Wednesday, November 02, 2016

ଗଞ୍ଜାମରେ ଗୁଡାଖୁ ସେବନ


(ଶ୍ରୀଯୁକ୍ତ ବାଞ୍ଛାନିଧି ପଟ୍ଟନାୟକଙ୍କର ଆତ୍ମଜୀବନୀ ‘ମୋ କଥା’ରୁ ସଙ୍ଗୃହିତ)



ଗୁଡ଼ାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସ୍ୱର୍ଗତ ବାଞ୍ଛାନିଧି ପଟ୍ଟନାୟକଙ୍କର ପରିଚୟ ଦେବା ଅନାବଶ୍ୟକ । ଓଡ଼ିଶାର ନାଗରିକ ଜୀବନରେ ଜଣେ ସାମାଜିକ କର୍ମୀ ଓ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ତାଙ୍କର ଅବଦାନ ବହୁଜନବିଦିତ । ୧୯୨୧ ମସିହାରେ ଦେଶରେ ଗାନ୍ଧୀଜୀଙ୍କ ନେତୃତ୍ତ୍ୱରେ ଅସହଯୋଗ ଆନ୍ଦୋଳନର ସୂତ୍ରପାତ ହୁଏ । ସେହି ସମୟରେ ବାଞ୍ଛାନିଧି ବାବୁ ଥାଆନ୍ତି ହାଇସ୍କୁଲୁରେ ଛାତ୍ର । ୧୯୨୦-୨୧ ହେଲା ତାଙ୍କ ମାଟ୍ରିକିର ବରଷ । ସାଙ୍ଗ ସାଥୀଙ୍କର ମେଳରେ ପଡ଼ି ଛୋଟ ପିଲା ବୟସରୁ ଧୂଆଁଖିଆ ଆରମ୍ଭ ହୋଇଯାଇଥାଏ । ମାତ୍ର ମାଟ୍ରିକି ଶେଷ ବରଷ ପର୍ଯ୍ୟନ୍ତ ଗୁଡାଖୁ କି ଜାତି ପଦାର୍ଥ ସେ କଥା ବାଞ୍ଛାନିଧି ବାବୁ କି ତାଙ୍କର ସାଙ୍ଗମାନେ କିଏ ମଧ୍ୟ ଜାଣି ନ ଥାଆନ୍ତି । ଏହି ସମୟରେ ବାଞ୍ଛାବାବୁଙ୍କର ଇସ୍କୁଲୁରେ ପ୍ରବେଶ କରନ୍ତି ବରାହ ମହାନ୍ତି ବୋଲି ଜଣେ ଅଙ୍କ ଶିକ୍ଷକ । ବାବୁ ଆସିଥିଲେ ମାତ୍ର ବରଷକ ପାଇଁ । ମାତ୍ର ଗଞ୍ଜାମ ଜିଲ୍ଲାର ନିଶାପାଣିର ଇତିହାସରେ ନିଜର ଛାପ ରଖିଗଲେ ।

ବରାହ ବାବୁ ବାଞ୍ଛାନିଧିଙ୍କର ଇସ୍କୁଲୁକୁ ମାଷ୍ଟର ଭାବରେ ଆସିଲା ବେଳକୁ ସେ, ଅର୍ଥାତ ବରାହ ମହାନ୍ତିଏ ଗଜା ଟୋକା । ସଦ୍ୟ କଲେଜେ ପାଠ ଛାଡ଼ି ଆସିଥାଆନ୍ତି । ତେଣୁକରି ବିଦ୍ୟାଳୟର ଅନ୍ୟ ମାଷ୍ଟରମାନଙ୍କୁ କରଛଡ଼ା ଦିଅନ୍ତି । ସେମାନଙ୍କ ସହିତ ତାଙ୍କର ବୟସର ବ୍ୟବଧାନ ଟିକିଏ ବେଶୀ ଥାଏ । ଏଣୁ ଅନ୍ୟ ଶିକ୍ଷକମାନଙ୍କୁ ତିନି ହାତେ ଛାଡ଼ି ଚଳିଲା ବେଳକୁ ତାଙ୍କ ବୟସର କତିରେ ଥିବା ମେଟ୍ରିକି ପିଲାଙ୍କର ସହିତ କ୍ଷୀରନୀର ସମ୍ପର୍କ । ହଷ୍ଟେଲେ ପିଲାଙ୍କ ସହିତ ଖିଆ ପିଆ, ବସା ଉଠା, ନଈପାଣି ଯିବା । ଏଇ ମିଶିମାଶି ମେଟ୍ରିକିଆ ଛୁଆଙ୍କ ସହିତ ନଈପାଣି ଯିବାରୁ ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାରେ ଗୁଡ଼ାଖୁର ବନ୍ୟା ।

ବରାହ ମାଷ୍ଟ୍ରେ ଗୁଡ଼ାଖୁର ବଡ଼ ଭକତ ଥିଲେ । ସେ ନିଇତି ଗୁଡାଖୁ ସେବନ କରନ୍ତି । ପିଲାଏ ସାରେଙ୍କୁ ଗୁଡ଼ାଖୁର ସଦବ୍ୟବହାର କରିବାର ଦେଖନ୍ତି । ଏମିତି ଦେଖାଦେଖିରୁ ପିଲାଙ୍କର ଗୁଡ଼ାଖୁ କି ଜାତି ପଦାର୍ଥ ଜାଣିବାର ଆଗ୍ରହ ଜାତ ହେଲା । ପିଲାମାନେ ମାଷ୍ଟ୍ରଙ୍କଠାରୁ ମାଗି ଗୁଡ଼ାଖୁ ଘଷିବା ଆରମ୍ଭ କଲେ । ଶିକ୍ଷକର କାମ ହିଁ ହେଲା ପିଲାଙ୍କୁ ନୂଆ ନୂଆ କଥା ଶିଖାଇବା । ନିଜ କର୍ତ୍ତବ୍ୟରେ ସେ ହେଳା କରନ୍ତେ ବା କିପରି । ପିଲାଏ ମାଗି ଆଣି ଟିକିଏ ଟିକିଏ ଗୁଡାଖୁ ଘଷନ୍ତି । କାହାର ମୁଣ୍ଡ ବୁଲାଏ । କାହାର ବା ବାନ୍ତି ଟିକିଏ ଟିକିଏ ହୁଏ । ମାତ୍ର ସବୁ ଶିକ୍ଷା ତ ଅଭ୍ୟାସର ବଳେ ହିଁ ହୁଏ । ତ ପିଲାଙ୍କର ମଧ୍ୟ ଧିରେ ଧିରେ ଗୁଡ଼ାଖୁ ଚଳିବାକୁ ଆରମ୍ଭ କଲା । ଆଉ ମୁଣ୍ଡ ବୁଲାଇଲା ନାହିଁ । କି ଗୁଡ଼ାଖୁର ପାରିଜାତଜିଣା ବାସନାରେ ଆଉ ବାନ୍ତି ଲାଗିଲା ନାହିଁ ।

ଅଭ୍ୟାସଟି ସିନା ହୋଇଗଲା । ହେଲେ ନବଜାତ ଅଭ୍ୟାସଟିକୁ ପାଳିବେ ବା କେମିତି । ଗୁଡାଖୁ ଖାଇଲା ଲୋକ ତ ଆଉ ଗଞ୍ଜାମରେ ନାହାନ୍ତି । ଏ ଦିବ୍ୟ ପଦାର୍ଥ ମିଳିବ ବା କାହୁଁ । ଦୋକାନରେ ମିଳେ ନାହିଁ । ବଜାରରେ କେହି ରଖନ୍ତି ନାହିଁ । ଶେଷକୁ ସବୁ ଆଧୁନିକତା ଆଉ ନୂଆ ଶିକ୍ଷାଦୀକ୍ଷାର ଉତ୍ସ କଟକ ମହାନଗରରୁ ପାର୍ସଲର ସହାୟତାରେ ଗୁଡାଖୁ ମଗାଇବାକୁ ପଡ଼େ । ଆଗରୁ ଚଳୁଥିବା ବିଡ଼ି ଓ ସିଗାରେଟ ସହିତ ଗୁଡାଖୁ ମିଶି, ବାଞ୍ଛାନିଧି ବାବୁ ଆଉ ମୃତ୍ୟୁଞ୍ଜୟ ପଣ୍ଡା ଓ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଆଦି ତାଙ୍କର ଅନ୍ତରଙ୍ଗ ବନ୍ଧୁମାନେ ତ୍ରିରତ୍ନ ସେବନ ଆରମ୍ଭ କରନ୍ତି ।

ବାଞ୍ଛାନିଧି ବାବୁଙ୍କ ଅନୁସାରେ ସେ ନିଜେ ଓ ତାଙ୍କର ବନ୍ଧୁମାନେ ୧୯୨୧ ମସିହାରେ ଗୁଡ଼ାଖୁ ସେବନ ଆରମ୍ଭ ନ କରିବା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଗୁଡାଖୁର ଆଦୌ ପ୍ରଚଳନ ନଥିଲା । ଗୁଡାଖୁର ଜାତି, ନୀତି ଓ ପ୍ରକୃତି ବିଷୟରେ ଗଞ୍ଜାମିଆଙ୍କର ବିଶେଷ କିଛି ଧ୍ୟାନଧାରଣା ନଥିଲା । ମାତ୍ର ଗତ ଶତାବ୍ଦୀର ଅଶୀ ଦଶକରେ ବାଞ୍ଚାନିଧି ବାବୁ ନିଜର ଆତ୍ମ ଜୀବନୀ ଲେଖିଲା ବେଳକୁ ଗୁଡ଼ାଖୁ ଗଞ୍ଜାମର ଜାତୀୟ ନିଶା ପାଲଟିଯାଇଥାଏ । ଦୋକାନଟିଏ ଥିବ ମାତ୍ର ସେଥିରେ ଗୁଡାଖୁ ମିଳିବ ନାହିଁ, ସେପରି ସମ୍ଭାବନା ସେତେବେଳକୁ ଆଉ ନଥିଲା କହିଲେ ଚଳେ ।

ବାଞ୍ଚାବାବୁଙ୍କୁ ଗୁଡାଖୁ ଦେବତା ୧୯୨୧ ରେ ଲାଗିଲା । ଦୁଇ ପୁରୁଷ ଧରି ଦେବତାଙ୍କୁ ସେବନ କରିବା ପରେ ୧୯୬୫ ମସିହାରେ ଆଜ୍ଞା ଦେବତାଙ୍କ ଦାଉରୁ ତ୍ରାହି ପାଇଲେ । ତାହା ଆଗରୁ ସେ କେତେଥର ଚେଷ୍ଟା କରି ମଧ୍ୟ ଛାଡ଼ି ପାରିନଥିଲେ । ଏଣୁ ୧୯୬୫ ମସିହାର ଅଗଷ୍ଟ ମାସର ଛଅ ତାରିଖ ବାଞ୍ଚାନିଧିବାବୁଙ୍କ ପାଇଁ ଗୋଟିଏ ମନେ ରଖିଲା ଭଳି ଦିନ ଥିଲା । ସେ ଦିନ ଆଜ୍ଞା କଟକରୁ ଘରକୁ ଫେରି କୋଷ୍ଠକାଠିନ୍ୟ ଦୂର କରିବା ପାଇଁ ତିନି ଚାରି ଟେଳା ଗୁଡାଖୁ ଦେବତା ଗୋଟିକ ପରେ ଗୋଟିଏ ସେବନ କରିଚାଲିଲେ । ତଥାପି ମଧ୍ୟ ମଳତ୍ୟାଗର କିଛି ସମ୍ଭାବନା ଦେଖାଗଲା ନାହିଁ । ଏତିକି ବେଳକୁ ପତ୍ନୀ ମହାଶୟା କହିଲେ ଯେ “ଗୁଡାଖୁ ଗୁଡାକ ଥରକୁ ଥର ଏତେ କଅଣ ଘସୁଛ ମ ମୁହଁ ବୁଲେଇ ହବ” । ବାବୁ କଥା ଶୁଣିଲେ । ମାନିଲେ ମଧ୍ୟ । ତାହା ପର ଦିନ ସକାଳୁ ଆଉ ଗୁଡାଖୁ ଘସିଲେ ନାହିଁ । ଝାଡ଼ା ବାଟରେ ଝାଡ଼ା ହେଲା । ତ ସେହିଦିନ ଠାରୁ ଗୁଡ଼ାଖୁ ଦେବତା ବାଞ୍ଛାନିଧି ପଟ୍ଟନାୟକଙ୍କ ମୁଣ୍ଡରୁ ଓହ୍ଲାଇଗଲେ ଯେ ଗଲେ । ଆଉ କେବେ ଚଢ଼ି ନାହାନ୍ତି । ମାତ୍ର ଏ ପର୍ଯ୍ୟନ୍ତ ଗଞ୍ଜାମ ଦେଶରେ ଗୁଡାଖୁ ଦେବତାଙ୍କର ରାଜୁତି ଅବ୍ୟାହତ ରହିଛି ।

ବି.ଦ୍ର. ଏହି ଲେଖାଟି ୨୦୧୬ ମସିହାରେ ପାକ୍ଷିକ ସମଦୃଷ୍ଟିର ୧୧ତମ ଭଲ୍ୟୁମର ସପ୍ତମ ସ‌ଂଖ୍ୟାରେ ପ୍ରକାଶିତ ହୋଇଥିଲା । 

ନୟାଗଡ଼ ଜିଲ୍ଲାର ଦଳିତ ଜୀବନ


(ଗୋବର୍ଦ୍ଧନ ଦୋରାଙ୍କର ଆତ୍ମଜୀବନୀ 'ଛୋଟ ମୋର ଗାଁଟି’ରୁ ସଙ୍ଗୃହିତ)


ଡକ୍ଟର ବି.ଆର. ଆମ୍ବେଦକର
୧୯୩୫ ମସିହାରେ ନାସିକର ୟେଓଲାଠାରେ ଭାଷଣ ଦେଉଥିବା ସମୟରେ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


ଲେଖକ, ସଙ୍କଳକ ଓ ଯନ୍ତ୍ରୀ ଶ୍ରୀ ଗୋବର୍ଦ୍ଧନ ଦୋରାଙ୍କର ଘର ନୟାଗଡ଼ ଜିଲ୍ଲାର ବଡ଼ଗୋରଡ଼ା ଗ୍ରାମରେ । ଗାଁରେ ଚଷା, ଗୁଡ଼ିଆ, ଗଉଡ଼, କରଣ, ସୁନାରି, ପାଣ, ଧୋବା ଓ ଖଦାଳ ଇତ୍ୟାଦି ନାନା ଜାତିର ଲୋକ ଅଛନ୍ତି । ଦୋରା ବାବୁଙ୍କର ଜନ୍ମ ୧୯୩୯ ମସିହାରେ । ଜାତିରେ ତେଲେଗୁ ନାଇଡ଼ୁ । ସେ ଶିଶୁ ଶ୍ରେଣୀରେ ୧୯୪୫ ମସିହାରେ ଆଙ୍ଗିସିଙ୍ଗିରେ ଥିବା ବଡ଼ଗୋରଡ଼ା ଶିଶୁ ବିଦ୍ୟାଳୟ କୁ ଯିବାକୁ ଆରମ୍ଭ କରନ୍ତି । ତାହା ପରେ ଯାଆନ୍ତି ସାନଗୋରଡ଼ା ଇସ୍କୁଲୁକୁ, ତତ୍ପରେ ଶିଖରପୁର ମାଇନର ଇସ୍କୁଲୁ, ଓ ସବାଶେଷରେ ଶରଣକୂଳ ହାଇସ୍କୁଲୁ ।

ସେତେବେଳେ ଇସ୍କୁଲୁମାନଙ୍କରେ ଛୁଆଁଅଛୁଆଁ ଭାବ ପ୍ରବଳ । ପିଲାମାନେ ଜାତି ଭିତ୍ତିରେ ଅଲଗା ଅଲଗା ବସନ୍ତି । ବ୍ରାହ୍ଣଣ ପିଲାଏ ବସିବା ପାଇଁ ତାଳପତ୍ରରେ ପ୍ରସ୍ତୁତ ଛପା ଆଣୁଥିଲେ । ଗୋବର୍ଦ୍ଧନ ବାବୁ ବାଉଁଶ ତିଆରି ଛପା ନେଇ ଇସ୍କୁଲୁ ଯାଉଥିଲେ । ଏହି ଛପା ଧୁଷୁମା ଗାଁର ହାଡ଼ିମାନେ ତିଆରି କରୁଥିଲେ । ଏହା ସେମାନଙ୍କର ଜୀବିକା ନିର୍ବାହର ଏକ ସାଧନ ଥିଲା ।  ଛୁଆଁଅଛୁଆଁ ଭାବ ଶିକ୍ଷକମାନଙ୍କ ମଧ୍ୟରେ ବି ଥିଲା ।  ଦଳିତ ପିଲାଙ୍କୁ (ଅନ୍ୟ ଅଞ୍ଚଳମାନଙ୍କ ପରି) ହାତରେ ନ ମାରି, କିମ୍ବା ସିଧା ସଳଖ ବେତରେ ନମାରି, ବେତ ଫୋପାଡ଼ି ମାଡ଼ ମରାଯାଉଥିଲା - ନୟାଗଡ଼ ଜିଲ୍ଲାର ଏହି ଇସ୍କୁଲମାନଙ୍କରେ, ସ୍ୱାଧିନତା ସମୟରେ ।

ଗୋବର୍ଦ୍ଧନବାବୁଙ୍କ ଦେଖିବାରେ ଶ୍ରୀ ବନ ସେଠୀ ଓ ତାଙ୍କର ସାନଭାଇ ଶ୍ରୀ କହ୍ନେଇ ସେଠୀ ଧୋବା ଭାବରେ ଗାଁରେ ଖଟୁଥିଲେ । ଏଥି ପାଇଁ ସେମାନେ ପ୍ରତି ପରିବାରଠାରୁ ବାର୍ଷିକ କିଛି ନିର୍ଦ୍ଦିଷ୍ଟ ପରିମାଣରେ ବର୍ତ୍ତନ ପାଉଥିଲେ । ଏବେ ଚାରି ନଉତି ଲେଖାଏ ସେମାନେ ନେଉଛନ୍ତି ଓ ପ୍ରଥାର ପ୍ରଚଳନ ଏବେ ମଧ୍ୟ ଅଛି । ବେଳେବେଳେ ଲୁଗା ସିଝାଇବାକୁ କାଠ ମିଳେନାହିଁ । ତ, ଧୋବାମାନେ ମଶାଣିରୁ ଦରପୋଡ଼ା କାଠ ଆଣନ୍ତି । ପୋଡ଼ି, ଲୁଗା ସିଝାଇବା କାମରେ ବ୍ୟବହାର କରନ୍ତି । କେହି ଲୋକ ଖରାପ ହୋଇଗଲେ ମାଲଭାଇ ଭାବରେ ମଧ୍ୟ ଧୋବାମାନେ ଶବ ଶୋଭାଯାତ୍ରା ସହିତ ମଶାଣି ଯାଉଥିଲେ । ପିଲା ପେଟରେ ଥାଇ ମା ମରିଗଲେ, ସ୍ତ୍ରୀଲୋକଟିର ପେଟ ଚିରି, ମଲା ପିଲାଟିକୁ ବାହାର କରି ତାହାର ଶବଦାହ କରିବାର ଦାୟିତ୍ତ୍ୱ ମଧ୍ୟ ଧୋବାମାନଙ୍କର ଥିଲା । ମୁର୍ତିଖିଆର ଦଶଦିନ କର୍ମପାଇଁ ଧୋବା ଓ ଧୋବଣିଙ୍କୁ ଲୁଗାପଟା ମିଳୁଥିଲା ।

ଦୋରା ବାବୁଙ୍କ ପିଲାଦିନେ ଗାଁର ଦକ୍ଷିଣ-ପଶ୍ଚିମ ଦିଗରେ ଏକ ଖଦାଳ ସାହି ଥିଲା । ଏଥିରେ ଛଅଟି ପରିବାର ବସବାସ କରୁଥିଲେ । ଏ ସମସ୍ତ ପରିବାରର ସାଙ୍ଗିଆ ଭୋଇ ଥିଲା । ସେମାନେ ସେତେବେଳେ ଅଛୁଆଁ ଭାବରେ ଗଣ୍ୟ ଥିଲେ । ତାଙ୍କୁ କେହି ଛୁଉଁ ନଥିଲେ । ମାତ୍ର ବାହାଘର ବେଳେ ଖଦାଳମାନେ ହିଁ ପାଲିଙ୍କି ବାହକ ଭାବରେ କାମ କରୁଥିଲେ । ଏମାନଙ୍କର ନିଜର ଅଳପ କିଛି ଜମିବାଡ଼ି ଥିଲା । କିଛି ଜମି ଭାଗରେ ଧରି ମଧ୍ୟ ଚାଷ କରୁଥିଲେ । ଅତି ନିରିମାଖି ଖଦାଳ ମାନେ ପରଘରେ ହଳିଆ ରହୁଥିଲେ, ନହେଲେ ମୂଲ ଲାଗି ଚଳୁଥିଲେ । ଏବେ ଅବଶ୍ୟ ଗାଁରୁ ହଳିଆ ପ୍ରଥା ଉଠିଗଲାଣି । ଖଦାଳ ମାନେ ମାଛମାରି ବିକ୍ରୀ ମଧ୍ୟ କରୁଥିଲେ । ଏହା ଛଡ଼ା କୁକୁଡ଼ା ପାଳି, ପକ୍ଷୀ ଓ ଅଣ୍ଡା, ଉଭୟ ବିକିରି କରୁଥିଲେ । ଆଗରୁ ହାଟବଜାରରେ ଅଣ୍ଡା ଓ କୁକୁଡ଼ା ମିଳୁ ନଥିଲା । ଖଦାଳମାନେ ହିଁ କୁକୁଡ଼ା ଆଦି ପାଳି  ଯୋଗାଉଥିଲେ ।

ବଡ଼ଗୋରଡ଼ା ଗାଁରେ ଗୋଟିଏ ମାତ୍ର ପାଣ ଘର ଥିଲା । ଏହି ଘରୁ ଗାଁର ଚଉକିଦାର ଥିଲେ, ଶ୍ରୀ ଲୋକନାଥ ନାୟକ । ତାଙ୍କୁ ଚଉକିଦାରି କରିବା ପାଇଁ ଚାରି ମାଣ ଜମି ମିଳିଥିଲା । ସପ୍ତାହକୁ ଥରେ ସେ ଶରଣକୂଳ ଥାନାରେ ହାଜର ହୁଅନ୍ତି । ଜନ୍ମ, ମୃତ୍ୟୁ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖବର ଥାନାବାଲାଙ୍କୁ ଦିଅନ୍ତି । ଚାରି ମାଣ ଜମି କିଛି କମ ନୁହେଁ । ମାତ୍ର ସେମାନଙ୍କର ଚଳଣି ସେତେବେଳେ ବିଶେଷ ଭଲ ନଥିଲା । କାରଣ ହେଲା ଯେ ପାଣମାନେ ଜାତିରେ ଅଛୁଆଁ ଥିଲେ । ତାଙ୍କ ଜମିରେ ଗାଁର ଅନ୍ୟ ଜାତିର ଲୋକେ ଖଟି ଆସନ୍ତି ନାହିଁ । ତାଙ୍କ ବିଲମାନଙ୍କରେ ଅନ୍ୟ ଗାଁରେ ରହୁଥିବା ତାଙ୍କର ଜାତିଭାଇମାନେ ହିଁ ଖଟି ଆସନ୍ତି । ମାତ୍ର ସେମାନେ ନିଜର ବିଲବାଡ଼ି  ଓ ନାନାଦି ଅନ୍ୟ କାମସାରି ଲୋକନାଥ ବାବୁଙ୍କ ବିଲରେ କାମ କରି ଆସିଲା ବେଳକୁ ଠିକଣା ସମୟ ଗଡ଼ିଯାଇଥାଏ । ବେଟାଇମିଆ ଚାଷ ଯୋଗୁଁ ଅମଳ କମ ହୁଏ । ଅମଳ କମ ହେବାର ଅନ୍ୟ କାରଣ ହେଲା ଜଳସେଚନର ଅଭାବ ।

ଏହି ସବୁ ଅଭାବ ଅସୁବିଧା ଭିତରେ ଲୋକନାଥ ବାବୁଙ୍କ  ଗୋଟିଏ ବୋଲି ପୁଅ, ଦଣ୍ଡଧର ବୃତ୍ତି ପାଇ ପାଠ ପଢି ମାଇନର ସ୍କୁଲ ଶିକ୍ଷକ ହେଲେ । ଉଣେଇଶିଶହ ଷାଠିଏ ମସିହାରେ ଲୋକନାଥ ବାବୁ ହାର୍ଣ୍ଣିଆରେ ଚାଲିଗଲେ । ପୁଅ ସରକାରି ଚାକିରିଆ ହୋଇଥିବାରୁ ଚଉକିଦାରୀରେ ବାହାଲ ହୋଇପାରିଲେ ନାହିଁ । ଝୁଅର ଜୁଆଇଁ କାଶୀ ଗାଁରେ ଚଉକିଆ ହେଲେ । ୧୯୬୫ ମସିହାରେ ଚଉକିଦାରୀ ଉଠିଯିବାରୁ ଏଥିକୁ ଥିବା ଗାଁର ସବୁ ଭୋଗଦଖଲ ଜମି କାଶୀବାବୁଙ୍କ ନାଁରେ ହେଲା । ମାତ୍ର ଥରେ ଏହି ପାଣଘରକୁ ଗାଁ ଲୋକେ ଜରିମାନା କରିବାରୁ ଏମାନେ ଅତିଷ୍ଠ ହୋଇ ଗୋତିରିଡ଼ାକୁ ଉଠିଗଲେ ଓ ବଡ଼ଗୋରଡ଼ାରେ ଥିବା ନିଜର ଜମିଜମା ବିକ୍ରିବଟା କରିଦେଲେ ।  ଦଣ୍ଡଧର ବାବୁ ଅବସର ନେଲାପରେ କଟକ ମହାନଦୀ ବିହାରରେ ବସାବାନ୍ଧି ରହିଲେ । ଏହିପରି ଭାବରେ ଗାଁରୁ ପାଣ ଜାତିର ଚିହ୍ନା ଉଠିଗଲା ।

ବି.ଦ୍ର. ଏହି ଲେଖାଟି ୨୦୧୬ ମସିହାରେ ପାକ୍ଷିକ ସମଦୃଷ୍ଟିର ୧୧ତମ ଭଲ୍ୟୁମର ଷଷ୍ଠ ସ‌ଂଖ୍ୟାରେ ପ୍ରକାଶିତ ହୋଇଥିଲା । 

Tuesday, November 01, 2016

ଆଜି ଏକେ ନଭେମ୍ବର 

ଜ୍ୟୋତି ନନ୍ଦ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଖାଲି ଆଜି ନୁହଁ ସବୁ ତାରିଖର କିଛିନା କିଛି ଗୁରୁତ୍ୱ ରହିଥାଏ । କିଛି ତାରିଖର କିନ୍ତୁ ଐତିହାସିକ ଗୁରୁତ୍ୱ ଅଧିକ ବୋଲି ଆମର ଧାରଣା । ଅବଶ୍ୟ ଗୁରୁତ୍ୱ କଥାଟି ନିଜନିଜର ବିବେଚନା ର ସାମର୍ଥ୍ୟ ଅନୁସାରେ ନିରୂପିତ ହୋଇଥାଏ । ଭାରତର ସ୍ୱାଧୀନତା ଦିବସ, ଅର୍ଥାତ, ଅଗଷ୍ଟ ୧୫ ଟି ପାକିସ୍ତାନ କୁ କାହିଁକି ସୁନ୍ଦର ଦିଶିବ ? ଯଦିଓ ଏହା ଐତିହାସିକ ସତ୍ୟ ଯେ ପାକିସ୍ତାନ ବି ଭାରତ ଭଳି ତାହାର ପ୍ରଥମ ସ୍ବାଧୀନତା ଦିବସ ପାଳନ କରିଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ।
ଏକେ ନଭେମ୍ବର ୧୮୫୮ ରେ ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆ ଭାରତରେ ଚାଲିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନକୁ ନିଜ ହାତକୁ ନେଇ ଥିଲେ । ଆଲାହାବାଦ ଠାରେ ଏକ ଦରବାର ଆହୂତ ହୋଇ ଏ ସଙ୍କ୍ରାନ୍ତ ଘୋଷଣାନାମା ପାଠ କରାଯାଇଥିଲା । ମହାରାଣୀଙ୍କ ଏହି ଘୋଷଣାନାମାକୁ ଲର୍ଡ କ୍ୟାନିଂ ପାଠ କରିଥିଲେ । ଏହାକୁ ଆଲାହାବାଦ ଘୋଷଣାନାମା ବୋଲି ମଧ୍ୟ କୁହାଯାଏ । ଏଥିରେ ଭାରତୀୟ ଦେଶୀୟ ରାଜା ମାନଙ୍କୁ ଯଥୋଚିତ ସୁରକ୍ଷା ତଥା ଭାରତୀୟ ମାନଙ୍କର ଧାର୍ମିକ ଭାବନା ଉପରେ ହସ୍ତକ୍ଷେପ ନକରିବା ପାଇଁ ପ୍ରତିଶୃତି ଦିଆଯାଇ ଥିଲା । ଏହି ଘୋଷଣାନାମାକୁ ଭାରତର ମାଗ୍ନା କାର୍ଟା ବୋଲି କୁହାଯାଏ। ଏହା ର ପ୍ରୟୋଗ ଫଳରେ ଲର୍ଡ କ୍ୟାନିଂ ଭାରତର ପ୍ରଥମ ବଡଲାଟ ବୋଲି ବିବେଚିତ ହେଲେ।
କହିବା ବାହୁଲ୍ୟ ଲେଡି କ୍ୟାନିଂଙ୍କ ନାମାନୁସାରେ କଲିକତାର ସେତେବେଳେ ସଦ୍ୟ ଉଦ୍ଭାବିତ ଏକ ମିଠା ର ନାମକରଣ କରାଯାଇଥିଲା,ଲେଡିକିନି । ଏହି ମିଠା ଟିକୁ ଅନ୍ୟତ୍ର କେହି କେହି ପାନ୍ତୁଆ ବୋଲି କହିଥାଆନ୍ତି।
ମହାରାଣୀଙ୍କ ଏହି ଘୋଷଣାନାମାର ଠିକ ଦଶବର୍ଷ ଆଗରୁ ଏହି ଦିନ, ଅର୍ଥାତ, ଏକେ ନଭେମ୍ବର ୧୮୪୮ ତାରିଖରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ସଂଘଟିତ ହୋଇଥିଲା । ଇଷ୍ଟନ ବୋଲି ଏକ ରେଳ ଷ୍ଟେସନ ରେ ଡବ୍ଲ୍ୟୁ. ଏଚ୍. ସ୍ମିଥ ପ୍ରଥମ ବହିଦୋକାନ ଆରମ୍ଭ କରିଥିଲେ । ପୃଥିବୀର କୌଣସି ରେଳଷ୍ଟେସନ ରେ ବହିଦୋକାନ ହେବାର ଏହା ସର୍ବପ୍ରଥମ କାର୍ଯ୍ୟକ୍ରମ । ପରବର୍ତ୍ତୀ କାଳରେ ଏହି ଭଳି ବହିଦୋକାନ ମାନ ବ୍ୟାପକ ପ୍ରସାର ଲାଭ କରିଛି ଓ ଜନସାଧାରଣଙ୍କ ପଠନ ଅଭ୍ୟାସ ତଥା ପଠନ ସାମଗ୍ରୀର ବିପଣନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଅଷ୍ଟାଦଶ ଶତାବ୍ଦୀ ଶେଷ ଆଡକୁ ସ୍ମିଥ ଙ୍କ ପୂର୍ବ ପୁରୂଷ ଛାପା ସାମଗ୍ରୀର ପାଇକାରୀ ତଥା ଖୁଚୁରା ବେପାର କରୁଥିଲେ । ୧୮୧୭ ବେଳକୁ ସେମାନେ ଏହି ବ୍ୟବସାୟରେ ବେଶ୍ ସଫଳ । ଘୋଡାଟଣା ଗାଡିରେ ଛାପା ସାମଗ୍ରୀ ରଖି ବୁଲିବୁଲି ସେମାନେ ବେପାର କରୁଥିଲେ । ଏହି ବ୍ୟବସାୟକୁ ଯଥେଷ୍ଟ ଆଗକୁ ନେଇପାରିଥିଲେ ସ୍ମିଥ ।

ସ୍ମିଥ ଙ୍କୁ ଇଷ୍ଟନ ରେଳଷ୍ଟେସନ ସହିତ ଅନ୍ୟ ଷ୍ଟେସନ ମାନଙ୍କରେ ବି ବହିଦୋକାନ କରିବାର ଏକଚାଟିଆ ଅନୁମତି ମିଳିଥିଲା । ତାହା ସହିତ ବିଶେଷ ସର୍ତ୍ତ ଟିଏ ବି ଯୋଡା ଯାଇଥିଲା। ସର୍ତ୍ତଟି ନିହାତି ସାଧାରଣ । କିନ୍ତୁ ଅସାଧାରଣ ତାହାର ଅନ୍ୱୟ । ସେ ଯେଉଁ ସବୁ ପଠନ ସାମଗ୍ରୀ ପାଠକ ମାନଙ୍କ ନିକଟରେ ପହଞ୍ଚାଇବେ ତାହା 'ଦୋଷମୁକ୍ତ ସୂଚନାବଳୀ ଓ ପବିତ୍ର ଆନନ୍ଦ "ଉପରେ ଆଧାରିତ ହୋଇଥିବା ଆବଶ୍ୟକ । ଏହାର ଉଦ୍ଦେଶ୍ୟ ସ୍ପଷ୍ଟ । ଯୌନ ଉତ୍ତେଜକ ସାମଗ୍ରୀଠାରୁ ମୁକ୍ତିଲାଭ । ସ୍ମିଥଙ୍କ ସଂସ୍ଥା ଏହି ସର୍ତ୍ତ ଯଥାଯଥ ପାଳନ କରିଥିଲା ।

୧୮୬୦ ବେଳକୁ ଉକ୍ତ ସଂସ୍ଥା ଇଂଲଣ୍ଡର ସମସ୍ତ ମୂଖ୍ୟ ରେଳଷ୍ଟେସନରେ ସେମାନଙ୍କର ବହିଦୋକାନ ସ୍ଥାପନ କରିପାରିଥିଲେ । ଅନ୍ୟମାନଙ୍କ ବହି ସହିତ ସେମାନେ ନିଜ ପ୍ରକାଶିତ ଛବିଳ ଗପ ବହି ଶସ୍ତା ମୂଲ୍ୟରେ ବିକ୍ରୟ କରୁଥିଲେ । ଏହା ସହିତ ସେଇ ସମୟ ରେ ସେମାନେ ଯାତ୍ରୀଟିଏ ଗୋଟିଏ ଷ୍ଟେସନ ରୁ ବହିଟିଏ ଧାର ନେଇ ବାଟରେ ପଢି ଆଉ ଗୋଟିଏ ଷ୍ଟେସନ ରେ ଫେରାଇପାରିବାର ବ୍ୟବସ୍ଥାର ପ୍ରଚଳନ କରିଥିଲେ।
ଏ ବ୍ୟବସାୟିକ ସଫଳତା ସେମାନଙ୍କୁ ବିଂଶ ଶତାବ୍ଦୀ ଆଡକୁ ରେଳଷ୍ଟେସନରୁ ଅନ୍ଯ ଭୂଭାଗ କୁ ଟାଣି ଆଣିଥିଲା ବହି ଦୋକାନ କରିବାପାଇଁ।
ଶେଷ ରେ ଠିକ୍ ସେଇ ନଭେମ୍ବର ୧ ତାରିଖ ।  ମସିହା କିଂତୁ ୨୦୦୯ ।
ମେକ୍ସିକୋ ଆଉ ଯୁକ୍ତରାଷ୍ଟ୍ର ରେ ଭୟାବହ ସ୍ୱାଇନ୍ ଫ୍ୱୁ ସମଗ୍ର ପୃଥିବୀ ସୁରକ୍ଷିତ ହୋଇ ରହିବା ପାଇଁ ବ୍ୟଗ୍ର ଏହି ମହାମାରୀର କବଳରୁ । କାଶିବା ଆଉ ଛିଙ୍କିବା କାରଣରୁ ସହସ୍ରାଧିକ ଘୁଷୁରିଙ୍କୁ ହତ୍ୟା କରାଗଲା ।
ପୂର୍ବରୁ ୧୯୮୬ ରେ ବ୍ରିଟେନରେ ଗାଈମାନେ ପାଗଳ ହେବାରୁ ଲୋକ ମାନଙ୍କର ସ୍ମୃତିଭ୍ରମ ରୋଗ ବ୍ୟାପିଲା । ଏଥିରୁ ମୁକ୍ତ ହେବା ପାଇଁ ଲକ୍ଷାଧିକ ଗାଈଗୋରୁଙ୍କୁ ମାରିଦିଆଗଲା ।
୧୯୯୭ ର ବାର୍ଡ ଫ୍ଲୁ ରୁ ମୁକ୍ତି ପାଇବା ପାଇଁ ହଙ୍ଗ କଙ୍ଗ ରେ ଅବାଧ ପକ୍ଷି ଶୀକାର ଚାଲିଲା।
ତେଣୁ ଏଥିରୁ ଗୋଟିଏ ନିଷ୍କର୍ଷ।

ମଣିଷର ରୋଗ ପାଇଁ ଦୋଷୀ, କେବଳ ପଶୁ।

ସମଗ୍ର ପୃଥିବୀର କୃଷିଜାତ ପଦାର୍ଥ ର ବ୍ୟବସାୟୀ ଯେଉଁ ମାନେ କୁହୁକ ବଳରେ ଖାଦ୍ୟ ପଦାର୍ଥ କୁ ରାସାୟନିକ ବୋମା କରିଦେଇ ପାରନ୍ତି ସେମାନଙ୍କର ଆଦୌ ଦୋଷ ନାହିଁ ।
କୁହୁକ ବିଦ୍ୟାଟିମାନ ଆମର ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ।

ପାରଳାଖେମୁଣ୍ଡିର ଧାନରୁଆଳି ଗୀତ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତଳି ଭାଙ୍ଗି ଗଲି ଏକା
ତଳି ଭାଙ୍ଗି ତଳି କଚାଡ଼ି ପକା 
ଜୁଡ଼ା ଭାଙ୍ଗି ଫୁଲ ଦେଖା ।

ମହୁଲ ଭାଙ୍ଗିଲା କୁଞ୍ଚିି
ଝାଲିଆ ମୟୁର ଝାଲ ବିଞ୍ଚିଛି
ଝରଣିଆ ପାଣି ଦେଖି ।

ଚିରିଲି ଚେରୁଆ କାଠ
ଶୀତ କଲେ ବନ୍ଧୁ ପାଖକୁ ଆସ
ପାଖକୁ ଆସ ହେ, ଘୋଡ଼ାଇବା ଯୋଡ଼ା ମାଠ ।

କବାଟ କଣେ ବାରିସି
ମୁଖକୁ ଦେଖିଲେ ଲାଜ ଲାଗୁଛି
ଲାଜ ଲାଗୁଛି ଯେ ବନ୍ଧାଇବା ଆମ୍ବ କଷି ।

କଞ୍ଚା ମରିଚର ଗଡ଼ି
ଯୋଉଦିନୁ ଗଲେ ସାଙ୍ଗର ଘଡ଼ି
ଦେହ ଯାଉଥିଲା ଝଡ଼ି ।

କାକୁଡ଼ିକି ଦେଲି ରଞ୍ଜା
ବୁକୁ ପଣତରେ ଚାଉଳ ଭଜା
ହାତରେ ଡାଳିମ୍ବ ଖଜା ।
ଦୀପ ସୀସା ତଳେ କଳା
ତୋଠୁ ବଳି ନାହିଁ ଅମୁଲ ତରା 
ଝଲକି ନ ପଡ଼େ ଧରା ।

ଆଠଗଡ଼ ବୋଇରାଣୀ
ଶୁଖିଲା ପତର ପଇଡ଼  ପାଣି
ବୁଢ଼ୀକାଳେ ଭୁଆସୁଣୀ ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

 ପାଲି ଧମ୍ମପଦ (୪୮-୪୯) ର ଓଡ଼ିଆ  ପଦ୍ୟାନୁବାଦ


୫ ଓ ୬ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)


ବୋଧିଧର୍ମ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ପୁପ୍ଫାନି ହେବ ପଚିନନ୍ତଂ ବ୍ୟାସତ୍ତମନସଂ ନରଂ ।
ଅତିତ୍ତଂ ଯେବ କାମେସୁ ଅନ୍ତକୋ କୁରୁତେ ବସଂ । ୫।

ପୁଷ୍ପାଣି ହ୍ୟେବ ପ୍ରଚିନ୍ୱନ୍ତଂ ବ୍ୟାସକ୍ତମନସଂ ନରମ୍ ।
ଅତୃପ୍ତମ୍ ଏବ କାମେଷୁ ଅନ୍ତକଃ କୁରୁତେ ବସଂ ।୫।

ସଙ୍ଗ୍ରହ କରେ ରାଗାଦି ପୁଷ୍ପ ଯେଉଁ ନର ।
ବିଶେଷ ଭାବେ ଆସକ୍ତ ମନ ଅଟେ ଯାର ।।
କାମଭୋଗରେ ଅତୃପ୍ତ ରହେ ସେହୁ ଜନ ।
ବଶୀଭୂତ କରେ ତାକୁ ନିଶ୍ଚେ ଜନ୍ତୁରାଣ ।୫।


ଯଥାପି ଭମରୋ ପୁପ୍ଫଂ ବଣ୍ଣଗନ୍ଧଂ ଅହେଠୟଂ ।
ପଳେତି ରସମାଦାୟ ଏବଂ ଗାମେ ମୁନୀ ଚରେ ।୬।

ୟଥାପି ଭ୍ରମରଃ ପୁଷ୍ପଂ ବର୍ଣ୍ଣଗନ୍ଧମ୍ ଅହେଠୟନ୍ ।
ପଳାୟତେ ରସମାଦାୟ ଏବଂ ଗ୍ରାମେ ମୁନିଃ ଚରେତ୍ ।୬।

ଯେପରି  ଭ୍ରମର କରେ ରସ ଆହରଣ 
କ୍ଷତି ନ କରି ପୁଷ୍ପର ରୂପ ଆଉ ବର୍ଣ୍ଣ
ସେହିପରି ଭାବରେ ଗ୍ରାମରେ ମୁନିଗଣ
ଉଚିତ ଅଟେ କରିବା ନିଶ୍ଚେ ବିଚରଣ ।୬।