Friday, October 07, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୯




ଜଗତର ଅନ୍ତର୍ଗତ ଅଗ୍ନି ଯଥା ଏକ
ରୂପଭେଦେ କାଷ୍ଠାଦିରେ ପ୍ରକାଶେ ଅନେକ ।

ତଥା ଏକ ଆତ୍ମା ସର୍ବଭୂତ ଅଭ୍ୟନ୍ତରେ
ଶରୀର ବିଭେଦେ ଦିଶେ ବିଭିନ୍ନ ରୂପରେ ।

ଶରୀର ଆକାର ବର୍ଣ୍ଣେ ଆତ୍ମା ଅବାଧିତ 
ଆକାଶ ପରାଏ ମୁକ୍ତ ବିକାରରହିତ । (ନ.ଉ. ୨।୨।୩୨)

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୬



ରାଜା ରବି ବର୍ମା କୃତ ଶଙ୍କରାଚାର୍ଯ୍ୟଙ୍କର ଚିତ୍ର 

ଗୁହ୍ୟ ସନାତନ ବ୍ରହ୍ମତତ୍ତ୍ୱ ଗଉତମ
କହେ ଏବେ ଶୁଣ ଯେଣେ ଯିବ ମନୁ ଭ୍ରମ ।

ଲଭିଲେ ଯେ ଜ୍ଞାନ ମିଳେ ଚିର ମୋକ୍ଷପଦ
ପାର ହୁଏ ଜୀବ ଜନ୍ମ ମରଣ-ବିପଦ ।

ବ୍ରହ୍ମଜ୍ଞାନ ବିନା ଦେହୀ ମରି ପୁଣ ପୁଣ
ଭଜେ ଯେ ଦୁର୍ଗତି କହେଁ ନଚିକେତ ଶୁଣ । (ନ.ଉ. ୨।୨।୩୧)

Thursday, October 06, 2016

ବସନ୍ତପୁରରେ ନିରୁଦ୍ଦିଷ୍ଟ ବସନ୍ତ


ପୁଷ୍ପାଞ୍ଜଳି ଶତପଥି ଓ ସାଥୀ 


ସମ୍ବଲପୁର ଦୁର୍ଗରୁ ମହାନଦୀର ଦୃଶ୍ୟ, ୧୮୨୫
ଅଜଣା କଳାକାର
ଗିଲବର୍ଟ ସଙ୍ଗ୍ରହର ଅଂଶ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


୧୯୪୬ ମସିହାରେ ହିରାକୁଦ ପ୍ରକଳ୍ପର ପରିପୂରକ ଜଳଭଣ୍ଡାର ଚିପିଲିମା ପାଇଁ ବସନ୍ତପୁର ପଞ୍ଚାୟତର ଛଅଟି ଗାଁ - ବସନ୍ତପୁର, ସାହାଜବାହାଲ, ଗଡ଼ମୁଣ୍ଡା, ସତୀଜୋର୍, ରେଙ୍ଗାଲ୍ ପାଲି ଓ ତାଲ୍ ପଦର୍ - ରେ ସାଢେ ସାତ ହଜାର ଏକର ଜମି ଅଧିଗ୍ରହଣ କରାଗଲା । କ୍ଷତିପୁରଣ ଭାବରେ ମାଣେ ଚାଷ ଜମି ପାଇଁ ଶହେ ଟଙ୍କା ଓ ଘର ପିଛା ହଜାରେ ଟଙ୍କା ଭାବରେ ନାମକୁ ମାତ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ହିରାକୁଦ ପ୍ରକଳ୍ପ ତଥା ଚିପିଲିମା ଜଳଭଣ୍ଡାର ପାଇଁ କାମ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଚିପିଲିମା ପ୍ରକଳ୍ପର ପ୍ରାରୂପ ବଦଳାଇଦିଆଗଲା । ଏଣୁ, ଅଧିଗ୍ରହିତ ସାଢ଼େ ସାତ ହଜାର ଏକର ଜମିରୁ ମାତ୍ର ପାଞ୍ଚଶହ ଏକର ମୂଳ ଉଦ୍ଦେଶ୍ୟ ଲାଗି ବ୍ୟବହୃତ ହେଲା । ଏହି ପରିବର୍ତ୍ତିତ ଯୋଜନାରୁ ଆହୁରି ଏକ ଲାଭ ଏହା ହେଲା ଯେ, ଲୋକଙ୍କୁ ନିଜର ବାସସ୍ଥାନରୁ ଉତ୍ଖାତ ହେବାକୁ ପଡ଼ିଲା ନାହିଁ । ଏହି ପାଞ୍ଚଶହ ଏକରରୁ ୧୨୧.୯୦ ଏକର ଜମି ବସନ୍ତପୁର ମଉଜାର ଥିଲା । ବାକିତକ ଜମି ପଞ୍ଚାୟାତର ଅନ୍ୟ ଗ୍ରାମଗୁଡ଼ିକରୁ ଅଧିଗୃହିତ ହୋଇଥିଲା । ବାକିତକ ସାତହଜାର ଏକର ଜମି କାମରେ ଲାଗିଲା ନାହିଁ । ମାତ୍ର ସରକାର ସେହି ଜମି ନିୟମ ଅନୁସାରେ ସେହି ଜମିକୁ ମୂଳ ମାଲିକମାନଙ୍କୁ ଫେରସ୍ତ କଲେନାହିଁ । ଏହି ଜମିର ମାଲିକ ଜଳସମ୍ପଦ ବିଭାଗ ପାରମ୍ପରିକ ଜମିଦାରଙ୍କ ଭଳି ଆଚରଣ କରି ଜମି ଉପରୁ ମାଲିକାନା ଛାଡ଼ିଲେ ନାହିଁ ।

ଏହି ଗ୍ରାମର ଅଧିବାସୀମାନେ ନିଜର ଜମି ଫେରି ପାଇବା ପାଇଁ ଦାବୀ ଉପସ୍ଥାପିତ କଲେ । ଅତିରିକ୍ତ ଥିବା ଉଦ୍ବୃତ୍ତ ସାତ ହଜାର ଜମିର ମାଲିକାନା କିନ୍ତୁ ସରକାର ଛାଡ଼ିବା ପାଇଁ ଅରାଜି ହେଲେ । ଛୋଟ ଛୋଟ ଜମିଖଣ୍ଡରେ ବାର୍ଷିକ ଲିଜ୍ ନେଇଁ ଚାଷ କରିବା ପାଇଁ ସରକାର ମୂଳ ଅଧିବାସୀମାନଙ୍କୁ ଅନୁମତି ଦେଲେ । ଏହି ପରିସ୍ଥିତିରେ ସରକାର ୧୯୬୨-୬୩ ମସିହାରେ ଅଧିଗ୍ରହିତ ଜମିରେ ଗୋଟିଏ ଗୋଶାଳା ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ । ମାତ୍ର ସ୍ଥାନୀୟ ଲୋକେ ଏହାର ସଙ୍ଗଠିତ ବିରୋଧ କରିବାରୁ କାମ ବିଶେଷ ଆଗେଇପାରିଲା ନାହିଁ । ଶେଷକୁ ସରକାର ୧୯୬୮ ମସିହାରେ ୪୪୭.୪୬ ଏକର ଜମି ଏହି ଗୋଶାଳାକୁ ଦାନ କଲେ । କେନ୍ଦ୍ରିୟ ଗୋପ୍ରଜନନ କ୍ଷେତ୍ରର ଅଧିକାରୀମାନେ ଏହି ଜମିକୁ ଘେରାଇଦେଲେ । ସରକାର ପୂର୍ବର ବାର୍ଷିକାଲ ଲିଜ୍ କୁ ମଧ୍ୟ ବାତିଲ କରିଦେଲେ । ଏହା ଦ୍ୱାରା ଜନଅସନ୍ତୋଷ ତଥା ବିରୋଧ ବଢ଼ିବାରେ ଲାଗିଲା । ଲୋକମାନଙ୍କର ଅବସ୍ଥା ମଧ୍ୟ ଦିନକୁ ଦିନ ଖରାପ ଆଡ଼କୁ ଗତି କରିବାକୁ ଲାଗିଲା । ଏହି ପରିସ୍ଥିତିରେ ପ୍ରଖ୍ୟାତ ସାମ୍ୟବାଦୀ ନେତା ଓ ଶିଳ୍ପୀ ଶ୍ରୀ ପ୍ରସନ୍ନ ପଣ୍ଡାଙ୍କର ଆବାହନରେ ଗଣ ଆନ୍ଦୋଳନ ତେଜ ଧରିଲା । ଏହି ଆନ୍ଦୋଳନର ପ୍ରଭାବ ଯୋଗୁଁ ସରକାର ପୁଣି ଆଉଥରେ ଲିଜ୍ ରେ ଜମି ଦେବାକୁ ଆରମ୍ଭ କଲେ । ଏଥର ଜମିର ପରିମାଣ ମଧ୍ୟ ବଢ଼ିଲା । ଏହା ବୃଦ୍ଧି ପାଇ ଏଥର ୯୫୦ ଏକର ହେଲା । ୧୯୮୯-୯୦ ମସିହାରେ ଓଡ଼ିଶା ରାଜ୍ୟ ବିଧାନସଭାର ସରକାରୀ ଆସ୍ୟୁରାନ୍ସ୍ କମିଟିଙ୍କର ସଭାପତି ବସନ୍ତପୁର ପଞ୍ଚାୟତରେ ନିଜ ଜମି ଭୋଗଦଖଲ କରୁଥିବା ଚାଷୀମାନଙ୍କୁ ମାଲିକାନା ଫେରସ୍ତ କରିବା ସପକ୍ଷରେ ମତ ଦେଲେ । ମାତ୍ର ସରକାର ଏହି ବୈଧାନିକ କମିଟିର ସଭାପତିଙ୍କର ମତକୁ ଖାତିର କଲେ ନାହିଁ । ବରଂ ୧୯୯୧ ମସିହା ପାଖାପାଖି ଜମି ନିଜ ସରକାର ଦ୍ୱାରା ଅଧିକୃତ ନିଜର ଜମିକୁ ନିଜ ଅକ୍ତିଆରକୁ ନେଇ ଚାଷ କରୁଥିବା ଲୋକଙ୍କ ଉପରେ ସରକାର ନାନା ଜୋରିମାନା ଜାରିକରିବା ମଧ୍ୟ ଆରମ୍ଭ କଲେ ।

ଏହି ଗୋଶାଳା ଛଡ଼ା ସରକାର ନାନାଦି ଅନୁଷ୍ଠାନକୁ ବସନ୍ତପୁର ପଞ୍ଚାୟତର ଜମି ଦାନ କରିଆସୁଛନ୍ତି । ବସନ୍ତପୁର ପଞ୍ଚାୟତରେ ଓ.ୟୁ..ଟି. ର ସ୍କୁଲ୍ ଅଫ୍ ଏଗ୍ରିକଲ୍ଚର୍ ଓ ସ୍କୁଲ୍ ଅଫ୍ ହର୍ଟିକଲ୍ଚର୍ ନିର୍ମାଣ କରିବା ପାଇଁ ସରକାର ଜମି ପ୍ରଦାନ କରିଅଛନ୍ତି । ରାଜ୍ୟର ଦ୍ୱିତୀୟ ସୈନିକ ବିଦ୍ୟାଳୟ ମଧ୍ୟ ଏହି ଅଧିଗ୍ରହିତ ଜମି ଉପରେ ନିର୍ମାଣ ହେଉଅଛି । ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇ. ଆଇ. ଏମ୍.) ର ସ୍ଥାୟୀ ପରିସର ମଧ୍ୟ ବସନ୍ତପୁରର ଅଧିକୃତ ଜମିରେ ନିର୍ମିତ ହେବ ବୋଲି ଯୋଜନା ଅଛି । ଆଇ.ଆଇ.ଏମ୍.ର ପ୍ରସ୍ତାବିତ ସ୍ଥାୟୀ ପରିସର ପାଖରେ ହିଁ ଗଙ୍ଗାଧର ମେହେର ଏକକ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ନିମନ୍ତେ ଯଥାକ୍ରମେ ପଚାଶ ଓ ପଚିଶି ଏକର ଜମି ସରକାର ଯୋଗାଇ ଦେଇଛନ୍ତି ।

ଏହି ବୃତ୍ତାନ୍ତରୁ ଏହା ସ୍ପଷ୍ଟ ହୋଇଯିବା କଥା ଯେ ସରକାର ଜମି ତାହାର ମୂଳ ଅଧିକାରୀମାନଙ୍କୁ ଫେରାଇବା ପାଇଁ ଚାହୁଁନାହାନ୍ତି । ଏଥି ଦ୍ୱାରା ଯେ ଆଇନିର ଉଲ୍ଲଙ୍ଘନ ହେଉଛି ଓ ସାଧାରଣ ଜନତାଙ୍କର ଭୂମ୍ୟାଧିକାରର ହନନ ହେଉଛି, ତାହା ସରକାର ସ୍ୱୀକାର କରିବା ପାଇଁ ରାଜି ନୁହନ୍ତି । ବରଂ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଏହି ଜମିକୁ ସମ୍ବଲପୁର ସହର ପାଖରେ ସୁବିଧାଜନକ ଭାବରେ ଅବସ୍ଥିତ ଏକ ଜମି ବ୍ୟାଙ୍କ୍ ଭାବରେ ଦେଖୁଛନ୍ତି ଯାହାକୁ ମନଇଚ୍ଛା ଯେ କୌଣସି ଅନୁଷ୍ଠାନକୁ ଯେ କୌଣସି ସମୟରେ ଯୋଗାଇ ଦିଆଯାଇପାରିବ । ସରକାରୀ କଳର ଅଧିକାରୀମାନଙ୍କର ମତ ହେଲା ଯେ ଯେହେତୁ ବସନ୍ତପୁର ପଞ୍ଚାୟତର ଜମି ମାଲିକମାନଙ୍କୁ କ୍ଷତିପୁରଣ ମିଳିସାରିଛି, ସେହି ଜମିର ମାଲିକ ବର୍ତ୍ତମାନ ସରକାର ଓ ସେ ଏହି ଜମି ସହିତ ଯାହା ଚାହିଁବେ, ତାହା କରିପାରିବେ । ମାତ୍ର ନିୟମ ଅନୁସାରେ ଯଦି କୌଣସି କାରଣରୁ ଅଧିଗ୍ରହିତ ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେହି କାମରେ ଲାଗିପାରିଲା ନାହିଁ, ତାହାହେଲେ ସେହି ଜମିର ମାଲିକାନା ମୂଳ ଅଧିକାରୀମାନଙ୍କ ପାଖକୁ ଫେରସ୍ତ ଆସିବା କଥା । ମାତ୍ର ଓଡ଼ିଶା ସରକାର ବସନ୍ତପୁରର କ୍ଷେତ୍ରରେ ସେପରି କୌଣସି ପଦକ୍ଷେପ ନେଇନାହାନ୍ତି । ଫଳରେ ତିନି ପୁରୁଷରୁ ଅଧିକ ହେଲାଣି, ଲୋକେ ଅସ୍ଥିରତା ଓ ଦୁଃଶ୍ଚିନ୍ତାରେ କାଳାତିପାତ କରୁଛନ୍ତି । ବିସ୍ଥାପିତ ନ ହୋଇ ମଧ୍ୟ ବିସ୍ଥାପନର ଦୁଃଖ ଭୋଗୁଛନ୍ତି ।

ମାତ୍ର ଏହି ଦୁଃଖ କେବଳ ବସନ୍ତପୁର ପଞ୍ଚାୟତର ଅଧିବାସୀମାଙ୍କର ନୁହେଁ । କୋରାପୁଟ୍ ରେ ହାଲ୍ ର କାରଖାନା ପାଇଁ ଅଧିଗ୍ରହଣ କରାଯାଇଥିବା ଜମିରେ, ଗୋପାଳପୁରରେ ଟାଟାର ଇସ୍ପାତ କାରଖାନା ପାଇଁ ଅଧିଗ୍ରହଣ କରାଯାଇଥିବା ଜମିରେ, ତଥା ରାଉରକେଲା ଇସ୍ପାତ କାରଖାନା ପାଇଁ ଅଧିକୃତ ଜମିକୁ ନେଇ ଆମେ ସେଇ ଏକା ପ୍ରକାରର ଅସୁବିଧାଟିମାନ ଦେଖିବାକୁ ପାଇବା । ଏଥି ମଧ୍ୟରେ ବସନ୍ତପୁରର ଭୂମି ସମସ୍ୟାକୁ ନେଇ ଆଉ ଗୋଟିଏ ଭୂମି ଆନ୍ଦୋଳନ ଦାନା ବାନ୍ଧିବାର ଦେଖାଗଲାଣି । ସରକାରଙ୍କର ଭୂମିକ୍ଷୁଧା ଆଗରେ ଛଅଟି ଗାଁର ଗରୀବ ଖଟିଖିଆ ଲୋକଙ୍କର ଭୂମ୍ୟାଧିକାର ବଳିପଡ଼ିବା ଅନୁଚିତ ।

ବି.ଦ୍ର. ଏହି ଲେଖାଟି ଏକ ଭିନ୍ନ ଶୀର୍ଷକରେ ଦୈନିକ ଧରିତ୍ରୀର ୪ ଅକ୍ଟୋବର ୨୦୧୬ ସଂଖ୍ୟାର ସମ୍ପାଦକୀୟ ପୃଷ୍ଠାରେ  ଛପା ହୋଇଥିଲା । 

Wednesday, October 05, 2016

ବଡ଼ମୁଳର କାହାଣୀ



ପୁଷ୍ପାଞ୍ଜଳି ଶତପଥି ଓ ସାଥୀ


ବ୍ରାହ୍ମଣୀ ଓ ମହାନଦୀର ରେଖାଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ବଡ଼ମୂଳ ଅନୁଗୁଳ ଜିଲ୍ଲାର ଗୋଟିଏ ଗାଁ । ଏଥିର ଅଧିବାସୀମାନେ ଡେରେଜଙ୍ଗ ଜଳଭଣ୍ଡାରର ବୁଡ଼ି ଅଞ୍ଚଳର ଲୋକେ । ୧୯୬୦ ମସିହାରେ ଡେରେଜଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଥିଲି ଓ ଲିଙ୍ଗରା ନଦୀ ଦୁଇଟି ଉପରେ ଆରମ୍ଭ ହେଲା । ଏହି ନଦୀ ଦୁଇଟି ଡେରେଜଙ୍ଗ ପ୍ରକଳ୍ପର ତଳମୁଣ୍ଡକୁ ଆଉ କିଛି ବାଟ ପରେ ସମ୍ମିଳିତ ହୁଅନ୍ତି ତଥା କିଛି ଦୂର ପରେ ବ୍ରାହ୍ମଣୀର ଦକ୍ଷିଣ ଦିଗର ଶାଖା ନଦୀ ଭାବରେ ଯୋଗ ଦିଅନ୍ତି । ଡେରେଜଙ୍ଗ ସ୍ୱାଧିନତା ପରବର୍ତ୍ତୀ ସମୟର ପ୍ରଥମ ମଧ୍ୟମ ଜଳସେଚନ ଯୋଜନା ଅଟେ । ପ୍ରକଳ୍ପର କାମ ୧୯୭୭-୭୮ ମସିହାରେ ପୂର୍ଣ୍ଣ ହେଲା । ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଖରିଫ୍ ୠତୁରେ ୭୯୦୦ ହେକ୍ଟାର୍ ରୁ ଉର୍ଦ୍ଧ୍ୱ ତଥା ରବି ୠତୁରେ ୨୦୦ ହେକ୍ଟାର୍ ପାଖାପାଖି ଚାଷ ଜମି ଜଳସେଚିତ ହେଉଅଛି । ଅନୁଗୁଳ ସହର ପାଖରେ, ନଗର ଠାରୁ ମାତ୍ର ସାତ କିଲୋମିଟର ଦୂରରେ, ଅବସ୍ଥିତ ହୋଇଥିବାରୁ ଏହି ଜଳସେଚନ ପ୍ରକଳ୍ପର ଜଳଭଣ୍ଡାରଟି ଗୋଟିଏ ପର୍ଯ୍ୟଟନ ସ୍ଥଳ ଭାବରେ ମଧ୍ୟ ନଗରବାସୀମାନଙ୍କ ଦ୍ୱାରା ବ୍ୟବହୃତ ହେଉଛି ।

ମାତ୍ର ଏହି ପ୍ରକଳ୍ପ ଯୋଗୁଁ ଯେଉଁମାନେ ଜମି ହରାଇଲେ, ଉଦ୍ବାସ୍ତୁ ହେଲେ, ସେମାନେ ପ୍ରକଳ୍ପ ଶେଷ ହେବାର ଚାଳିଶି ବରଷ ପରେ ମଧ୍ୟ ଯେଉଁ ତିମିରେ କୁ ସେଇ ତିମିରେ । ବଡମୂଳ ଗାଁ ଓ ତାହାର ଅଧିବାସୀମାନେ ଏହାର ଏକ ପ୍ରକୃଷ୍ଟ ଉଦାହରଣ ଅଟନ୍ତି । ପ୍ରକଳ୍ପର କାମ ଜୋର ଧରିବା ପରେ ୧୯୬୮ ମସିହାରେ ଡେରେଜଙ୍ଗ, ପୋଡ଼ାଖମନ ଓ ମାଧିଆମୁଣ୍ଡା, ଏହି ତିନୋଟି ଗାଁକୁ ପ୍ରକଳ୍ପ ପ୍ରଭାବିତ ଭାବରେ ଘୋଷଣା କରାଗଲା । ଏହି ତିନୋଟି ଗାଁ ପ୍ରସ୍ତାବିତ ଜଳଭଣ୍ଡାର ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହେବ ବୋଲି ଜଣାପଡିଲା । ଏହି ତିନୋଟି ଗାଁକୁ ବିସ୍ଥାପିତ କରିବା ପାଇଁ ନୋଟିସ୍ ଜାରି କରାଗଲା । ପୋଡ଼ାଖମନ ଓ ମାଧିଆମୁଣ୍ଡା ଗାଁ ଦୁଇଟିର ବିସ୍ଥାପିତ ଲୋକମାନଙ୍କୁ ଆଖପାଖର ରାଜସ୍ୱ ଜମିରେ ଥଇଥାନ କରାଗଲା । ହେଲେ ପାଖରେ ଉପଯୁକ୍ତ ଜମିର ଅଭାବରୁ ଡେରେଜଙ୍ଗ ଗାଁର ଲୋକଙ୍କୁ ସିମିଳିପଥର ସଂରକ୍ଷିତ ଜଙ୍ଗଲର ଦୁର୍ଗାପୁର ରେଞ୍ଜ୍ ରେ ପୁନର୍ବାସିତ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଯେହେତୁ ୧୯୮୦ ମସିହାର ଜଙ୍ଗଲ ସଂରକ୍ଷଣ ଆଇନି ସେ ସମୟ ପର୍ଯ୍ୟନ୍ତ ଲାଗୁ ହୋଇନଥିଲା, ତତ୍କାଳିନ ଉପମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପବିତ୍ରମୋହନ ପ୍ରଧାନଙ୍କର ନେତୃତ୍ତ୍ୱରେ ଜଙ୍ଗଲ ଜମି ସଫା କରି ଏହି ଲୋକଙ୍କୁ ବାସସ୍ଥାନ ଯୋଗାଇ ଦେବା ପାଇଁ ସରକାର ତରଫରୁ ପଦକ୍ଷେପ ନିଆଗଲା ।

ଡେରେଜଙ୍ଗ ଗ୍ରାମରୁ ବିସ୍ଥାପିତ ୧୫୩ଟି ଅଣ-ତଫସିଲଭୁକ୍ତ ପରିବାରଙ୍କର ବସ୍ତି ବର୍ତ୍ତମାନର ବଡ଼ମୂଳ ଗାଁର ରୂପ ନେଇଅଛି । ଗାଁଟି ସଦରମହକୁମା ଅନୁଗୁଳଠାରୁ ପାଖାପାଖି ତିରିଶ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗାଁଟି ଏବେ ମଧ୍ୟ ବହୁତ ପଛୁଆ । ଗାଁକୁ ପଡ଼ିଥିବା ଗମନାଗମନ ପାଇଁ ରାସ୍ତାଟି ଏ ପର୍ଯ୍ୟନ୍ତ ପକ୍କା ହୋଇପାରିନାହିଁ । ଗାଁର ବିଦ୍ୟାଳୟଟିରେ ମାତ୍ର ଅଷ୍ଟମ ପର୍ଯ୍ୟନ୍ତ ପଢ଼ିବାର ବ୍ୟବସ୍ଥା ଅଛି । ଗାଁରେ ସାପକାମୁଡ଼ା ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରନ୍ତି । କେବଳ ୧୯୭୮ ମସିହାରେ ଗୋଟିଏ ବରଷରେ ୧୫ ଜଣ ଲୋକ ସାପକାମୁଡ଼ାରେ ମରିଥିଲେ । ଗାଁରେ ପିଇବା ପାଣିର ବିଶେଷ ସୁବିଧା ନାହିଁ । ଏହିସବୁ କାରଣ ଯୋଗୁଁ ଏହାମଧ୍ୟରେ ପାଖାପାଖି ୧୦୦ ଜଣ ଲୋକେ ଗାଁରୁ ଅନ୍ୟତ୍ର ଚାଲିଯାଇଅଛନ୍ତି । ଏବେ ବଡମୂଳ ଗାଁରେ ପଞ୍ଚାଅଶୀଟି ପରିବାର ବସବାସ କରୁଛନ୍ତି । ଗାଁଟିର ସମୁଦାୟ ଜନସଂଖ୍ୟା ଚାରିଶହରୁ ଉର୍ଦ୍ଧ୍ୱରେ । ଗାଁଟିର ଅଧିକାଂଶ ଲୋକ ଦିନମଜୁରିଆ ଭାବରେ ନହେଲେ ଚାଷବାସ କରି ଜୀବିକାନିର୍ବାହ କରନ୍ତି । ସରକାରୀ ସୂତ୍ରରୁ ଜଣାପଡ଼େ ଯେ ଗାଁର ଲୋକଙ୍କୁ ଚାଷ ପାଇଁ ୨୪୭.୦୫ ହେକ୍ଟାର୍ ଜମି ତଥା ଘରବାଡ଼ି ପାଇଁ ୧୨୫.୨୮୩ ହେକ୍ଟାର୍ ଜମି ଯୋଗାଇ ଦିଆଯ।ଇଛି । ସଂରକ୍ଷିତ ଜଙ୍ଗଲ ଭିତରେ ଅବସ୍ଥିତ ହୋଇଥିବାରୁ ଏହି ଜମିର ମାଲିକାନା ଏ ପର୍ଯ୍ୟନ୍ତ ନିୟମିତୀକରଣ ହୋଇନାହିଁ । ଜମିର ମାଲିକାନା ଏ ପର୍ଯ୍ୟନ୍ତ ଲୋକଙ୍କ ନାଁରେ ହୋଇନଥିବାରୁ ଲୋକେ ଅନେକ ଅସୁବିଧା ଭୋଗୁଛନ୍ତି । ଦୁଇ ପୁରୁଷ ଧରି ଭୋଗଦଖଲ କରିସାରିଲା ପରେ ମଧ୍ୟ ଦେଶର ତଥାକଥିତ ବିକାଶ ପାଇଁ ଭିଟାମାଟି ହରାଇଥିବା ଲୋକେ ଏ ପର୍ଯନ୍ତ ନିଜର ଭୁମ୍ୟାଧିକାରରୁ ବଞ୍ଚିତ ଅଛନ୍ତି । ଲୋକେ ରାଜସ୍ୱ ବିଭାଗକୁ ଚିଠି ଲେଖିଲେଖି ଓ ବିଭାଗୀୟ କର୍ମକର୍ତ୍ତାଙ୍କୁ ଭେଟିଭେଟି ଥକି ଗଲେଣି ।

ଜମି ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଓ ନିଜର ଅଧିକାରର ନିୟମିତୀକରଣ ପାଇଁ ଲୋକେ ଅନେକ ବର୍ଷ ହେଲାଣି ଉଦ୍ୟମ ଜାରି ରଖିଛନ୍ତି । ୧୯୭୭ ମସିହାରେ ବଡ଼ମୂଳର ଗ୍ରାମବାସୀମାନେ ମୂଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି, ରାଜସ୍ୱମନ୍ତ୍ରୀ, ଅନୁଗୁଳର ଜିଲ୍ଲା ଜଙ୍ଗଲ ଅଧିକାରୀ, ତଥା ତହସିଲଦାରଙ୍କୁ ଭେଟି ଏ ବିଷୟରେ ଜ୍ଞାପନ ପ୍ରଦାନ କରିଛନ୍ତି । ମାତ୍ର ଏହା ଫଳରେ ସମସ୍ୟା ସମାଧାନ ହେବା ଦିଗରେ କିଛି ଅଗ୍ରଗତି ହେଲା ନାହିଁ । ୨୦୦୮ ମସିହାରେ ତହସିଲଦାରଙ୍କ ଦ୍ୱାରା ଗ୍ରାମବାସୀଙ୍କୁ ଜଣାଇଦିଆଗଲା ଯେ ଉକ୍ତ ଭୂମି ଜଙ୍ଗଲ ଜମି ହୋଇଥିବାରୁ ଜଙ୍ଗଲ ସଂରକ୍ଷଣ ଆଇନିର ପ୍ରାବଧାନଗୁଡ଼ିକ ଯୋଗୁଁ ଏହି ଜମିର ନିୟମିତୀକରଣ ହୋଇପାରିବ ନାହିଁ । ଯେହେତୁ ଜଙ୍ଗଲ ସଂରକ୍ଷଣ ଆଇନି ୧୯୮୦ ମସିହାରେ ଲାଗୁ ହେଲା, ଏହିସବୁ ଘଟଣାକୁ ଦେଖି ଏହା କୁହାଯାଇପାରେ ଯେ ଯଦି ଜିଲ୍ଲା ପ୍ରଶାସନ ଲୋକାଭିମୁଖୀ ହୋଇଥାଆନ୍ତା ତାହାହେଲେ ୧୯୬୦ ଓ ୧୯୭୦ ଦଶକରେ ହିଁ ଏହି ବିସ୍ଥାପିତ ଲୋକଙ୍କର ଭୂମ୍ୟାଧିକାରର ନିୟମିତୀକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଉଠାଇପାରିଥାଆନ୍ତା । କାରଣ ସେହି ଦଶକଗୁଡ଼ିକରେ ଜଙ୍ଗଲ ସଂରକ୍ଷଣ ଆଇନିର ପ୍ରାବଧାନଗୁଡିକର କଟକଣା ନଥିଲା, ଯେହେତୁ ଆଇନି ସେ ପର୍ଯ୍ୟନ୍ତ ଲାଗୁ ହୋଇ ନ ଥିଲା ।


ଓଡ଼ିଶା ସରକାରଙ୍କର ଜଙ୍ଗଲ ବିଭାଗର ସଚିବ ୨୦..୨୦୦୭ ରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଲିଖିତ ଏକ ଚିଠିରେ ଏହା ଦର୍ଶାଇଥିଲେ ଯେ ୨୩୦.୯୮୭୪ ହେକ୍ଟାର୍ ଜଙ୍ଗଲ ଜମି ବଡ଼ମୂଳର ଗ୍ରାମବାସୀମାନଙ୍କର ଭୂମ୍ୟାଧିକାରର ନିୟମିତୀକରଣ ପାଇଁ ପ୍ରଥମ ସ୍ତରୀୟ ଭାବରେ ନିର୍ବାଧିତ କରିଦିଆଯାଇଅଛି । ସଚିବ ଏଣୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଏହି ଚିଠିରେ ଦ୍ୱିତୀୟ ସ୍ତରୀୟ ନିର୍ବାଧନର ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ସମପରିମାଣର ରାଜସ୍ୱ ଜମି ସ୍ଥିରିକୃତ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ପ୍ରଶାସନର ଏହା କହିବାରଥିଲା ଯେ ପ୍ରଥମ ସ୍ତରୀୟ ନିର୍ବାଧନ ପ୍ରକ୍ରିୟା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ବଡ଼ମୂଳର ନିବାସୀମାନେ ଏଥି ମଧ୍ୟରେ ୨୦୧୦-୧୧ ମସିହାରେ ଜଙ୍ଗଲ ଅଧିକାର ଆଇନି ଅନ୍ତର୍ଗତ ଉପଖଣ୍ଡ ସ୍ତରୀୟ କମିଟିରେ ମଧ୍ୟ ନିଜର ଅଧି୍କାର ସମ୍ପର୍କିତ ଦାବୀ ଉପସ୍ଥାପିତ କରିସାରିଛନ୍ତି । ଏହି ଦାବୀ ମଧ୍ୟ ଖାରଜ ହୋଇଗଲା କାରଣ ଗ୍ରାମର ନିବାସୀମାନେ ତଫସିଲଭୁକ୍ତ ଜନଗୋଷ୍ଠୀର ନୁହନ୍ତି । ଏଥି ମଧ୍ୟରେ ରାଜ୍ୟ ପ୍ରଶାସନର ରାଜସ୍ୱ ସଚିବ ମାମଲାର ତଦନ୍ତ ନିମନ୍ତେ ପଦକ୍ଷେପ ଉଠାଇଛନ୍ତି ଓ ଏକ ରିପୋଟ୍ ମଧ୍ୟ ଏହା ଉପରେ ଜାରୀ ହୋଇଛି । ଯଥା ଶୀଘ୍ର ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ବଡ଼ମୂଳର ଦରିଦ୍ର ଅଧିବାସୀମାନଙ୍କୁ ନ୍ୟାୟ ଦେବା ଜରୁରୀ ଅଟେ । ନିଜର କୌଣସି ଦୋଷ ନଥାଇ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଭୁଲ ଯୋଗୁଁ ବଡ଼ମୂଳରେ ବାସ୍ତୁହରା ଲୋକେ ନିଜର ଜମି ଉପରେ ଅଧିକାର ପାଇପାରୁନାହାନ୍ତି । ଏହି ଅନ୍ୟାୟର ଯଥାଶୀଘ୍ର ପ୍ରତିକାର ଆବଶ୍ୟକ ।  

ବି.ଦ୍ର. ଏହି ଲେଖାଟି ଦୈନିକ ଧରିତ୍ରୀର ୧୪ ସେପ୍ଟେମ୍ବର ୨୦୧୬ ସଂଖ୍ୟାର ସମ୍ପାଦକୀୟ ପୃଷ୍ଠାରେ  ଛପା ହୋଇଥିଲା । 

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୫


ଧ୍ୟାନମଗ୍ନ ନରଙ୍କର ବ୍ରୋଞ୍ଜ ପ୍ରତିମା
ସ୍ଥପତି - ମାଲଭିନା ହଫମାନ୍
ଶିକାଗୋ ସଙ୍ଗ୍ରହାଳାୟର ସଙ୍ଗ୍ରହ

ପ୍ରଣାପାନ ବାୟୁ ବଳେ ବଞ୍ଚି ନାହିଁ ନର
ଜୀଇଁଛି ଯା' ଯୋଗେ ପ୍ରାଣାପାନୁ ସେ ଇତର ।

ନରଦେହେ ପରମାତ୍ମା ଜୀବନ ନିଦାନ 
ଯାହାର ଆଶ୍ରୟେ ପିଣ୍ଡେ ରହେ ପ୍ରାଣାପାନ ।

ବହୁ ଉପାଦାନେ ଗଢ଼ା ପଦାର୍ଥ ନିଚୟ 
ଆହାର ଉଦ୍ୟାନ ଶଯ୍ୟା ବସନ ଆଳୟ ।

ଲାଗେ ନାହିଁ କେବେ ଯଥା ନିଜ ପ୍ରୟୋଜନେ
ଲୋଡ଼ା ହୁଏ ସଦା ଅନ୍ୟ ସମ୍ଭୋଗ ସାଧନେ ।

ପ୍ରାଣାପାନ ଇନ୍ଦ୍ରିୟାଦି ତଥା ସହଯୋଗେ
ଅବିରତ କାର୍ଯ୍ୟେ ରତ ଆତ୍ମା ଉପଭୋଗେ ।

ଏ ସକଳୁଁ ଆତ୍ମା ଭିନ୍ନ ନିତ୍ୟ ଅସଂହତ
ପ୍ରାଣାପାନ ଆଦି ସର୍ବେ ଆତ୍ମାର ଆୟତ୍ତ । (ନ.ଉ. ୨।୨।୩୦-୩୧)

Tuesday, October 04, 2016

ଚଉଷଠୀ ଯୋଗିନୀ ଦେଉଳ : ଏକ ଫଟୋ ଏସେ


ଓମପ୍ରକାଶ ରାଉତରାୟ


ଭୁବନେଶ୍ୱର ଉପକଣ୍ଠରେ ଥିବା ହୀରାପୁର ଗାଁରେ ଅଛି ଚଉଷଠି ଯୋଗିନୀ ମନ୍ଦିର । ଓଡ଼ିଆ ସ୍ଥାପତ୍ୟର ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ନମୁନା । ଏହି ଦେଉଳଟି ନବମ ଶତାବ୍ଦୀରେ ରାଣୀ ହୀରାଦେବୀଙ୍କ ଦ୍ୱାରା ତିଆରି କରାଯାଇଥିବାର ବିଶ୍ୱାସ କରାଯାଏ । ଏହି ଦେଉଳଟିର ଆକାର ଗୋଲାକାର । ଉପରେ ଛାତ ନାହିଁ । ଦେଉଳରେ ଗୋଲାକାର ଅଂଶରେ ଭିତରେ ଖୋପମାନଙ୍କରେ କଳା ମୁଗୁନି ପଥରରେ ତିଆରି ଛପନଟି ଯୋଗିନୀମାନଙ୍କର ମୂରତି ଏବେ ଦେଖିବାକୁ ମିଳେ । ଦେଉଳରେ ଗୋଟିଏ ଚଣ୍ଡି ମଣ୍ଡମ ମଧ୍ୟ ଅଛି ଯାହାର ଚାରି ପଟେ ଆଠୋଟି ଚଣ୍ଡିଙ୍କର ପ୍ରତିମା ଅଛି । 









କେଉଁଝରର ଧୁଡ଼ୁକି ଗୀତ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଧୁଡ଼ୁକି ଦଉଡ଼ି ରଶି
ପାଣି କାଢ଼ୁଥିବେ ବାଉରାଣୀ ଝିଅ
ଯୋଡ଼ି ନନ୍ଦ ଦିହେ ବସି ।

ଧି ଧି କରି ଧିକିରି ଧିକିରି 
ମେଘ ଉଠେଇଲା ରାମ ସୋରିଆରେ 
ବିଜୁଳି କଢ଼ାଏ ବାଟ 
କେଉଁ ରାଇଜରେ ମାରିଚ ଗୋଠରେ
ଦିଶୁନାହିଁ ହିଡ଼ ବାଟ ।

ଛତାରେ ବାନ୍ଧି ବଇଁଶୀ 
ଦୂର ବାଟ ବୋଲି ଭାଇ ବସିଚିରେ ତଇଳାମାନେ ମଇଁଷି ।

ଗାଆଁକୁ ଆସିଲେ ନୂଆ ଅମୀନ ଲୋ
ମାରି ଦେଇଗଲେ ଡ଼ାବ 
ଯାତରା ଦେଖାଇ ନବ ।

ଗାଈ ନାଆଁ ଦେଲି ଗୁଆ
ଗୁଆ ଆଉ ଦିନ ଯିବେ  ବିସିକି ଲୋ
ଘରେ ବୁଲୁନାହିଁ ଖୁଆ ।

ବଉଳ ଗଛର ଛେଲି
କାଟପାଣି କରି ଘଇତା କଲି,
ମାଡ଼ ଖାଇ କାଇ ମଲି ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।