Thursday, August 13, 2015

ଶ୍ରୀ ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୫



ଶ୍ଲୋକ 


ଜଗତ ଇଶଧୀୟୁକ୍ତ ସେବନମ୍ ।
ଅଷ୍ଟ ମୂର୍ତ୍ତିଭୃଦ୍ଦେବ     ପୂଜନମ୍ । । 

ପଦଚ୍ଛେଦ 

ଜଗତ - ଜଗତ ହିଁ 
ଇଶଧୀୟୁକ୍ତ - ଇଶ୍ୱରବୁଦ୍ଧିଯୁକ୍ତ ହୋଇ 
ସେବନମ୍ - ସେବା କରିବା 
ଅଷ୍ଟ ମୂର୍ତ୍ତିଭୃଦେବ - ଅଷ୍ଟମୂର୍ତ୍ତି ଥିବା ଇଶ୍ୱକଙ୍କର
ପୂଜନମ୍ - ପୂଜା ଅଟେ 

ପଦ୍ୟାନୁବାଦ 

ହୋଇ ଇଶ୍ୱରବୁଦ୍ଧିଯୁକ୍ତ ।
ସେବିଲେ ସମସ୍ତ ଜଗତ ।।
ଅଷ୍ଟମୂରତି ପଞ୍ଚାନନ ।
ଲଭନ୍ତି ସକଳ ପୂଜନ  ।।

Tuesday, August 11, 2015

ଆସ କିଏ ଖାଇବ ହୋ ଆମ ରଜାଘର ଖାନା


ମହାରାଜା ଶ୍ରୀ ପୂର୍ଣଚନ୍ଦ୍ର ଭ଼ଞଙ୍କ ସ୍ମୃତିରକ୍ଷା କରୁଥିବା ବାରିପଦାସ୍ଥ ଆଇ.ଟି.ଆଇ.ର କୋଠା 

ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଂଗୃହିତ 



୧୯୨୯ ମସିହାରେ ମୟୁରଭଞ ରଜା ଶ୍ରୀ ପୂର୍ଣଚନ୍ଦ୍ର ଭଞ ସରକାରୀ କାମରେ ପାରିଷଦ, କର୍ମଚାରୀ ବେଷ୍ଟିତ ହୋଇ ବମ୍ବେଇ ଯାଇଥିଲେ ।  ସେଠି ଖିଅର ହେବା ସମୟରେ ଖୁର ମୁନରେ ସାମାନ୍ୟ ଆଘାତ ପାଇଲେ । ତହିଁରୁ ଧନୁଷ୍ଠଙ୍କାର ହୋଇ ସେ ଏପ୍ରିଲ୍ ୨୩ ତାରିଖରେ ପରଲୋକ ଚାଲିଗଲେ । ସେତେବେଳକୁ ମହାରାଜାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥାଏ । ଟ୍ରେନରେ ଶବ ମୟୁରଭଞ ଆସିବା ପାଇଁ ଚାରି ଦିନ ଲାଗିଗଲା । ଶ୍ରୀ ବସନ୍ତ ଶତପଥୀ ସେ ସମୟରେ ଫ୍ରେଜର୍ ହଷ୍ଟଲରେ ରହି  ବାରିପଦାର ମୟୁରଭଞ ଇଂଲିଶ୍ ହାଇସ୍କୁଲରେ ପାଠ ପଢୁଥାଆନ୍ତି । ଏବେ ସେ ସ୍କୁଲର ନାଁ ଏମ୍.କେ.ସି. ହାଇସ୍କୁଲ୍ ।  

ରଜାଙ୍କର ଏଗାର ଦିନ ଭୋଜି ପାଇଁ ମୟୁରଭଞ ଯାକର ନିମନ୍ତ୍ରିତ ଶାସନୀ ବ୍ରାହ୍ମଣ, ବାଟକଟିଆ ଓ ଦକ୍ଷିଣା ବ୍ରାହ୍ମଣ, ବୋର୍ଡିଙ୍ଗିର ବ୍ରାହ୍ମଣ ପିଲା, ସମସ୍ତେ ଚିତା, ପଇତା, ଚଇତନ ଜଡିତ ହୋଇ ଭୋଜିଖାଇ ଆସିଲେ । ଏହି ଦଳରେ ଥିଲେ ଶ୍ରୀ ଶତପଥୀ । ପଂକ୍ତି ପଡିଲା ରାଜବାଟୀର ଛାତର ଦୋତାଲା ଉପରେ । ଅସମ୍ଭବ ଭିଡ । ଗୋସେଇଁ ମାନଙ୍କ ଆଗରେ ପ୍ରଥମେ ମାଟି ଗିଲାସରେ ପାଣି ଓ ଖଲି ପତର ଲାଗିଗଲା ।

ପ୍ରଥମେ ଲାଗି ହେଲା ଚୁଡାଭଜା । ତାପରେ ଉଖୁଡା । ତା ପିଠିକି ବସାଦହି । ନୁଣନଙ୍କା ଖଲିରେ ଲାଗୁନଲାଗୁଣୁ ଭୋଜନ ଆରମ୍ଭ ହେଲା । ବାପାମାନେ ପୁଅମାନଙ୍କୁ ଏ ଦେଶି ଜିନିଷରେ ପେଟ ଭର୍ତ୍ତି ନକରି ଅସଲ ରଜାଘର ଖାନା ପାଇଁ ଅନିସା କରି ପେଟ ଖାଲି ରଖିବା ପେଇଁ କହିଲେ । ବସାଦହି ପଛକୁ ଲାଗିଲା ପୁରୀ ଆଉ ସୋଲା-କଖାରୁ ତରକାରୀ । ତାପରେ ଜିଲାପି ଓ ଫେଣି ।

ଜିଲେପି ପରେ ନାଗିଲା ଅସଲ ରଜାଘର ଚିଜ – କଲିକତି ଆମଦାନୀ ।  ସେତେବେଳେ ବାରିପଦାରେ ଖାଲି ରସଗୋଲା ଓ ଲେଡି କେନିଙ୍ଗ୍ – ଯାହାକୁ ଏବେ ଆମେ ପାନ୍ତୁଆ କହୁଚୁ, ମିଳୁଥିଲା । ଭୋଜିରେ ପରସା ଗଲା ଟିଣଖୋଲା ପ୍ରସିଦ୍ଧ ଭୀବନାଗର ସନ୍ଦେଶ ଓ ବାଘ ବଜାରର ସନ୍ଦେଶ । ଯିଏ ଯାହା ଖାଇଲେ ଖାଇଲେ, ଓ ଗାମୁଛାରେ ଘର ପାଇଁ ବାନ୍ଧିଲେ । ଟଙ୍କାଏ ଲେଖାଏଁ ଦକ୍ଷିଣା (ସେତେବେଳେ ଦୁଇ ପଇସାରେ ଶେରେ ବା ପାଖାପାଖି କିଲେ ଚାଉଳ ମିଳୁଥିଲା) ନେଇ ଘରକୁ ବାହାରିଲା ବେଳକୁ ଦୁଇ ଦିନ ପରେ ମହାରାଜାଙ୍କର ଶଶୁର, ୱାଙ୍କାନୀର୍ ମହାରାଜାଙ୍କ ତରଫରୁ ଆଉ ଏକ ଭୋଜିପାଇଁ ଗୋସେଇଁ ମାନଙ୍କୁ ନିମନ୍ତ୍ରଣ ଦିଆଗଲା ।

ସେ ଦିନ ଦୁଇ ବାଜିଲା ବେଳକୁ ରାଜବାଟୀର ଛାତରେ ଥାଟପଟାଳି । ଏଥର ଖଲିରେ ସେବା ପାଇଁ ଲାଗିଲା ଗଜା, ବାଲୁସାଇ, ନୂଆବସାଣି ମିଠେଇ, ପୁରୀ ଓ କଲିକତି ରସଗୋଲା । ହେଲେ ବ୍ରାହ୍ମଣ ଗୋସାଇଁମାନେ ସେବା ଆରମ୍ଭ କରିଛନ୍ତିକି ନାହିଁ ଗୋଟିଏ ମାନୁଗଳିଆ, କଳାପାହାଡିଆ ମେଘ ଶିମିଳିପାଳ ଆଡୁ ଘୋଟିଆସିଲା । ଖୁବ୍ ଅଳ୍ପ ସମୟରେ ବର୍ଷା ପବନରେ ଭୋଜିର ସତ୍ତା ରହିଲା ନାହିଁ । ଗୋସେଇଁମାନେ ଯେ ଯାହା ପାରିଲେ କାନିରେ ବାନ୍ଧି ସ୍ୱଗୃହକୁ ଫେରିଗଲେ ।  ଶ୍ରୀ ଶତପଥୀଙ୍କର ଜଣେ ସାଙ୍ଗ ବର୍ଷା ବିତ୍ପାତରୁ ଗୋଟିଏ ରସଗୋଲା ଟିଣକୁ ଉଦ୍ଧାର କରିଆଣିଥାଆନ୍ତି । ବସନ୍ତବାବୁ ଓ ତାଙ୍କ ସାଙ୍ଗମାନେ ସେସବୁ ସେବା କରି ଗୋଟିଏ ଅଶୁଭ ଦିନକୁ ଶୁଭରେ ରୂପାନ୍ତରିତ କଲେ ।  

Monday, August 10, 2015

ରେଭେନ୍ସାର ଖାନା 


ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଙ୍ଗୃହିତ 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍

ଦିନ ଥିଲା, କଲେଜେ କହିଲେ ନୋକେ ବୁଝୁଥିଲେ ଗୋଟିଏ ଜେଗା - କଟକର ରେଭେନ୍ସା । ତାହାର କାରଣ ବି ଥେଲା । ଏ ରାଇଜ ସାରା (କହିବାକୁ ଖାଲି ରାଇଜ - ପକୃତରେ ଥେଲା ବାର ଭାଇଙ୍କର ଇଜିମାଇଲି ଗାଡିଆ ), ମାନେ କୁଜଙ୍ଗରୁ କୁଚିଣ୍ଡା ପର୍ଯ୍ୟନ୍ତ, ଜଶୀପୁରରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ବ୍ୟାପିଥିବା ଓଡିଆଭାଷୀ ଅଁଚଳରେ ଥିଲା ଗୋଟିଏ କଲେଜେ - ରେଭେନ୍ସା କଲେଜେ । 

ପ୍ରସିଦ୍ଧ କଥାକାର ଶ୍ରୀ ବସନ୍ତ ଶତପଥୀ ୧୯୩୩ ମସିହାରେ ରେଭେନ୍ସାରେ ବୃତ୍ତିଧାରୀ ଛାତ୍ର ଭାବରେ ପଢିବାକୁ ଆସିଲା ବେଳକୁ ୧୮୬୮ ମସିହାରେ ଛଅ ଜଣ ପିଲାଙ୍କୁ ଧରି ଖୋଲାଯାଇଥିବା ଇଣ୍ଟରମେଡିଏଟେ କଲେଜେରେ ସେତେବେଳକୁ ଇଂରେଜିରେ ଏମ୍.ଏ. ଖୋଲି ସାରିଥିଲା । ଆଇ.ଏ. ରେ  ବସନ୍ତ ବାବୁଙ୍କର ବିଷୟ ଥିଲା ଇତିହାସ, ଲଜିକ୍, ସଂସ୍କୃତ । ରହୁଥିଲେ ଇଷ୍ଟ୍ ହଷ୍ଟେଲରେ । 

ହଷ୍ଟେଲରେ ସକାଳ ଜଳଖିଆରେ ମିଳୁଥିଲା ଚାରିଟା ପୁରୀ ଓ ତରକାରୀ । ଦିନବେଳା ଆମିଷ ଖାଉଥିବା ଲୋକଙ୍କ ପାଇଁ ସବୁଦିନ ମାଛ । ଶନିବାର ଦିନ ମାଂସ । ରାତିରେ କାନିକା । ଯେ ମାଂସ ନ ଖାଆନ୍ତି ତାଙ୍କ ପାଇଁ ରସଗୋଲା ଓ ଦିବ୍ୟ ଅନ୍ନ । ଉପରବେଳା ଜଳଖିଆ ଚାରିରୁ ଛଅଟା ଭିତରେ - ଖାଇବା ପାଇଁ ସୁଜି, ମୋହନଭୋଗ ନ ହେଲେ କାକରା । ହଷ୍ଟେଲେରେ ଥିଲା ମିଠା ଦୋକାନ - ଯିଏ ଚାହିଁବ କିଣି କରି ଖାଇପାରିବ । ପୂଜାରୀ ଭାବରେ ଥିଲେ ଧନି, କେଶବ, ବେଙ୍ଗ । ସମସ୍ତଙ୍କ ପାଇଁ ପିତ୍ତଳ ଥାଳି, ଗିନା ଓ ଗିଲାସ ।

ପ୍ରତି ମାସର ଶେଷ ଶନିବାରରେ ହେଉଥିଲା ବିଶେଷ ମାସିକିଆ ରାଜକୀୟ ଭୋଜି । ପଲଉ । ପଲଉ ସହିତ ମାଂସର ଚପ୍, କଟଲେଟ୍ ଓ ଝୋଳ । ସାଧାଖିଆଙ୍କ ପାଇଁ ଛଅସାତ ଠା ନିରାମିଷ ତରକାରୀ । ସେଥିରେ ବଢାହେଉଥିଲା ଦୁଇତିନି ଠା ମିଠା ଓ ଖିରି । ସାଥିରେ କିସିମିସି ଦିଆ ଖଜୁରୀ ଖଟା । 

ହଷ୍ଟେଲ୍ ଖାଇବା ବାହାରେ ପାଟି ଟକଳେଇଲେ ବା ଭୋକ କଲେ ଆଶ୍ରା ହେଲା ଅନୁ ପାନ ଦୋକାନ ପାଖକୁ କୁଞିଆ ମିଠା ଦୋକାନ । ଚାରି ପଇସାରେ ଚାରିଟା ରୁଟି ଭଳିଆ ବଡ ବଡ ଲୁଚି ଓ ପୁଡାଏ ଆଳୁଦମ୍ । ତାଙ୍କ ଦୋକାନର ପାନ୍ତୁଆ ଅପୂର୍ବ । ବର୍ତ୍ତମାନର ନେତାଜୀଙ୍କ ମୂର୍ତ୍ତି ପାଖରେ ଗୁଜୁରାଟୀ ଦୋକାନରେ ଗାଣ୍ଠିଆ, ଶେଉ, ମହୀଶୂର ପାଗ ମିଠା, ଚଟଣି ଆଉ ଚାହା । କଲେଜର ଆଦର୍ଶ ସ୍ଥାନୀୟ ଶିକ୍ଷକ, ଲାଇବ୍ରେରୀ ଓ ପାଠପଢା ସହ ପିଲାଙ୍କୁ ବାନ୍ଧି ରଖୁଥିଲା ମନକୁ ଟାଣି ରଖିଲା ଭଳି ଖାଇବା । 

Sunday, August 09, 2015

ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ଓଁମ୍ ନିଜାନନ୍ଦାୟ ନମଃ

ଓଁମ୍ ତତ୍ସବ୍ରହ୍ମଣେ ନମଃ


କେନୋପନିଷଦ


ମନ୍ତ୍ରାର୍ଥ, ଶଙ୍କର ଭାଷ୍ୟ ଓ ଅନୁବାଦ ସହ



ଶାନ୍ତିପାଠ



ଓଁମ୍ ଆପ୍ୟାୟନ୍ତୁ ମମାଙ୍ଗାନି ୱାକ୍-ପ୍ରାଣଶ୍ଚକ୍ଷୁଃ ଶ୍ରୋତ୍ରମଥୋ ବଲମିନ୍ଦ୍ରିୟାଣି ଚ ସର୍ବାଣି ସର୍ବ ବ୍ରହ୍ମୌପନିଷଦଂ ମାହଂ ବ୍ରହ୍ମ ନିରାକୁର୍ୟାଂ ମା ମା ବ୍ରହ୍ମ ନିରାକରୋଦନିରାକରଣମସ୍ତ୍ୱନିରାକରଣଂ ମେSସ୍ତୁ ତଦାତ୍ମନି ନିରତେ ୟ ଉପନିସତ୍ସୁ ଧର୍ମାସ୍ତେ ମୟି ସନ୍ତୁ ତେ ମୟି ସନ୍ତୁ ।
ଓଁମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

ମୋର ଅଙ୍ଗ ପୁଷ୍ଟ ହେଉ ତଥା ମୋର ୱାକ୍, ପ୍ରାଣ, ଚକ୍ଷୁ, ଶ୍ରୋତ୍ର, ବଳ ଓ ସମସ୍ତ ଇନ୍ଦ୍ରିୟଗୁଡିକ ପୁଷ୍ଟ ହୁଅନ୍ତୁ । ସର୍ବ ଉପନିଷଦର ବ୍ରହ୍ମ । ମୁଁ ଯେପରି ବ୍ରହ୍ମର ନିରାକରଣ ନକରେ । ବ୍ରହ୍ମ ଯେପରି ମୋର ନିରାକରଣ କରନ୍ତି ନାହିଁ । ଅର୍ଥାତ୍ ମୁଁ ଯେପରି ବ୍ରହ୍ମଙ୍କଠାରୁ ବିମୁଖ ହୁଏ ନାହିଁ ଓ ବ୍ରହ୍ମ ମୋଠାରୁ ବିମୁଖ ହୁଅନ୍ତି ନାହିଁ । ଏହି ପ୍ରକାରରେ ଆମର ପରସ୍ପର ଅନିରାକରଣ ହେଉ, ଅନିରାକରଣ ହେଉ । ଆତ୍ମାରେ ନିରତ ମୋଠାରେ ଉପନିଷଦର ଧର୍ମ ରହୁ, ମୋଠାରେ ରହୁ । ତ୍ରିବିଧ ତାପ ଶାନ୍ତ ହେଉ ।


ପ୍ରଥମ ଖଣ୍ଡ


ସମ୍ବନ୍ଧ ଭାଷ୍ୟ

ପଦ ଭାଷ୍ୟ

                        କେନେଷିତମ୍ ଇତ୍ୟାଦ୍ୟୋପନିଷତ୍ ପରବ୍ରହ୍ମୱିଷୟା ୱକ୍ତବ୍ୟା ଇତି ନୱମସ୍ୟାଧ୍ୟାୟସ୍ୟ ଆରମ୍ଭଃ ।

ଅନୁବାଦ 

ଏବେ କେନେଷିତ ଇତ୍ୟାଦି ପରବ୍ରହ୍ମ ବିଷୟକ ଉପନିଷତ୍ କଥିତ, ଇତି ନବମ ଅଧ୍ୟାୟର ଆରମ୍ଭ ।


ବି.ଦ୍ର. - ସେପ୍ଟେମ୍ବର ମାସରୁ ସପ୍ତାହରେ ଥରେ କେନ ଉପନିଷଦର ଅନୁବାଦ ଏହି ବ୍ଲଗ୍ ରେ ପ୍ରକାଶିତ ହେବ ।



Friday, August 07, 2015

ପାରମ୍ପରିକ ଭଜନ - 'କଳାକାହ୍ନୁ କୁହୁକ ଜାଣେ' 


ଗାୟକ - ନିମାଇଚରଣ ହରିଚନ୍ଦନ 


ଏହି ଭଜନ ଶୁଣିବା ପାଇଁ ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=I_BfC8qg97I


ଅଷ୍ଟାଦଶ ଶତାବ୍ଦୀର ଗୀତଗୋବିନ୍ଦ ପୋଥି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କଳା କାହ୍ନୁ କୁହୁକ ଜାଣେ, 
ଯେଣିକି ଚାହିଁଲେ ଦିଶଇ, 
ଆଗୋ ଯେଣିକି ଚାହିଁଲେ ଦିଶଇ ତେଣେ । 
କଳା କାହ୍ନୁ କୁହୁକ ଜାଣେ । 

ତରଳ ନୟନ କେଡ଼େ ବିଷାୟନ,
ସାୟକ ସାଜଇ ବାମ ଡାହାଣେ, 
ତରଳ ନୟନ କେଡ଼େ ବିଷାୟନ,
ସାୟକ ସାଜଇ ବାମ ଡାହାଣେ, 
ହାସ୍ୟ ତରବାରୀ, ତା' ନେତ୍ର କଟାରି,
ହାସ୍ୟ ତରବାରୀ, ତା' ନେତ୍ର କଟାରି,
ବାହାରେ ଲୁଚାଇ ଭିତରେ,
ଆଗୋ ବାହାରେ ଲୁଚାଇ ଭିତରେ ହାଣେ । 

କଳା କାହ୍ନୁ କୁହୁକ ଜାଣେ, 
ଯେଣିକି ଚାହିଁଲେ ଦିଶଇ, 
ଆଗୋ ଯେଣିକି ଚାହିଁଲେ ଦିଶଇ ତେଣେ । 
କଳା କାହ୍ନୁ କୁହୁକ ଜାଣେ, 
କଳା କାହ୍ନୁ କୁହୁକ ଜାଣେ ।

କଳା ବିଜୁଳିଆ, କାଇଁଚ ମାଳିଆ, 
ନାହିଁ ଅଭିରାମ ସଙ୍ଗେକେ ଜଣେ ।  
କଳା ବିଜୁଳିଆ, କାଇଁଚ ମାଳିଆ, 
ନାହିଁ ଅଭିରାମ ସଙ୍ଗେକେ ଜଣେ ।  
ଧନ୍ୟ ତା' ଚାତୁରୀ ପ୍ରଖର କତୁରି, 
ଧନ୍ୟ ତା' ଚାତୁରୀ ପ୍ରଖର କତୁରି, 
ଦାଢ଼ରୁ ବରତି ଯିବକେ, 
ଆଗୋ ଦାଢ଼ରୁ ବରତି ଯିବକେ ଜଣେ ।

କଳା କାହ୍ନୁ କୁହୁକ ଜାଣେ, 
କଳା କାହ୍ନୁ କୁହୁକ ଜାଣେ, 
କଳା କାହ୍ନୁ କୁହୁକ ଜାଣେ । 

ବେଣୁଗୀତ ଗାଇ ମୋହନ ଲଗାଇ 
କାନ୍ତ କୋଳୁ କାନ୍ତା ଉଠାଇ ଆଣେ । 
ବେଣୁଗୀତ ଗାଇ ମୋହନ ଲଗାଇ 
କାନ୍ତ କୋଳୁ କାନ୍ତା ଉଠାଇ ଆଣେ ।
ବୋଲେ ଦୁର୍ଜଜେମା ଦେଖିତା ଭଙ୍ଗିମା, 
ବୋଲେ ଦୁର୍ଜଜେମା ଦେଖିତା ଭଙ୍ଗିମା, 
କାଳଯାକ ଥିବି ସେବକି, 
ଆଗୋ କାଳଯାକ ଥିବି ସେବକି ପଣେ । 

କଳା କାହ୍ନୁ କୁହୁକ ଜାଣେ, 
କଳା କାହ୍ନୁ କୁହୁକ ଜାଣେ ।

ବି.ଦ୍ର. - ଭଜନର ପଦଗୁଡ଼ିକ ନିମାଇ ହରିଚନ୍ଦନ ଗାଇଥିବା ଥାକ ଅନୁସାରେ ଦିଆଯାଇଛି ।

Thursday, August 06, 2015

ଓଡିଆ ଜାଉ


ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିଂହ


ଆମେ କିଛି ଦିନ ଆଗରୁ ଖିରି କରି ଶିଖିଥିଲେ । ଆଜି ଆସନ୍ତୁ ଦେଖିବା ଜାଉ କେମିତି କରିବା । ଜାଉ ଆଉ ଖିରି ଭିତରେ ମୂଳ ତଫାତ ଦୁଇଟି । ଖିରିର ମୂଳ ଉପାଦାନ ଖିର । ଜାଉର ମୂଳ ଉପାଦାନ ଚାଉଳ । ଖିରିର ମିଷ୍ଟତା ମୂଳତଃ ଖିରରୁ ଆସେ । ଜାଉର  ମିଷ୍ଟତା ଆସେ ମୂଳତଃ ଗୁଡରୁ
ସାମଗ୍ରୀ 

ଖିର ଅଧା ଲିଟର, ଛୋଟ ଦାନା ଅରୁଆ ଚାଉଳ ୨୦୦ ଗ୍ରାମ୍, ଗୁଡ ତିରିଶ ଗ୍ରାମ୍, ଗୁଜୁରାତି ଦଶଟା, ଅନ୍ନପୂର୍ଣ୍ଣା ପତ୍ର ବା ତେଜ ପତ୍ର ଦୁଇ କେନା, ଲୁଣ ଚିମୁଟାଏ ।
ପ୍ରଣାଳୀ

ଦୁଇଶହ ଗ୍ରାମ୍ ଚାଉଳର ଭାତ ତିଆରି କରି ରଖନ୍ତୁ । ବେଶୀ ନରମ କି ବେଶୀ ଟାଣ କରିବେ ନାହିଁ । ଆଲୁମିନିଅମ୍ ବାସନରେ ଖିରକୁ ବିନା ପାଣିରେ ଗ୍ୟାସ୍ ଚୁଲ୍ଲାରେ ନିଆଁରେ ବସାନ୍ତୁ । ଷ୍ଟିଲ୍ ବାସନରେ ତଳେ ଲାଗିଯିବାର ସବୁବେଳେ ଭୟ ଥାଏ । ଥରେ ଫୁଟି ଆସିଗଲେ ଅନ୍ନପୂର୍ଣ୍ଣା ପତ୍ର ବା ତେଜ ପତ୍ର  ଦେଇ ପାଞ୍ଚ ମିନିଟି ଫୁଟାନ୍ତୁ । ତାପରେ ଖିରରେ ଭାତ ଦେଇ ଘଣ୍ଟାଏ ଧିମା ଆଞ୍ଚରେ ଫୁଟାନ୍ତୁ । ମଝିରେ ମଝିରେ ଘାଣ୍ଟୁଥାଅନ୍ତୁ । ଖିର ଓ ଚାଉଳ ଘଣ୍ଚାଏ ଫୁଟି ସାରିଲା ପରେ, ଗୁଡ ଓ ଗୁଜୁରାତିକୁ ଛିଡାଇ ପକାଇ ଦିଅନ୍ତୁ । ଆହୁରି ପନ୍ଦର ମିନିଟି ଖିରକୁ ଫୁଟାନ୍ତୁ । ମଝିରେ ମଝିରେ ଘାଣ୍ଟୁଥିବେ । ଏବେ ଲୁଣ ଚିମୁଟାଏ ଖିରରେ ପକାଇ ଦିଏନ୍ତୁ । ଲୁଣ ପକାଇ ସାରିବାର ପାଞ୍ଚ ମିନିଟି ପରେ ଖିରିକୁ ଓହ୍ଲା୍ଇ ଦିଅନ୍ତୁ । 

ବି.ଦ୍ର.

୧. ଆଲୁମିନିଅମ୍ ବାସନ ବ୍ୟବହାର କରନ୍ତୁ । କସ୍ମିନ୍ କାଳେ ଷ୍ଟିଲ୍ ବାସନ ବ୍ୟବହାର କରିବେ ନାହିଁ ।
୨. ଖିରକୁ ନିୟମିତ ଘାଣ୍ଟିବେ । 
୩. ଭାତ ଖିରରେ ପକାଇ ସାରିବା ପରେ ସବୁଠାରୁ ଧିମା ଆଞ୍ଚରେ ସବୁବେଳେ ଖିରକୁ ଫୁଟାଇବେ ।
୪. ଲୁଣ ସବା ଶେଷକୁ ହିଁ ପକାଇବେ । ନ ହେଲେ ଜାଉ ପାଣି ଫାଟିଯିବ ।