Tuesday, April 05, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ତୃତୀୟ ଅଧ୍ୟାୟ : ଶ୍ଲୋକ ୯ - ୧୫ 


ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କର୍ମ ୟୋଗଃ 


ଶ୍ରୀ ଭଗବାନ ଉବାଚ 


ୟଜ୍ଞାର୍ଥାତ୍ କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମବନ୍ଧନଃ ।
ତଦର୍ଥଂ କର୍ମ କୌନ୍ତେୟ ମୁକ୍ତସଙ୍ଗଃ ସମାଚାର ।୯।

ଯଜ୍ଞାର୍ଥେ ନ ହୁଏ ଯେବେ କର୍ମ ଅନୁଷ୍ଠାନ । ତ୍ୟାଗ କରିଥାନ୍ତି ଲୋକ ଯେ କର୍ମ ବନ୍ଧନ ।।
ଅତଏବ ହେ କୌନ୍ତେୟ ! ବିଷ୍ଣୁ ଉଦ୍ଦେଶ୍ୟରେ । ଅନୁଷ୍ଠାନ କର କର୍ମ ନିଷ୍କାମ ଭାବରେ ।୯।

ସହୟଜ୍ଞାଃ ପ୍ରଜାଃ ସୃଷ୍ଚ୍ୱା ପୁରୋବାଚ ପ୍ରଜାପତିଃ । 
ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ।୧୦।

ପୂର୍ବେ ପ୍ରଜାପତି ଯେବେ କଲେ ପ୍ରଜା ସୃଷ୍ଟି । ସେମାନଙ୍କୁ ଆଜ୍ଞା ଦେଇଥିଲେ ପରମେଷ୍ଠୀ ।।
ତୁମ୍ଭେମାନେ ହେବ ଯଜ୍ଞେ ବର୍ଦ୍ଧିତ କ୍ରମଶ । ପୂର୍ଣ୍ଣ ହେବ ସମସ୍ତଙ୍କ ଯଜ୍ଞେ ଅଭିଳାଷ ।୧୦।

ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ ।
ପରସ୍ପରଂ ଭାବୟନ୍ତଃ ଶ୍ରେୟଃ ପରମବାପ୍ସ୍ୟଥ ।୧୧।

ଦେବାତମାନଙ୍କୁ କର ଯଜ୍ଞେ ଆନନ୍ଦିତ । କରନ୍ତୁ ଯେ ଦେବେ ତୁମ୍ଭମାନଙ୍କୁ ବର୍ଦ୍ଧିତ ।।
ଏକକୁ ଆରେକ କର କଲ୍ୟାଣ ବର୍ଦ୍ଧିନ । ପୂର୍ବେ ଏହା ବୋଲିଛନ୍ତି ମରାଳବାହନ ।୧୧।

ଇଷ୍ଟାନ୍ ଭୋଗାନ୍ ହି ବୋଦେବା ଦାସ୍ୟନ୍ତେ ୟଜ୍ଞଭାବିତାଃ ।
ତୈର୍ଦତ୍ତାନପ୍ରଦାୟୈଭୌ ୟୋ ଭୁକ୍ତେସ୍ତେନ ଏବ ସଃ ।୧୨।

ବର୍ଦ୍ଧିତ ହୋଇ ଦେବଗଣ । ସୁଫଳ କରିବେ ପ୍ରଦାନ ।।
ସେ ଫଳ ଭୋଗ ଯେ କରଇ । ଦେବତାମାନଙ୍କୁ ନ ଦେଇ ।।
ନ କଲା ପ୍ରତି-ଉପକାର । ତେଣୁ ସେ ଲୋକ ଅଟେ ଚୌର ।୧୨।

ୟଜ୍ଞାଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ବ କିଳ୍ୱିବିଷୈଃ ।
ଭୁଞ୍ଜନ୍ତେ ତେ ତ୍ୱଙ୍ଘ ପାପା ୟେ ପଚନ୍ତ୍ୟାତ୍ମକାରଣାତ୍ । ୧୩।    

ଯଜ୍ଞ ଅବଶିଷ୍ଟ ସାଧୁ କରିଣ ଭୋଜନ । ସର୍ବରୂପ ପାପନାଶ କରନ୍ତି ଛେଦନ ।।
କେବଳ ଆପଣା ପାଇଁ କରେ ଯେହୁ ପାକ । ମହା ପାପଫଳ ନିଷ୍ଚେ ଭୁଞ୍ଜେ ସେହି ଲୋକ ।୧୩।

ଅନ୍ନାଦ୍ ଭବନ୍ତି ଭୂତାନି ପର୍ଜନ୍ନ୍ୟାଦନ୍ନସମ୍ଭବଃ ।
ୟଜ୍ଞାତ୍ ଭବତି ପର୍ଜନ୍ୟୋ ୟଜ୍ଞଃ କର୍ମସମୁଦ୍ଭବଃ ।୧୪।

ଅନ୍ନଠାରୁ ପ୍ରାଣୀଗଣ ହୋଇଛନ୍ତି ଜାତ । ସେହି ପ୍ରାଣୀ ପ୍ରାଣ ଅନ୍ନ ପର୍ଜନ୍ୟୁ ସମ୍ଭୁତ ।।
ଯଜ୍ଞରୁ ହୋଇଛି ପୁଣି ଉତ୍ପତ୍ତି ପର୍ଜନ୍ୟ । ମାତ୍ର କର୍ମ ଅଟେ ସେହି ଯଜ୍ଞର ନିଦାନ ।୧୪।

କର୍ମ୍ମବ୍ରହ୍ମୋଦ୍ଭବଂ ବିଦ୍ଧି ବ୍ରହ୍ମାକ୍ଷର ସମୁଦ୍ଭବମ୍ ।
ତସ୍ମାତ୍ ସର୍ବଗତଂ ବ୍ରହ୍ମ ନିତ୍ୟଂ ୟଜ୍ଞେ ପ୍ରତିଷ୍ଠିତମ୍ ।୧୫।

କର୍ମ ଯେ ବେଦର ପ୍ରସୂତି । ସେ ବେଦ ବ୍ରହ୍ମରୁ ଉତ୍ପତ୍ତି ।।
ଏଥକୁ ବ୍ରହ୍ମ ଯେ ସତତ । ଯଜ୍ଞରେ ଥାନ୍ତି ପ୍ରତିଷ୍ଠିତ ।୧୫।  

Monday, April 04, 2016

ପ୍ରେମ ଉପରେ ତିନୋଟି  ଓଡ଼ିଆ ଲୋକଗୀତ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 



ଏ ଖରାବେଳେ ଗୋରୀ ନ ଯିବୁ ପାଣିକି 
ମଉଳିଯିବ ମୁଖ ଦିହ ତ ଯିବ ଶୁଖି
ଆଉ ସତେ ମ ୁଁ ଏପରା ବୋହୂ ପାଇବି 
ଶରଦ ରାଧି ଚନ୍ଦ୍ରାମୁଖି ହୋ । (ଆଠମଲ୍ଲିକ) 


ଏ ନଣନ୍ଦ ଭାଉଜ ଗାଧୋଇ ଗଲେ ନଈ 
ନଣନ୍ଦ ପଚାରଇ କି କରୁଥିଲେ ଭାଇ 
ଅଲାଜୁକି ନଣନ୍ଦ ଲାଜ ନାହିଁ ତୋତେ
ଭାଇର କଥାଯାକ ପଚାରୁଛୁ ମୋତେ 
ମୁହୁଁ ନହାରୁଣୁ ତୋ' ଭାଇ ହାରିଲା 
ରାତ୍ର ଅଧଠାଇଁ ତ ତୋରାଣି ମାଗିଲା ।
ମୁହିଁ ଅଲକ୍ଷଣୀ ତ ନ ଦେଲି ତୋରାଣି 
ମାଠିଆ ଅଜାଡ଼ି ପିଉଥିଲେ ପାଣି 
ଜର କଲା ବୋଲି ହୋ ଶୋଇଲେ 
ଭେଣ୍ଡିଆ ଗୁଞ୍ଜମଣି ହୋ । (ନରସିଂହପୁର)


ଏ ଅଇଲା ଖରାକାଳ ଛତା ତଳେ ଛାଇ
ଚଇତ ମାସେ ନିମ୍ବ ହୋ ବଉଳ 
ଗୋରୀ ତ କାମେ ବାଇ ହୋ । (ବୌଦ୍ଧ)

ଉତ୍ସ - ଶ୍ରୀ ଚକ୍ରଧର ମହାପାତ୍ର ସଙ୍କଳିତ 'ଉତ୍କଳ ଗାଉଁଲି ଗୀତ' 

 ପଶ୍ଚିମ ଓଡ଼ିଶାର ପାଞ୍ଚଟି ଚଷାଗୀତ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଏ କଖାରୁ ପତର ତ ମାରିଦେଲି ଆଂଶୁ
କଳା ଭ୍ରମରକୁ ଯେ କହିବ ଚାକେରି ଛାଡ଼ି ଆସୁ ଯେ ।
ଛାଡ଼ି ମୁଁ ନ ପାରଇ ରାଜା ଘର ସେବା 
ତନୁ ପାତେଳିକି କହିବ 
ଆନ ବରେ ଯାଆ ଯାଆ ଯେ ।
ଆନବର, ସ୍ୱାମୀରେ ମୋହର କାର୍ଯ୍ୟ ନାହିଁ
ବରଷକେ ଥରେ ହୋ ନ'ଇଲେ 
ମରିବି ବିଷ ଖାଇ ହୋ । (ବୌଦ୍ଧ)


ଘୁମାଇଁ ଘୁମାଇଁ କେତେ ଯାଉ ଦିନ 
ଶୋଇଲା ଶ଼େଜରେ ତ ହଜିଲା ବାହାବିଦ ।
ମୋ'ର ବାହାବିଦ ତ ପାଇଥିଲେ ଦେବ 
ଯେଉଁଥି ପାଇଁ ଅଳି ହେ କରୁଛ 
ତହିଁରେ ଜଉମୁଦ ହୋ । (ସୋନପୁର)


ଏ କହଇ ଅଙ୍ଗଦ ଯେ ଶୁଣ ହେ ଦଶକନ୍ଧ
ଏଡ଼େ ବଡ଼ କ୍ଷେତ୍ରୀ ହୋଇ ଅରଜିଲୁ ମନ୍ଦ
ଶ୍ରୀରାମ ଘରଣୀକୁ ତୁ ଆଣିଲୁ ଚୋରାଇ
ଜାଣିଲେ ରାମ ତ ମାଡ଼ ମାରିବେ
ଦରିଆ ପାର ହୋଇ । (ବରଗଡ଼)


ଏ ନାବ ତ ଦଦରା ଲୋ ଝଲକି ପଶେ ପାଣି
ଜଣ ଜଣ କରି ପାରି ଯେ କରିବି 
ଗୋପର ଗଉଡ଼ୁଣୀ
ଗୋପର ଗଉଡ଼ୁଣୀ ଗୋପେ ହୁଅ ବାଇ
ଶ୍ରୀରାମ ବିଭା ବେଳେ ଲୋ ନ ଗଲ ବନ୍ଦାଇ
ତେଣୁ ଶାପ୍ୟ ଲୋ ପାଇଲ 
ବୁଲାଇ ବିକ ଦହି  ଗୋ। (ବଲାଙ୍ଗୀର)


ଏ ଦହି ବହି ତ ବୁଲିଗଲେ ସାହି
ରାଧିକାର ଦହି ତ ଛୁଇଁ ନ ଯୋଗାଇ
ବଡ଼ ଦୋଚାରୁଣୀ ମାଇଁ ଯେ ରାଧିକା 
କହ୍ନେଇ ସଙ୍ଗେ ବାଇ ହୋ । (ବଣେଇ)

ଉତ୍ସ - ଶ୍ରୀ ଚକ୍ରଧର ମହାପାତ୍ର ସଙ୍କଳିତ 'ଉତ୍କଳ ଗାଉଁଲି ଗୀତ' 

Saturday, April 02, 2016

ଗଙ୍ଗାଧର ମେହେରଙ୍କୁ ରାଧାନାଥ ରାୟଙ୍କର ପତ୍ର 


କବିବର ରାଧାନାଥ ରାୟ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


କଟକ ତା ୦୬।୧୨।୧୮୯୪ 

ପ୍ରିୟତମ ଗଙ୍ଗାଧର ବାବୁ,

ଆପଣଙ୍କର ପ୍ରେରିତ ଅନୁଗ୍ରହ ଉପକାର ସକୃତଜ୍ଞ ଚିତ୍ତରେ ଗ୍ରହଣ କଲି । ମୋହୋର ମତ ପୁସ୍ତକର ଅଙ୍ଗୀଭୂତ ହୋଇଥିବା ସ୍ଥଳେ ପୁନର୍ବାର ମତ ପ୍ରଦାନ ଅନାବଶ୍ୟକ । ତଥାଚ଼ ଅବକାଶମତେ ମୁଁ ଗୋଟିଏ ସଂକ୍ଷିପ୍ତ ସମାଲୋଚନା 'ହିତୈଷିଣୀ' ଅଫିସ୍ କୁ ପଠାଇବି । 

ସମସ୍ତ ସମ୍ପାଦକ ଏବଂ ଲବ୍ଧପ୍ରତିଷ୍ଠ ସାହିତ୍ୟବିତ୍ ବ୍ୟକ୍ତିଙ୍କଠାକୁ ଅତି ଶୀଘ୍ର ଖଣ୍ଡିଏ ଖଣ୍ଡିଏ ପୁସ୍ତକ ଉପହାର ସ୍ୱରୂପ ପଠାଇବା ହେବେ । ହିତୈଷିଣୀ ବ୍ୟତୀତ ଅନ୍ୟାନ୍ୟ ସମ୍ବାଦପତ୍ରର ସମ୍ପାଦକଙ୍କଠାରୁ ସାହିତ୍ୟ ସମ୍ବନ୍ଧରେ କୌଣସି ନିର୍ଭରଯୋଗ୍ୟ ମତ ଅଥବା ଉପଦେଶ ପାଇବାର ଆଶା ଦୁରାଶା ମାତ୍ର । କେବଳ ଶିଷ୍ଟାଚାର ରକ୍ଷା ନିମନ୍ତେ ପୁସ୍ତକ ପଠାଇବାର ବାଞ୍ଛନୀୟ ।

କେହି ପ୍ରତିକୂଳ ମତ ଦେଲେ ସେଥିରେ ଭ୍ରୂକ୍ଷେପ କରିବାର ଅନୁଚିତ । ପ୍ରତିଷ୍ଠା ବୃଦ୍ଧି ସଙ୍ଗେ ସଙ୍ଗେ ଆପଣଙ୍କର ଅନିବନ୍ଧନ ବାନ୍ଧବ ଏବଂ ଅନିବନ୍ଧନ ଶତୃ ବାହାରିବେ । ଏଥିପାଇଁ ଆପଣ ପୂର୍ବରୁ ପ୍ରସ୍ତୁତ ଥିବାର ଭଲ ।

'ଇନ୍ଦୁମତୀ' ଓ 'ଉତ୍କଳଲକ୍ଷ୍ମୀ' ଏ ଉଭୟ ହିଁ ଉତ୍କଳଭାଷାର ସ୍ଥାୟୀ ସମ୍ପତ୍ତି । ଏହା ମୁଁ ମୁକ୍ତ କଣ୍ଠରେ ଅନେକ ଲୋକଙ୍କ ସମ୍ମୁଖରେ କହିଛି ଏବଂ ଆଜୀବନ କହିବି ।

ଉତ୍କଳଲକ୍ଷ୍ମୀ ପ୍ରଭାରେ କେବେ ବାହାରିବ ?  ବରପାଲି ମହାରାଜ ଇନ୍ଦୁମତୀ ପ୍ରଣେତାଙ୍କର କି ସତ୍କାର କଲେ, ତାହାଙ୍କର ସାହିତ୍ୟ ଜ୍ଞାନ କିପରି ?    

ଅଧିକାଂଶ ତଥାକଥିତ ରାଜାଙ୍କ ସମ୍ବନ୍ଧରେ ଆପଣଙ୍କର 'ଥାଇ ସେ ନଥିଲା ପରି' ଉକ୍ତି ସତ୍ୟ ଅଟେ ।

ଆପଣଙ୍କର 
ରାଧାନାଥ ରାୟ 

Friday, April 01, 2016

ମା ମା ବୋଲି କେତେ ମୁଁ ଡାକିଲି 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ବ୍ଲଗ୍ ର ପାଠକ ମାନଙ୍କୁ ଓଡ଼ିଶା ଦିବସର ଶୁଭେଚ୍ଛା । ଏହି ଅବସରରେ ଆମେ ଆପଣଙ୍କ ପାଇଁ ଆଣିଛୁ ଜନନାୟକ ମଧୁସୂଦନ ଦାସଙ୍କର ଲୋକପ୍ରିୟ ଗୀତ 'ମା ମା ବୋଲି କେତେ ମୁଁ ଡାକିଲି' ର ଭିଡ଼ିଓ ରୂପାନ୍ତର, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଭରଦ୍ୱାଜ ପଣ୍ଡା (ଜୁଲୁ)।  
ଜୟ ଓଡ଼ିଶା । 

ଭିଡ଼ିଓର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=kuwkZQD2YqI


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍

ତିନୋଟି ସମ୍ବଲପୁରୀ ଲୋକଗୀତ



କଳାହାଣ୍ଡିର ରାଜପ୍ରସାଦ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ହୁମୋ ଗୀତ 


କରାଟେ ଧଇଲି ମେଥି 
ମରିଗଲେ ତୋର ହାଡ୍ ଆନିମି
ଗଙ୍ଗା ଉଡ଼ିଶାକୁ ନେମି
ଗଙ୍ଗା ଉଡ଼ିଶାର ଫୁଲ୍ ଆନିମି 
ପ୍ରଭୁଙ୍କୁ ବୁଝାଉ ଥିମି ।
ପ୍ରଭୁ ବସିଛନ୍ତି ଖଟ ପିଣ୍ଡାରେ 
ଖଟଲିଆ ଗଡୁ ଧରିରେ ।

ଚାଲ ଗୋ ନନୀ


ଚାଲଗୋ ନନୀ ପଲାଇ ଯିମା ବାମଡ଼ା ଭିତର
ଭାତ ବୋଇଲେ ଭାତ ଦେବି ପଟୁକା ଧାନର
ତିଉନ ବୋଇଲେ ତିଉନ ଦେବି ଯୋଡା ସମ୍ବର 
ଝମ ହେଲେ ଶୁଆଇ ଦେବି କୋଲର ଭିତରେ 
ମିତ, ମାର ଜଡ଼ିରେ ।

ହାମାର ସୁରେନ୍ଦ୍ର ସାଏ 


ଆଏଲାରେ ଆଏଲାରେ 
ହାମାର ସୁରେନ୍ଦ୍ର ସାଏ 
କୁଦୋ ପାଲିର ମଝା ଝୁଲି
ଡ଼ୁଙ୍ଗରି ଉପରେ ଘୋଡ଼ା ନରଦଉ ଥାଏ ।
ଇଟା ସେ ସୁନ୍ଦରସାଏର ମାଟି 
ତଲୁ ଡ଼େଗାଇ ଛବିଲ ସାଏ ଚଢ଼ୁଥିଲା ହାତୀ 
କୁଦେପାଲି ଗୁଲି ବାଜିଯାଇ ଫାଟିଗଲା ଛାତି । 

ଫକୀର ମୋହନଙ୍କର କିଛି ଗଡ଼ଜାତିଆ ଶବ୍ଦ - ୧


ଫକୀରମୋହନ ସେନାପତି କୃତ  ପ୍ରବନ୍ଧ ଆଳିମାଲିକାରୁ ସଂଗୃହୀତ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


କାନ୍ଥ  = କଡ଼ --- ବଟା କାନ୍ଥରେ ପାନ ଅଛି । ପୋଖରୀ କାନ୍ଥ ଆମ୍ବଗଛର ଆମ୍ବ ମିଠା ।

ମୂଳେ = ଯିମା --- ସରବରକାରଙ୍କ ମୂଳେ ଖଜଣା ଦେଲି । ବାବୁଙ୍କ ମୂଳେ ବସ୍ତାନିଟା ଦେଇ ଆସିଲି ।

ସିଲ =  ପ୍ରଧାନ ଅର୍ଥ ଅନୁମତି - ବିଦାୟ ଅର୍ଥରେ ମଧ୍ୟ ଚଳେ । ମତେ ପାଲିଙ୍କି ଚଢ଼ିବାର ସିଲ ନାହିଁ । ଛତା ସିଲ କରେଇଚି । ଆମ୍ଭମାନଙ୍କୁ ବାହାରି ଯିବାକୁ ସିଲ ହେଉ ।  ମୁଁ ହଜୁରରୁ ସିଲ୍ ହେଉଛି । (ପୂର୍ବେ ଗଡ଼ଜାତରେ ଘୋଡ଼ା ଚଢ଼ିବା, ପାଲିକି ଚଢ଼ିବା, ଏପରିକି ଛତା ବ୍ୟବହାର କରିବା ପାଇଁ ରାଜସରକାରରେ ଭେଟି ସଲାମି ଦେଇ ଅନୁମତି ନେବାକୁ ହେଉଥିଲା । ବର୍ତ୍ତମାନ ଯେ ସମ୍ପୂର୍ଣ୍ଣରୂପେ ଉଠି ଯାଇଅଛି ତାହା ନୁହେ ।)

ସମୟ = ସାଧାରଣ ଅର୍ଥ କାଳ, ଅବକାଶ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ  --- ଯେପରିକି, ମୋର ବର୍ତ୍ତମାନ ସମୟ ନାହିଁ । କିନ୍ତୁ ଗଡ଼ଜାତରେ ସମୟ "କେଉଁ କାର୍ଯ୍ୟରେ ବ୍ୟାପୃତ ", "ଏ ଅବକାଶ ଅଛି କି ନାହିଁ"  ଏହପରି ଅର୍ଥରେ ବ୍ୟବହାର ହୁଏ ।  କୌଣସି ଲୋକ ରାଜା ବା କୌଣସି ଭଦ୍ରଲୋକ ସହିତ ଦେଖା କରିବାକୁ ଆସିଲେ, ଯାହାଙ୍କ ସହିତ ଦେଖା କରିବାର ଆବଶ୍ୟକ ତାହାଙ୍କର ସାକ୍ଷାତ ନ ପାଇଲେ ପଚାରେ, "ଛାମୁଙ୍କର ସମୟ କଣ ? ବା ବାବୁଙ୍କର ସମୟ କଣ ?"

ଆସିବା = ସାଧାରଣ ଅର୍ଥରେ ବ୍ୟବହୃତ ହେବା ଛଡ଼ା - ଏ ବର୍ଷ ଭଲ ଆମ୍ବ ଆସିଚି, ତେନ୍ତୁଳି ଭଲ ଆସିନାହିଁ --- ଏପରି ବ୍ୟବହାର ମଧ୍ୟ ହୁଏ । 

ପହଡ଼ = "ତେଜିଣ ବେଗେ ପହୁଡ଼, ଗୋଧନ ଘେନି ଗଉଡ଼, ବଜାଇ ବଜାଇ ବଂଶୀ ସୁଲଳିତ ସ୍ୱନେ, ଗୋଷ୍ଠକୁ ଗମଇ ଧୀରେ ଆନନ୍ଦିତ ମନେ" ରେ ପହୁଡ଼ର ବ୍ୟବହାର ; ଅଭିଧାନରେ ଏହାକୁ ଅନୁସରଣ କରି 'ପହୁଡ଼' ମଧ୍ୟ ଲେଖାଅଛି । କିନ୍ତୁ ସଚାରଚର 'ପହଡ଼' ଏହାହିଁ ବ୍ୟବହୃତ ହୁଏ । ପହଡ଼ ଅର୍ଥ ଦେବ ନିଦ୍ରା ତଥା ରାଜକୀୟ ନିଦ୍ରା । ଗାଢ଼ ନିଦ୍ରାକୁ ପହଡ଼, ଚେଇଁ ଶୋଇବାକୁ ଚିଆଁ ପହଡ଼ କହନ୍ତି । ଯାହା ତାହା ନିଦ୍ରା ପହଡ଼ ନୁହେଁ ।

ଛାମୁ = ରାଜ ବା ରାଜ ପରିବାରୀୟ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ବୋଧନରେ ବା ଶିଷ୍ଟତା ସହିତ ସୋମାନଙ୍କ ସମ୍ବନ୍ଧରେ କିଛି କହିବାର ହେଲେ ଏହି ଶବ୍ଦର ବ୍ୟବହାର ହୁଏ । ମୋଟରେ ଏହାର ବ୍ୟବହାର 'ହଜୁର' ଶବ୍ଦର ବ୍ୟବହାର ପରି । ଯଥା  - 'ଛାମୁଙ୍କର ସମୟ କଣ' ? 'ରାଜାଙ୍କ ଛାମୁରୁ ବିଜେ କରୁଛନ୍ତି' ? 'ମଣିମାଙ୍କ ଛାମୁରୁ ହୁକୁମ ପଡ଼ିଛି' ଇତ୍ୟାଦି ? ଏହି ଶବ୍ଦଟି କାହା ମତରେ 'ସମ୍ମୁଖ' କାହା ମତରେ 'ଶ୍ରୀମୁଖ' ପୁଣି କାହା ମତରେ 'ସୁମୁଖ'ର ଅପଭ୍ରଂଶ । ଶ୍ରୀମୁଖ ତ ନୁହେଁ, ତାହାହେଲେ 'ଛାମୁ ଶ୍ରୀମୁଖରୁ କଣ ହୁକୁମ ପଡ଼ୁଚି' 'ଛାମୁ ଶ୍ରୀମୁଖ କେବେ ଦେଖିବି' ଇତ୍ୟାଦି ବ୍ୟବହାର ଅସଙ୍ଗତ ହୁଅନ୍ତା । ରାଜା ରାଜ୍ୟ ମଧ୍ୟରେ ସର୍ବଶ୍ରେଷ୍ଠ - ସୁ = ଶୋଭନ, ମୁଖ୍ୟ = ଶ୍ରେଷ୍ଠ, ସୁମୁଖ୍ୟର ଅପଭ୍ରଂଶ କଲେ ଅଡୁଆ କଣ ? ସେହିପରି ଛାମୁକରଣ = ମୁଖ୍ୟକରଣ ଅର୍ଥାତ୍ କରଣମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ।