Monday, April 03, 2017

ମହିମା ଭକ୍ତି କହିତା - 'ଉଠ ଶୂନ୍ୟ ଶିଖରେ'


କବି - ଭୀମ ଭୋଇ 


ଥମାସ  ଡିଗସ୍  (୧୫୪୬? - ୧୫୯୫) କୃତ ବ୍ରହ୍ମାଣ୍ଡର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଉଠ ଶୂନ୍ୟ ଶିଖରେ, ଭେଟ ଅଲେଖପୁରେ
ଖଟ ସେବା ଭଗତି ମୁକତି ହେ । ଘୋଷା ।

ବିଦୁ ଝଟଇ କାନ୍ତି । ଜାଜ୍ୱଲ୍ୟମୟ ଜ୍ୟୋତି ।
ଆବାଲ୍ୟରୂପ ବ୍ରହ୍ମ ମୂରତି ହେ ।୧।

ସଦାକାଳେ ଅତିଥି । ନାହିଁ ଦିବସ ରାତି ।
ଥୟରେ କାହିଁ ନାହିଁ ରହନ୍ତି ହେ ।୨।

ସର୍ବଠାବରେ ଛନ୍ତି । କାହିଁରେ ନ ମିଶନ୍ତି ।
ଚିତ୍ତ ଲଗାଇ କର ପୀରତି ହେ ।୩।

ରଜ ବୀଜ ନୁହନ୍ତି । ପବନେ ନ ଉଡ଼ନ୍ତି ।
ନାହିଁ ବନ୍ଧ ପ୍ରକଟ ବିକୃତି ହେ ।୪।

ଦ୍ୱାଦଶ ଯୁଣ କ୍ଷିତି । ତହିଁର ଦୀର୍ଘ ପ୍ରତି ।
ଚାରି ଯୁଗରେ ବ୍ରହ୍ମ ଖେଳନ୍ତି ହେ ।୫।

ଭଣିଲେ ଭୀମ କ୍ଷିତି । ଗୁରୁ ପୟରେ ମତି ।
ଅଭେଦ ମାର୍ଗେ ବ୍ରହ୍ମ ଦିଶନ୍ତି ହେ ।୬।  

Sunday, April 02, 2017

ପର୍ବତରେ ଧର୍ମୋପଦେଶ - ୧୧

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ୱେଲ୍ସ୍ ଭାଷାର ପ୍ରଥମ ବାଇବେଲ (୧୫୮୮ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମାଗ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ ପାଇବ ;  ଦ୍ୱାରରେ ମାର ତୁମ୍ଭମାନଙ୍କ ନିମନ୍ତେ ତାହା ଫିଟା ଯିବ । ଯେହେତୁ ଯେ ମାଗେ, ତାହାକୁ ମିଳେ; ଯେ ଖୋଜେ, ସେ ଉଦ୍ଦେଶ ପାଏ;  ଆଉ ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଦ୍ୱାର ଫିଟାଯିବ । ଆପଣାର ପୁତ୍ର ରୋଟୀ ମାଗିଲେ ତାକୁ ପଥର ଦେବ, କିଅବା ମାଛ ମାଗିଲେ ତାକୁ ସର୍ପ ଦେବ, ତୁମ୍ଭମାନଙ୍କ ମଧ୍ୟରେ କି ଏପରି କୌଣସି ମନୁଷ୍ୟ ଅଛି ?  ଏନିମନ୍ତେ ତୁମ୍ଭେମାନେ ମନ୍ଦ ହୋଇହିଁ ଯେବେ ଆପଣା ବାଳକମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟ ଦେବାକୁ ଜାଣ, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା କି ଆହୁରି ପ୍ରବୃତ୍ତ ମନରେ ଆପଣା ପ୍ରାର୍ଥନାକାରୀମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟ ନ ଦେବେ ? ଅତଏବ ଅନ୍ୟମାନଙ୍କଠାରୁ ତୁମ୍ଭେମାନେ ଯେଉଁସବୁ ବ୍ୟବହାର ଇଚ୍ଛା କର, ସେମାନଙ୍କ ପ୍ରତି ସେହିରୂପ ବ୍ୟବହାର କର; ଯେହେତୁ ଏହା ଶାସ୍ତ୍ର ଓ ଭବିଷ୍ୟଦ୍-ବାକ୍ୟର ସାର । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

ଏକଦା ଏକ ଦିନ


ଏପ୍ରିଲ୍ ମାସର ପ୍ରଥମ ଦିବସ: ଇତିହାସ


ଜ୍ୟୋତି ନନ୍ଦ



ବୋଷ୍ଟନ ନଗରର ଏକ ସାର୍ବଜନୀନ ଉଦ୍ୟାନରେ ଏପ୍ରିଲ ପହିଲାର ଟାହୁଲି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏବେ ମୋର ବହୁତ ଡର ଏଇ 'ଟେଲ୍ ମି ହ୍ୱାଇ' ଭଳି ଲେଖା ଯାଉଥିବା ବହି-ଶୃଙ୍ଖଳାକୁ । ତୁମେ ଯାହା କହିବାକୁ ଚାହୁଁଚ ଆଉ ଯାହା ବୁଝିବାକୁ ଚାହୁଁଚ, ତାହାର ସବୁଠାରୁ ସରଳ ଆଉ ସମସ୍ତଙ୍କର ବୁଝିପାରିବା ଭଳି ପୂର୍ଣ୍ଣ ଶୁଦ୍ଧ ରୂପଟି ହେଉଛି ଏଇ ଭଳି ଲେଖା ।ଆଇନଷ୍ଟାଇନ୍ କହିଥିଲେ, ଯଦି ତମେ ପୃଥିବୀର ଜଟିଳତମ ତତ୍ତ୍ୱଟିକୁ ଗୋଟିଏ ପଞ୍ଚମ ଶ୍ରେଣୀ ପିଲାକୁ ବୁଝାଇ ପାରୁନାହଁ, ତେବେ ଧରିନେବାକୁ ହେବ ଯେ ତମେ ନିଜେ ସେଇ ତତ୍ତ୍ୱଟିକୁ ଠିକ୍ ରେ ବୁଝିପାରିନାହଁ । ଏଇ କଥାକୁ ଲେଖିଦେଲି ବୋଲି ଯେ ମୁଁ ସବୁକଥାକୁ ଠିକ୍ ରେ ବୁଝି ନେଇଛି ଆଉ ଲେଖି ଦେଉଛି ତାହା ସତ ବୋଲି ବିଚାରିବା ଠିକ୍ ନୁହଁ ।" ଭୀମ ବଳ କୋଏନ୍ତାଙ୍କୁ ଜଣା" ପରି ଆମ ସମସ୍ତଙ୍କର ବଳ ସମସ୍ତଙ୍କୁ ଗୋଚର ।

ପୃଥିବୀ ସାରା ଭର୍ତ୍ତି ଜଟିଳ ମଣିଷ । ସରଳ ମଣିଷକୁ ଡାୟୋଜେନିସଙ୍କ ଭଳି ଖୋଜିବାକୁ ପଡିବ । ସେହି ସରଳ ମଣିଷ ମାନେ ହିଁ ଆମର ପ୍ରଜ୍ଞାକୁ ବିକଶିତ କରିଥାନ୍ତି ।

ଆମେ ଯାହା ଲେଖୁଛୁ ତାହାକୁ ଯେତେ କୁଟିକମ କରି ସଜାଡି ଭବିଷ୍ୟତ ପାଇଁ ରଖିଲେ ବି ତାହାର ନିୟତି ହେଉଛି, ବ୍ୟବହାର କର ଆଉ ପରିତ୍ୟାଗ କର - ୟୁଜ୍ ଆଣ୍ଡ୍ ଥ୍ରୋ । ମୁଁ ପୃଥିବୀର ଜଣେ ପ୍ରସିଦ୍ଧ ଓ ସଶକ୍ତ କଥାକାରଙ୍କ ନାଁ ନେବି, ଯାହାଙ୍କର କାହାଣୀକୁ ଆପଣମାନେ ଫୋପାଡିବା ତ ଦୂରର କଥା, ନିଜଠାରୁ ଘଡିଏ ଅନ୍ତର ହେବାକୁ ବି ଦେବେ ନାହିଁ । ସେ ହେଉଛନ୍ତି ରାମକୃଷ୍ଣ ପରମହଂସ ଓ ତାଙ୍କର କାହାଣୀଟି ର ନାଁ ହେଉଛି "ରାମକୃଷ୍ଣ କଥାମୃତ" । ନିଜ କଥାକୁ ଅମୃତ କରିପାରିବାର ଦକ୍ଷତା ସେହି ବ୍ୟକ୍ତି ପାଖରେ ଥାଏ, ଯିଏ ସରଳ । ଈର୍ଷା କଲାଭଳି ସରଳ ।

ଟେଲ୍ ମି ହ୍ୱାଇ ରେ ସରଳତା ଜୟଯାତ୍ରା । ଆମ ପାଖରେ ସେମିତି ଦକ୍ଷତା ନ ଥିବାରୁ ଆମେ ସରଳକୁ ସେମିତି ସରଳ କରିପାରୁନାହୁଁ ।ସରଳକୁ ଜଟିଳ କରିବାରେ ଆମର ସଚରାଚର ପଳାୟନ ଓ ଆନନ୍ଦ । ଆମେ ଗୋଟିଏ କଥାକୁ ସତର୍କ ଥାଉ । କାଳେ ଆମକୁ କିଏ ଅତିସରଳୀକରଣ ଦୋଷରେ ଦୋଷୀ କରିଦେବ, କହିଦେବ ଏଇ ଲେଖାରେ ତତ୍ତ୍ୱ କାହିଁ ? ସେଇଥିପାଇଁ ବିଶିଷ୍ଟ ଲେଖା ଲେଖିବାକୁ ହେଲେ ନିଜ ଲେଖାରେ ଟିକିଏ "ଗୁଁ" ପୂରେଇବାକୁ ପଡେ । (ଏତେ କଥା ଆଜି କାହିଁକି ? ଏତେ ସରଳ ସରଳ ରଟନା ହେଉଛି କ'ଣ ନିଜ ଅପାରଗତାକୁ ଲୁଚାଇବା ପାଇଁ ? କୈଳାଶଶିଖରାସୀନ ଶଙ୍କରଙ୍କୁ ଗୌରୀ ପୃଚ୍ଛା କଲେ । ଶଙ୍କର କହିଲେ, ଶୁଣ ଦେବୀ ଏ ସରଳ ବୃତ୍ତାନ୍ତ ।)

ଆଜି ଏପ୍ରିଲ୍ ମାସର ପ୍ରଥମ ଦିନ । ଏହାକୁ ଏପ୍ରିଲର ନିର୍ବୋଧମାନଙ୍କ ଦିନ ବୋଲି କୁହାଯାଏ । ସମସ୍ତେ ଏହି ଦିନରେ ଥଟ୍ଟା ମଜା କରନ୍ତି । ଆଜିକାଲି ସାମାଜିକ ଗଣମାଧ୍ୟମରେ ମଜା କଥାର ଫୁଆରା ଛୁଟେ । ସବୁ ମଜାକଥାର ରସାୟନ ହେଉଛି କହିବାର ଭାଷା ଓ ଭଙ୍ଗୀକୁ ବାଦ୍ ଦେଇ ଉପସ୍ଥିତ ହେଉଥିବା ଦୁଇଟି ଚରିତ୍ର, ଗୋଟିଏ ବୁଦ୍ଧିମାନ ଯିଏ ମଜା କଥାର କର୍ତ୍ତା ଓ କଥକ ଓ ଅନ୍ୟଟି ନିର୍ବୋଧ ଯିଏ ମଜାକଥାଟିର କାରଣ ଓ ବାହକ । ଏହି ଦୁଇ "ଗୁପୀ ଗାଏନ୍ ଆଉ ବାଘା ବାଏନ୍"ଙ୍କୁ ନେଇ ଆମକୁ ମଜାକଥାର ହୀରକ ରାଜାର ଦେଶକୁ ଯିବାକୁ ହେଉଥାଏ ।

ମଜାକଥାର ଏଇ ଦୁଇ ଚରିତ୍ର ବୁଦ୍ଧିମାନ ଓ ନିର୍ବୋଧ କହିବାକୁ ଗଲେ ସମସ୍ତ ସରଳତାର ପ୍ରତିଭୂ । ସେମାନଙ୍କର ଉଦ୍ଦେଶ୍ୟ ଆନନ୍ଦ ବିତରଣ । ସେହିଦୃଷ୍ଟିରୁ ଆଜି ଏପ୍ରିଲ ମାସର ପ୍ରଥମ ଦିନ, ସରଳତାର ଜୟଗାନର ଦିନ ଓ ଆନନ୍ଦର ଦିନ । ଏପ୍ରିଲ ମାସର ପ୍ରଥମ ଦିନର ସରଳତା ଆଉ ଆନନ୍ଦର ଯାତ୍ରା ପୁରାଣରୁ ଇତିହାସ ଯାଏଁ ବିସ୍ତୃତ ।

ପୁରାଣରେ କିଛି ନିର୍ବୋଧ ସୁଲଭ କାର୍ଯ୍ୟକଳାପକୁ ଏପ୍ରିଲ୍ ମାସର ପ୍ରଥମ ଦିନର ନିର୍ବୋଧମାନଙ୍କ ସହ ଯୋଡାଯାଇଅଛି । ଏଇ ତାଲିକାରେ ପ୍ରଥମେ ଆସିବେ "ନୋଆ" । ନୋଆ ଈଶ୍ୱରଙ୍କ ପ୍ରିୟପାତ୍ର । ଈଶ୍ୱରଙ୍କର ଆଦେଶରେ ମହାପ୍ରଳୟରୁ ସମସ୍ତ ସ୍ଥାବର ଜଙ୍ଗମମାନଙ୍କୁ ସୁରକ୍ଷିତ କରି ପ୍ରଳୟୋପରାନ୍ତ ପୃଥ୍ୱୀର ନୂତନ ସୃଜନ କରିବା ଉଦ୍ଦେଶ୍ୟରେ ସେ ଏକ ସୁବୃହତ ନୌକା ନିର୍ମାଣ କରିଥିଲେ । ଆମେ ନିଜ ଘରେ ବିହନ ଯତ୍ନରେ ରଖିବା ଭଳି ପରବର୍ତ୍ତି ପୃଥ୍ୱୀର ସମସ୍ତ ସୃଜକମାନେ ତାହା ଭିତରେ ସୁରକ୍ଷିତ ରହି ମହାପ୍ରଳୟକୁ ଅତିକ୍ରମ କରୁଥିଲେ । ସେଇ ବିଖ୍ୟାତ ନୌକା-ନିର୍ମାଣକାରୀ ନୋଆ ମହାପ୍ରଳୟ ସମୟରେ ଗୋଟିଏ ମଜାକଥା ଭଳି ନିର୍ବୋଧ କାମ କରିଥିଲେ । ନୌକାରୁ ଗୋଟିଏ କପୋତକୁ ଉଡାଇଦେଇଥିଲେ । ସେତେବେଳେ ମହାପ୍ରଳୟ, ଚାରିଆଡେ ଜଳ ଆଉ ଜଳ । କପୋତଟି ଭୂମୀଖଣ୍ଡେ ପାଇବ କେଉଁଠୁ ? ସେ ଶେଷରେ ଫେରି ଆସିଥିଲା ନୌକାକୁ । ନୋଆଙ୍କ ନିର୍ବୋଧ ସୁଲଭ ଏଇ ହସ କଥାର ଏକ ମାତ୍ର ପ୍ରାପକ ହେଉଛନ୍ତି ସ୍ୱୟଂ ଈଶ୍ୱର । ଆମକୁ ହସ ମାଡୁ ବା ନମାଡୁ ଈଶ୍ୱର ହସି ପାରନ୍ତି ବୋଲି ଆମର ବିଶ୍ୱାସ ।

ପରବର୍ତ୍ତୀ ଦୈବିକ ନିର୍ବୋଧତା ହେଉଛି ରୋମାନମାନଙ୍କର କୃଷିର ଦେବୀ ସେରେସ୍ ଙ୍କୁ ନେଇ । ସେରେସ୍ ଙ୍କ କନ୍ୟାଙ୍କୁ ପାତାଳର ଦେବତା ପ୍ଲୁଟୋ ଅପହରଣ କରି ନେଇଥିଲେ । ନିଜ କନ୍ୟାକୁ ଖୋଜି ବାହାର କରିବା ପାଇଁ ସେରେସ୍ ପାତାଳକୁ ଯାତ୍ରା କରିଥିଲେ ।ପାତାଳ ଜଗତକୁ କୃଷିର ଦେବୀଙ୍କ ପ୍ରବେଶ ଏକ ପ୍ରକାର ନିର୍ବୋଧତା । ଏହା ଏପ୍ରିଲର ମଜାକଥା ସହିତ ବି ଯୋଡି ହୋଇଗଲା ।

ଏହା ବ୍ୟତୀତ ଯୀଶୁଙ୍କର କୃତ୍ରିମ-ବିଚାର କରାଯାଇ ତାହାକୁ ଏକ ପ୍ରହସନ ରୂପରେ ଖ୍ରୀଷ୍ଟିଆନ୍ ଜଗତରେ ଦେଖାଯାଉଥିଲା ଏଇ ସମୟରେ । ଯୀଶୁଙ୍କ ଯନ୍ତ୍ରଣାଦାୟକ ମୂହୁର୍ତ୍ତ ସମସ୍ତଙ୍କର ହୃଦୟରେ ଭକ୍ତିର ଆସ୍ଥାନ ନିର୍ମାଣ କରିବାରେ ସହାୟକ ହେଉଥିଲା ।

ଇତିହାସ ଦୃଷ୍ଟିରୁ ଏପ୍ରିଲର ଏଇ ନିର୍ବୋଧମାନଙ୍କର ଦିବସର ସୃଷ୍ଟି ପ୍ରାୟତଃ ଫ୍ରାନ୍ସରୁ ଆରମ୍ଭ ହୋଇଥିଲା । ଆରମ୍ଭ ସମୟ ଷୋଡଶ ଶତାବ୍ଦୀ, ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ପରେ । ଯେତେବେଳେ ଫ୍ରାନ୍ସରେ ପରିମାର୍ଜିତ ଗ୍ରେଗୋରୀୟ କାଲେଣ୍ଡରର ପ୍ରଚଳନ ଆରମ୍ଭ ହୋଇଥିଲା, ଠିକ୍ ସେତିକି ବେଳେ ଏଇ ବିଚିତ୍ର ଘଟଣା ଘଟିବାରେ ଲାଗିଥିଲା । ଗ୍ରେଗୋରୀୟ ପଞ୍ଜିିକା ଚାଲିବା ଫଳରେ ନୂଆବର୍ଷଟି ମାର୍ଚ୍ଚ ମାସ ପଚିଶ ତାରିଖ ବଦଳରେ ଜାନୁଆରୀ ଏକ ତାରିଖ ହୋଇଗଲା । ଉଦାହାରଣ ସ୍ୱରୂପ ଯଦି ଜଣକୁ କୁହାଯିବ ଯେ ଆସନ୍ତାକାଲି ଡ଼ିସେମ୍ବର ଛଅ ତାରିଖ, ଆଉ ସେଇ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଚାଲିବ, ତେବେ ପ୍ରଥମେ ସମସ୍ତଙ୍କୁ ତାରିଖ ଆଉ ଘଟଣା ମନେ ରଖିବାରେ ଅସୁବିଧା ନିଶ୍ଚୟ ହେବ । ଠିକ୍ ମାର୍ଚ୍ଚ ମାସ ପଚିଶ ତାରିଖକୁ ଜାନୁଆରୀ ମାସ ଏକ ତାରିଖ ବୋଲି ମାନିନେବାର ସ୍ୱାଭାବିକତା ସେତେବେଳେ ନଥିଲା ଫ୍ରାନ୍ସରେ ।

ଫ୍ରାନ୍ସର ସେହି କାଲେଣ୍ଡର ପରିବର୍ତ୍ତନ ଜନିତ ଅସୁବିଧା ଅନେକ ମଜା କଥାକୁ ଜନ୍ମ ଦେଲା । ଭୁଲବଶତଃ କେହି କେହି ମାର୍ଚ୍ଚ ପଚିଶ ଦିନ ବି ନବ ବର୍ଷ ପାଳନର ଆୟୋଜନ କରି ହାସ୍ୟାସ୍ପଦ ହେଉଥିଲେ । ସେମାନଙ୍କୁ "ଏପ୍ରିଲର ମାଛ" ବା ପୁଆସଁ ଦି ଆଭ୍ରିଲ୍ ବୋଲି କୁହାଯାଉଥିଲା । କାରଣ ମାଛଟିଏ ହେଉଛି ନିର୍ବୋଧ । ସେ ଅତି ସହଜରେ ବୁଦ୍ଧିମାନ ଲୋକର ଥୋପରେ ପଡିଥାଏ ।

କଥାରେ ଅଛି, ଫ୍ରାନ୍ସ ଛିଙ୍କିଲେ ସମଗ୍ର ଇଉରୋପକୁ ଜ୍ୱର ହୋଇଯାଏ । ଫ୍ରାନ୍ସରୁ ଏପ୍ରିଲର ନିର୍ବୋଧମାନେ ଇଂଲିଶ ଚାନେଲ୍ ଅତିକ୍ରମ କରି ଇଉରୋପକୁ ଏକ ଚଳଣୀ ହିସାବରେ ପହଞ୍ଚିବାକୁ ପାଖାପାଖି ଦୁଇ ଶହ ବର୍ଷ ଲାଗିଗଲା । ଅର୍ଥାତ ପ୍ରାୟ ଅଷ୍ଟାଦଶ ଶତାବ୍ଦୀ ବେଳକୁ ସମଗ୍ର ଇଉରୋପରେ ଏପ୍ରିଲ ପହିଲାର ନିର୍ବୋଧମାନେ ପହଞ୍ଚି ସାରିଥିଲେ । ଇଉରୋପରୁ ସେମାନେ ବିଶ୍ୱମୟ ହୋଇଗଲେ । ଇଉରୋପରେ ସେମାନେ ଆଉ ଏପ୍ରିଲର ନିର୍ବୋଧ ନ ଥିଲେ । ସେମାନେ ଏବେ ପୂରା ନିର୍ବୋଧ । ଦିନଟିକୁ କୁହାଗଲା ଏବେ, ଅଲ୍ ଫୁଲ୍ସ୍ ଡେ ଅର୍ଥାତ ମୂର୍ଖଙ୍କର ଦିବସ । ଏପ୍ରିଲର ଏହି ପ୍ରଥମ ଦିନର ନିର୍ବୋଧଙ୍କ ମାର୍ଫତରେ ଆମେ ସରଳତା ଓ ଆନନ୍ଦର ଜୟଗାନ କରିବା । ଏଇ ଦିନଟି ଆମକୁ ବିନମ୍ରତାର ସହ ବଞ୍ଚିବାକୁ ଶିକ୍ଷା ଦେଉଛି । ନିର୍ବୋଧ ବୋଲି ଆମେ ଯାହାକୁ କହୁ ସେ ପ୍ରକୃତରେ ବିନୟୀ । ଆବଶ୍ୟକତା ଠାରୁ ଅଧିକ ବିନୟୀ ।

ମଞ୍ଚ ଓ ବିଦ୍ୟାଳୟ ରୂପେ କଲିକତା : ଏକ ‘ବଙ୍ଗାଳୀ’ ସହରରେ ଓଡିଆ ଜୀବନ


ଅନୁବାଦକ - ବିଶ୍ୱଜିତ ଆପଟ


କଲିକତାର ଚଉରଙ୍ଗି ଛକ (୧୯୪୫ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ନାୟକ, ଯତୀନ୍ଦ୍ର କୁମାର (ସମ୍ପାଦକ) । ୨୦୧୦ । ଏ ୱାର୍ଲଡ୍ ଏଲ୍ସହ୍ୱେର୍ : ଇମେଜେସ୍ ଅଫ୍ କୋଲକାତା ଇନ୍ ଓରିଆ ଅଟୋବାୟୋଗ୍ରାଫିଜ୍ । ଭୁବନେଶ୍ୱର : ସ୍ନାତକୋତ୍ତର ଇଂରାଜୀ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗ୍ରାସରୁଟସ୍ ସହାୟତା ସହ । ୩୯୫ ଟଙ୍କା । ୧୮୬ ପୃଷ୍ଠା ।

ବହୁ ସଙ୍ଖ୍ୟକ ଓଡିଆଙ୍କ ପରି ମୋର ମଧ୍ୟ କଲିକତା ସହ ଏକ ବ୍ୟକ୍ତିଗତ ସମ୍ପର୍କ ରହିଛି । ଓଡିଆମାନେ ସବୁବେଳେ ହିଁ କାଲ୍କାଟା ବା କୋଲ୍କାତା ପରିବର୍ତ୍ତେ କଲିକତା ବୋଲି ହିଁ ଉଚ୍ଚାରଣ କରିଆସିଛନ୍ତି । କଲିକତା ଯେତିକି ବଙ୍ଗାଳୀ ବା ମାରୱାଡି ସହର, ସେତିକି ଓଡିଆ ସହର ମଧ୍ୟ । ତେଣୁ ପୀଢି ପରେ ପୀଢି ଓଡ଼ିଆମାନେ, ସେ ପ୍ରବାସୀ ହୁଅନ୍ତୁ ବା ଆଉ କେହି, ଏ ସହରକୁ ଯେଉଁ ନାମ ଦେଇଛନ୍ତି ମୁଁ ବି ସେଇ ନାମଟି ଏଠି ବ୍ୟବହାର କରିବି । ଏହି ଅଧମର ପ୍ରପିତାମହ, ଶ୍ରୀ ବାଳକୃଷ୍ଣ ରାଉତରାୟ, କଟକ ଜିଲ୍ଲାର ବଳଭଦ୍ରପୁର ଗାଁ’ର ନିବାସୀ ଥିଲେ । ସେ ଜଣେ କ୍ଷୁଦ୍ର ବ୍ୟବସାୟୀ ଥିଲେ ଓ କଲିକତାରେ କେଉଁଠାରେ ତାଙ୍କର ଗୋଟିଏ ଡାଲି ଚାଉଳ ଦୋକାନ ଥିଲା । କଲିକତାରେ ଠିକ କେଉଁଠାରେ ସେ ଦୋକାନଟି ଥିଲା, ତାହା ଅବଶ୍ୟ ମୋତେ ଜଣା ନାହିଁ । କାରଣ ମୁଁ ଛୋଟ ଥିଲା ବେଳୁ ହିଁ ମୋ ଜେଜେ ବାପା ସ୍ୱର୍ଗବାସୀ ହେଲେ, ଆଉ ମୋ ବୟସ୍କ ଜେଜେମାଆଙ୍କୁ ଏ କଲିକତା ବେପାର ବିଷୟରେ ମୋ ହେତୁ ହେଲା ବେଳକୁ ଆଉ ବିଶେଷ କିଛି ମନେପଡୁନଥିଲା । ସେ ଯାହା ହେଉ, ସ୍ୱାଧୀନତା ସମୟରେ ସେ ବେପାର ମାନ୍ଦା ପଡିଗଲା ଓ ମୋ ପରିବାର ପୁଣି ଫେରି ପୁରାପୁରି ଚାଷବାସରେ ହିଁ ମନ ଦେଲେ ।

ମୋ ପରିବାର କିଛି ସ୍ୱତନ୍ତ୍ର ନୁହେଁ । ଏବେ ଯେମିତି ପ୍ରାୟ ପ୍ରତ୍ୟେକ ମଧ୍ୟବିତ୍ତ ଓଡ଼ିଆ ପରିବାରର କେହି ଜଣେ ସଦସ୍ୟ ଦିଲ୍ଲୀ, ବମ୍ବେ, ବାଙ୍ଗାଲୋର ବା ମାଡ୍ରାସ ପରି କୌଣସି ଏକ ମହାନଗରରେ କାମ କରୁଛନ୍ତି, ଊନବିଂଶ ଓ ବିଂଶ ଶତାବ୍ଦୀ ବ୍ୟାପୀ ଅତି କମରେ ଛଅ ପୀଢିର ଓଡିଆଙ୍କ ପାଇଁ କଲିକତା ଥିଲା ଭାଗ୍ୟ ବଦଳେଇବାର ଏକ ସୁଯୋଗ । ସେ କାମଧନ୍ଦା ପାଇଁ ହେଉ ବା ଶିକ୍ଷାଲାଭ ପାଇଁ, ଓଡିଶାର ଶାନ୍ତ ଓ ସୁପ୍ତ ଗାଁ ଓ ସହରମାନଙ୍କରୁ ମୁକୁଳିବାର ବାଟ ଥିଲା କଲିକତା । କଲିକତା ଥିଲା ଔପନିବେଶିକ ମହାନଗରର ଏକ ଆଦ୍ୟରୂପ । ୧୯୧୧ ଯାଏଁ ଏହା ଥିଲା ବ୍ରିଟିଶ ସରକାରଙ୍କ ରାଜଧାନୀ ଓ ବ୍ରିଟିଶ ସାମ୍ରାଜ୍ୟର ଦ୍ୱିତୀୟ ସହର, ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ଯାଉ ନଥିଲା । କଲିକତାର ଗହଳ ଚହଳ ଓ ଚଞ୍ଚଳ ପରିବେଶ ଅନେକ ଓଡିଆଙ୍କ ପାଇଁ ବହୁ ଦିନ ଧରି ଆଧୁନିକତାର ସଂସ୍ପର୍ଶରେ ଆସିବାର ଉତ୍ସ ହୋଇ ରହିଥିଲା । ତେଣୁ ଓଡିଶାରେ ଆଧୁନିକ ବ୍ୟକ୍ତିତ୍ୱ ସୃଷ୍ଟିରେ ଏକ ବଙ୍ଗୀୟ ଛାପ ରହିଗଲା ।

ଏହି ସନ୍ଦର୍ଭରେ, ଆମ ସମୀକ୍ଷା ପରିସରକୁ ଆସିଥିବା ବହିଟି ଅନେକ ଗୁରୁତ୍ୱପୂର୍ଣ୍ଣ । ଏହି ବହି ହେଉଛି କଲିକତାର ବର୍ଣ୍ଣନା ଯୋଗାଉଥିବା ଓଡିଆ ଆତ୍ମଜୀବନୀଗୁଡିକର କେତେକ ଉଦ୍ଧୃତାଂଶର ଇଂରାଜୀ ଅନୁବାଦର ଏକ ସଙ୍କଳନ । ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଟ୍ରାନସଲେଟିଙ୍ଗ ଓଡିଶା’ ଶୀର୍ଷକ ପ୍ରକଳ୍ପ ଅନ୍ତର୍ଭୁକ୍ତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯାହାର ଫଳଶ୍ରୁତି ହେଉଛି ଏହି ବହି । ବହିଟିରେ ଓଡିଆ ଆତ୍ମଜୀବନୀରୁ ପନ୍ଦରଟି ଉଦ୍ଧୃତାଂଶ ସ୍ଥାନ ପାଇଛି, ଯେଉଁଗୁଡିକ ମୁଖ୍ୟତଃ ବିଂଶ ଶତାବ୍ଦୀର କଲିକତାର ଏକ ଚିତ୍ରମାଳା ପରିବେଷଣ କରନ୍ତି । ଆତ୍ମଜୀବନୀ ଗୁଡିକ ମଧ୍ୟ ସତର୍କତାର ସହ ଚୟନ କରାଯାଇଛି । ଏଗୁଡିକର ଲେଖକମାନେ ମଧ୍ୟ ବିବିଧ: ରାଜନେତା, ଛାତ୍ର, ଜଣେ ନାଟକ ସହ ସମ୍ପୃକ୍ତ ତ ଆଉ ଜଣେ ପୁସ୍ତକ ଅନୁରାଗୀ । ଫଳସ୍ୱରୂପ କଲିକତାରେ ଥିବା ଓଡିଆଙ୍କର ବହୁବିଧ ଅନୁଭବମାନ ଆମ ଆଗକୁ ଆସିଛି ।

ସବୁଠାରୁ ରୋଚକ ଉଦ୍ଧୃତାଂଶଟି ପ୍ରସିଦ୍ଧ ଓଡିଆ ନାଟକ କଳାକାର ବୈଷ୍ଣବ ପାଣିଙ୍କ ଆତ୍ମଜୀବନୀରୁ ସଙ୍ଗୃହିତ ଓ ଜ୍ୟୋତିର୍ମୟୀ ମିଶ୍ର ଏହାକୁ ସୁନ୍ଦର ଭାବେ ଅନୁବାଦ କରିଛନ୍ତି । ଏଥିରେ ସହରଟିକୁ ଏକ ମଞ୍ଚ ରୂପେ ବର୍ଣ୍ଣନା କରାଯାଇଛି । ନାଟ୍ୟ ଜଗତର ଆଉ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଗୋପାଳ ଦାଶଙ୍କ ସହ ବୈଷ୍ଣବ ପାଣିଙ୍କର ଭେଟ ହୁଏ ଓ ସେ ଶ୍ରୀଯୁକ୍ତ ଦାଶଙ୍କ ସହ ଏକ ପ୍ରତିସ୍ପର୍ଦ୍ଧାତ୍ମକ ପ୍ରଦର୍ଶନରେ ମାତି ଯାଆନ୍ତି । କିଛି ଦିନ ଭିତରେ ହିଁ ଶ୍ରୀଯୁକ୍ତ ଦାଶଙ୍କର ମୃତ୍ୟୁ ହୁଏ । କିନ୍ତୁ ଲେଖାଟି ପଢିବା ପରେ ମଞ୍ଚରୂପୀ ସହରର ଛବି ମନରେ ଲାଖିଯାଏ, ଯେଉଁଠାରେ ପ୍ରତିଦିନ ଲୋକେ ଯଶ ଓ ଖ୍ୟାତି ଅର୍ଜନ କରନ୍ତି, ତଥା ପ୍ରତିଦିନ ହିଁ ଲୋକଙ୍କର ପ୍ରତିଷ୍ଠା ଚୁରମାର ହେଉଥାଏ । ଅନ୍ୟ ଆତ୍ମଜୀବନୀଗୁଡିକରୁ ଉଦ୍ଧୃତାଂଶମାନଙ୍କରେ ମଧ୍ୟ ମୁଖାପିନ୍ଧା ଜୀବନର କଥା ଦେଖିବାକୁ ମିଳେ । ସ୍ୱାଧୀନତା ସଙ୍ଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ନିଜ ରାଜ୍ୟର ସରକାରୀ ଅଧିକାରୀଙ୍କ ଦ୍ୱାରା ଗିରଫ ହେବାରୁ ବର୍ତ୍ତିବା ପାଇଁ ଓଡିଶାରୁ ବଙ୍ଗଳା ଚାଲିଯାଆନ୍ତି ଓ କଲିକତାରେ ନିଜ ଉପସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଛାତ୍ରର ବେଶ ଧାରଣ କରନ୍ତି । ପବିତ୍ର ମୋହନ ପ୍ରଧାନଙ୍କ କ୍ଷେତ୍ରରେ ଆହୁରି ମୌଳିକ ରୂପାନ୍ତର ଘଟେ । ସମାନ କାରଣ ପାଇଁ ସେ ଏକ ଘରୋଇ ଚାକର ହୋଇ କଲିକତାରେ ରହନ୍ତି ଓ ଏହି ପ୍ରଦର୍ଶନରେ ଅନେକାଂଶରେ ସଫଳ ମଧ୍ୟ ହୁଅନ୍ତି ।

ଅନେକ ଓଡିଆଙ୍କ ପାଇଁ କଲିକତା ଏକ ଶୈକ୍ଷଣିକ ଭୂମି ସାଜିଥିବା ପରି ମନେ ହୁଏ । ଗୋବିନ୍ଦ ଦାସଙ୍କ ପାଇଁ ତ ଏହା ସ୍ପଷ୍ଟ । କଲିକତାର ପ୍ରେସିଡେନ୍ସି କଲେଜରେ ନାମ ଲେଖାଇଥିବା ଗୋବିନ୍ଦ ଦାସଙ୍କ ପାଇଁ ଏହା ସମ୍ଭ୍ରାନ୍ତ ବର୍ଗଙ୍କ ସାଂସ୍କୃତିକ ଓ ଶୈକ୍ଷଣିକ ଅଭ୍ୟାସବଳୀ ଶିଖିବାର ଏକ ସୁଯୋଗ ଥିଲା । ଅନ୍ୟ ଉଦ୍ଧୃତାଂଶଗୁଡିକରେ ଛାତ୍ରାବାସ ଓ ‘ମେସ୍’ ପରି ଅନୁଷ୍ଠାନଗୁଡିକ କେନ୍ଦ୍ରରେ ଥିବା ଦେଖିବାକୁ ମିଳେ । ପ୍ରଖ୍ୟାତ ସ୍ୱାଧୀନତା ସଙ୍ଗ୍ରାମୀ ତଥା ଶିକ୍ଷାବିତ ଗୋଦାବରୀଶ ମିଶ୍ର ଏ ବିଷୟ ଉପରେ କିଛି ଆଭାସ ଦିଅନ୍ତି । କଲିକତା ସହରର ଏକ ଶୂନଶାନ ଗଳିରେ (ପୃ. ୧୭) ଥିବା ଘର ନମ୍ବର ନଅରେ ଚାଲୁଥିବା ମେସ୍ ରେ ରହି ଅନେକ ଓଡିଆ ସାମୁହିକ ସୀବନ ଓ ଜାତୀୟ ଜୀବନ ଉପରେ ତାଲିମ ପାଇଥିଲେ । କିନ୍ତୁ ଏପରି ଶୈକ୍ଷିକ ଅନୁଷ୍ଠାନ ଓ ଆବାସିକ ସ୍ଥାନରେ ଜାଗା ପାଇବା ବି ସହଜ କଥା ନଥିଲା । ଚିକିତ୍ସା ବିଜ୍ଞାନର ଛାତ୍ର ତଥା ସାହିତ୍ୟିକ ବିକ୍ରମ ଦାସ ଉଭୟ କଲେଜ ଓ ଛାତ୍ରାବାସରେ ସ୍ଥାନ ପାଇବାର ଯନ୍ତ୍ରଣା କଥା ବର୍ଣ୍ଣନା କରିଛନ୍ତି । ଏହି କଥନିକାଗୁଡିକ ମୋଟାମୋଟି ଭାବେ ଆତ୍ମ-ନିର୍ମାଣର କଥା କୁହନ୍ତି । ଓଡିଆ କଳାକାର ଅସୀମ ବସୁ ‘ତରଙ୍ଗ’ ପତ୍ରିକାର ଚିତ୍ରକର ହେବାବେଳର ଅନୁଭବ ବଖାଣିଛନ୍ତି ଓ ଏହା କିପରି ତାଙ୍କ କଳାତ୍ମକ ବ୍ୟକ୍ତିତ୍ୱ ନିର୍ମାଣରେ ସହାୟକ ହେଲା, ତାହା ବର୍ଣ୍ଣନା କରିଛନ୍ତି । କଣ୍ଡୁରି ଚରଣ ଦାସ କିପରି ବାଳୁତ ଅବସ୍ଥାରେ କଲିକତା ଆସି ଧୀରେ ଧୀରେ ଜଣେ ସମ୍ପାଦକ ଓ ଜନପ୍ରିୟ ଉପନ୍ୟାସ ଲେଖକ ହେଲେ ତାହା ଦେଖାଇଛନ୍ତି ।
ସମୀକ୍ଷା ପରିସରରେ ଥିବା ବହିଟିର ଉପକ୍ରମଣିକା ଏକ ଅନୁଭବୀ ଲେଖା ଯେଉଁଥିରେ ସମ୍ପାଦକ ଡ. ନାୟକ ଓଡିଆଙ୍କର ଓ ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ କଲିକତାର ମହତ୍ତ୍ୱ ଆଲୋତନା କରିଛନ୍ତି । ସହରଟି ପ୍ରତି ଓଡିଆଙ୍କର ଅବଦାନ ମଧ୍ୟ ସେ ସୂଚାଇଛନ୍ତି, ଯଦିଓ ସେତେ ବିଶଦ ଭାବରେ ନୁହେଁ । ଶ୍ରୀ କେ.କେ. ମହାପାତ୍ର ଏହି ବହିଟିର ଏକ ଅନ୍ତରଙ୍ଗ ଅନ୍ତକଥନରେ ଏଥିରେ ନିଆଯାଉଥିବା କଥନିକାଗୁଡ଼ିକୁ ଦେଖିବା ପାଇଁ ଆମ ନିମନ୍ତେ ଏକ ଢାଞ୍ଚା ନିର୍ମାଣ କରନ୍ତି । 

ଲେଖକମାନଙ୍କ ପରିଚୟ ଖୁବ ସଂକ୍ଷିପ୍ତରେ ଦିଆଯାଇଛି । ଅନୁବାଦ କରାଯାଇଥିବା ଆତ୍ମଜୀବନୀ ଗୁଡିକର ଲେଖକମାନଙ୍କ ମଧ୍ୟରୁ ଅଧିକାଂଶ ଓଡିଶାର ସମାଜ ଓ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଯେଉଁ ପାଠକମାନେ ଓଡିଶାର ସାମାଜିକ ଓ ସାଂସ୍କୃତିକ ପରିବେଶ ସହ ପରିଚିତ ନୁହଁନ୍ତି, ତାଙ୍କ ପାଇଁ ବିସ୍ତୃତ ଲେଖକ ପରିଚୟ ଖୁବ ସହାୟକ ହୋଇଥାଆନ୍ତା । ଏହାକୁ ବାଦ ଦେଲେ ବହିଟି ଅତି ଶ୍ରଦ୍ଧାର, ସହ ଖୁବ ସୁନ୍ଦର ଭାବେ ସମ୍ପାଦିତ ହୋଇ ପ୍ରସ୍ତୁତ କରାଯାଇଛି । ଏହା ବହୁ ଲୋକଙ୍କ ଦ୍ୱାରା ପଠନ ଓ ଆଲୋଚନା ଯୋଗ୍ୟ ।

ସମୀକ୍ଷାର ପରିସରରେ ଥିବା ବହିଟି ପରି ବହିଗୁଡିକରୁ ଜଣାପଡେ କେଉଁଭଳି ପରିବେଶ ଗୁଡିକରୁ ଆଧୁନିକ ଓଡିଆ ଭାଷା ବିଗତ କେତୋଟି ଶତାବ୍ଦୀରେ ନିଜର ସ୍ଥାପତ୍ୟ ଅର୍ଜନ କରିଛି । କିନ୍ତୁ ବିଂଶ ଶତାବ୍ଦୀରେ ବାଙ୍ଗାଲୋର ବା ସୁରତ, ମାଡ୍ରାସ, ବମ୍ବେ ଇତ୍ୟାଦି ନଗରରେ ରହୁଥିବା ଓଡିଆ ଭାଷୀଙ୍କ ଜୀବନ ଓ ଭାଷା କେଉଁ ରୂପରେ ପ୍ରସ୍ଫୁଟିତ ହୋଇଛି, ତାହାର ବିବରଣୀ ଓଡିଆ ଭାଷାରେ ଏଯାବତ ଲେଖାଯାଇ ନାହିଁ । ଏବେ ଆମକୁ ଆମର ଭାଷାଗତ କଳ୍ପନାକୁ ଭୌଗଳିକ ପରିକଳ୍ପନାରୁ ପୃଥକ କରିବାକୁ ହେବ, ଓ ଭାରତୀୟ ରାଜ୍ୟ ଓଡିଶାର ବାହାରେ, ପୃଥିବୀ ଯାକ ଓଡିଆ ଭାଷା ଓ ଓଡିଆ ଭାଷୀଙ୍କ ଜୀବନ ଯେଉଁ ସବୁ ଅବତାର ଗ୍ରହଣ କରିଛି ସେସବୁକୁ ଆଲୋଚନାଭୁକ୍ତ କରିବାକୁ ହେବ । ସମୀକ୍ଷା ପରିସରରେ ଥିବା ବହିଟି ଏପରି ଏକ ସମ୍ଭାବିତ ପ୍ରକଳ୍ପର ପ୍ରଥମ ମାଇଲଖୁଣ୍ଟ । ଯଦି ଏହି ବହି ଓଡିଆ (ଆତ୍ମ)ଜୀବନୀ ସାହିତ୍ୟ ଉପରେ ଆମକୁ ପୁନଃକେନ୍ଦ୍ରିତ କରିବାରେ ସହାୟକ ହୁଏ ତେବେ ପୁସ୍ତକ ପ୍ରକାଶନ ଜନିତ ଶ୍ରମର ଉଚିତ ପ୍ରତିଦାନ ମିଳିବ ।

ବି.ଦ୍ର. - ଏହି ସମୀକ୍ଷାଟି ପ୍ରଥମେ ୨୦୧୪ ମସିହାରେ 'ମାର୍ଗ ଏସିଆ' ଇଂରାଜୀ ପତ୍ରିକାର ଦ୍ୱିତୀୟ ଖଣ୍ଡର ପ୍ରଥମ ସଂଖ୍ୟାରେ ପ୍ରକାଶ ପାଇଥିଲା । 

Saturday, April 01, 2017

 ଓକ୍ଟାଭିଓ ପାଜ୍‌ଙ୍କ କବିତା "ମୋ ଦେଖିବା ଆଉ କହିବା ଭିତରେ"


ଅନୁବାଦକ - ଗୋର୍ବାଚୋଭ୍


ଅକ୍ଟାଭିଓ ପାଜ୍ (୧୯୧୪-୧୯୯୮)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମୋ’ ଦେଖିବା ଆଉ କହିବା,
କହିବା ଆଉ ନୀରବତା,
ନୀରବତା ଆଉ ସ୍ୱପ୍ନ, ପୁଣି,
ସ୍ୱପ୍ନ ଆଉ ବିସ୍ମୃତି ଭିତରେ,

ରହିଯାଏ କବିତା ।


ହଁ ଆଉ ନାହିଁ ଭିତରେ ଏହା ଖସିଯାଏ,
କହି ନଥିବା କଥାଟିକୁ କହିଦିଏ;
ଆଉ ଯା’ କହେ ତାକୁ ଅକୁହା ରଖିଦିଏ ।
ତାକୁ ହିଁ ସ୍ୱପ୍ନ ଦେଖେ ଯା’ ମୁଁ ଭୁଲିଯାଏ ।

ଏହା କଥା ନୁହେଁ, ଭାଷା ନୁହେଁ;
ଏହା ଏକ କର୍ମ, ଏକ ଯଜ୍ଞ;
ଏହା କଥାର କର୍ମ ଯଜ୍ଞ ।

କବିତା କହେ ଆଉ ଶୁଣେ,
ଏହା ସତ୍ୟ ଓ ବାସ୍ତବ; 
କିନ୍ତୁ ଯେଉଁ ମୁହୂର୍ତ୍ତରେ ମୁଁ କହେ
ଏହା ସତ୍ୟ ଓ ବାସ୍ତବ, ଠିକ୍ ସେତିକି ବେଳେ
ସେ ଅଦୃଶ୍ୟ ହୁଏ ।

ଏହା ତେବେ କ’ଣ ଅଧିକ ବାସ୍ତବ ?
ସତ୍ୟ ଠାରୁ ଆହୁରି ସତ୍ୟ,
ସତ୍ୟତର ।

ସ୍ପର୍ଶଜ ଧାରଣା ଓ ରକ୍ତଜ ଶବ୍ଦ ଶବ୍ଦ -
ଏହାରି ଭିତରେ କବିତା ଆସେ ଆଉ ଯାଏ;
ବୁଣୁଥାଏ ଖୋଲୁଥାଏ, ଖୋଲୁଥାଏ ବୁଣୁଥାଏ,
ଚିନ୍ତା ଆଉ ଚେତନା ।

ପୃଷ୍ଠା ଉପରେ କବିତା ଆଖିକୁ ବିଞ୍ଚିଦିଏ;
ଆମ ଆଖିରେ ବୁଣିଦିଏ ଶବ୍ଦ ।
ଆଖି କହେ, ଶବ୍ଦ ଦେଖେ;
ଆଉ ଦୃଷ୍ଟି ?
ଭାବେ ।

ଚିନ୍ତାକୁ ଶୁଣିବା ପାଇଁ, 
ଦେଖିବା ପାଇଁ ଆମ କଥା,
ଆଉ ଛୁଇଁବା ପାଇଁ, 
ଆଖି ବୁଜି ହୋଇଯାଏ
ଧୀରେ ଧୀରେ ମେଲିଯାଏ ଶବ୍ଦ !

ମୋର ନିଜର ଦିନ


ଜ୍ୟୋତି ନନ୍ଦ



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ (ସୁଭାସିସ ପାଣିଗ୍ରାହୀଙ୍କ ଆଲୋକଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଗ୍ରୀକ୍ ମାନଙ୍କର ବିଶ୍ୱାସ ଅନୁସାରେ ଏପ୍ରିଲର ସୃଷ୍ଟି ଲାଟିନ୍ ଶବ୍ଦ "ଏପେରିରେ" ରୁ ଯାହାର ଅର୍ଥ ହେଉଛି ବସନ୍ତର ପ୍ରବେଶ । ବସନ୍ତ ପ୍ରବେଶର ଏଇ ଆନନ୍ଦମୟ ମୁହୂର୍ତ୍ତରେ କଳାବିଦ୍ୟାର ଚରମ ଉତ୍କର୍ଷର ରାଜ୍ୟ ଉତ୍କଳର ଅଧିବାସୀ, ସାହସ ଶୌର୍ଯ୍ୟର ପ୍ରତିରୂପ କଳିଙ୍ଗବାସୀ ତଥା ସମସ୍ତ ପ୍ରକାର ଧର୍ମ ଜାତି ଏବଂ ବୈଷମ୍ୟ ତଥା ସମସ୍ତ ପ୍ରକାରର ବିଭେଦର ଉର୍ଦ୍ଧ୍ୱରେ ସହାବସ୍ଥାନ କରୁଥିବା ଏକ ଉଜ୍ଜ୍ୱଳ ଏକକ ଓଡିଶାର ଅଧିବାସୀ ହିସାବରେ ମୋର ଗର୍ବ ଆଉ ଆନନ୍ଦ ମୋ ଭଳି ଅନ୍ୟ ସମସ୍ତଙ୍କର ସହିତ ଭାଗ କରି ନେଉଛି ।

(ଏପ୍ରିଲ୍ ଏକ ନିଷ୍ଠୁରତମ ମାସ ବୋଲି କବିବାଣୀ ବିଶ୍ୱପ୍ରସିଦ୍ଧ ହୋଇଥିବା ବେଳେ ଆମ କବି ଗୁରୁପ୍ରସାଦ ଏହି ସମାନ ଏପ୍ରିଲ୍ ରେ ମେଘର ସମ୍ଭାବନା ଆଉ "ଏ ବର୍ଷାରେ ଆଶା ଅଛି ଆଶ୍ୱାସନା ଅଛି" ବୋଲି ସୁନ୍ଦର ଧାଡିଟିଏ ଉପହାର ଦେଇଛନ୍ତି। ଆଶା ଆଉ ଆଶ୍ୱାସନାକୁ ନେଇ ଆମେ ଆମର ଛୋଟ ଛୋଟ ପାଦରେ ଆଗେଇ ଚାଲିଛୁ ଏକ ବୃହତ ପଦପାତର ସ୍ୱପ୍ନ ସହ)
ଆଜି ଦିନଟି ମୋର । ମୋ ରାଜ୍ୟର । ମୋ ପାଇଁ ଆଜି ସବୁ ସଙ୍ଗୀତ ସବୁଜ ସଙ୍ଗୀତ ।
(ଗଲା କାଲି ତରୁଣ ପ୍ରତିଭାବାନ କବି କଥାକାର ନିଖିଳେଶ ଜନ୍ ବିମ୍ସ୍ ଙ୍କ ସମ୍ପର୍କରେ କିଛି କଥା ପଚାରୁଥିଲେ । ଆଦୌ କିଛି କହିପାରିଲି ନାହିଁ । ଇତିହାସର ଛାତ୍ର ହିସାବରେ ମୁଁ ସେମିତି ଅଧ୍ୟବସାୟୀ ବା ଉଜ୍ଜଳ ନୁହଁ । ପରିଶ୍ରମକାତର ଏଇ ଚରିତ୍ରଟି ଦରକାର ପଡିଲେ ନିହାତି ସୁବିଧାବାଦୀ ହିସାବରେ କୈଳାଶ, ଅମିୟ ଭଳି କିଛି ବନ୍ଧୁ ତଥା ମଣିଷ-ଅଭିଧାନଙ୍କ ସାହାଯ୍ୟ ଲୋଡିଥାଏ ।
ନିଖିଳେଶଙ୍କ ସହ କଥା ହେଲାବେଳେ ଓଡିଆ ସଂସ୍କୃତି ସମ୍ପର୍କରେ ଗୋଟିଏ କଥା ମୋ ମନକୁ ଆସିଥିଲା ଯାହା ମୁଁ ତାଙ୍କୁ କହିଥିଲି । ଆପଣମାନଙ୍କୁ ସେଇ କଥାଟି ଆଜି କହିବାକୁ ଇଛା ହେଉଛି ।
ସେଇ ଭଳି କଥାଟିଏ ଭାବି ନିଜେ କହିଲାଭଳି ଭାଜନ ମୁଁ ନୁହଁ । କଥାଟି ହେଉଛି ବାଗ୍ମୀପ୍ରବର ହୃଦାନନ୍ଦ ରାୟଙ୍କର । ହୃଦାନନ୍ଦ ରାୟ ଆମର ସାର୍ । ଏବେ ମୋ ଆଖି ଆଗରେ ଦେଖାଯାଉଛି ରେଭେନ୍ସାର କରିଡର୍, ଆଉ କିଛି ହଠାତ୍ ସମବେତ ଛାତ୍ର । ସମସ୍ତଙ୍କ ଆଖିଟିମାନ ଉତ୍ସାହରେ ଟଳଟଳ । ସେମାନଙ୍କର ମଝିରେ ଉପସ୍ଥିତ ଅଛନ୍ତି ପ୍ରଫେସର୍ ହୃଦାନନ୍ଦ ରାୟ । ସେ ସମୟରେ ଶିକ୍ଷା କେବଳ ଶ୍ରେଣୀଗୃହ ଭିତରେ ସୀମୀତ ନଥିଲା ।
ଆଜି କୌଣସି ବିଦ୍ୱେଷର କଥା କହିବି ନାହିଁ । କିନ୍ତୁ ଜଣେ "ରେଭେନ୍ସାଭିଆନ୍" ହିସାବରେ ଯେଉଁ ଗୌରବଟିକକ ମୁଁ ମୋ ଭିତରେ ଏଯାବତ୍ ସଯତ୍ନରେ ଲାଳନ କରି ଆସିଛି, ସେହି ଐତିହାସିକତାକୁ ଭିନ୍ନ ନାମକରଣ କରି ଛିଣ୍ଡାଇ ନେବାକୁ ପ୍ରୟାସରତ କୌଣସି ପଣ୍ଡିତଙ୍କୁ ମୋ ସାମର୍ଥ୍ୟ ଅନୁସାରେ ପ୍ରତିରୋଧ କରିବି ।
ହୃଦାନନ୍ଦ ସାର୍ ଏକଦା ଓଡିଆ ସଂସ୍କୃତିର ସ୍ୱରୂପକୁ ବୁଝାଇବାବୁ ଯାଇ କହିଥିଲେ, ଓଡିଆ ସଂସ୍କୃତି ହେଉଛି ନିଜେ ଭଲ ଖାଇବ, ଅନ୍ୟକୁ ଖୁଆଇବ; ଅନ୍ୟ କିଏ କେଉଁଠି ଖାଇବାର ଦେଖିଲେ ଆହ୍ଲାଦିତ ହେବ ।
ଏଇଥିରୁ ଯେଉଁ ଚରିତ୍ରଟିର ନିଷ୍କର୍ଷ ବାହାରିବ, ତାହା ଶୁଦ୍ଧ ସୁବର୍ଣ୍ଣ । ଏଇ ଶୁଦ୍ଧ ସୁବର୍ଣ୍ଣଟି ମୁଁ, ମୁଁ ଓଡିଆ।)
ମୋ ମୁଣ୍ଡରେ ଓଡିଆର ସ୍ୱରୂପଟିଏ ଆଗ ବସା ବାନ୍ଧିଲେ ସିନା ମୁଁ ଚାରିଆଡେ ଓଡିଶା କୁ ଦେଖି ପାରିବି । ସେଇଥିପାଇଁ ଯୋଗକୁ ଆଜିଭଳି ଦିନରେ ବହୁ ଆଗରୁ ଜନ୍ମିଥିଲେ ଜଣେ ମହାନ ଦାର୍ଶନିକ । ସେ କହିଥିଲେ, 'ମୁଁ ଭାବିଲି ବୋଲି ଦେଖିଲି ମୁଁ । ଆଇ ଥିଙ୍କ୍ ଦେଆରଫୋର୍ ଆଇ ଆମ୍ ।' ସେ ରେନେ ଡେକାର୍ତ୍ତେ। ତାଙ୍କର ଜନ୍ମଦିନ ସହିତ ଆମ ନିଜ ଦିନଟିର ସଞ୍ଜୋଗର ପ୍ରତୀକାତ୍ମକତାକୁ ନିଜ ବାଟରେ ବୁଝିବାକୁ ଆମେ ଚେଷ୍ଟାକରିବା ଉଚିତ ।
ବନ୍ଦେ ଉତ୍କଳ ଜନନୀ ।
(ଆଜିର ଏହି ଶେଷ ବନ୍ଧନୀଟି କୌଣସି ସୁଖର କଥା ନୁହଁ । ଏପ୍ରିଲ୍ ମାସଟିର ନାମକରଣ ହୋଇଛି ଜଣେ ଦେବୀଙ୍କର ନାଁ ଅନୁସାରେ । ସେ ଦେବୀ ହେଉଛନ୍ତି ଏପ୍ରିଲିସ୍ - ରୋମୀୟମାନଙ୍କର ଦୁର୍ଭାଗ୍ୟର ଦେବୀ । ତାଙ୍କର ଉପରେ ଚର୍ଚ୍ଚା ପରେ)

ବନ୍ଦେ ଉତ୍କଳ ଜନନୀ


କବି - ଲକ୍ଷ୍ମୀକାନ୍ତ ମହାପାତ୍ର


ଗାୟକ - ଗୋକୁଳ ମହାନ୍ତି 


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=zSa9v0nrU_o


କଟକର ଚହଟା ଘାଟରେ ମହାନଦୀର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍