ରାତି : ରତି ଓ ଗୋଟିଏ ଅନୁଭବ
ବ୍ରଜନାଥ ରଥ
କବି ବ୍ରଜନାଥ ରଥ (୧୯୩୬-୨୦୧୪) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସେ ପାଖେ କୋଠରୀଟିଏ ଏ ପାଖେ କୋଠରୀ
ମଝିରେ ପାଚେରୀଟିଏ ନୀରବ ପ୍ରହରୀ ।
ସେ ପାଖରେ ସିଏ ଦୁଇ ଏ ପାଖରେ ମୁଁ
ରାତିର ଦରିଆ ଗର୍ଜେ ଘୋ-ଘୋ-ଘୋ ।
ଅନ୍ଧାରର ଲହରୀରେ ଦେହଯାଏ ଲୋଟି
କାମନାର ଫୁଲ କିଆଁ ମନେ ଉଠେ ଫୁଟି ??
ସେ ପାଖରେ ରୁଣୁଝୁଣୁ ହସ ଖିଲିଖିଲି
ଏ ପାଖେ ମୋ ଦେହେ କିଆଁ ନିଆଁ ଦେଲା ଜାଳି ??
"ଛିଃ- ତମେ ବଡ଼ ଦୁଷ୍ଟ; ଥାଉ ଥାଉ ରୁହ"
ସେ ପାଖରୁ ଘନଘନ ନିଶ୍ୱାସର ସୁଅ-
ଏ ପାଖର କୋଠରୀରେ ଆସି ଯେବେ ଲାଗେ
ମୋ ଦେହର ସାପ କିଆଁ ଫଣା ତୋଳି ଜାଗେ ??
ଚୁପି ଚୁପି କଥା ପୁଣି ଚାପାଚାପା ହସ
ବେଳେ ବେଳେ ପଲଙ୍କର ଅପୂର୍ବ କୋରସ ।
ଏ ଘରର ନୀରବତା ଭଙ୍ଗକରେ କିଆଁ
ରକ୍ତରେ ଖେଳାଏ କିଆଁ ଲକ୍ଷେ ନାଗ ଛୁଆ ??
ସେ ପାଖରେ କୋଠରୀରେ ରାତି ଆଉ ରତି
ଏ ପାଖରେ ଏକା ମୁହିଁ ରାତିର ଅତିଥି ।
ସେ ଘରେ ବାନ୍ଧବୀ ମୋର ନବ ପରିଣୀତା
ଏ ଘରେ ମୁଁ ଚାରିଗୋଟି ସନ୍ତାନର ପିତା ।
ଉତ୍ସ - ପୂଜା ସଙ୍ଖ୍ୟା ସାମ୍ନା : ୧(୧) ୨୯୨
No comments:
Post a Comment