Monday, February 20, 2017

ପର୍ବତରେ  ଧର୍ମୋପଦେଶ - ୬

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ପୃଥିବୀର ପ୍ରଥମ ଛପା ବାଇବେଲ, ଗୁଟେନବର୍ଗ ବାଇବେଲ (୧୪୫୫ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

"ତୁମ୍ଭର ପ୍ରତିବାସୀକି ପ୍ରେମ କରିବ, ଓ ଶତୃକୁ ଘୃଣା କରିବ," ଏହି ପୂର୍ବ ଉକ୍ତି ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, ତୁମ୍ଭ ଶତୃକୁ ପ୍ରେମ କର; ପୁଣି ଯେଉଁମାନେ ତୁମ୍ଭକୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର । ତହିଁରେ ଯେ ଦୁଷ୍ଟ ଓ ସାଧୁ ଲୋକଙ୍କ ଉପରେ ଆପଣାର ସୂର୍ଯ୍ୟ ଉଦୟ କରାନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ଜଳ ବର୍ଷାନ୍ତି, ଏମନ୍ତ ଯେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ୍ଭେମାନେ ତାହାଙ୍କର ସନ୍ତାନ ହେବ । ଯେହେତୁ ଯେଉଁମାନେ ତୁମ୍ଭଙ୍କୁ ପ୍ରେମ କରନ୍ତି, କେବଳ ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ଫଳ ହେବ ? କରଗ୍ରାହୀମାନେ କଣ ଏପରି କରନ୍ତି ନାହିଁ ? ଆଉ ତୁମ୍ଭେମାନେ ଯେବେ କେବଳ ଆପଣା ଭାଇମାନଙ୍କୁ ନମସ୍କାର କର, ତେବେ କି ଅଧିକ କର୍ମ କର ? ପରଜାତୀୟମାନେହିଁ କି ସେରୁପ କରନ୍ତି ନାହିଁ ? ଅତଏବ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ ଅଟନ୍ତି, ତୁମ୍ଭେମାନେ ସେପରି ସିଦ୍ଧ ହୁଅ ।

ସାବଧାନ, ମନୁଷ୍ୟମାନଙ୍କୁ ଦେଖାଇବା ପାଇଁ ସେମାନଙ୍କ ଗୋଚରରେ ଧର୍ମକର୍ମ କର ନାହିଁ, ତାହା କଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କଠାରୁ କୌଣସି ଫଳ ପାଇବ ନାହିଁ । ଏଣୁ ଯେତେବେଳେ ଦାନ କର, ସେତେବେଳେ କପଟୀ ଲୋକେ ଯେମନ୍ତ ମନୁଷ୍ୟଠାରୁ ପ୍ରଶଂସା ପାଇବା ପାଇଁ ଭଜନାଳୟରେ ଓ ରାଜଦାଣ୍ଡରେ ତୂରୀ ବଜାନ୍ତି, ସେପରି କର ନାହିଁ; ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ସେମାନେ ଆପଣା ଫଳ ପାଇଥାନ୍ତି । ପୁଣି ତୁମ୍ଭେ ଯେତେବେଳେ ଦାନ କର, ସେତେବେଳେ ତୁମ୍ଭର ଦକ୍ଷିଣ ହସ୍ତ କଣ କରୁଅଛି, ତାହା ବାମ ହସ୍ତକୁ ଜଣାଅ ନାହିଁ । ଏହି ରୂପେ ତୁମ୍ଭର ଦାନ ଗୋପନରେ ହେବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।      


ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

Sunday, February 19, 2017

ଜାତୀୟ ମୁକ୍ତି ସଙ୍ଗ୍ରାମର କବିତା - 'କହ କେଉଁ ଜାତି ପାଇଛି ମୁକତି'


କବିତା ଓ କଣ୍ଠ ବାଞ୍ଛାନିଧି ମହାନ୍ତି (୧୮୯୭-୧୯୩୮)


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=Cf5xRYSY-JI


ବାଞ୍ଛାନିଧି ମହାନ୍ତି
ଫଟୋ କ୍ରେଡ଼ିଟ - ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁଡଟୟୁଟ୍ୟୁବଡଟକମ




Saturday, February 18, 2017

ଓଡ଼ିଆ ଯୁଦ୍ଧବିରୋଧୀ କବିତା - 'ମୁଁ ଯେ ବିଦ୍ରୋହୀ'


ଜାତୀୟ କବି ବିରକିଶୋର ଦାସ (୧୮୯୨ - ୧୯୫୪) 


ମାୟା ଭିତ୍ତିଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମୁଁ ଯେ ବିଦ୍ରୋହୀ ଚିର ବିଦ୍ରୋହୀ
ଚିର ରଣଜୟୀ ରଣବିଦ୍ରୋହୀ
ରଣ ମାନବ ରଣ ଦାନବ 
ରଣ ରକ୍ତ ମୁଖରୁ ମୁକ୍ତ କରିବି ମୋର ମହୀ ।୧।

ତୋପ ବନ୍ଧୁକ ଯେତେ ହରିବି
ବିଷ-କନ୍ଦୁକ ଯେତେ ଚୂରିବି,
ରଣ ଅସ୍ତ୍ର ଯେତେ ମୁଁ ଭାଙ୍ଗିଭୁଙ୍ଗି ଦେଇ
ଗଢ଼ିବି ଲଙ୍ଗଳ, ମଇ ।୨।

ଶ୍ରମ ସିଞ୍ଚିତ ଧନ କିଞ୍ଚିତ 
କେବେ କରାଇ ନ ଦେବି ବଞ୍ଚିତ
ଏ ଲୁଣ୍ଠନ ଚିନ୍ତା ଦରବାର ଲାଗି
ଗୁଣ୍ଠେ ନ ଦେବି କାହିଁ ।୩।

ନର ହତ୍ୟାରେ ନର ଗୌରବ 
ନର ବନ୍ଧନେ ନର ବୈଭବ
ଗୌରବ ପ୍ରଥା ରଖିବି ନାହିଁ ମୁଁ
ଦେଇ ବୀରତ୍ୱର ଦ୍ୱାହି ।୪।

ଯୁଗ ଅତ୍ୟାଚାର ମୁଁ ଦଳିବି
ସତ ଶାନ୍ତି ପତାକା ମୁୂଁ ତୋଳିବି,
ମୃତ୍ୟୁ ଆସନ ଟଳମଳ ହେବ 
ହେବି ମୁଁ ଜଗତଜୟୀ ।୫।

Friday, February 17, 2017

 ଓଡ଼ିଆ ସିନେମା ଗୀତ - 'ପରଦେଶୀ ବନ୍ଧୁ ତୁମେ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=WU7G8QSoxwc


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍





Thursday, February 16, 2017

ଓଡ଼ିଆ ସିନେମା ଗୀତ - 'ଉଦାସୀ ଆଖି ଚାହିଁ ରହେ' 


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=AsVclyWThxs



ଗୀତ - ନାରାୟଣ ପ୍ରସାଦ ସିଂହ
କଣ୍ଠ - ଆରତି ମୁଖର୍ଜୀ

ଉଦାସୀ ଆଖି ଚାହିଁ ରହେ
ପିଆସୀ ମନ ଝରିଯାଏ
ଯାଏରେ
ଉଦାସୀ ଆଖି ଚାହିଁ ରହେ
ପିଆସୀ ମନ ଝରିଯାଏ


Wednesday, February 15, 2017

ମହିମା ଭକ୍ତି କବିତା - 'ସ୍ୱାମୀ ବୁଝିବେ ହେ'


କବି - ଭୀମ ଭୋଇ


ମିଶର ଦେଶର ହାଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସ୍ୱାମୀ ବୁଝିବେ ହେ ଆତଙ୍ଗେ ଡାକିଲେ ।
ଉଦେ ଅସ୍ତ ଦରଶନ ଧର୍ମକୁ ପାଳିଲେ । ଘୋଷା ।

ଅମୂଲ୍ୟ ରତନ ବାନ୍ଧିଥା ଯତନ
ହସ୍ତରୁ ଖସିବ ଧର ଧର ଏତେବେଳେ ।୧।

ଫିଟିଛି କବାଟ କରିଆସ ହାଟ,
ବଜାର ବସିଛି କିଣ ଯାହା ଇଚ୍ଛା ଥିଲେ ।୨।

ବାଛି ବାଛି ନିଅ ଭଣ୍ଡାରରେ ଥୁଅ 
ହେଳା କଲେ ଭେଳା ବୁଡ଼ି ଭାସିଯିବ ଜଳେ ।୩।

ଧରିଥା ସମ୍ଭାଳି ନିତ୍ୟେ ପ୍ରତିପାଳି,
ତିମିର ଫିଟିବ ପ୍ରଭୁ ପ୍ରସନ୍ନ ହୋଇଲେ ।୪।

ପଡ଼ୁଅଛି କୂଟ ହୋଇ ନାନା ବାଟ
ରଙ୍ଗ ପସରାରେ ବୁଡ଼ି ମରନାହିଁ ଭୋଳେ ।୫।

ଚାହିଁ ଦୟା ଥିବ ସ୍ୱାମୀ ଗୁରୁଦେବ
ଭୀମ ଭୋଇ ଅଛି ସୁର ଅସୁରଙ୍କ ମେଳେ ।୬।

Tuesday, February 14, 2017

ଏକଦା ଏକ ଦିନ - ଚଉଦ ଫେବୃଆରୀ


ଇତିହାସ , ସନ୍ଥ ଭାଲେଣ୍ଟାଇନ ଓ ଏକ ପ୍ରେମର ପର୍ବ 


ଜ୍ୟୋତି ନନ୍ଦ


ଶିଷ୍ୟମାନଙ୍କ ସହ ସନ୍ଥ ଭ୍ୟାଲେଣ୍ଟାଇନ


ବିତର୍କିତ ପ୍ରସଙ୍ଗଟିର ପରିପ୍ରେକ୍ଷ୍ୟ ଭିନ୍ନ । କିନ୍ତୁ ଏମିତିରେ ଦେଖିଲେ ଫେବୃଆରୀ ୧୪ ତାରିଖର ଭାଲେଣ୍ଟାଇନ ଦିବସର ପାଳନକୁ ବର୍ତ୍ତମାନ ସମୟର ସବୁଠାରୁ ବିତର୍କିତ ପର୍ବ ହିସାବରେ ନିଆଯାଇପାରେ । ଏହି ଦିବସଟି କ୍ରମଶଃ ଏକ ପ୍ରକାର ତାରୁଣ୍ୟର ଆବେଗ ଆଉ ଉତ୍ସାହର ପ୍ରତୀକ ହୋଇ ଉଠିଛି ।

ଇତିହାସ ଦୃଷ୍ଟିରେ ତାରୁଣ୍ୟକୁ, ବିଶେଷ କରି ପ୍ରେମକୁ, ଦେହ ହେଉ କି ବିଦେହ ଉଭୟ କ୍ଷେତ୍ରରେ, ସବୁ ସମୟରେ ବିରୋଧ କରାଯାଇଛି । ସାଧାରଣତଃ ପିତୃସୁଖରୁ ବଞ୍ଚିତ ଅବହେଳିତ କିଶୋରଟି ନିଜ ପ୍ରଚେଷ୍ଟାରେ ସକ୍ଷମ ହୋଇ ପିତୃ-ପରିଚୟ-ଅର୍ଜନର ସନ୍ଧାନରେ ବାହାରି ସ୍ୱବିକ୍ରମରେ ନାୟକ ହୁଏ । ନାୟକ ହେଲାପରେ ପିତାର ଗୌରବକୁ ପୁନର୍ସଂସ୍ଥାନ କରି ଆତ୍ମବଳୀ ଦେଇ ଲୋକକଥାରେ ଅମର ହୋଇ ରହେ । ଧର୍ମପଦ ଭଳି ତରୁଣ ମାନଙ୍କର ଏହି ପରି ବୟସ୍କମାନଙ୍କ ପାଇଁ ବଳିଦାନର କାହାଣୀ ପୃଥିବୀର ପ୍ରାୟ ସବୁ ପୁରାଣରେ ଦେଖିବାକୁ ମିଳିବ । ଏହା ବୟସ୍କମାନଙ୍କର ସିଦ୍ଧାନ୍ତକୁ ତରୁଣମାନଙ୍କ ମାର୍ଫତରେ ବୈଧ କରିବାର ଏକ ସୁଚତୁର କୌଶଳ । ଆମ ପୁରାଣରେ ପୁଅ ପୁରୁ ବାପ ଯଯାତିର ବାର୍ଦ୍ଧକ୍ୟକୁ ଗୌରବର ସହ ବହନ କରି ବାପକୁ ନିଜ ଯୌବନ ସମ୍ପ୍ରଦାନ କରବା ସହ ଯାବତୀୟ ଶାରିରୀକ ଆନନ୍ଦର ସୁଯୋଗ ପ୍ରସ୍ତୁତ କରି ପୁତ୍ରପଣର ଉଜ୍ଜଳ ପ୍ରତୀକ ହୋଇ ରହିଅଛି । ଶାରିରୀକ ଭାବରେ ବୟସ୍କର ଜୟଯାତ୍ରା କହିବାକୁ ଗଲେ ସବୁଠାରେ ଆଉ ସେଇଠି ତରୁଣର ସ୍ଥାନ ତ୍ୟାଗରେ । ତେଣୁ ତରୁଣ ମାନଙ୍କର ପର୍ବଟିଏ ଉପସ୍ଥିତ ହେଲେ ଅ-ତରୁଣ ମାନଙ୍କର ମାନସିକ କ୍ଷୋଭ ଆଉ ଅସହାୟତାର ସୈଦ୍ଧାନ୍ତିକ ମାନସିକତାକୁ ବୁଝିବା ସେତେ କଷ୍ଟକର ନୁହଁ ।

ଅନ୍ୟପକ୍ଷରେ ସବୁ ସମୟରେ ବିଚାର କରାଯାଇଛି ଯେମିତି ପ୍ରେମଟି ଅଶାସ୍ତ୍ରୀୟ । କେବଳ ଦେବତାମାନଙ୍କର ଶାରୀରିକ ସମ୍ପୃକ୍ତିର ପୌରାଣିକ ଉତ୍ସବ ଯାହା, ମାନବମାନଙ୍କ ପାଇଁ କେବଳ ପଠନଯୋଗ୍ୟ ସାମଗ୍ରୀ ମାତ୍ର । ଆମେ ରାଧାକୃଷ୍ଣଙ୍କ ଲୀଳାରେ ବିଭୋର ହେଉ । କିନ୍ତୁ ସେଇ ଭଳି, ଅର୍ଥାତ, ରାଧାକୃଷ୍ଣଙ୍କ ଭଳି ଜୀବନଟିଏ ଜିଇଁବା ପାଇଁ ଯଦି କେହି ଚାହେଁ,  ତେବେ ଆମର ସମାଜ ତଥା ଶାସ୍ତ୍ରଜ୍ଞମାନେ କେଉଁ ପ୍ରକାରର ପଦକ୍ଷେପ ନେବେ, ତାହା ଆପଣମାନେ ବେଶ୍ ଭଲଭାବରେ ଜାଣନ୍ତି । କହିବାର କଥା ହେଉଛି ପୁରାଣରେ ଦେବତା ମାନଙ୍କର ଯେଉଁ ଜୀବନଧାରାକୁ ଆମେ ଶ୍ରଦ୍ଧାର ସହ ଅଧ୍ୟାୟେ ଅଧ୍ୟାୟେ ପାଠ କରୁ, ତାହା ସହିତ  ଆମର ବ୍ୟକ୍ତିଗତ ଜୀବନଧାରାର ପାର୍ଥକ୍ୟ ବହୁଳ ଭାବରେ ରହିଛି । ସେଇ ପାର୍ଥକ୍ୟଟି ମୂଖ୍ୟତଃ ପ୍ରେମର ଅବଧାରଣାକୁ କୁ ନେଇ । 

ଦେବତା-ଜୀବନରେ ରମଣୀ ଆଉ ମାନବ-ଜୀବନରେ ରମଣୀ ମଧ୍ୟରେ ପାର୍ଥକ୍ୟ ବେଶ୍ ସୁସ୍ଫଷ୍ଟ । ଦେବତାମାନଙ୍କର ପ୍ରେମରେ କୌଣସି ପ୍ରତିବନ୍ଧକ ନଥାଏ । ନିୟତି କୌଣସି ଜନ ଅଗୋଚର ସ୍ଥାନକୁ ବାଘ ବେଶରେ ଆସି ଅପେକ୍ଷାରତା କିଶୋରୀ ଗୌରୀର ଉତ୍ସ୍ୱାସର ରକ୍ତପାନ କଲାପରି କାହାଣୀ ଦେବତାମାନଙ୍କର ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ଦେବତାମାନେ ପ୍ରେମିକ ଏବଂ ପୁରାଣ ସାରା ସେମାନଙ୍କର ପ୍ରେମର ଆଉ ବୀରତ୍ୱର ଜୟଗାନ । ମଣିଷ ମାନଙ୍କ ପାଇଁ ପ୍ରେମ ନିଷିଦ୍ଧ ଫଳ । କାମର ଦେବତାକୁ ନିଜେ ଦେବତାମାନେ ଜାଳିବା ଭଳି ଘଟଣା ଘଟାଇ ସେଇ ବିଶେଷ ଦେବତାକୁ ନିଜେ ଦେବତା ମାନେ ହିଁ ଗୌଣ କରିଦେଇଛନ୍ତି । 

ଆମ କାବ୍ୟପରମ୍ପରାରେ ଶୃଙ୍ଗାରର ଭୂରିଭୂରି ପ୍ରୟୋଗ ଥିଲାବେଳେ, ଶୃଙ୍ଗାର ନ ଲେଖିଲେ କବି ନୁହେଁ ବୋଲି କହୁଥିବା ବେଳେ, ଯେଉଁ ଶୃଙ୍ଗାରଟିକୁ ସଚରାଚର ଦେଖାଯାଏ, ତାହା ଦେବତା-ଆଶ୍ରିତ ଓ ନାୟକ ବା ରାଜା ମହାରାଜାଙ୍କ ଶୟନକକ୍ଷର ପରିବର୍ଦ୍ଧିତ ସଂସ୍କରଣ ମାତ୍ର । ସମାଜସ୍ୱୀକୃତ ଶାରିରୀକ ସମ୍ପର୍କକୁ ନେଇ ଅନେକ ଚିତ୍ରକାବ୍ୟ-ବନ୍ଧୋଦୟ ରଚିତ ହୋଇଛି । ମାତ୍ର ସାଧାରଣ ମଣିଷର ପ୍ରେମ ସେଠାରେ ଅନୁପସ୍ଥିତ । ଏହି ପ୍ରକାର ପ୍ରେମକୁ ସ୍ଥିତାବସ୍ଥାର ବିଦ୍ରୋହ ଭଳି ବିବେଚନା କରାଯାଇଛି । ତେଣୁ ପ୍ରେମର ପର୍ବ ପାଳନର ବିରୋଧ କୌଣସି ପରିବର୍ତ୍ତନର ବିରୋଧ ବୋଲି ଦେଖାଯାଇପାରେ ।

ବୌଦ୍ଧଯୁଗରୁ ଭାରତର ଇତିହାସରେ ଗୋଟିଏ ଧାରଣାକୁ ସାଂସ୍କୃତିକତାର ପୁଟ ଦେଇ ମହିମାମଣ୍ଡନ କରି ପ୍ରଚଳନ କରାଗଲା । ସେଇ ଧାରଣାଟି ହେଉଛି ବ୍ରହ୍ମଚର୍ଯ୍ୟ ଦ୍ୱାରା ଶରୀର ଉପରେ ଆଧିପତ୍ୟ ବା ବିଜୟ । ଶାରୀରିକ ଶୁଚିତାର ସର୍ବଶ୍ରେଷ୍ଠ ରୂପ ବ୍ରହ୍ମଚର୍ଯ୍ୟ ବୋଲି ଗାନ୍ଧି ଯୁଗରେ ଆଉ ଖ୍ରୀଷ୍ଟୀୟ କାଥୋଲିକ ମାନଙ୍କର ଧାର୍ମିକ ଅନୁବନ୍ଧିତ ଇଂରେଜ ଶାସନରେ ବହୁଳ ଭାବରେ କୁହାଗଲା । ଫଳସ୍ୱରୂପ ଭାରତୀୟ ମାନସିକତାରେ ବ୍ରହ୍ମଚର୍ଯ୍ୟର ଗୁରୁତ୍ୱ ପରିପ୍ରେକ୍ଷୀରେ କୌଣସି ପ୍ରେମର ପର୍ବ ପାଳନ ଗ୍ରହଣୀୟ ହେବା ଏତେ ସହଜ ନୁହଁ ।

ଭାଲେନ୍ତାଇନ ଦିବସ ବୋଲି ଯେଉଁ ପର୍ବ ପାଳନ ଫେବୃଆରୀ ଚଉଦ ତାରିଖରେ ହେଉଛି, ତାହା ପ୍ରକୃତରେ କାଥୋଲିକ ଚର୍ଚ୍ଚର ଏକ ଅଣଖ୍ରୀଷ୍ଟୀୟ ଉତ୍ପାଦକ-ଉତ୍ସବ ସହ ଜଣେ ଖ୍ରୀଷ୍ଟୀୟ ଶହୀଦଙ୍କର ମୃତ୍ୟୁପାଳନକୁ ଯୋଡି ନିର୍ମାଣ କରାଯାଇଥିବା ଏକ ପ୍ରେମର ପର୍ବ  ।

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ରୋମୀୟମାନେ ତରୁଣ ମାନଙ୍କର ଏକ ବାର୍ଷିକ ଉତ୍ସବ ପାଳନ କରୁଥିଲେ । ସେଇ ଉତ୍ସବଟି ଦେବତା ଲୁପେରକସ୍ ଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା । ଉତ୍ସବ ପାଳନ ସ୍ଥଳକୁ ଗୋତିଏ ବଡ ବାକ୍ସ ଅଣାଯାଉଥିଲା । ବାକ୍ସରେ କିଶୋରୀମାନଙ୍କର ନାଆଁ ଚିରକୁଟରେ ଲେଖି ପକାଯାଉଥିଲା । ତାହା ପରେ ଉପସ୍ଥିତ ହେଉଥିଲେ ଅତ୍ୟନ୍ତ ଉଲ୍ଲାସର ସହ କିଶୋର ଦଳ । ଜଣକ ପରେ ଜଣେ କିଶୋର ଲଟେରି ଉଠାଉଥିଲେ । ଯାହା କପାଳକୁ ଯିଏ ଉଠିଲା ସେ ତାହାକୁ ଧରି ଉଭାନ ହୋଇଯାଉଥିଲା । ଏହିଭଳି ଉଭାନ ହୋଇ ଏକାଠି ରହିବା ବିଧାନ ଚିରକାଳ ପାଇଁ ନୁହଁ । ତାହାର ଗୋଟିଏ ସମୟସୀମା ଥିଲା । ବର୍ଷକ ପାଇଁ,ପରବର୍ତ୍ତି ଲଟେରି ହେବା ଯାଏଁ । ଏହି ଭଳି ଏକ ପ୍ରଥାକୁ ପ୍ରାୟ ଆଠ ଶହ ବର୍ଷ ପରେ, ଅର୍ଥାତ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ପରିବର୍ତ୍ତନ କରିବା ପାଇଁ ଚର୍ଚ୍ଚର କର୍ମକର୍ତ୍ତାମାନେ ସ୍ଥିର କଲେ । ସେମାନେ ଦେବତା ଲୁପେରକସ୍ ଙ୍କ ସ୍ଥାନରେ ଆଉ ଜଣେ କାହାକୁ ବସାଇବାକୁ ଚାହୁଁଥିଲେ, ଯିଏକି ପ୍ରେମର ଏକ ବିଶ୍ୱସ୍ତ ପ୍ରତୀକ ହୋଇପାରିବେ ।

ଠିକ୍ ସେତିକିବେଲେ କାହାଣୀ ଭିତରକୁ ପ୍ରବେଶକଲେ ସନ୍ଥ ଭାଲେନ୍ତାଇନ୍, ଖ୍ରୀଷ୍ଟୀୟ ୨୭୦ ରେ ଜଣେ ଶହୀଦ । ଦେବତା ଲୁପେରକସ୍ ଙ୍କ ସ୍ଥାନରେ ସେ ବିବେଚିତ ହେଲେ ପ୍ରେମର ପ୍ରତୀକ ଭାବରେ ଚର୍ଚ୍ଚର କର୍ମକର୍ତ୍ତାମାନଙ୍କ ଦ୍ୱାରା, ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ । ଖ୍ରୀଷ୍ଟୀୟ ୨୭୦ରେ ରୋମ୍ ରେ ଭାଲେନ୍ତାଇନ୍ ବୋଲି ଜଣେ ବିଶପ ତକ୍ରାଳୀନ ସମ୍ରାଟ କ୍ଲାଉଡିଅସ ଦ୍ୱିତୀୟଙ୍କର ବିରାଗ ଭାଜନ ହୋଇଥିଲେ । ପୃଥିବୀର ଇତିହାସରେ ରୋମୀୟ ନରପତିମାନଙ୍କ ଭଳି କ୍ରୁରତା ଅନ୍ୟତ୍ର ଦେଖାଯାଏ ନାହିଁ । କ୍ଲାଉଡିଅସଙ୍କର ବିଶ୍ୱାସ ଥିଲା ଯେ ବିବାହିତ ପୁରୁଷମାନେ ସୈନ୍ୟବାହିନୀ ନିମନ୍ତେ ନିହାତି ଅପାରଗ । କାରଣ ସେମାନେ ନିଜନିଜର ସ୍ତ୍ରୀ ପୁତ୍ର ଆଦିଙ୍କୁ ଛାଡି ଦୂର ସ୍ଥାନକୁ ଯାଇ ଯୁଦ୍ଧ କରିବାକୁ ସବୁବେଳେ ଅନିଚ୍ଛୁକ ହେବେ । ଏଣେ ରାଜାର ସବୁସମୟରେ ଦରକାର ଯୁଦ୍ଧ । 

ରାଜା କ୍ଲାଉଡିଅସ ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ବାଟ ବାହାର କଲେ । ଶିର ନଥିଲେ ଶିରପୀଡା ଆସିବ ନାହିଁ । ସେ ଖ୍ରୀଷ୍ଟୀୟ ୨୭୦ରେ  ସମସ୍ତ ବିବାହକୁ ନିଷିଦ୍ଧ କରି ଏକ ଘୋଷଣାନାମା ଜାରି କଲେ । ଠିକ ଏହି ସମୟରେ ଇନ୍ତେରାମନାର ବିଶପ ଥାଆନ୍ତି ଭାଲେନ୍ତାଇନ । ସେ ରାଜାଦେ କୁ ଖାତିର ନକରି ସମସ୍ତ ପ୍ରେମିକମାନଙ୍କୁ ଗୁପ୍ତରେ ସାକ୍ଷାତ କରିବାକୁ ନିମନ୍ତ୍ରଣ କରୁଥିଲେ ଓ ସେମାନଙ୍କର ବିବାହକର୍ମ ନିଜେ ସମ୍ପାଦିତ କରୁଥିିଲେ । କ୍ଲାଉଡିଅସ ଏହି ‘ପ୍ରେମିକମାନଙ୍କର ବନ୍ଧୁଙ୍କର ଖବର ପାଇଗଲେ । ତାଙ୍କୁ ଡକରା ଆସିଲା ରାଜନଅରରୁ । ରାଜା କ୍ଲାଉଡିଅସ କିନ୍ତୁ ଏହି ତରୁଣ ଖ୍ରୀଷ୍ଟୀୟ ଧର୍ମଯାଜକଙ୍କ ସାହସ ଆଉ ଧାର୍ମିକ ବିଶ୍ୱାସ ପ୍ରତି ଆନୁଗତ୍ୟ ଦ୍ୱାରା ପ୍ରଭାବିତ ହେଲେ । ଚେଷ୍ଟା କଲେ ଭାଲେନ୍ତାଇନଙ୍କୁ ନିଜ ଧର୍ମ ଆଡକୁ ଟାଣିବା ପାଇଁ । ସେ କିନ୍ତୁ ଖ୍ରୀଷ୍ଟ ଧର୍ମ ରେ ଦୃଢ ରହିଲେ ।

ଫେବୃଆରୀ ୨୪,୨୭୦ ଖ୍ରୀଷ୍ଟାବ୍ଦରେ ପ୍ରଥମରେ ପଥର ମାଡ ଓ ପରେ ମୁଣ୍ଡକାଟି ଭାଲେନ୍ତାଇନଙ୍କୁ ହତ୍ୟା କରାଯାଇଥିଲା । ଇତିହାସ କହେ ଜେଲରେ ଥିଲାବେଳେ ଭାଲେନ୍ତାଇନ ପ୍ରେମରେ ପଡିଥିଲେ । ତାଙ୍କର ପ୍ରେମିକାର ନାଆଁ ଆସ୍ତେରିସ । ସେ ବନ୍ଦୀ ଥିବା ଜେଲ୍ ର ଜେଲରଙ୍କ ଝିଅ ସେ । ଜନ୍ମରୁ ଦୃଷ୍ଟିହୀନ । ନିଜର ଆଧ୍ୟାତ୍ମିକ ପ୍ରଭାବରେ ସେ ଆସ୍ତେରିସର ଦୃଷ୍ଟିଶକ୍ତି ଫେରାଇ ଆଣି ପାରିଥିଲେ । ନିଜର ପ୍ରିୟତମାକୁ ବିଦାୟ ପତ୍ରରେ ସେ ସନ୍ତକ କରିଥିଲେ - 'ଇତି ତୁମର ଭାଲେନ୍ତାଇନ' ।

‘ଇତି ତୁମର ଭାଲେନ୍ତାଇନ୍’ ତାହାପରଠାରୁ ଏକ ବହୁ ବ୍ୟବହାରକାରୀ ଆବେଗର ବାକ୍ୟ ହୋଇ ରହିଆସିଛି ।

ସନ୍ଥ ଭାଲେନ୍ତାଇନଙ୍କୁ ବିକଳ୍ପ ହିସାବରେ ପାଇଗଲା ପରେ ଚର୍ଚ୍ଚର କର୍ମକର୍ତ୍ତାମାନେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ପ୍ରଚଳିତ ମଧ୍ୟ-ଫେବୃଆରୀର ରୋମୀୟମାନଙ୍କର ସେହି ଲୁପେରିସୀୟ ଉତ୍ସବକୁ ବାତିଲ କରିଦେଲେ । ସେତେବେଳେକୁ ତ ରୋମରେ ତଥା ଇଉରୋପ ଭୂଖଣ୍ଡରେ ଚର୍ଚ୍ଚର ସମ୍ପୂର୍ଣ୍ଣ ଆଧିପତ୍ୟ ପ୍ରତିଷ୍ଠିତ ହୋଇସାରିଥିଲା । ୪୯୬ ଖ୍ରୀଷ୍ଟାବ୍ଦରେ ପୋପ ଗେଲାସିଅସ ଲୁପେରିସୀୟ ଉତ୍ସବକୁ ନିଷିଦ୍ଧ ଘୋଷଣା କଲେ । କିନ୍ତୁ ଚତୁରତାର ସହ ସେ ରୋମୀୟମାନଙ୍କର ସେହି ପ୍ରିୟ ସମ୍ଭାବନାର ଖେଳ ତଥା ଉତ୍ସବ ସ୍ଥଳରେ ବାକ୍ସ ଆଉ ବାକ୍ସରୁ ଉଠୁଥିବା ଲଟେରୀକୁ ବାତିଲ କରିନଥିଲେ । ତାହା ଜାରି ରହିଥିଲା ସାମାନ୍ୟ ପରିବର୍ତ୍ତନ  ସହ । 

ଆଗରୁ ଲୁପେରିସୀୟ ଉତ୍ସବରେ ବାକ୍ସରେ ଲେଖାହୋଇ ରହୁଥିଲା ଓ ଲଟେରିରେ ଉଠୁଥିଲା କିଶୋରୀମାନଙ୍କ ନାଆଁ । କିନ୍ତୁ ଏହି ପରିବର୍ତ୍ତନରେ ବାକ୍ସରେ ଲେଖାହୋଇ ରହିଲା ବିଭିନ୍ନ ଖ୍ରୀଷ୍ଟୀୟ ସନ୍ଥମାନଙ୍କର ନାଆଁ । ଉଭୟ ସ୍ତ୍ରୀ ଓ ପୁରୁଷ ମାନେ ଲଟେରି ଉଠାଉଥିଲେ । ଆଉ ଯାହା ଭାଗ୍ୟରେ ଯେଉଁ ସନ୍ଥ ପଡୁଥିଲେ, ତାକୁ ବର୍ଷସାରା ସେହି ସନ୍ଥଙ୍କ ଜୀବନୀ ଆଉ ଆଦର୍ଶକୁ ଅନୁସରଣ କରିବାକୁ ପଡୁଥିଲା । ଅବଶ୍ୟ ଗୋଟିଏ ରୋମୀୟ କିଶୋର ପକ୍ଷରେ କୌଣସି କିଶୋରୀ ପରିବର୍ତ୍ତେ ଏହିପରି ଜଣେ ସନ୍ଥଙ୍କ ସହ କାଳାତିପାତ କରିବାର ବିଧାନ ଅବଶ୍ୟ ସେତେଟା ଆନନ୍ଦଦାୟକ ହୋଇନଥିବ ନିଶ୍ଚୟ ।

ଇତିହାସ ଅନୁସାରେ ଭାଲେନ୍ତାଇନ ପର୍ବର ଶେଷ କଥାଟି ଲେଖା ହୋଇଥିଲା ଜଣେ ମଧ୍ୟଯୁଗୀୟ କବିଙ୍କ ଦ୍ୱାରା । ସେ ହେଉଛନ୍ତି ଇଂରେଜ କବି ଜିଓଫେ ଚସର । ସେ ତାଙ୍କର କବିତାର ପାତ୍ରପାତ୍ରୀମାନଙ୍କୁ ସବୁବେଳେ ଏକ ଐତିହାସିକ ପରିପ୍ରେକ୍ଷ୍ୟ ଦେଇଥାଆନ୍ତି ।୧୩୭୫ ଖ୍ରୀଷ୍ଟାବ୍ଦରେ ସେ ପାର୍ଲିଆମେଣ୍ଟ ଅଫ ଫାଉଲସ ବୋଲି କବିତାରେ ‘ସନ୍ଥ ଭାଲେନ୍ତାଇନଙ୍କ ଦିନ’ର ଉଲ୍ଲେଖ ପ୍ରଥମେ କରିଛନ୍ତି । ଏହି ଦିନ, ଅର୍ଥାତ, ଫେବୃଆରୀ ମାସର ୧୪ ତାରିଖ ବହୁକାଳରୁ ପ୍ରେମର ପର୍ବ ହିସାବରେ ପାଳିତ ହୋଇ ଆସୁଥିବାର କଥା ସେ ଲେଖିଛନ୍ତି ତାଙ୍କ କବିତାରେ, ଯାହାର ଆଦୌ ଐତିହାସିକ ସତ୍ୟତା ନାହିଁ । ଚସରଙ୍କ ଅନୁସାରେ ଏହି ଦିନ ସମସ୍ତ ପ୍ରେମୀ, ପକ୍ଷୀଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ, ନିଜ ନିଜର ପ୍ରେମାଷ୍ପଦ ସହ ମିଳିତ ହୋଇଥାନ୍ତି । ଏହା ବିଶ୍ୱରେ ପ୍ରେମର ଏକ ଛୁଟିଦିନ । ତାହା ପରଠାରୁ ଭାଲେନ୍ତାଇନକୁ ଗୋଟିଏ ଦିନ, ତାରିଖ ଓ ଉଦ୍ଦେଶ୍ୟ ମିଳିଗଲା । ଏବଂ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଅବ୍ୟାହତ ରହିଛି ।