱିତୀୟ ଓ ତୃତୀୟ ଛବି ହେଉଛି ତ୍ରିମୂର୍ତ୍ତୀଙ୍କର, ଷ୍ଟିଆଟାଇଟ୍ ନାମକ ପଥରରେ ତିଆରି ଯାହାର ସମୟକାଳ ୧୮-୧୯ ଶତାବ୍ଦୀ । ବର୍ତ୍ତମାନ ଏହା ବ୍ରିଟିଶ ମ୍ୟୁଜିୟମ ରେ ସଂରକ୍ଷିତ ରହିଛି ।
ଏଇ ପ୍ରସଙ୍ଗରେ ଓଡିଶା ଇତିହାସର ଜଣେ ନିହାତି ଦୁର୍ବଳ ଛାତ୍ର ହିସାବରେ ମୋର ଗୋଟିଏ ଅନୁସନ୍ଧିତ୍ସା ରହିଛି ।
ଏହା ତର୍କର କଥା,ବିଶ୍ୱାସର ନୁହଁ। ଏମିତିରେ ସବୁ ଲୋକଙ୍କର କଲିଜା ମିଠା ଜାମୁକୋଳିରେ ତିଆରି । ମାତ୍ର ସଂସାର ମହାର୍ଣ୍ଣବକୁ ଆସ୍ଥାର କୁମ୍ଭୀର ପିଠିରେ ସବାର ହୋଇ ପାର ହେଉଥିଲା ବେଳେ ସେମାନଙ୍କ ଭିତରୁ କିଛି ନିଜ କଲିଜା ସହିତ ରହିପାରି ନଥାନ୍ତି ।
ଏହା ସେଇଭଳି ଜଟିଳ ବାନର ମାନଙ୍କ କଥା।


କୌଣସି ମୂର୍ତ୍ତିର ସ୍ଥାୟୀତ୍ୱ ଦୃଷ୍ଟିରୁ ସଚରାଚର ଦେବତା ମାନେ ପଥରରେ ନିର୍ମାଣ କରାଯାଇ ପୂଜିତ ହେଉଥିଲା ବେଳେ, ଆମର ଏଠାରେ କାଠର ଦେବତା ଆଉ ତାଙ୍କର ଶ୍ରୀଅଙ୍ଗର ସୁରକ୍ଷା ତଥା ରକ୍ଷଣାବେକ୍ଷଣର ବିଧାନ ସ୍ୱରୂପ ବାର୍ଷିକ ଅଣସରର ଆଢୁଆଳ ଓ ନବକଳେବରର ବିଧାନ ନିଶ୍ଚିତ ଏକ ସାଂସ୍କୃତିକ ଉଦ୍ଭବର ଉତ୍ପାଦ ନୁହଁ । ଆରମ୍ଭଟି ନିଶ୍ଚିତ କୌଣସି ରାଜାଜ୍ଞା ବ୍ୟତିରେକେ ସମ୍ଭବ ନୁହେଁ । କିନ୍ତୁ ସେଇ ପ୍ରସଙ୍ଗରେ ଯେଉଁ ରାଜକାହାଣୀଟି ସହିତ ଆମେମାନେ ପରିଚିତ, ତାହା ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ କାହାଣୀ, ଯେଉଁମାନଙ୍କର ପୌରାଣିକ ଅବସ୍ଥାନ ରହିଛି, ମାତ୍ର ସେମାନଙ୍କର ଐତିହାସିକ ସ୍ଥିତି ସେତେ ସୁଦୃଢ ନୁହଁ । ସେମାନଙ୍କୁ ସ୍ଥାପନା କରିବା ପାଇଁ ଆମେ ଯେଉଁ ନୀଳାଦ୍ରୀ ମହୋଦୟ ବା ମାଦଳାପାଞ୍ଜି ଆଦିକୁ ନଜିର୍ ହିସାବରେ ଦେଖାଇ ଥାଉ, ତାହା ପୋଥି ମାତ୍ର । ଆଉ ସେଇ ପୋଥିମାନଙ୍କର ସର୍ବପ୍ରାଚୀନ ସଂସ୍କରଣର ପ୍ରାମାଣିକତାକୁ ଆମେ ସଠିକ ଉପସ୍ଥାପନା କରିପାରିନାହୁଁ । ପୋଥିମାନଙ୍କର ବ୍ୟତୀତ ଆମର ଏଇ ଅତ୍ୟନ୍ତ ପରିଚିତ ରାଜାରାଣୀଙ୍କର କୌଣସି ଅଭିଲେଖ କି ମୁଦ୍ରାରେ ଉଲ୍ଲେଖ ନାହିଁ । ଇତିହାସରେ ପୋଥି ମାନଙ୍କର ବୟାନ ଏକ ପ୍ରମାଣ ,ମାତ୍ର ତୃଟିଶୂନ୍ୟ ପ୍ରମାଣ ନୁହଁ ।
ତେଣୁ ଯେଉଁ ରାଜାଦେଶରେ ଦିଅଁ କାଠର ଦିଅଁ ହେଲେ ଆଉ ଗର୍ଭଗୃହରୁ ଆସି ନବଦିବସ ବାହାରେ ରହି ଲୀଳାଖେଳା କରୁଛନ୍ତି, ସେଇ ରାଜାଟିର ସ୍ପଷ୍ଟ ଐତିହାସିକ ଉଦ୍ଧାର ମୋର କାମନା ।

Sunday, July 09, 2017

ଶିରିଣି


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସାମଗ୍ରୀ


୧୨ଟି ପାଟକପୁରା କଦଳୀ, ୨୦୦ ଗ୍ରାମ ଗୁଡ଼, ୭୫ ଗ୍ରାମ (ଗଏଣ୍ଠେ କପ୍) ଅରୁଆ ଚାଉଳ ଚୁନା, ୭୫ ଗ୍ରାମ (ଗଏଣ୍ଠେ କପ୍) ଗହମ ଅଟା, ଗୋଲମରିଚ ଗୁଣ୍ଡ ଦୁଇ ଚାହା ଚାମଚ, ଗୁଜୁରାଚି ୧୨ ଟି, ଅଳେଇଚ ଛଅଟି, ଏକ ଲିଟର କଞ୍ଚା ଗୋରସ, ଅଧା ଚାହା ଚାମଚ କର୍ପୁର ।

ପ୍ରଣାଳୀ


ଗୋଟିଏ ତସଲାରେ ଚୋପାଛଡ଼ା କଦଳୀଗୁଡ଼ିକୁ ଭଲ ଭାବରେ ଚକଟି ଦେବେ । ତାହା ପରେ ସେଥିରେ ଗୁଡ଼ ପକାଇକରି ମିଶାଇ ଦେବେ । ଏହା ପରେ ଅଳପ ଅଳପ କରି ଏହି ମିଶ୍ରଣରେ ଅଟା, ଚାଉଳ ଚୁନା ଓ ଗୋରସ ପକାଇ ମିଶାଇ ଦେବେ । ଉତ୍ତମ ରୂପେ ମିଶିଗଲା ପରେ ଗୁଜୁରାତି ଓ ଅଳେଇଚକୁ ହେମଦସ୍ତାରେ ଭଲ ଭାବରେ ଛେଚି କଦଳୀ ଚକଟାରେ ଗୁଣ୍ଡକୁ ପକାନ୍ତୁ । ପୂରେ ଶେଷରେ ଏଥିରେ ଗୋଲମରିଚ ଗୁଣ୍ଡ ଓ କର୍ପୁର ଗୁଣ୍ଡ ପକାଇ ମିଶାଇ ଦେବେ । ଶିରିଣି ତିଆରି ହୋଇଗଲା । 

ପିଲାଙ୍କ ପାଇଁ କବିତା - 'ଡର'


କବି - ଜଗନ୍ନାଥ ପ୍ରସାଦ ଦାସ



'ଟାଇଗର ଟାଇଗର ବର୍ଣ୍ଣିଙ୍ଗ୍ ବ୍ରାଇଟ୍' ର ବାଘ (୧୭୯୫)
କଳାକାର - ୱିଲିଅମ୍ ବ୍ଲେକ୍ (୧୭୫୭-୧୮୨୭)

ଛାଗର ଡର ବାଘକୁ
ଫାଗକୁ ଡରେ ବାଘ
ଫାଗ ଡରିଥାଏ ଛାଗକୁ
ତିନିହେଁ ତିନିଙ୍କି ଆଗ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

ପର୍ବତରେ ଧର୍ମୋପଦେଶ - ୧୮


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ



ବାଇବେଲର ପୋଥିଚିତ୍ର (୧୬୩୭-୩୮)
ଆର୍ମେନୀୟ କଳାକାର ମାଲନଜରଙ୍କର କଳାକୃତି

ତାହାଙ୍କର ଏହି ସବୁ କଥା କହିବା ସମୟରେ ଜଣେ ଅଧିପତି ଆସି ତାହାଙ୍କୁ ପ୍ରଣାମ କରି କହିଲା, ମୋର କନ୍ୟାଟି ଏକ୍ଷଣି ମଲା; ମାତ୍ର ଆପଣ ଆସି ତାହା ଦେହରେ ହାତ ଦେଉନ୍ତୁ, ତହିରେ ସେ ବଞ୍ଚିବ । ତହୁଁ ଯୀଶୁ  ଓ ତାଙ୍କ ଶିଷ୍ୟମାନେ ଉଠି ତାହାର ପଛେ ପଛେ ଗଲେ । ଏଥିମଧ୍ୟରେ ଦେଖ, ବାରବର୍ଷ ପର୍ଯ୍ୟନ୍ତ ପ୍ରଦରରୋଗଗ୍ରସ୍ତା ଏକ ସ୍ତ୍ରୀଲୋକ ପଶ୍ଚାତରୁ ଆସି ତାଙ୍କର ବସ୍ତ୍ରର ଦଶି ଛୁଇଁଲା । ଯେହେତୁ କେବଳ ତାଙ୍କ ବସ୍ତ୍ର ଛୁଇଁ ପାରିଲେ ମୁଁ ସୁସ୍ଥା ହେବି, ସେ ସ୍ତ୍ରୀ ଏହା ମନେ ମନେ ଭାଳିଥିଲା । ସେତେବେଳେ ଯୀଶୁ ମୁଖ ଫେରାଇ ତାହାକୁ ଦେଖି କହିଲେ, ଆଗୋ କନ୍ୟେ, ସୁସ୍ଥିରା ହୁଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି; ସେହିକ୍ଷଣି ସେ ସ୍ତ୍ରୀଲୋକଟି ସୁସ୍ଥା ହେଲା । 

ଯୀଶୁ ସେହି ଅଧିପତି ଘରକୁ ଆସି ବାଦ୍ୟକର ଆଦି ଅନେକ ଲୋକଙ୍କୁ କୋଳାହଳ କରିବାର ଦେଖି ସେମାନଙ୍କୁ କହିଲେ, ବାଟ ଛାଡ଼, କନ୍ୟାଟି ତ ମରିନାହିଁ, ଶୋଇ ପଡ଼ିଛି ।ଏଥିରେ ସେମାନେ ତାହାଙ୍କୁ ଉପହାସ କଲେ । ମାତ୍ର ସମସ୍ତଙ୍କୁ ବାହାର କଲାଉତ୍ତାରେ ସେ ଭିତରକୁ ଯାଇ କନ୍ୟାର ହସ୍ତ ଧରିବା ମାତ୍ର ସେ ଉଠିଲା । ତହିଁରେ ସେହି ଦେଶର ସବୁଠାରେ ଏହି କର୍ମର ସୁଖ୍ୟାତି ବ୍ୟାପିଗଲା । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

Saturday, July 08, 2017

ମାର୍କସ୍ ଅରିଲସ୍

ବିଚାରମାଳା (ମେଡ଼ିଟେସନ୍ସ୍)  : ଦ୍ୱିତୀୟ କାଣ୍ଡ - ନବମ ଓ ଦଶମ ଅଧ୍ୟାୟ


ଷ୍ଟୟିକ ଦାର୍ଶନିକ ଡାୟୋଜିନସ୍ ବାବିଲୋନିକସ୍ ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ନବମ ଅଧ୍ୟାୟ


ଏହି ବ୍ୟାପାରଗୁଡ଼ିକ ସର୍ବଦା ସ୍ମରଣରେ ରଖ: ବ୍ରହ୍ମାଣ୍ଡର ପ୍ରକୃତି କଅଣ: ତୁମ୍ଭ ନିଜର ସ୍ୱାତ୍ମ ପ୍ରକୃତି କଅଣ: ଏବଂ ଦୁହିଙ୍କ ମଧ୍ୟରେ ସମ୍ପର୍କ କଅଣ ଅଟେ: କେଉଁ ବିଶାଳ ସମଷ୍ଟିର ତୁମ୍ଭେ କିଭଳି ବ୍ୟଷ୍ଟି ଅଟ । ତୁମ୍ଭେ ଯେଉଁ ବିଶାଳତାର ଅଂଶ ମାତ୍ର, ତହିଁର ପ୍ରକୃତିସଙ୍ଗତ ବାଣୀ ଓ କାର୍ଯ୍ୟ କରିବାରେ କେହି ତୁମ୍ଭକୁ ରୋକି ନ ପାରେ ।

ଦଶମ ଅଧ୍ୟାୟ


ପାପ କର୍ମ ଗୁଡ଼ିକର ତୁଳନା କଲା ବେଳେ - ସାଧାରଣ ଭାବରେ ଜ୍ଞାତ ଭାବରେ ଯଦି ସେଗୁଡ଼ିକ ତୁଳନୀୟ ତାହାହେଲେ - ଥିଓଫ୍ରାଷ୍ଟସ୍ ଦାର୍ଶନିକ ସୁଲଭ ଢଙ୍ଗରେ, ଯଥାର୍ଥରେ କୁହନ୍ତି ଯେ, କାମନାରୁ ଜାତ ଅପରାଧ, ଆବେଗରୁ ଜାତ ଅପରାଧ ତୁଳନାରେ ଅଧିକ ଧର୍ତ୍ତବ୍ୟ । କାରଣ ଆବେଗର ବଶବର୍ତ୍ତି ମାନବ ନିଜର ବିବେକଠାରୁ ଗୋଟିଏ ପ୍ରକାରର ବେଦନା ଓ ବିଭଙ୍ଗ ଯୋଗୁଁ ଦୂରେଇ ଯାଇ ପାପ କର୍ମ କରିଥାଏ । ପରନ୍ତୁ କାମନାର ଦାସତ୍ତ୍ୱ ଯୋଗୁଁ ପାପଲିପ୍ତ ବ୍ୟକ୍ତି ଦୁର୍ବଳ, ବିପ୍ରଦୂଷ୍ଟ ତଥା ନପୁଂସକ । 

ସେ ଜଣେ ଦାର୍ଶନିକର ମର୍ଯ୍ୟାଦା ରକ୍ଷା କରି ଯଥାର୍ଥରେ କୁହନ୍ତି ଯେ, ସୁଖ ଉଦ୍ଦେଶ୍ୟରେ କରାଯାଇଥିବା ପାପ କଷ୍ଟରୁ ଜାତ ପାପ ଅପେକ୍ଷା ଅଧିକ ନିନ୍ଦନୀୟ । ଗୋଟିଏ କ୍ଷେତ୍ରରେ ଜଣେ ନିଜ ପ୍ରତି କରାଯାଇଥିବା ଅନ୍ୟାୟ ଯୋଗୁଁ ନିୟନ୍ତ୍ରଣ ହରାଏ । ଅନ୍ୟଟିରେ ସମ୍ପୂର୍ଣ୍ଣ ଭାବରେ ନିଜର ବାସନା ପୂର୍ତ୍ତିର ଇଚ୍ଛା ଯୋଗୁଁ ସ୍ୱତଃସ୍ଫୁର୍ତ୍ତ ଭାବରେ ଜଣେ ପାପ କର୍ମରେ ନିଜକୁ ନିୟୋଜିତ କରେ ।