Monday, June 26, 2017

ନବାନୁରାଗ

(ରାଗ - କଲ୍ୟାଣ)


କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ


ଜାପାନର କିଓଟୋଠାରେ ତୋଦାଜି ମନ୍ଦିରରେ କୃଷ୍ଣ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ଦେଖିଲିଟି କୃଷ୍ଣକୁ ଗୋ, ଆଜ ମୁଁ ସଖି । (ଘୋଷା)

ମୋହନ ବଂ‌ଶୀଧାରୀ, ବ୍ରଜବିହାରୀ, ରାସ ରଙ୍ଗେ ନୃତ୍ୟକାରୀ,
ଯମୁନା ଘଟୁଆରୀ, ଲାଟ ଲବଣୀ ଚୋରୀ,
ଗୋପୀଙ୍କ ମନୋହାରୀ, ପୀତ ଦୁକୁଳିଆକୁ ।୧।

ନାସେ ସିନ୍ଧୁଫଳ ଶୋହେ, କାମକୁ ମୋହ ଘନେ ଶୁତ୍ର ଉଦୟେ
ହାର ପଦକ ଦେହେ, ମଣି କଙ୍କଣ ବାହେ,
ନୁପୂର ପଦ୍ମ ପାୟେ, ରତ୍ନ ମୁକୁଟିଆକୁ ।୨।

ସୁନ୍ଦରବର କାଳିଆ, ବନମାଳିଆ, କଦମ୍ବ ତରୁ ତଳିଆ,
ମକର କୁଣ୍ଡଳିଆ, ବଚ୍ଛା ପ୍ରତି ପାଳିଆ,
ସେବତୀ ଚୁଳିଆକୁ ।୩।

ଗୋକୁଳ ରାଜନନ୍ଦନ, ନାଗରୀ ପ୍ରାଣ, ଗୋପୀଙ୍କ ହୃଦଚନ୍ଦନ
କାଳବିଷଖଣ୍ଡନ, ବୃନ୍ଦାବନ ମଣ୍ଡନ,
ବ୍ରହ୍ମା ଗର୍ବ ଗଞ୍ଜନ, ଘନ ଶ୍ୟାମଳିଆକୁ ।୪।

ଦେଖିଲା ବେଳୁ ନୟନ, ଚନ୍ଦ୍ରବଦନ, ଯାହା ହୋଇଛି ମନ,
ଚିତ୍ତ ମୋ ଛନଛନ, ଉଠେ ତାଠାକୁ ମନ,
ଯୁବା ରାଜନନ୍ଦନ, ଧ୍ୟାୟେ ସେହି ରୂପକୁ ।୫।

Sunday, June 25, 2017

ପର୍ବତରେ ଧର୍ମୋପଦେଶ - ୧୭


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


'ବାବିଲୋନର ବେଶ୍ୟା'
ମାର୍ଟିନ ଲୁଥର କୃତ ବାଇବେଲର ୧୫୩୪ ମସିହାର ଅନୁବାଦରୁ ଆହୃତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏଥି ଉତ୍ତାରେ ଯୀଶୁ ଘର ମଧ୍ୟରେ ଭୋଜନ କରିବାକୁ ବସିଅଛନ୍ତି, ଆଉ ଦେଖ, ଅନେକ କରସମ୍ପାଦକ ଓ ପାପିଷ୍ଠ ଲୋକ ଆସି ତାହାଙ୍କ ଓ ତାହାଙ୍କ ଶିଷ୍ୟମାନଙ୍କ ସଙ୍ଗରେ ବସିଲେ । ଫାରୁଶିମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ତୁମ୍ଭମାନଙ୍କର ଗୁରୁ କି ନିମନ୍ତେ କରସମ୍ପାଦକ ଓ ପାପୀବର୍ଗ ସହିତ ଭୋଜନ କରନ୍ତି ? ଯୀଶୁ ତାହା ଶୁଣି ସେମାନଙ୍କୁ ଉତ୍ତର କଲେ, ସୁସ୍ଥ ଲୋକର ବୈଦ୍ୟଠାରେ ପ୍ରୟୋଜନ ନାହିଁ,  ମାତ୍ର ଅସୁସ୍ଥ ଲୋକର ପ୍ରୟୋଜନ ଅଛି । ଏଣୁ "ବଳିଦାନରୁୁ ଆମ୍ଭେ ଦୟାକୁ ଭଲ ଜାଣୁ," ଏହି କଥାର ଅର୍ଥ ଯାଇ ଶିଖ । ଯେହେତୁ ଆମ୍ଭେ ଧାର୍ମିକ ଲୋକଙ୍କୁ ନୁହେଁ, ମାତ୍ର ପାପିମାନଙ୍କୁ ଡାକିବାକୁ ଆସିଅଛୁଁ ।

ସେ ସମୟରେ ୟୋହନଙ୍କର ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ଓ ଫାରୁଶିମାନେ ଅନେକଥର ଉପବାସ କରିଥାଉଁ, ମାତ୍ର ତୁମ୍ଭର ଶିଷ୍ୟମାନେ ଉପବାସ କରନ୍ତି ନାହିଁ, ତାହାର କାରଣ କଣ ? ଯୀଶୁ ସେମାନଙ୍କୁ କହିଲେ, ଯେପର୍ଯ୍ୟନ୍ତ ବରଯାତ୍ରିମାନଙ୍କ ସଙ୍ଗରେ ବର ଥାନ୍ତି, ସେପର୍ଯ୍ୟନ୍ତ କି ସେମାନେ ବିଳାପ କରିପାରନ୍ତି ? ପୁଣି ଯେତେବେଳେ ସେମାନଙ୍କ ନିକଟକୁ ବର ନିଆଯିବେ, ଏପରି ସମୟ ଆସିବ; ସେତେବେଳେ ସେମାନେ ଉପବାସ କରିବେ । ପୁରାତନ ବସ୍ତ୍ରରେ କେହି ନୂତନ ବସ୍ତ୍ରର ତାଳୀ ଦିଏ ନାହିଁ, ଯେହେତୁ ସେହି ତାଳୀରେ ପୁରାତନ ବସ୍ତ୍ର ଛିଣ୍ଡି ଯାଏ, ପୁଣି ସେହି ଛିଦ୍ର ଅଧିକ ମନ୍ଦ ଦିଶେ । ଆଉ ପୁରାତନ କୁମ୍ପାରେ କେହି ନୂତନ ଦ୍ରାକ୍ଷାରସ ରଖେ ନାହିଁ; ଯେହେତୁ ତାହା କଲେ କୁମ୍ପା ଫାଟିଯାଇ ଦ୍ରାକ୍ଷାରସ ଗଳି ପଡ଼େ, ପୁଣି କୁମ୍ପାସବୁ ନଷ୍ଟ ହୁଏ; ମାତ୍ର ନୂଆ କୁମ୍ପାରେ ନୂଆ ଦ୍ରାକ୍ଷାରସ ରଖିଲେ ଦୁଇର ରକ୍ଷା ହୁଏ ।      

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

Saturday, June 24, 2017

ମାର୍କସ୍ ଅରିଲସ୍


ବିଚାରମାଳା (ମେଡ଼ିଟେସନ୍ସ୍)  : ଦ୍ୱିତୀୟ କାଣ୍ଡ - ସପ୍ତମ ଓ ଅଷ୍ଟମ ଅଧ୍ୟାୟ


ଗ୍ରୀକ ଦାର୍ଶନିକ ଏପିକ୍ଟେଟସ (୫୦-୧୩୫ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସପ୍ତମ ଅଧ୍ୟାୟ



ତୁମେ ବାହାରର ଘଟଣାବଳୀ ଦ୍ୱାରା ବିଚଳିତ କି ? ତାହା ହେଲେ ନିଜେ କିଛି ସମୟ ଶାନ୍ତ ଜାଗାରେ ବିଶ୍ରାମ କର । ଏହା ଫଳରେ ତୁମେ ସତ୍ ଜ୍ଞାନ ପାଇବ ତଥା ନିଜର ବ୍ୟଗ୍ରତାକୁ କମାଇବାର ଉପାୟ ମଧ୍ୟ । ଆହୁରି ଏକ ପ୍ରମାଦ ବିରୁଦ୍ଧରେ ସଚେତ ରୁହ - ଅତ୍ୟଧିକ ବ୍ୟବସାୟରେ ନିଜକୁ ନିଯୁକ୍ତ ରଖି ହାଲିଆ ହେଉଥିବା ଲୋକଙ୍କର ମୂର୍ଖାମୀ;  ଯେଉଁମାନଙ୍କର ନିଜର ସମସ୍ତ ଉଦ୍ୟମ ଓ ଚିନ୍ତାକୁ କେନ୍ଦ୍ରିତ କରି ରଖିବା ପାଇଁ କୌଣସି ଲକ୍ଷ୍ୟ ବି ନଥାଏ । 

ଅଷ୍ଟମ ଅଧ୍ୟାୟ



ତୁମ୍ଭେ ସହଜରେ ଏପରି ଜଣେ ଲୋକଙ୍କର ଠିକଣା ପାଇବ ନାହିଁ, ଯେ କି ଅନ୍ୟମାନଙ୍କର ଆତ୍ମାର କାର୍ଯ୍ୟାବଳୀକୁ ନିରୀକ୍ଷଣ ନକରିପାରିଥିବାରୁ ଦୁଃଖପ୍ରାପ୍ତ ହୋଇଥିବେ । ମାତ୍ର ଯିଏ ନିଜର ଆତ୍ମା ଓ ଭାବନାର ଚଳନକୁ ଧ୍ୟାନ ସହକାରେ ଅବଲୋକନ କରନ୍ତି ନାହିଁ, ତାଙ୍କ ପାଇଁ ଦୁଃଖଭୋଗ ଅବ୍ୟଶମ୍ଭାବୀ ।    

Friday, June 23, 2017

ଓଡ଼ିଆ ସିନେମା ଗୀତ - 'ମୋ' ନାଁ ଟି ମୋ' ନାଁ ଟି'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=KwjVc1gaDqA








Thursday, June 22, 2017

ଓଡ଼ିଆ ବୈଷ୍ଣବ ପଦାବଳୀ - 'ମଲ୍ଲିମାଳ ଶ୍ୟାମକୁ ଦେବି'

(ରାଗ-ବେହାଗ, ତାଳ-ଯତ୍)  

ଉପଇନ୍ଦ୍ର ଭଞ୍ଜ


ଗାୟନ - ଶ୍ୟାମାମଣି ଦେବୀ


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=WjQ-ww4DnCU


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍





Wednesday, June 21, 2017

ଚିଲିକାର ବିଭବ - ୩


ଡାକ୍ତର ଦୁର୍ଗାଚରଣ ପଣ୍ଡା


ଚିଲିକାରେ ଗାଈ ପାଣି ପିଉଥିବାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

୨ ବୋଇତ ବାଣିଜ୍ୟ -


ସାଧବ ଘର ସାତ ପୁଅ ବୋଇତ ବାଣିଜ୍ୟକରି ଯିବା କଥା ପିଲା ଦିନରୁ ଆଇ ମାଙ୍କଠାରୁ ଆମେମାନେ ଶୁଣିଥିଲୁ --- ଏଇ ବୋଇତ ବାଣିଜ୍ୟକରି ଆମଦେଶର ସାଧବମାନେ ସୁଦୂର ଜାଭା ଓ ମଳୟ  ପ୍ରଭୃତି ଦ୍ୱୀପପୁଞ୍ଜରେ ଦିନେ ବସତି ସ୍ଥାପନ କରିଥିବାର ଇତିହାସରୁ ଜଣାଯାଏ । ସେ କାଳରେ ଯେଉଁ 'ଅର୍ଣ୍ଣବପୋତ' ମାନ ବ୍ୟବହାର କରାଯାଉଥିଲା ତାହାର କୌଣସି ଚିହ୍ନ ଏଠାରେ ନାହିଁ ସତ, କିନ୍ତୁ ସେକାଳର ଗୋଟିଏ 'ବତୀଘର' ଏଇ ବାଲୁଗାଁ ନିକଟବର୍ତ୍ତୀ ଚିଲିକାକୂଳସ୍ଥ 'ଦୀପମୁଣ୍ଡିଆ' ପାହାଡ଼ ଉପରେ ଥିବାର ଚିହ୍ନ ରହିଛି । ଏକ ସମୟରେ ଚିଲିକାରେ ଅତିବଡ଼ ବୁଡ଼ାଜାହଜ ଓ ଶକ୍ତ ଲୁହାରେ ତିଆରି ହେବା ବୋଇତ ମଧ୍ୟ ବ୍ୟବହାର କରୁଥିବାର ପ୍ରମାଣ ମିଳେ, ଇଂରାଜୀମାନେ ଓଡ଼ିଶା ଅଧିକାର କରିବା ପରେ ମଧ୍ୟ କିଛିକାଳ ଯାଏ ଏଠା ଅଦିବାସୀ ଚିଲିକାରେ ବୋଇତ ବାଣିଜ୍ୟ ଚଳାଇଲେ । କେବଳ ଏହାର କୂଳଦେଇ ରେଳପଥ ତିଆରି ହେବାରୁ ଗଞ୍ଜାମ ଓ ପୁରୀ---କଟକ ଜିଲ୍ଲାର ବାଣିଜ୍ୟ ଜିନିଷ ରେଳରେ ବୋହି ଯାଉଛି ---ଫଳରେ ଚିଲିକାର ବୋଇତ ବାଣିଜ୍ୟ ଲୋପ ହୋଇଛି ! ଏବେସୁଦ୍ଧା ଚିଲିକାର ଏକାଧିକ ସ୍ଥାନରେ ଛୋଟ ଓ ବଡ଼ ନାହା, ଡଙ୍ଗା ପଢ଼ୋଉ ପ୍ରଭୃତି ତିଆରି ହୁଏ, ଏବଂ ରମ୍ଭାଠାରୁ, କେଶପୁର, ବାଲୁଗାଁ, କୌରି କାଳୁପଡ଼ା ଓ ଭୁଷଣ୍ଡପୁର ପ୍ରଭୃତି ସ୍ଥାନ ଗୁଡ଼ିକ ବୋଇତ ବାଣିଜ୍ୟର ପ୍ରଧାନ ପେଣ୍ଠ ହୋଇରହିଛି । ଏ ସବୁ ସ୍ଥାନରେ ଛୋଟ ଓ ବଡ ଡଙ୍ଗାରେ ଧାନ, କାଠ, ଚୂନ, ଶିପ, ବାଉଁଶ --- ୠତୁ ଅନୁସାରେ ---- ଲୁଣ ଓ ଶୁଖୁଆ ପ୍ରଭୃତି ବୁହାଯାଏ ।   ମାଛମାରି ଆଣିବା ପାଇଁ ପ୍ରତିଦିନ ଶତାଧିକ ଡଙ୍ଗା ଚିଲିକାରେ ଯା' ଆସ କରେ । ପ୍ରାୟ ପ୍ରତିଦିନ ଦର୍ଶକ ମାନେ ଚିଲିକାରେ ବୁଲିବା ପାଇଁ କିମ୍ବା ପକ୍ଷୀ ଶିକାର କରିବା ପାଇଁ ଡଙ୍ଗାଚଢ଼ି ବୁଲୁଥିବାର ଦେଖାଯାନ୍ତି ! ଏ ସବୁ ଦୃଶ୍ୟ ଦେଖିଲେ ଓଡ଼ିଆ 'ନାବିକମାନେ ଏ ପର୍ଯ୍ୟନ୍ତ ବୋଇତ ବାଣିଜ୍ୟ' କଥା ପାଶୋରି ନାହାନ୍ତି ବୋଲି ସ୍ପଷ୍ଟ କହିପାରୁ, କେବଳ ସୁବିଧା ପାଇଲେ ଏଇ ବାଣିଜ୍ୟ ଯେ ଅଧିକ ଉନ୍ନତି ଲାଭ କରିପାରେ ଏ ଆଶା ରହିଛି ।   [କ୍ରମଶଃ]

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Tuesday, June 20, 2017

ଚିଲିକାର ବିଭବ - ୨


ଡାକ୍ତର ଦୁର୍ଗାଚରଣ ପଣ୍ଡା


ଚିଲିକାରେ ଅଭ୍ୟାଗତ ଚଢ଼େଇ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୧ ପ୍ରାକୃତିକ ସୌନ୍ଦର୍ଯ୍ୟ

କବି ଓ ଭାବୁକ ମାନଙ୍କ ପାଇଁ ଯେଉଁସବୁ ଉପାଦାନ ପ୍ରକୃତିରେ ମିଳିବା ଦରକାର ସେସବୁ ଚିଲିକାର ପ୍ରତ୍ୟେକ ସ୍ଥାନରୁ ମିଳିଥାଏ । ଏଥିପାଇଁ ଲେଖକରମାତ୍ରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୁଅନ୍ତି । ବାସ୍ତବରେ କହିବାକୁ ହେବଯେ, ଓଡ଼ିଶାର ଯେଉଁ ଭାବୁକ ବା ଲେଖକ ଚିଲିକାର  ଏ ସୌନ୍ଦର୍ଯ୍ୟ ଦେଖି ନାହାନ୍ତି,  ତାହାଙ୍କ ଜୀବନରେ ଗୋଟିଏ ପ୍ରଧାନ ଅଭାବ ଚିଲିକା ଦେଖିବା ରହିଛି ବୋଲି ସ୍ପଷ୍ଟ କହିପାରୁଁ । ଇଟାଲିର 'ଭେନୀସ୍' ସହର ସମ୍ବନ୍ଧରେ ଇଂରାଜୀରେ ଲେଖାଅଛି । "ସି ଭେନୀସ୍ ଆଣ୍ଡ୍ ଡାଏ" ['ଭେନୀସ୍ ଦେଖି ମରିଯାଅ'] ଏ ଦୃଷ୍ଟିରେ ଆମକୁ କହିବାକୁ ହେବ - ଯେଉଁମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଇଚ୍ଛା କରନ୍ତି - ସେମାନେ ଜୀବନରେ ଥରେହେଲେ ଚିଲିକା ଦେଖନ୍ତୁ ।  ନଚେତ ସେମାନଙ୍କର ଏ ଅଭାବଟି ଅପୂର୍ଣ୍ଣ ରହିବ ମାତ୍ର । 

ସୌନ୍ଦର୍ଯ୍ୟ ବର୍ଣ୍ଣନା ନେଇ କବିବର ରାଝାନାଥ ତାଙ୍କର 'ଚିଲିକା' କାବ୍ୟରେ ଲେଖିଛନ୍ତି । 

"ଆହା, ଏ ଶୋଭାର କାହିଁ ପଟାନ୍ତର
ଥିଲେ ଥିବ ସ୍ୱର୍ଗେ, ମର୍ତ୍ତ୍ୟେ ଅଗୋଚର,
ପାଶୋରିବ ଦେଖି, କହ କେହୁଜନ,
ଏ ଶୋକ ପାସୋରା ଅପ୍ସରା ଭୁବନ"
ପୁଣି - କବିବର ଚିନ୍ତାମଣି ମହାନ୍ତି ତାହାଙ୍କର 'ଚିଲିକା ଭ୍ରମଣ' ପୁସ୍ତିକାରେ ଲେଖିଛନ୍ତି :-  "ଚିଲିକାର ପ୍ରାକୃତିକ ଦୃଶ୍ୟ ଅତୀବ ରମଣୀୟ ଓ ବିଚିତ୍ର ଅଟେ, ତାହାର ନିତ୍ୟ ନୂତନ ବେଶ ଦେଖି ଦର୍ଶକ ମାତ୍ରକେ ମୁଗ୍ଧ ନହୋଇ ରହିପାରିବ ନାହିଁ, ଚିଲିକାର ଦୃଶ୍ୟ କେବଳ ନିତ୍ୟ ନୂତନ ନୁହେ, ତାହା କ୍ଷଣ ନୂତନ ମଧ୍ୟ ଅଟେ, ତାହା କେବଳ ଅନୁଭବିର ଅନୁଭବ୍ୟ ସୁତରାଂ ବର୍ଣ୍ଣନାତୀତ ।"

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।