ମହିମା ଭକ୍ତି କବିତା - 'ସୁଜନ ଧଇର୍ଯ୍ୟ ଧରି'
କବି - ଭୀମ ଭୋଇ
ଇଶ୍ୱରଙ୍କର ନାମାବଳୀ (ଜର୍ମାନୀ, ଅଶ୍ଟାଦଶ ଶତାବ୍ଦୀ) ଜର୍ମାନ ପୁସ୍ତକ ଇଡ଼ିପସ୍ ଇଜିପ୍ସିଏକସ୍ ରୁ ଉଦ୍ଧୃତ ଲେଖକ - ଜେସୁଇଟ୍ ସନ୍ୟାସୀ ଏଥେନାସିଅସ୍ କର୍ଚ୍ଚର୍ (୧୬୦୨-୧୬୮୦) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସୁଜନ ଧଇର୍ଯ୍ୟ ଧରି
ଥାଅଉମନ ହେ,
ଛାମୁରେ ପଡ଼ିଛି ଜଣାଣ
ବୁଝିବେ ଗୁରୁନାରାୟଣ ହେ । (ଘୋଷା)
ଯେ ଯହିଁରେ ରହିଛି ସୁଜ୍ଞାନୀ ସନ୍ଥନ
ଧରମ ଡାକ ଦେଉଛି ସାବଧାନେ ଶୁଣ ହେ ।୧।
ସତ୍ୟଧର୍ମକୁ ନ ଛାଡ଼ ନୁହ ଛନଛନ
ଦିବାନିଶି ଗୁରୁ ପାଦେ ଲଗାଅ ଭଜନ ହେ ।୨।
ନାମବ୍ରହ୍ମ ଚିତ୍ତେ ଲୟ କର ଅନୁକ୍ଷଣ
ବୁଝି ବିଚାରି ଚିତ୍ତରେ ହୁଅ ସମ୍ଭାଳଣ ହେ ।୩।
ଶ୍ରୀଗୁରୁ ଆଜ୍ଞାରେ ମୁଁ ଯେ କରିଛି ବଖାଣ
ମିଥ୍ୟା ନୋହେ କଦାଚିତେ ଏ ମୋର ବଚନ ହେ ।୪।
ମହିମା ଧର୍ମ ପରୀକ୍ଷା ହେବ ପରମାଣ
ବାହାର ହୋଇବେ ଗୁରୁ ଦେବେ ଦରଶନ ହେ ।୫।
ଗୁରୁଦେବ ବିନେ ଅନ୍ୟେ ନ ଜାଣେ ଶରଣ
ବୋଲେ ଭୀମ ଅରକ୍ଷିତ ପାମର ଅଜ୍ଞାନ ହେ ।୬।
No comments:
Post a Comment