Friday, August 21, 2015

"କବିତା"

କବି - ଗୁଲଜାର୍

ଅନୁବାଦ - ଭରଦ୍ୱାଜ ପଣ଼୍ଡା 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

କବିତା ଛନ୍ଦିହୋଇଯାଇଚି ଛାତିରେ । 
ପଂକ୍ତି ସବୁ ଅଟକି ଯାଇଛନ୍ତି ଓଠରେ । 
ଶବ୍ଦ କାଗଜରେ ରହୁନାହାନ୍ତି ;
ଉଡି ବୁଲୁଛନ୍ତି ପ୍ରଜାପତି ପରି ।

କେତେବେଳୁ ବସିଚି ମୁଁ 'ପ୍ରାଣପ୍ରିୟା', 
ସାଦା କାଗଜରେ ନାଁ ତୋର ଲେଖିକରି଼ ।
ନାଁଟା ତୋର ସ୍ୱୟଂସମ୍ପୂର୍ଣ  ।
ତୋ ଠୁ ଭଲ କବିତା ଆଉ କଣ ?

Thursday, August 20, 2015

ଗାଲୁଆମିର କଳାକାର 

ସିଦ୍ଧାର୍ଥ ମହାପାତ୍ର


ଫଟୋ କ୍ରେଡିଟ୍ - ନିକିତା ମହାନ୍ତି 


ତାକୁ ତା' ଇଞିନିଅରିଙ୍ଗ୍ ସାଙ୍ଗମାନେ 'ରମ୍' ବୋଲି ଡାକୁଥିଲେ । ଥରେ ତା ପକେଟରୁ ଓଲ୍ଡ୍ ମଙ୍କ୍ ନିପ୍ ବୋତଲଟି କେଉଁଠି ହଜିଯାଇଥିଲା ଜାଣି ନ ପାରି ନିଶାରେ ସେ କଲେଜ୍ ସାରା ଖୋଜିବୁଲିଲା । ଆଉ ବାଟରେ ଘାଟରେ ପିଲାଙ୍କୁ ଅଟକେଇ ପଚାରିଲା - 'ସାଙ୍ଗ ମୋ ରମ୍ ବୋତଲଟା ଦେଖିଚକି' ? ମଦ ଛାଡିବାର କିଛି ବର୍ଷ ପରେ ମଧ୍ୟ ପୁରୁଣା ସାଙ୍ଗ କିଏ ଦେଖା ହୋଇ ତାକୁ ସେଇ ପୁରୁଣା ରମ୍ ନା ଧରି ଡାକିଲେ ସେ ବଡ ଖୁସିଟାଏ ହେଇ ତା ନାଁ କେମିତି ରମ୍ ପଡିଲା, ସେ ପୁରାଣ ଗପୁଥିଲା । ସିଦ୍ଧାର୍ଥ ଭିତରେ ଥିଲେ ଅନେକ ଲୋକ : ପ୍ରଥମ ଲୋକଟି ଥିଲା ମାର୍କାମରା କୋଢିଆ । ସକାଳୁ ତାର ପ୍ରଥମ କାମ ହେଲା ଆଖି ପତା ପୁରା ଖୋଲିବା ପାଇଁ କାରଣ ଖୋଜିବା । ହେଲେ ପ୍ରାୟ କାରଣ ମିଳେ ନାହିଁ, କି ଆଖି ମଧ୍ୟ ଖୋଲେ ନାହିଁ । ଦ୍ୱିତୀୟ ଲୋକଟା ଖାଉରା, ହେଲେ ରନ୍ଧା ଜଣାନାହିଁ । ତୃତୀୟ ଲୋକ୍ କେ ବାଇକ୍ ଚଲାବାର୍ ଲାଗି ଭଲ୍ ଲାଗ୍ସି । ହେଲେ ଛୋଟ୍ ମୋଟ୍ ମରାମତି ଜଣାନାଇନ । ଚତୁର୍ଥ ଲୋକଟା ଦେଖାହେଲେ ଫ୍ୟୁଚର୍ ପ୍ଲାନ୍ ଅଜସ୍ର କରିବ। ହେଲେ ସବୁ ଯୋଜନା ତୁଚ୍ଛା ଗପ । ହେଲେ ଆଉ କିଛି କରୁ ନ କରୁ, ସେ ବୋର୍ କରୁ ନଥିଲା । ସବୁ କଥାରେ ତିନିଟା ଗପ । ଗୋଟେ ପବନା, ଗୋଟେ ଗାଲୁ, ଆଉ ଗୋଟେ ସତ । ପିଇଲା ବେଳେ ବାଜେ ସାଏରି ଓ ନିଜ ସେର୍ ପାଇଁ ନିଜର ୱାଃ ୱାଃ । ପଞ୍ଚମ ଲୋକଟା ବଦ୍ଧ ଗାଲୁଆ ଓ ଏଇ ଲୋକଟା ଥିଲା ସବୁଠୁ ବିରକ୍ତିକର । କେହି ଭୁଲ୍ ଦେଖେଇଲେ ହଁ ପରା କହି ନିଜର ଅନ୍ୟ ଭୁଲ୍ ଗଣାଏ ଓ ନିଜ ମୁଁହ ଫଣଫଣେଇ ବସିଯାଏ । ଯେମିତି ଯିଏ ଭୁଲ ଦର୍ଶେଇଛି, ସିଏ ତାକୁ ସାନ୍ତ୍ୱନା ଦବ । ହେଲେ କୌଣସି ଭୁଲ୍ କେବେ ଆଖର ସୁଧୁରିଲା ନାହିଁ । ସେ ଥିଲା ଗାଲୁଆମିର କଳାକାର । 

Wednesday, August 19, 2015

ଭୁବନେଶ୍ୱରର ଷଣ୍ଢ : ଏକ ଫଟୋ ଏସେ 


ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ 



ଭୁବନେଶ୍ୱର ଏହାର ନାଗରିକ ମାନଙ୍କର । ମାତ୍ର ଭୁବନେଶ୍ୱର, ଏକାମ୍ର କ୍ଷେତ୍ର, ଏଥିରେ ରହୁଥିବା ବଣି ମାନଙ୍କର, ବାରବୁଲା କୁକୁର, ବିଲେଇ, ଗାଇ ଓ ଷଣ୍ଢ ମାନଙ୍କର ମଧ୍ୟ ସହର । ଏକାମ୍ର ନଗରୀ ଶୈବ କ୍ଷେତ୍ର ହୋଇଥିବାରୁ ଭୋବନିଶରିଆଙ୍କ ମନରେ ଷଣ୍ଢମାନଙ୍କ ପ୍ରତି ଦରଦ ତ ଅଛି । ଏହି  ଫଟୋ ଏସେ ଟି ଆମ ସହରର ଷଣ୍ଢମାନଙ୍କ ବିଷୟରେ ।


















Tuesday, August 18, 2015

ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୬



ଶ୍ଲୋକ 


ଉତ୍ତମସ୍ତବାଦୁଚ୍ଚମନ୍ଦତଃ ।
ଚିତ୍ତଜଂ ଜପ ଧ୍ୟାନମୁତ୍ତମମ୍ ।।

ପଦ ଚ୍ଛେଦ 


ଉତ୍ତମ - ସର୍ବ ଶ୍ରେଷ୍ଠ 
ସ୍ତବାତ୍ - ସ୍ତୁତି ତୁଳନାରେ 
ଉଚ୍ଚ - ଉଚ୍ଚ ସ୍ୱରରେ 
ମନ୍ଦତଃ - ଧିରସ୍ୱରରେ ଜପଠାରୁ 
ଚିତ୍ତଜଂ - ଚିତ୍ତରେ କୃତ 
ଜପଧ୍ୟାନମ୍ - ଜପଧ୍ୟାନ 
ଉତ୍ତମମ୍ - ଉତ୍ତମ ଅଟେ

ପଦ୍ୟାନୁବାଦ 


ଉଚ୍ଚସ୍ୱରରେ ସ୍ତୁତିଠାରୁ ।
ଉପାଂଶୁ ଜପ ଅଟେ ଗୁରୁ ।।
ଚିତ୍ତଜ ଜପ ତହୁଁ କ୍ରମ ।
ଜପଧ୍ୟାନ ହିଁ ସର୍ବୋତ୍ତମ ।।

Monday, August 17, 2015

ଓ଼ଡିଆ ସିଙ୍ଗିଡା : କଟକି ଓ ସମ୍ବଲପୁରୀ


କଟକି ସିଙ୍ଗିଡା / ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିଂହ  

ଓଡିଶା ସାରା ସିଙ୍ଗିଡା ଏକ ଲୋକପ୍ରିୟ ଜଳଖିଆ । ଏହା ଉତ୍ତର ଭାରତୀୟ ସମୋସାର ଏକ ପ୍ରକାର ଭାବରେ ଧରାଯାଏ, ଯଦିଓ ଏଥିରେ ଦ୍ୱିମତର ସମ୍ଭାବନା ରହିଛି । ପୂର୍ବ ଭାରତ ଅର୍ଥାତ୍, ଓଡିଶା, ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗ ହେଲା ସିଙ୍ଗିଡାର କ୍ଷେତ୍ର । ସମୋସା ତୁଳନାରେ ସିଙ୍ଗିଡାର ଖୋଳ ଟିକେ ପତଳା ଓ ଏହା ଅଧିକ କଡା ଛଣାଯାଏ ।

ଓ଼ଡିଆ ସିଙ୍ଗିଡାର ମଧ୍ୟ ଖୋଳ ପତଳା ଓ ଏହା ଅତି ଧିମା ଆଁଚରେ ବହୁତ ସମୟ ପର୍ଯ୍ୟନ୍ତ କଡା ଛଣାଯାଏ । ଓଡିଆ ସିଙ୍ଗିଡାର ଆକାର ମଧ୍ୟ ଛୋଟ ହେବା କଥା । ବଡ ଆକାରର ସିଙ୍ଗିଡା ସିଙ୍ଗିଡା ନୁହେଁ, ସମୋସା ।  ମାତ୍ର ଓଡିଆ ସିଙ୍ଗିଡା ଦୁଇ ପ୍ରକାରର । ଯଦିଓ ଆମିଷ ସିଙ୍ଗିଡା ଓଡିଶାରେ ଅଜଣା ନୁହେଁ, ସିଙ୍ଗିଡା କହିଲେ ଓଡିଶାରେ ନିରାମିଷ ସିଙ୍ଗିଡାକୁ ହିଁ ବୁଝାଯାଏ । ସାଧା ଓଡିଆ ସିଙ୍ଗିଡାର କଟକି ଓ ସମ୍ବଲପୁରୀ ଭେଦ ରହିଛି ।  କ଼ଟକି ସିଙ୍ଗିଡାରେ ଚୁନାହୋଇ କଟା ହୋଇଥିବା ଆଳୁ, ଚିନାବାଦାମ, ଓ ମଟର ଜୀରାଲଙ୍କା ଗୁଣ୍ଡରେ ହାଲକା ଭଜା ହୋଇ ପଡିଥାଏ ।  ସମ୍ବଲପୁରୀ ସିଙ୍ଗିଡାର ପୁର କଟକି ସିଙ୍ଗିଡାରୁ ଭିନ୍ନ ନୁହେଁ : ମାତ୍ର ଏଥିରେ ଚକଟା ପୁର ପଶେ, ଭଜା ହୋଇ ନୁହେଁ ।

ଏହି ଭିନ୍ନତାର କାରଣ ବୋଧେହୁଏ ଏହି ସିଙ୍ଗିଡା ତିଆରି ପରମ୍ପରା ଦୁଇଟିର ଭିନ୍ନ ଭିନ୍ନ ମୂଳ । ଉପକୂଳବର୍ତ୍ତୀ ଓଡିଶାକୁ ସିଙ୍ଗିଡା ଆସିଛି ବଙ୍ଗଳାରୁ ଓ ପଶ୍ଟିମ ଓଡିଶାକୁ ଏହା ଆସିଛି ମଧ୍ୟ ଭାରତରୁ । ବଙ୍ଗଳାରେ ନିରାମିଷ ସିଙ୍ଗିଡାରେ ଭଜା ପୁର ପଶେ ଏବଂ ମଧ୍ୟ ଓ ଉତ୍ତର ଭାରତରେ ଏଥିରେ ଚକଟା ପୁର ପଶେ । ଏହା ବୋଧେହୁଏ କଟକି ଓ ସମ୍ବଲପୁରୀ ସିଙ୍ଗିଡା ଭିତରେ ଥିବା ପ୍ରଭେଦର କାରଣ । 

Saturday, August 15, 2015

ବିଚାରମାଳା 

ଦ୍ୱିତୀୟ କିସ୍ତି 

ମାର୍କସ୍ ଅରିଲସ୍ 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍  

୬. ଡିଓଜ୍ଞେଟସ୍ ଙ୍କଠାରୁ ମୁଁ ତୁଚ୍ଛ, ମାମୁଲି, ସାଧାରଣ ସଉକ ଓ ଧନ୍ଦାରେ ମନୋନିବେଶ ନ କରିବା ପାଇଁ ଶିଖିଲି । ମୁଁ  ଜାଦୁଗରମାନଙ୍କ ଓ ମନ୍ତ୍ରତନ୍ତ୍ର ଓ ଭୂତ ଛଡେଇବାର କାହାଣୀ ଗପୁଥିବା ଗୁଣିଆମାନଙ୍କ ବିଷୟରେ ସଂଶୟର ବିକାଶ କରିବା; ଗଞା ଲଢେଇ ଓ ଅନ୍ୟ ପ୍ରକାରର ବିବିଧ ଧ୍ୟାନ ବିକର୍ଷିତ କରୁଥିବା ବିଷୟ ପରିହାର କରିବା; ସ୍ପଷ୍ଟବାଦିତା ପ୍ରତି ବିଦ୍ୱେଷ ନ ରଖିବା ; ବାକିଅସ୍ ଙ୍କଠାରୁ ଆରମ୍ଭ କରି ଟାଣ୍ଡାଇସ୍ ଓ ମାର୍ସିଆନ୍ ଙ୍କର ଦର୍ଶନ ସହିତ ପରିଚିତି ବଢାଇବା ; ଅଳ୍ପ ବୟସରୁ ପ୍ରବନ୍ଧ ରଚନା ଆରମ୍ଭ କରିବା ; ଓ "କନ୍ଥା ଓ ମେଷଚର୍ମ" ଇତ୍ୟାଦି ଗ୍ରୀକ୍ ଦର୍ଶନର ଶୃଙ୍ଖଳା ବିଷୟରେ ଉତ୍ସାହୀ ହେବା ଶିଖିଲି ।

Friday, August 14, 2015

କବିତା - 'ବର୍ଷା' 


କବି - ଗୁଲଜାର୍

ଅନୁବାଦ - ଭରଦ୍ୱାଜ ପଣ୍ଡା (ଜୁଲୁ)


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ବର୍ଷା ପଡିଲେ ମୋ ସହରକୁ କଣ ଗୋଟେ ହେଇଯାଏ ।
ଟିଣ ଛାତ, ଟାର୍ପୋଲିନ୍ ତାଜା, ଗଛ ପତ୍ର, ନାଳ, ସବୁ ଅଜାଡି ହୋଇପଡନ୍ତି ।
ଗଳିକନ୍ଦିରେ ଯାଉଯାଉ ସାଇକେଲ୍ ଚକା ପାଣି କୁଳୁକୁଚା କରେ ।
ବର୍ଷାରେ ଲୋକମାନଙ୍କ ଉଚ୍ଚତା ଟିକେ ବଢିଯାଏ,
ଯେତିକି ପାଣି ଉପରେ, ସେତିକି ପାଦତଳେ, ପାଣି ଭିତରେ ଥାଏ ।
ଉପର ଲୋକ ପହଁରୁଥାଏ ତ ତଳ ଲୋକ ବୁଡି ବୁଡି ଯାଏ ।
ଶୁଖିଲା ଥିଲାବେଳେ, ରାସ୍ତାରେ ଟିକ୍ ଟିକ୍ କରି ଛତା ଧରି ଚାଲୁଥିଲୁ,
ବର୍ଷାରେ ଛତା ଧରି ଟପ୍ ଟପ୍ ଚାଲୁଛୁ ।
ବର୍ଷା ପଡିଲେ ମୋ ସହରକୁ କଣ ଗୋଟେ ହେଇଯାଏ ।