ପାରଳାଖେମୁଣ୍ଡିର ଧାନରୁଆଳି ଗୀତ
ତଳି ଭାଙ୍ଗି ଗଲି ଏକା
ତଳି ଭାଙ୍ଗି ତଳି କଚାଡ଼ି ପକା
ଜୁଡ଼ା ଭାଙ୍ଗି ଫୁଲ ଦେଖା ।
ମହୁଲ ଭାଙ୍ଗିଲା କୁଞ୍ଚିି
ଝାଲିଆ ମୟୁର ଝାଲ ବିଞ୍ଚିଛି
ଝରଣିଆ ପାଣି ଦେଖି ।
ଚିରିଲି ଚେରୁଆ କାଠ
ଶୀତ କଲେ ବନ୍ଧୁ ପାଖକୁ ଆସ
ପାଖକୁ ଆସ ହେ, ଘୋଡ଼ାଇବା ଯୋଡ଼ା ମାଠ ।
କବାଟ କଣେ ବାରିସି
ମୁଖକୁ ଦେଖିଲେ ଲାଜ ଲାଗୁଛି
ଲାଜ ଲାଗୁଛି ଯେ ବନ୍ଧାଇବା ଆମ୍ବ କଷି ।
କଞ୍ଚା ମରିଚର ଗଡ଼ି
ଯୋଉଦିନୁ ଗଲେ ସାଙ୍ଗର ଘଡ଼ି
ଦେହ ଯାଉଥିଲା ଝଡ଼ି ।
କାକୁଡ଼ିକି ଦେଲି ରଞ୍ଜା
ବୁକୁ ପଣତରେ ଚାଉଳ ଭଜା
ହାତରେ ଡାଳିମ୍ବ ଖଜା ।
ଦୀପ ସୀସା ତଳେ କଳା
ତୋଠୁ ବଳି ନାହିଁ ଅମୁଲ ତରା
ଝଲକି ନ ପଡ଼େ ଧରା ।
ଆଠଗଡ଼ ବୋଇରାଣୀ
ଶୁଖିଲା ପତର ପଇଡ଼ ପାଣି
ବୁଢ଼ୀକାଳେ ଭୁଆସୁଣୀ ।
ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।
No comments:
Post a Comment