Saturday, April 08, 2017

ବହି କଥା - ୨


ଜ୍ୟୋତି ନନ୍ଦ 


ସୁନ୍ ଶୁଙ୍କର ଯୁଦ୍ଧର କଳାର ବାଉଁଶରେ ତିଆରି ପ୍ରତି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କଥାଟିକୁ ଏମିତି ଟିକିଏ ଭାବିଲେ କେମିତି ଲାଗିବ ?

ମାତ୍ର ପନ୍ଦର ଶହ ଖ୍ରୀଷ୍ଟାବ୍ଦ ପରର ବହି ଇତିହାସରେ ଯେଉଁ ବ୍ୟାପକ ଜୁଆରଟି ପୃଥିବୀରେ ଦେଖାଗଲା ତାହାର ଶ୍ରେୟାଂଶରେ ୟୋହାନ୍ ଗୁଟେନବର୍ଗ୍ ଓ ତାଙ୍କର "ଗୁଟେନବର୍ଗ୍ ସେନାବାହିନୀ"ର ଅବଦାନ ଏବଂ ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାରର ବହୁଳତା ସହ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଲା । ଅବଶ୍ୟ ଏହା ଯୋଗୁଁ ବହିର ଉତ୍ପାଦନ ବଢିଲା, ଚାହିଦା ବଢିଲା ଆଉ ତାହା ସହିତ ତାଳ ଦେଇ ବହି ଉତ୍ପାଦନର ଖର୍ଚ୍ଚକୁ ବି କମାଯାଇ ପାରିଲା । ଆରମ୍ଭ ହେଲା ଗୋଟିଏ କାଗଜର ଦୁଇ ପଟେ ଛପା ଯିବାର ବ୍ୟବସ୍ଥା । ଆଗରୁ ଗୁଡେଇ କରି ରଖାଯାଉଥିବା ପୋଥିର କେବଳ ଗୋଟିଏ ପାଖରେ ଲେଖାଯାଉଥିଲା । ପୋଥିରୁ କୋଡେକ୍ସର ବିବର୍ତ୍ତନ ହେବାରେ ଏହିଭଳି ଦୁଇ ପାଖରେ ଲେଖାଯିବା ଏକ ଅର୍ଥନୈତିକ କାରଣ । ଏହା ଛଡା ପୃଷ୍ଠାକୁ ଭଲ ଭାବରେ ଚିହ୍ନିତ କରିବା, ଇଣ୍ଡେକ୍ସ, ତୁଳନାମୂଳକ ଅଧ୍ୟୟନ ଏବଂ ସବୁଠାରୁ ବଡ କଥା ହେଲା ଗୋଟିଏ ବହି ଭିତରେ ଅବାଧ ଓ ମୁକ୍ତ ବିଚରଣର ସୁଯୋଗ, ବହି ବା କୋଡେକ୍ସକୁ ତାହାରି ପୂର୍ବ ପ୍ରାରୂପ ଠାରୁ ଅଧିକ ଜନପ୍ରିୟ କରିପାରିଲା । ଆଗରୁ ପୋଥି ପଢିବା ପାଇଁ ଦୁଇଟି ଯାକ ହାତ ବ୍ୟବହାର ହେଉଥିବା ବେଳେ, ବହି ପଢିଲାବେଳେ ଗୋଟିଏ ହାତର ବ୍ୟବହାରର ସୁବିଧାକୁ ସମସ୍ତେ ଗ୍ରହଣ କରିବାକୁ ଲାଗିଲେ । ପ୍ରଥମରୁ ବହିର ଏହି ସବୁ ସଫଳତାର ଧାର୍ମିକ ଉପଯୋଗ ହୋଇଥିଲେ ବି, ପରେ ଏହାକୁ ସମସ୍ତେ ନିଜର କରିପାରିଥିଲେ ।

ଆମ ଜୀବନରେ ଯାହା ଘଟିଯାଇଛି ଏବଂ ଯାହା ଘଟିବାକୁ ଯାଉଛି, ସେଇ ସମସ୍ତ କଥା ସାକ୍ଷାତ ପରମେଶ୍ୱରଙ୍କୁ ଗୋଚର ବୋଲି ଆମର ବଦ୍ଧମୂଳ ଧାରଣା । ମୁଁ ସେଥିରେ ରକ୍ତବୀର୍ଯ୍ୟ ସାଜିବି ନାହିଁ । ଆମର କଥାବାର୍ତ୍ତା ସବୁ ଏଇଲେ ପୋଥି-ବାଇଗଣ କୈନ୍ଦ୍ରିକ । ବହୁ ଦିନ ତଳେ ଗୋଟିଏ ଦିମୁଣ୍ଡିଆ ବହି ପଢିଥିଲି ।

ବହିଟି ଇଂରାଜୀରେ । ସେ ବହିଟିର ସଠିକ ନାଆଁ ଆଉ ଲେଖକଙ୍କର ନାମ କିଛି କହିପାରିବି ନାହିଁ ଏଇଲେ । ଯଦି ବହିଟି ମୋ ବହି ଥାକରୁ କେତେବେଳେ ମିଳେ ତେବେ ସେ ବିଷୟରେ ଅଧିକ କିଛି କହିପାରିବି ପରେ । ସେହି ଦିମୁଣ୍ଡିଆ ଅଲଗା ପ୍ରକାରର ବହିଟିର ଗୋଟିଏ ମୁଣ୍ଡରେ ଭଗବାନଙ୍କର ଆତ୍ମଜୀବନୀ ଥିଲା ବେଳେ, ଅନ୍ୟ ମୁଣ୍ଡଟିରେ ସଇତାନର ଆତ୍ମକଥା ରହିଥିଲା । ଭଗବାନଙ୍କର ଆତ୍ମକଥା ଶେଷରେ ଅନ୍ୟ ସବୁ ଗବେଷଣାର ବହି ଭଳି "ଇଣ୍ଡେକ୍ସ"ବା "ସୂଚକ"ଟିଏ ଥିଲା । ସୂଚକରେ ଦେଖିବେ ଥିଲା ଗୋଟିଏ ବୋଲି ଶବ୍ଦ "ଗଡ୍", ତାହାର ବିସ୍ତାର । ଗଡ୍ ଙ୍କ ଆତ୍ମ କଥାରେ ତ ଗଡସେ ରହିବ ନାହିଁ । ଭଗବାନଙ୍କ ଆତ୍ମକାହାଣୀରେ କେବଳ ଗୋଟିଏ ମାତ୍ର ଶବ୍ଦ ଏକେଲା ରାଜୁତି କରିବାର ଅଧିକାର ପାଇଛି, ତାହା ଭଗବାନ । କେବଳ ଶବ୍ଦରେ ଯାହା ଲେଖାଯାଇପାରେ; ଆଗ ଭ, ତାହାପରେ ଗ, ତାହାପରେ ବା, ଶେଷରେ ନ । ଭଗବାନଙ୍କ ପରେ ଯେଉଁ ଶବ୍ଦଟି, ସେ ବହିଟିର ଇଣ୍ଡେକ୍ସ ରେ ଅଧିକ ଅଛି, ତାହା ପାପ ।

ବହିଟିର ଅନ୍ୟ ମୁଣ୍ଡରେ ଥିଲା ସଇତାନ । ସଇତାନ ନିଜ କଥା ଲେଖିଲା ବେଳେ ଯେହେତୁ ସେ ନିଜେ ସଇତାନ, ତେଣୁ ସେ ଲୋଭ ସମ୍ଭାଳି ନପାରି ନିଜର ବାହାଦୁରୀ ଦେଖାଇବାକୁ ଯାଇ ପ୍ରଥମ ପରିଚ୍ଛେଦ ପରେ ଲେଖିଥିଲା ସପ୍ତମ ପରିଚ୍ଛେଦ ଆଉ ତାହା ପରେ ଦଶମ ପରିଚ୍ଛେଦ; ଏଇଭଳି । ଆମ ଭିତରେ ଭଗବାନ ବେଶି ରାଜୁତି କରନ୍ତି ବୋଲି, ଆମେ ସଇତାନକୁ ସାବାଡ କରି ରଖିଛୁ । ଆଉ ଖାସ୍ ସେଇଥି ପାଇଁ ଅନ୍ୟ ଦଶ ଜଣଙ୍କ ପରି ଆମେ ପ୍ରଥମ ପରେ ଦ୍ୱିତୀୟ ଆଉ ତାହାପରେ ତୃତୀୟ ପରିଚ୍ଛେଦ ହିସାବରେ ଲେଖିଥାଉ ।ନହେଲେ କାହାର ବାହାଦୁରୀ ଦେଖାଇବାକୁ ଇଛା ନାହିଁ ଯେ ? ସାଧୁ ସନ୍ଥ ମାନଙ୍କୁ ବାଦ ଦିଆଯାଉ ଏଇ ଅଡୁଆରୁ । ହଁ, ସଇତାନର ବହିରେ ଆଶ୍ଚର୍ଯ୍ୟ, ଦେଖିବେ ପାପ ବୋଲି ଗୋଟିଏ ଶବ୍ଦ ଆଦୌ ନାହିଁ ।

କହିବାର କଥା ଥିଲା ଶବ୍ଦର; ଅକ୍ଷରର।

"ଆଦ୍ୟରେ ବାକ୍ୟ ଥିଲେ"। (ଯୋହନ ଲିଖିତ ମଙ୍ଗଳସମାଚାର)

ଏହିଭଳି ବିଚାର କରାଯାଉ । ଆମ ଜୀବନରେ ଯାହା ଘଟିଯାଇଛି, ବା ଘଟିଯିବ, ସେ ସମସ୍ତ କଥା ସମ୍ପର୍କରେ ପରମେଶ୍ୱରଙ୍କୁ ଟିକିଏ ଉହାଡରେ ରଖି ଦେଖିଲେ ଜାଣିବା ଯେ, ସେ ସବୁ ପ୍ରଥମେ କୌଣସି ଅକ୍ଷରର ଚିତ୍ର ଭାବରେ ବା କୌଣସି ଅକ୍ଷରର ଭିତରେ ଥିବା ଉଚ୍ଚାରଣ ଭାବରେ ଆମ ଦର୍ଶନ ଓ ଶ୍ରବଣ ଇନ୍ଦ୍ରୀୟ ଦ୍ୱାରା ଗୃହୀତ ହୋଇଥାଏ । ସରଳରେ କହିଲେ ସବୁକଥା ଅକ୍ଷର ମାତ୍ର । ଅକ୍ଷରର ରୂପ ମାତ୍ର । ଆହୁରି ସରଳରେ କହିଲେ ସମସ୍ତ ପୃଥିବୀ ମାଳ ମାଳ ଅକ୍ଷର ଆଉ ଆମେ ସବୁ ନିମିତ୍ତ ମାତ୍ର ପାଠକ ।

ତେଣୁ ଆମର ଶାସ୍ତ୍ରଜ୍ଞମାନେ ପରମେଶ୍ୱରଙ୍କର ଗୋଟିଏ ଶରୀର ଗଢିଲେ । ଦେହର ପ୍ରତିଟି ଅଂଶକୁ ଉଜ୍ଜଳ ଶୋଭାବନ୍ତ କଲେ ଗୋଟିଏ ଗୋଟିଏ ଅକ୍ଷରରେ । ସଜାସଜି ସରିବା ପରେ କୃତାଞ୍ଜଳୀପୁଟରେ ନମସ୍କାର କରି କହିଲେ,"ବର୍ଣ୍ଣରୂପଂ ତୁଭ୍ୟଂ ନମାମୀ"।

ପରମେଶ୍ୱର ଯେଉଁଠି ନିର୍ମିତ ବର୍ଣ୍ଣମାଳାରେ, ଯେଉଁଠି ମାନବର ପରିଚୟ ଏକ ପାଠକ, ସେହି ଭଳି ଏକ ବିଶ୍ୱରେ ବହି ଛଡା ପ୍ରାସଙ୍ଗିକ ହୋଇ ଆଉ କ'ଣ ରହି ପାରିବ ?
ଆମର ପ୍ରିୟ ଲେଖକ ହର୍ହେ ଲୁଇ ବର୍ହେସ୍ ସ୍ୱର୍ଗଲୋକକୁ ଏକ ପୁସ୍ତକାଗାର ବୋଲି କହିଛନ୍ତି ଯେଉଁଠି ସମସ୍ତେ ମରଣୋପରାନ୍ତେ ବହିଟିମାନ ହୋଇ ରହିଛନ୍ତି । ଏଇ କଥାଟିକୁ ଏବେଏବେ ମନେ ପକାଇ ଦେଇଥିଲେ ଆମର ପ୍ରିୟ କବି ରାଜେନ୍ଦ୍ର କିଶୋର ପଣ୍ଡା । ଆମର ସର୍ବଶେଷ ରୂପାନ୍ତର ଯେ ଏକ ବହି ,ଏଇ ଭଳି ଏକ ଚମତ୍କାର ଅମରତ୍ୱକୁ ନେଇ ଆଖି ବୁଜିବାଠାରୁ ଅଧିକ ପ୍ରିୟତମ କିଛି ହେବ କି ?
ଏହା ଗଲା ବହିର ଆଧ୍ୟାତ୍ମିକ ଦର୍ଶନ । ବହି କହିଲେ କ'ଣ ବୁଝାଯାଏ ସେହି କଥାକୁ ବୁଝିବାର କଥା।
ଏବେ ବହି କାହିଁକି?
ଇତିହାସ ଦୃଷ୍ଟିରୁ କୋଡେକ୍ସ ଓ କୋଡେକ୍ସ ପୂର୍ବର ଯେତେ ପ୍ରକାରର ସମସ୍ତ ପାଠ୍ୟ ପ୍ରକ୍ରିୟା ତିଆରି ହୋଇଥିଲା, ତଥା ଆରମ୍ଭରୁ ବହି ଭଳି ଯେତେ ଯାହା ତିଆରି ହୋଇଥିଲା, ସେ ସବୁର ଆବଶ୍ୟକତା କେବଳ ଗୋଟିଏ ଧାର୍ମିକ ପରିପ୍ରେକ୍ଷ୍ୟ ରହିଥିଲା । ସରଳରେ କହିଲେ, ବହିଟି ଏକ ଧାର୍ମିକ ଉପାଦାନ ରେ ନିର୍ମାଣ କରାଯାଇଥିଲା ।
ଆମ ଭାରତରେ ଋଗବୈଦିକ କାଳରେ "ପ୍ରଜା ତଥା ସନ୍ତାନାଦି ନିମନ୍ତେ ଆଉ ପଶୁ ତଥା ଜୀବନ ଧାରଣ ନିମନ୍ତେ" ସରଳ ପ୍ରାର୍ଥନା ଭିତ୍ତିକ ପୂଜାଚାରରେ ଦେବତାମାନଙ୍କର ତୋଷଣ ନିମନ୍ତେ ଶ୍ଲୋକ ରଚନା କରାଯାଇଥିଲା । ଏହାକୁ ତତ୍କାଳୀନ ପଣ୍ଡିତମାନେ ଲିଖିତ ବ୍ୟବସ୍ଥା ଭଳି ସଂରକ୍ଷଣ କରିବାର ଅଭାବ ଦୃଷ୍ଟିରୁ ମନେ ରଖୁଥିବାର ଯୋଗୁ ଶ୍ରୁତି ବୋଲି କୁହାଯାଉଥିଲା । ପରେ ଲିପି ଆସିଲା, ଆଉ ସବୁ ଲେଖା ହୋଇ ରହିଲା କାଳାନ୍ତର ପାଇଁ । ସେତେବେଳକୁ ଭାରତରେ ଉତ୍ତରବୈଦିକ କାଳ । ଗୋପାଳନ ବଦଳରେ ପ୍ରାୟତଃ ସମସ୍ତେ ନଈକୂଳରେ ସ୍ଥାୟୀ ବାସିନ୍ଦା ଓ ଚାଷୀ । ଖାଦ୍ୟ ସଙ୍ଗ୍ରହ ନୁହେଁ, ଖାଦ୍ୟ ଉତ୍ପାଦନ ମୂଖ୍ୟ ଜୀବନ ଧାରଣର ଲକ୍ଷ୍ୟ । 
ପୂଜାଚାର ସରଳ ବଦଳରେ ଜଟିଳ ହେବାକୁ ଲାଗିଲା । ରାଜା ଓ ପୁରୋହିତର ସାମାଜିକ ସଂସ୍ଥିତିର ପାରସ୍ପରିକ ଦ୍ୱନ୍ଦ୍ୱ ସମସ୍ତ ଲିପିବଦ୍ଧ ଉପକରଣକୁ ପ୍ରଭାବିତ କରିବାକୁ ଲାଗଲା । ରାଜା ନା ପୁରୋହିତ, ବ୍ରାହ୍ମଣ ନା କ୍ଷତ୍ରିୟ, ରାଜର୍ଷି ନା ବ୍ରହ୍ମର୍ଷି, ବଶିଷ୍ଠ ନା ବିଶ୍ୱାମିତ୍ର, ସମସ୍ତେ ନିଜକୁ ଜାହିର କରିବା ପାଇଁ ପୋଥିକୁ ନିଜର ମାଧ୍ୟମ କଲେ । ଏଥିରେ ଧର୍ମକୁ ଭିତ୍ତିକରି ସମସ୍ତେ ନିଜ ନିଜର କଥାକୁ ଦୃଢ ଭାବରେ କହିବାକୁ ଚାହିଁଲେ ପୂଜାଚାର ସହିତ । ସେତିକିବେଳେ ନୈମିଷାରଣ୍ୟରେ ଦଳେ ଋଷି ସମବେତ ହୋଇ ଗୋଟିଏ ଜଟିଳ ପ୍ରଶ୍ନ ଉପସ୍ଥାପନ କଲେ, "କସ୍ମୈ ଦେବାୟ" । ଏତେ ଦେବତାଙ୍କ ମଧ୍ୟରୁ କାହା ଉଦ୍ଦେଶ୍ୟରେ ହବି ଅର୍ଥାତ୍ ଅର୍ଘ୍ୟ ଆମେ ପ୍ରଥମେ ଅର୍ପଣ କରିବା ? ସେଇଠୁ ପୁଣି ଶ୍ରେଷ୍ଠତ୍ୱର ଟିକିନିଖି ବିଚାର । ଅନେକ ପୁରାଣ । ପ୍ରତି ପୁରାଣରେ ଜଣେ ଜଣେ ଦେବତାଙ୍କର ଅଧିବାସ । ତେଣୁ ପୂଜାଚାରର ଲିପିବଦ୍ଧକରଣ ଓ ଧାର୍ମିକ ଶ୍ରେଷ୍ଠତ୍ୱର ପ୍ରାସଙ୍ଗିକତା ଆମର ପୋଥିର ପ୍ରାରମ୍ଭିକ ପର୍ଯ୍ୟାୟ ।

ଠିକ୍ ସେହିଭଳି ଖ୍ରୀଷ୍ଟୋତ୍ତର ପ୍ରଥମ ଶତକ ପରଠାରୁ ପାଶ୍ଚାତ୍ୟ ଜଗତରେ ବହି ଯେଉଁ ରୂପ ଗ୍ରହଣ କରିଥାଉ ପଛକେ, ତାହା ଖ୍ରୀଷ୍ଟ ଧର୍ମର ସୁସମାଚାର ପ୍ରଚାର, ପୂଜା ଓ ପ୍ରାର୍ଥନା ନିମନ୍ତେ ନିୟୋଜିତ ହେଉଥିଲା । ବହିର ବେଶିଭାଗ ଖ୍ରୀଷ୍ଟ ଧର୍ମର ମଠ ଏବଂ ମଠର ସନ୍ୟାସୀ ମାନେ ଉତ୍ପାଦନ କରୁଥିଲେ ।
ପନ୍ଦରଶହ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବହିର ବୟସ ବଢିବାର କାହାଣୀ ଏହିପରି । ବହିର ବିଶ୍ୱପ୍ରିୟତା ସହ ଯେଉଁ ଗୁରୁତ୍ଵପୂର୍ଣ୍ଣ ଘଟଣାଟିର କଥା କହିବାକୁ ଚାହୁଁଥିଲି, ଯାହା ପ୍ରକୃତରେ ଘଟିଗଲା, ତାହା ହେଲା ବହି ଆଉ ଜ୍ଞାନାର୍ଜନ ଏବଂ ଚାରିତ୍ରିକ ଶୁଦ୍ଧତା ଗଠନ ନିମନ୍ତେ କେବଳ ଏକ ଧାର୍ମିକ ଉପାଦାନ ହୋଇ ଆଉ ରହିଲା ନାହିଁ ।
ଏହାପରେ ବହି ବିନୋଦନର ବସ୍ତୁ ହେଲା । ଏହାପରେ ବହି ଧର୍ମ ନିରପେକ୍ଷ ହେଲା ।

Friday, April 07, 2017

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୬


ଭିଏତନାମରେ ସୂର୍ଯ୍ୟୋଦୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ହେ ଚତୁର ନର, ତେଣୁ ହୁଅ ସାବଧାନ
ଆପଣା ଅନ୍ତରେ ସଦା କର ବ୍ରହ୍ମ ଧ୍ୟାନ ।

ସ୍ୱଚ୍ଛ ଶୁଦ୍ଧ କର ନିଜ ବୁଦ୍ଧି-ଦରପଣ
ଇଚ୍ଛା ଯଦି ପାଇବାକୁ ବ୍ରହ୍ମ ଦରଶନ ।

କ୍ଷିତି ଆପ ତେଜ ବାୟୁ ବ୍ୟୋମ ମହାଭୂତ
ପଞ୍ଚେନ୍ଦ୍ରିୟୁଁ ଏ ପଞ୍ଚର ସତ୍ୟାଂଶୁ ସମ୍ଭୁତ ।

ରାଜସ ଅଂଶରୁ ପାଣି ପାଦ ଆଦି ହୁଏ
ଜ୍ଞାନକର୍ମେନ୍ଦ୍ରିୟେ କିନ୍ତୁ ଆତ୍ମା ଯୁକ୍ତ ନୁହେ । 

ସ୍ୱପ୍ନେ ଜାଗରଣେ ଦେହେ ଇନ୍ଦ୍ରିୟ ନିଚୟ 
ଦିବସେ ଦିବସେ ଯାଏ ପ୍ରଳୟ ଉଦୟ ।

ଇନ୍ଦ୍ରିୟ ଉଦୟ ଅସ୍ତେ ଆତ୍ମ ଅବାଧିତ
ବୁଝନ୍ତି ଏ ଆତ୍ମତତ୍ତ୍ୱ କେବଳ ପଣ୍ଡିତ ।

ଆତ୍ମାର ନ ଘଟେ କେବେ ପ୍ରଳୟ ଉଦୟ
ସତତ ଜାଗ୍ରତ ଆତ୍ମା ଅକ୍ଷୟ ଅବ୍ୟୟ ।

ଆତ୍ମା ଇନ୍ଦ୍ରିୟର ବୁଝି ଏହି ଭେଦାଭେଦ
ତରନ୍ତି ବିବେକୀ ଜନେ ସର୍ବ ଶୋକ ଖେଦ । (ନ.ଉ. ୨।୩।୩୭)

ଓଡ଼ିଆ ସିନେମା ଗୀତ - 'ଅଭିମାନିନୀ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=vAITY1w30Ro


ଅରୁନ୍ଧତି ଚଳଚିତ୍ରର ନାୟକ ଶ୍ରୀ ଶରତ ପୂଜାରୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍  





Thursday, April 06, 2017

ବହି କଥା - ୧


ଜ୍ୟୋତି ନନ୍ଦ 


ୟୋହାନ୍ ଗୁଟେନବର୍ଗ୍ (୧୩୯୮-୧୪୬୮)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବହି କହିଲେ ଆମେ ପ୍ରକୃତରେ କ'ଣ ବୁଝିବା?

ଦୁଇଟି ମଲାଟ ଭିତରେ ବନ୍ଦୀ ହୋଇ ରହିଥିବା କେତେଗୁଡିଏ ଛପା ଯାଇଥିବା ପୃଷ୍ଠାର ସାମଗ୍ରୀକ ସ୍ୱରୂପକୁ ଆମେ ସାଧାରଣରେ ବହିର ପୂର୍ଣ୍ଣ ରୂପ ବୋଲି କହିଥାଉ । ବେଳେ ବେଳେ ମଲାଟ ନଥାଇ କିଛି ମୁଦ୍ରିତ ପୃଷ୍ଠାକୁ ଏକାଠି ବନ୍ଧା ଯାଇଥିଲେ ବି ଆମେ ତାହାକୁ ବହି ବୋଲି କହିଥାଉ । ଏଇ ପ୍ରକାର ବହିଟି ଅବଶ୍ୟ ଖଣ୍ଡିଆ ବହି । କାରଣ କୌଣସି ଘରକୁ ପଶିବା ପାଇଁ ଆଗ ଯେମିତି ସୁନ୍ଦର କବାଟ ବୋଲି କଥାଟିକୁ ଆମେ ଭେଟୁ, ସେମିତି ପ୍ରତି ବହିର ପହିଲି କବାଟ ହେଉଛି ତାହାର ମଲାଟ । ବହିଟିର ମଲାଟ ନାହିଁ ମାନେ, କବାଟ ନଥିବା ଘର ଭଳି ତାହାର ଶିରି ବୋଲି କିଛି ନାହିଁ । ତଥାପି କବାଟ ନ ଥିବା ଘର ଯେମିତି ଏକ ଘର, ସେମିତି ମଲାଟ ନଥିବା ବହି ସେମିତି ବହି । କିନ୍ତୁ ଯେତେ ଦାମିକା ବର୍ମା ଶାଗୁଆନ କାଠରେ ରନ୍ଦା ମାରି, ଯେତେ ରନ୍ଧା ଲାଖ ଝୁଣା ରେ ପାଲିସି କରା ହୋଇଥିବା କବାଟଟି ଯଦି କେଉଁ ଘର ସହିତ ଯୋଡି ହୋଇନାହିଁ, ତେବେ ଘଟଣ ଦିଶିବ ନାହିଁ ଆଦୌ । ସେମିତି ଯେତେ ମରକ୍କୋ ଚମଡାରେ ବନ୍ଧେଇ କରାଯାଇ ଉପରେ ସୁନାପାଣିରେ ଲେଖନ କରାଯାଇଥିଲେ ବି, ଭିତରେ ଯଦି ପୃଷ୍ଠାଏ ବୋଲି ଛପା ପାଠ ନାହିଁ, ତେବେ ତାହା ଖାଲି ମଲାଟ, ଅଲୋଡା ମଲାଟ । ଆମର ଜାମାଯୋଡ ଚହଟଚିକଣ ସ୍ନୋ ପାଉଡର ଆଉ ଅତର ମଖା ଫୁଲ୍ ବାବୁଙ୍କ ଭଳି ଶୁନ-ବାବୁ । ଖାଲି ମଲାଟ କୁ ବହି କୁହାଯାଏ ନାହିଁ ।

ଏଇ ଗୌରଚନ୍ଦ୍ରିକାରୁ ଆମେ ଶିଖିଲେ ଯେ, ପ୍ରଥମରେ, ବହି କହିଲେ ଏକାଧିକ ଛପା ପୃଷ୍ଠାର ଏକ ସମାହାର । ଆଉ ସେହି ଛପାପୃଷ୍ଠା ଗୁଡିକ ପୁଣି କ୍ରମ ଅନୁସାରେ ଏକ ଦୁଇ ବୋଲି ଚିହ୍ନିତ ହୋଇଥିବା ଦରକାର । ଦ୍ୱିତୀୟରେ ଏହି ପୃଷ୍ଠାଗୁଡିକ ପୁଣି ଦୁଇଟି ମଲାଟ ମଝିରେ ସଂରକ୍ଷିତ ହୋଇ ରହିବା ଆବଶ୍ୟକ । ବହିଟିକୁ ପଢିବା ପାଇଁ ପାଠକଜଣକୁ ପ୍ରତିଟି ପୃଷ୍ଠାକୁ ଓଲଟାଇବାକୁ ପଡିବ ।ଏହି ପୃଷ୍ଠା ଓଲଟାଇବା କାମଟି ବାମରୁ ଡାହାଣକୁ ଅବା ଡାହାଣରୁ ବାମକୁ ହୋଇଥାଏ । ପୃଥିବୀର ଅଧିକାଂଶ ବହିକୁ ପଢିବାବେଳେ ବାମରୁ ଡାହାଣକୁ ପୃଷ୍ଠା ଓଲଟାଇବାକୁ ପଡିଥାଏ । ଅଳ୍ପ କିଛି ବହିକୁ ଡାହାଣରୁ ବାମକୁ ପୃଷ୍ଠା କ୍ରମାନ୍ୱୟରେ ଓଲଟାଇ ପଢାଯାଏ ।ଏହିଭଳି ପୃଷ୍ଟା ଓଲଟାଇ ପଢିବା ହେଉଛି ଗୋଟିଏ ବହିର ତୃତୀୟ ଆବଶ୍ୟକତା । ବହିର ଆକୃତି ସମ୍ପର୍କରେ ଶେଷ କଥାଟି ହେଉଛି ବହିର ଯେ କୌଣସି ଦୁଇଟି ପୃଷ୍ଠା ପାଖାପାଖି ବିନ୍ୟସ୍ତ ହେବା ବିଧେୟ । ଧରାଯାଉ ଗୋଟିଏ ଛପା ପୃଷ୍ଠା ପରେ ଯଦି ଗୋଟିଏ ସୁନ୍ଦର ଗୋଲାପ ଫୁଲର ଚାଙ୍ଗୁଡି ଆଉ ତାହାପରେ ଛପା ପୃଷ୍ଠାଏ ଓ ତାହାପରେ ସୁନାପାତର ପୃଷ୍ଠାଟିଏ ମଲାଟ ଭିତରେ ଏକାଠି ବନ୍ଧା ହୋଇ ଆମକୁ ଦିଆଯାଏ, ତେବେ ତାହା ଯେତେ ଦାମିକା ବା ସୁନ୍ଦର ଦିଶିଲେ ବି ତାହାକୁ ଅନ୍ୟ କ'ଣ କୁହାଯାଇ ପାରେ, ମାତ୍ର ବହି କୁହାଯାଇ ପାରିବ ନାହିଁ ।

ବହିର ଏହିଭଳି ଏକ ଆକୃତିର କଥା, ଆମେମାନେ ବେଶ୍ ଭଲଭାବରେ ଜାଣୁ । ଏଇ ପରି ଯେଉଁ ବହି ସହିତ ଆମେ ଖୁବ୍ ବେଶି ପରିଚିତ ତାହାର ଗୋଟିଏ ପରିଭାଷିକ ନାମ ଅଛି । ତାହାକୁ "କୋଡେକ୍ସ" ବୋଲି କୁହାଯାଏ ।

କୋଡେକ୍ସ ବ୍ୟତୀତ ଅନ୍ୟାନ୍ୟ ପାଠ୍ୟ-ପ୍ରକ୍ରିୟା ବି ସମ୍ଭବ । ଛାପାଖାନା ଉଦ୍ଭାବନ ହେବାପରେ ସିନା ପୃଷ୍ଠାମାନଙ୍କୁ ଛାପାଖାନାରେ ଛପା ଯାଇ କୋଡେକ୍ସ ବା ଆଜିର ଏଇ ବହିର ସୃଷ୍ଟି ହେଲା । କିନ୍ତୁ ତାହା ପୂର୍ବର କଥାକୁ ଦେଖାଯାଉ । ସେହି ପ୍ରାକ୍-ମୁଦ୍ରଣ ଶିଳ୍ପ ଯୁଗର ମଣିଷର ବି ପଠନ ଅଭ୍ୟାସ ଥିଲା । ସରଳ ଭାବରେ କହିଲେ ମଣିଷ କୌତୁହଳ ସହ ଜନ୍ମ ନେଇଛି । ସେଇ କୌତୁହଳରୁ ଚାରିଆଡକୁ ନିରେଖିବା, ନିରେଖିବାରୁ ପୁଣି ଅଧିକ କୌତୁହଳ ଆଉ ତାହାପରେ ପୁଣି ନିରେଖିବାରେ ମଣିଷର ଅଧିକ ମନୋନିବେଶ । ଏହା ଭିତରେ ମଣିଷ ଯେ ଅନ୍ୟ ସବୁ କାମ ସହିତ ଗୋଟିଏ ବିଚିତ୍ର କାମରେ ଜଡିତ ହୋଇ ପଢିଛି, ଯାହାକୁ କୁହାଯିବ ପାଠ ପଢା ।

ଆଦିମ କାଳରୁ, ଯଥା ଖାଦ୍ୟ-ଉତ୍ପାଦନ ପୂର୍ବର, ଖାଦ୍ୟ-ସଙ୍ଗ୍ରହ ଯୁଗରୁ ମଣିଷ ନିଜକୁ ସଂରକ୍ଷିତ କରି ରଖିବା ପାଇଁ ପରସ୍ପରର କୌଶଳର ସହଭାଗୀ ହୋଇ ରହି ଆସିଛି । ସେଇ ପାରସ୍ପରିକ କୌଶଳ -"ମୁଁ ଯାହା ଜାଣିଛି ତାହା ଅନ୍ୟର ଜାଣିବା ଦରକାର, ନହେଲେ ଏହା ହଜିଯାଇପାରେ" - ର ବିକଶିତ ରୂପଟି ହେଉଛି ଏଇ ଲେଖନକ୍ରିୟା ଓ ପାଠ୍ୟ-ପ୍ରକ୍ରିୟା ।

କୋଡେକ୍ସ ପୂର୍ବରୁ ପ୍ରାକ୍-ମୁଦ୍ରଣ ଯୁଗରେ ପୋଥି ବା ସ୍କ୍ରଲ୍ ର ନିରଙ୍କୁଶ ରାଜତ୍ୱ ଥିଲା । ତାହା କାଗଜରେ ଆଉ ହାତରେ ଲେଖା । ତାହାକୁ ଲୋକେ ଗୋଲକରି ଗୁଡାଇ ଯତ୍ନରେ ରଖୁଥିଲେ । ଏହାଛଡା ଆମେମାନେ ମିଶରୀୟ ସଭ୍ୟତାର ମାଟି-ଫଳକ ବା "କ୍ଲେ-ଟାବଲେଟ", ପାପିରସ୍ ଗଛର ବକଳ ରେ ଲେଖନ, ସିନ୍ଧୁନଦୀ ସଭ୍ୟତାର ସିଲ୍-ମୋହର, ମାୟା ସଭ୍ୟତାର ମାଳା-ବହି ବା "ବିଡ୍ ବୁକ୍" ଆଦିଙ୍କୁ ଦେଖିଛୁ । ଯଦିଓ ଏମାନଙ୍କର ମଧ୍ୟରୁ କୌଣସିଟି ବହି ବା କୋଡେକ୍ସ ନୁହଁନ୍ତି । ତଥାପି ବହିର ଇତିହାସ ଆଲୋଚନା କଲା ବେଳେ ସେମାନେ ଆଲୋଚନାର ପରିସର ଭିତରକୁ ଆସିବେ ।

ଏପରିକି ଖବରକାଗଜ, ପତ୍ରିକା, ହାଣ୍ଡବିଲ୍, ପୋଷ୍ଟର, ଲଟେରି ଟିକଟ, ବିଭିନ୍ନ ଧରଣର ବିଜ୍ଞାପନ, ରସିଦ ପ୍ରଭୃତି ଆମ ବହିର ଇତିହାସରେ ବିବେଚ୍ୟ । କାରଣ ଏହିଥିରୁ କୌଣସି ନିର୍ଦ୍ଦିଷ୍ଟ ଘଟଣା ବା କାହାଣୀର କ୍ରମବିକାଶ ସମ୍ପର୍କ ରେ ଜାଣିବାକୁ ମିଳିଥାଏ ।ତାହାଛଡା ଏଗୁଡିକ ମଧ୍ୟରୁ କିଛି ଆମର ବ୍ୟବହାରରେ ଆସିଥାନ୍ତି, ଯେମିତି ହାଣ୍ଡବିଲ୍, ରସିଦ ବା ଲଟେରି ଟିକଟ । ତାହାଛଡା ଏମିତି କଥାଟିକୁ ବୁଝିଲେ ହେବ ଯେ, ଧରାଯାଉ ଉପରଲିଖିତ ଛପାକାଗଜଗୁଡିକ କେବଳ ଗୋଟିଏ ଗୋଟିଏ ପୃଷ୍ଠା, ଅନ୍ୟତ୍ର ବିଛାଡି ହୋଇ ପଡିଛନ୍ତି । ମଲାଟ ଭିତରେ ବାନ୍ଧି ଦେଲେ ସେମାନେ ବହି ହୋଇ ଆମର ଉପକାର କରିବେ ।

ସଭ୍ୟତାର ବିକାଶରେ ଆମର ଏଇ କୋଡେକ୍ସ ର ଆବିର୍ଭାବ ନେଇ ସଂଶୟ ରହିଛି । ଖ୍ରୀଷ୍ଟୋତ୍ତର ଦ୍ୱିତୀୟ ଶତାବ୍ଦୀ ପରଠାରୁ ଖ୍ରୀଷ୍ଟିଆନ୍ ଜଗତରେ ଆଗରୁ ଗୋଲ୍ କରି ଗୁଡାଇ ରଖାଯାଉଥିବା ପୋଥି ବା ସ୍କ୍ରଲ୍ ର ସ୍ଥାନରେ ପାପିରସ୍ ରେ ଲିଖିତ କୋଡେକ୍ସର ପ୍ରଚଳନ ଆରମ୍ଭ ହେବା ଲକ୍ଷ୍ୟ କରାଯାଏ । ଏଇ କୋଡେକ୍ସର ସିଂହ ଭାଗ ବାଇବେଲ୍ ବା ଚର୍ଚ୍ଚ-ପିତା ମାନଙ୍କର ଜୀବନୀ ସଙ୍କାନ୍ତ (ହାଜିଓଗ୍ରାଫି) ହାତ ଲେଖା । ଯଦିଓ ସମସାମୟିକ ଗ୍ରୀକ୍ ସାହିତ୍ୟିକ ଓ ବୈଜ୍ଞାନିକ ରଚନା ସେତେବେଳେ ଅନେକ ପରିମାଣରେ ଗୋଲ୍ କରି ଗୁଡା ହୋଇ ରଖାଯାଉଥିବା ପୋଥି ବା ସ୍କ୍ରଲ୍ ରେ ଲେଖାଯାଉ ଥିଲା । ଖ୍ରୀଷ୍ଟୀୟ ଧର୍ମ ଓ ଧାରଣାକୁ ବିସ୍ତୃତ ଓ ବ୍ୟାପକ କରିବା ଲକ୍ଷ୍ୟରେ ସେମାନେ ହୁଏତ କୋଡେକ୍ସକୁ ତାଙ୍କର ପ୍ରକୃତ ମାଧ୍ୟମ ବୋଲି ବିବେଚନା କରୁଥିଲେ । କାରଣ ଗୁଡା ହେଉଥିବା ପୋଥି ବା ସ୍କ୍ରଲ୍ ତୁଳନାରେ କୋଡେକ୍ସରେ ସେମାନେ ଅଳ୍ପ ଜାଗାରେ ଅଧିକ ଲେଖି ତାହାକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବାର ଉତ୍ତମ ବିକଳ୍ପଟି ପାଇଯାଇଥିଲେ ।

ପ୍ରାୟ ଖ୍ରୀଷ୍ଟୋତ୍ତର ଚତୁର୍ଥ ଶତାବ୍ଦୀ ଠାରୁ କୋଡେକ୍ସ ବା ଆମର ଏହି ପାଠ୍ୟ-ପ୍ରକ୍ରିୟାର ରୂପ ବହି ପାଶ୍ଚାତ୍ୟ ଜଗତରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଆରମ୍ଭ କଲା । ପରବର୍ତ୍ତୀ ହଜାରେ ବର୍ଷ କୋଡେକ୍ସର ଜୀବନରେ ଅନେକ ପରିବର୍ତ୍ତନର ସମୟ । ଏହି ସମୟରେ ଏହା ସହିତ ଚିତ୍ରକଳା ଜଡିତ ହୋଇଗଲା । ଚିତ୍ରକରମାନେ ନିଜର ଚିତ୍ରକଳାରେ ଯେଉଁ ନୂତନ ପରୀକ୍ଷା ନିରୀକ୍ଷା କରୁଥିଲେ, ତାହାକୁ ବିନା ସଂଶୟରେ ପ୍ରୟୋଗ କରିବାର ସୁଯୋଗ ପାଉଥିଲେ କୋଡେକ୍ସର ପାଣ୍ଡୁଲିପିକୁ ଅଳଙ୍କରଣ କରିବାରେ । ତେଣୁ କହିବାକୁ ଗଲେ, ଚିତ୍ରକରମାନେ ନିଜର ଚିତ୍ରରେ କରିଥିବା ପରୀକ୍ଷାର ତାତକ୍ଷଣିକ୍ ଦର୍ଶକୀୟ ପ୍ରତିକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରୁଥିଲେ । ସକାରାତ୍ମକ ପ୍ରତିକ୍ରିୟା ସେମାନଙ୍କୁ ନିଜନିଜର ଚିତ୍ରରେ ଅଧିକ ପ୍ରୟୋଗଶୀଳ କରି ପାରୁଥିଲା । ଅନ୍ୟ ପକ୍ଷରେ କୋଡେକ୍ସର ପାଣ୍ଡୁଲିପି ନୂଆନୂଆ ଅଳଙ୍କରଣର ବୈଚିତ୍ର୍ୟରେ ଅଧିକ ସୁନ୍ଦର ଦିଶୁଥିଲା ।

ଏହାପରେ ମୁଁ ଯେଉଁ ମାନେ ଜାଣି ନାହାଁନ୍ତି ସେମାନଙ୍କୁ ଗୋଟିଏ ନୂଆ ଶବ୍ଦ ସହ ପରିଚିତ କରାଇବି । ଅନେକେ ଜାଣିଥିବେ ।ସେମାନେ ଦାନ୍ତ ଚାପି ହସ ରୋକି ଏହା ପଢି ପାରନ୍ତି । ଶବ୍ଦଟି ହେଲା "ଇନକୁନାବୁଲା" । ଶବ୍ଦଟି ୧୫୦୦ ଖ୍ରୀଷ୍ଟାବ୍ଦର ।କୋଡେକ୍ସର ଇତିହାସରେ ସେଇ ପନ୍ଦରଶହ ଖ୍ରୀଷ୍ଟାବ୍ଦରେ ଏକ ଅଦ୍ଭୁତ ପୂର୍ବ ବିପ୍ଳବ ଘଟିଲା । ଜର୍ମାନୀର ମାଇନସ୍ ସହରରେ ୟୋହାନ୍ ଗୁଟେନବର୍ଗ୍ ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ କରିଥିଲେ । ସେ ମୁଭେବଲ୍ ଟାଇପ୍ ବା ଖଞ୍ଜା ଟାଇପ୍ ନିର୍ମାଣ କରି ମୁଦ୍ରଣ ପ୍ରକ୍ରିୟାକୁ ବ୍ୟାପକ କରିଥିଲେ । ଏହା ଫଳରେ ବହିର ବହୁଳ ପ୍ରସାର ସହ ଏହାର ଉତ୍ପାଦନ ଓ ବଣ୍ଟନ ବହୁଗୁଣ ବୃଦ୍ଧି ପାଇଥିଲା ।ସେହି ମୁଦ୍ରଣ ପ୍ରକ୍ରିୟାରେ କୋଡେକ୍ସର ସମସ୍ତ ମୂଳ ସର୍ତ୍ତ ଅକ୍ଷୁର୍ଣ୍ଣ ରଖାଯାଇଥିଲା ।

ପ୍ରଥମେ ଗୁଟେନବର୍ଗ ଶହେଟି ଶୀଷା ଅକ୍ଷର ବା ମୁଭେବଲ୍ ଟାଇପ୍ ତିଆରି କରିଥିଲେ । ସେଇ ଶହେଟି ଶୀଷା ଅକ୍ଷରର ସେ ଗୋଟିଏ ଚମତ୍କାର ନାମକରଣ କରିଥିଲେ, "ଗୁଟେନବର୍ଗ ଙ୍କ ସେନାବାହିନୀ" ବା "ଗୁଟେନବର୍ଗସ୍ ଆର୍ମି" । ଏହି ସେନାବାହିନୀ ଦ୍ୱାରା ତାଙ୍କର ବିଚିତ୍ର ବିଶ୍ୱ ବିଜୟ ଆରମ୍ଭ ହୋଇଥିଲା ।

ଗୁଟେନବର୍ଗ ପ୍ରକ୍ରିୟାର ଅନେକ ଆଗରୁ କିନ୍ତୁ ପ୍ରାଚ୍ୟ ଜଗତରେ ମୁଦ୍ରଣ ପ୍ରଚଳିତ ଥିଲା । ଏଗାରଶହ ଶତାବ୍ଦୀରେ ଚୀନ ଦେଶରେ ଟେରାକୋଟାର ଅକ୍ଷର ଓ ତେରଶହ ଶତାବ୍ଦୀରେ କୋରିଆରେ ଧାତବ ଅକ୍ଷର ମୁଦ୍ରଣ କାମରେ ବ୍ୟବହୃତ ହେଉଥିଲା । ଏହାର ବହୁ ପୂର୍ବରୁ ଅଷ୍ଟମ ଆଉ ନବମ ଶତାବ୍ଦୀରେ ଏଇ ଦୁଇ ଦେଶରେ କାଠକୁ ଖୋଳି ଅକ୍ଷର ତିଆରି କରି ଛାପା କାମ ବା "ଜାଇଲୋଗ୍ରାଫି" ହେଉଥିଲା ।

ତେଣୁ ଭ୍ରାମ୍ୟମାଣ ଅକ୍ଷର ଯେ ଗୁଟେନବର୍ଗଙ୍କ ଏକମାତ୍ର ଅବଦାନ, ତାହା ବିଚାରିବା ଠିକ୍ ନୁହଁ । କିନ୍ତୁ ଗୁଟେନବର୍ଗ ବହିର ପ୍ରସାରକୁ ଏକ ନୂତନ ଦିଗନ୍ତ ଦେଇଥିବା ହେତୁ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ବହିର ଇତିହାସରେ ଗୁଟେନବର୍ଗ ଗୋଟିଏ ବିଭେଦକ ରେଖା ଟାଣି ପାରିଛନ୍ତି । ତାଙ୍କ ପୂର୍ବରୁ ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଯେତେ ସବୁ ବହି ପ୍ରସ୍ତୁତ କରାଯାଇଥିଲା ସେଇ ସବୁକୁ ଚିହ୍ନିତ କରାଯାଇଛି ଗୋଟିଏ ଶବ୍ଦରେ  - ଇନକୁନାବୁଲା । ସେଇ ଶବ୍ଦଟି ଐତିହାସିକ ।

ବି.ଦ୍ର - ଏହି ଲେଖାଟି ଓଡିଶାର ପୁସ୍ତକ ଆନ୍ଦୋଳନର ମୂଖ୍ୟ ପୁରୋଧା ସ୍ୱର୍ଗୀୟ ବରେନ୍ଦ୍ରକୃଷ୍ଣ ଧଳଙ୍କର ଅମର ସ୍ମୃତି ପ୍ରତି ଏକ ଶ୍ରଦ୍ଧାଞ୍ଜଳୀ ଓ ତାଙ୍କର ଅବର୍ତ୍ତମାନରେ କାଲିଠାରୁ ଆରମ୍ଭ "ଭୁବନେଶ୍ବର ପୁସ୍ତକମେଳା - ୨୦୧୭" ପ୍ରତି ଶୁଭେଚ୍ଛା ।

Wednesday, April 05, 2017

ସ୍ତୁତି ଚିନ୍ତାମଣି - ପ୍ରଥମ ବୋଲି

କବି - ଭୀମ ଭୋଇ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଜୟ ଅବ୍ୟକତ ରୂପରେ ବିଖ୍ୟାତ ଶୂନ୍ୟେ ଯା ଉଡୁଚି ବାନା

କୃପାକଟାକ୍ଷ ତ ଅରୂପେ ବିଦିତ ଭଗତ ଦୁଃଖ ଖଣ୍ଡନା ।୧।

ଜଗତ ଆବୋରି ପୁରିଅଛ ହରି ନାମ ବ୍ରହ୍ମମୟ ତେଜ
ଅଜ୍ଞାନକୁ ମେରୁ ସୁଜ୍ଞାନୀକି ସରୁ ନୁହଇ ଉଶ୍ୱାସ ବୋଝ ।୨।

ଅଭୟ ପୟର ପ୍ରଭୁ ଶ୍ରୀଛାମୁରୁ କିଛି କୃପା ହେଉ ନାହିଁ
ନିମିଷମାତ୍ରକ ଯୁଗେ ଲେଖୁଅଛି ଦିବସ ଗଣୁଛି ମୁହିଁ ।୩।

ଆହା ତୁ କରତା ବୋଲି ମନେ ଚିନ୍ତା ଲଲାଟରେ ହସ୍ତ ମାରି
ଉଦ୍ଧର ବା ନ ଉଦ୍ଧର ମହାପ୍ରଭୁ ସନ୍ତାପେ ଗଲିଣି ସରି ।୪।

ମେଲିଛ ପସରା ନିର୍ବେଦରେ ପରା ଅରୂପେ କରିବ ପାରି
ଘେନ ମୋ ବିନତି ବୁଝ ତୁ ବ୍ୟକତି ଯେବେ ଭକ୍ତ ହିତକାରୀ ।୫।

ଅବନା ମଣ୍ଡଳୁ ଜ୍ଞାନ ଆଖଣ୍ଡଳୁ ଆଣି ଉଡାଇଛ ବାନା
ଅନ୍ତର୍ଯ୍ୟାମୀ ହେଲେ ଅବଶ୍ୟ ଜାଣିବ ଭୃତ୍ୟର ମନ କଳ୍ପନା ।୬।

ଜାଣ କେତେ ଛନ୍ଦ ଅରୂପ ଗୋବିନ୍ଦ ଏ ସର୍ବ ତୁମ୍ଭରି ଖଣ୍ଡ
ନଟକୂଟ କରି ମାରୁଅଛ ହରି ବିହୁଅଛ କେତେ ଦଣ୍ଡ ।୭।

ସନ୍ତାପରେ କେତେ ଦହୁଅଛ ମୋତେ ଯେତେ ଦେଉଛ କଷଣ
ଭଗତ ରକ୍ଷଣ ବାନା ବହିଅଛ ଧନ୍ୟ ତୁମ୍ଭ ପ୍ରଭୁ ପଣ ।୮।

ମୁଁ ଯେ ଶ୍ରୀଛାମୁରେ ସତ୍ୟ ନିଷ୍କାମରେ ନାମ ଅପରାଧୀ ଚୋର
ଅଛି ଯେବେ ଦୋଷ ମନେ ବହି ରୋଷ ଖଡଗେ ଛେଦ ମୋ ଶିର ।୯।

ଏତେ କାଳ ମୋତେ ବିଅଣଆୟତ୍ତେ ଆସି ପଡିଲା ବିପତ୍ତି
ହୃଦର ବେଦନା କର ତୁ ଖଣ୍ଡନା ଅଲେଖ ଅବର୍ଣ୍ଣ ଜ୍ୟୋତି ।୧୦।

କିବା ରାଜପୁତ୍ର କିବା ସାଧୁସନ୍ଥ ସର୍ବେ ହେଲେଣି ଦୁର୍ଜନା
ଏ ତିନି ବ୍ରହ୍ମାଣ୍ଡ ସାଧିବୁ ତୁ ପରା କିସ ଦେଖୁଛ ଭାବନା ।୧୧।

ଦେବାଦେବୀଗଣ ମୃତ୍ତିକା ପାଷାଣ କାହାକୁ ନ ଭଜି ଚିତ୍ତେ
ମୁକତି କାଷ୍ଠାରେ ଏକାନ୍ତ ନିଷ୍ଠାରେ ଏକା ଧ୍ୟାୟି ଅଛି ତୋତେ ।୧୨।

ତୁ ଯେବେ ଅଲେଖ କରିବୁ ନିରେଖ ବିପତ୍ତିରେ ଅପଯଶ
ଏ ତିନି ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ କାହିଁ ନୋହିବ ମୋ ବାସ ।୧୩।

ହୋଇ ଏତେ ସରି ଜିଇଁଛି ନ ମରି ବୋଝର ଉପରେ ଭାର
ଏଥିରୁ ଅଧିକ ଭୋଗରୁ ଅଲେଖ କି କରିବୁ ଆଉ କର ।୧୪।

ବଖାଣନ୍ତେ ଦୁଃଖ ଅଧିକରେ ଶୋକ ହୃଦରୁ ଉଠୁଛି କୋହ
ପଞ୍ଚଭୂତ ଆତ୍ମା ନିତ୍ୟେ କାନ୍ଦୁଅଛି କ୍ଷଣେ ସୁସ୍ଥ ନାହିଁ ଦେହ ।୧୫।

ମନେ ମନେ ଗୁଣି ଦିବସ ରଜନୀ ସନ୍ତାପରେ ହୋଇ ଘାରି
ଆହାରେ ଦାରୁଣ ଦଇବ ବିଧାତା ମୋତେ କଲୁ ଏତେ ସରି ।୧୬।

ମାୟା ମୋହେ ନିତ୍ୟେ ପକାଉଛୁ ମୋତେ କି ରୂପେ ହୋଇବି ପାରି
ଦିବା ନିଶି ମୋତେ ରୋଦନ ମାଡୁଛି ବେନି ନେତ୍ରୁଁ ବହେ ବାରି ।୧୭।

ମୁଁ ହୀନ ପାମର କୀଟ ଜୀବ ଛାର ତୋ ପୟରେ ଅନୁସରି
କରପଚ୍ର ଯୋଡି ବିନତି କରୁଛି ସୁକୃପା କର ଶ୍ରୀହରି ।୧୮।

ଜଗତ ଧାରଣ ମୁକତି କାରଣ ତୁ ଯେ ବ୍ରହ୍ମାଣ୍ଡ କରତା
ପିଣ୍ଡ ପ୍ରାଣ ଆଦି ଲାଗିଲା ଅନାଦି ଦୁଃଖସୁଖ ସର୍ବ ଚିନ୍ତା ।୧୯।

ତୋ ପାଦେ ଶରଣ ଯାଉ ଏ ପରାଣ ଯୁଗେ ଯୁଗେ ରହୁ କୀର୍ତ୍ତି
ଝିଙ୍ଗାସ ବଚନ କହେ ଭୀମ ହୀନ ଅଜ୍ଞାନ ପାମର ମତି ।୨୦।

Tuesday, April 04, 2017

ଦଳିତ ଲୋକଗୀତ (ଚିତାକୁଟା ଗୀତ - ୪)


ସାରୁ ପତ୍ର ଆକାରର ମୋଜାଗି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଇଆଡ଼େ ନ ଦେଖେ
ସିଆଡ଼େ ଦେଖେ
କିଛି କାଟିବ ନାହିଁ
ପିଇଦେ
ଖାଇଦେ
କାଞ୍ଜି ପାଣି
ପଖାଳ ତୋରାଣୀ
ସାରୁ ଭରତା
ମଞ୍ଜା ରାଇତା
ମନେ ପଡ଼ୁଛି କି
ତାରି କଥା ।
ଚିତା କୁଟାକୁ ସେ ଦେଖିବ
କେତେ କଥା ପଚାରିବ
ଭାରି ଖୁସି ହେଇଯିବ
କେତେ ଯେ ପଇସା ଦେବ ।

ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' ।୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା । 

Monday, April 03, 2017

ଓଡ଼ିଆ ରେକଡ଼ର ଇତିହାସ - ୧

ଶ୍ରୀ କିରଣଚନ୍ଦ୍ର ଘୋଷ 


ଗ୍ରାମୋଫୋନ ସହ ଏଚଏମଭିର ଶ୍ୱାନ ନିପ୍ପର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ବେଶୀ ଦିନ କଥା ନୁହେଁ - ପାଞ୍ଚ ବର୍ଷ ଆଗତ କଥା । ସେତେବେଳେ ଓଡ଼ିଆ  ରେକଡ଼ ନଥିଲା କହିଲେ ଚଳେ । ଯେଉଁ ଗୋଟିଏ ଯୋଡ଼ିଏ ରେକଡ଼ ବାହାରି ଥିଲା 'ଏରୋଣ୍ଡୋଽପି  ଦୃମାୟତେ' ପରି ତାକୁ ଓଡ଼ିଆ ପ୍ରେମୀ ଖଣ୍ଡେ ଖଣ୍ଡେ କେତେବେଳେ କେମିତି ପାଖରେ ରଖିବାର ଦେଖାଯାଉ ଥିଲା । ସମସ୍ତେ ବଙ୍ଗାଳୀ ରେକଡ଼ କିଣିବାକୁ ବାଧ୍ୟ ହେଉଥିଲେ । ଶ୍ରୀଯୁକ୍ତ ମୋହନ ସୁନ୍ଦର ଦେବ ଓ ବାବୁ କାଳି ଚରଣ ପଟ୍ଟନାୟକ ସେହି ଯୁଗର ଗାୟକ । ଯେ ସମୟର ସଙ୍ଗୀତର ସ୍ୱରରେ ତାରତମ୍ୟ ଆଦୌ ପରିଲକ୍ଷିତ ହେଉନଥିଲା । ଏକ ପ୍ରକାରର ଗୋଟାଏ ଚିର ଅଭ୍ୟସ୍ତ ସ୍ୱର ଶୁଣିବାକୁ ଲୋକଙ୍କୁ ସେପରି ସୁଖକର ବୋଧ ହେଉନଥିଲା ।

ଓଡ଼ିଆ ରେକଡ଼ର ଇତିହାସରେ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ଦାସଙ୍କର ଆବିର୍ଭାବ ଓ ତାଙ୍କର ଉଡ଼ିଯାଉଛି ଲୋଟଣୀ ପାରା - ଝୁମୁ ଝୁମୁ ଝୁମୁରୁ ଝୁମୁ ପ୍ରଭୃତି ଗୋଟାଏ ଯୁଗ ପ୍ରବର୍ତ୍ତନରେ ସାହାଯ୍ୟ କରିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଗୌରାଙ୍ଗ ବାବୁ ସେତେବେଳେ ରେକଡ଼ ଜଗତରେ ଶିଶୁ କିନ୍ତୁ ତାଙ୍କର ଏହି ସବୁ ଗୀତ ଏଚେ ଆଦର ହେବାକୁ ଲାଗିଲା ଯେ ବାଧ୍ୟ ହୋଇ ହିଜ୍ ମାଷ୍ଚରସ୍ ଭଏସ୍ କମ୍ପାନୀଙ୍କୁ ତାଙ୍କର ଚିରନ୍ତନ ରୀତି ବଦଳାଇବାକୁ ପଡ଼ିଲା । ନୂଆ ନୂଆ ଗୀତ ପାଇଁ ସେମାନେ ନୂତନ ନୂତନ ଆଟିଷ୍ଟ (ଗାୟକ) ଖୋଜି ବୁଲିଲେ । ଗୌରାଙ୍ଗ ବାବୁଙ୍କର ଏହି ଗୌରବରେ ଅନ୍ୟ ଜଣଙ୍କର ମଧ୍ୟ କୃତିତ୍ତ୍ୱଥିଲା । ସେ ହେଉଛନ୍ତି ଯାଜପୁରର ସଙ୍ଗୀତାଚାର୍ଯ୍ୟ ଶ୍ରୀ କୃଷ୍ଣପ୍ରସାଦ ବସୁ । ଏହାଙ୍କର ରଚନା ଓ ସଂଯୋଜନା ହିଁ  ଗୌରାଙ୍ଗ ବାବୁଙ୍କୁ ଯଶସ୍ୱୀ କରିଥିଲା । 

ଏହାଙ୍କପରେ ଉଲ୍ଲେଖ ଯୋଗ୍ୟ ଗାୟକ ହେଉଛନ୍ତି ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ । କଣ୍ଠ ମାଧୁର୍ଯରେ ସେ ଅନିନ୍ଦ୍ୟ । ସେଥି ପାଇଁ ଜନ ସମାଜରେ ଅତି ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଗଲା । ପ୍ରଥମ ସଙ୍ଗୀତରେ ସେ ଜଣାଇ ଦେଲେ ଯେ କେବଳ ପ୍ରାଚୀନ ଢାଞ୍ଚାରେ ଗାଇଲେ ଚଳେନାହିଁ  ତତ୍ ସଙ୍ଗେ ସଙ୍ଗେ କଣ୍ଠ ମାଧୁର୍ଯ୍ୟ ମଧ୍ୟ ଲୋଡ଼ା । ଗୌରାଙ୍ଗ ବାବୁ ନିମାଇଁଙ୍କ ମଧ୍ୟରେ ପାର୍ଥକ୍ୟ ଅଛି ଯଥେଷ୍ଟ । ଗୌରାଙ୍ଗ ବାବୁ ଉତ୍ତର ଭାରତୀୟ ସଙ୍ଗୀତର ଆଦର କରନ୍ତି, ମାତ୍ର ନିମାଇଁ ବାବୁ ଦକ୍ଷିଣ ଭାରତ ବା ଦ୍ରାବିଡ଼ୀ ସଙ୍ଗୀତାମୋଦୀ । ନିମାଇଁ ବାବୁ ଛାନ୍ଦ ଓ ଦକ୍ଷିଣୀ ଗୀତ ଗାଇ ଓଡ଼ିଶାର ସମ୍ମାନକୁ ଯେ ବହୁ ପରିମାଣରେ ବଢ଼ାଇ ଦେଇଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।  ବାଣୀକଣ୍ଠଙ୍କର ଲଳିତ କଣ୍ଠରେ ଉତ୍କଳର ପୂଜ୍ୟ ବରେଣ୍ୟ ଦୀନକୃଷ୍ଣ, ଗୋପାଳକୃଷ୍ଣ, ଭଞ୍ଜ, ଅଭିମନ୍ୟୁଙ୍କର ରଚନା ଆଜି ପ୍ରକୃତରେ ଆତ୍ମ ବିସ୍ମୃତ ଓଡ଼ିଆକୁ ଚେତାଇ ଦେଇଛି । ନିମାଇଁ ବାବୁଙ୍କର 'ବିତଳକୁ ଆଲିଙ୍ଗନ' ରେକଡ଼ଟି ଯାହାର ନାହିଁ ତା ଘରେ ଗ୍ରାମଫୋନ ରଖିବା ଯଥାର୍ଥ ନୁହେଁ ବୋଲି ଲୋକେ ନିନ୍ଦା କରନ୍ତି । 

ନୀଳଗିରିର ବାବୁ ଗୋକୁଳାନନ୍ଦ ମହାନ୍ତି ଏହାଙ୍କର ସମସାମୟିକ । ବାବୁ ଜଗବନ୍ଧୁ ସାହୁ, ମିସ୍ ତୋଫାବାଲା, କୃଷ୍ଣ ପ୍ରସାଦ ବୋଷ ଓ ଲକ୍ଷ୍ମୀକାନ୍ତ ସାହୁ ପ୍ରଭୃତି ମଧ୍ୟ ଏହି ସମୟରେ ରେକଡ଼ ଗାୟକ ରୂପେ ପରିଚିତ ହୋଇଥିଲେ । କିନ୍ତୁ ଗୋକୁଳାନନ୍ଦ ମହାନ୍ତି ଓ ମାଷ୍ଟର ଲକ୍ଷ୍ମୀଧରଙ୍କ ଛଡ଼ା ଅନ୍ୟାନ୍ୟ କେହି ସେପରି କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । ଗୋକୁଳି ବାବୁଙ୍କ ଗଳା ଯେ କେଡ଼େ ମଧୁର ତାହା ତାଙ୍କର ଗୋଟିଏ ପ୍ରସିଦ୍ଧ ଗୀତ 'ଦେ ମୋତେ ବାଇୟା କରି' ପ୍ରମାଣ କରିଦିଏ । ଗୀତର ରଚୟିତା ଓଡ଼ିଶାର ଅନ୍ୟତମ ଗୀତିକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର । ଗୀତଟିର ଭାବ, ଭାଷା, ସ୍ୱର ଓ ସର୍ବୋପରି ଗାୟକଙ୍କର କଣ୍ଠସ୍ୱର ଗୀତଟିକୁ ଜନସମାଜରେ ଯଥେଷ୍ଟ ଆଦୃତ କରିଛି । 

ମା।ଷ୍ଟର ଲକ୍ଷ୍ମୀଧର ଯେଉଁ ଗୀତରେ ନାମ କରିଥିଲେ ସେ ହେଉଛି - 'ଚାହିଁ ଚାହିଁ ପଥ ତୁମରି ।' ନବୀନ ଗାୟକଙ୍କର କଣ୍ଠ ସ୍ୱର ଶ୍ରୋତାଙ୍କର ବଡ଼ ପ୍ରିୟ । ମିସ୍ ତୋଫାବାଲା ମଧ୍ୟ ମନ୍ଦ ଗାଇନାହାନ୍ତି । ତାଙ୍କର କୀର୍ତ୍ତନଟି ବେଶ୍ ହୋଇଛି । କୃଷ୍ଣବାବୁ କିନ୍ତୁ ଚେଷ୍ଟାକରି ନିଜେ ବିଫଳକାମ ହୋଇଛନ୍ତି । ତାଙ୍କର କଣ୍ଠସ୍ୱର ଆଦୌ ରେକଡ଼ର ଉପଯୋଗୀ ନୁହେଁ । ବାବୁ ଜଗବନ୍ଧୁ ସାହୁ ଚଳନୋପଯୋଗୀ ଗାଇଛନ୍ତି । ଲକ୍ଷ୍ମୀକାନ୍ତ ବାବୁଙ୍କର ରଚନାର ପ୍ରାଣସ୍ପର୍ଶୀ ଭାବ କେତେକାଂଶରେ ସଙ୍ଗୀତର ଦୋଷକୁ ଢାଙ୍କି ପକାଇଛି । ମନେ ହୁଏ ଲକ୍ଷ୍ମୀକାନ୍ତ ବାବୁଙ୍କର ସଙ୍ଗୀତ ଗୁଡ଼ିକ କୌଣସି ସୁଗାୟକ ଦ୍ୱାରା ଗୀତ ହୋଇଥିଲେ ଜନସାଧାରଣରେ ତାର ଆସନ ଖୁବ୍ ଉଚ୍ଚରେ ହୋଇଥାନ୍ତା ।  ଜଗବନ୍ଧୁ ବାବୁଙ୍କର ଦୋଷ ହେଉଛି ତାଙ୍କର ଗଳା କମ୍ପେ । 

(ପୁଣି ପର ସଂଖ୍ୟାରେ ଆଲୋଚିତ ହେବ)

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ଡଗର'ର ପ୍ରଥମ ଖଣ୍ଡ, ତୃତୀୟ ସଂଖ୍ୟାରେ, ୧୩୪୪ ସାଲ ବା ୧୯୩୭ ମସିହାରେ ପ୍ରକାଶିତ ହୋଇଥିଲା ।