Wednesday, July 29, 2020

ଜଣେ ଓଡ଼ିଆଠାରୁ ବି ଅଧିକ ଓଡ଼ିଆ

ଯଦୁନାଥ ପଣ୍ଡା


ଯୁବା ବୟସରେ ଖବର ପାଠକ ଭାବରେ କାମ କରୁଥିବା ପି. ଭି. କୃଷ୍ଣମୂର୍ତ୍ତି
ଫଟୋ କ୍ରେଡ଼ିଟ୍ - 'ଦି ହିନ୍ଦୁ' ଖବରକାଗଜ

ସେ ଏ ମାଟିରେ ଜନ୍ମ ହେଇ ନ ଥିଲେ କି ଏ ରାଜ୍ୟର ଭାଷା ବି ଜାଣି ନଥିଲେ । ଭାଷା ଦୃଷ୍ଟିରୁ ସେ ଥିଲେ ତାମିଲ, ଜନ୍ମ ତାଙ୍କର ସେତେବେଳକାର ବ୍ରହ୍ମଦେଶରେ। କିନ୍ତୁ ଆମ ରାଜ୍ୟରେ ଏକ ଉର୍ବର ସାଂସ୍କୃତିକ ଭାବଭୂମି ତିଆରି କରିବାରେ ତାଙ୍କର ଉଚ୍ଛଳତାପୂର୍ଣ୍ଣ ଅବଦାନ ଥିଲା ଅତୁଳନୀୟ। ଆମର ସାଂସ୍କୃତିକ ଜଗତର ଅଗ୍ରଣୀମାନେ, ଯେମିତିକି ଭୁବନେଶ୍ୱର ମିଶ୍ର, ବାଳକୃଷ୍ଣ ଦାସ, ଗୋପାଳ ଛୋଟରାୟ, କେଳୁଚରଣ ମହାପାତ୍ର, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଅଲ୍ଲାମ୍ ଇତ୍ୟାଦି ସମସ୍ତଙ୍କର ପ୍ରେରକତତ୍ତ୍ଵ ଥିଲେ ସେ । କଟକ ଆକାଶବାଣୀ କେନ୍ଦ୍ରର ନିର୍ଦ୍ଦେଶକ ହେଇ ପଚାଶ ଦଶକରେ ଏଠିକି ଆସିଥିଲେ ସେ । ସେତେବେଳର ଅକ୍ଷୟ, ପ୍ରଣବ, ସିକନ୍ଦରଙ୍କ ପରି ଉତୁରି ଆସୁଥିବା ଓଡ଼ିଶାର ଯୁବ ଗାୟକ ପ୍ରତିଭାମାନଙ୍କୁ ସେ ଆକାଶବାଣୀରେ ସୁଯୋଗ ଦେବା ସହିତ, ସେମାନଙ୍କର ସାଙ୍ଗୀତିକ ଦୃଷ୍ଟି ଏବଂ ରୁଚିକୁ ମାର୍ଜିତ କରିବାରେ ଏକ ପ୍ରମୁଖ ଭୂମିକା ନେଇଥିଲେ। ସଙ୍ଗୀତରେ ବି ତାଙ୍କର ପ୍ରଭୂତ ଦକ୍ଷତା ଥିଲା ।

ଜାତୀୟ ସଂହତି ଏକ ପୀଡ଼ାଦାୟୀ ପ୍ରଶ୍ନ ହେଇ ଆମ ଆଗରେ ଠିଆ ହେଇଥିବା ବେଳେ, କୃଷ୍ଣମୂର୍ତ୍ତିଙ୍କ ଭଳି ଲୋକମାନେ କିଭଳି ସେମାନଙ୍କର ସୂକ୍ଷ୍ମ ସମ୍ବେଦନାମାନଙ୍କ ଦ୍ଵାରା ସବୁ ସ୍ଥୁଳ ବିଭାଜକମାନଙ୍କ ଊର୍ଦ୍ଧ୍ବକୁ ଯାଇ ଅନାୟାସରେ ମାନବିକ ସଂହତି ସ୍ଥାପନ କରିପାରନ୍ତି, ତାହା ବୋଧହୁଏ ଆମେମାନେ ଅନୁଭବ କରି ପାରିବା ।

ସେ ଥିଲେ ପି. ଭି. କୃଷ୍ଣମୂର୍ତ୍ତି। ପରେ ସେ ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ହେଲେ । ଏ ମାଟିର ଯାହାକିଛି ସବୁଠୁ ଭଲ, ତାହାକୁ ସବୁ ଖୋଜିଖୋଜି ଆଣି, ଆକାଶବାଣୀ କଟକ ମାଧ୍ୟମରେ ପ୍ରସାରିତ କରିବା ପାଇଁ ସେ ଥିଲେ ଆତୁର।

ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟର ଗୀତକୁ, ବାଳକୃଷ୍ଣ ଦାସଙ୍କୁ ଛାଡ଼ି ଅନ୍ୟ ପ୍ରତିଷ୍ଠିତ କଳାକାରମାନେ, ଇତର ଜାତୀୟ କଳା ବୋଲି ନାକଟେକି ଯେତେବେଳେ ଗାଇବାକୁ ମନାକରୁଥିଲେ, ସେତେବେଳେ କୃଷ୍ଣମୂର୍ତ୍ତି ହିଁ ଗୋପାଳ ଛୋଟରାୟଙ୍କୁ ଲଗେଇ ବୈଷ୍ଣବ ପାଣିଙ୍କ ଛାତ୍ର ଯୋଗେନ୍ଦ୍ର ମିଶ୍ରଙ୍କ ସହାୟତାରେ ଗୀତିନାଟ୍ୟଗୁଡ଼ିକୁ ବେତାର ରୂପ ଦେଇ ପ୍ରସାର କରେଇବାରେ ସାହସିକ ଭୂମିକା ନେଇଥିଲେ।

ବାପାଙ୍କ ସୌଖିନ ପହିଲିମାନି ଛାଡ଼ି ଲୁଚେଇ ସଙ୍ଗୀତ ଶିଖିଥିବାରୁ ବିରକ୍ତ ବାପାଙ୍କର ଅପ୍ରୀତିକର ଦୃଷ୍ଟି ଏଡେଇବାକୁ ୧୯ ବର୍ଷର ହରିପ୍ରସାଦ ଚୌରାଶିଆ ଯେତେବେଳେ କଟକ ରେଡ଼ିଓ ଷ୍ଟେସନକୁ ଚାକିରି କରିବାକୁ ଆସିଥିଲେ, ତାଙ୍କୁ ସେଠି ଥଇଥାନ କରେଇଥିଲେ କୃଷ୍ଣମୂର୍ତ୍ତି। ସୁଦୂର ବାରାଣାସୀରୁ ଆସିଥିବା କଟକରେ ଅଜଣା ଅଶୁଣା ନବାଗତ ଚୌରସିଆଙ୍କୁ, ନିୟମକୁ ବଙ୍କେଇ, କଟକ ରେଡ଼ିଓ ଷ୍ଟେସନ ଭିତରେ ଗୋଟେ ଘରେ ରହିବାକୁ ଅନୁମତି ଦେଇଥିଲେ କୃଷ୍ଣମୁର୍ତ୍ତି । ଚୌରାଶିଆଙ୍କ ପ୍ରଥମ ବଇଁଶୀ ଫୁଙ୍କରୁ ସେ କୁଆଡେ ଜାଣି ଯାଇଥିଲେ ଯେ, ୟେ ଅହିରାଜ ଛୁଆ, କଳି ଯୁଗରେ ଷୋଳ ସହସ୍ର ଗୋପୀଙ୍କୁ ଆଉ ଥରେ ନଚେଇବ ୟେ ଟୋକା ।

ଚୌରାଶିଆ ପରେ ଅନ୍ତତଃ ଗୋଟିଏ ଗୋପୀକୁ ମୁଗ୍ଧ କରି ଓଡ଼ିଶାରୁ ଉଡ଼େଇ ନେଇଗଲେ - ପ୍ରସିଦ୍ଧ ଗାୟିକା ଅଙ୍ଗୁରବାଳା ରାୟଙ୍କୁ ବା ଏବର ଅନୁରାଧା ଚୌରଶିଆଙ୍କୁ । ଚୌରାଶିଆ ଓଡ଼ିଶାର ଜୋଇଁ ହେଲେ, ଆଉ ଅଧା ଓଡ଼ିଆ ବି ହେଇଗଲେ । 'ସାଗରେ ଅଧୀର ନୀଳ ତରଙ୍ଗ' ଓ 'ଆଜି ପାହନା ରାତି' ଭଳି କାଳଜୟୀ ଓଡ଼ିଆ ସଙ୍ଗୀତର ସ୍ଵର ମଧ୍ୟ ତିଆରି କଲେ। ତା’ ଛଡ଼ା କେତେ ଯେ ବିଖ୍ୟାତ ଗୀତ ସବୁ ଓଡ଼ିଆ କଥାଚିତ୍ରମାନଙ୍କରେ - 'ସମୟ', 'ଗପ ହେଲେବି ସତ', 'ଅନୁରାଗ' ଇତ୍ୟାଦି । ଚୌରାଶିଆଙ୍କ ବୃନ୍ଦାବନ ଗୁରୁକୁଳ ଏବେ ଭୁବନେଶ୍ୱରର ଘାଟିକିଆରେ ।

ପି.ଭି ଏମିତି ଜଣେ ଗୁଣୀ ଏବଂ ଉଦାର ହୃଦୟର ଗୁଣଗ୍ରାହୀ ମଣିଷ ଥିଲେ ଯେ, ଅନ୍ୟ ଭିତରର ଅନ୍ତର୍ନିହିତ ପ୍ରତିଭାକୁ ସେ ଏକ ସମ୍ବେଦନଶୀଳ ଅନ୍ତରଦୃଷ୍ଟି ବଳରେ ଚିହ୍ନି ନଉଥିଲେ। ଥରେ ବମ୍ବେ ଦୂରଦର୍ଶନ ଷ୍ଟୁଡ଼ିଓରେ ତାଙ୍କ କୋଠରୀ ଭିତରକୁ କାନ୍ଦି କାନ୍ଦି ହଠାତ ଗୋଟେ ଶ୍ୟାମଳ ବର୍ଣ୍ଣର ଝିଅଟେ ପଶି ଆସିଲା । ଘୋଷିକା ଚାକିରୀ ପାଇଁ ଅଡିସନ ନିଆ ଯାଉଥିବାବେଳେ ସେ ଝିଅଟିକୁ ଅଯୋଗ୍ୟ ବୋଲି ବାଦ ଦିଆ ଯାଇଥିଲା । କୃଷ୍ଣମୁର୍ତ୍ତି ତା’ ଉପରେ ନଜର ପଡ଼ିବା ମାତ୍ରେ ବୁଝି ଯାଇଥିଲେ ଯେ, ସେ ଝିଅଟି ଦୂରଦର୍ଶନ ପାଇଁ ଜନ୍ମ ନେଇଛି । ସାଙ୍ଗେ ସାଙ୍ଗେ ନିଜେ ଆଉ ଥରେ ତା'ର ଅଡିସନ ନେଇ ତା'କୁ ନିଯୁକ୍ତି ଦେଲେ । ଦୂରଦର୍ଶନ କାର୍ଯ୍ୟକ୍ରମରୁ ହିଁ ସେ ଝିଅଟି ଉପରେ ନଜର ରଖି ପ୍ରସିଦ୍ଧ ନିର୍ଦ୍ଦେଶକ ଶ୍ଯାମ ବେନେଗାଲ ତା'କୁ ଚଳଚ୍ଚିତ୍ରରେ ସୁଯୋଗ ଦେଲେ । ପରେ ସେ ଝିଅଟି ବିଖ୍ୟାତ ଅଭିନେତ୍ରୀ ସ୍ମିତା ପାଟିଲ ହେଲା ।

କୃଷ୍ଣମୁର୍ତ୍ତି ସୁନ୍ଦର ଘଟମ୍ ବଜେଇ ପାରୁଥିଲେ ଏବଂ ସୁମଧୁର ବାଦ୍ୟବୃନ୍ଦ ସବୁ ସୃଷ୍ଟି କରି ପାରୁଥିଲେ। ପଣ୍ଡିତ ରବିଶଙ୍କରଙ୍କ ଭାଉଜ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଲକ୍ଷ୍ମୀଶଙ୍କର ଗାଇଥିବା ଲୋକ ସଙ୍ଗୀତ ଶୈଳୀର ସୁମଧୁର ଓଡିଆ ଗୀତ 'କିଆ କେତକୀ ବନେ କହଇ କେ କାନେ କାନେ' ଯଦି କେହି ଶୁଣିଥିବେ, ସେଥିରେ ବାଜିଥିବା ଘଟମ୍‌କୁ କୃଷ୍ଣମୁର୍ତ୍ତି ହିଁ ବଜେଇଛନ୍ତି । ସୁପ୍ରସିଦ୍ଧ ଗାୟିକା ଶ୍ୟାମମଣି ଦେବୀ କହୁଥିଲେ, ଷ୍ଟେସନ ଡିରେକ୍ଟର ହିସାବରେ ତାଙ୍କର କୌଣସି ଆଟୋପ ନଥିଲା । ସେ ପ୍ରଥମେ ଥିଲେ ସମଝଦାର ରସିକ ତା’ପରେ କର୍ମକର୍ତ୍ତା। ଷ୍ଟୂଡିଓରେ ରେକର୍ଡିଂ ବେଳେ କୌଣସି ଗୀତଟେ ତାଙ୍କ ମନକୁ ପାଇଲା ତ, ସାଙ୍ଗେ ସାଙ୍ଗେ ବାଦ୍ୟଶିଳ୍ପୀମାନଙ୍କ ଗହଣରେ ଘଟମଟେ ଧରି ବସିପଡ଼ି ବଜେଇବା ଆରମ୍ଭ କରିଦେବେ।କୃଷ୍ଣମୂର୍ତ୍ତି ଏଇ ଗଲା ଅକ୍ଟୋବର ୨୦୧୯ରେ, ୯୮ ବର୍ଷ ବୟସରେ ଚାଲି ଗଲେ।

ପାଞ୍ଚ ସାତ ବର୍ଷ ତଳେ ଦୈବାତ୍ ତାଙ୍କର ଇମେଲ୍ ଆଇଡିଟି ହାତରେ ପଡ଼ିଲା । ଜଣେ କୃତଜ୍ଞ ଓଡ଼ିଆ ହିସାବରେ ତାଙ୍କୁ ପଠେଇଥିଲି ଗୋଟେ ବାର୍ତ୍ତା । ବିହ୍ୱଳତାରେ ବତୁରା ଗୋଟେ ଉତ୍ତର ପାଇଥିଲି ତାଙ୍କ ଠାରୁ ଯେ, ଏତେଦିନ ପରେ ବି ଏ ପିଢ଼ିର କେହି ଜଣେ ଓଡ଼ିଆ ତାଙ୍କୁ କୃତଜ୍ଞତାର ସହିତ ମନେ ପକେଇ ପାରେ ! ଝୁରି ହେଉଥିବା ବ୍ୟାକୁଳ ବନ୍ଧୁଟିଏ ଭଳି ଓଡ଼ିଶା ବିଷୟରେ, ଓଡ଼ିଶାର କେତେ ଚିହ୍ନା ଲୋକଙ୍କ କଥା ପଚାରି ବସିଥିଲେ ସେ । ଓଡ଼ିଶାର ଏବେକାର ସାଂସ୍କୃତିକ ଜୀବନ ବିଷୟରେ କେତେ କେତେ ଉତ୍ସୁକତା ଭରା ପ୍ରଶ୍ନ । ଯଥାସାଧ୍ୟ ଉତ୍ତର ଦେଇଥିଲି ତାଙ୍କୁ ।

ତାଙ୍କ ତିଆରି ଏବଂ ତାଙ୍କ ସାଙ୍ଗରେ କାମ କରିଥିବା ଏବଂ ରେଡ଼ିଓ ଶୁଣି ବଡ଼ ହେଇଥିବା ଆମ ପିଢ଼ିର ଅନେକଙ୍କ ଆକାଶବାଣୀ ଶିଶୁ ସଂସାର କାର୍ଯ୍ୟକ୍ରମର ପ୍ରିୟ ବଡ଼ଭାଇ ଶ୍ରୀ ନଦୀୟା ବିହାରୀ ମହାନ୍ତିଙ୍କର ଏକ ମାର୍ମିକ୍ ସ୍ମୃତିଲେଖ୍ ପ୍ରକାଶ ପାଇଛି ପୌରୁଷ ପତ୍ରିକାରେ, କୃଷ୍ଣମୂର୍ତ୍ତିଙ୍କ ମୃତ୍ୟୁ ପରେ।

କୃଷ୍ଣମୂର୍ତ୍ତିଙ୍କ ସହିତ ଅନ୍ତରଙ୍ଗ ଥିବା ବା କଟକ ରେଡିଓ ଷ୍ଟେସନରେ ତାଙ୍କ ସହିତ କାମ କରିଥିବା ଅନେକ ବ୍ୟକ୍ତିତ୍ଵ ଏବେ ବି ଜୀବିତ, ଯେମିତିକି ପ୍ରଣବ କିଶୋର ପଟ୍ଟନାୟକ, ପ୍ରଫୁଲ୍ଲ କର, ଶ୍ୟାମମଣି ଦେବୀ, ଶାନ୍ତନୁ ମହାପାତ୍ର, ହରିପ୍ରସାଦ ଚୌରସିଆ, ସୁଧାକର ନନ୍ଦ, ରଜତ କର, ଶରତ କର, ଦେବଦାସ ଛୋଟରାୟ କିମ୍ବା ସେଇଭଳି ଆହୁରି ଅନେକ । ଏଇ ଭଳି ଯିଏ ଯେଉଁଠି ଅଛନ୍ତି ସେମାନଙ୍କ ପାଖରୁ ଓଡ଼ିଆ ଜାତିର ଏଇ ଶୁଭାଧ୍ୟାୟୀ ଦରଦୀ ମଣିଷଟି ବିଷୟରେ ଆମେମାନେ ଅଧିକରୁ ଅଧିକ ସ୍ମୃତିକଥା ସବୁ ସଙ୍ଗ୍ରହ କରିବାରେ ସହଯୋଗ କରିପାରିବାକି ? କିମ୍ବା ଏଇ ଅଗ୍ରଣୀ ଓଡ଼ିଆମାନେ ନିଜେ କୃଷ୍ଣମୁର୍ତ୍ତିଙ୍କ ବିଷୟରେ ସ୍ମୃତିଚାରଣ କରି କିଛି ଲେଖିପାରିବେ କି ? ଏକ ମହତ ଆତ୍ମା ପାଇଁ ଆମ ମାନଙ୍କର ୟେ ହେବ ସବୁଠୁ ବଡ଼ କୃତଜ୍ଞତା ।

No comments:

Post a Comment