Tuesday, July 19, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୪



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶୁଣି ଯମରାଜା ବାଣୀ ବୋଲେ ବିପ୍ରବର,
"କରିଛ ଅନ୍ତକ, ମୋର ପ୍ରଶଂସା ବିସ୍ତର ।

ଯଥାର୍ଥରେ ଯୋଗ୍ୟ ବୋଲି ମତେ ଯେବେ ମଣ 
ଯଥାର୍ଥ ମୋ ପ୍ରତି ଦେବ ଯେବେ ସୁପ୍ରସନ୍ନ,

କହ ତେବେ ମତେ ଆତ୍ମତତ୍ତ୍ୱ ବିବରଣ
ସର୍ବାପର ବୋଲି ଯାହା ଜାଣନ୍ତି ଆପଣ ।

ଧର୍ମାଧର୍ମ ବୋଲି ଯାହା ଶାସ୍ତ୍ର ନିରୂପିତ 
ଅଟଇ ଯେ ଆତ୍ମତତ୍ତ୍ୱ ତହିଁରୁ ଅତୀତ,

କାର୍ଯ୍ୟ-କାରଣରୁ ଯେହୁ ତତ୍ତ୍ୱ ବିଲକ୍ଷଣ 
ଭୂତ ଭବ୍ୟ ବର୍ତ୍ତମାନୁଁ ଯେହୁ ପୁଣି ଅନ୍ୟ,

ଯହିଁ ଅତିକ୍ରାନ୍ତ ଦେଶ କାଳ ବ୍ୟବହାର 
କହ ମୃତ୍ୟୁଦେବ, ସେହି ଆତ୍ମତତ୍ତ୍ୱ ସାର ।" (ନ.ଉ. ୧।୨। ୧୩-୧୪)

Monday, July 18, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୪ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଯଥା ଅଗାରଂ ଦୁଚ୍ଛନଂ ବୁଟ୍ଠୀ ନ ସମତିବିଜ୍ଝତି ।
ଏବଂ ସୁଭାବିତଂ ଚିତ୍ତଂ ରାଗୋ ନ ସମତି ବିଜ୍ଝତି । ୧୩।

ବୃଷ୍ଟି ନପଶେ ଯେପରି ଘର ସ୍ୱାଚ୍ଛାଦିତେ 
ରାଗ ବିଦ୍ଧ  କରେ ନାହିଁ ସୁଭାବିତ ଚିତ୍ତେ  । ୧୩।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୩



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍

ଗୁରୁମୁଖୁଁ ଉପଦେଶ ଶୁଣି ମର୍ତ୍ତ୍ୟ ନର
କରଇ ଆତ୍ମାର ସୂକ୍ଷ୍ମ ସ୍ୱରୂପ ଗୋଚର ।

ଶରୀରାଦି ଜଡ଼ବଶୁଁ ଆତ୍ମା ବିଲକ୍ଷଣ
ମହାମୋଦଦାୟୀ ବିଶ୍ୱଜଗତ ଧାରଣ ।

ଆତ୍ମାର ସ୍ୱରୂପ ତତ୍ତ୍ୱ ବୁଝି ଜ୍ଞାନବନ୍ତ 
ଲଭଇ ପରମ ସୁଖ ଅମୃତ ଅନନ୍ତ ।

ନଚିକେତ, ପରିହରି କାମନାନିଚୟ
ବ୍ରହ୍ମଜ୍ଞାନେ ଅଧିକାରୀ ତୁମ୍ଭେ ନିଃସଂଶୟ ।

ଫିଟିଅଛି ତୁମ୍ଭ ଲାଗି ବ୍ରହ୍ମପୁର ଦ୍ୱାର 
ମୋକ୍ଷ ଅଭିମୁଖୀ ତୁମେ କରେ ମୁଁ ବିଚାର ।" (ନ.ଉ. ୧।୨।୨୩)

Sunday, July 17, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୨ ଓ ୧୩ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧୨ ଯମକ ବଗ୍ଗ


ସାରଞ୍ଚ ସାରତୋ ଞତ୍ତ୍ୱା ଅସାରଞ୍ଚ ଅସାରତୋ 
ତେ ସାରମ୍ ଅଧିଗଚ୍ଛନ୍ତି ସମ୍ମାସଙ୍କପ୍ପଗୋଚରା ।୧୨।

ଯେ ସାର ବସ୍ତୁକୁ ସାର ବୋଲି ମଣୁଥାଇ 
ଅସାର ବସ୍ତୁ ଅସାର ବୋଲି ସେ ଜାଣଇ । 

ସମ୍ୟକ ସଂକଳ୍ପ ସହ ହୋଇ ସେହୁ ଯୁକ୍ତ
ସାର ବସ୍ତୁକୁ ସର୍ବଦା ହୋଇଥାଏ ପ୍ରାପ୍ତ । ୧୨।

୧୩ ଯମକ ବଗ୍ଗ


ଯଥା ଅଗାରଂ ଦୁଚ୍ଛନଂ ବୁଟ୍ଠୀ ସମତିବିଜ୍ଝତି ।
ଏବଂ ଅଭାବିତଂ ଚିତ୍ତଂ ରାଗୋ ସମତିବିଜ୍ଝତି । ୧୩।

ବୃଷ୍ଟି ପ୍ରବେଶିଲା ପରି ଛିଦ୍ରଯୁକ୍ତ ଘରେ 
ଅଭ୍ୟାସରହିତ ଚିତ୍ତେ ରାଗ ବିଦ୍ଧ କରେ । ୧୩।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୨



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ବୁଦ୍ଧି ଉପଲବ୍ଧ ତେଣୁ ବୁଦ୍ଧି ଅଧିଗତ 
ଅନାଦି ଆଦି କାରଣ ପୁରାଣ ଶାଶ୍ୱତ ।

ଦୁଃସାଧ୍ୟ କଠିନ ଅତି ଆତ୍ମ ଦରଶନ
ଦେଖନ୍ତି ଅଧ୍ୟାତ୍ମଯୋଗେ ସିଦ୍ଧ ସାଧୁଜନ ।

ଲଭି ଆତ୍ମଦରଶନ ପ୍ରତ୍ୟକ୍ଷ ପ୍ରତୀତ
ହର୍ଷ ଶୋକ ତେଜି ଧୀର ହୁଏ ଦ୍ୱନ୍ଦାତୀତ । (ନ.ଉ. ୧।୨।୧୩)

Saturday, July 16, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୧



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ନଚିକେତ ଧୈର୍ଯ୍ୟଗୁଣେ ଦୃଢ଼ କରି ମନ
ବୁଝିଅଛ ଆତ୍ମତତ୍ତ୍ୱ ତୁମ୍ଭେ ବିଚକ୍ଷଣ ।

ସମାପତ ଯହିଁ ନର କାମନାନିଚୟ 
ନିଖିଳ ବିଶ୍ୱର ଯାହା ପରମ ଆଶ୍ରୟ,

ଲଭେ ନର ଆତ୍ମା ଯହିଁ ପରମ ସଂସ୍ଥିତି
ପରାହତ ଯହିଁ ଜନ୍ମ ଜରା ମୃତ୍ୟୁ ଭୀତି,

ଅଣିମାଦି ଯୁକ୍ତ ମହାବନ୍ଦନୀୟ ପଦ 
ଯଜ୍ଞର ଅନନ୍ତ ଫଳେ ମିଳେ ଯେ ସମ୍ପଦ,

ଧୀର ଚିତ୍ତେ ଏ ସବୁର କରି ସୁବିଚାର 
ସଂସାର ସମ୍ଭୋଗରାଶି ଦୂରେ ପରିହର ।

କରୁଅଛ ନଚିକେତା ଧନ୍ୟ ମହାମନା ।
ଧନ୍ୟ ତୁମ୍ଭେ 'ସ୍ଥିରମତି' ଧୀର ଆଲୋଚନା ।

ଯେ ଆତ୍ମା ସାକ୍ଷାତ ଲାଗି ତବ ଅଭିଳାଷ
ଅତି ସୂକ୍ଷ୍ମ ସୁମହତ ସେ ଆତ୍ମା ପ୍ରକାଶ ।

ପୂରିରହିଅଛି ଆତ୍ମା ବିଶ୍ୱ ଅଭ୍ୟନ୍ତରେ 
ବିଦ୍ୟମାନ ମାନବର ହୃଦୟ କନ୍ଦରେ । (ନ.ଉ. ୧।୨।୧୨) 

ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା - ୫


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଆଗକୁ ସାରା ବିଶ୍ୱରେ, ପୂରା ସମାଜ ଉପରେ ଯେଉଁ ବିପତ୍ତି ପଡ଼ିବାକୁ ଯାଉଛି, ବିଶେଷକରି ଶିଳ୍ପ ଉତ୍ପାଦନର ପରିମାଣ ଯେପରି କମ୍ ହେବାକୁ ଯାଉଛି, ସେଥିରେ ବିକଶିତ ଦେଶମାନେ ବେଶ୍ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୟୁରୋପୀୟ ଦେଶମାନେ ଚାହୁଁଛନ୍ତି ଯେ ଏହାର ପ୍ରଭାବ ତାଙ୍କ ଦେଶ ଉପରେ ନପଡ଼ୁ । ସେମାନେ ଚାହୁଁଛନ୍ତି ଯେ ସବୁ ବିପଦ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକ ଉପରେ ପଡ଼ୁ । ବିକଶିତ ଦେଶଗୁଡ଼ିକ ବିଶ୍ୱର ଅନ୍ୟ ଦେଶର ରାଜନୀତି କଳ-କାରଖାନା ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ସେମାନେ ଏସିଆ, ଆଫ୍ରିକା ଲାଟିନ୍ ଆମେରିକୀୟ ଦେଶଗୁଡ଼ିକୁ ବଳି ପକାଇ ଦେବା ପାଇଁ ପ୍ରସ୍ତୁତ କରିପାରିବେ । ଏହି ନିୟନ୍ତ୍ରଣ ଫଳରେ ବିକଶିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଆଣବିକ ବର୍ଜ୍ୟବସ୍ତୁକୁ ଗରିବ ଦେଶଗୁଡ଼ିକରେ ଫୋପାଡ଼ି ପାରିବେ ।

ହି ବିଷୟରେ କିନ୍ତୁ ତୃତୀୟ ବିଶ୍ୱର ଦେଶଗୁଡ଼ିକରେ କୌଣସି ଆଲୋଚନା ହେଉନାହିଁ । ଯଦି ବା କେଉଁଠାରେ ହେଉଛି, ତେବେ ତାହାକୁ ଜୋରଦାର ଭାବରେ କରାନଯାଇ ଛୋଟିଆ ମୋଟିଆ ଘଟଣା ରୂପେ ଦେଖାଯାଉଛି । ବିକଶିତ ଦେଶଗୁଡ଼ିକରେ ଏ ବିଷୟରେ କେବଳ ରୁଦ୍ଧ କୋଠରୀରେ ଆଲୋଚନା କରାଯାଉଛି । ଏହା ମଧ୍ୟ ଅତି ଛୋଟିଆ ଗୋଷ୍ଠୀ ମଧ୍ୟରେ ସୀମିତ ରହୁଛି । କାରଣ ସେମାନେ ଏହି ଆଲୋଚନାକୁ ବିଶ୍ୱବ୍ୟାପୀ କରିବାକୁ ଚାହୁଁନାହାନ୍ତି । ବିକଶିତ ଦେଶମାନେ ଚାହୁଁନାହାନ୍ତି ଯେ ଭାରତ, ପାକିସ୍ତାନ ବା ବାଂଲାଦେଶର ଜନସାଧାରଣ ବିଶ୍ୱର ଭବିଷ୍ୟତକୁ ନେଇ ଆଲୋଚନା କରନ୍ତୁ । ଏହି ଦେଶର ଶାସକ ଗୋଷ୍ଠୀ ଯେ ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ସେକଥା, ମଧ୍ୟ କୁହାଯାଇପାରିବ ନାହିଁ । କିନ୍ତୁ ସେମାନେ ଏହାକୁ ଜନସାଧାରଣଙ୍କର ଆଲୋଚନାର ବିଷୟବସ୍ତୁ କରାଇ ଦେବାକୁ ଚାହାନ୍ତି ନାହିଁ। ଏପରିକି ଏଠାରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ ପେଟେଣ୍ଟ୍ ଆଇନି ସଂଶୋଧନ ଅଧିନିୟମକୁ ମଧ୍ୟ ସଂସଦରେ ଆଲୋଚନା ନକରି, ବିନା ଅଧ୍ୟାଦେଶରେ ଆଇନିରେ ପରିଣତ କରିଦିଆଯାଉଛି ।

ବିଶ୍ୱବ୍ୟାଙ୍କ୍ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷର ଅର୍ଥନୀତିଜ୍ଞମାନେ ଏତିକି ଜାଣିନାହାନ୍ତି ଯେ, ଶିକ୍ଷା ସ୍ୱାସ୍ଥ୍ୟ ସେବା ପାଇଁ ହେଉଥିବା ଖର୍ଚ୍ଚ କାଟ୍ କଲେ ବିକାଶଶୀଳ ଦେଶଗୁଡ଼ିକରେ ନିରକ୍ଷର ରୋଗଗ୍ରସ୍ତ ଲୋକଙ୍କ ସଂଖ୍ୟା ଅସାଧାରଣ ଭାବରେ ଢ଼ିଯି। ସେମାନେ ଜାଣିନାହାନ୍ତି ଯେ, ଗ୍ୟାଟ୍ ଚୁକ୍ତିର ପରିଣାମସ୍ୱରୂପ ପେଟେଣ୍ଟ୍ ଆଇନିରେ ସଂଶୋଧନ ହେବାଫଳରେ ଔଷଧର ଦରଦାମ୍ କେତେଗୁଣ ବଢ଼ିଯିବ ଓ ଏହା ଦରିଦ୍ର ଲୋକମାନଙ୍କର କ୍ରୟ କ୍ଷମତାର ବାହାରକୁ ଚାଲିଯିବ ? କ୍ଷୁଦ୍ର ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ବନ୍ଦ ହୋଇଗଲେ ବେକାରୀ ବଢ଼ିବ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଅବଲମ୍ବନ କରିବା କାରଣରୁ ଶିକ୍ଷିତ ଯୁବକଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସଙ୍କୁଚିତ ହୋଇଯିବ ? ଅଶୀ ଦଶକରେ କରାଯାଇଥିବା ଢାଞ୍ଚାଗତ ସୁଧାର କାର୍ଯ୍ୟକ୍ରମର ସବୁ ଉଦ୍ୟମ ବିଫଳ ହେବା ସତ୍ତ୍ୱେ ଧନୀ ଦେଶଗୁଡ଼ିକ ସମଗ୍ର ଗରିବ ପଛୁଆ ଦେଶଗୁଡ଼ିକୁ ଗ୍ୟାଟ୍ ଚୁକ୍ତିରେ ସ୍ୱାକ୍ଷର କରିବା ପାଇଁ ଜିଦ୍ କରିବାର କାରଣ ଣ ?

କାରଣ ଅତି ସ୍ପଷ୍ଟ । ଗଣମାଧ୍ୟମରେ ପ୍ରଚାରିତ କଥାରୁ ଅଲଗା କରି ଯଦି କେହି କୌଣସି କଥା କହିଲା ତେବେ ସେ କଥାଟି କମ୍ ବିଶ୍ୱସନୀୟ ପଦବାଚ୍ୟ ହୁଏ । ଏହିପରି ଏକ ସତ୍ୟ (ଯାହାକି ଏହି ଯୁଗର ସବୁଠାରୁ ମହତ୍ୱପୂର୍ଣ୍ଣ ସତ୍ୟ) ହେଉଛି, ଆଧୁନିକ ସମୃଦ୍ଧିର ଆଧାରଶିଳା ଏବେ ଖସି ଖସି ଯାଉଛି । ପ୍ରକୃତି ବା ପରିବେଶର ଅବକ୍ଷୟ, ଖଣିଜ ଦ୍ରବ୍ୟର ଦୃତ ହ୍ରାସ, ଆର୍ଥିକ ବିକାଶର ଅବନତି, ଅନିର୍ବାଯ୍ୟ ହୋଇଯାଉଛି । ଏ କଥାଟି ଏକବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ହିଁ ଦେଖିବାକୁ ମିଳିବ । ବିକଶିତ ଦେଶମାନେ ମଧ୍ୟ ଆର୍ଥିକ ଅବନତିର ଚାପରୁ ମୁକ୍ତ ରହିପାରିବେ ନାହିଁ ।

କିନ୍ତୁ ଚକ୍ରାନ୍ତ ହେଉଛି ଯେ ସବୁ ଉପରେ ବିକଶିତ ଦେଶମାନଙ୍କର ନିୟନ୍ତ୍ରଣ ଆଗେ ଆସିଯାଉ ତାହାପରେ ମାନବ ସଭ୍ୟତା ଉପରେ ପଡ଼ିବାକୁ ଥିବା ଏହି ବିପତ୍ତିକୁ ତୃତୀୟ ବିଶ୍ୱ ଉପରେ ଲଦି ଦିଆଯିବ । ଭୀଷଣ ବିପତ୍ତି, ରୋଗ, ଅନାହାର ଓ ଗୃହଯୁଦ୍ଧ ତଥା ଜଳବାୟୁର ପରିବର୍ତ୍ତନ ଯୋଗୁଁ କୋଟି କୋଟି ଲୋକ ମରିବେ । ଯେଉଁ ସ୍ଥାନ ଖାଲି ହେବ, ସେଠାରେ ବିକଶିତ ପାଶ୍ଚାତ୍ୟ ଦେଶଗୁଡ଼ିକର ସାମ୍ରାଜ୍ୟ ସ୍ଥାପିତ ହେବ । ସେମାନଙ୍କର କିଛି ବିଗିଡ଼ିଯିବ ନାହିଁ । ଯେଭଳି ଉତ୍ତର ଆମେରିକା ଗୋରା ଲୋକମାନଙ୍କର ହୋଇଗଲା, ସେହିଭଳି ସାରା ବିଶ୍ୱ ସେମାନଙ୍କର ବାସସ୍ଥାନ ହୋଇଯିବ । ବିଶ୍ୱବାଣିଜ୍ୟ ସଙ୍ଗଠନ ଗଠନ କରାଯିବା ପଛରେ ଏହି ମନୋବୃତ୍ତି ହିଁ କାମ କରୁଛି । ଆପଣ ଚାହିଁଲେ ଏହାକୁ ଏକ ରାକ୍ଷସର ଚିନ୍ତା ବୋଲି କହିପାରନ୍ତି ।