ରୁଦ୍ର ମହମ୍ମଦ ସହିଦୁଲ୍ଲାଙ୍କର ବଙ୍ଗଳା କବିତା - 'ବତାସରେ ଶବର ଗନ୍ଧ'
ଓଡ଼ିଆ ଅନୁବାଦ -ସମୀର ରଞ୍ଜନ
୨୦୧୧ ମସିହାରେ ଉତ୍ତୋଳିତ ରୁଦ୍ରଙ୍କର ଏକ ଆଲୋକଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଆଜି ବି
ବାରି ହେଉଚି ବତାସରେ ଶବର ଗନ୍ଧ;
ଆଜି ବି
ଦେଖୁଚି ମାଟି ଉପରେ ମୃତ୍ୟୁର
ନଗ୍ନ ନୃତ୍ୟ;
ଧର୍ଷିତାର
କାତର ଚିତ୍କାର ଆଜି ବି ଶୁଭୁଚି
ତନ୍ଦ୍ରା ଭିତରେ ।
ଏ
ଦେଶ କଣ ଭୁଲି ଗଲାଣି ସେଇ ଦୁଃସ୍ବପ୍ନର
ରାତି,
ସେଇ
ରକ୍ତାଭ ସମୟ ?
ବତାସରେ
ପହଁରି ବୁଲୁଚି ଶବର ଗନ୍ଧ,
ମାଟିରେ
ଲାଗିଛି ରକ୍ତର ଦାଗ ।
ଏଇ
ରକ୍ତ ରଞ୍ଜିତ ମାଟିର ଲଲାଟକୁ ଛୁଇଁ
ଦିନେ
ଯେଉଁମାନେ ଆଶା ବାନ୍ଧିଥିଲେ,
ଜୀର୍ଣ୍ଣ ଜୀବନର ପାଗଳାମୀରେ
ସେମାନେ
ଖୋଜି ନେଲେ ନିଷିଦ୍ଧ ଅନ୍ଧାର ।
ଆଜି
ସେମାନେ ଆଲୋକହୀନ ପିଞ୍ଜରାର
ପ୍ରେମରେ
ଜଗି
ରହିଛନ୍ତି ରାତ୍ରିର ଗୁମ୍ଫାରେ,
ଯେମିତି କି
ନଷ୍ଟ ଜନ୍ମର ଲଜ୍ୟାରେ
ଜଡ଼ସଡ଼ କୁମାରୀ ମା;
ସ୍ୱାଧୀନତା - ଏଇ
ଜନ୍ମ କଣ ନଷ୍ଟ ହେବ ?
ଏଇ
କଣ ତେବେ, ପିତାହୀନ
ଜନନୀର ଲଜ୍ୟାର ଫସଲ ।
ଜାତିର
ପତାକାକୁ ଆଜି ପଞ୍ଜାରେ ମାଡ଼ି ବସିଚି
ବୃଦ୍ଧ ଜରଦ୍ଗବ ।
ବତାସରେ
ଶବର ଗନ୍ଧ ତଥାପି ବି ।
ନିଅନ୍ ଆଲୁଅରେ ନର୍ତ୍ତକୀ ଦେହରେ
ଉଠୁଚି
ମାଂସର ତୋଫାନ;
ମାଟିରେ
ପଡ଼ିଚି ରକ୍ତର ଦାଗ ।
ଚାଉଳ
ଗୋଦାମରେ ପୁଣି ବି ଜମା ହେଉଚି
ଅନାହାରୀ
ମଣିଷର ହାଡ଼ ।
ଏ
ଆଖିକି ନିଦ ଆସୁନି,
ତନ୍ଦ୍ରାରେ
ଶୁଣୁଚି ଧର୍ଷିତାର କରୁଣ ଚିତ୍କାର;
ନଦୀରେ
ପହଁରି ବୁଲୁଚି ମଣିଷମାନଙ୍କର
ପଚା ଶବ;
କୁକୁର
ଖାଉ ଥିବା ବାଳିକାର ମୁଣ୍ଡହୀନ ବିଭତ୍ସ ଶରୀର
ପହଁରି ବୁଲୁଚି ଆଖି ଭିତରେ ।
ମୁଁ
ଶୋଇ ପାରୁନି ନା ବିଲକୁଲ ଶୋଇ
ପାରୁନି ମୁଁ;
ରକ୍ତର
କଫନରେ ବନ୍ଧା,
କୁକୁର
ଶାଗୁଣା ଖାଉଥିବା ମଲା ଦେହ ସେ
ମୋ ଭାଇର,
ସେ
ମୋ ମା'ର, ମୋ'ର ପ୍ରିୟତମ ବାପାଙ୍କର ।
ସ୍ୱାଧୀନତା - ମୋର
ସ୍ୱଜନ,
ପ୍ରିୟ
ମଣିଷଙ୍କ ରକ୍ତରେ କିଣା ଯାଇ ଥିବା
ଅମୂଲ୍ୟ ଫସଲ;
ଧର୍ଷିତା
ଭଉଣୀର ଶାଢ଼ୀ ହିଁ
ମୋର
ରକ୍ତାକ୍ତ ଜାତୀୟ ପତାକା ।
No comments:
Post a Comment