Tuesday, May 30, 2017

ଅକ୍ଟାଭିଓ ପାଜ୍‌ ବିରଚିତ କବିତା - 'ସ୍ପର୍ଶ'  

ଅନୁବାଦ - ଗୋର୍ବାଚୋଭ୍ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମୋ’ ହାତ,
ତୁମ ଅସ୍ତିତ୍ୱର ସବୁ ପର୍ଦ୍ଦା ଖୋଲି ଦେଲା,
ତୁମକୁ ଢ଼ାଙ୍କି ଦେଲା ଅଧିକତର ନଗ୍ନତାରେ,
ବିବସନା କଲା ତୁମ ଦେହର ସବୁ ଦେହକୁ;
ମୋ’ ହାତ,
ତୁମେ ଦେହ ପାଇଁ ସୃଷ୍ଟି କଲା–
ଆଉ ଗୋଟେ ଦେହ ।।

Monday, May 29, 2017

ମହିମା ଭକ୍ତି କବିତା 'ଡାକ ମୁଖେ ସ୍ୱାମୀ'


ସନ୍ଥ କବି ଭୀମ ଭୋଇ


ଜର୍ଜିଆ ଦେଶର ଦୁଆର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଡାକ ମୁଖେ ସ୍ୱାମୀ ନିଜ ମହିମା ନାମକୁ,
ଶୂନ୍ୟ ବ୍ରହ୍ମକୁ । ଘୋଷା ।

ଯୁଗ ଶେଷ ହେଲା ଦେଖୁ ଦେଖୁ
ଏତେବେଳେ ନ ଲୋଡିଲେ ନ ମିଳେ ଆଗକୁ ।୧।

ଧର୍ମ କେହି ନାହିଁ ଚିହ୍ନିବାକୁ
ଦ୍ୱାରେ ଦ୍ୱାରେ ଯାଚୁଛନ୍ତି ମୁକତି ପନିକୁ ।୨।

ଫିଙ୍ଗି ଦେଉଛନ୍ତି ଅଲଗାକୁ
ଧନ୍ୟ କଳିଯୁଗେ ବାନା ଉଦେ କି ଭାଗ୍ୟକୁ ।୩।

ନରେ ନ ଭଜୁଛ ଅଲେଖଙ୍କୁ
ସାଧୁ ସୁଜ୍ଞଜନେ ଦୋଷ ନ ଦେବ ପ୍ରଭୁଙ୍କୁ ।୪।

ସର୍ବେ ମାଗୁଛନ୍ତି ପରୀକ୍ଷାକୁ
ସାବଧାନେ ସମ୍ଭାଳି ଥାଅ ଏ ପିଣ୍ଡ ପ୍ରାଣକୁ ।୫।

ମୋର ଶକ୍ୟ ନାହିଁ ବର୍ଣ୍ଣିବାକୁ
ସ୍ୱାମୀ ଦୟା ରଖିଥିବେ ଭୀମ ଅର୍କ୍ଷିତକୁ ।୬।

ଓଡ଼ିଆ ସିନେମା ଗୀତ - 'ଚତୁରୀ ରାଧିକା ଗୋରୀ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=6QB8uK7MZIw


ରାଧା ଓ କୃଷ୍ଣଙ୍କର ରାସ ଲୀଳାର ଚିତ୍ର (ରାଜସ୍ଥାନ, ୧୯ଶହ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍





ମହିମା ଭକ୍ତି କବିତା 'ଧର ଦୃଢ ବନ୍ଧେ ସର୍ବେ'


ସନ୍ଥ କବି ଭୀମ ଭୋଇ


ପିଲାଙ୍କ ଗନ୍ଥା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଧର ଦୃଢ ବନ୍ଧେ ସର୍ବେ ସେହି ସେ କରତା

ନ କର ଚିନ୍ତା । ଘୋଷା ।

ଗତି ପତି ପ୍ରଣ ଭକ୍ତ ହିତା
ବର୍ଗ ବନ୍ଧୁ ତାତ ସେ ଇଷ୍ଚ ଦେବତା ।୧।

ଧନ ଦାରା ସୁତ ପଡିଦାତା
ଛପ୍ନାକୋଟି ଜୀବ ପିଣ୍ଡ ବ୍ରହ୍ମାଣ୍ଡ ଗଢନ୍ତା ।୨।

କର୍ମ ଧର୍ମ ଦାନ ଧ୍ୟାନ ଜିତା
ଜପ ତପ ତୀର୍ଥ ବ୍ରତ ଉପରେ ଶକତା ।୩।

ପୂର୍ଣ୍ଣ ଅଖଣ୍ଡିତ ବ୍ରହ୍ମବେତ୍ତା
ରବି ତଳେ ଯୁଗେ ଯୁଗେ ରୁହାଇବେ କଥା ।୪।

କରିଛନ୍ତି କଷାବସ୍ତ୍ର ଗନ୍ଥା
ସ୍ୱଦେହରେ ଉଦେ ହୋଇ ପୃଥିବୀ ଧରନ୍ତା ।୫।

ଭଣେ ଭୀମ ଭୋଇ ଅରକ୍ଷିତା
ନାମବ୍ରହ୍ମ ଭଜି ହୁଅ ସକଳେ ସଚେତା ।୬।

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୪୧



ଅନୁବାଦକ - ଫକୀର ମୋହନ ସେନାପତି



କୁରୁକ୍ଷେତ୍ରରେ ସାରଥି କୃଷ୍ଣଙ୍କ ସହ ରଥାରୁଢ଼ ଧନଞ୍ଜୟ
୧୮୨୦ ମସିହାର ଚିତ୍ର, ଫିଲାଡେଲଫିଆ କଳା ସଙ୍ଗ୍ରହାଳୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯ‌ୋଗ ଦ୍ୱାରା କରି କର୍ମ ଇଶ୍ୱରେ ଅର୍ପଣ । ଜ୍ଞାନ ଦ୍ୱାରା କରେ ଯେବା ସଂଶୟ ଛେଦନ ।।
ସେହି ଅପ୍ରମତ୍ତ ଲୋକେ କର୍ମ କଦାଚିତ । ବଦ୍ଧ କରି ପାରେ ନାହିଁ ଆହେ ବୀର ପାର୍ଥ ।୪୧।

ୟୋଗସଂନ୍ୟସ୍ତକର୍ମାଣଂ ଜ୍ଞାନସଂଛିନ୍ନ ସଂଶୟମ୍ ।
ଆତ୍ମବନ୍ତଂ ନ କର୍ମାଣିି ନିବଧ୍ନନ୍ତି ଧନଞ୍ଜୟ ।୪୧।

ଗରମ ଦେଶର ଘାସଭୂଇଁ


ଗୋପୀନାଥ ମହାନ୍ତି


ବୁର୍କିନା ଫାସୋ ଦେଶର ତୃଣଭୂମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗରମ ଜଙ୍ଗଲ ଦେଶର ଦୁଇ ପାଖେଉତ୍ତରରେ ଓ ଦକ୍ଷିଣରେ ଯେଉଁ ଅଞ୍ଚଳ ଅଛିସେ ଗରମ ଦେଶର ଘାସଭୂଇଁ । ବସନ୍ତ ଋତୁରେ ଓ ଗ୍ରୀଷ୍ମ ଋତୁର ଆରମ୍ଭରେ ଅଳ୍ପ ବର୍ଷା ହୋଇଯାଏତହିଁରେ ଘାସ ଗଛ କଅଁଳିଯାଏ । ତା ପରେ ଶୀତ ଋତୁରେ ଆଦୌ ବର୍ଷା ନାହିଁ । ଘାସ ଥରେ ବଢ଼ିଗଲେ ତା ପରେ ବର୍ଷା ନ ହେଲେ ସୁଦ୍ଧା ମରେ ନାହିଁକିନ୍ତୁ ଆଉ କୌଣସି ଗଛ ଏପରି ରହିପାରିବ ନାହିଁ । ପୁଣି ଏତେ ଅଳ୍ପ ବର୍ଷା ହେଉଥିବାରୁ ଘାସ ଛଡ଼ା ଅନ୍ୟ କିଛି ହୋଇ ପାରେ ନାହିଁ । ତେଣୁ ଏ ଗରମ ଦେଶର ଘାସଭୂଇଁ ।

ଏଠି ଯେଉଁ ଯେଉଁ ଅଞ୍ଚଳରେ ବର୍ଷା ସାମାନ୍ୟ ବେଶୀସେଠି ବୁଦିବୁଦିକିଆ ଜଙ୍ଗଲ ହୁଏ । ତଳେ ଘାସ ଜାଲ ପରି ବାନ୍ଧି ରଖିଥାଏ । ଉପରକୁ ଦୁଇ ଦୁଇ ପୁରୁଷ ଉଚ୍ଚ ହୋଇ ଘାସ ବଢ଼ିଥାଏ । ତହିଁରେ ବାଘ ସିଂହ ଛପି ଛପି ରହିଥାନ୍ତି । ଏଠି ଦୁଇ ପ୍ରକାର ଜନ୍ତୁ ଦେଖାଯାଆନ୍ତି । ଯେଉଁମାନେ ଘାସ ଖାଆନ୍ତି ପୁଣି ଯେଉଁମାନେ ସେମାନଙ୍କୁ ଖାଆନ୍ତି । ଅନେକ ପ୍ରକାର ବଣୁଆ ଛେଳିମେଣ୍ଢାହରିଣଓଟଗଧଘୋଡ଼ା ଏଠି ଚରି ବୁଲନ୍ତି । ସେମାନଙ୍କୁ ଦୂରକୁ ଦୂରକୁ ଚରି ବୁଲିବାକୁ ହୁଏ ଓ ବାଘ ସିଂହଙ୍କ ଦାଉରୁ ପଳାଇବାକୁ ପଡେ଼ । ତେଣୁ ସେମାନେ ଖୁବ୍ ଶୀଘ୍ର ଦଉଡ଼ି ପାରନ୍ତି । ତଥାପି ସେମାନେ ବାଘ ହାବୁଡେ଼ ପଡ଼ନ୍ତି । ବାଘ ସିଂହ ଯହା ଛାଡ଼ିୁ ଚାଲିଯାଆନ୍ତିତାକୁ ବିଲୁଆଗଧିଆ ଶେଷ କରିଦିଅନ୍ତି । ଏମୁ ଚଢେ଼ଇଓଟ ଚଢେ଼ଇ ପ୍ରଭୃତି ବଡ଼ ବଡ଼ ଡେ଼ଣା ନ ଥିବା ଚଢେ଼ଇ ଡେ଼ଙ୍ଗା ଡେ଼ଙ୍ଗା ଗୋଡ଼ରେ ଏଠି ଦୌଡ଼ା ଦୌଡ଼ି କରନ୍ତି । ଯେତେ ଦୂରକୁ ଆଖି ଯାଏଖାଲି ଘାସଭୂଇଁ । ଘସ ଉପରେ ଢେ଼ଉ ଖେଳାଇ ଯାଉଛି ଜୋର ପବନ । ଲୋକେ ଶିକାର କରି ଖାଆନ୍ତିନେହିଲେ ପଶୁ ପାଳନ୍ତି । ଏଠି ମକା,ବାଜରାଗହମ ପ୍ରଭୃତି ଚାଷ ହୋଇ ପାରେ ।ଏପରି ଦେଶ ମଧ୍ୟ ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ଗରମ ଜଙ୍ଗଲ ଅଞ୍ଚଳ ଉପରକୁ ଓ ତଳକୁ ରହିଛି ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ ପିଲାଙ୍କ ଭୂଗୋଳ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ଆହୃତ ।

Saturday, May 27, 2017

ଗରମ ଦେଶର ମରୁଭୂମି


ଗୋପୀନାଥ ମହାନ୍ତି 



ଦକ୍ଷିଣ ଆଫ୍ରିକାର ନାମିବ ମରୁଭୂମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୃଥିବୀର ଉପର ଅଧକ ଓ ତଳ ଅଧକରେ ଏପରି ଯାଗା ଅଛି ଯେଉଁଠି ପୃଥିବୀର ପାଞ୍ଚ ହଜାର ଫୁଟ ଉପରେ ଆସୁଥିବା ହାଲୁକା ପବନ ତଳକୁ ଓହ୍ଲାଇ ଆସେ । ଏ ସ୍ଥାନରେ ପବନ ଥମି ଯାଇଛି । ଏଠାକୁ ବାହାର ସମୁଦ୍ରରୁ କୌଣଶି ବାମ୍ଫ ମିଶା ପବନ ଆସେ ନାହିଁ । ତେଣୁ ଏଠି ବର୍ଷା ହୁଏ ନାହିଁ ।  ତେଣୁ ଏ ସ୍ଥାନ ମରୁଭୂମି । 

ପୃଥିବୀର ଉପର ଅଧକରେ ସାହାରା, ଆରବ, ପାରସ୍ୟ, ଭାରତ ମରୁଭୂମି ଓ ଉତ୍ତର ଆମେରିକାର ମେକ୍ସିକୋ ମରୁଭୁମି ରହିଛି । ପୃଥିବୀର ତଳ ଅଧକରେ ଦକ୍ଷିଣ ଆଫ୍ରିକାର କାଲାହାରି ମରୁଭୁମି, ଅଷ୍ଟ୍ରେଲିଆ ମଝିରେ ଥିବା ବିଶାଳ ମରୁଭୂମି, ପେରୁ ଚିଲ୍ଲିି ଦେଶ (ଦକ୍ଷିଣ ଆମୋରିକାରେ) ମାନଙ୍କର ମରୁଭୂମି ଅଛି ।

ଏ ଅ଼ଞ୍ଚଳରେ ଖାଲି ବାଲି । ଶହ ଶହ ହଜାର ହଜାର କ୍ରୋସ ପର୍ଯ୍ୟନ୍ତ ବାଲି ପଡ଼ିଛି । ପଥର ସବୁ ଦିନରେ ହଠାତ ତାତି ଯାଏ ରାତି ହଠାତ ଥଣ୍ଡା ହୋଇଯାଏ । ଗରମ ସଙ୍ଗେ ସଙ୍ଗେ ଥଣ୍ଡା ହେଲେ ପଥର ସବୁ ଫାଟିଯାଏ ଘୁଙ୍ଗାବାଲି ହୋଇଯାଏ । ଏଠି ଭାରି ଖରା ତେଜ । ତେଣୁ ଲୋକେ ମୁଣ୍ଡରେ ବଡ଼ ବଡ଼ ପଗଡ଼ି ବାନ୍ଧନ୍ତି । 

ଏ ବାଲିର ପତନ ସବୁଠି ସମାନ ନୁହେଁ । କେଉଁଠି ପାହାଡ଼ ପରି ଉଚ୍ଚ କେଉଁଠି ଖାଲ । ବିଶାଳ ସାହାରା ମରୁଭୁମିରେ ଏହିପରି ସବୁ ଖାଲଢ଼ିପ ରହିଛି । ଏଠି ଖାଇବାକୁ ନ ମିଳିବାରୁ ଲୁଚି ଲୁଚି ମରୁଭୁମିର ମଣିଷ-ମାରୁ ଚୋର ବୁଲୁଥାଆନ୍ତି । ସେମାନେ ମଣିଷକୁ ମାରି ଜିନିଷପତ୍ର ଛଡ଼ାଇ ନିଅନ୍ତି । ଚାରିଆଡ଼େ ତ ବାଲି ଏଠି ବାଟ ମିଳେ ନାହିଁ । ଲୋକେ ରାତିରେ ତାରାକୁ ଦେଖି ବାଟ ସୁମାରି କରି ଶିଖନ୍ତି । ତେଣୁ ଏମାନେ ଆକାଶର ନକ୍ଷତ୍ର ବିଷୟରେ ବହୁତ କଥା ଜାଣନ୍ତି । 

ମରୁଭୂମିରେ ସ୍ଥାନେ ସ୍ଥାନେ ପାଣି ମିଳେ । ପାଣିପାଖ ଦେଖି ଲୋକେ ତମ୍ବୁ ପକାଇ ଘର କରି ରହିଥାଆନ୍ତି । ବାଲିରେ ଓଟ ଛଡ଼ା ଅନ୍ୟ ଜନ୍ତୁ ଚଳିପାରିବେ ନାହିଁ । ଏତେ କଷ୍ଟ ସହିପାରିବେ ନାହିଁ । ବାଲିରେ ଗୋଡ଼ ଦବିଯିବ । ଓଟର ଗୋଡ଼ ଦବିଯାଏ ନାହିଁ । ଓଟ ଥରେ ପାଣି ପିଇଲେ ଅନେକ ସମୟ ବିନା ପାଣିରେ ରହିପାରେ । ତା ପେଟ ଭିତରେ ପାଣି ସାଇତି ରଖିବା ପାଇଁ ଥଳି ଅଛି । ତେଣୁ ଓଟ ଏହି ଲୋକମାନଙ୍କର ଆଶ୍ରା । ସମୁଦ୍ର ପରି ବାଲି ତହିଁରେ ପାରି ହେବାକୁ ଯାହାଜ ପରି ଓଟ । ଏହି ଲୋକମାନେ ଓଟର ବାଳକୁ ବୁଣି ତହିଁରେ ତମ୍ବୁ ତିଆରି କରନ୍ତି । ଦରକାର ପଡ଼ିଲେ ଓଟକୁ ମାରି ତା ପେଟରୁ ପାଣି ବାହାର କରି ପିଅନ୍ତି । ଓଟର ମାଂସକୁ ଖାଆନ୍ତି । 

ପାଣିପାଖ ଦେଖି ଲୋକେ ବସତି କରିଥାଆନ୍ତି । ପାଣି ଶୁଖିଗଲେ ଏମାନଙ୍କର ମରଣ ଦଶା ପଡେ଼ । ଅନ୍ୟ ପାଣି ଯାଗା ଖୋଜିବାକୁ ବାହାରି ପଡ଼ନ୍ତି । ସେଠି ତାଳ ଖଜୁରି ହୁଏ । ତାଳ, ଖଜୁରି ଓ ଓଟ ଦୁଧ ସେମାନଙ୍କର ଖାଦ୍ୟ । ଏ ଦେଶରେ ଏତେ କଷ୍ଟ ପଡ଼ିବାରୁ ଲୋକେ ପରକୁ ଆଶ୍ରା ଦେବାକୁ ଭାରି ତତ୍ପର । କିଏ କେଉଁ ଦୂରରୁ ଖରାତାତିରେ ଶିଝି ଶିଝି ଆସିଛି ତାକୁ ଆଶ୍ରା ନଦେଲେ କିପରି ହେବ । ପାଣି ପାଖ ଭୁଇଁକୁ ଓଏସିସ୍ କୁହନ୍ତି । ସାହାରା ମରୁଭୂମିରେ ଓଏସିସ୍ ସବୁ ବିଞ୍ଚି ହୋଇ ପଡ଼ିଛି । ବାଲିର ଦେଶକୁ ପାରି ହେବାକୁ ହେଲେ ଗୋଟିଏ ଓଏସିସ୍ ରୁ ଆଉ ଗୋଟେ ଓଏସିସ୍ ଯାଏ ଚାଲସବାକୁ ହୁଏ । ଲୋକେ ଓଟ ଉପରେ ପର୍ବତ ପରି ଜିନିଷ ଲଦି ଦିଅନ୍ତି; ଓଟମାନଙ୍କୁ ୟା ପଛକୁ ତା ପଛ ଲଗାଇ ଦଳ ବାନ୍ଧି ବାହାରି ପଡ଼ନ୍ତି । ବାଟରେ ବେଳେ ବେଳେ ତୋଫାନ ଉଠେ । ଲୋକେ ଯେଉଁଠି ତମ୍ବୁ ପକାଇ ଆଶ୍ରା କରିଥାନ୍ତି, ସେଠି ସବୁ ତମ୍ବୁ ଛିଣ୍ଡି ଫାଟି ଉଡ଼ିଯାଏ । ବାଲିର ପାହାଡ଼ ସବୁ ବୁଲିବୁଲିକା ଆକାଶକୁ ଉଠିଯାଏ; ଲୋକଙ୍କୁ ପୋତି ପକାଏ । ଲୋକେ ଭୁଇଁରେ ମୁହଁକୁ ତଳକୁ କରି ଶୋଇ ପଡ଼ଥାନ୍ତି । ବାଲି କେତେବେଳେ ଲୋକ, ଓଟ ସମସ୍ତଙ୍କୁ ପୋତିପକାଏ ।

ମରୁଭୂମିରେ ତାଳ, ଖଜୂରି ଓ ନାଗଫେଣୀ ପରି କଣ୍ଟା ଗଛ ହୁଏ । ଗୋଟାଏ ଗୋଟାଏ କଣ୍ଟା ଗଛ ବେଳେ ବେଳେ ତାଳଗଛ ପରି ଉଚ୍ଚ ହୁଏ । ତହିଁରେ ପତ୍ର ନାହିଁ । କେବଳ ନାଗଫେଣି ବା କଣ୍ଟା ସିଜୁପରି ଥୁଣ୍ଟା ଥୁଣ୍ଟା । ଚେର ଅତି ତଳକୁ ଯାଇ ପାଣି ଖୋଜେ । ବେଳେ ବେଳେ ଗୋଟିଏ ଗୋଟିଏ ଗଛ ପାଣି ସଞ୍ଚି ରଖିଥାନ୍ତି, ଶୋଷି ଲୋକେ ତହିଁରୁ ପାଣି କାଢ଼ି ପିଅନ୍ତି ।

ବି.ଦ୍ର. - ଶ୍ରୀ ଗୋପୀନାଥ ମହାନ୍ତି କୃତ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।