ଆର୍ସିର ଗପ ଓ ଗପର ଆର୍ସି
କେଦାର ମିଶ୍ର
ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ |
ଗୋଟେ
ଗପ ଦେଖିଲେ କେମିତି ଲାଗିବ ? ଗପ
ନୁହଁ ତ କିଛି କଥା । ଗୋଟେ
ଅଦ୍ଭୁତ ଗପୁଡ଼ି ଝିଅ ଓ ଗୋଟେ
ଅଚିହ୍ନା ପୁଅର କଥା । ହଁ, ତା
ଭିତରେ ଅଛି ଗୋଟେ ରାସ୍ତା, ଅନେକ
କୋଳାହଳ ଓ ଧୂସର ଜୀବନର ଗୋଟେ
ଅସଜଡ଼ା ମାନଚିତ୍ର । ଗୋଟେ
ଗପକୁ ଦେଖିବା ଓ ସେ ଗପର ପ୍ରେମରେ
ପଡ଼ିଯିବା, ଗୋଟେ
ପ୍ରକାର କୁହୁକ ଅନୁଭବ ହୋଇପାରେ ।
ପ୍ରାୟ
ଦେଢ଼ ଘଣ୍ଟା ଧରି ଏ ଯେଉଁ ଗପଟିକୁ
ମୁଁ ଦେଖିଲି ( ଗପ
ଦେଖିଲି, ଶୁଣି
ନାଇଁ) ସେ
ଗପର ଲେଖକ କିଏ ? ବିଶ୍ଵାସ
କରନ୍ତୁ ଫ୍ରାଞ୍ଜ କାଫକା ଯଦି
ଓଡ଼ିଆ ଜାଣିଥା'ନ୍ତେ,
ସେ
ଗପଟିକୁ ଠିକ ଏମିତି ଇ ଲେଖିଥା'ନ୍ତେ
। କିମ୍ବା ବୋରହେସ, ନିର୍ମଳ
ବର୍ମା କି ମଣ୍ଟୋ, ହୋଇ
ପାରେ ଆମର ଜଗଦୀଶ ମହାନ୍ତି କି
ସତ୍ୟ ମିଶ୍ର । ନା,
ଏ
ଗପ ଅକ୍ଷରରେ ଲେଖା ହୋଇନାହିଁ, ଲେଖା
ହୋଇଛି ଦୃଶ୍ୟରେ ।
ଦୃଶ୍ୟ
ପରେ ଦୃଶ୍ୟ ଦେଇ ଗପଟି ଗତିଶୀଳ
ହେଉଛି । ଝିଅଟି ଗପୁଛି, ପୁଅଟି
ଶୁଣୁଛି ।
ଦୁଇଟି
ବୋଲି ଚରିତ୍ର । ମଝିରେ ପାଞ୍ଚ
ମିନିଟ ଲାଗି ଆଉ ଗୋଟେ ଚରିତ୍ର
ଆସୁଛନ୍ତି ଓ ମିଳେଇ ଯାଉଛନ୍ତି
।
ତେବେ
ଏ ଗପରେ ସବୁଠୁ ବଡ ଚରିତ୍ର ହେଉଛି
ରାସ୍ତା । ରାସ୍ତାର
କୋଳାହଳ, ଡ୍ରୋଜର, କ୍ରେନ, ରୋଲର, ଟ୍ରକ, ବସ, ଟ୍ରେନ
ଇତ୍ୟାଦିର କାନଫଟା ଚିତ୍କାର ଏ
ଗପରେ ବହୁତ ବଡ଼ ଜାଗା ମାଡ଼ି
ବସିଛନ୍ତି । କଥା ଅପେକ୍ଷା
କୋଳାହଳ ବେଶୀ ଅର୍ଥପୂର୍ଣ୍ଣ
ଲାଗୁଛି । ତା'ରି
ଭିତରେ ଅଛି ଗୋଟେ ଅଚିହ୍ନା ଚଢ଼େଇର
କାକଳି । ଅଛି ମୋବାଇଲ ଗେମ୍ର
ଟିକ୍ ଟିକ୍ ମୋନୋଟୋନି । ଏ
ଗପର ବଡ଼ ଚରିତ୍ର ହେଉଛି ରାସ୍ତା ।ଗୋଟେ
ଜାଗାରେ ସେ ଗପୁଡ଼ି ଝିଅ କହୁଛି -
“ଏ
ରାସ୍ତା ଦିନକୁ ଦିନ ମୋଟା ହୋଇଯାଉଛି
ଓ ଯେମିତି ଅନେକଙ୍କୁ ଗିଳି
ପକାଉଛି।"
ଏଇଟା
ରାସ୍ତାର ଗପ । ଯେମିତି କି,
ଏ'
ରାସ୍ତା
ଇ ତିଆରି କରିଛି ଏହାର ସାମାଜିକ
ଇତିହାସ । ରାସ୍ତା ବାରମ୍ବାର
ଜୀବନ ପରି ଲମ୍ବି ଯାଉଛି ଗୋଟେ
ଅଚିହ୍ନା ସହର ଆଡ଼କୁ । ରାସ୍ତା
ଆମକୁ କହୁଛି,
ଗୋଟେ
ଯାଯାବର ଜୀବନ କାହାଣୀ ।
ଓଡ଼ିଆ
ଭାଷାରେ ଏମିତି ଗୋଟେ ଗପ ଆପଣ ହୁଏତ
ଦେଖି ନ ଥିବେ । ସାହିତ୍ୟ ତୁଳନାରେ
ଗୋଟେ ଦୃଶ୍ୟ-ମାଧ୍ୟମ
ଭାଷାର ପ୍ରୟୋଗକୁ କେତେ ଅଧିକ
ଶକ୍ତିଶାଳୀ କରିପାରେ,
ତାର'
ଅନୁଭବ
ଆମ ପାଖରେ ବହୁତ କମ । ନିହାତି
ଶସ୍ତା ଓ ଧାରକରା ସିନେମାର
ପ୍ରଭାବହୀନ ପରମ୍ପରା ସହିତ
ଅଭ୍ୟସ୍ତ ଓଡ଼ିଆ ଦର୍ଶକ ଲାଗି
ଏଇଟା ଗୋଟେ ଅଭିନବ ଅନୁଭବ ।
ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ |
'ହେଲୋ
ଆର୍ସି' ବୋଲି ଗୋଟେ ସିନେମା ଦେଖି
ସାରିଲା ପରେ ମୋତେ ଲାଗିଲା, ମୋ'
ଭାଷାର
ସାମର୍ଥ୍ୟ କେତେ । କେତେ
ଦମଦାର ଓ ଓଜନଦାର ହୋଇପାରେ ଓଡିଆ
ଭାଷାର ପ୍ରାଣଶକ୍ତି । ଏଇ
ସିନେମାରେ ଓଡିଆ ଭାଷାର ସର୍ବାଧିକ
ଶକ୍ତି ଓ ସୃଜନଶୀଳତା ଫୁଟି
ଉଠିଛି । ଗୋଟେ ସିନେମା, ବହୁ
ଦିନ ପରେ ମୋତେ ସ୍ଥିର ଓ ଅବାକ
କରିଦେଲା । ମୁଁ ସେ ରାସ୍ତାରେ
ଏବେ ବି ଅଛି ଯେମିତି । ମୁଁ ଏବେ
ବି ଘାରି ହେଉଛି, ସେ
ଆର୍ସି ବୋଲି ଝିଅଟା କିଏ ? ସେ
କଣ ରାଉରକେଲା-ରାଜଗାଙ୍ଗପୁର
ରାସ୍ତାରେ ଗରାଖ ଖୋଜୁଥିବା ଗୋଟେ
ଝିଅ ନା ଶିଳ୍ପାୟନର ଦାନବ ପଞ୍ଝାରେ
ନିଜର ଅସ୍ତିତ୍ଵ ହରାଇଥିବା ଗୋଟେ
ଯାଯାବର ଆତ୍ମା । ସେମିତି ସେ
ହତାଶିଆ ହସ ହସୁଥିବା ପୁଅଟି
କିଏ ? ସେ
ବି କଣ ଆର୍ସିର ମାତ୍ର ଗୋଟିଏ
ରାତିର ପ୍ରେମିକ କି ଗରାଖ ? ନା
ସେ ବି ଠିକଣା ହଜେଇ ଦେଇଥିବା ଗୋଟେ
ଉଦବାସ୍ତୁ ଗାଁ'ର
ପ୍ରାଣ ? ଅଦ୍ଭୁତ
ଘଟଣାକ୍ରମ ଓ ଏକ ଶେଷହୀନ ପରିଣତି
ଥିବା ଏ'
ସିନେମାର
କାହାଣୀ, ଆମ
ସମୟର ଓଡିଆ ଭାଷାକୁ ମେଞ୍ଚାଏ
ଖୋଲା ପବନ ଦେଇଛି । ଆପଣ କହି
ପାରନ୍ତି, ଏଇଟା
ଆଧୁନିକ ଓଡିଆ ଭାଷାର ଗରିମା ।
ଏଇଟା ଇ ସମକାଳୀନ ଓଡିଆ ଜୀବନର
ପ୍ରତିଛବି । ଆମ ପିଲା ଏଇ ଭାଷା, ଏଇ
ଜୀବନବୋଧ, ଏଇ
ଯାଯାବର ଲକ୍ଷ୍ୟହୀନତା ଓ ଏଇ
ପ୍ରକାର ସ୍ଵାଧୀନତାକୁ ନେଇ
ବଞ୍ଚୁଛନ୍ତି । ଦୁର୍ଭାଗ୍ୟକ୍ରମେ
ଆମର କଳା ଓ ସାହିତ୍ୟ ଏ ପ୍ରକାର
ଭାଷାକୁ ବୁଝିବାରେ ଏକ ପ୍ରକାର
ଅସମର୍ଥ ।
ଆର୍ସି
ବୋଲି ଏ ଯେଉଁ କୋଡ଼ିଏ-ଏକୋଇଶ
ବର୍ଷର ଝିଅଟି ନିଜ କଥା ଗପି
ଚାଲିଛି, ସେ
ନିଜ ଜୀବନ ସଙ୍ଘର୍ଷର କଥା କହୁଛି
। ତା'
ସହିତ
ସେ ନିଜ ସ୍ଵାଧୀନ ଜୀବନର ରାହା
ବିଷୟରେ ମଧ୍ୟ ସଚେତନ । ଠୋ ଠୋ
କଥା, ବେପରୁଆ
ଚାହାଣୀ, ନୈତିକତା
ଓ ସାମାଜିକ ଅଙ୍କୁଶକୁ ଫୁଃ କରି
ଉଡ଼େଇ ଦେବାର ସାହସ ଓ ଜୀବନକୁ
ନିଜ ସର୍ତ୍ତରେ ବଞ୍ଚିବାର ଦୃଢ଼ତା
ଆର୍ସିକୁ ଅଲଗା କରି ଗଢ଼ିଛି ।
ସିନେମାରେ ସେ କେବଳ ନାୟିକା
ନୁହଁ, ସେ
ଆମ ସମୟ ଓ ସମାଜର ଗୋଟେ ଅନମନୀୟ
ଅଂଶ । ଗତ ପଚିଶ–ତିରିଶ ବର୍ଷ
ଭିତରେ କୌଣସି ଓଡ଼ିଆ ସିନେମା
ଏତେ ଗହନକୁ ଯାଇ ନିଜ ସମୟର କଥା
କହିଥିବାର, ମୁଁ
କାଇଁ ଦେଖିନି ।
ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ |
ଏ
ସିନେମାରେ କୌଣସି ପ୍ରଶ୍ନର ଉତ୍ତର
ନାଇଁ । ପ୍ରଶ୍ନ ପରେ ପ୍ରଶ୍ନର
ବୋଝ ଲଦି ଆପଣ ବି ପାଲଟି ଯାଇ
ପାରନ୍ତି,
ଏ'
ରାସ୍ତାର
ଗୋଟେ ଅସହାୟ ଚରିତ୍ର । ଓଡିଆ
ସିନେମାରେ ବହୁ ଦିନ ପରେ କିଛି
ଗୋଟେ ଆଚ୍ଛନ୍ନ କଲା । ନିଜ
ଭିତରର ଆତ୍ମାକୁ କିଛି ସମୟ ଲାଗି
ଝୁଣିଝାଣି ଦେଇଗଲା ଆର୍ସି । ସିନେମାରେ
ଆଉ କଣ ଅଛି, କହିବା
ଦରକାର ନାଇଁ । ସିନେମାରେ ଗୋଟେ
ପାଗଳ କଲା ପରି ଗପ ଅଛି । ପ୍ରବଳ
ଉତ୍କଣ୍ଠା ଅଛି । ପ୍ରତ୍ୟେକ ସଂଳାପ
ଭାଷା ଓ ଭାବକୁ ସାବଲୀଳ ଭାବରେ
ଯୋଡ଼ିବାରେ ସଫଳ ହେଉଛନ୍ତି ।
ଦୃଶ୍ୟ, ଶବ୍ଦ, ଭାଷା
ଓ ଭାବ - ଏଇ
ଚାରୋଟି ଯାକ ବିଭବ ମିଶି ଗୋଟେ
ଜମାଣିଆଁ ମୂର୍ଚ୍ଛନା ତିଆରି
କରିଛନ୍ତି ଏ ସିନେମାରେ ।
ପ୍ରାୟ
ଦୃଶ୍ୟ ସ୍ପଷ୍ଟ ଓ କ୍ୟାମେରାର
ଦୃଷ୍ଟି ଏକ ପ୍ରକାର ସ୍ଥିର ।
ଯେମିତି କ୍ୟାମେରା ଗୋଟେ ଜାଗାରେ
ଗପ ଦେଖିବାକୁ ଅଟକି ଯାଇଛି । ଏ
ସିନେମାରେ କ୍ୟାମେରାମେନ ବି
ଗୋଟେ କବି । ଧୂସର ଓ ବିବର୍ଣ୍ଣ
ଉପତ୍ୟକାର କବି । ଚିତ୍ର ଓ ଶବ୍ଦର
ଏତେ ଚମତ୍କାର ସଙ୍ଗମ, କେଉଁ
ଓଡିଆ ସିନେମାରେ ମୁଁ ଶେଷ ଥର ଲାଗି
ଦେଖିଥିଲି, ମୋର
ମନେ ନାହିଁ । ଏ ସିନେମାର ପ୍ରଭାବ
ନିଜ ରକ୍ତରେ ବହୁ ଦିନ ଧରି ଅନୁଭବ
କରିବାକୁ ଜଣେ ସମ୍ବେଦନଶୀଳ ଦର୍ଶକ
ବାଧ୍ୟ ହେବ । ଅଭିନୟରେ ମୁଁ ତ
କେବେ କଳ୍ପନା କରି ନ ଥିଲି, ପ୍ରକୃତି
ମିଶ୍ର ଏମିତି କିଛି କରି ପାରିବେ
। ସେମିତି ପାର୍ଥ, ନୂଆ
ଅଭିନେତା । ହେଲେ ଅଭିନୟରେ ଗୋଟେ
ଗାମ୍ଭୀର୍ୟ ଅଛି । ମୁହଁରେ ହସ ଓ
ବିଷାଦଭରା ଗୋଟେ ବିରଳ ମାନଚିତ୍ର
ତିଆରି କରିଛନ୍ତି ପାର୍ଥ । ଏଠି
ଅଭିନୟର ଗୋଟେ ଅଲଗା ଇଲାକା ତିଆରି
ହୋଇଛି । ନାଟକ ନାଇଁ କି
ସଂଳାପରେ ଅଯଥା ଉତ୍ତେଜନା
ନାଇଁ । କେବଳ ସଠିକ ଭାବରେ, ସଠିକ
ସମୟରେ କଥା କହିପାରିବାର ଯାଦୁକରୀ
ଇ,
ଏ'
ସିନେମାର
ସବୁଠୁ ସାର୍ଥକ ଅଭିନୟ । ତିନୋଟି
ଯାକ ଚରିତ୍ର ଏତେ ସ୍ଵାଭାବିକ ଓ
ସହଜ ଯେ, ସେମାନେ
ଏଠି, ସେଠି, ସବୁଠି
ଆମ ସହ କଥା ହୋଇ ପାରିବେ ।
ଏତେ
ସବୁ ଯାଦୁକରୀ ଦେଖେଇଥିବା ସେ
ଅସଲ କଥାକାରଟି କାଇଁ ? ଏତେ
ସବୁକୁ ସାର୍ଥକ ଓ ସଫଳ ଭାବରେ
ତୁଲାଇ ପାରିଥିବା ଏ ସିନେମାର
ଅସଲ ନାୟକ କେଉଁଠି ? ଆଃ, ସେ
ବହୁ ଦୂର ଆକାଶରେ ଏବେ ଗୋଟେ ଅସ୍ପଷ୍ଟ
ତାରା । ସେଇ ଆକାଶରେ ଥାଇ ସେ ଆମକୁ
ଆର୍ସିର ଗପ ଦେଖାଉଛନ୍ତି । “ହେଲୋ
ଆର୍ସି” ର ସଂଳାପକାର ଓ ନିର୍ଦ୍ଦେଶକ
ସ୍ଵର୍ଗତ ସମ୍ବିତ ମହାନ୍ତି, ହଜି
ଯାଇଥିବା ଗୋଟେ ଜିନିୟସ । ଏତେ
ଚମତ୍କାର ସିନେମା ଗଢ଼ିଥିବା
ଲୋକଟା ସିନେମା ସରିଲା ପରେ ଆଉ ଏ
ପୃଥିବୀରେ ନାଇଁ । ମରିବା ଆଗରୁ
ଏଇଟା ସମ୍ବିତଙ୍କର ପ୍ରଥମ ଓ
ଅନ୍ତିମ ସିନେମା । କଳାର ଇତିହାସରେ
ଅନେକ ବିସ୍ମୟ ତିଆରି ହୁଏ । ଓଡିଆ
ଦୃଶ୍ୟକଳାର ଇତିହାସରେ ସମ୍ବିତ
ମହାନ୍ତି ସେମିତି ଏକ ବିସ୍ମୟ ।
'ହେଲା ଆର୍ସି' ଚଳଚିତ୍ରର ନିର୍ଦ୍ଦେଶକ ସମ୍ବିତ ମହାନ୍ତି ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ |
ମୁଁ
ଯଦି ଏ ସିନେମାକୁ ଏତେ ଚମତ୍କାର
ଓ ସୁନ୍ଦର ବୋଲି କହୁଛି, ତା'
ହେଲେ
ଏହାକୁ ଦେଖିବା ଲାଗି ସିନେମା
ହଲରେ ଭିଡ଼ ହେବ ନାହିଁ କାହିଁକି ? ଆମ
ସମୟରେ ଏ ପ୍ରଶ୍ନ ସବୁଠୁ ମାରାତ୍ମକ
। ଭଲ ସିନେମା ଓ ଲୋକପ୍ରିୟ ସିନେମା
ଭିତରେ ସମୟକ୍ରମେ ଗୋଟେ ବଡ଼ ଖାଇ
ତିଆରି ହୋଇ ଯାଇଛି । ଭଲ ସିନେମା
ପୁରଷ୍କାର ପାଇବ, ସମୀକ୍ଷକମାନଙ୍କର
ଆଦର ପାଇବ, ହେଲେ
ତାକୁ ଟିକେଟ କିଣି କେହି ଦେଖିବାକୁ
ଯିବେ ନାହିଁ । କାରଣ କଣ ? ଆମ
ସମୟରେ ଚାଲୁ ଓ ଶସ୍ତା ନିଶାର
ପ୍ରଭାବ ଆପେ ଆପେ ତିଆରି ହୋଇ
ନାହିଁ । କିଛି ବେପାରୀ ଜାଣିଶୁଣି
ଶସ୍ତା ନିଶା ସହିତ ଆମ ସମାଜକୁ
ଅଭ୍ୟସ୍ତ କରିଛନ୍ତି । ସେମାନଙ୍କ
ଫାନ୍ଦ କାଟି ନୂଆ କିଛି କରିବା
ସହଜ ନୁହେଁ ।
ସମ୍ବିତ
ମହାନ୍ତିଙ୍କ ପରି ସିନେମା
ନିର୍ମାତାମାନେ ଗୋଟେ ପ୍ରକାର
ବିକଳ୍ପ ତିଆରି କରନ୍ତି । ଚାଲୁ
ଓ ଶସ୍ତା ମନୋରଞ୍ଜନର ଏଇ କଳାତ୍ମକ
ବିକଳ୍ପକୁ ଲୋକଙ୍କ ପାଖରେ
ପହଞ୍ଚାଇବାର ଦାୟିତ୍ଵ ଆମେ ନେଇ
ପାରିବା କି ? ଗୋଟେ
ଭଲ ସିନେମା ଲାଗି ସମଝଦାର ଦର୍ଶକ
ହେବାର ସାମାଜିକ କର୍ତ୍ତବ୍ୟ
ତୁଲାଇବାରେ ଆମେ ଟିକେ ଆଗୁସାର
ହେବା କି ? ଭଲ
ସିନେମା ତିଆରି ହେବା ଯେତିକି
ଜରୁରୀ, ଭଲ
ସିନେମାକୁ ନିଜର କରିବାର ଆଗ୍ରହ
ମଧ୍ୟ ସେତିକି ଆବଶ୍ୟକ । 'ହେଲୋ
ଆର୍ସି'
ଆମ
ଆଗରେ ଗୋଟେ ଭଲ ବିକଳ୍ପ ଠିଆ କରେଇଛି
। ତାକୁ ଭଲ ପାଇବା ଓ ତାକୁ ଆଗକୁ
ବଢ଼ାଇବାର ଦାୟିତ୍ଵ ଆମର ।
ଶେଷରେ
ଏତିକି କହିବି, ସମ୍ବିତ
ମହାନ୍ତିଙ୍କ ‘ହେଲୋ ଆର୍ସି’ ଆମ
ସମୟର ଇତିହାସରେ ଗୋଟେ ମାଇଲଖୁଣ୍ଟ
ହୋଇ ଠିଆ ହୋଇଥିବ ଆଗାମୀ ବହୁତ
ବହୁତ ବର୍ଷ ଧରି । ହୁଏତ ସମ୍ବିତ
ମହାନ୍ତି ବଞ୍ଚିଥିଲେ, ତାଙ୍କଠୁ
ଆଉ କିଛି ଭଲ ସିନେମା ଆମେ ଆଶା
କରିଥା'ନ୍ତେ
। ହେଲେ ଏ ସିନେମା, ପୁଣି
ଥରେ ଭଲ ସିନେମାର ବାଟ ଫିଟାଇବାରେ
ସହାୟକ ହେବ ବୋଲି ଆମେ ଆଶା କରିବା
।
No comments:
Post a Comment