Tuesday, October 04, 2016

ପଣସ କଠା ଭଜା 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ସାମଗ୍ରୀ - ଗୋଟିଏ ଛୋଟ ପଣସ କଠା, ଅଧ କପ ଅରୁଆ ଚାଉଳ, କପେ ନଡ଼ିଆ କୋରା, ଏକ ଚାହା ଚାମଚ ହଳଦୀ ଗୁଣ୍ଡ ଦୁଇ ଚାହା ଚାମଚ ଜୀରା, ତିନୋଟି କଞ୍ଚା ଲଙ୍କା, ସୁଆଦ ଅନୁସାରେ ଲୁଣ, ଭାଜିବା ପାଇଁ ତେଲ ।

ପ୍ରଣାଳୀ - ଅରୁଆ ଚାଉଳକୁ ତିନି ଘଣ୍ଟା ବତୁରାଇ ଦିଅନ୍ତୁ । ପଣସକୁ ତେଲ ହାତ ଦେଇ ଚୋପା ଓ ଅଠା ଛଡ଼ାଇ ଦିଅନ୍ତୁ । ଏହାକୁ ଛୋଟଛୋଟ ଖଣ୍ଡ କରି କାଟନ୍ତୁ । ଏକ ଚାହା ଚାମଚ ହଳଦୀ ଗୁଣ୍ଡ ଓ ଏକ ଚାହା ଚାମଚ ଲୁଣ ଦେଇ କଟା ହୋଇଥିବା ପଣସ କଠାକୁ ପ୍ରେସର କୁକରରେ ସିଝାଅନ୍ତୁ । ସିଝିଗଲା ପରେ ପାଣି ନିଗାଡ଼ି ଦିଅନ୍ତୁ । ବତୁରା ଅରୁଆ ଚାଉଳ,  କୋରା ନଡ଼ିଆ, ଜୀରା ଓ ଲଙ୍କାକୁ ଚିକ୍କଣ କରି ବାଟି ଦିଅନ୍ତୁ । ଏହି ବଟାକୁ ସିଝା ପଣସ କଠାରେ ଗୋଳାଇ ଦିଅନ୍ତୁ । ଚେପେଟା, ଗୋଲ ଗୋଲ ବରା କରି ଅଳପ ଆଞ୍ଚରେ ଓ କମ ତେଲରେ ଭାଜନ୍ତୁ ।

Monday, October 03, 2016

ଗଞ୍ଜାମର ଲୋକଗୀତ - ଅଇଲ ବନ୍ଧୁ ଭଅଲ କଲ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଅଇଲ ବନ୍ଧୁ ଭଅଲ କଲ ବସିବାକୁ ନାହିଁ ଠାଆ
ଯୋଉ ବାଟେ ଅଇଲ ବନ୍ଧୁ ସେଇ ବାଟେ ବାଟେ ଯାଆ ।

ପାଣି ମୁନ୍ଦିଏ ଦିଅନ୍ତି ବନ୍ଧୁ, ଦଦରା ମାଠିଆ 
ନ ବସି ବେଗେ ଯାଅ ମୋ ବନ୍ଧୁ, କେତେ ହେବ ଠିଆ ।

ପାଣି ମୁନ୍ଦିଏ ଦିଅନ୍ତି ବନ୍ଧୁ, ଘରେ ନାହିଁ ନୋଟା
ପଡ଼ିଶା ଘରୁ ଆଣନ୍ତି ବନ୍ଧୁ ଗୋଡ଼ ମୋର ଛୋଟା ।

ତଇଳ କିଛି ଦିଅନ୍ତି ବନ୍ଧୁ, ଅଙ୍ଗେ ହୁଅନ୍ତ ମାଖି
ରାଗ ଗୁଣ୍ଡା ପଡ଼ିଚି ବନ୍ଧୁ, ଜଳି ଉଠିବ ଆଖି ।

କଥା ହୁଅନ୍ତି ଦୁଃଖ ସୁଖ ବନ୍ଧୁ, ହେଉଚି ମୋତେ ଜର
ରୋଗୀ ପାଶେ ନ ବସି ବନ୍ଧୁ, ବେଗେ ଯାଅ ଘର । 

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

ପାଳଙ୍ଗ ଶାଗ ତିଅଣ


ଫଟୋ କ୍ରେଡ଼ିଟ - ୱିକିମି଼ଡ଼ିଆ କମନ୍ସ୍ 

ସାମଗ୍ରୀ - ଦୁଇ ବଡ଼ ବିଡ଼ା ପାଳଙ୍ଗ ଶାଗ, ଏକ କପ ଚୋପାଛଡ଼ା ଗୋଟା ବିରି, ଦୁଇଟି ମଝିଆଳିଆ ପିଆଜ, ତିନିଟି କଞ୍ଚାଲଙ୍କା, ଦୁଇ ଇଞ୍ଚ ଲମ୍ବା ଅଦା ଖଣ୍ଡେ, ଦୁଇଟି ମଝିଆଳିଆ ବିଲାତି ଆଳୁ, ଗୁଆ ଘିଅ ଏକ ଟେବୁଲ ଚାମଚ, ଏକ ଟେବୁଲ ଚାମଚ ଜୀରା, ଏକ ଚାହା ଚାମଚ ଗୋଟା ସୋରିଷ, ଅଧ ଚାହା ଚାମଚ ହେଙ୍ଗୁ, ଲୁଣ ସୁଆଦ ଅନୁସାରେ ।

ପ୍ରଣାଳୀ - ଶାଗକୁ ବାଛି ଦିଅନ୍ତୁ । ମୂଳଗୁଡ଼ିକୁ କାଟି ବାହାର କରନ୍ତୁ । ଏହା ପରେ ଶାଗକୁ ଭଲ କରି ଧୋଇଦିଅନ୍ତୁ ଓ ତାହା ପରେ କାଟି ଦିଅନ୍ତୁ । ଆଳୁ, ପିଆଜ ଓ ଅଦାକୁ ଚୋପା ଛଡ଼ାଇ, ଚୁନାଚୁନା କରି କାଟି ରଖନ୍ତୁ । କଞ୍ଚା ଲଙ୍କାକୁ ଛୋଟଛୋଟ କରି କାଟି ରଖନ୍ତୁ । ବିରିକୁ ଖାଲି କରେଇରେ ଶୁଖିଲାରେ ମଝି ଆଞ୍ଚରେ ଭାଜନ୍ତୁ । ଏହି ଖରଡ଼ା ବିରିକୁ ମିକ୍ସିରେ ଚିକ୍କଣ କରି ଚୁନା କରି ଦିଅନ୍ତୁ ।

କରେଇରେ ଦୁଇ କପ ପାଣି ଦେଇ ଫୁଟାନ୍ତୁ । ପାଣି ଫୁଟି ଗଲେ ଆଞ୍ଚ କମାଇ ଦିଅନ୍ତୁ । ଧିମା ଆଞ୍ଚରେ କଟା ଶାଗ ଓ ପିଆଜ ପକାଇ ଦଶ ମିନିଟି ଫୁଟାନ୍ତୁ । ଶାଗ ସିଝିଗଲେ ସେଥିରେ ବିରିଚୁନା ପକାନ୍ତୁ । ଭଲ କରି ଘାଣ୍ଟନ୍ତୁ । ଏତିକିବେଳେ ଲୁଣ ଦିଅନ୍ତୁ ।  ଶାଗରେ ପାଣି ଜୁକୁଜୁକୁ ହୋଇ ରହିବ । 

ଆଉ ଗୋଟିଏ ଛୋଟ କରେଇରେ ଗୁଆ ଘିଅ ପକାଇ ଗରମ କରନ୍ତୁ । ତେଲ ଗରମ ହେଲେ ଆଞ୍ଚ କମାଇ ଦିଅନ୍ତୁ । ସେଥିରେ ପ୍ରଥମେ ଜୀରା ପକାନ୍ତୁ । ତାହା ପରେ ସୋରିଷ ପକାଇବେ । ଜୀରା ଓ ସୋରିଷ ଫୁଟି ଗଲା  ପରେ ସେଥିରେ କଟା ଲଙ୍କା, ପିଆଜ ଓ ଅଦା ପକାଇ ତିନି ମିନିଟି ଭାଜନ୍ତୁ । ଭାଜି ହୋଇଗଲେ ସେଥିରେ ହେଙ୍ଗୁ ପକାନ୍ତୁ । ପିଆଜ ବାଦାମି ହୋଇଗଲେ ଶାଗ ପକାଇ ଘାଣ୍ଟନ୍ତୁ । ପାଳଙ୍ଗ ଶାଗ ତିଆରି ହୋଇଗଲା ।

Sunday, October 02, 2016

ଭୃସଙ୍ଗ ପତ୍ର ଚଟଣି 


ଭୃସଙ୍ଗ ପତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ସାମଗ୍ରୀ - ଦୁଇ କପ କଅଁଳିଆ ଭୃସଙ୍ଗ ପତ୍ର, ତେଲ ଏକ ଟେବୁଲ ଚାମଚ ତିନିଟା କଞ୍ଚା ଲଙ୍କା, ଏକ କପ ନଡ଼ିଆ କୋରା, ଦୁଇ ଟେବୁଲ ଚାମଚ ତେନ୍ତୁଳି ରସ, ଅଧ ଚାହା ଚାମଚ ଗୋଟା ଜୀରା, ଏକ ଚାହା ଚାମଚ ଗୁଡ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ - କରେଇରେ ଦଶ ଗ୍ରାମ ତେଲ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ । ଏଥିରେ ଜୀରା ପକାନ୍ତୁ । ଏହାର ଗୋଟିଏ ମିନିଟ ପରେ ଆଞ୍ଚ ପୁରା କମାଇ, ନଡ଼ିଆ କୋରା ଓ ଭୃସଙ୍ଗ ପତ୍ର ପକାଇ, ପାଞ୍ଚ ମିନିଟ ଭାଜନ୍ତୁ । ଏହି ଭଜା ନଡ଼ିଆ ଓ ଭୃସଙ୍ଗ ପତ୍ରରେ ଲୁଣ, କଞ୍ଚାଲଙ୍କା, ତେନ୍ତୁଳି ରସ, ଗୁଡ଼ ଦେଇ ବାଟି ଦିଅନ୍ତୁ । ଭୃସଙ୍ଗ ପତ୍ର ଚଟଣି ତିଆରି ହୋଇଗଲା ।

ପାଇକମାଲର ରସରକେଲି ଗୀତ


ଛତିଶଗଡ଼ରେ କେନ୍ଦୁପତ୍ର ତୋଳା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ରସରକେଲିରେ
ଚାଲ ଚାଲ ଟୁକେଲ୍ ମାନେ ପତର୍ ତୋଲି ଯିବା 
କାହିଁଗଲା ସେ ଭାମା
କଥା ବିଚାର ହେମା 
ଝାଡ଼କେ ଧାଇଁଯିମା 

କେ ତୋଲ୍-ଲା ଡଙ୍ଗର୍ ଉପରେ 
କେ ତୋଲ୍-ଲା ତଲେ
କାହାର ଭୋଗା ପୂର୍-ଲା ଲୋ
କାହାର ଭୋଗା ନେଇଁ 
ଘର୍-କେ ଆଇଲେ ଧାଇଁ

କେ ବୋଇଲା ନନୀଲୋ 
କେ ବୋଇଲା ବାଇ
ବାସି ଧିର୍ ନୁଣ୍ ଟିକେ ଦେଇଥିବ ଗୋଲାଇ
ଯା ରସର୍-କେଲିରେ ।

ଏକ୍ ସାଁସି ମାଇଲା
ଚକା ମିଟାଇ ବସ୍-ଲା
ଶୁଣ୍-ଲୋ ସଜନୀ ପତର୍ ତୋଲାର୍ ଗୁଣ
ଗୁଣି ଗୁଣି ମରିଗଲି ଠିକାଦାରର୍ ନାମ 
ରସର୍-କେଲିରେ ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

Saturday, October 01, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୪



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଗୃହ ତେଜି ଗୃହସ୍ୱାମୀ ହୋଇଲେ ଅନ୍ତର 
ପଳାନ୍ତି ସେବକେ କିଏ କାହିଁ ଛାଡ଼ି ଘର ।

ସୁନା ଘର ହୋଇଯାଏ ଚୂନା ସେହିକ୍ଷଣେ
ମୋ'ର ବୋଲି କହିବାକୁ ରହେ ନାହିଁ ଜଣେ ।

ଛାଡ଼ିଗଲେ ଦେହ ତଥା ଦେହ ଅଧୀଶ୍ୱର 
କିଏ ଏଥି ରହେ ବାକି ଜଗିବାକୁ ଘର ?

ସ୍ୱାମୀ ଥିଲାବେଳେ ଯେହୁ ଥାଆନ୍ତି ଗରବେ 
ସ୍ୱାମୀ ଗଲେ ପଛେ ପଛେ ଯା'ନ୍ତି ସେ ସରବେ ।

ମନ ପ୍ରାଣ ଇନ୍ଦ୍ରିୟାଦି ନ ରହନ୍ତି କେହି 
ଗଲେ ଯେହୁ, ସେହି ଆତ୍ମା ସେହି ଏକା ଦେହୀ । (ନ.ଉ. ୨।୨।୩୦) 

ଗୋପୀନାଥ ମହାନ୍ତିଙ୍କ ଲିଖିତ ଭୂଗୋଳ ପାଠ - ୩


କାଳିମାଟି କଥା



ଟାଟାନଗର ରେଳ ଷ୍ଟେସନ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


ଓଡ଼ିଶାରୁ ଏତେ ଲୋକ କାଳିମାଟିରେ କାମ କରନ୍ତି ଯେ, ପ୍ରତ୍ୟେକ ଓଡ଼ିଶାବାସୀର କେହି ନା କେହି ବନ୍ଧୁବାନ୍ଧବ ଖୋଜିଲେ କାଳିମାଟିରେ ଥିବେ । ଏ କାଳିମାଟି ଅତି ବଡ଼ ସହର । ଏଠି ପ୍ରାୟ ଲକ୍ଷେ ଲୋକ ରହନ୍ତି । ତାହାର କାରଣ, ଏଠି ପୃଥିବୀ ପ୍ରସିଦ୍ଧ ଟାଟା ଲୁହା କାରଖାନା ଅଛି । ଏ କାରଖାନା ଏତେ ବଡ଼ କାରଖାନା ଯେ, ଏ କେବଳ ଏହାର ଜିନିଷପତ୍ର ନେବା ଆଣିବା କରି ଗାଡ଼ି ଭଡ଼ାରେ ରେଳବାଇ କମ୍ପାନୀ ବର୍ଷକୁ କୋଟିଏ ଟଙ୍କା ରୋଜଗାର କରେ । ଏଥିରେ ଚଉତିରିଶ ହଜାର ଲୋକ କାମ କରନ୍ତି । କାରଖାନା ଭିତରେ ଜିନିଷପତ୍ର ନେବା ଆଣିବା ପାଇଁ ଯେତେ ରେଳଲାଇନ୍ ପଡ଼ିଛି, ତାକୁ ସିଧା କରି ପକାଇଦେଲେ ଶହେ ମାଇଲ ପର୍ଯ୍ୟନ୍ତ ଲମ୍ବିଯିବ । 

କିନ୍ତୁ ପୂର୍ବେ ଏଠି ଥିଲା ଗୋଟିଏ ସାକ୍ଚି ବୋଲି ଜଙ୍ଗଲ ଗାଁ । ୧୯୦୭ ସାଲରେ ଟାଟା ଏଠି ଜମି କିଣିଲେ; ଦୁଇବର୍ଷ ପରେ କାରଖାନା ଖୋଲିଲେ । ୧୯୧୧ ସାଲରେ ଢଳା ଲୁହା ତିଆରି କଲେ । ତା’ର ଦୁଇବର୍ଷ ପରେ ଇସ୍ପାତ ତିଆରି ହେଲା, ଯାହା ବି ଭାରତବର୍ଷରେ ଏହା ପୂର୍ବେ କେତେ ତିଆରି ହୋଇ ନଥିଲା । ବର୍ତ୍ତମାନ ଏଠି ଅନେକ ପ୍ରକାର ଲୁହା ଓ ଲୁହାପଦାର୍ଥ ତିଆରି ହେଉଛି । ଟାଟା କମ୍ପାନୀକୁ ଛାଡ଼ିଦେଲେ ଅନ୍ୟାନ୍ୟ ଅନେକ ଛୋଟ ବଡ଼ ହୋଇ କମ୍ପାନୀ କାରଖାନା ଖୋଲିଛନ୍ତି । ଟାଟା କମ୍ପାନୀକୁ ପୃଥିବୀରେ କିଏ ନ ଚିହ୍ନେ, ଏପରି ନୁହେଁ ।

ଏ ସ୍ଥାନରେ ସହର ବଢ଼ିବାର କାରଣ ଅଛି । ଏଠିକା ମାଟି ଉପରେ ମଜବୁତ୍ କୋଠା ଗଢ଼ା ହୋଇପାରେ । ଏଠି ଦୁଇଟି ନଦୀ, ସୁବର୍ଣ୍ଣରେଖା ଓ ଖୋରଖାଇ ଏକାଠି ମିଶିଛନ୍ତି । ସେ ଦୁଇ ନଦୀଙ୍କ ସଙ୍ଗମ ସ୍ଥଳୀର ତ୍ରିକୋଣ ଭୂମି ଉପରେ ଏ ସହର । ନଦୀ ଶୁଖେ ନାହିଁ, ତେଣୁ ଜଳକଷ୍ଟ ନାହିଁ ।

ଲୁହା କାରଖାନା ପାଇଁ ଲୁହାମାଟି ଓ ପଥର କୋଇଲା ଦରକାର । ଏ ଉଭୟ ପଦାର୍ଥ ଏଠୁ ଅଳ୍ପ ଦୂରରେ ମିଳେ, - ଓଡ଼ିଶାର ଲୁହା ଓ ବିହାରର କୋଇଲା । ତେଣୁ ଏଠି ଏ ସହର ବଡ଼ ହୋଇପାରିଛି । ବର୍ତ୍ତମାନ ଏ ସହରର କ୍ଷେତ୍ରଫଳ ପଚିଶ ବର୍ଗ ମାଇଲ । ଆହୁରି ବଢ଼ିବାକୁ ସ୍ଥାନ ପଡ଼ିରହିଛି ।

ବେଙ୍ଗଲ ନାଗପୁର ରେଳବାଇରେ ଯାଇ ଟାଟାନଗର ଷ୍ଟେସନରେ ଓହ୍ଲାଇବ, - ଏହାକୁ କହନ୍ତି କାଳିମାଟି । ଅନ୍ଧାର ରାତିରେ ବିଜୁଳି ଆଲୁଅ ଓ ତତଲା ଆଲୁଅରେ ଏ ଗୋଟିଏ ପରୀ ରାଇଜ ପରି ଦିଶେ । ଷ୍ଟେସନରୁ ଦେଢ଼ ମାଇଲ୍ ଦୂରରେ ସହରଟି ପଡେ଼ । ଦୂରରେ ଜଙ୍ଗଲ । ଅତି ସୁନ୍ଦର ଆଧୁନିକ ସହର, ପରିଷ୍କୃତ ପରିଚ୍ଛନ୍ନ ଯେପରି, ବଗିଚା ଓ ପାର୍କରେ ପୂର୍ଣ୍ଣ ହୋଇଛି ସେହିପରି । ସଭ୍ୟ ଦେଶମାନଙ୍କର ଅତି ଆଧୁନିକ ନଗର-ଗଠନ-ପ୍ରଣାଳୀରେ ଏ ସହର ବସା ହୋଇଛି । ମଝିରେ ପ୍ରଧାନ ରାସ୍ତା, ତହିଁରୁ ଅନେକ ସାନ ସାନ ରାସ୍ତା ଯାଇଛି । ରାସ୍ତା ଉପରେ ଆଲକାତ୍ରା ଦିଆ ହୋଇ ମରାମତି ହୋଇ ରହିଛି । ନାଳ ଓ ନର୍ଦ୍ଦମା ବ୍ୟବସ୍ଥା ଅତି ସୁନ୍ଦର । ଚାରିଆଡେ଼ ପାଣିକଳ ଓ ବିଜୁଳି ଆଲୁଅ । 

ଘରଗୁଡ଼ିକ କମ୍ପାନୀ ତିଆରି କରିଛନ୍ତି । ଧାଡ଼ି ଧାଡ଼ି ହୋଇ ଘର; ଅନେକ ଗୁଡ଼ିଏ ପଡ଼ା ରହିଛି । ରହିବା ଘରକୁ ଛାଡ଼ି ଦୋକାନ, ବଜାର, ଅଫିସ, ଡାକ୍ତରଖାନା, ସ୍କୁଲ ଘର, ଖେଳଘର ଏପରି ଅନେକ ରହିଛି । ପୃଥିବୀର ନାନା ଜାତିର ଲୋକ ଏଠି ଥାନ୍ତି; ସାହେବ, ଆମେରିକାନ୍, ପଞ୍ଜାବୀ, ଓଡ଼ିଆ, ନେପାଳୀ, ମାନ୍ଦ୍ରାଜୀ, ଏହିପରି ଅନେକ ଜାତି । କ୍ରମେ ଟାଟା କମ୍ପାନୀ ଅଧିକ ଅଧିକ ଭାରତୀୟ ଲୋକ ନିଯୁକ୍ତ କରୁଛନ୍ତି; କିନ୍ତୁ ବିଶେଷଜ୍ଞ ଉଚ୍ଚ କର୍ମଚାରୀମାନଙ୍କ ଭିତରୁ ଅଧିକାଂଶ ଆମେରିକାନ୍ ।

ସହରଠାରୁ କିଛି ଦୂରରେ ଟାଟା ଲୁହା କାରଖାନା । ଏଠି ମଧ୍ୟ ଗୋଟିଏ ସହର । ଲୁହା ତିଆରି ପାଇଁ ବିରାଟ ବିରାଟ ଚୁଲି ଉପରୁ ଆକାଶି ଚିମିଣିମାନଙ୍କରୁ ଭସ୍ ଭସ୍ ଧୂଅାଁ ବାହାରି ଆକାଶକୁ ଢାଙ୍କି ଦେଉଛି । ଏ ଚୁଲିକୁ ‘ବ୍ଲାଷ୍ଟ ଫର୍ଣ୍ଣେଶ୍’ କହନ୍ତି । ଏଥିରେ ଲୁହାମାଟି, ଗେଙ୍ଗୁଟି ଓ କୋଇଲା ଦିଆହୋଇ ତତା ହୁଏ । ତାତିରେ ଲୁହାମାଟିରୁ ଲୁହା ତରଳି ବାହାରି ପଡେ଼ । ଏ ତରଳା ଲୁହାକୁ ଗୋଟିଏ ସ୍ଥାନରେ ତଳେ ଢାଳି ଦିଅନ୍ତି । ଏ ଲୁହା ଏତେ ତାତିଥାଏ ଯେ, ଏଥିରୁ ଯେଉଁ ବିରାଟ ନିଅାଁ ହୁଳା ଆଲୁଅ ବାହାରେ, ତାହା ରାତିରେ ତିନି ମାଇଲ୍ ଦୂରକୁ ସୁଦ୍ଧା ଦିଶେ । କମ୍ପାନୀଙ୍କର ପାଞ୍ଚଟି ବ୍ଲାଷ୍ଟ ଫର୍ନେଶ୍ ଅଛି ।

ଚାରିଆଡେ଼ ଖାଲି କଳକବଜା ଜିନିଷ ବୋଝାଇ ହୋଇ ରେଳଗାଡ଼ି ଡବାସବୁ ଝଣ ଝଣ୍ ହୋଇ ଚାଲିଛି । କାରଖାନାର ଯନ୍ତ୍ର ଚାଲିବା ଶବ୍ଦରେ ଆକାଶ କମ୍ପିଯାଉଛି । ଲୁହା ଆଉଟା ଆଉଟି ହେଉଥିବାରୁ ଅତିଶୟ ତାତିଥାଏ; ଏ ନିଅାଁ ଆଉ ନିଭେ ନାହିଁ, ଦିନରାତି କାର୍ଯ୍ୟ ଚାଲିଥାଏ । ପ୍ରତି ଆଠଘଣ୍ଟାରେ ଲୋକେ ବଦଳି ହୁଅନ୍ତି । ସଦାବେଳେ କାମ । କଳକବଜାରେ ବିଜୁଳି କାମ ଲାଗିଛି; ତେଣୁ ଟାଟା କମ୍ପାନୀଙ୍କର ଦୁଇଟି ବଡ଼ ବଡ଼ ବିଜୁଳି କାରଖାନା । 

ଏଠି ଇସ୍ପାତ ତିଆରି ହୁଏ । ଯେଉଁ ଚୁଲିରେ ଇସ୍ପାତ ତିଆରି ହୁଏ, ସେଥିରେ ଢଳା ଲୁହା ଅଜଡ଼ା ହୁଏ । କପି କଳ ଲଗାଇ ବଡ଼ ବଡ଼ ବାଲଟିରେ ତରଳ ଢଳା ଲୁହାକୁ ଉପରକୁ ଉଠାଇ ଚୁଲିରେ ଢାଳନ୍ତି । ଯଦି ବାଲଟି ଛିଣ୍ଡିବା ତଳେ ଠିଆ ହୋଇଥିବା ଲୋକେ ପୋଡ଼ିହୋଇ ମରିଯିବେ । କଳକବଜାର କାରଖାନାରେ ଅସାବଧାନ ହେଲେ ପଦେ ପଦେ ମରଣ । ତାହାଛଡ଼ା ଦୈବ ଦୁର୍ଘଟଣା ତ ଅଛି । ଲୋକଙ୍କୁ ସାବଧାନ ହୋଇ କାର୍ଯ୍ୟ କରିବାକୁ ଉପଦେଶ ଦିଆହୋଇ ଚାରିଆଡେ଼ ଲେଖା ହୋଇଛି । କଳ କବଜା ଦ୍ୱାରା ସବୁ ହୁଏ, କେବଳ କଳ ଚଳାଇବା କଥା । ପ୍ରତ୍ୟେକ ଲୋକ ନିଜ ସ୍ଥାନରେ ରହି ନିଜର କାର୍ଯ୍ୟଟି କରିଦିଏ । ଏଥିରେ ଟିକିଏ ସମୟ ଡେରି ହୋଇଗଲେ ବା ଅସାବଧାନ ହେଲେ ନିଜର ଓ ଅନ୍ୟାନ୍ୟଙ୍କର ବିପଦ ।

ନାନା ପ୍ରକାର ଲୁହା ଓ ଲୁହାର ଜିନିଷ, କଡ଼ି, ବର୍ଗା, ଲୁହା ନଳ, ମାଲଗାଡ଼ିର ଡବା ପ୍ରଭୃତି ଅନେକ ପ୍ରକାର ଜିନିଷ ଏଠି ଆପେ ଆପେ ଯନ୍ତ୍ରରେ ତିଆରି ହୁଏ । ଲୁହା ତିଆରି କାର୍ଯ୍ୟରେ ଅନେକ ପଦାର୍ଥ ବ୍ୟବହୃତ ହୁଏ । ଲୁହା ବାହାରିଗଲେ ଚୁଲିରେ ଯେଉଁ ଖଦିରା ବା ସ୍ଲାଗ୍ ରହେ, ତାହାକୁ ଗୋଟିଏ ପୋଖରୀ ଭିତରେ ଗଡ଼ାଇ ପକାନ୍ତି । ତହିଁରୁ ସୁଦ୍ଧା ଅନେକ ପ୍ରକାର ପଦାର୍ଥ ତିଆରି ହୁଏ । ଲୁହା କାରଖାନାର ଏହା ମଧ୍ୟ ଗୋଟିଏ ବିଶେଷତ୍ୱ ଯେ, ଏଠି ଆନୁସଙ୍ଗିକ ପଦାର୍ଥ ସୁଦ୍ଧା କାମ ଦିଏ । ଧୂଅାଁକୁ ଅନେକ ସମୟରେ ଉପରକୁ ଛାଡ଼ି ନଦେଇ ତାଉ ଦେବାକୁ ବ୍ୟବହାର କରନ୍ତି । ନାନାପ୍ରକାର ଦ୍ରାବ ଓ ସାର ଲୁହା କାରଖାନାର ଆନୁସଙ୍ଗିକ ଉତ୍ପାଦନ ।

ଏତେ ବଡ଼ ଟାଟାନଗର ସହର ଯାହାଙ୍କ ନାମ ଅନୁସାରେ ହୋଇଛି, ସେ ହେଉଛନ୍ତି ପରଲୋକଗତ ଜାମସେଦଜି ନସେରୱନଜି ଟାଟା । ସେ ବମ୍ବେଇର ଜଣେ ପାର୍ସି କ୍ରୋଡ଼ପତି । ଯାହାଙ୍କର ଜନ୍ମ ହୋଇଥିଲା ଭାରତର ଶିଳ୍ପର ଉନ୍ନତି କରିବା ପାଇଁ । ବମ୍ବେଇରେ ବିରାଟ ପୃଥିବୀବିଖ୍ୟାତ ତାଜମହଲ ହୋଟେଲ, ଜଳ-ବିଦ୍ୟୁତ କାରଖାନା, ଅନେକ କପା-କଳ ଓ ଟାଟା ଲୁହା-କାରଖାନା ଜାମସେଦଜି ଟାଟା ଗଢ଼ିଥିଲେ । 

ଏତେ ବଡ଼ ଲୁହା କାରଖାନା ଚାଲିଛି, ଆମରି ଗରିବ ଓଡ଼ିଶା ଦେଶର ସମ୍ପତ୍ତିରେ, ଯଦିଚ ଟାଟା ଓଡ଼ିଶା ପାଇଁ କିଛି କରିନାହାନ୍ତି । ଯେଉଁଠି ଟାଟା କାରଖାନା ବସିଛି, ସେ ସ୍ଥାନ ଓଡ଼ିଶା ବିଚ୍ଛିନ୍ନ ଅଞ୍ଚଳ ସିଂହଭୂମି । ଏ କାରଖାନାକୁ ଲୁହାମାଟି ଯୋଗାଉଛି, ମୟୂରଭଞ୍ଜର ଗୋରୁମହିଷାଣି ପାହାଡ଼ ଓ ବାଦାମ ପାହାଡ଼ । ଟାଟାନଗରରୁ, ଏଠାକୁ ରେଳ ଲାଇନ୍ ଯାଇଛି । ଲୁହା ମାଟି ଆଣିବା ପାଇଁ ପାହାଡ଼ ଉପରକୁ ଅନେକ ରେଳ ଲାଇନ୍ ବଙ୍କେଇ ବଙ୍କେଇ ଯାଇଛି । ଉପରେ କୁଲିମାନେ ଲାଗି ବିରାଟ ବିରାଟ ଲୁହା ପଥରକୁ ଭାଙ୍ଗି ଗୁଣ୍ଡା କରୁଛନ୍ତି । ତା’ପରେ ମାଲଗାଡ଼ି ବୋଝାଇ ହୋଇ ତଳକୁ ଘଡ଼ ଘଡ଼ କରି ଗଡ଼ିଆସୁଛି । କୋଡ଼ିଏ ବର୍ଷ ପରେ ଏ ଲୁହାଖଣି ସରିଯିବ, ତା’ପରେ ଟାଟା କାରଖାନା କେନ୍ଦୁଝରରୁ ଲୁହା ଆଣିବେ । ସେଠି ପୃଥିବୀର ସବୁଠାରୁ ବଡ଼ ଲୁହାଖଣି ଅଛି ବୋଲି ବିଶାରଦମାନେ କହନ୍ତି । ଆମ ଗଡ଼ଜାତମାନଙ୍କରେ ଏତେ ସମ୍ପତ୍ତି ରହିଛି, ତହିଁରେ ଅନ୍ୟଲୋକେ କ୍ରୋଡ଼ପତି ହେଉଛନ୍ତି, କିନ୍ତୁ ଆମେ ଯେଉଁ ଗରିବକୁ ସେହି ଗରିବ ।

ଉତ୍ସ - ୨୦୧୪ ମସିହାର ପୂଜା ସଂଖ୍ୟା ମଲ୍ଲିକା । ଅତିଥି ସମ୍ପାଦନା - କମଳାକାନ୍ତ ମହାପାତ୍ର ।