Living in Bhubaneswar
Saturday, March 19, 2016
ଜଗନ୍ନାଥ ଭଜନ - ବଡ଼ ମାୟାବୀ ଜୀବ ନୋହେ କାହାରି
କବି - ଯଶୋବନ୍ତ ଦାସ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=boNGwJ2XyXs
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ବଡ଼ ମାୟାବୀ ଜୀବ ନୋହେ କାହାରି
ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି ।।
ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର ।
ପ୍ରଥମମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ,
ଦ୍ୱିତୀୟ ମାସେ ତୁ ଯେ ଜଳେ ଯେସନ ମୀନ,
ତୃତୀୟ ମାସେ ତୁ ଯେ ଶୂନ୍ୟେ ମେଲିଲୁ ଡାଳ,
ଚତୁର୍ଥେ ଅସ୍ଥିଖଞ୍ଜା ତୋହରି ।୧।
ପଞ୍ଚମେ ନାଭି କମଳ କଲା ଭିଆଣ,
ଷଷ୍ଠରେ ବାସ୍ତରୀ ନାଡ଼ି ଖଞ୍ଜିଲା ଜାଣ ।
ସପ୍ତମେ ନାସା ଜ୍ୱିହା ଆବର ମୁଖ କର୍ଣ୍ଣ,
ଚକ୍ଷୁ ଭ୍ରୂଲତା କାମ କମାଣରେ ନିର୍ମାଣ।
ଗଙ୍ଗା ଜମୁନା ନଦୀ ବହଇ ଅନୁକ୍ଷଣ,
ଆପେ ମନକୁ କଲା ବିଚାରି ।୨।
ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା,
ନବ ମାସେ ଚମଡ଼ାକୁ ଢାଙ୍କୁଣି ଦେଲା।
ଦଶ ମାସରେ ଶେଷ କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି ଭୋ ଦେବ ନନ୍ଦଶିଶ୍ୟ,
ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ବାସ,
ତୋ ନାମ ଗାଉଥିବି ସୁମରି ।୩।
ଯେଉଁ ବିନ୍ଧାଣୀ ତୋତେଟି କଲା ନିର୍ମାଣ,
ସେହି ତୋ ଦେହେ ରହିଲା ଏହା ତୁ ଜାଣ ।
ରଖିଣ ଦଶବାଟ ଲଗାଇଲା କବାଟ
ସୁଷୁମୁନା ଦୁଆରେ ରହିଲେ ନନ୍ଦଚାଟ,
ଯେବେ ପାଇବୁ ଭେଟ ମାୟାକୁ ତୁହି କାଟ,
ଗୁରୁ ସେବିଣ ଦେଖ ଶ୍ରୀହରି ।୪।
ଜନମ ହୋଇ ପଡିଲୁ ମର୍ତ୍ତ୍ୟମଣ୍ଡଳ,
କୁଆଁ ବୋଲନ୍ତେ ସବୁ ଗଲା ପାଶୋର ।
ଅନ୍ତୁଡ଼ିଶାଳେ ରହି ହରି ଭଜିଲୁ ନାହିଁ,
ପାଞ୍ଚ ବରଷ ଗଲା ବାଳ ଭାବରେ ବହି
ବାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ,
ତେବେ ନ ବୋଲୁ ମୁଖେ ଶ୍ରୀହରି ।୫।
ପନ୍ଦର ବରଷେ ହେଲୁ ଅମରମତା,
କୋଡ଼ିଏ ବରଷେ କଲୁ କାମିନୀ ଚିନ୍ତା।
କାମିନୀ ସଙ୍ଗେ ରହି ଦିନ ହରିଲୁ ତୁହି,
ସେ ରୂପେ ଗଲା ତୋର ଯୁବା ବୟସ ବହି,
ହରି କଥାକୁ ଦିନେ ମନ ନ କଲୁ ତୁହି,
ହେବୁ କେମନ୍ତେ ଏ ଭବୁ ପାରି ।୬।
ବୃଦ୍ଧ ବୟସ ଯେ ଏବେ ହେଲା ତୋହରି,
ଅବଶ୍ୟ ଦେଖିବୁ ଥରେ ଶମନପୁରୀ ।
କହଇ ଯଶୋବନ୍ତ ଗୁରୁଙ୍କୁ ସେବା କର,
ସେ ନାମ ଧରି ହୃଦେ ଭବୁ ହୋଇବୁ ପାର,
ପୂର୍ବଜନ୍ମ କଳୁଷ ଚିତ୍ତରୁ ହେବ ଦୂର
ବସିବୁ ବଇକୁଣ୍ଠ ଆବୋରି ।୭।
No comments:
Post a Comment
‹
›
Home
View web version
No comments:
Post a Comment