Saturday, April 09, 2016

ପୁରୀ ଜିଲ୍ଲାର ଦଳିତ ଜୀବନ 


କୁଞ୍ଜବିହାରୀ ଦାଶଙ୍କର ଆତ୍ମଜୀବନୀ 'ମୋ କାହାଣୀ'ରୁ ସଙ୍ଗୃହିତ


ମାଲାବାରର ଦଳିତ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କୁଞ୍ଜବିହାରୀ ବାବୁଙ୍କର ଗାଁ ହେଲା  ପୁରୀ ଜିଲ୍ଲାର ରେଞ୍ଚ ଶାସନ । ମକଦ୍ଦମୀ ଗାଁ । କୁଞ୍ଜବିହାରୀ ବାବୁଙ୍କର ପିଲାବେଳେ, ସ୍ୱାଧୀନତାର ପ୍ରାକ୍ କାଳରେ, ଦୁଇଜଣ ଭୋଇଲୋକ ତାଙ୍କ ଘରେ 'ଲୋକ ଲାଗିଥିଲେ' । କେଳା ଓ ଉଚ୍ଛବା - ଦୁଇଜଣଯାକ ଛଅମାସିଆ ଲାଗିଥିଲେ । ଏହି କାମ ପାଇଁ ସେମାନେ ନଅ ଗୁଣ୍ଠ ଜମି ହେତା, ମାସିକିଆ ପଡ଼ି ମୂଲ ଛଅ ଗଉଣି ଧାନ, ଧାନକଟା ବେଳେ  ୧୦/୧୨ ଗଉଣୀ ଧାନ ନେଉଥିଲେ । ଏହା ଛଡ଼ା ପର୍ବପର୍ବାଣୀମାନଙ୍କରେ ତାଙ୍କ ଘରେ ଖାଉଥିଲେ ଓ ବାଉଁଶିଆରେ ସଜାଡ଼ି ଘର ଲୋକଙ୍କ ପାଇ ନେଉଥିଲେ । ଦୋଳକୁ ଭୁଜାଖିଆ, ରଜକୁ ମୁଢ଼ି ନଡ଼ିଆ, ଓ ବର୍ଷିକିଆ ଥାକ ହିସାବରେ ଥରେ ଶୀତ ଚାଦର ଓ ଗାମୁଛା ଇତ୍ୟାଦି ମଧ୍ୟ ତାଙ୍କର ପ୍ରାପ୍ୟ ଥିଲା । 

ଏହି ପରି ଲୋକ ଲାଗୁଥିବା ପୁରୁଷମାନେ କଠିନ ଶରୀରଶ୍ରମ କରୁଥିଲେ । କରିବାକୁ ପଡ଼ୁଥିଲା । ବିଲକାମ କରି ଫେରିଲାବେଳକୁ ନିଜ ବଳଦ ପାଇଁ ଘାସ କାଟନ୍ତି । ବେଳ ମିଳିଲେ ବସି ବାଣି କାଟନ୍ତି ନହେଲେ ମୁନ୍ଦୁରା ବୁଣନ୍ତି । ଭୋଇସାଇର ଲୋକ ଥିଲେ ଗାଁରେ ସବୁଠାରୁ ଗରୀବ । ବାପା ମା ଦୁଇ ଜଣ ଯାକଙ୍କୁ ଖଟିବାକୁ ପଡୁଥିଲା ଭୋଇ ପରିବାର ଗୁଡ଼ିକରେ, ପରିବାରର ପ୍ରତିପୋଷଣ ପାଇଁ । ସାଇର ବୁଢ଼ୀମାନେ, ଯେଉଁମାନେ ଆଉ କାମକୁ ପାରୁନଥିଲେ,  ସେମାନେ ଘରେ ରହି ପିଲାଛୁଆଙ୍କ ଉପରେ ଆଖି ରଖୁଥିଲେ, ସେମାନଙ୍କୁ ସମ୍ଭାଳୁଥିଲେ, ସେମାନଙ୍କ କଥା ବୁଝୁଥିଲେ ।  ସାଇର ଛୋଟପିଲା ଗୋରୁ ଜଗୁଥିଲେ । ଟିକେ ବଡ଼ ହୋଇଗଲେ ସାଆନ୍ତମାନଙ୍କ ଘରେ ମୂଲ ଲାଗୁଥିଲେ । ଭୋଇସାଇର ମୂଲିଆମାନେ କଥା ରଖିପାରନ୍ତି ନାହିଁ । ଜବାବ ଦିଅନ୍ତି ଜଣଙ୍କୁ, ହେଲେ ଯାଆନ୍ତି ଆଉ ଜଣଙ୍କର କାମକୁ । ନଗଦ ଯିଏ ଦିଏ, ତା କାମକୁ ଯାଆନ୍ତି । ବୁଭୁକ୍ଷିତଃ କିଂ ନ କରୋତି ପାପମ୍ ।  

ନିତିଦିନିଆ ଖାଦ୍ୟ ଭିତରେ ଚଳୁଥିଲା ମାଣ୍ଡିଆ ଜାଉ, କୋଳଥ ଜାଉ, ସୁଆଁ ଜାଉ ଓ ନାନାଦି ଶାଗ । ପୋଖରୀରୁ ମିଳୁଥିଲା କାନ୍ଦୁରୀ ଶାଗ । ପୋଖରୀ ବନ୍ଧରୁ ଗୋଟେଇ ଆଣୁଥିଲେ ସୁନୁସୁନିଆ ଓ ପିତା ଶାଗ । ହିଡ଼ିମିଚ଼ା, ମଦରଙ୍ଗା, ପୁରୁଣି ଆଦି ଶାଗ ଗହୀରମାନଙ୍କରୁ ସାଉଁଟା ଯାଉଥିଲା । କୋଳଥ ବିଲରୁ ଗଇଶ ଶାଗ ମଧ୍ୟ ଭୋଇଆଣୀମାନେ ଘିଞ୍ଚିଆଣି ଖରଡ଼ୁଥିଲେ । ଭାତ ଗଣ୍ଡିଏ ନିୟମିତ ଖାଇବା ଭୋଇ ସାଇର ଅଧିକାଂଶ ଲୋକଙ୍କ ଭାଗ୍ୟରେ ଲେଖା ନ ଥିଲା । ଅନେକ ସମୟରେ ବିଲର ହିଡ଼ମାନଙ୍କରୁ ଗେଣ୍ଡା ଓ ଶାମୁକା ଇତ୍ୟାଦି ସଙ୍ଗ୍ରହ କରି ତୁଣ ତରକାରୀ କରି ଖିଆଯାଉଥିଲା । ବିଲ କଙ୍କଡ଼ା ପୋଡ଼ି, ଲଙ୍କା ଲୁଣ ସହିତ ପୋଡ଼ି ଚଟଣି କରି ମଧ୍ୟ ଚଳୁଥିଲା । ସୁଆଁ ଓ ବାଳୁଙ୍ଗା ସଙ୍ଗ୍ରହ କରି, ସେଥିରୁ ଚାଉଳ ବାହାର କରି ସେଥିରେ ଭୋଇ  ପରିବାରର ସ୍ତ୍ରୀଲୋକମାନେ ଜାଉ, ନହେଲେ ଭାତ ରାନ୍ଧୁଥିଲେ ।
ପୁରୁଷଲୋକେ ଏକାଠି ହୋଇ କୁକୁର ଧରି ଠେକୁଆ ମାରି ଯାଆନ୍ତି । କିଆବାଡ଼ରୁ କଇଁଛ କି ବାହ୍ମୁଣୀ ବେଙ୍ଗ ଧରି ଖାଆନ୍ତି ।  

ଶାଗ ତୋଳିବା ଛଡ଼ା ଜାଳ ଗୋଟାଇବା ଓ ମୂଲ ଲାଗିଯିବା ଭୋଇ ଜାତିର ସ୍ତ୍ରୀଲୋକମାନଙ୍କର ଥିଲା ନୈମିତିକ କାମ । ଜାଳ ସଙ୍ଗ୍ରହ କରିବା ଥିଲା ଏକ ବଡ଼ କାମ । ଭୋଇମାଇପିମାନେ ଜାଳ ପାଇଁ ତୋଟାମାନଙ୍କରୁ ପତର ଗୋଟାଉଥିଲେ । କୋଠଜମିର ଗଛମାନଙ୍କରୁ ଶୁଖିଲା ଡାଙ୍ଗ ଇତ୍ୟାଦି ଭାଙ୍ଗୁଥିଲେ । ବିଲରୁ ଗୋବର ଗୋଟେଇ ମଧ୍ୟ ଘଷି ପରାଯାଉଥିଲା । କିଆଘୋଡ଼ି କାଟିଆଣି ଚୁଲିରେ ଜାଳ ଭାବରେ ରାନ୍ଧିବା ପାଇଁ ଉପଯୋଗ କରାଯାଉଥିଲା । ନାରୀ ପୁରୁଷଙ୍କର ସମ୍ପର୍କରେ ସାମ୍ୟ ଥିଲା । ଯେହେତୁ ପରିବାର ଚଳାଇବାରେ ସ୍ତ୍ରୀଲୋକଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହୁଥିଲା, ଭୋଇ ସମାଜରେ ପୁରୁଷର ନାରୀ ଉପରେ ଅନାଚାର ଓ ଜୁଲୁମ ନ ଥିଲା । ଭୋଇ ମହିଳାମାନେ ଖାଇବା ପିନ୍ଧିବା ପାଇଁ ସେମାନଙ୍କ ପୁରୁଷଲୋକଙ୍କ ଉପରେ ନିର୍ଭରଶୀଳ ନଥିଲେ ଓ ସ୍ୱାଧୀନ ଭାବରେ ଜୀବନଯାପନ କରୁଥିଲେ । ଅଳଙ୍କାର ବୋଇଲେ ହାତରେ ପିତ୍ତଳବାହୀ ପିନ୍ଧୁଥିଲେ । ନାକରେ ପିତ୍ତଳର ନାକଫୁଲ ଓ କାନରେ ପିତ୍ତଳ କାନଫୁଲ ପରିଧାନ କରୁଥିଲେ । ପାଦରେ ନାଉଥିଲେ ରସମୁଦି । ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଲୋକମାନେ ବେଶୀ ଖଟୁଥିଲେ -  ଘର ବାହାରେ ମାଟି ବୁହା, ବିଲ ବଛା, ଧାନ କଟା, ମୁଗ ବିରି ଇତ୍ୟାଦି ଓପଡ଼ା ; ନିଜ ଘରେ ଧାନ ଉସାଁ, ଶୁଖା ଓ କୁଟା, ଚାଉଳ ପାଛୁଡ଼ା, ଜାଉ ରନ୍ଧା, ପିଲାଙ୍କ କଥା ବୁଝିବା ଇତ୍ୟାଦି ସବୁ କାମ କରିବାକୁ ପଡ଼େ । ତଥାପି ପେଟକୁ ଭଲକି ଦି ମୁଠା ଖାଇବାକୁ ମିଳେ ନାହିଁ ।   

ପଇସା କିଛି ହାତକୁ ଆସିଲେ ଭୋଇସାଇର  ପୁରୁଷଲୋକେ ଖଜୁରି ତାଡ଼ି କିଣି ପିଉଥିଲେ । ବିଭାଘରେ ମଦ୍ୟପାନ ହେଉଥିଲା । ପୁରୁଷଲୋକେ ତାଡ଼ି ପିଇ ଘୁମୁରା ବଜାଉଥିଲେ । ଜାଳ ଅଭାବରୁ କି କଅଣ ଜଣା ନାହିଁ, ଭୋଇମାନଙ୍କର ମୁର୍ଦ୍ଦାରଟିମାନ ପୋଡ଼ା ନଯାଇ ପୋତା ହେଉଥିଲେ । ହାଡ଼ି ଜାତିର ଲୋକମାନେ ମଧ୍ୟ ବହୁ ଦୁଃଖକଷ୍ଟରେ ଚଳୁଥିଲେ । ବେତ ଓ ବାଉଁଶରେ ଗଉଣୀ, ମାଣ, ପେଟେରା, ବେତା, ଟୋକେଇ ଇତ୍ୟାଦି ହାତରେ ବୁଣି, ବୁଲେଇ ବିକ୍ରି କରୁଥିଲେ । ବିବାହ ଇତ୍ୟାଦିରେ ବାଜା ବଜାଉଥିଲେ । 

Friday, April 08, 2016

ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୨


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) : ସେହି ସମୟରେ ଓଡ଼ିଆ ଗାୟକ କାହା କାହାର ରେକଡ଼୍ ସବୁ ବାହାରିଥିଲା ଆପଣ ଶୁଣିବା ଭିତରେ ? ଆପଣ ପିଲା ଥିଲା ବେଳେ ।

ଶ୍ରୀମତି ଶ୍ୟାମାମଣି ଦେବୀ : ମୁଁ ପିଲା ଥିଲା ବେଳେ ଓଡ଼ିଆ ଗାୟକ କାହାର ରେକଡ୍ ଶୁଣିନି । କେବଳ କିଛି  ବର୍ଷ ପରେ ମୁଁ ଉଦୟନାଥ ସାହୁଙ୍କର ଶୁଣିଲି, ନିମେଇ ହରିଚନ୍ଦନଙ୍କର କିଛି ଶୁଣିଲି । ମୁଁ ସେତେବେଳ ପର୍ଯ୍ୟନ୍ତ ମୁଁ ଓଡ଼ିଆ ଗାୟକଙ୍କର ରେକଡ଼୍ କିଛି ଶୁଣିନଥିଲି । ସେତେବେଳେ ଗ୍ରାମଫୋନ୍ ରେକଡ଼୍ ରେ ଓ଼ଡ଼ିଆ ଗାୟକଙ୍କର ଗୀତ ପ୍ରାୟ ନଥିଲା । କେହି ସେମିତି କରିନଥିଲେ । ତା ପରେ ପ୍ରଥମ କଥା କଣ ହେଉଛି କି, ସେତେବେଳେ ଆର୍ଟିଷ୍ଟ୍ ମାନେ ଆମର କଲିକତାରେ ରହୁଥିଲେ । ଯେଉଁମାନେ ସେତେବେଳେ ଗାଉଥିଲେ, ନିମେଇଁ ହରିଚନ୍ଦନ ହେଲେ, କାଶୀନାଥ ପୂଜାପଣ୍ଡା ହେଲେ, ଥିଲେ ସବୁ ସେକାଳର - ସିଂହାରି ସାର୍ - ସିଂହାରି ଶ୍ୟାମସୁନ୍ଦର କର ହେଲେ, ସେମାନେ କଲିକତାରେ ରେଡ଼ିଓରେ ଗାଉଥିଲେ । କଟକରେ ତ ରେଡ଼ିଓ ଷ୍ଟେସନ୍ ନଥିଲା ନା । ତେଣୁ ସେମିତି ଓଡ଼ିଆ ଗାୟକମାନଙ୍କର ହଏତ ସୁଯୋଗ ନଥିଲା ।  ତେଣୁ ସେମାନେ ସେମିତି କିଛି ରେକଡ଼୍ କରିନଥିଲେ । 


ତାପରେ ମୁଁ ସ୍କୁଲ୍ ରେ ବି ଗଲାବେଳେ, ଯେତେବେଳେ ଥରେ ମୋର ମନେଅଛି ହେଡ଼୍ ପଣ୍ଡିତ ଆମର ଫେଆରୱେଲ୍ ନେଲେ । ସେଇ ହେଡ଼୍ ପଣ୍ଡିତ ଯିଏ ସିଏ ମୋତେ ବହୁତ ଭଲ ପାଉଥିଲେ । ଆଉ ମୁଁ ବି ଗୁରୁ ପରି ତାଙ୍କୁ ବହୁତ ଶ୍ରଦ୍ଧା କରୁଥିଲି ସମ୍ମାନ ଦେଉଥିଲି । ସେତେବେଳେ ବାପା ମୋତେ ଗୋଟେ ଗୀତ ଲେଖି ଦେଇଥିଲେ । ତାଙ୍କର ସେଥିରେ ଗାଇବା ପାଇଁ । ମୋର ଏବେ ମନେ ଅଛି ଟିକିଏ -  [ ଗାଆନ୍ତି ] 'କିପରି ବିଦାୟ ଦେବୁ ଆହେ ସୁଧି ପ୍ରବର' । ଏହି ଗୋଟେ ଫାଷ୍ଟ୍ ଲାଇନ୍ ମନେ ଅଛି । ଆଉ ମନେ ନାହିଁ । କେବେକାର କଥା ହେଲାଣି । ତ ମୁଁ ସେଇ ଗୀତଟି ଗାଇଥିଲି । ସେ ଗୀତଟି ଶୁଣି ମୋର ମନେ ଅଛି ସେ ହେଡ଼୍ ପଣ୍ଡିତ ବି ନିଜେ ବି କାନ୍ଦିଥିଲେ । ଏବଂ ଯେତେ ପିଲାମାନେ ଯେଉଁମାନେ ତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କର ଷ୍ଟାଫ୍ ମାନେ ମଧ୍ୟ ସମସ୍ତେ ମୋ ଉପରେ ବହୁତ ଖୁସି ହେଇଥିଲେ । ମୋ ଗୁରୁମାନେ ମୋତେ ବହୁତ ଆଶୀର୍ବାଦ ବି କରିଥିଲେ । ସେ ହେଡ଼୍ ପଣ୍ଡିତ, ଅବଶ୍ୟ ଏବେ ସେ ମରିଗଲେଣି, ସେତେବେଳେ ମତେ କହିଥିଲେ । କହିଲେ - ମୋର ଡାକ ନାଁ ଟିଲା - ତୁ ବହୁତ ଭଲ ଗାଇଲୁ ମା । ହୃଦୟକୁ ଛୁଇଁଲା । ତା ପରେ ଏତେ ଛୋଟ ଥାଇକରି ମଧ୍ୟ - ମୁଁ  ସେତେବେଳେ ତୃତୀୟ ଶ୍ରେଣୀରେ - ମୁଁ ସେଦିନ ରାତିରେ ଠିକ୍ କରି ଶୋଇପାରିନି । ମୋତେ ଲାଗିଲା ଯେ ମୁଁ ଆଉ କଅଣ ଗାଇବି । କେମିତି ଗାଇବି । ଆଉ କଅଣ ଭଲ ଗାଇବି । ମୋତେ ଲୋକମାନେ ଭଲପାଇବେ । ମୋ ଗୀତକୁ ଭଲ ପାଇବେ । ଆଉ ମୋତେ ଭଲ ଗାଇଲୁ ବୋଲି କହିବେ । ମାନେ ଛୋଟଟି ଦିନୁ ସେଇ ଯେଉଁ ଆମ୍ବିଶନ୍ ଟି ମୋର ଆରମ୍ଭ ହେଇଥିଲା, ସେଇଟା ମୋର ଏଯାବତ୍ ବି ଚାଲିଛି । ଯେ ଲୋକ ମୋତେ ଶୁଣନ୍ତୁ । ଆଉ ମୋତେ ବହୁତ ସ୍ନେହ ଦେଇ ଭଲ ପାଆନ୍ତୁ । ଆଉ କିଛି ଭଲ କିଛି - ଏ ବୟସରେ ମଧ୍ୟ ମୁଁ ଚେଷ୍ଟା କରେ କି ଆଉ କିଛି କ୍ରିଏଟିଭିଟି ଡେଭେଲପ୍ କରି ଭଲ କରି କରିପାରିବା ଯେଉଁଟା କି ଲୋକଙ୍କର, ଶ୍ରୋତାଙ୍କର ହୃଦୟକୁ ଛୁଇଁବ । ସେ ରକମର ଚିନ୍ତାଧାରା ମୋର ସେତେବେଳୁ ଆସିଥିଲା - ଛୋଟଦିନରୁ ।  

ତା ପରେ ପରେ ଧିରେ ଧିରେ ଯେତେବେଳେ ଗାଇବା ଏଇସବୁ ଆରମ୍ଭ କଲି - ସେଇ ବୟସ କଥା କହୁଛି - ସେତେବେଳେ ବି ମୋ ପାଇଁ ଏଇ ସ୍କୁଲ୍ ଇତ୍ୟାଦିରେ ଗାଇବା, ବା ପୁରସ୍କାର ବିତରଣ ଉତ୍ସବରେ ଗାଇବା, ବା ଗାଆଁକୁ ସେତେବେଳେ ଯଦି ସବ୍ ଡିଭିଜନ୍ ର ଡେପୁଟି ମାଜିଷ୍ଟ୍ରେଟ୍ ଆସୁଥିଲେ (ସେତେବେଳେ ତ ଏସ୍.ଡ଼ି.ଓ. ରହୁନଥିଲେ), ତାଙ୍କ ସଭାରେ ଗୀତ ଗାଇବା, ଏସବୁ ନେଇକରି ମୋତେ ବହୁତ - ମାନେ କଅଣ କହିବି -  ସେତେବେଳେ ବହୁତ କଟକଣା ଥିଲା । ସେତେବେଳେ ଲୋକ ପସନ୍ଦ କରୁନଥିଲେ ଯେ ଗୋଟେ ଭଲ, ସମ୍ଭ୍ରାନ୍ତ ପରିବାରର ଝିଅ ଗୋଟେ ଯାଇକରି ଗୀତ ଗାଇବ, ବାହାରେ । ଏସବୁ ପାଇଁକା ବହୁତ ଆପତ୍ତି ଅଭିଯୋଗ କରିଥିଲେ । କିନ୍ତୁ ଯେହେତୁ ମୋର ଗୋଟେ ଆଶା ଥିଲା ଯେ ମୁଁ ଭଲ ଗାଇବି, ମୋତେ ଲୋକ ଭଲ କହିବେ, ଏବଂ ଭଲ ପାଇବେ - ଏ ତିନିଟା - ଭଲା ଗାଇବି, ଭଲ ପାଇବେ, ଭଲ କହିବେ, ଭଲ ଗାଇଲୁ କହିବେ - ଏଇ କେତେଟା ଭଲ ଚାରିଟା ଶବ୍ଦ ମତେ ଆଜି ଆପଣମାନଙ୍କ ଆଗରେ ଆଜି ଥୋଇଛି । କାରଣ ଏତେ ବାଧାବିଘ୍ନ ଭିତରେ ମୁଁ ସଙ୍ଗୀତକୁ ଏଇ ବୟସ ପର୍ଯ୍ୟନ୍ତ ବଞ୍ଚେଇ ରଖିଛି । ସେଇଟା ଯେଉଁମାନେ ଦେଖିଛନ୍ତି ସେମାନେ ଅନୁଭବ କରିଛନ୍ତି । ଏବଂ ସେମାନେ ଜାଣିଛନ୍ତି ମୁଁ କେତେ କଷ୍ଟ, କେତେ ଆପତ୍ତି, କେତେ ଅଭିଯୋଗ, ବନ୍ଧୁବାନ୍ଧବଙ୍କର ତାସ୍ଛଲ୍ୟ, ଘୃଣା, ଅପବାଦ, ଲାଞ୍ଛନା, ସବୁକିଛି ମୁଁ ସହିଛି ଏହି ସଙ୍ଗୀତ ପାଇଁ । କିନ୍ତୁ ମୋର ଗୋଟେ ଡିଟର୍ମିନେଶନ୍ ଥିଲା ଯେ ମୁଁ ଗାଇବି । ମୋତେ ଯିଏ ଯାହା କହୁପଛେ ମୁଁ ଗାଇବି ।   (କ୍ରମଶଃ) 

Thursday, April 07, 2016

ତିନୋଟି ସଂଖ୍ୟା ଶିଖିବା ଗୀତ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଏକ, ବିଲେଇ ଲାଙ୍ଗୁଡ଼ ସେକ ।
ଦୁଇ, କଣ୍ଟା ବାଉଁଶରେ ଉଇ ।
ତିନି, ନାରଦ ବଜାଏ ଗିନି ।
ଚାରି, ରାମ ଗଲେ ମୃଗ ମାରି ।
ପାଞ୍ଚ, ତା ଧେଇ ଧେଇ ନାଚ ।
ଛଅ, ସାଥି ହୋଇ ଯିବା ରହ ।
ସାତ, ଦେଖିଯିବା ଦୋଳଯାତ ।
ଆଠ, ହଳଦୀ ପତର କାଟ ।
ନଅ, ଲେଖନ ପତର ଧଅ ।
ଦଶ, କଉଡ଼ି ଖେଳିବୁ ବସ ।  


ଏକ ଦୁଇ ତିନି ଚାରି ପାଞ୍ଚ ପନ୍ଦର 
ଫୁର୍ କିନା ଉଡ଼ିଗଲେ ରାମଚନ୍ଦର ।


ଏକ ପୁତ ଦୁଇ ସଙ୍ଗାତ 
ତିନି ତିନି ତା,
ଚାରି ଚାଉଳ ପାଞ୍ଚ ବଉଳ 
ଛଅ ପଇତା ।
ସାତ ଭାତ ଆଠ ହାତ 
ନଅ ହାଟ ଦଶ କୁହାଟ 
ଏଗାର ଗାର ବାର ଦୁଆର
ତେର ତରକା ଚଉଦ ଚକା
ପନ୍ଦର ପଡ଼ା ଷୋଳ କୋରଡ଼ା
ସତର ଭାଇ ଅଠର ଗାଈ 
ଉଣେଇଶ ଗାଆଁ ହାକିମ ମୁହିଁ 
କୋଡ଼ ପୁରିଲା 
ସଙ୍ଗାତ ସାଥିରୁ କଥା ସରିଲା । 

ଉତ୍ସ - ଶ୍ରୀ ରାମକୃଷ୍ଣ ନନ୍ଦ କୃତ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ 'ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ସଙ୍ଗୃହିତ ।

କିଶନ ପଟ୍ଟନାୟକଙ୍କର ପ୍ରବନ୍ଧ 'ପ୍ରଶାସନିକ ସଂସ୍କାର'


କପିରାଇଟ୍ - ବାଣୀମଞ୍ଜରୀ ଦାସ 




ଏହି ବିଷୟରେ ଲେଖିଲାବେଳକୁ ମୋ ମନରେ କିଛିଟା କଷ୍ଟ ହେଉଛି । ଗଣତନ୍ତ୍ରକୁ ସାଧାରଣ ମଣିଷ ପାଇଁ ଅର୍ଥଯୁକ୍ତ କରିବା ପାଇଁ, ଭ୍ରଷ୍ଟାଚାରର ବିଲୋପ ସାଧନ ନିମନ୍ତେ ତଥା ଜନତାର ଅଧିକାରକୁ ଯଥାର୍ଥରେ ବ୍ୟବହାରରେ ପରିଣତ କରିବା ନିମନ୍ତେ ଭାରତ ଭଳି ପୂର୍ବରୁ ଉପନିବେଶ ରହିଥିବା ଦେଶଗୁଡ଼ିକରେ ପୁରୁଣା ପ୍ରଶାସନିକ ପଦ୍ଧତିକୁ ପରିବର୍ତ୍ତନ କରିବା ବର୍ତ୍ତମାନର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବା ଉଚିତ । କାରଣ ଏହି ଦେଶଗୁଡ଼ିକରେ ଏକ ଔପନିବେଶିକ ଶାସନ ପଦ୍ଧତି ପ୍ରଚଳିତ ଥିଲା । ମାତ୍ର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟିକୁ ଏକ ଏ ପର୍ଯ୍ୟନ୍ତ ରାଜନୀତିର ଏକ ମୁଖ୍ୟ ପ୍ରସଙ୍ଗ ଭାବରେ ଗଣାଯାଉନାହିଁ । ଆଶ୍ଚର୍ଯ୍ୟର ବିଷୟ ଯେ ରାଜନୀତିରେ ଯେଉଁମାନେ ପ୍ରକୃତରେ ଜନାଭିମୁଖୀ ନେତା, ସେମାନେ ମଧ୍ୟ ଏହାକୁ ଲୋକହିତ ପାଇଁ ଏକ ମୁଖ୍ୟ ସର୍ତ୍ତ ଭାବରେ ଦେଖୁନାହାନ୍ତି । ନିର୍ବାଚନ ପଦ୍ଧତିରେ ପରିବର୍ତ୍ତନ କଥା ସମସ୍ତେ କହୁଛନ୍ତି । ମାତ୍ର ପ୍ରଶାସନ ପଦ୍ଧତିରେ ପରିବର୍ତ୍ତନ ସମ୍ପର୍କରେ କେହି ହେଲେ ଜୋର ଦେଇ କହୁନାହାନ୍ତି । ମୋ ମନରେ ବ୍ୟକ୍ତିଗତ ଭାବରେ କଷ୍ଟ ଏଇଥିପାଇଁ ଯେ ଏ ପ୍ରଶ୍ନକୁ ଗୁରୁତ୍ୱ ଦେବାପାଇଁ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ମୋର ନିକଟତମ ଗୋଷ୍ଠୀ ଉପରେ ସୁଦ୍ଧା ତା’ର କୌଣସି ବିଶେଷ ପ୍ରଭାବ ପଡ଼ୁନାହିଁ । ନିର୍ବାଚନ ପଦ୍ଧତିରେ ପରିବର୍ତ୍ତନ ନହେଲେ ମତଦାନ ନ୍ୟାୟପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ମୁଁ ମାନୁଛି । ମାତ୍ର ପ୍ରଚଳିତ ଶାସନ ପଦ୍ଧତିର ପରିବର୍ତ୍ତନ ବିନା ସାଧାରଣ ବ୍ୟକ୍ତିର ପରିସ୍ଥିତିରେ କୌଣସି ଗୁଣାତ୍ମକ ପରିବର୍ତ୍ତନ ଘଟିବ ନାହିଁ । 

ନିରୀହ ଲୋକେ ବିଚାରନ୍ତି ଯେ ସାଧାରଣ ଲୋକମାନଙ୍କର ଯଦି ସାଂସଦ ଓ ବିଧାୟକମାନଙ୍କ ସାଥିରେ ଘନିଷ୍ଠ ସମ୍ପର୍କ ରହିବ, ତେବେ ପ୍ରଜାଙ୍କ ଅବସ୍ଥା ଅଧିକ ଉନ୍ନତ ହୋଇପାରିବ । ମାତ୍ର ଏତଦ୍ୱାରା ପ୍ରଜାଙ୍କୁ କେବଳ ପରୋକ୍ଷ ଭାବରେ ହିଁ ଲାଭ ମିଳିବ । କାରଣ ଦୈନନ୍ଦିନ କାର୍ଯ୍ୟ ଓ ଆବଶ୍ୟକତା ନେଇ ପ୍ରଜାଙ୍କ ପ୍ରତ୍ୟକ୍ଷ ସମ୍ପର୍କ ଶାସନକଳ ସହିତ ହୋଇଥାଏ । ବିଧାୟକଙ୍କ ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥାଏ । କଲେକ୍ଟରଙ୍କ ଭଳି ଉଚ୍ଚ ପଦାଧିକାରୀଙ୍କ ନିକଟରେ ସାଧାରଣ ଜନତାର କାମ ଥାଏ, ଅଥଚ ସେ ସେଠାକୁ ପହଞ୍ଚିପାରେ ନାହିଁ । ଥରେ ବିହାରର ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର୍ ତାଙ୍କ ବନ୍ଧୁ ରାମ ଏକବାଲ୍ ଙ୍କୁ କହିଲେ - ‘ପ୍ରତିଦିନ ସକାଳୁ ଶହ ଶହ ଲୋକ ମୋ ବଙ୍ଗଳାରେ ପହଞ୍ଚ ଯାଉଛନ୍ତି ।’ ରାମ ଏକବାଲ୍ ଏକାବାରେ ଉଚିତ ମନ୍ତବ୍ୟ ଦେଇ କହିଥିଲେ - ‘ୟା ଅର୍ଥ ହେଉଛି, ଆପଣଙ୍କ ପ୍ରଶାସନିକ ବ୍ୟବସ୍ଥା ଠିକ୍ ଭାବରେ କାମ କରୁନାହିଁ ।’ 

ସ୍ୱାଧୀନତା ପୂର୍ବର ରାଜନୀତିରେ ଗାନ୍ଧିଜୀଙ୍କ ପ୍ରଭାବରୁ କଂଗ୍ରେସର ଗୋଟିଏ ବଡ଼ ‘ଧ୍ୱନି’ ଓ ପ୍ରସଙ୍ଗ ଥିଲା ଯେ, ସ୍ୱାଧୀନତା ପରେ ଔପନିବେଶିକ ଶାସନତନ୍ତ୍ରକୁ ବଦଳାଯିବ । ମାତ୍ର ସ୍ୱାଧୀନତା ପରେ ପରେ ହିଁ ନେହେରୁ ଓ ପଟେଲ୍ ଆଇ.ଏ.ଏସ୍. ଅଫିସରମାନଙ୍କ ସହ ଏକାବାରେ ଯୋଡ଼ି ହୋଇଗଲେ । ଗାନ୍ଧିଜୀଙ୍କ ମୃତ୍ୟୁ ପୂର୍ବରୁ ସର୍ଦ୍ଦାର୍ ପଟେଲ୍ ଥରେ ସାର୍ବଜନିକ ଭାବରେ ‘ଇଣ୍ଡିଆନ୍ ସିଭିଲ ସର୍ଭିସ୍’ର ପ୍ରଶଂସା କଲେ । ଏଥିରେ ଗାନ୍ଧିଜୀ ହତବାକ୍ ହୋଇ ଯାଇଥିଲେ । ଏବେ ଜଗତୀକରଣ ଏହି ପ୍ରସଙ୍ଗକୁ ପୁଣିଥରେ ଉତ୍ଥାପନ କରିଛି । ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟରେ ମିଳିତ ‘ସର୍ବନିମ୍ନ’ କାର୍ଯ୍ୟକ୍ରମ ଭିତରେ ଏ ସମ୍ବନ୍ଧରେ ମଧ୍ୟ ଗୋଟିଏ ପାରାଗ୍ରାଫ୍ ରହିଛି । ଏଥିରେ କୁହାଯାଇଛି ଯେ ଶାସନ ପଦ୍ଧତିରେ ପରିବର୍ତ୍ତନ ନିମନ୍ତେ ଗୋଟିଏ ଆୟୋଗ ଗଠନ କରାଯିବ । ଏହି ଆୟୋଗ ଦ୍ୱାରା ଯଦି ସାଧାରଣ ଜନତାର ସୁବିଧା ଓ ଅଧିକାରକୁ ଦୃଷ୍ଟିରେ ରଖି ଶାସନଗତ ପରିବର୍ତ୍ତନ କରାଯାଏ ତେବେ ମୁଁ ଏହି ସରକାରର ଭୂୟସୀ ପ୍ରଶଂସା କରିବି । 

ଶାସନ ପଦ୍ଧତିରେ ପରିବର୍ତ୍ତନ ଆଣିବା ଏମିତି କିଛି କ୍ରାନ୍ତିକାରୀ ବା ବାମପନ୍ଥୀ ପଦକ୍ଷେପ ନୁହେଁ । ଏହାକୁ ପୁଞ୍ଜିବାଦ ବିରୋଧୀ ବୋଲି ମଧ୍ୟ ବିଚାର କରିବା ଠିକ୍ ନୁହେଁ । ଏପରି ପଦକ୍ଷେପ ଦକ୍ଷିଣପନ୍ଥୀ ଓ ବାମପନ୍ଥୀ - ଉଭୟ ଚରିତ୍ରର ସରକାରଙ୍କ ପାଇଁ ଆବଶ୍ୟକ । କାରଣ ଏହାଦ୍ୱାରା ରାଷ୍ଟ୍ରର ବିଶ୍ୱସନୀୟତା ସ୍ଥାପିତ ହୋଇଥାଏ । ଏହାଦ୍ୱାରା ଆଇନିକୁ ଭଲଭାବରେ କାର୍ଯ୍ୟକାରୀ କରାଯାଇ ପାରିଥାଏ । ରାସ୍ତାରେ ଯଦି ଦୁର୍ଘଟଣାଟିଏ ଘଟେ, ଏବଂ ତାକୁ ଦେଖିଥିବା ଯେ କୌଣସି ସାଧାରଣ ବ୍ୟକ୍ତି ସେ ଖବର ଦେଇପାରେ, ତେବେ ତଦ୍ୱାରା ଆଇନ ବ୍ୟବସ୍ଥାକୁ ଉଚିତ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ସାହାଯ୍ୟ ମିଳିଥାଏ । ଆଜି ପୁଞ୍ଜିବାଦୀ ଶାସନ ଥିଲେ ମଧ୍ୟ ସରକାରୀ ଅଫିସିମାନଙ୍କରେ ଯଦି ଲୋକଙ୍କର ଆଇନସମ୍ମତ କାମଗୁଡ଼ିକ ସହଜରେ ଓ ଶୀଘ୍ର ହୋଇଯାଇପାରିବ, ତେବେ ଲୋକେ ଏତେ ଖୁସି ହେବେ ଯେ ସେମାନେ ବହୁବର୍ଷ ପର୍ଯ୍ୟନ୍ତ ପୁଞ୍ଜିବାଦର ସମର୍ଥକ ହୋଇଯିବେ ।

ପ୍ରଶାସନ ବା ଆଡ଼୍ମିନିଷ୍ଟ୍ରେସନ୍ ଶବ୍ଦଟି ଆମ୍ଭମାନଙ୍କୁ ବ୍ରିଟିଶ ସାମ୍ରାଜ୍ୟର ଦାନ । ଏହାର ଆମେରିକୀୟ ପର୍ଯ୍ୟାୟବାଚୀ ଶବ୍ଦ ହେଲା ‘ଗଭର୍ନେନ୍ସ୍’ । ବିଶ୍ୱବ୍ୟାଙ୍କ୍ ର ଦସ୍ତାବେଜଗୁଡ଼ିକରେ ବିକାଶଶୀଳ ଦେଶଗୁଡ଼ିକୁ ବାରମ୍ବାର ଅନୁରୋଧ କରାଯାଉଛି ଯେ ‘ଗଭର୍ନେନ୍ସ୍’କୁ ଶୀଘ୍ର ଅଧିକ ଉନ୍ନତ କରାଯାଉ, ଯେପରିକି ବିକାଶ ନିମିତ୍ତ ଯେଉଁସବୁ କାର୍ଯ୍ୟ ନିର୍ଦ୍ଧାରିତ ହୋଇଛି ଓ ଯେଉଁ କାମଗୁଡ଼ିକ ପାଇଁ ଋଣ ମିଳୁଛି ବା ପୁଞ୍ଜିନିବେଶ କରାଯାଉଛି, ସେଗୁଡ଼ିକୁ କାର୍ଯ୍ୟାନ୍ୱିତ କରିବା ବାଟରେ ପ୍ରଶାସନିକ ବାଧା ସୃଷ୍ଟି ନ ହେବ । ଜରୁରୀ ସୂଚନା, ଅନୁମତି ପତ୍ର, ଅଧିକାର ପତ୍ର ଇତ୍ୟାଦି ଆବଶ୍ୟକୀୟ କାଗଜପତ୍ର ସବୁ ବିଦେଶୀ ପୁଞ୍ଜିନିବେଶକାରୀ ଓ ବିଦେଶୀ ପରାମର୍ଶଦାତାମାନଙ୍କୁ ଶୀଘ୍ରାତିଶୀଘ୍ର ମିଳିଯିବା ଦରକାର । ‘ସୂଚନାର ଅଧିକାର’ ସେହି ‘ଗଭର୍ନେନ୍ସ’ର ଏକ ଆବଶ୍ୟକୀୟ ଅଙ୍ଗ ଅଟେ । 

ଅରୁଣା ରାୟ କିନ୍ତୁ ଏହାକୁ ଭିନ୍ନ ଭାବରେ ବ୍ୟବହାର କଲେ । ଦାରିଦ୍ର୍ୟ - ପ୍ରପୀଡ଼ିତ ରାଜସ୍ଥାନର ଗ୍ରାମାଞ୍ଚଳରେ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ କରିବା ନିମନ୍ତେ ସେ ଏହି ଅସ୍ତ୍ରକୁ ପ୍ରୟୋଗ କଲେ । ସୂଚନାର ଅଧିକାର ସାଧାରଣ ଜନତାକୁ ମିଳିବା ଉଚିତ, ଯାହାଦ୍ୱାରା କି ସେ ଭ୍ରଷ୍ଟାଚାର ଉପରେ ସତର୍କ ଦୃଷ୍ଟି ରଖିପାରିବ ଓ ତା ସହିତ ଲଢ଼େଇ କରିପାରିବ । ଦେଶର ବିଭିନ୍ନ ସ୍ଥାନରେ ଏ ଆନ୍ଦୋଳନ ଚାଲିବ ବୋଲି ମୋର ଆଶା ରହିଛି । ଆନ୍ଦୋଳନ ଜନିତ ଅନୁଭବରୁ ଆମକୁ ଏ ଶିକ୍ଷା ମିଳିବ ଯେ ପ୍ରଶାସନ ପଦ୍ଧତିରେ ଏତେ ଅଧିକ ଭୁଲ୍ ରହିଛି ଯେ ଜଣେ ସାଧାରଣ ବ୍ୟକ୍ତି ‘ସୂଚନା ଅଧିକାର’କୁ କାର୍ଯ୍ୟକାରୀ କରିପାରିବ ନାହିଁ । ସେଥିପାଇଁ ପ୍ରଶାସନିକ ଢାଞ୍ଚାରେ ମୌଳିକ ପରିବର୍ତ୍ତନ କରିବା ନିମନ୍ତେ ଦାବି କରିବାକୁ ପଡ଼ିବ । ରାଜନୈତିକ ସ୍ତରରେ ବ୍ୟାପକ କ୍ଷେତ୍ରରେ ଏ ଦାବି କରାଗଲେ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ କରିବାକୁ ସରକାର ବାଧ୍ୟ ହେବେ । ମିଳିତ ପ୍ରଗତିଶୀଳ ମେଣ୍ଟ ସରକାର ଦ୍ୱାରା ନିଯୁକ୍ତ କମିଶନଙ୍କ ପାଇଁ ଭଲ ‘ଗଭର୍ନେନ୍ସ’ କେବଳ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଠାରେ ସୀମିତ ହୋଇ ନଯାଉ । ଗତ ଅଗଷ୍ଟ ୨୪ ତାରିଖରେ ବ୍ୟବସାୟୀ ସଙ୍ଘ ‘ଆସୋକମ୍’କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଇନ୍ସପେକ୍ଟର ରାଜତ୍ୱକୁ ସମାପ୍ତ କରିବା ପାଇଁ ଯେଉଁ ଆଶ୍ୱାସନା ଦେଇଛନ୍ତି, ସେଥିରୁ ମନେହୁଏ ଯେ ‘ଗଭର୍ନେନ୍ସ୍’କୁ ସୁଧାରିବା ବିଷୟ ତାଙ୍କ ମନରେ ରହିଛି । ମାତ୍ର ମୋ ବିଚାରରେ ଏହି ସୁଧାର ସହିତ ସାଧାରଣ ଜନତାର କୌଣସି ସମ୍ପର୍କ ନାହିଁ । 

ଭାରତର ବିଶ୍ୱବିଦ୍ୟାଳୟମାନଙ୍କରେ ପଢ଼ିଥିବା ପ୍ରତ୍ୟେକ ବ୍ୟକ୍ତି ବିଚାର କରେ ଯେ ସଂସାରର ସବୁ ଦେଶରେ ପ୍ରଶାସନର ଢାଞ୍ଚା ସମାନ ରକମର ହୋଇଥିବ, କାରଣ ଅମଲାତନ୍ତ୍ର ସବୁ ଦେଶରେ ରହିଛି । ମାତ୍ର ସେ ଜାଣିବା ଉଚିତ ଯେ ପ୍ରତ୍ୟେକ ଦେଶରେ ଅମଲାତନ୍ତ୍ର ସାଧାରଣ ନାଗରିକଙ୍କ ପ୍ରତି ସମ୍ବେଦନଶୂନ୍ୟ ହୋଇଥିଲେ ସୁଦ୍ଧା ପ୍ରଶାସନର ଢାଞ୍ଚା ସବୁ ଦେଶରେ ଏକାଭଳି ନୁହେଁ । ଅଧିକାଂଶ ବିକଶିତ ଦେଶଗୁଡ଼ିକରେ ପ୍ରଶାସନ ପଦ୍ଧତି ସାଧାରଣ ଜନତାର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରିନଥାଏ । ଫ୍ରାନ୍ସ ବା ଇଂଲଣ୍ଡର ସେନାନିବୃତ୍ତ କର୍ମଚାରୀମାନଙ୍କୁ ପେନ୍ସନ୍ ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବା ତ ଦୂରର କଥା, ମାସ ମାସ ମଧ୍ୟ ଅପେକ୍ଷା କରିବାକୁ ପଡ଼ି ନଥାଏ । ଭାରତର ପୋଲିସ୍ ବ୍ୟବସ୍ଥା ବ୍ରିଟିଶ୍ ମାନଙ୍କ ଦ୍ୱାରା ପ୍ରଦତ୍ତ । ତେବେ ଇଂଲଣ୍ଡ୍ ର ପୋଲିସ ସାଧାରଣ ଜନତା ସହିତ କିଭଳି ବ୍ୟବହାର କରିଥାଏ, ଏ ସମ୍ବନ୍ଧରେ ଭାରତର ପାଠ୍ୟପୁସ୍ତକଗୁଡ଼ିକରେ ଗୋଟିଏ ପ୍ରବନ୍ଧ ରହିବା ଉଚିତ । ଏହା ମଧ୍ୟ ଉଲ୍ଲେଖ ରହିବା ଉଚିତ ଯେ ଏହି ପୋଲିସ୍ ବ୍ୟବସ୍ଥା ବ୍ରିଟିଶ୍ ଶାସନର ଦାନ । ଭାରତର ଶିକ୍ଷିତ ଲୋକେ ଆହୁରି ମଧ୍ୟ କହିଥାନ୍ତି ଯେ ଭ୍ରଷ୍ଟାଚାର ଅଧିକ ହେଉଥିବାରୁ ଏଠିକାର ଶାସନ ଢାଞ୍ଚା ଖରାପ ହୋଇଯାଇଛି । ମାତ୍ର ପ୍ରକୃତ କଥାଟି ହେଲା, ପ୍ରଶାସନ ଭୁଲ ଢଙ୍ଗରେ ଗଢ଼ାହୋଇଥିବା କାରଣରୁ ଏଠାରେ ଲାଞ୍ଚ କାରବାର ବେଶୀ ହୋଇପାରୁଛି । ବିଶେଷକରି ସାଧାରଣ ନାଗରିକ ନିଜର ଦୈନନ୍ଦିନ ଜୀବନରେ ଯେଭଳି ଲାଞ୍ଚଜନିତ ଅନୁଭବ ପ୍ରାପ୍ତ କରେ, ତାହା ଭୁଲ୍ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ହିଁ ଘଟୁଛି । କାର୍ଯ୍ୟାନ୍ୱୟନରେ ଅଯଥା ବିଳମ୍ବ ଓ ଶୁଣାଣି - ଏ ଦୁଇଟି ସମସ୍ୟାର ସମାଧାନ ହୋଇପାରିଲେ ସାଧାରଣ ଜନତା ଓ ନିମ୍ନ ମଧ୍ୟବିତ୍ତଙ୍କ ଭାଗରେ ପଡ଼ୁଥିବା ଭ୍ରଷ୍ଟାଚାର ମଧ୍ୟ ଦୂର ହୋଇଯିବ ।

ରାଷ୍ଟ୍ର-ପ୍ରଜା ସମ୍ପର୍କ


ଅସଲରେ ଦେଖିବାକୁ ଗଲେ ‘ପ୍ରଶାସନ’ କିମ୍ବା ‘ଗଭର୍ନେନ୍ସ୍’ - କୌଣସିଟି ଉଚିତ ଶବ୍ଦ ନୁହେଁ । ଏ ଦୁଇଟି ଅପେକ୍ଷା ଆମର ପାରମ୍ପରିକ ‘ରାଜା-ପ୍ରଜା’ ସମ୍ବନ୍ଧ ଅଧିକ ଉପଯୁକ୍ତ ଶବ୍ଦ ହେବ । ଆଜିର ଗଣତାନ୍ତ୍ରିକ ଯୁଗରେ ଆମେ ତାକୁ କହିବା - ‘ରାଷ୍ଟ୍ର-ପ୍ରଜା’ ସମ୍ବନ୍ଧ । ସାଧାରଣ ଜନତା ‘ରାଷ୍ଟ୍ର’କୁ ନିଜ ଦୁଃଖ କହିପାରେ କି ନାହିଁ? କିମ୍ବଦନ୍ତୀ ରହିଛି ଯେ ସମ୍ରାଟ ଜାହାଙ୍ଗୀରଙ୍କ ଅନ୍ତଃପୁରରେ ଗୋଟିଏ ଘଣ୍ଟି ରହୁଥିଲା । ତା’ର ଶିଙ୍କୁଳିଟି ମହଲର ବାହାରେ ରାସ୍ତା ଉପରେ ରହୁଥିଲା । ଯେ କେହି ତାକୁ ଟାଣି ସମ୍ରାଟଙ୍କୁ ଝରକା ପାଖକୁ ଡାକିପାରୁଥିଲା । ଏ କାହାଣୀ ଯଦି ମଧ୍ୟଯୁଗୀୟ ଆଦର୍ଶ ହୋଇଥାଏ, ତେବେ ଆଧୁନିକ ବିକାଶଶୀଳ ଗଣତନ୍ତ୍ରରେ ଏହା କାହିଁକି ସମ୍ଭବପର ହେବନାହିଁ? କଲେକ୍ଟରଙ୍କ କଥା ଛାଡ଼ନ୍ତୁ । ଜଣେ ସାଧାରଣ ନାଗରିକ ଯଦି ନିଜର ଉଚିତ କଥା ପଦେ କହିବା ପାଇଁ କିମ୍ବା କୌଣସି ଆଇନସମ୍ମତ ପ୍ରାପ୍ୟଟିଏ ପାଇବା ନିମନ୍ତେ ତହସିଲଦାର କିମ୍ବା ଥାନା ଅଫିସରଙ୍କ ସାଥିରେ ସହଜ ଭାବରେ କଥାବାର୍ତ୍ତା କରିପାରିବ, ତେବେ ଗଣତନ୍ତ୍ର ମିଳିଗଲା ବୋଲି ସେ ଅନୁଭବ କରିବ । ୟାକୁ ହିଁ କହନ୍ତି ଶୁଣାଣି, ଗଣତନ୍ତ୍ରର ଏହା ପ୍ରଥମ ପାହାଚ । ଭୋଟ ଅଧିକାର ମଧ୍ୟ ଏହା ତଳକୁ ରହିବ ।

ଦ୍ୱିତୀୟ କଥାଟି ହେଲା ‘ବିଳମ୍ବ’ । ଏଇ ‘ବିଳମ୍ବ’ ହେଉଛି ଲାଞ୍ଚ ଓ ଆତଙ୍କର ସବୁଠାରୁ ବଡ଼ କାରଣ । ଶହେ ଟଙ୍କାର ଡାକଟିକଟ କିଣିବା ପାଇଁ ଡାକଘରେ ଓ ପଚାଶ ହଜାରର ଚେକ୍ ଭଙ୍ଗାଇବା ନିମନ୍ତେ ବ୍ୟାଙ୍କରେ ଅଧଘଣ୍ଟାରୁ କମ୍ ସମୟ ଲାଗିଥାଏ । ମାତ୍ର ସେହି ପ୍ରକାରର କୌଣସି କାମ ଯଦି ସଚିବାଳୟ ବା କଲେକ୍ଟର୍ ଅଫିସରେ ରହିଥାଏ ତେବେ ସେ କାମଟିକୁ ହାସଲ କରିବା ପାଇଁ ମାସ ମାସ ବା ବର୍ଷ ବର୍ଷ ମଧ୍ୟ ଲାଗିଯାଇପାର । ଅଦାଲତରେ ମଧ୍ୟ ସେତିକି ସମୟ ଲାଗିବ । ଗଣତାନ୍ତ୍ରିକ ଦେଶର ପାଠ୍ୟପୁସ୍ତକମାନଙ୍କରେ ଲେଖାହୁଏ ଯେ ଅଦାଲତ ମୌଳିକ ଅଧିକାର ତଥା ଅନ୍ୟ ଅଧିକାରଗୁଡ଼ିକର ରକ୍ଷାକର୍ତ୍ତା । ମାତ୍ର ଭାରତର ସାଧାରଣ ନାଗରିକ ଏହି ରକ୍ଷାକର୍ତ୍ତାକୁ ଯେତିକି ଭୟ କରେ, ସେଭଳି ଭୟ ଆଉ କାହାରିକୁ କରିନଥାଏ । ଭାରତର ଅଦାଲତ ହେଉଛି ପୋଲିସ୍ ର ଚାକର । ନିଜର ଅଧିକାର ଦାବି କରୁଥିବା ଯେକୌଣସି ନିର୍ଦ୍ଦୋଷ ବ୍ୟକ୍ତି ଉପରେ ମିଥ୍ୟା ଦୋଷାରୋପଣ କରି ପୋଲିସ ଅଦାଲତ ସାହାଯ୍ୟରେ ଉକ୍ତ ବ୍ୟକ୍ତିକୁ ଜେଲକୁ ପଠାଇ ଦେଇପାରେ ।

ପୋଲିସ- ଅଦାଲତର ଆତଙ୍କ


ପୋଲିସ-ଅଦାଲତଙ୍କ ଏ ଯୋଡ଼ିକୁ ଆନ୍ଦୋଳନକାରୀ ରାଜନୈତିକ କାର୍ଯ୍ୟକର୍ତ୍ତାଟିଏ ମଧ୍ୟ ଭୟ କରିଥାଏ । ତେବେ ଅଧିକାର ମାଗିବ କିଏ ? କାହାର ସେ ସାହସ ଅଛି ? ଆମେ ଆନ୍ଦୋଳନକାରୀମାନେ କହୁଛୁ ଯେ ‘ସୂଚନା ଅଧିକାର’ ମିଳିବା ଉଚିତ, ଅନ୍ୟ ଅଧିକାରଗୁଡ଼ିକ ମଧ୍ୟ ମିଳିବା ଦରକାର । ତେବେ ଆମେ ଆମର ନିଜର ଆତ୍ମସମୀକ୍ଷା କରିବା ବେଳେ ନିଜକୁ ପଚାରିବା ଦରକାର ଯେ, ବିଚରା ସାଧାରଣ ନାଗରିକ ଉପରେ ଆଉ କେତେ ଅଧିକାର ଆମେ ଲଦିବୁ ? ଏସବୁ ଅଧିକାରଗୁଡ଼ିକୁ ନେଇ ସେ କରିବ କ’ଣ ? ଅଧିକାରକୁ ଆଇନରେ ପରିଣତ କରିବା ପାଇଁ ଆନ୍ଦୋଳନ କରିବା କଥା ତ ବୁଝି ହେଉଛି । କିନ୍ତୁ ଟିକିଏ ଭାବନ୍ତୁ ତ, ଆମେ ଜନତାକୁ ତା’ର ଆଇନଗତ ଅଧିକାର ପାଇଁ ଲଢ଼ିବାକୁ ଆହ୍ୱାନ କରୁଛୁ । ସେ ନିଜେ ତ ଲଢ଼ିପାରିବ ନାହିଁ । ଲଢ଼ିବା ପାଇଁ ନେତା ବା ଓକିଲଙ୍କୁ ଖୋଜିବାକୁ ପଡ଼ିବ । ସେହିମାନଙ୍କ ଧନ୍ଦା ଭଲ ଚାଲିବ । ଅଧିକାର, ଅଧିକାର, ଅଧିକାର । ତା’ପରେ ଅଧିକାରଗୁଡ଼ିକୁ ଆଇନରେ ପରିଣତ କରିବା ପାଇଁ ଲଢ଼େଇ କର, ଲଢ଼େଇ କର, ଲଢ଼େଇ କର । ତେବେ ଗଣତନ୍ତ୍ର କ’ଣ ପାଇଁ ? କେବେ ଦିନେ ବିଶ୍ୱବ୍ୟାଙ୍କ୍ ଏକଥା କହିବ ଯେ ନିଶ୍ୱାସ ନେବାର ଅଧିକାର ରହିବା ଉଚିତ । ତେଣୁ ପ୍ରଥମେ ନିଶ୍ୱାସ ନେବାପାଇଁ ଆଇନି ତିଆରି କର ଓ ତାପରେ ତାକୁ ହାସଲ କରିବା ପାଇଁ ଆନ୍ଦୋଳନ କର । ବିଶ୍ୱବ୍ୟାଙ୍କ୍ ର ୱାଶିଂଟନ୍ ସ୍ଥିତ କାର୍ଯ୍ୟାଳୟରେ ‘ପବନ ଉପରେ ଅଧିକାର’ର ଦଲିଲ ତିଆରି ହୋଇସାରିଛି କି ନାହିଁ, ଏ ସମ୍ପର୍କରେ ଅବଶ୍ୟ ମୁଁ ନିଶ୍ଚିତ ନୁହେଁ । 

‘ଶୁଣାଣି’ ଏବଂ ‘କାର୍ଯ୍ୟାନ୍ୱୟନ’ - ଏ ଦୁଇଟି କଥା ଅଧିକାର ଅପେକ୍ଷା ଆହୁରି ମହତ୍ୱପୂର୍ଣ୍ଣ । ନ୍ୟାର୍ଯ୍ୟ କଥାର ତତ୍-କ୍ଷଣାତ୍ ଶୁଣାଣି ଓ ଅବିଳମ୍ବେ କାର୍ଯ୍ୟାନ୍ୱୟନ ହେବା ଉଚିତ । ସାଧାରଣ ନାଗରିକକୁ ସମ୍ମାନିତ ବ୍ୟକ୍ତି ବୋଲି ବିଚାର କରାଯିବା ଦରକାର - ଏହା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ । ଗାନ୍ଧିବାଦୀମାନେ ଅଧିକାରୀ (ଅଫିସର)ମାନଙ୍କୁ ‘ସେବକ’ରେ ପରିଣତ କରିବାକୁ ଚେଷ୍ଟା କରିଥିଲେ । ଏହା ନିରର୍ଥକ । ମତଦାତା ତାଲିକାରେ ଯାହାର ନାଁ ରହିଛି ଅଫିସରମାନେ ତାକୁ ମଣିଷ ବୋଲି ବିଚାରନ୍ତୁ, ସେଇ ଯଥେଷ୍ଟ । ଭାରତରେ ଥାନା ଅଫିସର, କଲେକ୍ଟର୍, ମାଜିଷ୍ଟ୍ରେଟ୍ ଓ ସୀମାନ୍ତବର୍ତ୍ତୀ ପ୍ରଦେଶଗୁଡ଼ିକୁ ପଠାଯାଇଥିବା ସେନାଧିକାରୀମାନେ ସାଧାରଣ ନାଗରିକଙ୍କୁ କୁକୁର ଭଳି ବିଚାର କରିଥାନ୍ତି । ମୋର ଏ ବାକ୍ୟରେ କୌଣସି ଅତିଶୟୋକ୍ତି ନାହିଁ ।

ସମାଜର ପ୍ରତିଷ୍ଠିତ ନାଗରିକ ଓ ବଡ଼ବଡ଼ିଆ ଲୋକେ ମାନବ ଅଧିକାରର ପ୍ରସଙ୍ଗ ଉତ୍ଥାନ କରିଥାନ୍ତି । ଇରାକ୍, କାଶ୍ମୀର୍, ନାଗାଲାଣ୍ଡ୍ ର ବିଦ୍ରୋହୀମାନଙ୍କ ପ୍ରତି ପୋଲିସର ବର୍ବର ଆଚରଣ ବିଷୟରେ ପଚରାଉଚୁରା କରିଥାନ୍ତି । ଏତେ ବଡ଼ ବଡ଼ ଲୋକ ପାରିବାରିକ ଓ ବ୍ୟକ୍ତିଗତ କାମରୁ ସମୟ ବାହାର କରି ବିଦ୍ରୋହୀମାନଙ୍କ ଉପରେ ପୋଲିସର ଅତ୍ୟାଚାର ବିରୁଦ୍ଧରେ ଯେତେବେଳେ ପ୍ରତିବାଦ କରନ୍ତି, ଏହାଦ୍ୱାରା ସମାଜରେ ବିବେକ ଏବେ ବି ରହିଥିବାର ପ୍ରମାଣ ମିଳେ । କିନ୍ତୁ ଭଦ୍ରଲୋକଙ୍କର ଏ ଦଳ କ’ଣ ଉକ୍ତ ବର୍ବରତାକୁ ବନ୍ଦ କରିପାରିବ ? ଯେଉଁ ଦେଶର ପ୍ରଶାସନ ଓ ଆଇନି ବ୍ୟବସ୍ଥା ଆଇନି ପ୍ରତି ଆସ୍ଥା ରଖିଥିବା ଲୋକଙ୍କ ଉପରେ ପ୍ରତ୍ୟହ ଲଜ୍ଜାଜନକ ଭାବରେ ଅତ୍ୟାଚାର କରିଥାନ୍ତି, ବେଆଇନି କାମ କରୁଥିବା ଲୋକଙ୍କ ପ୍ରତି ସେହି ବ୍ୟବସ୍ଥାର ଅଧିକାରୀମାନେ ସଦୟ ହୋଇପାରିବେ କିପରି ? ମାନବ ଅଧିକାର ପାଇଁ ସମର୍ପିତ ଏହି ଭଦ୍ରମଣ୍ଡଳୀ ପ୍ରତି ମୋର ଅନୁରୋଧ ଯେ ମନମୋହନ ସିଂହଙ୍କ ଦ୍ୱାରା ଗଠିତ ପ୍ରଶାସନିକ ସଂସ୍କାର କମିଶନ ଉପରେ ଚାପ ପକାନ୍ତୁ, ଯେପରିକି ସେମାନେ ପୋଲିସି, ପ୍ରଶାସନ ଓ ଅଦାଲତର କାର୍ଯ୍ୟ ପଦ୍ଧତିରେ ଢାଞ୍ଚାଗତ ପରିବର୍ତ୍ତନ କରି ଦେଶପ୍ରତି ବିଶ୍ୱସ୍ତ ନାଗରିକମାନଙ୍କ ପାଇଁ ସଭ୍ୟ ଓ ଗଣତାନ୍ତ୍ରିକ ଆଚରଣର ନିୟମ ପ୍ରସ୍ତୁତ କରିବେ । ସେତେବେଳେ ଉକ୍ତ ଆଚରଣର କିୟଦଂଶ ବିଦ୍ରୋହୀମାନଙ୍କୁ ବି ମିଳିପାରିବ ।

ପ୍ରଶାସନର ରାଜା - କଲେକ୍ଟର


ଜିଲ୍ଲା କଲେକ୍ଟର୍ ହେଉଛନ୍ତି ଆମ ଦେଶର ପ୍ରଶାସନର ‘ରାଜା’ । ତାଙ୍କ ଦାୟିତ୍ୱରେ ଥିବା ଅଞ୍ଚଳର ସେ ସମ୍ରାଟ ତୁଲ୍ୟ । କେତେ ଯେ ବିଭାଗ ତାଙ୍କ ଅଧିନରେ ରହିଛି, ତା କେହି ଜାଣନ୍ତି ନାହିଁ । ପ୍ରଗତିଶୀଳ ବିଚାରର ଭଲ ଛାତ୍ର ଜଣେ ଯଦି ଆଇ.ଏ.ଏସ୍. ହୁଏ, ତେବେ ପ୍ରଥମ ବର୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ସେ ସମ୍ବେଦନଶୀଳ ହୋଇଥାଏ । ମାତ୍ର ଜିଲ୍ଲା କଲେକ୍ଟର୍ ହୋଇଯିବା ପରେ ତା ଭିତରେ ଔଦ୍ଧତ୍ୟ ପ୍ରବେଶ କରେ । ଜିଲ୍ଲା କଲେକ୍ଟର୍ ଦାୟିତ୍ୱରେ ରହି, ବିକେନ୍ଦ୍ରୀକରଣ ବିଷୟରେ କିଛି କହିବାଟା ନିହାତି ଅର୍ଥହୀନ । ବର୍ତ୍ତମାନର ପଞ୍ଚାୟତିରାଜରେ ଶାସନର ବିକେନ୍ଦ୍ରୀକରଣର କୌଣସି ଲକ୍ଷଣ ନାହିଁ । ବର୍ତ୍ତମାନର ପଞ୍ଚାୟତିରାଜ ଏକପ୍ରକାରର ଠିକାଦାରୀ । ତା ପାଖରେ ନିଜସ୍ୱ କିଛି ଅର୍ଥ ନଥାଏ, ଯାାକୁ ସେ ନିଜର ବିବେକ ବୁଦ୍ଧିରେ କରିପାରିବ । ଗାଁ ପାଇଁ ଯଦି ଭଲ ସଡ଼କ ଦରକାର, ତେବେ ସେଥିପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଆଣିବାକୁ ହେବ । ୟୁରୋପୀୟ ଦେଶଗୁଡ଼ିକରେ ଶାସନର ଯେତିକି ବିକେନ୍ଦ୍ରୀକରଣ ରହିଛି, ଏଠାରେ ସେତିକି କରିବାକୁ ହେଲେ ବର୍ତ୍ତମାନ ରହିଥିବା ଜିଳ୍ଲା କଲେକ୍ଟର୍ ବ୍ୟବସ୍ଥାକୁ ସମାପ୍ତ କରିବାକୁ ହେବ । ରାଜନୀତି ବିଜ୍ଞାନର କୌଣସି ଅଧ୍ୟାପକଙ୍କୁ ଯଦି ଆମେ ଏକଥା କହିବା ତେବେ ସେ କହିବେ ତଦ୍ୱାରା ଦେଶ ଶାସନହୀନ ହୋଇଯିବ । ଏଇ ମୂର୍ଖତା ଯୋଗୁଁ ଏ ଶାସନ ବ୍ୟବସ୍ଥା ଏ ଯାଏଁ କାୟମ୍ ରହିଛି । 

ସଚିବାଳୟ ସ୍ତରରେ ପ୍ରଥମେ କିରାଣୀ ପାଖକୁ ଯିବାକୁ ପଡ଼ିଥାଏ । ସେ ବିଚରାଟି ଦୁଷ୍ଟ, କାରଣ ଏତେ ମହତ୍ୱପୂର୍ଣ୍ଣ ବ୍ୟକ୍ତି ହେଲେ ମଧ୍ୟ ନିଷ୍ପତ୍ତି ନେବାର କୌଣସି କ୍ଷମତା ତା ପାଖରେ ନାହିଁ । ପଚାଶ ଟଙ୍କାର ଦେଣନେଣ ପାଇଁ ସୁଦ୍ଧା ସେ ହସ୍ତାକ୍ଷର କରିପାରିବ ନାହିଁ । ସାହିବସ୍ତିରେ ଲାଉଡ଼୍ ସ୍ପିକର୍ ବଜାଇବାର ଅନୁମତି ସେ ଦେଇପାରିବ ନାହିଁ । ସେ ଲେଖିଥିବା ‘ନୋଟ୍’ ଉପରେ ଅଫିସରଙ୍କ ଦସ୍ତଖତ ଦରକାର । ଶତକଡ଼ା ଅଶୀ ସଂଖ୍ୟକ ‘ନୋଟ୍’ ଉପରେ କୌଣସି ସଂଶୋଧନ ନକରି ଦସ୍ତଖତ ଦିଆଯାଇଥାଏ । ତେଣୁ ସେହି ଶତକଡ଼ା ଅଶୀର ନିଷ୍ପତ୍ତି କରିବାର ଅଧିକାର କିରାଣୀମାନଙ୍କୁ ଦେଇ ଦିଆଯାଉ । ତେବେ ସେମାନଙ୍କର ମଧ୍ୟ ଆତ୍ମଗୌରବର ବୋଧ ରହିବ ଓ ବିଳମ୍ବର କୌଣସି କାରଣ ଆଉ ରହିବ ନାହିଁ । ଅଧିକାରୀ ଓ କିରାଣୀଙ୍କ ବେତନ ଭତ୍ତାର ପାର୍ଥକ୍ୟ ମଧ୍ୟ ଉଣା ହୋଇଯିବା ଉଚିତ ।

ଏହି ଲେଖାଟିର ଶେଷକଥା ହେଉଛି ‘ଉତ୍ତରଦାୟିତ୍ୱ’ ଅର୍ଥାତ ଜବାବଦେହୀ । ବ୍ରିଟିଶ୍ ସମୟରେ ଅମଲାତନ୍ତ୍ରରେ ଯଦି ସାମାନ୍ୟ ଦାୟିତ୍ୱର ଭାବନା (ଦାୟିତ୍ୱବୋଧ) କିମ୍ବା ଉତ୍ତରଦାୟୀ ହେବାର ଭୟ ରହୁଥିଲା, କାରଣ ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ଅଫିସର ଗୋରା ମାଲିକଙ୍କୁ ଭୟ କରୁଥିଲେ । ଗୋରା ମାଲିକମାନେ ଚାଲିଯିବା ପରେ ଭାରତୀୟ ଅମଲାତନ୍ତ୍ର ସବୁତକ ନିୟମକାନୁନ୍ ନିଜେ ତିଆରି କଲେ । ସେତେବେଳେ ସେମାନେ ଉତ୍ତରଦାୟିତ୍ୱର କୌଣସି ନିୟମ ନିଜ ପାଇଁ ତିଆରି କଲେ ନାହିଁ । ଜଣେ ଇଞ୍ଜିନିୟରଙ୍କ ତତ୍ତ୍ୱାବଧାନରେ ପୋଲଟିଏ ତିଆରି ହେଲା । ତିଆରି ହେବାର ବର୍ଷେ ଦି ବର୍ଷ ଭିତରେ ସେ ପୋଲ ଭାଙ୍ଗିଯିବାର ଦେଖାଗଲା । ଏଥି ପାଇଁ ଉକ୍ତ ଇଞ୍ଜିନିୟର ଦାୟୀ ହେବାକୁ ପ୍ରସ୍ତୁତ ନୁହନ୍ତି । କୌଣସି ଜିଲ୍ଲାରେ ବାର୍ଦ୍ଧକ୍ୟ ଭତ୍ତା ଦୁଇ ମାସ ହେଲା ଦିଆ ଯାଇ ନାହିଁ । ପେନ୍ସନ୍ ନେଉଥିବା ଜଣେ ଗରିବ ଲୋକର ଅନାହାର ମୃତ୍ୟୁ ହୋଇଗଲା । ଜିଲ୍ଲା କଲେକ୍ଟର୍ ଏଥିପାଇଁ ନିଜକୁ ‘ଦାୟୀ’ କରୁନାହାନ୍ତି । ସୈନ୍ୟବାହିନୀର ସିପାହୀମାନେ କାଶ୍ମୀର୍ ବା ମଣିପୁରରେ ବଳାତ୍କାର ପରେ ଜଣେ ମହିଳାଙ୍କୁ ହତ୍ୟା କରିଦେଲେ । ଏଥିପାଇଁ ସେନାବାହିନୀର ସ୍ଥାନୀୟ ଅଫିସରଙ୍କୁ ‘ଦାୟୀ’ କରାଯିବ ନାହିଁ । ଏଇଭଳି ‘ଦାୟିତ୍ୱବୋଧ’ର ଶୂନ୍ୟତା ବର୍ତ୍ତମାନ ଦେଶକୁ ଗ୍ରାସ କରିଛି । ଫାଶୀ ଦଣ୍ଡ ଆଇନରୁ ବାହାର କରିଦିଆଯିବା ଦରକାର । ମାତ୍ର ଯେ ପର୍ଯ୍ୟନ୍ତ ଫାଶୀଦଣ୍ଡ ଆଇନିରେ ରହୁଛି, ସେ ପର୍ଯ୍ୟନ୍ତ ଉପରୋକ୍ତ ଇଞ୍ଜିନିୟର, କଲେକ୍ଟର ବା ସେନା ଅଫିସରଙ୍କୁ ହତ୍ୟା କରିବାର ଅପରାଧରେ ସର୍ବୋଚ୍ଚ ଦଣ୍ଡ ଦିଆଯିବା ଉଚିତ । ତେବେ ଯାଇ ଦାୟିତ୍ୱବୋଧ ତୁଲାଇବାର ଧାରା ଆରମ୍ଭ ହୋଇଯିବ ।

ବିଡ଼ମ୍ବନାର କଥା ଏଇ ଯେ ଜଣେ ଯୁବକ ଛାତ୍ର ଯେତେବେଳେ ଆଇ.ଏ.ଏସ୍. ହୁଏ ଓ ପ୍ରଶାସନିକ ସେବା ନିମନ୍ତେ ବଛାଯାଏ, ସେତେବେଳେ ତାକୁ ସର୍ବଶ୍ରେଷ୍ଠ ଯୋଗ୍ୟତା ସମ୍ପନ୍ନ ବୋଲି ଧରାଯାଏ । ମାତ୍ର ସେଇ ସର୍ବଶ୍ରେଷ୍ଠ ଯୋଗ୍ୟତା ସମ୍ପନ୍ନ ଗୋଷ୍ଠୀ ଏଯାବତ୍ ଏଭଳି ଶାସନତନ୍ତ୍ରଟିଏ ଗଢ଼ିଛନ୍ତି, ଯାହାକୁ କି ପୁରାପୁରି ଭ୍ରଷ୍ଟ, ଅକୁଶଳ ଓ ଅମାନବୀୟ ବୋଲି କୁହାଯିବ । ଏହି ଶାସନତନ୍ତ୍ରକୁ ସୁଧାରିବା ନିମନ୍ତେ ଏବେ କଠୋର ଇଚ୍ଛାଶକ୍ତି ସମ୍ପନ୍ନ ଏକ ଦୃଢ଼ ରାଜନୈତିକ ନେତୃତ୍ୱର ଆବଶ୍ୟକତା ରହିଛି ।

Wednesday, April 06, 2016

ଜଗନ୍ନାଥ ଭଜନ - କାହିଁକି ଆସିଛୁ ମନ 


କବି - ସାଲବେଗ 


ଗାୟକ - ଭିକାରୀ ବଳ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Yyx2jth4xw0


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 





ପ୍ରେମ ପ୍ରୀତି ସଙ୍କ୍ରାନ୍ତୀୟ କିଛି ଓଡ଼ିଆ ଢ଼ଗ ଢ଼ମାଳୀ 


ଫଟୋ କ୍ରେଡ଼ିଟ୍ - ୱିକମିଡ଼ିଆ କମନସ୍ 


୧. କାକୁଡ଼ି ପରାୟେ ପୀରତି ଦେଖ, ବାହାରକୁ ତୁଲ ଭିତର ଫାଙ୍କ ।

୨. ଜର କଲେ ହାତୀ ମଲା ; ପରର ପୀରତି ଅଢ଼େଇଦିନିଆ, ମୁହଁ ମୋଡ଼ିଦେଲେ ଗଲା ।

୩. ପିତା ଶାଗ ବୁଦି ବୁଦି, ଭାଇନା କା ସାଙ୍ଗେ ପୀରତି କଲେ, ବନ୍ଧା ଦେଇ ସୁନା ମୁଦି । 

୪. ଯାହା ମନ ଯହିଁକି ରସେ, ତାକୁ କିଆଫୁଲ ପରି ବାସେ ।

୫. ହାଇରେ ରସିକ ରସିଲୁ, ମଧୁ ମାଳତୀକୁ ଛାଡ଼ି ଦେଇ  ଯାଇ, ପୋକଶୁଙ୍ଗା ବଣେ ପଶିଲୁ ।

୬. ତୋର ମୋର ସାଙ୍ଗୀ ; ତୁ ଧରିଥିବୁ ଆଇଁଷ ଆଟିକା, ମୁଁ ଧରିଥିବି ଡାଙ୍ଗି ।

୭. ପୁଅ ପରିଗୁଣ କେମନ୍ତେ ଜାଣିବ, ବୁଢା ଦିନେ ଯେବେ ପୋଷେ ;
     ସ୍ୱାମୀ ପରିଗୁଣ କେମନ୍ତେ ଜାଣିବ, ବୁଢ଼ୀ ଦିନେ ଯେବେ ରସେ ।

୮. ଭାଲୁ ସଙ୍ଗେ କଲେ ଭାବ, ନିଶ୍ଟୟ କାମୁଡ଼ା ପାଇବ ।

୯. କଖାରୁ ଚୋପି, ବେଳକାଳ ଜାଣି ଗଡ଼ିଲେ ଗୋପୀ । 

୧୦. ବାଲି ବନ୍ଧ ଶଠ ପୀରତି, ଏ ଦୁହେଁ ଏକା ରୀତି ।

୧୧. ଅଢ଼େଇ ଦିନକୁ ବଢ଼ଇ ପ୍ରୀତି, କୁଆ ଘେନିଗଲା କଜଳପାତି ।

ଶ୍ରୀ ସର୍ବେଶ୍ୱର ଦାସ କୃତ 'ସଂକ୍ଷିପ୍ତ ପ୍ରବାଦ ଓ ପ୍ରବଚନ କୋଷ'ରୁ ସଙ୍ଗୃହିତ । 

Tuesday, April 05, 2016

ଫକୀର ମୋହନଙ୍କର କିଛି ଗଡ଼ଜାତିଆ ଶବ୍ଦ - ୨


ଫକୀରମୋହନ ସେନାପତି କୃତ  ପ୍ରବନ୍ଧ ଆଳିମାଲିକାରୁ ସଂଗୃହୀତ 


ବିଂଶ ଶତାବ୍ଦୀର ଆରମ୍ଭରେ ଗଡ଼ଜାତ ଓଡ଼ିଶାର ମାନଚିତ୍ର
 ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


କୁଦିବା - ମଡେଇବା, ମୁଣ୍ଡେଇବା - ବ୍ୟବହାର ଅତି ବିଚିତ୍ର, ଗଡ଼ଜାତରେ ଅଧିକାଂଶ କହନ୍ତି, 'ଯୋତା କୁଦିବା', 'କୁର୍ତ୍ତା ମଡ଼େଇବା', 'ଛତା ମୁଣ୍ଡେଇବା' ।

ଓଖର - ଦୁଗ୍ଧ - ଗୋ କ୍ଷୀରର ଅପଭ୍ରଂଶ ହେଲେ ହେଁ ସାଧାରଣତଃ ଦୁଗ୍ଧ ଅର୍ଥରେ ବ୍ୟବହୃତ ହୁଏ । ମଇଁଷି ଓଖର, ଛେଳି ଓଖର, ଇତ୍ୟାଦି, ଓଖର ନ କହି 'ଦୁଧ' କହିଲେ ଗଡ଼ଜାତରେ ସାନ ବଡ଼ ସ୍ତ୍ରୀ ପୁରୁଷ ସମସ୍ତେ ଅଭଦ୍ର ଅଶିଷ୍ଟ ମନେ କରିବେ । 

ନେଉଆ - ଆତ, ନେଉଆ ଏକ ଜାତୀୟ ଫଳ ; ଆତର ଉପର ଉଚ୍ଚ ନୀଚ, ନେଉଆର ଉପର ଛିଲକା ଚିକ୍କଣ । ଏହାହିଁ କଟକ ଅଞ୍ଚଳର ବ୍ୟବହାର । ସ୍ଥାନ ଭେଦରେ ଆତକୁ ବଢ଼ିଆଳ, ନେଉଆକୁ ଆତ, ପିଜୁଳିକୁ ନେଉଆ କହନ୍ତି । ପିଜୁଡ଼ି ଦୁଇ  ପ୍ରକାର, ଯାହା ଭିତର ଲାଲ ତାକୁ ପିଜୁଡ଼ି, ଯାହା ଭିତର ଧଳା ତାକୁ ନେଉଆ କହନ୍ତି । 

ନାଉଳ - ବର୍ଣ୍ଣବୋଧ 

ପାପୋସ - ଯୋତା 

ଡୁଙ୍ଗିବା - ଉଣ୍ଡିବା 

ଆଡ଼େଇବା - ବହୁ ପରିମିତ ପଦାର୍ଥରୁ କିଛି ବାହାର କରିନେବା । କୂଅରୁ ପାଣି ଆଡ଼ୋଉଚି । ଭଣ୍ଡାରରୁ ଚାଉଳ ବସ୍ତାଟା ଆଡ଼େଇଲିଣି ।