Tuesday, June 06, 2017

ଆମ ପଡ଼ୋଶୀ - ବିହାର ଓ ଛୋ ନାଗପୁର



ଗୋପୀନାଥ ମହାନ୍ତି 


ବିହାରର ୧୯୪୦ ମସିହାର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଓଡ଼ିଶାରୁ ସିଧା ଉତ୍ତରକୁ ଛୋଟ ନାଗପୁର ମାଳଭୂମି, ଏଠାରେ ଘନ ଜଙ୍ଗଲରେ ପ୍ରଚୁର ଶାଳଗଛ ହୁଏ । ସ୍ଥାନେ ସ୍ଥାନେ ସମତଳ ଉପରେ ଘାସ ଓ ବୁଦା-ଜଙ୍ଗଲ । ନଦୀମାନଙ୍କର ଉପତ୍ୟକା ମଧ୍ୟ ପଥୁରିଆ ଓ ସଙ୍କୀର୍ଣ୍ଣ । ଯେଉଁଠି ସୁବିଧା ମିଳେ, ସେଠି ସଙ୍କୀର୍ଣ୍ଣ ଲମ୍ବା କ୍ଷେତ ଉପରେ ଧାନ ଫସଲ ହୁଏ । ଧାନ କ୍ଷେତ ସବୁ ପାହାଚ ପାହାଚ ହୋଇ କଟା ହୋଇଚି । ପାହାଡ଼ ତଳେ ମକା, ବାଜରା, ସୋରିଷ ଓ ରବି ଫସଲ ହୋଇଚି । ଜମିରୁ ଖୁବ ଅଳ୍ପ ଚାଷରେ ଲାଗୁଚି, ବାକି ସବୁ ଜଙ୍ଗଲ, ପଥର, କଙ୍କର୍ । ଜଙ୍ଗଲରେ ଲାଖ ପୋକ ଅଛନ୍ତି; ଗଛ ଡ଼ାଳରେ ଲାଖ ହୋଇଚି । ଲାଖ ଏଠିକାର ପ୍ରଧାନ ଉତ୍ପନ୍ନ ଦ୍ରବ୍ୟ । ଏ ଅଞ୍ଚଳ ଖଣି ଦ୍ରବ୍ୟ ପାଇଁ ବିଖ୍ୟାତ । ଅଭ୍ରକ (ଅଭ୍ର), ଲୁହା, ତମ୍ବା ଓ ଗେଙ୍ଗୁଟି ଏଠି ପ୍ରଚୁର ପରିମାଣରେ ମିଳେ ।

ଏଠି ଯେଉଁ ଲୋକମାନେ ଅଛନ୍ତି ସେମାନେ ଅତି ଅନୁନ୍ନତ ଭାରତର ଆଦିମ ଅଧିବାସୀ । ଏମାନଙ୍କର ଭାଷା ଭିନ୍ନ ଭିନ୍ନ । ସବୁଠାରୁ ବହୁତ ହେଉଛନ୍ତି ସାନ୍ତାଳ । ଏମାନେ ‘ହାଣ୍ଡିଆ’ ମଦ ପିଇ ସ୍ତ୍ରୀ ପୁରୁଷ ଏକାଠି ହୋଇ ନାଚନ୍ତି । ଛୋଟ ନାଗପୁର ମାଳଭୂମି ଉତ୍ତରରେ କ୍ରମେ ଗଙ୍ଗାନଦୀ ଆଡ଼କୁ ଝୁଙ୍କି ପଡ଼ୁଛି; ତା ପରେ ପଡ଼ିଲା ବିହାର ଦେଶ । ହିମାଳୟରୁ ଅନେକ ନଦୀ ଏ ପ୍ରଦେଶକୁ ଗଡ଼ି ଆସିଛି । ତହିଁରୁ ଏ ପ୍ରଦେଶ ପାଣି ପାଏ । ନଦୀ ସବୁ ବର୍ଷା ଦିନେ ଦୁଇ କୂଳ ଭସାଇ ଦିଏ । ବର୍ଷ ବର୍ଷ ପଟୁ ମାଟି ଆଣି ଜମା କରିଦିଏ । ଚାରିଆଡେ଼ ସମତଳ ପ୍ରଦେଶ । ଯେତେଦୁରକୁ ଗଲେ ସୁଦ୍ଧା ଜମିରେ ପଥର ଖଣ୍ଡେ ମିଳିବ ନାହିଁ । ସମତଳ ଉପରେ ଥରେ ଥରେ ନଦୀ ସବୁ ବାଟ ବଦଳାଇ ଦିଏ । ପୂର୍ବ ବାଟ ଯେଉଁଠି ଥିଲା ସେଠି ଧାଡ଼ି ହୋଇ ଜୋଡ଼ ଓ ପୋଖରୀ ରହିଯାଏ ।

ବର୍ଷାଦିନେ ଏଠି ଯଥେଷ୍ଟ ବର୍ଷା ହୁଏ କିନ୍ତୁ ଗଙ୍ଗା ନଦୀର ଦକ୍ଷିଣକୁ ବର୍ଷା ଅଳ୍ପ, ଦୁର୍ଭିକ୍ଷ ବେଶୀ ତେଣୁ ସେଠି ଅନେକ ନାଳ ଖୋଳା ହୋଇଛି । ଖରା ଦିନେ ଗରମ ଓ ଶୀତ ଦିନେ ଥଣ୍ଡା, – ଏହା ଏଠିକାର ଜଳବାୟୁ । ସମୁଦ୍ରଠାରୁ ଯେତିକି ଦୁରକୁ ଦୁରକୁ ଯାଅ ଜଳବାୟୁ ସେତିକି ସେତିକି ଏହିପରି ହୁଏ । 

ଏଠି ଗହମ, ଆଖୁ, ଧାନ ଓ ରବି ଫସଲ ପ୍ରଚୁର ପରିମାଣରେ ହୁଏ, ଭୂମି ଅତି ଉର୍ବର ।

ଏହି ବିହାର ଦେଶ ମଗଧର ଅଞ୍ଚଳ । ଏଠି ଯେଉଁ ପାଟନା ସହର ରାଜଧାନୀ ହୋଇଛି, ସେଠି ଚନ୍ଦ୍ରଗୁପ୍ତ ରାଜତ୍ୱ କରୁଥିଲେ, ଚାଣକ୍ୟ ମନ୍ତ୍ରୀ ଥିଲେ, ଅଶୋକ ଧର୍ମ ପ୍ରଚାର କରୁଥିଲେ । ଆମ ଦେଶର ଖାରବେଳ ବିହାର ଆକ୍ରମଣ କରିଥିଲେ । ଅଶୋକ ଆମ କଳିଙ୍ଗ ଦେଶକୁ ଛାରଖାର କରିଦେଇଥିଲେ । ଏଠିକାର ଏତେ ଲୋକଙ୍କର ହାଣକାଟ ଦେଖି ତାଙ୍କ ମନରେ ଧର୍ମ ଭାବ ଆସିଥିଲା । ସେ ଅହିଂସା ଓ ବୌଦ୍ଧ ନୀତି ଅବଲମ୍ବନ କରିଥିଲେ । 

ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

Monday, June 05, 2017

 ପାଲି ଧମ୍ମପଦ (୫୮ ଓ ୫୯) ର ଓଡ଼ିଆ  ପଦ୍ୟାନୁବାଦ



୧୫ ଓ ୧୬ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)



କୋରିଆ ହାଇନ୍ସା ବୌଦ୍ଧ ମନ୍ଦିର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯେପରି ମଳରେ ଯାହା ମହାପଥେ କ୍ଷିପ୍ତ 
ମନୋରମ ସୁଗନ୍ଧିତ ତଥା ଶୁଚିଯୁକ୍ତ

ପୁଣ୍ଡରୀକର ଜନ୍ମ ଯେ ହୁଅଇ ଯେପରି 
ଅନ୍ଧଭୂତ ସାଧାରଣ ଜନରେ ସେପରି

ପୃଥକ ଲୋକେ ସମ୍ୟକ ସମ୍ବୁଦ୍ଧ ଶ୍ରାବକ
ମାନଙ୍କର ପ୍ରଜ୍ଞା ଦ୍ୱାରା ଲଭନ୍ତି ଆଲୋକ । ୧୫ ଓ ୧୬।

ଯଥା ସଙ୍କାରଧାନସ୍ମିଂଉଜ୍ଝିତସ୍ମିଂ ମହାପଥେ ।
ପଦୁମଂ ତତ୍ଥ ଜାୟେଥ ସୁଚିଗନ୍ଧଂ ମନୋରମଂ ।୧୫।

ଏବଂ ସଙ୍କାରଭୂତେଷୁ ଅନ୍ଧଭୂତେ ପୁଥୂଜ୍ଜନେ
ଅତିରୋଚତି ପଞ୍ଞାୟ ସମ୍ମାସମ୍ବୁଦ୍ଧସାବକୋ ।୧୬।

ଯଥା ସଂସ୍କାରଧାନେ ଉଜ୍ଝିତେ ମହାପଥେ
ପଦ୍ମଂ ତତ୍ର ଜାୟେତ ଶୁଚିଗନ୍ଧଂ ମନୋରମମ୍ ।୧୫।

ଏବଂ ସଂସ୍କାରଭୂତେଷୁ ଅନ୍ଧଭୂତେ ପୃଥଗ୍-ଜନେ ।
ଅତିରୋଚତେ ପ୍ରଜ୍ଞୟା ସମ୍ୟକ୍ ସମ୍ବୁଦ୍ଧଶ୍ରାବକଃ ।୧୬।

Sunday, June 04, 2017

ଓଡ଼ିଆ ସିନେମା ଗୀତ - 'ତୁଚ୍ଛାକୁ ମହୁ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=Vtwt05BsPRU








ପର୍ବତରେ ଧର୍ମୋପଦେଶ - ୧୫



ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ



୧୧୫୦ ମସିହାର ଫ୍ରାନ୍ସ୍ ଦେଶର ଏକ ବାଇବେଲର ପୋଥି ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନନ୍ତରେ ସେ ନାବରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଶ୍ଚାତ୍ ଗମନ କଲେ । ଆଉ ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ଉଠିଲା, ଯେ ମହାଢ଼େଉରେ ନାବ ଆଚ୍ଛନ୍ନ ହେଲା; ମାତ୍ର ସେ ନିଦ୍ରିତ ଥିଲେ । ଏନିମନ୍ତେ ଶିଷ୍ୟମାନେ ଆସି ତାହାଙ୍କର ନିଦ୍ରା ଭାଙ୍ଗି କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମ୍ଭେ ସମସ୍ତେ ମଲୁଁ । ପୁଣି ସେ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସିମାନେ, କିହେତୁ ଭୟ କର ? ତହୁଁ ସେ ଉଠି ବାୟୁ ଓ ସମୁଦ୍ରକୁ ଧମକ ଦେଲେ; ତହିଁରେ ସମସ୍ତ ସୁସ୍ଥିର ହେଲା । ଏଣୁକରି ଲୋକମାନେ ଆଶ୍ଚର୍ଯ୍ୟ ଜ୍ଞାନ କରି କହିଲେ, ଆଃ ! ଏ କିପ୍ରକାର ମନୁଷ୍ୟ, ଯେଣୁ ବାୟୁ ଓ ସମୁଦ୍ର ଏହାଙ୍କର ଆଜ୍ଞା ମାନନ୍ତି । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

Saturday, June 03, 2017

ଏକ ହୁଅ


ମନମୋହନ ମିଶ୍ର (୧୯୨୦-୨୦୦୦)



ପେଟ୍ରୋଗାର୍ଡ଼ର ଉରିତ୍ସକି ଛକ ଠାରେ କମିଣ୍ଟର୍ଣ୍ଣର ଦ୍ୱିତୀୟ କଙ୍ଗ୍ରେସ
ଚିତ୍ରକର ବୋରିସ୍ କୁସ୍ତୋଦିଏଭ୍ (୧୮୭୮-୧୯୨୭)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କାରଖାନା ଖଳାବାଡ଼ି ଖାଦାନ ବାଗାନରେ, ଏକ ହୁଅ ।
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।ଘୋଷା।

ନାରୀ ବା ପୁରୁଷ ତୁ ବା ହିନ୍ଦୁ ମୁସଲମାନରେ 
ଦେଶମାଟି ସ୍ୱାଧୀନତା ଦାବୀ ତୋ ସମାନରେ
ହେଉ ପଛେ ଶତ ପାର୍ଟି ଶତ ଅନୁଷ୍ଠାନରେ,
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୧।

ହପ୍ତାକ ଖୋରାକେ ସାରି ମାସକ ମଜୁରିରେ
ମରନା ମରନା ତୁହି ପଡ଼ି ପାଇଁ ଝୁରିରେ 
ଗୋରା କଳା ଭେଦଭାବ ବୁନିଆଦ ଚୁରିରେ
ଉଠା ଉଠା ଶକ୍ତ ମୁଠା ହାଣି ଆସ୍ମାନରେ,
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୨।

ଭୁଲନା ତୁ ଭୁଲନା, ବିପୁଳ ତୋ ଲଢ଼ାଇର ମୁକତିର ମୂର୍ଚ୍ଛନା
ଭୁଲନା ତୁ ଭୁଲନା, ବନଭୂମି ଜନପଦେ ରକତର ଝରଣା
ଅକାତରେ ବୁହାଇଚୁ ନ କରିଛୁ ଶୋଚନା, ଭୁଲନା ତୁ ଭୁଲନା
ଧନ୍ୟ ତୋର ଜନ୍ମମାଟି ବୀର ବଳିଦାନରେ
ହେଉପଛେ ଉଣା କେତେ ଲୋଚା ବେଇମାନରେ
ବିଦେଶୀ ଦଲାଲ ସିଏ ଜାତ ଅପମାନରେ 
ଝୁଟା ସିଏ କୁଟା ଖିଏ ମୁକତି ତୋଫାନରେ
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୩।

ଦୁନିଆ ମାଲିକ ହୋଇ ରହିଲୁ ଗୋଲାମ, ଦର ବଢ଼ଇ ମଜୁର ନ ବଢ଼େ ଛଦାମ
ଜିନିଷପତ୍ର ଭରଇ ମାଲିକ ଗୋଦାମ, ମାନ୍ୟବର ସାଆନ୍ତଙ୍କ ଭୋଜି ଧୁମଧାମ୍
ଭୋକି ତୁଣ୍ଡେ ଭରିଦିଏ ଲହୁର ଆରାମ, କୁଳବାଳା ଭିଟାହରା ମାଉଁସ ନିଲାମ୍ 
ମନ କରି ଅନ୍ଧ ତୁରେ ନାହିଁ ଆଖି କାନରେ,
ନିଶବଦେ ଜଳେ ନିଆଁ କୋଟି କୋଟି ପ୍ରାଣରେ
ଏସିଆରେ ପଥେ ଘାଟେ ମୁକତି ନିଶାଣରେ, କଲୋନିର ଯୁଗଯୁଗ ରାତି ଅବସାନରେ
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୪।

ମୁହାଣରେ ଲାଗିଲାଣି ଜୁଆରରେ ଜୁଆର, ଦୁନିଆର ଜନତାରେ ଜୁହାରରେ ଜୁହାର
ଶାନ୍ତିର କପୋତ ଉଡ଼େ ଦୁଆରରେ ଦୁଆର
ଦୁନିଆ ଜନତା ମାଡ଼େ ହୋଇଲାଣି କାବାର
ଯୁଦ୍ଧଖୋର ଅତ୍ୟାଚାରୀ ହୋଇଲାଣି ବାହାର
ତୋରି ବୁକେ ଅବଶେଷେ ଲୋଡ଼ି ମରେ ଥାନରେ
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୫।

ଏ ଆକାଶ ଏହି ବାୟୁ ଯେବେ ତୁହି ଭଲ ପାଉ, ଏକ ହୁଅ ଏକ ହୁଅ
ମଣିଷର ପରମାୟୁ ଯେବେ ତୁହି ଭଲପାଉ, ଏକ ହୁଅ ଏକ ହୁଅ
ତୋ କୁଟୀର ରାଣୀ ଡାକେ, ଏକ ହୁଅ ଏକ ହୁଅ
ତୋ ଫସଲ ଲକ୍ଷ୍ମୀ ଡାକେ, ଏକ ହୁଅ ଏକ ହୁଅ
ତୋ ବଣ ଜଙ୍ଗଲ ଡାକେ, ଏକ ହୁଅ ଏକ ହୁଅ
ତୋ ଜନମ ମାଟି ଡାକେ, ଏକ ହୁଅ ଏକ ହୁଅ
ତୋ କୋଣାର୍କ ତାଜ ଡାକେ, ଏକ ହୁଅ ଏକ  ହୁଅ
ଗୀର୍ଜା ଗୁରୁଦ୍ୱାର ଡାକେ, ଏକ ହୁଅ ଏକ ହୁଅ
ତୋ ବଡ଼ ଦେଉଳ ଡାକେ, ଏକ ହୁଅ ଏକ ହୁଅ
ମଣିଷର ମାରିବାର ପରମାଣୁ ବାଣରେ, ଯେହୁ ଗଢ଼ି ଗଦାକରେ ମେରୁ ପରିମାଣରେ
ଅୟୁତ ଯୋଜନ ଯିଏ ଏ ମାଟି ଚଟାଣରେ, ମୁନାଫା ବଜାର ଲାଗି ଅସ୍ତ୍ର କରେ ଶାଣରେ
ଦଳମତ ନିର୍ବିଶେଷେ ହୁଅ ତୁ ମିଶାଣରେ, ହେଉ ପଛେ ଶତମତ ଏକ ଅଭିଯାନରେ 
 ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୬।

ଉତ୍ସ - ଚିନ୍ତାମଣି ବେହେରାଙ୍କ ଦ୍ୱାରା ସଙ୍କଳିତ ଓ ସମ୍ପାଦିତ ପୁସ୍ତକ 'କବିତା ଯେବେ ମନ୍ତ୍ର ଥିଲା' । ପ୍ରକାଶକ - ଓଡ଼ିଶା ସାହିତ୍ୟ ଏକାଡ଼େମୀ (ଭୁବନେଶ୍ୱର, ୨୦୦୪)

Friday, June 02, 2017

" ପରମସୁଖ ମନ୍ତ୍ରଣାଳୟ "


ଜ୍ୟୋତି ନନ୍ଦ


ଅରୁନ୍ଧତୀ ରାୟ (୧୯୬୧- ବର୍ତ୍ତମାନ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


'ଯେଉଁମାନେ ସାନ୍ତ୍ୱନାହୀନ,ସେମାନଙ୍କୁ।'

ଏହା ହେଉଛି ଉପନ୍ୟାସଟିର ଉତ୍ସର୍ଗ ପତ୍ର । ଉତ୍ସର୍ଗ ପୃଷ୍ଠାର ପରବର୍ତ୍ତୀ ପୃଷ୍ଠାରେ ଗୋଟିଏ ଉଦ୍ଧୃତି ରହିଛି । ଉଦ୍ଧୃତିଟି କବି ନାଜିମ୍ ହିକମତ୍ ଙ୍କର । ଉଦ୍ଧୃତିଟି ଏଇଭଳି : 'ମୁଁ ଭାବୁଛି ଏ ସମସ୍ତ ତମର ହୃଦୟର କଥା.....।'

ଉପନ୍ୟାସଟି ଦେଖିନାହିଁ । ଲେଖିକାଙ୍କ ସବୁ ଲେଖା ଭଳି ଏଇଟିକୁ ପଢିବାର ଆଗ୍ରହ ରହିଛି ।

ଦୀର୍ଘ କୋଡିଏ ବର୍ଷ ପରେ "କ୍ଷୁଦ୍ର ପଦାର୍ଥର ଦେବତା" (ଦି ଗଡ଼ ଅଫ୍ ସ୍ମଲ୍ ଥିଙ୍ଗସ୍) ବୋଲି ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିବା ନିଜର ଉପନ୍ୟାସ ପରେ ଏଇଟି ଅରୁନ୍ଧତୀ ରାୟଙ୍କ ଦ୍ୱିତୀୟ ଉପନ୍ୟାସ । ଉପନ୍ୟାସଟି ଇଂରେଜୀରେ । ନାଆଁ ହେଉଛି, 'ଦି ମିନିଷ୍ଟ୍ରି ଅଫ ଅଟମୋଷ୍ଚ ହାପିନେସ୍', ଯାହାର ଓଡିଆ ଅନୁବାଦଟି 'ପରମସୁଖ ମନ୍ତ୍ରଣାଳୟ' ବୋଲି କରାଯାଇଛି । ଏଇ ଦୁଇଟି ଉପନ୍ୟାସର ମଧ୍ୟବର୍ତ୍ତୀକାଳୀନ ସମୟ ଅରୁନ୍ଧତୀଙ୍କୁ ଜଣେ ସମାଜମନସ୍କ ସ୍ପଷ୍ଟବାଦିନୀ ଚିନ୍ତକ ହିସାବରେ ଅଧିକ ପରିଚିତ କରାଇଛି ଭାରତବର୍ଷରେ ।ସେ ଆବଶ୍ୟକତା ଠାରୁ ଅଧିକ ବିତର୍କିତ ହୋଇଛନ୍ତି ତାଙ୍କର ଯୁକ୍ତିସଙ୍ଗତ ଓ ପ୍ରାସଙ୍ଗିକ ବିଚାରବୋଧ ଯୋଗୁଁ, ଯାହା ଅଧିକାଂଶଙ୍କର ବିଶ୍ୱାସର ମୂଳଦୁଆକୁ ଦୋହଲାଇ ଦେବାର କ୍ଷମତା ରଖେ ।

ଆଜି ତାଙ୍କର ଦ୍ୱିତୀୟ ଉପନ୍ୟାସର ପ୍ରକାଶନକୁ ନେଇ କିଛି କଥା, ବିଚାରବୋଧକୁ ନେଇ କୌଣସି ଉତ୍ତେଜନାର ପରିବେଶ ନିର୍ମାଣ କରିବାର ଉଦ୍ଦେଶ୍ୟ ଉପସ୍ଥିତ ଲେଖକର ନାହିଁ ।

"କଥା ସାହିତ୍ୟ ତାହାର ନିଜସ୍ୱ ଗତିରେ ଆପଣା ସମୟରେ ଆତ୍ମପ୍ରକାଶ କରିଥାଏ" ବୋଲି ଗତ ସତେଇଶ ମେ ଶନିବାର ଦିନ "ଦି ଗାର୍ଡିଆନ୍" ପତ୍ରିକାକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଶ୍ରୀମତୀ ଅରୁନ୍ଧତୀ ରାୟ ।

ଡେକା ଏଟକିନହେଡ୍ ଙ୍କୁ ଦେଇଥିବା ସେଇ ସାକ୍ଷାତକାର ର କିଛି ଅଂଶ ଆମମାନଙ୍କର ପାଇଁ ନିମ୍ନରେ:

କୋଡିଏ ବର୍ଷ ପରେ ଏଇ ପ୍ରଥମ ଅରୁନ୍ଧତୀ ରାୟ ଗୋଟିଏ ନୂଆ ଉପନ୍ୟାସର କାମ ଶେଷ କଲେ । କାମ ଶେଷକରି ସାରିଲା ପରେ ନିଜର ପ୍ରକାଶନ ଏଜେଣ୍ଟ ଙ୍କୁ କହିଲେ, ପାଣ୍ଡୁଲିପିଟିକୁ ଏମିତିରେ ନିଲାମ ଡାକି ଦରଦାମ କରିବା ଭାରି ଅଶ୍ଳୀଳ, ବୁଝୁଛ ତ" । ପୁଣି କହିଲେ, ଆଗ୍ରହୀ ପ୍ରକାଶକମାନେ ଯେମିତି ତାଙ୍କୁ ଚିଠି ଲେଖନ୍ତି । ସେଇ ଚିଠିରେ ସେମାନେ ପାଣ୍ଡୁଲିପିଟି ପଢି ଗପଟିକୁ କେମିତି ଭାବେ ବୁଝିଛନ୍ତି ସେହି କଥା ଲେଖିବା ଦରକାର ।

କିଛି ଦିନ ପରେ ସେଇ ସବୁ ଆଗ୍ରହୀ ପ୍ରକାଶକମାନଙ୍କୁ ନେଇ ସେ ସଭାଟିଏ ଡାକିଲେ । ସଭା ପରେ ଏଜେଣ୍ଟ ଜଣକ ଖୁବ୍ ଶୀଘ୍ର ପ୍ରକାଶକ ବାଛିବା କାମଟିକୁ ସାରି ଦେବା ଉଚିତ ହେବ ବୋଲି ଭାବି ଅରୁନ୍ଧତୀଙ୍କ କହିଲେ, ଏମାନେ କ'ଣ ଗପଟିକୁ ବୁଝିଛନ୍ତି ଜାଣିଲ ତ ! ଏମାନଙ୍କର ସହ ଦେଖା ବି ହୋଇଗଲା । ଏବେ ଠିକ୍ କର, କିଏ ?

ନା, ନା ଏବେ ନୁହଁ, ଅରୁନ୍ଧତୀ ଉତ୍ତର ଦେଲେ । ମୋତେ ପରାମର୍ଶ କରିବାକୁ ପଡିବ ।

ଏଜେଣ୍ଟ ଜଣକ ସାମାନ୍ୟ ଅପ୍ରସ୍ତୁତ ହୋଇ କହିଲେ, ମୋ ଠାରୁ ପରାମର୍ଶ ନେବ ତ ? ଏଇ କଥା ?

ନା, ମୋର ଲୋକମାନଙ୍କଠୁ ପରାମର୍ଶ ନେବାକୁ ପଡିବ, ବୁଝିଲ, ମୋ ବହି ଭିତରେ ଯେଉଁ ସବୁ ଲୋକ ଅଛନ୍ତି, ସେଇ ମାନଙ୍କର ।

ଲେଖିକା ଆଉ ଏଜେଣ୍ଟ ଏକାଠି କିଛି ସମୟ ଚୁପ ରହିଲେ । ସେଇ ସମୟରେ ଅରୁନ୍ଧତୀ ତାଙ୍କ ଉପନ୍ୟାସର ଚରିତ୍ର ମାନଙ୍କ ସହିତ କଥା ହେଉଥିଲେ, ପ୍ରକାଶକ ହିସାବରେ କିଏ ସେମାନଙ୍କର ପ୍ରଥମ ପସନ୍ଦ । ଗଳ୍ପର ଚରିତ୍ରମାନେ ଶେଷରେ ବାଛିଲେ ନିଜର ପ୍ରକାଶକ ।ସେଇ ବ୍ୟକ୍ତି ଯେ ଅନ୍ୟ ପ୍ରକାଶକ ମାନଙ୍କ ତୁଳନାରେ ଅଧା ପଇସା ଦେବ ବୋଲି ମନେ ପକାଇ ଦେଲେ ଏଜେଣ୍ଟ ଜଣକ । ଅରୁନ୍ଧତୀ ନିର୍ବିକାର । ମୋର ଚରିତ୍ର ମାନଙ୍କର ସିଏ ହିଁ ପସନ୍ଦ ।

ମୋତେ ଏଇ ଗପଟି କହି ସାରିଲା ପରେ ମୋ ଚେହେରାର ବିସ୍ମୟ ଦେଖି ଅରୁନ୍ଧତୀ ହସି ପକାଇଥିଲେ । ସମସ୍ତେ ଭାବନ୍ତି ମୁଁ ଏକା ଥାଏ, ତାହା କିନ୍ତୁ ଠିକ୍ ନୁହଁ । ମୋର ଚରିତ୍ରମାନେ ସମସ୍ତେ ମୋ ସହିତ ରହିଥାନ୍ତି ।

ସମସ୍ତେ ତାଙ୍କ ସହ?

ହଁ, ଠିକ୍ କବାଟ ବନ୍ଦ କରିବା ପରେ ହୁଏତ ପଚାରିବେ, ଆରେ ଏଇ ଯେଉଁ ଲୋକଟି ଏବେ ଗଲା ତାହା ବିଷୟରେ ତୁମର ଧାରଣା କ'ଣ ? ଲୋକଟା ଦେଖିବାକୁ ଟିକିଏ ନିର୍ବୋଧ, ନୁହଁ ?

ଏଇ ସାକ୍ଷାତକାର ଶେଷରେ ମୁଁ ଗଲାପରେ ଏଇମିତି କିଛି ଘଟିବ କି ବୋଲି ପଚାରିବାରୁ ଅରୁନ୍ଧତୀ ଟିକିଏ ଅବାକ ହୋଇ କହିଥିଲେ, ଅବଶ୍ୟ ।

ଗତ କୋଡିଏ ବର୍ଷରେ ଅରୁନ୍ଧତୀଙ୍କ ଲେଖାଲେଖିକୁ ନେଇ ତାଙ୍କର ଗୁଣଗ୍ରାହୀମାନଙ୍କ ମଧ୍ୟରୁ ଅନେକେ ଗୋଲକଧନ୍ଦାରେ ପଡିଛନ୍ତି । ସେ ଜଣେ ପ୍ରକୃତ ସାହିତ୍ୟିକ ନା ତାଙ୍କର ପ୍ରଥମ ଉପନ୍ୟାସ ଗୋଟିଏ ଆକସ୍ମିକ ଘଟଣା ? ତାଙ୍କର "କ୍ଷୁଦ୍ର ପଦାର୍ଥର ଦେବତା" ଯେତେବେଳେ ପ୍ରକାଶିତ ହୁଏ, ସେତେବେଳେ ଚାରିଆଡେ ତୁମୁଳ ଆଲୋଡନ ।  ଅରୁନ୍ଧତୀଙ୍କ ବୟସ ସେତେବେଳେ ମାତ୍ର ପଇଁତିରଶ । ପ୍ରାୟ ଆତ୍ମଜୀବନୀ-ମୂଳକ ସେଇ କାହାଣୀଟି ଏକ କ୍ଷୟିଷ୍ଣୁ ଭାରତୀୟ ପରିବାରର ନାନା ବେଦନାମୟ ସଙ୍କଟ ଆଉ ଅପବାଦର କଥା, ଯାହା ବିଖ୍ୟାତ ବୁକର୍ ପୁରସ୍କାରରେ ସମ୍ମାନିତ ହୋଇଥିଲା । ବୟାଳିଶଟି ଭାଷାରେ ଏହାର ଅଶୀ ଲକ୍ଷ ବହିଟି ପ୍ରତି ଏ ଯାଏଁ ବିକ୍ରି ହୋଇ ସାରିଛି । ଜଣେ ଅଖ୍ୟାତ ଚିତ୍ରନାଟ୍ୟକାର ରାତାରାତି ହୋଇଯାଆନ୍ତି ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ, ଆଉ ଅନେକେ ମନେ କରନ୍ତି ସେ ତାହାର ପ୍ରଜନ୍ମର ସାହିତ୍ୟର କଣ୍ଠ ସ୍ୱର ଯେମିତି ଏବେ ।

ତାହା ପରେ ଗତ କୋଡିଏ ବର୍ଷ ହେଲା ଅରୁନ୍ଧତୀ ବହୁ ନିବନ୍ଧ ଲେଖିଛନ୍ତି, ଅନେକ ବିଷୟରେ ଆଲୋଚନାମୂଳକ ପୁସ୍ତକ ରଚନା କରିଛନ୍ତି, ପ୍ରାମାଣିକ ଛବି ବି କରିଛନ୍ତି । ପ୍ରତିବାଦ କରିଛନ୍ତି ଦୁର୍ନୀତି ବିରୁଦ୍ଧରେ । ହିନ୍ଦୁ ଜାତୀୟତାବାଦ, ପରିବେଶ ବିନଷ୍ଟକରଣ, ଆମ ସମାଜର ତୀବ୍ର ବୈଷମ୍ୟ ବିରୁଦ୍ଧରେ ସେ ପ୍ରତିବାଦରେ ମୁଖର । କାଶ୍ମୀରର ସ୍ୱାଧିନତା, ମାଓବାଦୀ ବିଦ୍ରୋହ ଓ ଆଦିବାସୀମାନଙ୍କ ଜମିର ଅଧିକାର ସପକ୍ଷରେ ଆନ୍ଦୋଳନ କରିଛନ୍ତି । ମାର୍କିନ ସାପ୍ତାହିକ 'ଦି ଟାଇମ୍ସ୍' ପତ୍ରିକାର ବିଶ୍ୱର ଶହେ ଜଣ ଶୀର୍ଷ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ତାଙ୍କର ନାଆଁ ଅନ୍ତର୍ଭୁକ୍ତ ହୋଇଛି ।

ତାଙ୍କର ରାଜନୈତିକ ସମର୍ଥକମାନଙ୍କ ଦୃଷ୍ଟିରେ ସେ ସତ୍ ପ୍ରତିରୋଧ ସପକ୍ଷରେ ଏକ ଦୃଢ ବାମପନ୍ଥୀ କଣ୍ଠ ସ୍ୱର । ନିନ୍ଦୁକମାନଙ୍କ ଆଖିରେ ସେ ଅପରିଣତ ଆଦର୍ଶବାଦର ଚୂଡାନ୍ତ ଉଦାହାରଣ । ତାହାର ଚିନ୍ତା ଅବାସ୍ତବ । ସେ ସର୍ବଦା ନିଜକୁ ନେଇ ବଡ ବ୍ୟସ୍ତ ରହନ୍ତି ।ଅଦାଲତ ଅବମାନନା ଓ ଦେଶଦ୍ରୋହ ପାଇଁ ଅଭିଯୁକ୍ତ ହୋଇଛନ୍ତି, ଜେଲ୍ ଯାଇଛନ୍ତି । ଗଲା ବର୍ଷ କିଛି ସମୟ ପାଇଁ ପ୍ରାଣଭୟରେ ଭାରତ ଛାଡି ସେ ପଳାୟନ କରିଥିଲେ । ଏଇ ବହି ପ୍ରକାଶିତ ହେବା ଆଗରୁ ସେ ଧାଡିଟିଏ ଗପ କି ଉପନ୍ୟାସ ଲେଖି ନାହାଁନ୍ତି ।

୨୦୧୧ ମସିହାରେ ସେ ଇଙ୍ଗିତରେ କହିଥିଲେ ଯେ ଦ୍ୱିତୀୟ ଉପନ୍ୟାସର କାମ ଚାଲିଛି । ତାହା ପରେ ବର୍ଷ ପରେ ବର୍ଷ ବିତିଗଲା । ଉପନ୍ୟାସ ର ଚିହ୍ନବର୍ଣ୍ଣ ନାହିଁ । କାହା କାହା ପକ୍ଷରେ ଅରୁନ୍ଧତୀଙ୍କୁ ସାହିତ୍ୟିକ ହିସାବରେ ବିବେଚନା କରିବା କଠିନ ହୋଇ ଉଠୁଥିଲା । "କ୍ଷୁଦ୍ର ପଦାର୍ଥର ଦେବତା" ଉପନ୍ୟାସର ଭାଷା ବାଙମୟ, ସୂକ୍ଷ୍ମ, ଇଙ୍ଗିତଧର୍ମୀ । କିନ୍ତୁ ଅରୁନ୍ଧତୀଙ୍କ ପ୍ରବନ୍ଧ ଆଉ ରାଜନୈତିକ ଆନ୍ଦୋଳନକୁ ନେଇ ଅଭିଯୋଗ ଉଠିଲା ଯେ, ଅରୁନ୍ଧତୀଙ୍କ ଭାଷା ତୀକ୍ଷ୍ଣ ଓ ଅତିସରଳୀକରଣ ଆଦି ଦୋଷରେ ଅଭିଯୁକ୍ତ ।

ଲଣ୍ଡନର ଗୋଟିଏ ହୋଟେଲରେ ଅରୁନ୍ଧତୀଙ୍କ ସଦ୍ୟତମ ଉପନ୍ୟାସ 'ଦି ମିନିଷ୍ଟ୍ରି ଅଫ ଅଟମୋଷ୍ଚ ହାପିନେସ୍' (ପରମସୁଖ ମନ୍ତ୍ରଣାଳୟ)କୁ ନେଇ ଯେତେବେଳେ ତାଙ୍କ ସହ କଥାବାର୍ତ୍ତା କରିବାକୁ ଆସିଲି, ସେତେବେଳେ ମୁଁ ନିଶ୍ଚିତ ନଥିଲି ଯେ ଅରୁନ୍ଧତୀଙ୍କ କେଉଁ କଣ୍ଠ ସ୍ୱର ମୁଁ ଶୁଣିବାକୁ ପାଇବି।

ଅରୁନ୍ଧତୀ ଯେତେବେଳେ ଆସିଲେ, ଦେଖିଲି ସେ ଜିନ୍ସ୍ ଉପରେ ନିଜ ଉର୍ଦ୍ଧାଙ୍ଗକୁ ପ୍ରାୟ ଶାଢି ଭଳି ହାଲକା ଗୋଲାପୀ ରଙ୍ଗର ଏକ ଲିନେନ୍ ପୋଷାକରେ ଆଚ୍ଛାଦିତ କରିଛନ୍ତି । ପାଦରେ ସାଣ୍ଡାଲ୍, ମୁହଁ ଖୋଲା । ନଖରେ ଲାଲ୍ ଟକଟକ ନଖପାଲିସି । ଚାଲିବାରେ ସୌକୁମାର୍ଯ୍ୟର ଚମକ, ଖୁବ୍ ଆସ୍ତେ କଥା । ବୟସ ଏବେ ପଞ୍ଚାବନ, ତଥାପି ଚାଲିଚଳଣରେ କୌଣସି କିଶୋରୀର ନିଷ୍ପାପ ସରଳତାର ଛାପ ରହିଛି ଏ ଯାଏଁ । ହସରେ ଅନୁଚ୍ଚାରିତ ଦୁଷ୍ଟାମୀର ଝଲକ । ମନେ ହୁଏ ନିଜର ରାଜନୈତିକ ଅବସ୍ଥାନଟି ଯେ ଗୋଟିଏ ସମାଜରେ ବିଶେଷ ଆଲୋଡନ ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି, ସେଇ କଥାକୁ ନେଇ ସେ କିଛି ପରିମାଣରେ ଆତ୍ମତୃପ୍ତି ଅନୁଭବ କରନ୍ତି । କଥା କହିବାର ଭଙ୍ଗିଟି ଏଇଭଳି, ଯେମିତି ଅନେକ କଥା ଅକୁହା ରହିଯାଏ, ସେହିପରି । କଥାକୁ ଶେଷ କରନ୍ତି ସେ ଏକ ସୁନ୍ଦର ଅଙ୍ଗଭଙ୍ଗୀମାରେ, ବା ପରିହାସତରଳ ଅର୍ଥବୋଧକ ମୁଖଭଙ୍ଗିରେ ।

ସେ କ'ଣ ସାହିତ୍ୟିକ ? ଅରୁନ୍ଧତୀଙ୍କ ଉତ୍ତର:କଥାସାହିତ୍ୟର ଉପରେ କିଛି ନାହିଁ । ମୁଁ ମୂଳତଃ କଥାସାହିତ୍ୟିକ । ମୁଁ ଗପ କହେ ।ପୃଥିବୀକୁ ବୁଝିବାକୁ, ଠିକ୍ କେଉଁ ଖେଳ ଏଇଠେ ଚାଲିଛି, ତାହା ବୁଝିବା ପାଇଁ ଏଇ ଗୋଟିଏ ମୋର ବାଟ ।

ଦ୍ୱିତୀୟ ଉପନ୍ୟାସ ଆରମ୍ଭ କରିଥିଲେ ସେ ସମ୍ଭବତଃ ଦଶ ବର୍ଷ ଆଗରୁ । ଅନ୍ତତଃ ତାହା ତାଙ୍କର ଧାରଣା, ତେବେ ସେ ନିଶ୍ଚିତ ନୁହଁନ୍ତି ।("ବିଷୟଟି ଏତେ ଜଟିଳ,ମୋର ମନେ ନାହିଁ") କେତେ ଦିନ ଲାଗିଛି, ସେଇ ବିଷୟରେ ଭାବିବାକୁ ସେ ନାରାଜ । ସାମାନ୍ୟ ହସିଦେଇ କହିଲେ, ତାହାର ପ୍ରକାଶନ ଏଜେଣ୍ଟ ତାଙ୍କୁ ବେଶ୍ ଭଲ କରି ଚିହ୍ନେ । ତେଣୁ ମଝିରେ ମଝିରେ ମନେ ପକାଇବା ଆଳରେ ବାଧ୍ୟ କରିବା ଭଳି କହି ସମୟର ଅପଚୟ ସେ କରିନାହିଁ । ତାଙ୍କର ନିବନ୍ଧ ସବୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଲେଖା ହୋଇଛି, ସମୟର ପ୍ରୟୋଜନରେ, ସେନା ଅଭିଯାନ, ଅଦାଲତର ରାୟ ଇତ୍ୟାଦିର ପ୍ରତିକ୍ରିୟାରେ । କିନ୍ତୁ ଗଳ୍ପ-ଉପନ୍ୟାସ ଲେଖା "ତାହାର ନିଜର ସମୟାନୁଯାୟୀ ଘଟିଥାଏ । ଏଥିରେ କୌଣସି ବାଧ୍ୟବାଧକତାର ଅବକାଶ ନାହିଁ । ମୁଁ ଚାହିଁଲେ ବି ଆହୁରି ଶୀଘ୍ର କି ଆହୁରି ଆସ୍ତେ ଲେଖିପାରିବି ନାହିଁ । ଇଏ ଯେମିତି ସେଇ କେଉଁ କାଳର ପଥର, ଦୀର୍ଘ କାଳ ଧରି ଏହାର ସ୍ତର ପରେ ସ୍ତର ଜମାଟ ବାନ୍ଧି ଚାଲିଛି । ଗପ ଆଉ ପ୍ରବନ୍ଧ ଭିତରେ ପାର୍ଥକ୍ୟ ହେଉଛି ଜରୁରୀ ଆବଶ୍ୟକତା ଆଉ ଅନନ୍ତକାଳ ଭିତରେ ଫରକ କହିଲେ ଯାହା ସେତିକି ।"

'ଦ ଗଡ଼୍ ଅପ୍ ସ୍ମଲ୍ ଥିଙ୍ଗସ୍' ର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅରୁନ୍ଧତୀ ଏତିକି ଜାଣିଥିଲେ ଯେ "କ୍ଷୁଦ୍ର ପଦାର୍ଥର ଦେବତା" ର ଦ୍ୱିତୀୟ ଭାଗ ଲେଖିବାର କାମନା ତାଙ୍କର ନଥିଲା ।

ତଥାପି କିଛି ସାମଞ୍ଜସ୍ୟ ରହିଛି । ତାଙ୍କର ପ୍ରଥମ ଉପନ୍ୟାସର ଅନୁପ୍ରେରଣା ପରିବାରର ପିଲାଦିନର କାହାଣୀରୁ ଥିଲା । ଆଉ ତାଙ୍କର ଦ୍ୱିତୀୟ ଉପନ୍ୟାସ ବି ଭିନ୍ନ ଅର୍ଥ ରେ ଆତ୍ମଜୀବନୀମୂଳକ । ଏଥର ସେ ନିଜର ପ୍ରାପ୍ତବୟସ୍କ ଜୀବନର ସ୍ୱଭାବ ଆଉ ମାନସିକତାକୁ ଧରି ରଖିବାର ଚେଷ୍ଟା କରିଛନ୍ତି । "ଏଇ ଯେମିତି ମୁଁ ଏଇଠେ ସେଇଠେ ଘୁରି ବୁଲୁଛି, ଦିଲ୍ଲୀରେ ଯେମିତି କରେ, ମସଜିଦ୍ ବା ଅଦ୍ଭୁତ ସବୁ ଜାଗାରେ, ମୁଁ ସାରାଟି ଜୀବନ ଯାହା କରିଛି, ସେଇ ସବୁ କଥାକୁ ନେଇ ଲେଖିବାକୁ ଚାହିଁଛି । ଏଇ ସବୁ ପାଗଳ ଦଳ, ଏତେ ଭଲ ମଣିଷ, ସେମାନଙ୍କର କଥା ଭାବିଲେ ଆନନ୍ଦ ଆସେ । ଖୁବ୍ ଦୁଃଖର ଜାଗାରେ ବି ଟିକିଏ ସୁଖ ମିଳେ । ଏମିତି ଏତେ, ଯେ ଭାବି ବି ହେବନି, ସବୁ" । ସାମାଜିକ ଦୃଷ୍ଟିରେ ନ୍ୟୁନତମ ଲୋକଟିର ବିଷୟରେ ଅରୁନ୍ଧତୀଙ୍କ ସବୁ ସମୟରେ ଆଗ୍ରହ । ସେ ତାହାର ସାହଚର୍ଯ୍ୟ ଚାହାଁନ୍ତି। "ମୁଁ କାହାକୁ ଏଡାଇ ଦେଇ ବାଟ ଭାଙ୍ଗି ଯିବାକୁ ଚାହେଁ ନାହିଁ । ମୁଁ ଚାହେଁ ତା ସହିତ ଆଡ୍ଡା ଦେବାକୁ । ଗୋଟିଏ ସିଗାରେଟ୍ ଲଗାଇ ତା'କୁ ପଚାରିବାକୁ, କ'ଣ ଭାଇ, କେମିତି ଚାଲିଛି ? ମୋର ମନେହୁଏ ଏଇ ସବୁ କଥାକୁ ନେଇ ତ ମୋର ବହି" ।

"ପରମସୁଖ ମନ୍ତ୍ରଣାଳୟ" ଅସଲରେ ଠିକ୍ ସେମିତି । ଗୋଟିଏ କିନ୍ନର ନାରୀକୁ ନେଇ ସୁବିସ୍ତୃତ, ବର୍ଣ୍ଣାଢ୍ୟ ଏକ କାହାଣୀ । ଏଇ ନାରୀଟି ଖୁବ୍ ଛୋଟ ବେଳେ ଘର ଛାଡି ଚାଲି ଆସେ ପୁରୁଣାଦିଲ୍ଲୀର ଏକ ଜରାଜୀର୍ଣ୍ଣ ପରିବେଶରେ ଥିବା ଗୋଟିଏ କିନ୍ନର ଗୋଷ୍ଠୀର ସହିତ ବସବାସ କରିବା ଉଦ୍ଦେଶ୍ୟରେ । ଏଇ ବିଶେଷ ଗୋଷ୍ଠୀର ସଦସ୍ୟମାନଙ୍କର ଯେମିତି ନାୟିକାସୁଲଭ ଠାଣି ଓ ଦର୍ପ ରହିଛି, ସେମିତି ଏମାନେ ଖୁବ୍ ବନ୍ଧୁବତ୍ସଳ ବି । ଏମାନେ ଖୁବ୍ ତେଜିଆନ୍ ଅଥଚ ଖୁବ୍ ବିପନ୍ନ । ଏମାନେ ଗୋଟିଏ ଦୃଷ୍ଟିରୁ ସମାଜରୁ ବାସନ୍ଦ ଆଉ ଅନ୍ୟ ଗୋଟିଏ ପଟେ ସେମାନଙ୍କ ପ୍ରତି ମଣିଷର ଏକ ପ୍ରକାରର ନିଷିଦ୍ଧ କୌତୁହଳର ଜୌଲୁସ । 

କିନ୍ତୁ ୪୬ ବର୍ଷୀୟା ଆଞ୍ଜୁମ୍ ଗୁଜୁରାଟ୍ ର ନରମେଧ ଯଜ୍ଞରେ ଜଡିତ ହୋଇଯାଏ । ସେଠାରେ ସେ ଠିକ୍ କରେ ଯେ ସେ ଆଉ କିନ୍ନର ସମାଜରେ ରହିବ ନାହିଁ, ବୃହତ୍ତର ସମାଜକୁ ସେ ପୁଣି ଫେରି ଆସିବ । ଆଞ୍ଜୁମ୍ ର ଅନ୍ତର କ୍ଷତବିକ୍ଷତ । କିନ୍ତୁ ଲକ୍ଷ୍ୟ ସ୍ଥିର । ଗୋଟିଏ କବରଖାନାରେ ସେ ଘର ତିଆରି କରେ । ଆସ୍ତେ ଆସ୍ତେ ଗୋଟିକ ପରେ ଗୋଟିଏ ଭଡାଘର ସେ ତିଆରି କରି ଚାଲେ କବର ଗୁଡିକର ପାଖାପାଖି ହେବାଯାଏଁ । ଅବଶେଷରେ ତାହାର ଜନ୍ନତ ଗେଷ୍ଟ ହାଉସ୍ ହୋଇ ଉଠେ ବିଭିନ୍ନ ବ୍ରାତ୍ୟ ମଣିଷମାନଙ୍କର ଏକ ଉଦ୍ଭଟ ସମାହାର; ଅଚ୍ଛବ, ଧର୍ମାନ୍ତରୀତ ମୁସଲମାନ୍, କିନ୍ନର, ମାତାଲି, ଏପରିକି ଜୟନାବ ବୋଲି ପିଲାଟିଏ ସେଇଠେ ପହଞ୍ଚି ଯାଆନ୍ତି । ଆଞ୍ଜୁମ୍ ନିଜେ ସେଇ ପିଲାଟିକୁ ପାଳିବା ଦାୟିତ୍ୱ ନିଏ ।

ଏଇ କାହାଣୀର ପାଖାପାଖି ସମାନ୍ତରାଳ ଭାବରେ ଆଉ ଗୋଟିଏ ସୁବିସ୍ତୃତ କାହାଣୀ ରହିଛି । ତାହାର ଘଟଣାସ୍ଥଳ ଓ ବିଷୟ କାଶ୍ମୀର ।ମୋ ବିଚାରରେ କାଶ୍ମୀରର କାହାଣୀ ଗୋଟିଏ ଅଲଗା ଉପନ୍ୟାସ ହୋଇଥିଲେ ଭଲ ହୋଇଥାନ୍ତା । କିନ୍ତୁ ଅରୁନ୍ଧତୀଙ୍କ ମତ ହେଉଛି, ଦୁଇଟି କାହାଣୀ ପରସ୍ପର ସହ ଓତଃପ୍ରୋତ ଭାବରେ ଜଡିତ । "ବହିଟି ତ ସମାଜର ବିଭିନ୍ନ ସୀମାନ୍ତକୁ ନେଇ । ଭୌଗୋଳିକ ଭାବେ କାଶ୍ମୀର ଅନେକ ସୀମାନ୍ତରେ କ୍ଷତବିକ୍ଷତ, ତାହା ଛଡା ବହିଟିର ପ୍ରତ୍ୟେକ ଚରିତ୍ରର ନିଜ ନିଜ ଭିତରେ ଗୋଟିଏ ସୀମାନ୍ତ ରହିଛି । ଏଇ ସୀମାଗୁଡିକୁ ଆପଣ କେମିତି ବୁଝିବେ, ସେଗୁଡ଼ିକୁ ଉପଲବ୍ଧି କରିବେ, ସେଇ କଥାକୁ ନେଇ ଏଇ ବହିଟି । ସବୁ ବୁଝି ସାରିବା ପରେ ଆପଣ ଯେମିତି ସମସ୍ତଙ୍କୁ ହାତ ବଢାଇ କହନ୍ତୁ, ଜନ୍ନତ ଗେଷ୍ଟ-ହାଉସ୍ କୁ ସ୍ୱାଗତଂ । ବୁଝିଲେ ତ ମୋ କଥା ? ସମସ୍ତଙ୍କୁ ସ୍ୱାଗତ" ।

"ଜାତିଭେଦର ଉଦ୍ଦେଶ୍ୟ ହେଉଛି ମଣିଷ ମଣିଷ ଭିତରେ ଏମିତି ଭେଦାଭେଦ ସୃଷ୍ଟି କରିବା, ଯାହା ଦ୍ୱାରା ମଣିଷମାନଙ୍କର ଭିତରେ ଆଉ କୌଣସି ପ୍ରକାରେ ଐକ୍ୟବଦ୍ଧ ହୋଇ ରହିବାର ବାଟ ରହିବ ନାହିଁ । କାରଣ ନିମ୍ନ ଜାତି ଭିତରେ ବି ଗୋତ୍ର ଅଛି, ଭାଗ ଅଛି । ସମସ୍ତେ ଏଇ ଆଧିପତ୍ୟର କ୍ରମ ଅନୁସାରେ ଗଠିତ, ପରସ୍ପର ବିଛିନ୍ନ ଗଣ୍ଡିବଦ୍ଧ ସମାଜର ରକ୍ଷାରେ ନିୟୋଜିତ । ଏହା ହେଉଛି ଶ୍ରେଣୀ, ଜାତି ଗୋଷ୍ଠୀ ଓ ଧର୍ମ ଅନୁଯାୟୀ ତିଆରି ବର୍ଗକ୍ଷେତ୍ରର ରାଜନୀତି । ସେଇ ବର୍ଗକ୍ଷେତ୍ରକୁ ଆହୁରି ସୂକ୍ଷ୍ମ ଭାବରେ ଭାଗ କରି ସମଗ୍ର ପୃଥିବୀକୁ ଆବୋରି ନେବା ହିଁ ଏହାର ଅପରିହାର୍ଯ୍ୟ ଅଂଶ । ମଣିଷକୁ ଏମିତି କହି ବଶୀଭୂତ କରାଯିବ, ତୁମେ ମୁସଲମାନ, ତୁମେ ହିନ୍ଦୁ, ତୁମେ ଶିଆ, ତୁମେ ସୁନ୍ନି, ତୁମେ ବ୍ରାହ୍ମଣ; ତୁମେ ସାରସ୍ୱତ ବ୍ରାହ୍ମଣ, ତୁମେ ଦଳିତ, ତୁମେ ସମକାମୀ, ତୁମେ ଲିଙ୍ଗତ୍ୟାଗୀ; ତେଣୁ ତୁମେ କେବଳ ନିଜ ପକ୍ଷର କଥା କହିପାର, କାହାର ସହିତ କିନ୍ତୁ ଐକ୍ୟବଦ୍ଧ ହେବାର ବାଟ ନାହିଁ । ଅର୍ଥାତ ମଣିଷ ଯାହାକୁ ମୁକ୍ତି ଭାବୁଛି ତାହା ବାସ୍ତବରେ ଦାସତ୍ୱ" ।

"ଆଞ୍ଜୁମ୍ ର ଯେଉଁ କଥାଟି ମୋତେ ବେଶି ଭଲ ଲାଗେ ତାହା ହେଉଛି ସେ ଯେତେବେଳେ (ଗୁଜୁରାଟର ନରମେଧ ଯଜ୍ଞ ଫଳରେ) ବିପଦରେ ପଡିଥିଲା, ସେତେବେଳେ ସେ ରକ୍ଷା ପାଇଯାଇଥିଲା କେବଳ ଜଣେ କିନ୍ନର ବୋଲି । ଯେଉଁ ପରିଚୟ କାରଣରୁ ସେ ସମାଜଚ୍ୟୁତ ହୋଇଛି, ତାହାରି ଯୋଗୁ ସେ ବଞ୍ଚିଯାଇପାରେ । ଆଉ ତାହା ଦ୍ୱାରା ସେ ନିଜର ଆତ୍ମ ପରିଚୟର ବାହାରେ ଯେଉଁ ପୂଥିବୀଟି ରହିଛି, ତାହା ସହିତ ଏକାତ୍ମତା ଅନୁଭବ କରେ । ସେଠାରେ କ'ଣ ସବୁ ଘଟୁଛି, ତାହା ସେ ଉପଲବ୍ଧି କରିବାକୁ ଚାହେଁ । ସେ ଯେତେବେଳେ ଜୟନାବର ମାଆ ହୁଏ, ସେତେବେଳେ ଜୟନାବ ପାଇଁ ସେ ଏଇ ଜଗତଟିକୁ ବୁଝିବାକୁ ଚାହେଁ । ସେ ଆଉ ବର୍ଗକ୍ଷେତ୍ର ମାନେନା । ସେ ଏହା ଭିତରୁ ମୁକୁଳି ଆସେ । ମୋ ପାଇଁ ଏଇଟି ଖୁବ୍ ସୁଖର କଥା" ।

ଅରୁନ୍ଧତୀଙ୍କ ମୁହଁ ସ୍ୱର୍ଗୀୟ ହସରେ ଉଦ୍ଭାସିତ ହୋଇ ଉଠେ ।

ଅରୁନ୍ଧତୀ ରାୟଙ୍କର ହସ୍ତାକ୍ଷର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କହିବା ବାହୁଲ୍ୟ ଅରୁନ୍ଧତୀଙ୍କ ଏଇ "ପରମସୁଖ ମନ୍ତ୍ରଣାଳୟ" ଉପନ୍ୟାସରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ଶ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଚରିତ୍ର ଆକାରରେ ଅଛନ୍ତି।

Thursday, June 01, 2017

ଆମ ପଡ଼ୋଶୀ ପ୍ରଦେଶ - ବଙ୍ଗ ଦେଶ







ଗୋପୀନାଥ ମହାନ୍ତି 


ଟଲେମି କୃତ ବଙ୍ଗ ଓ ଦକ୍ଷିଣ ପୂର୍ବ ଏସିଆର ମାନଟିତ୍ର
(୧୫ଶହ ଶତାବ୍ଦୀରେ ପୁନଃଅଙ୍କିତ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଆମର ଉତ୍ତର ପୂର୍ବର ପାଖ ପଡେ଼ାଶୀ ହେଉଛି ବଙ୍ଗ ଦେଶ । ଏ ପ୍ରଦେଶ ଭିତରେ ପଶ୍ଚିମରୁ ଗଙ୍ଗା ନଦୀ ଓ ପୂର୍ବରୁ ବ୍ରହ୍ମପୁତ୍ର ନଦୀ ଆସି ପ୍ରବାହିତ ହେଉଛନ୍ତି । ସେମାନଙ୍କର ଅସଂଖ୍ୟ ଉପନଦୀ । ଏ ପ୍ରଦେଶ ସେ ନଦୀମାନଙ୍କର ପଟୁରେ ତ୍ରିକୋଣଭୂମି ସ୍ୱରୂପ ତିଆରି ହୋଇଛି । ଏଠି ଅସଂଖ୍ୟ ନଦୀଅସଂଖ୍ୟ ପାଟଭୂଇଁ । ସମତଳ ଭୂମି ଉପରେ କ୍ରୋଶ କ୍ରୋଶ ଗଲେ କେଉଁଠି ଖଣ୍ଡେ ବଡ଼ ପଥର ସୁଦ୍ଧା ମିଳିବ ନାହିଁ । ତେଣୁ ଏଠି ପ୍ରଚୁର ଧାନ ଫସଲ ହୁଏ । ନଦୀ ଥିବାରୁ ଲୋକେ ମାଛ ଖାଇବାକୁ ଝୁଙ୍କ କରନ୍ତି ।

ପ୍ରଥମେଓଡ଼ିଶାରୁ ଗଲେ ଦେଖାଯିବଛୋଟନାଗପୁର ବନ୍ଦର ବୁଦା ଜଙ୍ଗଲ କ୍ରମେ ଶେଷ ହୋଇ ଯାଇଛି । ଭୂମି ଢ଼ାଲୁ ହୋଇ ସମତଳ ଭିତରକୁ ଗଡ଼ି ପଡ଼ିଛି । ଏ ଅଞ୍ଚଳର ପଶ୍ଚିମରେ ଦାମୋଦର ନଦୀର ଉପତ୍ୟକାରେ ବଙ୍ଗ ଦେଶର ପ୍ରସିଦ୍ଧ କୋଇଲା ଖଣିସବୁ ଅଛି । କ୍ରମେ ଆମେ ସମତଳରେ ପହୁଞ୍ଚିବା । ଏ ଅଞ୍ଚଳ ମଲା ଓ ଦରମଲା ନଈର ଅଞ୍ଚଳ । କାରଣ ଏ ନଈମାନଙ୍କରେ ଗଙ୍ଗାନଦୀର ପାଣି ଆଉ ସମୁଦ୍ରରେ ପଡ଼ୁ ନାହିଁ,ଅନେକ ପାଟ ଭୂଇଁରେ ପାଣି ଜମା ହୋଇଯାଉଛିତେଣୁ ଏଠି ଏତେ ମଶା ଓ ମ୍ୟାଲେରିଆ । ଏ ଜୋଡ଼ମାନଙ୍କୂ ଏଠି ଭିଲ୍ ବୋଲି କହନ୍ତି ।

ମୁଦ୍ର କୂଳେ କୂଳେ “ସୁନ୍ଦରବନ” ଜଙ୍ଗଲପଟି ପଟିକା ବଡ଼ ବାଘର ଘରପୁଣି ଅସଂଖ୍ୟ ନଦୀର ମୁହାଁଣସୁନ୍ଦରୀ ଗଛର ଜଙ୍ଗଲ ଓ ସନ୍ତସନ୍ତିଆ ଭୂଇଁ । ଏ ଘନ ଜଙ୍ଗଲ ଭିତରେ ମଣିଷ ରହନ୍ତି ନାହିଁ । ତଲେ ବାଘକୁମ୍ଭୀରଗଛ ଉପରେ ସାପ । କ୍ରମେ ଜଙ୍ଗଲ ପଦା ହୋଇ ଓ ଜୋଡ଼ରୁ ପାଣି ବୁହାଇ ଦେଇ ଧାନ ଜମି ହେଉଛି ।

ତ୍ତରକୁ ଗଲେ ପଡ଼ିବ ଗଙ୍ଗା ଓ ବ୍ରହ୍ମପୁତ୍ର ମଝିରେ ଥିବା ସମତଳ । ହିମାଳୟରୁ ଅନେକ ଗିରି-ନଦୀ ଏ ଅଞ୍ଚଳକୁ ଆସିଛନ୍ତି । ଏଠି “ବାରିଲ” ବୋଲି ଗୋଟିଏ ଛୋଟ ପାହାଡ଼ ଅଞ୍ଚଳ ମଧ୍ୟ ଅଛି ।

ତା ପରେ ପୂର୍ବକୁ ଗଲେ ପଡ଼ିବ ପୂର୍ବ-ବଙ୍ଗବଢ଼ିର ଦେଶ । ବଙ୍ଗ ଦେଶର ନଦୀମାନେ କ୍ରମେ ପଶ୍ଚିମରୁ ପୂର୍ବକୁ ବାଟ ବଦଳାଇ ଯାଉଛନ୍ତି । ପ୍ରତିବର୍ଷ ଏଠି ନୂଆ ପଟୁ ପଡ଼ୁଛିତ୍ରିକୋଣଭୂମି ବଢ଼ୁଛି । ଏଠି ଏତେ ବଢ଼ି ହୁଏ ଯେବର୍ଷା ଦିନେ ଚାରିଆଡେ଼ ସମୁଦ୍ର ପରି ଦିଶେକେବଳ ଖଣ୍ଡ ଖଣ୍ଡ ନଈବନ୍ଧ ଓ କୁଦ ଉପରେ ଥିବା ଘର ପାଣିରେ ଭାସିଲା ପରି ଦିଶେ । ଏଠି ଯିବା ଆସିବା ପାଇଁ ଡ଼ଙ୍ଗା ବ୍ୟବହାର କରାହୁଏଗାଁକୁ ଗାଁ ଲୋକେ ଡ଼ଙ୍ଗାରେ ଯାଆନ୍ତି । ଏତେ ବଢ଼ି ହେଲେ କଣ ହେବଏ ଅଞ୍ଚଳରେ ଖୁବ୍ ଧାନ ଓ ଝୋଟ ଫସଲ ହୁଏ । ପୃଥିବୀ ଭିତରେ କେବଳ ବଙ୍ଗ ଦେଶରେ ଝୋଟ ଚାଷ ହୁଏତାକୁ ବଙ୍ଗାଳିମାନେ “ପାଟ” କହନ୍ତି ।

ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।