Friday, August 28, 2015

ଗଛ


କବି - ଗୁଲଜାର୍


ଅନୁବାଦ - ଭରଦ୍ୱାଜ ପଣ୍ଡା 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ଗଛମାନଙ୍କର ପୋଷାକ ଦେଖି ଆମେ ଏତିକି ଅନ୍ତତଃ ଜାଣିପାରୁ ଯେ ବଦଳିବ ୠତୁ ।
ନୂଆ ଝୁମୁକାମାନ କାନରେ ଝୁଲୁଥିବାର ଦେଖି, କୋଇଲି ସୂଚନା ଦିଏ ବେଳ ଆମ୍ବର ହେଇଚି; 
ହେଇ ଖରାଦିନ ଆସୁଚି ।

ପତ୍ରସବୁ ଝାଡି ଦେଇ ଗୁଲମୋହର୍ ଯେବେ ଥୁଣ୍ଟା ହୁଏ ଖରାରେ,
ଓ ସଜବାଜ ହୁଏ ପିନ୍ଧିବାକୁ ସବୁଜରେ ସ୍ୱର୍ଣଅଳତା ରଙ୍ଗ ଛପା ପୋଷାକ,
ଜଣାପଡେ ଇଏ ଉପକ୍ରମ ମେଘର।

ପାହାଡରୁ ତରଳୁଥିବା ବରଫ ବହିଯାଏ ଧୋଇବାକୁ ପାଦ ପାଇନ୍ ର ।
ପବନ ପତ୍ରମାନଙ୍କୁ ଝାଡିଝୁଡି ଚିକ୍ ଚିକ୍ କରିବାକୁ ଲାଗେ ।

କିନ୍ତୁ ଯେବେ ମଣିଷ ସଭ୍ୟତା ଘୁଷୁରି ଘୁଷୁରି ମାଡିଆସେ,
ପଡିଆର ପାଦଚଲା ରାସ୍ତା ଯେବା ଘରୁ ଗୋଡ କାଢେ,
ବୁଝିଯାଆନ୍ତି ଗଛମାନେ, କଟିବାବେଳ ଆସିଲା ଏଥର ।
ବଂଚିବାର ଏଇ ଶେଷ ୠତୁ, ମନଭରି ତାକୁ ଜୀଇଁଯାଅ । 

Thursday, August 27, 2015

ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୭





ଶ୍ଲୋକ 



ଆଜ୍ୟଧାରୟା ସ୍ରୋତସା ସମମ୍ ।
ସରଲ ଚିନ୍ତନମ୍ ବିରଳତଃ ପରମ୍ ।।

ପଦ ଚ୍ଛେଦ 


ଆଜ୍ୟଧାରୟା - ଘିଅର ଧାର 
ସ୍ରୋତସା ସମମ୍ - ନଈର ସୁଅ ପରି 
ସରଲ - ସରଳ
ଚିନ୍ତନମ୍ - ଚିନ୍ତନ
ବିରଳତଃ - ବିଚ୍ଛିନ୍ନ ଠାରୁ
ପରମ୍ - ଶ୍ରେଷ୍ଠ 

ପଦ୍ୟାନୁବାଦ 


ଘୃତର ଧାର ଅବା ନଇ
ସୁଅର ସମ ଯେବେ ହୋଇ;
ଶ୍ରେଷ୍ଠ ହିଁ ସେହି ଯେ ଚିନ୍ତନ, 
ବିଚ୍ଛିନ୍ନ ଚିନ୍ତାଠାରୁ ଜାଣ ।

Wednesday, August 26, 2015

କେନୋପନିଷଦ୍



ଓଁମ୍ ତତ୍ସବ୍ରହ୍ମଣେ ନମଃ


ଫଟେ କ୍ରେଡିଟ୍ - ୱିକିମିଡିଆ କମନସ୍ 





ମନ୍ତ୍ରାର୍ଥ, ଶଙ୍କର ଭାଷ୍ୟ ଓ ଅନୁବାଦ ସହ



ସମ୍ବନ୍ଧ ଭାଷ୍ୟ


ପଦ ଭାଷ୍ୟ

                     

ପ୍ରାଗେତସ୍ମାତ୍କର୍ମାଣି ଅଶେଷତଃ ପରିସମାପିତାନି, ସମସ୍ତକର୍ମାଶ୍ରୟଭୂତସ୍ୟ ଚ ପ୍ରାଣସ୍ୟୋପାସନାନ୍ୟୁକ୍ତାନି, କର୍ମାଙ୍ଗସାମୱିଷୟାଣି ଚ । ଅନନ୍ତରଂ ଚ ଗାୟତ୍ରସାମୱିଷୟଂ ଦର୍ଶନଂ ୱଂଶାନ୍ତମୁକ୍ତଂ କାର୍ୟମ୍ ।  

ଅନୁବାଦ 


ହା ପୂର୍ବରୁ ସମ୍ପୂର୍ଣ କର୍ମ ମାନଙ୍କର ପ୍ରତିପାଦନର ସମ୍ୟକରୂପରେ ସମାପ୍ତି କରାଯାଇଅଛି । ତଥା ସମସ୍ତ କର୍ମମାନଙ୍କର ଆଶ୍ରୟଭୂତ ପ୍ରାଣର ଉପାସନା ଓ କର୍ମର ଅଙ୍ଗଭୂତ ସାମୋପାସନାର ବର୍ଣନା କରାଯାଇଅଛି । ତାହା ପରେ ଯାହା ଗାୟତ୍ରସାମ ବିଷୟର ବିଚାର ଓ ଶିଷ୍ୟପରମ୍ପରାରୂପ ବଂଶର ବର୍ଣନାରେ ସମାପ୍ତ ହେଉଥିବା ଗ୍ରନ୍ଥଦ୍ୱାରା କୁହାଯାଇଅଛି, ତାହା କାର୍ଯ୍ୟରୂପ ବସ୍ତୁର ହିଁ ବର୍ଣନା ଅଟେ । 

  



Tuesday, August 25, 2015

ବିଚାରମାଳା 

ତୃତୀୟ କିସ୍ତି 

ମାର୍କସ୍ ଅରିଲସ୍ 






୭. ମୁଁ ରଷ୍ଟିକସ୍ ଙ୍କ ଠାରୁ ଶିଖିଲି ଯେ ମୋର ଚରିତ୍ରର ମଧ୍ୟ ଯତ୍ନ ନେବା ଦରକାର ଓ ତାକୁ ପ୍ରଶିକ୍ଷିତ କରିବା ଆବଶ୍ୟକ । ଏହା ମଧ୍ୟ ଶିଖିଲି, ଯେ କୁତର୍କି ମାନଙ୍କଦ୍ୱାରେ ପ୍ରରୋଚିତ ହୋଇ କଳ୍ପିତ ପ୍ରବନ୍ଧ, ତଥାକଥିତ ଶିକ୍ଷାପ୍ରଦ ଉପଦେଶ, କିମ୍ବା, " ତପସ୍ୱୀ" ବା "ପରାର୍ଥବାଦୀ" ଇତ୍ୟାଦି କାଳ୍ପନିକ ବିବରଣୀ ଲେଖିବା ଅନୁଚିତ । ସେ ମୋତେ ଅଯଥା ବାକ୍ ଚାତୁରୀ, କବିତା, ବାଚିକ ଗୁମାନ, ଘରେ ବା ବାହାରେ ଲୁଗାପଟାର ପ୍ରଦର୍ଶନ ଓ ତତ୍ ସମ ଅନ୍ୟାନ୍ୟ ରୁଚିଗତ ପ୍ରମାଦରୁ ଦୂରେଇ ରହିବା ଶିଖାଇଲେ । ସେ ମୋତେ ନିଜେ ସିନୁଏସା ଠାରେ ମୋର ମାତାଙ୍କୁ ଲେଖିଥିବା ଚିଠିର ପତ୍ରାତ୍ମକ ଶୈଳୀର ଅନୁକରଣ କରିବା ମଧ୍ୟ ଶିଖାଇଲେ । ତାଙ୍କଠାରୁ ମୁଁ ଶିଖିଲି ଯେ, କେହି ମୋଠାରୁ ଏକ କ୍ରୋଧର କ୍ଷଣରେ ଦୂରେଇ ଯାଇ ପୁଣି ଶାନ୍ତି ଯାଚନା କଲେ ମୋତେ ତାଙ୍କୁ ଅଧା ରାସ୍ତାରେ ଆସି ଭେଟିବାକୁ ପ୍ରସ୍ତୁତ ରହିବା ଦରକାର । ଆହୁରି ମଧ୍ୟ ଶିଖିଲି ଯେ, ନିଜର ଅଧ୍ୟୟନରେ ସଠିକ୍ ହେବା କଥା ଓ ଅର୍ଥର ଗୋଟିଏ ସାଧାରଣ ଅବଧାରଣାରେ ସନ୍ତୁଷ୍ଟ ରହିବା ଅନୁଚିତ ; ତଥା, ପ୍ରୀତିପଦ ଶୁଣାଯାଉଥିବା ବାଚାଳତାରେ ବିଶ୍ୱାସ ଜ୍ଞାପନ ଅକର୍ତ୍ତବ୍ୟ ଅଟେ। ସେ ମୋତେ ତାଙ୍କର ଗ୍ରନ୍ଥାଗାରରୁ ଏପିକ୍ଟେଟସ୍ ଙ୍କର "ଡିସର୍ଟେସନସ୍"ର ଖଣ୍ଡେ ପ୍ରତିଲେଖ ଦେବାରୁ ହିଁ ମୋର ଗ୍ରନ୍ଥ ପରିଚିତି ଘଟିଲା ।


Monday, August 24, 2015

ମାଛ ମିଛ : 

କଟକରେ ମାଛ ଧରା 




ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଂଗୃହିତ 



ରେଭେନ୍ସା କଲେଜେରୁ ଇଂରାଜୀ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସାରି, ସ୍ୱାଧୀନତା ସମୟରେ ଶ୍ରୀ ବସନ୍ତ ଶତପଥୀ ମୟୁରଭଞ ରାଜ୍ୟ ପାଇଁ କାମ କରୁଥିଲେ । ତାଙ୍କର ମୂଳ ଦାୟିତ୍ତ୍ୱ ଥିଲା ପବ୍ଲିସିଟି ଓ ସାମ୍ବାଦିକତା । ମାତ୍ର ଶେଷ ଗଡଜାତ ରାଜ୍ୟ ରୂପେ ମୟୁରଭଞ ୧୯୪୯ ମସିହା ଜାନୁଆରୀ ମାସରେ ଭାରତ ସହିତ ଓଡିଶା ରାଜ୍ୟର ଗୋଟିଏ ଜିଲ୍ଲା ଭାବରେ ମିଶିଗଲା । ଅନ୍ୟ ରାଜ କର୍ମଚାରୀ ମାନଙ୍କ ପରି ଶତପଥୀ ବାବୁ ମଧ୍ୟ ଓଡିଶା ସରକାରଙ୍କର କର୍ମଚାରୀ ବନିଗଲେ । ଜଣେ ରାଜଭକ୍ତ କର୍ମଚାରୀ ଭାବରେ ରାଜ୍ୟ ଖାସ୍ ହେବାଟା ତାଙ୍କୁ ବାଧିଲା । ମାତ୍ର ପେଟ ପୋଷିବା ପାଇଁ ଓଡିଶା ସରକାରର ଚାକିରୀ ଧରିଲେ । ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କର  ପି.ଏ. ବା ବ୍ୟକ୍ତିଗତ ସହକାରୀ ହୋଇ ସେ ଓଡିଶା ସରକାରରେ ଯୋଗ ଦେଲେ ଓ ଓଡିଶା ସେକ୍ରେଟେରିଏଟକୁ ବଦଳି ହେଲେ । 

ହେଲେ 'ଛାମୁ ଯାହା ଦେଲେ ହରଷେ' ନ୍ୟାୟରେ ଦରମା ମାସକୁ ୨୬୦ ଟଙ୍କାରୁ ୧୬୦ ଟଙ୍କାକୁ ଖସିଗଲା । ଓଡିଶା ମୟୁରଭଞ ତୁଳନାରେ ବଡ ରାଜ୍ୟ ତ ! ସେକ୍ରେଟେରିଏଟ୍ ସେତେବେଳେ କଟକରେ ଥିଲା । ବାରିପଦାରୁ କଟକ ଚାରି ପୁଅ ଝିଅ, ବାର ବରଷର ସାନ ଭାଇ ଓ ପାଁଚଟି କୁକୁଡାର ବଡ ପରିବାର ଧରି ଆସି ହନ୍ତସନ୍ତ ହେଲେ । ପିଲା ମାନଙ୍କୁ ନାନାଦି ରୋଗ ଧରିଲା । ନିଜର ଦୁର୍ଘଟଣା ହେଲା । "ରାମ ରାଉତ ଘରେ ଭାତ ନାହିଁ ପିଲା ବହୁତ" ଅବସ୍ଥାରେ ଘର ଚଳେଇବା ପାଇଁ ସାନ ଭାଇ ଓ ବଡ ଝିଅ କୁ ରଙ୍ଗିନ ଫୁଲ ତିଆରି ଓ ବିକ୍ରିର ବ୍ୟବସାୟ କରିବାକୁ ପଡିଲା । 

ମାଛ ତରକାରୀ ଘରେ ଦୁଇ ଓଳି ହୁଏ । ରହୁଥାଆନ୍ତି ମହାନଦୀ କୂଳରେ । ସନ୍ଧ୍ୟା ହେଲେ ସାନ ଭାଇକୁ ଧରି ବସନ୍ତ ବାବୁ ନଦୀ ଆଡେ ମୁହାନ୍ତି ମାଛ ଧରିବା ପାଇଁ : ମାଛ ଧରି ଆଣିଲେ ଘରେ ତରକାରୀ ହେବ । ପ୍ରଥମେ ସୂତାରେ ଜିଆ ଗୁନ୍ଥି ବଡ ଚିଙ୍ଗୁଡି ଧରୁଥିଲେ । ହେଲେ ବଡ ଜାଲରେ ମାଛ ଧରିବାକୁ ଇଚ୍ଛା ହେଲା । ହେଲା ଜାଲ ମିଳିବ ବା କାହୁଁ । ଗଛ କୋରଡରେ ଅନ୍ଦାଜରେ ହାତ ବୁଲାଉ ବୁଲାଉ ଅକସ୍ମାତ ପକ୍ଷୀ ଅଣ୍ଡା ପାଇଲା ପରି, ପଚାରୁ ପଚାରୁ ପାଖ କେଉଟ ସାହିରୁ ଶିଖା ଗୋଡିର ପୁରୁଣା ଜାଲଟିଏ ମାତ୍ର ଦୁଇ ଟଙ୍କାରେ ମିଳିଗଲା । କିଣିଲା ଦିନ ଭାଇ ସହିତ ରାତି ଆଠଟାରେ ଯାଇ ଠାକୁରଙ୍କ ନାଁ ନେଇ ଜାଲ ଫିଙ୍ଗୁ ଫିଙ୍ଗୁ କିଲିଖିଆ କଳାବାଉଁଶି ମାଛଟାଏ ପଡିଲା । ଦିନକରେ ଜାଲର ପଇସା ଉଠିଗଲା । 

ସେ ଜାଲରେ ଧରି କେତେ ମାଛ ଯେ ବସନ୍ତ ବାବୁ ଓ ତାଙ୍କର ପରିବାର ଖାଇଛନ୍ତି ତାହାର ଇଅତ୍ତା ନାହିଁ । ଠାଏ ମହାନଦୀରେ ଗୋଳିପାଣି ଖେଳିଲା । ପାଣି ମାଡିଲା କ୍ଷଣି ବଡ ଚିଙ୍ଗୁଡି ଗୁଡାକ ବାଲି ଉପରେ ଚଙ୍ଗଚଙ୍ଗ ହୋଇ ହଇଚଇ ସୃଷ୍ଚି କଲେ । ବସନ୍ତ ବାବୁ ଆନନ୍ଦରେ ଦୁଇ କିଲ ପାଖାପାଖି ଚିଙ୍ଗୁଡି ଧରିଲେ । ପର ଦିନ ଭଜା ଚିଙ୍ଗୁଡି ନେଇ ସହକର୍ମୀମାନଙ୍କୁ ଖୁଆଇଲେ । ସେମାନେ ମନ ଆନନ୍ଦରେ ଚିଙ୍ଗୁଡି ଗୁଡିକ ସଫାକରିଦେଲେ ।

ମାଛ ଧରା ବସନ୍ତ ବାବୁଙ୍କ ପାଇଁ ଏକ ମହା ଆନନ୍ଦ ଦାୟକ ସଉକର ବିଷୟ ଥିଲା । ଦିନେ ଖରା ଦିନେ ସେ ମାଛ ଧରିବା ପାଇଁ ଜହ୍ନଭରା ରାତିରେ, ବାରଟା ବେଳେ, ମାଛ ଧରିବା ପାଇଁ ଜାଲ ଧରି ବାହାରି ଗଲେ । ତା ପର ଦିନର ଚୁଲି ପାଇଁ ମାଛ ସେମିତି ବିଶେଷ କିଛି ଲୋଡା ନ ଥିଲା । ଗହିରିଆ ଜେଗାର ସ୍ଥିର ପାଣିରେ ଜାଲ ପାରି ଦେଇ ବାବୁ ଟାକି ଥାଆନ୍ତି । କିଛି ସମୟ ଅନିସା କରି ଜାଲକୁ ଉପରକୁ ଟେକିଲା ବେଳକୁ ଆଉ ସେକି ତଳୁ ଉଠେ ! ଟାଣିଲା ବେଳକୁ ଜାଲ ଚିରିବାକୁ ଆରମ୍ଭ କଲା । ଅଗତ୍ୟା ଶତପଥୀ ଆଜ୍ଞା ଜାଲଟିକୁ ଭାସୁଥିବା ଏକ ବାଉଁଶ ବୋଝରେ ବାନ୍ଧି ଦେଇ ଘରକୁ ଉଜାଣି ବହିଲେ । ସକାଳେ ନଈକୁ ଲେଉଟି ଯାଇ ଜାଲକୁ ଦେଖିଲା ବେଳକୁ କେଉଁଠି କେଜାଣି ଅଖଜରେ ଯାଇଁ ଲାଗିଛି । ଚାରି ଛଅ ଜଣ କଟକିଆ ଟୋକାଙ୍କ ସାହାଯ୍ୟରେ ଜାଲକୁ ଉଦ୍ଧାର କଲା ବେଳକୁ ବୋଧେହୁଏ ପାପେରା ହୋଇଯାଇଥିବା ଜାଲଟି ଛିଣ୍ଡିଗଲା । ଉପରକୁ ଉଠି ଆସିଲା ଖାଲି ଲୁହାର ଜାଲ ଗୋଡି ।

ମାଛ । ମିଛ ।  


Sunday, August 23, 2015

ଫିଲ୍ମ୍ ସୋସାଇଟି ଅଫ୍ ଭୁବନେଶ୍ୱରର ଅଗଷ୍ଟ ମାସର ଚଳଚିତ୍ର ପ୍ରଦର୍ଶନ  


୨୮ ଅଗଷ୍ଟ ( ଶୁକ୍ରବାର), ସନ୍ଧ୍ୟା ୬ ଟା , ଜୟଦେବ ଭବନ, ଏ.ଜି. ଛକ, ଭୁବନେଶ୍ୱର 


ଜୟଦେବ ଭବନ (ପୂର୍ବ ନାମ - ସୂଚନା ଭବନ)
ଫଟେ କ୍ରେଡିଟ୍ - ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାର 

ଏହି ସମ୍ପାଦକ ପ୍ରଥମରୁ କହିରଖିବା କଥା ଯେ ସେ ଭୁବନେଶ୍ୱର ଚଳଚିତ୍ର ସମାଜର (ଏହା ପରେ କେବଳ ସମାଜ ଭାବରେ ଅଭିହିତ) ଆଜୀବନ ସଦସ୍ୟ । ତେଣୁ ଏହି ସମାଜର ଉନ୍ନତ୍ତି ଓ ବିକାଶରେ ମୋର ନ୍ୟସ୍ତ ସ୍ୱାର୍ଥ ରହିଛି । ମାତ୍ର ସେଥିଯୋଗୁ ଏହି ବ୍ଲଗ୍ ପୋଷ୍ଟ୍ ଟିକୁ କେହି ବିଜ୍ଞାପନ ବୋଲି ଯେପରି ନ ଭାବନ୍ତି ।

ସମାଜକୁ ଏହି ବର୍ଷ ଦଶ ବରଷ ପୂରି ଗଲା । ଏହା  ପୂର୍ବରୁ ଭୁବନେଶ୍ୱରର ବା ଓଡିଶାର କୌଣସି ଫିଲ୍ମ ସମାଜ ଅବିରତ ଭାବରେ ଦଶ ବରଷ କାମ କରିଥିବାର ଏ ଅଧମ କୁ ଜଣା ନାହିଁ । ସେ ଦୃଶ୍ଟିରୁ ଓଡିଶାର ଫିଲ୍ମ୍ ଇତିହାସରେ ଏହା ଏକ ଗୁରୁତ୍ତ୍ୱପୂର୍ଣ ମାଇଲ୍ ଖୁଣ୍ଟି । ଏ ସମ୍ପାଦକ ପ୍ରାୟ ଛଅ ବର୍ଷ ଧରି ଭୁବନେଶ୍ୱର ଚଳଚିତ୍ର ସମାଜର ସଦସ୍ୟ ହେଲାଣି ଏବଂ ଏହି କେତେ ବର୍ଷ ଭିତରେ ଗୋଟିଏ ବି ଖରାପ ସିନେମା ସେ ଧରି ପାରି ନାହିଁ ।

ଏ ଥରକର ୨୮ ଅଗଷ୍ଟର ପ୍ରଦର୍ଶନର ପ୍ରଥମ ସିନେମାଟିର ଶୀର୍ଷକ ହେଲା " ଡିଅର୍ ଡାଏରୀ" ( ୯୭ ମିନିଟ୍ )। ଏହା ଇତାଲୀୟ ନିର୍ଦେଶକ ଓ ଅଭିନେତା ନାନ୍ନି ମୋରେତି ଙ୍କର ଦ୍ୱାରା ନିର୍ଦେଶିତ ଏକ ଫିଲ୍ମ୍ ଏସେ । ରାଜନୈତିକ ଶ୍ଲେଷ ଓ ସ୍ମୃତିଚାରଣରେ ଭରା ଏହି ସିନେମାଟି ୧୯୯୪ ମସିହାର କାନ୍  ଆନ୍ତର୍ଜାତୀୟ ସିନେ ଉତ୍ସବରେ ବେଷ୍ଟ୍ ଡିରେକ୍ଟର୍ସ୍ ସମ୍ମାନ ଲାଭ କରିଥିଲା ।

ସମାଜର ୨୮ ଅଗଷ୍ଟର ପ୍ରଦର୍ଶନର ଦ୍ୱିତୀୟ ସିନେମାର ଶୀର୍ଷକ ହେଲା " କିଙ୍ଗ୍ ଡେଭିଲ୍ସ୍ ଆଇଲ୍ୟାଣ୍ଡ୍" (୧୧୫ ମିନିଟ୍)। ନିର୍ଦେଶକ ହେଲେ ମାରିଅସ୍ ହୋଲ୍ସ୍ତ । ନର୍ୱେଜୀୟ ଭାଷାର ଏହି ସିନେମାଟି ନର୍ୱେ ଦେଶର କୁଖ୍ୟାତ ବାସ୍ତ୍ୱେ କରେକ୍ସନ୍ ହୋମ୍ ଉପରେ ପର୍ଯ୍ୟବେଷିତ । ସିନେମାଟି, ଜଣେ ଖୁନି ଦାଗି ଗୋଟିଏ ଅତ୍ୟାଚାରୀ ଅନୁଷ୍ଠାନ ବିରୁଦ୍ଦରେ, ନିଜର ସାଥୀ ମାନଙ୍କ ସହିତ ମିଶି, ସୂତ୍ରପାତ କରିଥିବା ବିପ୍ଲବର ଏକ ମର୍ମସ୍ପର୍ଶୀ ଆଲେଖ୍ୟ ।  

ବି.ଦ୍ର. - ପ୍ରଦର୍ଶନ କେବଳ ସଦସ୍ୟ ମାନଙ୍କ ନିମନ୍ତେ । ଆପଣ ଅଗଷ୍ଟ ୨୮ ତାରିଖ ଦିନ ପ୍ରଦର୍ଶନ ସମୟରେ ସଦସ୍ୟତାର ଦେୟ ଦେଇ ଫିଲ୍ମ୍ ସୋସାଇଟି ଅଫ୍ ଭୁବନେଶ୍ୱରର ସଦସ୍ୟ ବନି ପାରିବେ । ବାର୍ଷିକ ସଦସ୍ୟ ଦେୟ ଟ. ୫୦୦ ଛାତ୍ର ମାନଙ୍କ ପାଇଁ, ଓ ଟ. ୮୦୦  ଅଣ ଛାତ୍ର ମାନଙ୍କ ପାଇଁ । 

Saturday, August 22, 2015

'ଆରେ ଭଜ ମନ' - ଶ୍ରୀ ଅଚ୍ୟୁୁୁୁତାନନ୍ଦ ଦାସ କୃତ ଏକ ଭଜନ 


ଗାୟକ - ମାର୍କଣ୍ଡେୟ ମହାପାତ୍ର 



ଫଟୋ କ୍ରେଡିଟ୍ - ୱିକିମେଡିଆ କମନସ୍