Saturday, July 08, 2017

ପଣସ ରସ 


ପାଚିଲା ପଣସ କୋଲା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସାମଗ୍ରୀ


ତିରିଶିଟି ପାଚିଲା ପଣସ କୋଲା, ଚାରି କପ ପାଣି, ୩-୪ଟି କୁଟା, ଦୁଇ ଚାମଚ ଗୁଆ ଘିଅ, ଦୁଇ ଚାମଚ ଗୋଲମରିଚ ଗୁଣ୍ଡ, ପଚାଶ ଗ୍ରାମ ଗୁଡ଼, କୋଡ଼ିଏ ଗ୍ରାମ ଅଦାର କୋରା, ସୁଆଦ ଅନୁସାରେ କଳା ଲୁଣ ।


ପ୍ରଣାଳୀ


ପାଚିଲା ପଣସ କୋଲାରୁ ମଞ୍ଜି ବାହାର କରନ୍ତୁ । ଗୋଟିଏ ବଡ଼ ରସ ତସଲାରେ ରଖି ସେଥିରେ ପାଣି ପକାଇ ତିନି ଚାରି ମିନିଟ ବଳ ପ୍ରୟୋଗ କରି ଚକଟନ୍ତୁ । ରସ ବାହାରିବାକୁ ଆରମ୍ଭ କରିବ । ତାହା ପରେ ସେଥିରେ ନଡ଼ା ଧରି ରସକୁ ଚକଟିଲେ ପଣସ ସିଠା ନଡ଼ାରେ ଲାଗି ବାହାରି ଆସିବ । ଏବେ ଏହି ସିଠାବିହୀନ ରସକୁ ବଡ଼ ଚାଲୁଣିରେ ଛାଣି ଦିଅନ୍ତୁ । ସେହି ରସରେ ଗୋଲମରିଚ ଗୁଣ୍ଡ, ଗୁଣ୍ଡ ଗୁଡ଼, ଅଦା ଓ କଳା ଲୁଣକୁ ମିଶାଇ ଭଲ କରି ଘାଣ୍ଟି ଦିଅନ୍ତୁ । ଫ୍ରିଜରେ ଘଣ୍ଟାଏ ରଖି ତାହା ପରେ ପିଅନ୍ତୁ । ଏହି ରସ ପିଇବାର ଘଣ୍ଟେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପାଣ‌ି ନ ପିଇବା ଭଲ । 

Friday, July 07, 2017

ଚିଲିକାର ବିଭବ - ୭


ଦୁର୍ଗାଚରଣ ପଣ୍ଡା



ଚିଲିକା ଷ୍ଟେସନ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

୮ ଚିଲିକା କୂଳେ ବିଜ୍ଞାନାଗାର 


ଏ ବିଜ୍ଞାନ ଯୁଗରେ ଭାରତର ଅନ୍ୟ ସବୁ ପ୍ରାଦେଶିକ ସରକାର ନିଜ ନିଜ ଅଞ୍ଚଳରେ ବିଦ୍ୟୁତ ସାହାଯ୍ୟରେ ବହୁତ କାରଖାନା ଖୋଲିଛନ୍ତି କିନ୍ତୁ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ନୀରବ ଅଛନ୍ତି ।

ଯୁଦ୍ଧୋତ୍ତର ପୁନର୍ଗଠନ କାର୍ଯ୍ୟନେଇ ଆମ ସରକାର ଏଇ ଚିଲିକା କୂଳରେ କେତୋଟି କାରଖାନା କରିବା ଆଶା କରାଯାଏ । ତନ୍ମଧ୍ୟରୁ ଗୋଟିଏ ବଡ଼ ଦରର 'ବରଫକଳ' ଏବଂ ମାଛକୁ ସିଦ୍ଧକରି ବାଷ୍ପଶୂନ୍ୟ ଟିଣରେ ରଖିବାପାଇଁ ଆବଶ୍ୟକୀୟ ଯନ୍ତ୍ର ସ୍ଥାପନ ପ୍ରଧାନ ହେବା ଦରକାର, ମାଛ ବିଦେଶକୁ ପଠାଇବା ପାଇଁ ପ୍ରଚୂର ବରଫ ଦରକାର । ଏକ୍ଷଣି କାଳୁପଡ଼ା ନାମକ ସ୍ଥାନରେ ଗୋଟିଏ ବରଫ କଳ ଅଛି କିନ୍ତୁଏଠାରେ ଅତିକମ୍ ପରିମାଣ ତିଆରି ହୁଏ । ମାଛକୁ ଶୁଖୁଆ କରିବା ଏବଂ ଗ୍ରୀଷ୍ମ ଦିନରେ ଯେଉଁ ଚିଙ୍ଗୁଡ଼ି ମିଳେ ତାହାକୁ ସିଦ୍ଧକରି ତହିଁରୁ ରସ ବାହାରକରିବାପାଇଁ କେତେକ ଯନ୍ତ୍ରପାତି ଦରକାର, ଏହି ରସ ବ୍ରହ୍ମଦେଶ ବାସୀଙ୍କପାଇଁ ରପ୍ତାନୀ ହୁଏ ।

ଏ ପର୍ଯ୍ୟନ୍ତ କେବଳ କଳେ ବଳେ କୌଶଳେ ଚିଲିକାରୁ ମାଛ ଧରି ତାକୁ ଖାଇବା ଓ ବିକ୍ରିକରିବା ବ୍ୟତିତ ଏହି ମାଛର ପରିମାଣ କିପରି ବୃଦ୍ଧିହେବ ସେ ଦିଗରେ କେହିହେଲେ ଯତ୍ନବାନ କରିନାହାନ୍ତି । ମାଛ ଛାଣି ନେବା ସଙ୍ଗେ ସଙ୍ଗେ ଏଠାର ଜଳବାୟୁରେ ଅଧିକ ପରିମାଣ ମାଛ କିପରି ଜାତହେବ ସେ ଦିଗରେ ମଧ୍ୟ ଆୟୋଜନ କରିବାକୁ ହେବ ---ତା' ନହେଲେ କ୍ରମେ ଚିଲିକାରୁ ମାଛ ପରିମାଣ କମିଯିବା ଅସମ୍ଭବ ନୁହେଁ । ଏଣୁ ନିକଟରେ ଏଠାରେ [ବାଲୁଗାଁ] ଗୋଟିଏ ବିଜ୍ଞାନାଗାର ଖୋଲାଯାଇ ଚିଲିକାର ମତ୍ସଶିଳ୍ପ ଉନ୍ନତ କରାଯିବା ଯୋଗାଡ଼ ଚାଲିଛି । (କ୍ରମଶଃ)

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Thursday, July 06, 2017

ଚିଲିକାର ବିଭବ - ୬


ଦୁର୍ଗାଚରଣ ପଣ୍ଡା



ଚିଲିକାର ମୁହାଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୬ ଦଳ


ଚିଲିକା ପାଣିରେ ଅନେକ ଶ୍ରେଣୀର ଦଳ ଜାତହୁଏ । ତନ୍ମଧ୍ୟରୁ ଚିଙ୍ଗୁଡ଼ିଆ ଦଳରୁ "ଆଓଡେନ" [ଡାକ୍ତରୀ ଔଷଧ] ତିଆରିହେବା ସମ୍ଭବ ଦେଖାଯାଏ । ଏ ଦିଗରେ ବିଶେଷ ଅନୁସନ୍ଧାନକରିବା ଦରକାର । ଏଇ ଦଳରେ ଭଲ ଗଦି ଓ ସାହେବ ଟୋପି ତିଆରି ହୁଏ । ଦଳକୁ ଉତ୍ତମ ରୂପେ ସିଦ୍ଧ କଲେ ଏକ ପ୍ରକାର ସରୁ ସୁତା ଆଦାୟ ହୁଏ । ଏଇ ସୁତାରେ ଏକପ୍ରକାର ପାଟ ମଧ୍ୟ ତିଆରି ସମ୍ଭବ । ଏ ସବୁ ଦିଗରେ ଅନୁସନ୍ଧାନ କରିବାକୁ ହେବ । 

୭ ସ୍ୱାସ୍ଥ୍ୟ ନିବାସ 


ଚିଲିକା ପାଣିରେ ପ୍ରଚୁର ପରିମାଣ ଲବଣାଂଶ ଅଛି । ଏଣୁ ଏଠାର ଜଳବାୟୁ ସ୍ୱାସ୍ଥ୍ୟ ପକ୍ଷରେ ହିତକର ଅଟେ । ଚିଲିକାର କେତେକ ଦ୍ୱୀପପୁଞ୍ଜରେ ଏବଂ କୁଳର କେତେକ ସ୍ଥାନରେ ଉତ୍ତମ ସ୍ୱାସ୍ଥ୍ୟ ନିବାସମାନ ତିଆରିକଲେ ଏଠାରେ ରୋଗୀମାନେ ରହି ନିଜର ସ୍ୱାସ୍ଥ୍ୟ ଲାଭ କରିବା ସମ୍ଭବ ଦେଖାଯାଏ । ଏ ଦିଗରେ ଓଡ଼ିଶା ସରକାର ତଥା ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ପଡ଼ିବା ଦରକାର । 

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Wednesday, July 05, 2017

ଉପେନ୍ଦ୍ର ଭଞ୍ଜ କୃତ ପ୍ରବନ୍ଧ 'ରୂପାନୁରାଗ' ବା 'ସଖୀ ପ୍ରତି ଶ୍ରୀରାଧା' 

(ରାଗ - ଶାରଙ୍ଗ) 



ନେପାଳର ଗୋକର୍ଣ୍ଣେଶ୍ୱର ମନ୍ଦିରରେ ରାଧାକୃଷ୍ଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆହା କେ ଗଢ଼ିଛି ଭଲା
ଦେଖି ସଖୀ ଆଖି ଲାଖି ରହିଲା ।ପଦ।

ଅଶେଷ ଲାବଣ୍ୟ ବାସ ବଦନ
ନିଉଁଛାଇ ଯିବ ନୂଆ ମଦନ 
ଦଳିତାଞ୍ଜନ ତନୁ ଗଞ୍ଜନ
ଦିଗ କରାଇହ ନିଶ୍ଚେ ସଦନ ।୧।

କି ରଞ୍ଜନ ସେ ଶତପତ୍ର ନେତ୍ର 
ଦୁଇ ଦିଗେ ଢ଼ଳି ଯିବାର ଚିତ୍ର 
ସେ ଦୃଷ୍ଟିପାତ ହେବାରୁ ମିତ୍ର
ସାରି ଦେଲି ମୁଁ ସତୀ ବରତ ।୨।

ଆହା ସେ ଚାରୁ ଲଲାଟର ବିନ୍ଦୁ
ବାରି ଦେବ ଘର କୀରତି ଧନ୍ଦୁ
ଦଳିତ ଇନ୍ଦୁ କୁମୁଦ ବନ୍ଧୁ
ବାଛି କେ ଦେଇଛି ତ ଦୀନବନ୍ଧୁ ।୩।

ଥୋପି ପଡ଼ୁଛି ଅଧର ରଙ୍ଗିମା
ଦରହାସ-ଦିବ୍ୟ ପିୟୁଷ ସୀମା 
ନାହିଁ ଉପମା, ନାରୀ ଗାରିମା
ଭାଙ୍ଗି ଦେବ ଦୂରୁ  ଭୁରୁ ଭଙ୍ଗିମା ।୪।

ଯୁବରାଜେ ଏହୁ ରସେ ବଦତି
ସଖୀ ସମୀପେ ଭାଷନ୍ତି ଶ୍ରୀମତି
କରି ସେ ପ୍ରୀତି, ରଖି କୀରତି
ହେଲେ ହେବ ପଛେ ଉଚ୍ଛନ୍ନ ଗତି ।୫।

ଓଡ଼ିଆ ସିନେମା ଗୀତ - 'ରକତ ଟଳମଳ'


ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=pmPq8SaR4bI



ଇତାଲୀୟ ପାଚେରୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍











Tuesday, July 04, 2017

ମହିମା ଭକ୍ତି କବିତା - 'କର ହେ ସତ୍ୟବଚନ'


ସନ୍ଥ କବି - ଭୀମ ଭୋଇ 


ପଞ୍ଜାବର ଗ୍ରାମାଞ୍ଚଳରେ ଏକ ଦରଜା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କର ହେ ସତ୍ୟବଚନ
ଭବୁ ନିସ୍ତରିବ ଯେବେ ସୁଜ୍ଞାନୀଜନ । ଘୋଷା ।

ସତ୍ୟ ତାରୁଅଛି ସତ୍ୟ ମାରୁଅଛି ସତ୍ୟ ଧାରଣ କାରଣ
ସତ୍ୟକୁ ତତ୍ତ୍ୱରେ ଧରି ଜ୍ଞାନୀଜନ ହେଉଛନ୍ତି ଉଦ୍ଧାରଣ ।୧।

ନାମଟି ଦୁଆରି ନାମଟି ପାହାରି ନାମଟି ଧର୍ମ ଧାରଣ
ଉଜାଗରେ ଅଛି ଆସୁଛି ଯାଉଛି କରିଛି ସେହି ରକ୍ଷଣ ।୨।

ଅଷ୍ଟ ସଖାଗଣ ଅଷ୍ଟନାରାୟଣ ଅଷ୍ଟଜ୍ୟୋତି ସାଧୁଜନ
ଅଷ୍ଟ ମେରୁ ଶିଖେ ଯୋଗୀ ଧୂନି ମଠ ଅରୂପ ମଣ୍ଡଳେ ଧ୍ୟାନ ।୩।

ମହା ଶୂନ୍ୟ ଶୂନ୍ୟ କିଛି ନାହିଁ ଜାଣ ବ୍ରହ୍ମଟି ସାର ନିର୍ଗୁଣ
ନାହିଁ ରୂପରେଖ ଅରୂପ ଶରୀର ଜ୍ଞାନ ନୟନରେ ଚିହ୍ନ ।୪।

ଅରୂପକୁ ଖୋଜ ଶକ୍ତି ଥିଲେ ଭଜ ଭକ୍ତିରେ କର ବନ୍ଧନ
ବେଳ ଥାଉଁ ବସା ଘରେ କରି ଆଶା ସରି ଯାଉଅଛି ଦିନ ।୫।

ଏ ସକଳ ମିଥ୍ୟା ସବୁ ଅଟେ ବୃଥା ନ ସାଧ ମନ ପବନ
ଭଣେ ଭୀମ ହୀନ ପାମର ଅଜ୍ଞାନ ଧର ଅଭୟ ଚରଣ ।୬।

ଅନ୍ୟାନ୍ୟ କୂଟୀର ଶିଳ୍ପ


ଗୋପୀନାଥ ମହାନ୍ତି 


ବୁର୍ଗୁଣ୍ଡିର ରାଣୀ ବେର୍ଥା ବାଳିକାମାନଙ୍କୁ ଫ୍ଲାକ୍ସ ବୁଣିବା ଶିଖାଉଥିବାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗ୍ରାମର ଚାଷୀ ଚେତି ଉଠି ଦେଖିଲାସେ ନିଜର ଅବସ୍ଥାକୁ ନିଜ ଚେଷ୍ଟାରେ ଅନେକ ଅଂଶରେ ବଦଳାଇ ପାରୁଛି । 

ଚାଷର ଉନ୍ନତି ଘଟିଛି । ଚାରିଆଡେ଼ ପ୍ରଚୁର ବାରିବଗିଚାଘରେ ଘରେ ଅରଟ । କେହି କେହି ଏଣ୍ଡି ଚାଷ ଆରମ୍ଭ କରି ଦେଲେଣି ।

ବଢେ଼ଇ ଓ କମାରଶାଳରେ ବେଶୀ ଲୋକ ଜମାକେବଳ ଦେଖିବାକୁ ନୁହେଁଶିଖିବାକୁ । କେବଳ ଜାତି ବଢ଼େଇ ନ ହେଲେ ବଢ଼େଇ କାମ କରିବା ଉଚିତ ନୁହେଁ କିମ୍ବା କେବଳ ଜାତି ଅନୂସାରେ କର୍ମବିଭାଗ,---ଏପରି ଧାରଣା ଲୋକଙ୍କ ମନରୁ କ୍ରମେ ଗଲାଣି । ସେମାନେ ଶିଖୁଛନ୍ତି, “ପେଟ ପୋଷନାହିଁ ଦୋଷ” । କାହାରିକୁ ଠକିବା ଉଚିତ ନୁହେ କିମ୍ବା କୌଣସି କାମକୁ ଛୋଟ ବୋଲି ଭାବିବା ଉଚିତ ନୁହେଁ । ଯେଉଁ ଉପାୟରେ ସାଧୂ ଭାବରେ ଦୁଇ ପଇସା ଆସି ପାରିବ,ତାର ବ୍ୟବସ୍ଥା କରିବା ଉଚିତ ।

ଏ ଗ୍ରାମରେ ପୂର୍ବେ ଯେପରି ଛୋଟ ଜାତିମାନଙ୍କ ପ୍ରତି ଘୃଣା ବିଦ୍ୱେଷ ଥିଲାତା ଯେପରି କ୍ରମେ କ୍ରମେ ଲୋପ ହୋଇଯାଉଛି । କାରଣ ସମସ୍ତେ ବୁଝିଲେଣିନିଜର ଦୁର୍ଦ୍ଦଶା ହୋଇଛି । ନିଜର ଅବସ୍ଥାର ଉନ୍ନତି କରିବାକୁ ହେଲେ ସମସ୍ତଙ୍କର ସମ୍ମିଳିତ ଉଦଯୋଗ ଦରକାର ।

ବାଉଁଶ ଓ ବେତ କାମ ଚାଲିଛି । ବେତ କାମ ଶିଖାଇବା ପାଇଁ ଗ୍ରାମ-ସଙ୍ଗଠନ ସଙ୍ଘରୁ ଜଣେ ଶିଖାଳି ଆସିଛି । ବେତର ଚଉକିଟେବୁଲ ପ୍ରଭୃତି ତିଆରି ହୋଇ ସହରକୁ ବିକ୍ରି ପାଇଁ ପଠା ଯାଉଛି । ବେତ କାମରେ ପ୍ରଚୁର ଲାଭତେଣୁ ଗ୍ରାମର ବେତ ବ୍ୟବସାୟଟି କ୍ରମେ ବଡ଼ ହୋଇ ଉଠୁଛି । ଏଥିରେ ବାଉରିମାନେ ବିଶେଷ ଉଦଯୋଗ ଦେଖାଉଛନ୍ତି ।

ଏ ଗ୍ରାମ ଓ ତାର ଆଖପାଖରେ ଲୋକସମାଗମ ଯେପରି ବଢ଼ୁଛିଉନ୍ନତି ମଧ୍ୟ ସେହିପରି ପରିଷ୍କାର ଆଖିରେ ପଡ଼ୁଛି । କେଉଁଠି ହେଁସ ବୁଣାକେଉଁଠି ବେତ ବୁଣାକେଉଁଠି ନାନାପ୍ରକାର ମାଟିକାମ ଓ କଣ୍ଢେଇ ତିଆରିକେଉଁଠି ଲୁଗା ବୁଣା,କେଉଁଠି ମଠା ବୁଣାକେଉଁଠି ଶସ୍ତାରେ ଦଉନା-ଖଟ ତିଆରିକେଉଁଠି ବା ବଢେ଼ଇ କାମ । ହଠାତ ହୋଇ ଏଥିରେ ବେଶୀ ଟଙ୍କା ଲଗାଇ ଦିଆ ହୋଇ ନାହିଁକିନ୍ତୁ ଅଳ୍ପ ଧନରେ ବ୍ୟବସାୟ କ୍ରମେ ବଢ଼ୁଛି ।

ପୂର୍ବେ ଏ ଅଞ୍ଚଳରେ ଲୋକେ ସାବୁନ୍ ବ୍ୟବହାର କରୁ ନ ଥିଲେ । ବର୍ତ୍ତମାନ ଗ୍ରାମର ବ୍ୟବହାର ଲାଗି ସାବୁନ୍ ତିଆରି ହୋଇ ପାରୁଛି । କେବଳ ତେଲକଷ୍ଟିକ ସୋଡ଼ା ଓ ପାଣି ମିଶାଇ ଆଉଟିଲେ ବା ସେହିପରି ଏକାଠି ରଖି ଘାଣ୍ଟିଲେ ସାବୁନ ହେଲା । ସେଥିରେ ବୁନ୍ଦାଏ ନେଇ ପାଣିରେ ପକାଇଦେଲେ ଯଦି ବୁଡ଼ିଯିବତେବେ ଜଣା ପଡ଼ିବସାବୁନ ଠିକ ହେଲାଣି । ତା ପରେ ଶୁଖିଗଲେ ବ୍ୟବହାରରେ ଲାଗିଲା । କଷ୍ଟିକ୍-ସୋଡ଼ା ସହରର ଦୋକାନମାନଙ୍କରେ ମିଳେ । ସାବୁନ ତିଆରି କରିବା ଅତି ସହଜ । ଯେତେ ଶସ୍ତାରେ ବିକିଲେ ମଧ୍ୟ ଲାଭ ଉଠିବ । ଗାଁରେ ଲୋକେ ସାଧାରଣତଃ ପରିଷ୍କାର ପରିଛନ୍ନତା ପାଇଁ ଆଦୌ ନିଘା କରନ୍ତି ନାହିଁକିନ୍ତୁ କ୍ରମେ ଯେତେବେଳେ ସେମାନେ ବୁଝିଲେପିନ୍ଧା ଲୁଗାଟି ଛିଣ୍ଡାହେଲେ ସୁଦ୍ଧା ଦୋବ ଧାଉଳିଆ ଥିଲେ ତହିଁରେ କେତେ ଆନନ୍ଦ ଓ କେତେ ଗୌରବ ଓ ଯେତେବେଳେ ଦେଖିଲେ ଯେନିଜ ଘରେ ନିଜର ବ୍ୟବହାର ଲାଗି ସାବୁନ ତିଆରି ହୋଇପାରେ କିମ୍ବା ଗାଁ-ତିଆରି ସାବୁନ ଶସ୍ତାରେ କିଣାଯାଇ ପାରେ, - ସେମାନେ ତହିଁରେ ପଛଘୁଞ୍ଚା ଦେଲେ ନାହିଁ ।

ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।