ରେଭେନଶା ଚିନ୍ତା
ଯଦୁନାଥ ପଣ୍ଡା
ରେଭେନଶା ବିଶ୍ୱବିଦ୍ୟାଳୟର ସାମ୍ପ୍ରତିକ ଅବସ୍ଥାକୁ ନେଇ ଅନେକ ଲୋକ ଉଦ୍ବେଗ ପ୍ରକାଶ କରିବାର ଦେଖା ଯାଉଛି । ମେଧାବୀ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପ୍ରତି ବିମୁଖ ହେଉଛନ୍ତି । ସର୍ବଭାରତୀୟ ସ୍ତରରେ ମାନ୍ୟତା ତାଲିକାରେ ଏହା ତଳକୁ ଖସି ଚାଲିଛି । ହେଲେ ଏହି ଅବକ୍ଷୟ ଓ ତଜ୍ଜଲିତ କାରଣଗୁଡ଼ିକ କେବଳ ରେଭେନଶା ବିଶ୍ୱବିଦ୍ୟାଳୟର ପାଇଁ ନୁହେଁ, ଆମ ଦେଶର ଊଣା ଅଧିକେ ଶିଖର ସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ।
ବିଶ୍ୱବିଦ୍ୟାଳୟଗୁଡ଼ିକର ଅବକ୍ଷୟର ରୋଗର ଚେରଟି ଯାଇଁ ବହୁତ ଗଭୀରରେ । ରୋଗଟିର ମୂଳ ବୋଧହୁଏ ସମାଜରେ ଗଣତାନ୍ତ୍ରିକରଣ ପ୍ରକ୍ରିୟାଟି ଅପମୃତ୍ୟୁ ଆଡ଼କୁ ଆଗେଇ ଚାଲିବାରେ, ଯାହା ଫଳରେ କି ବାହୁବଳ, ଧନବଳ ଏବଂ ରାଷ୍ଟ୍ର କ୍ଷମତା ଭଳି ସ୍ଥୂଳ କ୍ଷମତାଧାରୀମାନଙ୍କ ଆଧିପତ୍ୟ ନିରଙ୍କୁଶ ହେଇ ଉଠୁଛି । ଏହାର ଏକ ପ୍ରମୁଖ କାରଣ ଶିକ୍ଷାକୁ ନେଇ ଆମମାନଙ୍କର ମୂଲ୍ୟବୋଧ ଓ ମାନ୍ୟତା ଗୁଡ଼ିକର ସ୍ଥାନାପସାରଣ । ଏହାର ପରିଣତି ହେଉଛି, ମଣିଷର ଚେତନା, ଚିନ୍ତନ ଓ ସୂକ୍ଷ୍ମ ସମ୍ବେଦନା ଗୁଡ଼ିକ ଅଧିକରୁ ଅଧିକ ପଣ୍ୟବାହୀ ବଜାର କବଳିତ ହେଇଯିବା ଏବଂ ସେ ଦୃଷ୍ଟିରୁ ମଣିଷ ଯନ୍ତ୍ରଭଳି ତାହାର ପାରିପାର୍ଶ୍ଵିକ ପରିବେଶ ପ୍ରତି ଆବେଗିକ ସ୍ତରରେ ନିଷ୍ପନ୍ଦ ହେଇଯିବା ।
ଆଦର୍ଶ ଦୃଷ୍ଟିରେ ଗୋଟିଏ ଶିକ୍ଷାୟତନର ପ୍ରାଥମିକ କାମ ହେଉଛି, ପୃଥିବୀର ମନନ କ୍ଷମତା ଥିବା ଏକମାତ୍ର ପ୍ରାଣୀ ମଣିଷର ମନନଶୀଳତାକୁ ପରିପୁଷ୍ଟ କରି ତାକୁ ନାଗରିକରେ ପରିଣତ କରିବା । ପରବର୍ତ୍ତୀ କର୍ତ୍ତବ୍ୟ ହେଉଛି, ସେ ନାଗରିକକୁ ବିଭିନ୍ନ ବୃତ୍ତି ଗ୍ରହଣ ପାଇଁ ତାଲିମ ଦେଇ ସମାଜର ବିଭିନ୍ନ ବୃତ୍ତିଗତ ଦାୟିତ୍ଵ ତୁଲେଇବାକୁ ତିଆରି କରିବା । ନାଗରିକତାର ଅର୍ଥ ହେଉଛି, ସାମାଜିକ କର୍ତ୍ତୃତ୍ଵମାନଙ୍କ ପ୍ରଭୁତ୍ଵକୁ ଦାୟିତ୍ଵରେ ପରିଣତ କରେଇବାର ପ୍ରକ୍ରିୟାରେ ସହଭାଗୀ ହେବା । କାରଣ ସମାଜର ବିଭିନ୍ନ କର୍ତ୍ତୃତ୍ଵ ବା କ୍ଷମତା ବା ପ୍ରଭାବ କେନ୍ଦ୍ରଗୁଡ଼ିକ ମଧ୍ୟରୁ କୌଣସିଟି ବି ଯଦି ନିରଙ୍କୁଶ ହେଇଯାଏ, ତେବେ ତାହା ଅତ୍ୟାଚାରୀ, ଦୁର୍ନୀତିଗ୍ରସ୍ତ ଏବଂ ଦାୟିତ୍ୱହୀନ ହେଇ ଯିବାକୁ ବାଧ୍ୟ ।
ମଣିଷର ପ୍ରକୃତି ଦୃଷ୍ଟିରୁ କ୍ଷମତାର ଜାହିର କରିବାରେ ଥାଏ କ୍ଷମତାର ମାଦକତା । କର୍ତ୍ତୃତ୍ଵ ଦାୟିତ୍ଵ ନିଷ୍ପାଦନ କରିବାର ଏକ ମାଧ୍ୟମ ମାତ୍ର; ଏଣୁ ଦାୟିତ୍ଵ ପ୍ରଥମ, କର୍ତ୍ତୃତ୍ଵ ଗୌଣ । କିନ୍ତୁ ପ୍ରତ୍ୟେକ କ୍ଷମତା କେନ୍ଦ୍ରର କର୍ତ୍ତୃତ୍ଵକୁ ପ୍ରଭୁତ୍ଵରେ ପରିଣତ କରି ଦାୟିତ୍ଵକୁ ଗୌଣ କରିଦେବାର ପ୍ରବଣତା ଥାଏ । ତାହା ହିଁ ସମାଜ ଜୀବନକୁ ଅସଂହତ କରି ବୈଷମ୍ୟ, ଅତ୍ୟାଚାର, ଶୋଷଣ, ହିଂସା ଭଳି ବହୁ ପ୍ରକାର ବିଶୃଙ୍ଖଳାକୁ ଜନ୍ମ ଦିଏ ।
ସାମାଜିକ ଜୀବନରେ ବିଭିନ୍ନ କ୍ଷମତା କେନ୍ଦ୍ର ଥାଆନ୍ତି, ଯେମିତି ରାଷ୍ଟ୍ର କ୍ଷମତା ନିୟନ୍ତ୍ରଣ କରୁଥିବା ରାଜନୈତିକ ଗୋଷ୍ଠୀ ଏବଂ ଅମଲାତନ୍ତ୍ର ଯେଉଁମାନେ କି ସମାଜ ଜୀବନର ମୁଖ୍ୟ ପରିଚାଳକର ଭୂମିକା ତୁଲାନ୍ତି । ତାହା ସାଙ୍ଗକୁ ଶିଳ୍ପ, ବାଣିଜ୍ୟ, ଗଣମାଧ୍ୟମ, କୃଷକ, ଶ୍ରମିକ, ସାମ୍ବାଦିକ, କଳାକାର, ସାହିତ୍ୟିକ, ବୁଦ୍ଧିଜୀବୀ, ବୃତ୍ତିଜୀବି, ଛାତ୍ର, ଶିକ୍ଷକ, କାରିଗର, ଧାର୍ମିକ, ଜାତିଗତ ଗୋଷ୍ଠୀ ଇତ୍ୟାଦି ରହିଥା'ନ୍ତି, ଯେଉଁମାନେ କି ସମସ୍ତେ ମୋଟାମୋଟି ଭାବରେ ବ୍ୟବସ୍ଥାର ସମର୍ଥକ ବା ଏମାନଙ୍କ ମଧ୍ୟରୁ କେହି କେହି ବ୍ୟବସ୍ଥାର ସଂସ୍କାର ଦାବି କରି ସାମୟିକ ଭାବରେ ବିରୋଧ ପ୍ରଦର୍ଶନ କରନ୍ତି । ଏହା ଛଡ଼ା ବ୍ୟବସ୍ଥାକୁ ବିକୃତ କରୁଥିବା ମାଫିଆଙ୍କ ଭଳି ହିଂସ୍ର ତତ୍ତ୍ଵ ଏବଂ ବ୍ୟବସ୍ଥାର ସମୂଳ ବିନାଶ କରି ନୂତନ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଚାହୁଁ ଥିବା ପ୍ରତିରୋଧୀ ତତ୍ତ୍ଵ ବି ଥାଆନ୍ତି ।
ଏହି ସମସ୍ତ ପ୍ରଭାବୀ ତତ୍ତ୍ଵମାନଙ୍କର ଅହରହ କ୍ରିୟା-ଅନୁକ୍ରିୟା ଦ୍ଵାରା ସମାଜ ଜୀବନ ଗଠିତ । ଏଇ କର୍ତ୍ତୃତ୍ଵ କେନ୍ଦ୍ରମାନଙ୍କର ପାରସ୍ପରିକ ପ୍ରଭାବ ମଧ୍ୟରେ ଆନୁପାତିକ ସନ୍ତୁଳନ ରକ୍ଷା କରିବାର ପ୍ରକ୍ରିୟା ହିଁ ଗଣତାନ୍ତ୍ରିକରଣ, ଯାହା ଦ୍ୱାରା ଏକ ସୁଷମ ସମାଜର ଗଠନ ସମ୍ଭବ । ତେବେ ଯାଇ ସାମାଜିକ ସମ୍ବଳର ସକ୍ରିୟ ଉତ୍ପାଦନ ଓ ସୁଷମ ବଣ୍ଟନ ସମ୍ଭବ ହେବ ଏବଂ ଏକ ଖଣ୍ଡିତ, ବିଭକ୍ତ, ସଙ୍ଘର୍ଷରତ ବିଷମତାପୂର୍ଣ ସମାଜ ସମ୍ପ୍ରୀତିପୂର୍ଣ ସହାବସ୍ଥାନ ଆଡ଼କୁ ଗତି କରିପାରିବ। ଏହି ସମ୍ପୃକ୍ତ ସମାଜ ଜୀବନ ହିଁ ଏକ ସମୃଦ୍ଧ ମାନବ ଜୀବନ ସୃଷ୍ଟି କରିପାରିବ।
ଏହି କ୍ଷମତା କେନ୍ଦ୍ରମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଆବଶ୍ୟକ.ଯେଉଁ ସଚେତନ ସତର୍କ ସକ୍ରିୟତା, ଯାହାକୁ ଆମେ ପ୍ରକୃତ ଅର୍ଥରେ ରାଜନୀତି ହିଁ କହି ପାରିବା, ତାହା କେବଳ ସାମଗ୍ରିକ, ସମ୍ବେଦନଶୀଳ ଏବଂ ସମ୍ପୃକ୍ତ ଜୀବନ ଦୃଷ୍ଟି ଥିବା ନାଗରିକମାନଙ୍କ ସହଭାଗିତା ଦ୍ଵାରା ସମ୍ଭବ । ସେଭଳି ଏକ ନାଗରିକ ସମାଜ ଗଠନ କରିବାର ପ୍ରାଥମିକ ଭିତ୍ତିଟି ମଣିଷର ଚିନ୍ତନ ଏବଂ ଭାବନା କେନ୍ଦ୍ରକୁ ଗଢ଼ୁଥିବା ଶିକ୍ଷା ବ୍ୟବସ୍ଥା ଭିତରୁ ଜନ୍ମ ନେବା କଥା, ଯାହାକି ପରବର୍ତ୍ତୀ କ୍ଷେତ୍ରରେ ସମାଜର ଅନ୍ୟାନ୍ୟ ବିଭାଗ ଦ୍ଵାରା ପରିପୁଷ୍ଟ ହେବ ଏବଂ ତା ମଧ୍ୟରୁ ଏକ ପ୍ରମୁଖ ବିଭାଗ ହେଉଛି ଗଣମାଧ୍ୟମ । ସମାଜରେ ବିବେକ ରକକ୍ଷକର ଭୂମିକା ତୁଲେଇବାରେ ଏଇ ଦୁଇ ଅନୁଷ୍ଠାନର ଏକ ଗୁରୁ ଦାୟିତ୍ଵ ରହିଛି ।
ଆଦର୍ଶଗତ ଭାବରେ ସମାଜରେ ଶିକ୍ଷକ, ଶିକ୍ଷାନୁଷ୍ଠାନ ଏବଂ ଗଣମାଧ୍ୟମର ଗଣତାନ୍ତ୍ରିକ ସମାଜ ନିର୍ମାତାର ଏହି ଉଚ୍ଚ ମାନ୍ୟତା ହିଁ ରହି ଆସିଥିଲା । ଲୋକ ମୁଖରେ ବିବେକ ତିଆରି କରୁଥିବା ଗୁରୁଙ୍କୁ ସାକ୍ଷାତ ଇଶ୍ଵର ହିଁ କୁହା ଯାଉଥିଲା । ବାସ୍ତବ କ୍ଷେତ୍ରରେ ତ ଏହାର ଅନେକ ବ୍ୟତିକ୍ରମ, ବିକୃତି ଏବଂ ଛଳନା ଅବଶ୍ୟ ରହିଥିଲା । ବାସ୍ତବ କ୍ଷେତ୍ରରେ ଜୀବିକା ଆଉ ପ୍ରତିଷ୍ଠା ଅର୍ଜନ ଶିକ୍ଷାର ମୂଳ ଲକ୍ଷ୍ୟ ରହିଥିଲେ ବି, ଶିକ୍ଷାନୁଷ୍ଠାନରେ ତଥାପି ଆଦର୍ଶ ନାଗରିକାତାର ବତୀଘରଟେ ଦୁପୁ ଦୁପୁ ହେଇ ଜଳୁଥିଲା । ପାଠପଢ଼ି କେବଳ ଧନ କି କ୍ଷମତା ଅର୍ଜନ କରିବି ବୋଲି କହିବାକୁ ସରମ ଲାଗୁଥିଲା ।
ବିଡ଼ମ୍ବନା ଏବଂ ହତାଶାର ବିଷୟଟି ହେଉଛି, ଏଇ ମାନ୍ୟତାଟି ଏବେ ଘୁଞ୍ଚିଘୁଞ୍ଚି ଯାଉଛି, ବିଶେଷତଃ ପ୍ରଯୁକ୍ତି ଓ ପ୍ରବନ୍ଧନ ଭଳି ଆଶୁ ଅର୍ଥକରୀ ବିଦ୍ୟାମାନଙ୍କର ପ୍ରାବଲ୍ୟ ପରେ । ଏହି ମାନ୍ୟତାର ବିପଜ୍ଜନକ ପରିସମାପ୍ତି ବୋଧହୁଏ ଆଉ ବେଶି ଡେରି ନାହିଁ । ଆଗରୁ ହୁଏତ ଜ୍ଞାନ ଆହରଣର ଛଳନା ଭିତରେ ଧନ ଅର୍ଜନ ହିଁ ବିଦ୍ୟାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଏବେ କିନ୍ତୁ ଆଉ ଧନ ଅର୍ଜନ ନୁହେଁ, ଧନବର୍ଷଣ ହିଁ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ । ବିଦ୍ୟାସବୁ ପଣ୍ୟବାହୀ ବଜାରର ମନୋହରୀ ଦୋକାନ ଥାକରେ ସଜା ହେଇଛନ୍ତି । ବିଦ୍ୟାର୍ଥୀମାନେ ସୁଲଭ ସ୍ଵପ୍ନ ସବୁ ଦୁର୍ଲଭ ମୂଲ୍ୟରେ କିଣୁଛନ୍ତି କୋଚିଙ୍ଗ ସେଣ୍ଟରରୁ । ବିଦ୍ୟାବତୀ ସରସ୍ଵତୀ ଏବେ ସମ୍ପଦବର୍ଷିଣୀ ଲକ୍ଷ୍ମୀଙ୍କର ଚରଣ ସେବିକା । ବିଦ୍ୟାର ସର୍ବମାନ୍ୟ ମାପକ ହେଲା ଭିଟାମିନ-ଏମ୍ (ମନି)- ଏଡମିସନ ନବା ଆଗରୁ ପ୍ରଶ୍ନ କେତେ ଟଙ୍କାର ପେକେଜ ମିଳିବ ! ଧନ ଏବେ ଜ୍ଞାନର ମୂଲ୍ୟାୟକ । ଅର୍ଜିତ ଅର୍ଥର ଉପଯୋଗିତା ନୁହଁ, ତାହାର ବିପୁଳତା ହିଁ ସାମାଜିକ ପ୍ରତିଷ୍ଠା ନିର୍ଦ୍ଧାରଣ କରୁଛି । ସେଥି ପାଇଁ ପଣ୍ୟବାହୀ ବଜାର ହିଁ ଏବେ ସର୍ବମାନ୍ୟ ପ୍ରଭୁ । ଆଉ ପଣ୍ୟବାହୀ ବଜାର ଏବଂ ରାଷ୍ଟ୍ର କ୍ଷମତାକେନ୍ଦ୍ରର ପରିଚାଳକମାନେ ସହୋଦର ଭାଇ, ଉଭୟ ପରସ୍ପରର ବାହୁ ଛାୟା ତଳେ ଆଶ୍ରିତ ।
ଜୀବନରେ ବସ୍ତୁଗତ ପ୍ରାଚୁର୍ଯ୍ୟ, ବିପୁଳତା, ତଜ୍ଜନିତ ବିଳାସର ଆଶା ଏବଂ ସେସବୁକୁ ହାସଲ କରିବାକୁ ତଣ୍ଟିକଟା ପ୍ରତିଯୋଗୀତା, ମଣିଷକୁ ସବୁବେଳେ ସମ୍ବେଦନହୀନ, ଶଙ୍କାଗ୍ରସ୍ତ ଏବଂ ଚାପଗ୍ରସ୍ତ କରିବାକୁ ବାଧ୍ୟ । ଏଭଳି ପରିସ୍ଥିତିରେ ଏକ ସମାଜ-ସମ୍ପୃକ୍ତ ଜୀବନ ବଞ୍ଚିବାକୁ ତା’ ପାଖରେ ନା ସମୟ ଥିବ ନା ଥିବ ମନୋଭାବ । ସେଥି ପାଇଁ ଆଜିକାଲି ଅଭିଳାଷୀ ଯୁବ ସାମାଜ ଭିତରେ ରାଜନୈତିକ ନିସ୍ପୃହତା ଚରମ ସୀମାରେ ପହଞ୍ଚିଛି । ସେମାନଙ୍କ ଆଚରଣରେ କିନ୍ତୁ ଗୋଟେ ବିରାଟ ବିରୋଧାଭାସ । ସେମାନେ ରାଜନୈତିକ ବ୍ୟକ୍ତିମାନଙ୍କୁ ଗୋଟେ ପଟେ କପଟୀ ବୋଲି ଘୃଣା କରନ୍ତି ; କିନ୍ତୁ ନିଜର ସ୍ଵାର୍ଥ ହାସଲ ପାଇଁ ସେମାନଙ୍କର ଶରଣାପନ୍ନ ହେବାକୁ କୁଣ୍ଠା କରନ୍ତି ନାହିଁ । କ୍ଷମତାଧାରୀମାନଙ୍କର ପ୍ରଭୁତ୍ଵ ଦ୍ଵାରା ସେମାନେ ବିମୋହିତ ।
ଧନବର୍ଷାର ଏକାନ୍ତ ଆଉ ନିରଙ୍କୁଶ ଅଭିଲାଷର ମାନସିକତା ପ୍ରବଳ ସାମାଜିକ ବିଭେଦ ହିଁ ସୃଷ୍ଟି କରିଛି । ଦୁନିଆର ଶତକଡ଼ା ଏକ ଭାଗ ପାରିବାର ଲୋକଙ୍କ ପାଖରେ ସଂସାରର ସମ୍ପତ୍ତିର ଅଧା ଠୁଳ ହେଲାଣି । ସର୍ବୋଚ୍ଚ ଆୟକାରୀ ଏବଂ ସର୍ବନିମ୍ନ ଆୟକାରୀର୍ଙ୍କ ଭିତରେ ଆନୁପାତିକ ତଫାତ ତ ଏଇ ଦଶ ବର୍ଷ ଭିତରେ କାହିଁ କେତେ ଗୁଣ ବଢ଼ିଛି ।
ଏବେ ଉଚ୍ଚାଙ୍ଗ ସାହିତ୍ୟ କି ସଙ୍ଗୀତର ଆସରରେ, ସାମୁହିକ ସ୍ଵାର୍ଥଜଡ଼ିତ କୌଣସି ଗମ୍ଭୀର ବିଷୟରେ ସମ୍ପାନ କି ଆଲୋଚନା ଚକ୍ରରେ କେବଳ ପଚାଶ ବର୍ଷ ବଯସରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦେଖିବାକୁ ମିଳେ, ସେଠି ଦେଶର ଭବିଷ୍ୟତ ଯୁବ ଗୋଷ୍ଠୀ ଅନ୍ତର୍ହିତ । ଦେଶର ଯୁବ ମେଧାବୀ ଗୋଷ୍ଠୀ କେବଳ ଧନ ଅର୍ଜନ ଆଉ ଧନ ଖରଚ କରି ସାମାଜିକ ପରିଚୟ ଖରିଦ କରିବାରେ ବ୍ୟସ୍ତ । ସେମାନଙ୍କ ସୂକ୍ଷ୍ମ ସ୍ପନ୍ଦନ କି ଚିନ୍ତନ କେନ୍ଦ୍ର ଗୁଡ଼ାକ ଏବେ ନିଷ୍କ୍ରିୟ - ଅବ୍ୟବହାର ଜନିତ ଅବକ୍ଷୟ କାରଣରୁ ।
ଏ ପରିପ୍ରେକ୍ଷୀରେ ସବୁଠୁ ମାନ୍ୟତାର ସଙ୍କଟର ସମ୍ମୁଖୀନ ହେଉଛନ୍ତି, ରେଭେନ୍ସା ଭଳି ସାଧାରଣ ବିବିଧ ବିଦ୍ୟା ଶିକ୍ଷା ଦଉଥିବା ବିଶ୍ୱବିଦ୍ୟାଳୟମାନେ । ଅର୍ଥକରୀ ବିଦ୍ୟାମାନଙ୍କ ଚାକଚକ୍ୟ ପାଖରେ ତ ମଣିଷର ଜୀବନ-ଦୃଷ୍ଟି ଓ ଭାବଭୂମି ତିଆରି କରୁଥିବା ସମାଜ ବିଜ୍ଞାନ କି ଦର୍ଶନ ବିଦ୍ୟା ପଢ଼ିବା ଏକ ହୀନମନ୍ୟତାର କଥା; ଭାଷା କି ସାହିତ୍ୟ ବି ଭାବଗତ ସମ୍ବେଦନା ନୁହେଁ, ତଥ୍ୟଗତ ଯୋଗାଯୋଗର ଦକ୍ଷତା ବଢ଼େଇବାର ମାଧ୍ୟମ ମାତ୍ର । ଏମିତିକି ମୌଳିକ ପଦାର୍ଥ କି ଜୀବ ବିଜ୍ଞାନ ବି ଶ୍ରୀହୀନ । ଏପରିସ୍ଥିତିରେ ମେଧାବୀମାନେ ରେଭେନ୍ସାମୁଖୀ ହେଉ ନାହାନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବା ଆମ ଅବୋଧପଣିଆ ମାତ୍ର ।
ତେଣୁ ଏଇ ବିଶ୍ୱବିଦ୍ୟାଳୟଗୁଡ଼ିକ ଏବେ ଧଇଁସଇଁ, କିଭଳି ବଜାର ଉପଯୋଗୀ ମାନବ ସମ୍ବଳ ଯୋଗାଣ କରି ବଜାରର ମାନ୍ୟତା ହାସଲ କରିବେ । ସେଥି ପାଇଁ ସେମାନେ ତାଙ୍କର ବିଦ୍ୟାଗୁଡ଼ିକୁ ବି ବଜାର ଉପଯୋଗୀ କାଣ୍ଟଛାଣ୍ଟ କରି ପେଶ କରିବାରେ ଗଳଦଘର୍ମ; “ଚଞ୍ଚୁ, ଚରଣେ ଲଗାଇ ହିଙ୍ଗୁଳ” ବଗକୁ ହଂସ ସଜେଇବାରେ ବ୍ୟସ୍ତ । ଜ୍ଞାନଗୁରୁ ଶିକକ୍ଷକମାନେ ଏବେ ନିଜର ଆତ୍ମପ୍ରତ୍ୟୟ ହରେଇ, ବଜାର ଏବଂ ରାଜନୈତିକ କି ଅମଲାତନ୍ତ୍ରିକ କ୍ଷମମାତାଧାରୀମାନଙ୍କ ପାଖରେ ନିଜର ମାନ୍ୟତାକୁ ସମର୍ପଣ କରିଦେଇଛନ୍ତି । ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକମାନଙ୍କ ଅପେକ୍ଷା ଶିକ୍ଷା ପ୍ରାଶାସକମାନଙ୍କର କାଟତି ଅଧିକ । ସେଥି ପାଇଁ ପଦପଦବୀ ଲାଳସାରେ, ମାଲିସ ନହେଲେ ନାଲିସ ।
ଏଇ ସବୁ ବିକୃତିର ଉତ୍କଟ ପ୍ରତିଫଳନ ଆମେ ଦେଖିପାରିବା ଏଇ ଗଲା ନଭେମ୍ବର ମାସରେ ବହୁ ଯାକଜମକରେ ପାଳିତ ହେଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବିଲି ଉତ୍ସବ ଅବସରରେ । ସମ୍ପୂର୍ଣ୍ଣ ଉତ୍ସବଟିରେ ଗୁରୁତ୍ୱ ଥିଲା କେବଳ ରାଜନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କର, ସେ ପୁଣି ପ୍ରାନ୍ତୀୟ ନୁହେଁ, ସର୍ବଭାରତୀୟ ସେବାର । ସେଇମାନେ ଅତିଥି, ଆଲୋଚକ, ପ୍ରବକ୍ତା, ସଭା ଆଉ ଶୋଭାର ସର୍ବେସର୍ବା; ବିଶ୍ୱବିଦ୍ୟାଳୟର ଏକ ମାତ୍ର ସଫଳ ସନ୍ତାନ ଗୋଷ୍ଠୀ ! ଉତ୍କଳ ବିଶ୍ୱବିଦ୍ୟାଳୟର ଅତି କମରେ ୨୭ ଜଣ ପୁରାତନ ଛାତ୍ର ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତି ହେଇଛନ୍ତି । କିନ୍ତୁ ଅନ୍ତତଃ ପ୍ରତୀକାତ୍ମକ ଦୃଷ୍ଟିରୁ, ଜ୍ଞାନଚର୍ଚ୍ଚା କରୁଥିବା ଗୋଟେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି କୌଣସି ଜ୍ଞାନଗୁରୁ ଶିକ୍ଷକ ନୁହେଁ, ଜଣେ ଆଇଏଏସ ଅଫିସର ।
ଖବର କାଗଜରେ ବୟାନ ବି ଦିଆଯାଇ, ଉତ୍କଳ ବିଶ୍ୱବିଦ୍ୟାଳୟର ସଫଳତାକୁ ଏହା କେଉଁ ବର୍ଷ କେତେ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ସଫଳ ଛାତ୍ର ତିଆରି କରିଛି, ସେଇ ମାପଦଣ୍ଡରେ ମପା ଯାଇଥିଲା । ଓଡିଆ ଜାତୀୟ ଜୀବନର ଅସ୍ମିତା, ଦୃଷ୍ଟି କି ଦିଶାର ସାମାନ୍ୟ ଝଲକ ବି ଏଇ ଉତ୍ସବଟା ଭିତରେ ଦେଖିବାକୁ ମିଳି ନଥିଲା । ନା ସେଠି ଏବେ ଉତ୍ତର ଭାରତୀୟ ଭାଷାମାନଙ୍କ ମଧ୍ୟରୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଏକମାତ୍ର ଭାଷା ଓଡ଼ିଆ ଓ ତାହାର ସାହିତ୍ୟ, ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଦାବି ରଖୁଥିବା ଓଡ଼ିଶୀ ସଙ୍ଗୀତ, ବିଷୟରେ କିଛି ଚିନ୍ତନ ଥିଲା, ନା ଥିଲା ଓଡ଼ିଶାର ରାଜନୀତି, ଶିଳ୍ପ , କଳା, ସଂସ୍କୃତି, କାରୀଗରୀ, ବାଣିଜ୍ୟ, ଜନଜୀବନ କି ଖୋଦ ବିଶ୍ୱବିଦ୍ୟାଳୟର ଓଡ଼ିଆ ଜନଜୀବନକୁ ଅବଦାନ ବିଷୟରେ ସାମାନ୍ୟ ଆଗ୍ରହ । ଏମିତିକି ପ୍ରତିବାଦ ନ ହେବା ପର୍ଯ୍ୟନ୍ତ, ନାମଫଳକ କି ନିମନ୍ତ୍ରଣପତ୍ର ଗୁଡ଼ାକ ବି ଓଡ଼ିଆ ନୁହେଁ, ଇଂରାଜୀରେ କୁଆଡ଼େ ଲେଖା ଯାଇଥିଲା ।
ଗୋଟିଏ ଭୂଖଣ୍ଡର ସାମୁହିକ ଜନଜୀବନର ବିଶ୍ଵସ୍ତ ପ୍ରଦର୍ଶନୀ ହେବା ଆଶା କରାଯାଉଥିବା ଗୋଟେ ପ୍ରମୁଖ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବଟା ଗୋଟେ ବାଲିଯାତ୍ରା କି ଅପେରା ପାର୍ଟିର ଅଭିନୟ ଭଳି ଜାକଜମକ ଓ ମଉଜମସ୍ତି କୁ ଭିତ୍ତି କରି ହେଲା । ଦୁଃଖର ବିଷୟ, ଓଡ଼ିଶାର ବୁଦ୍ଧିଜୀବୀ, ଖୋଦ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଛାତ୍ର, ପୁରାତନ ଛାତ୍ର, ଗଣମାଧ୍ୟମ, କାହାରି ରୁଚିବୋଧ କି ମର୍ଯ୍ୟାଦାବୋଧକୁ ଏହା ଦ୍ଵାରା ସାମାନ୍ୟ ଆଘାତ ବି ଲାଗିଲାନି । ଏତେ ଐତିହ୍ୟ-ବିସ୍ମୃତ, ସଂସ୍କୃତି-ବିବର୍ଜିତ ଏବଂ ମର୍ଯ୍ୟାଦାବୋଧ ବିରହିତ ନାଗରିକ ସମାଜ ବୋଧହୁଏ ସାରା ପୃଥିବୀରେ କେଉଁ ରାଜ୍ୟରେ ଥିବେ !
ବିଶ୍ୱବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ, ଯେ ଖୋଦ ଜଣେ ପ୍ରାକ୍ତନ ଶିକ୍ଷକ, ସେ ବି ଏଥିରେ ଆସି ଯୋଗ ଦେଇ ଏସବୁକୁ ମାନ୍ୟତା ଦେଇ ଚାଲିଗଲେ, ଅଥଚ ଏଇ ବିଚ୍ୟୁତିଗୁଡ଼ାକ ପ୍ରତି ତାଙ୍କର ଟିକେ ଦୃଷ୍ଟି ବି ଗଲାନି । ଏ ଉତ୍ସବର ଭୋଜିଭାତକୁ ନିମନ୍ତ୍ରଣ ନ ପାଇ କିଛି ହତାଶିଆ ଯାହା କେବଳ ଟିକେ ଗୁଁ ପୁଁ ହେଇ ଚୁପ ରହିଲେ । ଓଡ଼ିଶାର ଗଣମାଧ୍ୟମମାନେ ଏଥିରେ ଖୁବ ହାତତାଳି ବଜେଇଲେ । ଏ ବିଷୟରେ କିଛି ପ୍ରତିବାଦର ସ୍ଵର ଉଠିଥିଲେ ବି, ତାହାକୁ ସେମାନେ ପ୍ରକାଶ କଲେ ନାହିଁ । ଆମେ ଏଠାରେ ଭାବିବା କଥା - ଶିକ୍ଷାୟତନମାନଙ୍କରେ ଚିନ୍ତନ, ବିବେକବିକାଶ, ଜ୍ଞାନଚର୍ଚ୍ଚା, ସାମଗ୍ରିକ ଜୀବନ-ଦୃଷ୍ଟି ତିଆରି ଦ୍ଵାରା ସୁ-ନାଗରିକ ସୃଷ୍ଟି କରିବାର ମାନ୍ୟତାକୁ ପୁନଃପ୍ରତିଷ୍ଠା କରିବାର ଆବଶ୍ୟକତା ଅଛି କି ନା ତଥା ଏଥିରେ ଗଣମାଧ୍ୟମ ଓ ରାଜନୈତିକ ନେତୃତ୍ୱର ଏକ ପ୍ରମୁଖ ଭୂମିକା ରହିଛି କି ନା ଏବଂ ସେମାନେ କେତେ ଦୂର ଏଇ ଦାୟିତ୍ଵଗୁଡ଼ିକୁ ତୁଲଉଛନ୍ତି ।
ଗଣମାଧ୍ୟମ ମାନଙ୍କରେ ତ ଏବେ ଆଦର୍ଶ ଲୋକପ୍ରତିମାମାନେ ହଉଛନ୍ତି ବଜାରୀ ସଫଳତା ଏବଂ ବିପୁଳତାର ଶିଖରରେ ଥିବା ଚଳଚିତ୍ର ଆଉ କ୍ରୀଡ଼ା ଜଗତର ତାରକାମାନେ, ସାମୁହିକ ଜୀବନକୁ ସମୃଦ୍ଧ କରିବାକୁ ଉଦ୍ୟମ କି ସଙ୍ଗ୍ରାମ କରିଥିବା ବ୍ୟକ୍ତିମାନେ ନୁହନ୍ତି । ଏବେକାର ଉଦାହରଣ କେତୋଟି ଦିଆଗଲା । ମେଧା, ଉଚ୍ଚଡିଗ୍ରୀ ଆଉ ବଡ଼ ଚାକିରି ଭଳି ଯେଉଁ ସଫଳ ସ୍ଵପ୍ନସବୁକୁ ବାପ ମା ମାନେ ପିଲାମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖରଚ କରି କୋଚିଙ୍ଗ ସେଣ୍ଟରରୁ କିଣୁଛନ୍ତି, ସେଇ ସ୍ଵପ୍ନସବୁ ତାଙ୍କ ହାତ ପାଆନ୍ତାରେ ମିଳିଥିଲେ ବି, ତା'କୁ ଆଡ଼େଇ ଦେଇ ଏକ ସୁଷମ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବାର ସ୍ଵପ୍ନ ଦେଖି ସଙ୍ଗ୍ରାମ କରିବାକୁ ବାହାରି ପଡ଼ିଥିବା ଓଡ଼ିଶାର ଜଣେ ପ୍ରମୁଖ ବ୍ୟକ୍ତି ଗଣନାଥ ପାତ୍ରଙ୍କର ଏବେ ନିକଟରେ ଜୁନ ପାଞ୍ଚ ତାରିଖରେ ମୃତ୍ୟୁ ହେଇଗଲା । ତାଙ୍କ ରାଜନୈତିକ ମାର୍ଗ ଏବଂ ଦୃଷ୍ଟିଭଙ୍ଗୀ ସହିତ ହୁଏତ ଅନେକଙ୍କର ମତଭେଦ ରହିପାରେ । କିନ୍ତୁ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ତାଙ୍କ ବ୍ୟାକୁଳତା ଏବଂ ତ୍ୟାଗ ତ ନିଶ୍ଚିତ ଭାବରେ ନିଃସନ୍ଦେହ ।
ଠିକ ସେଇ ସମୟରେ ଆଉ ଜଣେ ହତାଶ ଯୁବ ଚିତ୍ର ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ । ବିଚରା ଟିକେ ସମ୍ଭ୍ରମଶୀଳ ବୋଧହୁଏ, ବଜାରୀ କାରସାଦିରେ ତାଳ ଦେଇ ପାରିଲେନି । ଓଡ଼ିଶାର ଗଣମାଧ୍ୟମ ଗଣନାଥ ପାତ୍ରଙ୍କୁ କେତେ ଯାଗା ଦେଲେ ଆଉ ସୁଶାନ୍ତ ସିଂ ଙ୍କୁ କେତେ ? ଅମିତାଭ ବଚ୍ଚନ ପରିବାରର ଲୋକଙ୍କୁ କରୋନା ହେଲେ ଖବର କାଗଜରେ ସେହି ଖବରକୁ କେତେ ସ୍ଥାନ ମିଳେ ? ଅଥଚ ସମାଜର ଚିନ୍ତକ, ବ୍ୟତିକ୍ରମୀ ଦୃଷ୍ଟିଭଙ୍ଗୀର ମଣିଷମାନଙ୍କୁ କିମ୍ବା ସମାଜକୁ ଅଧିକ ଗଣତାନ୍ତ୍ରିକ କରିବାକୁ ଉଦ୍ୟମ, ଉଚ୍ଚାଙ୍ଗ କଳା, ସାହିତ୍ୟ ଏବଂ ସଂସ୍କୃତି ଇତ୍ୟାଦି ବିଷୟକୁ ସେହି ଭଳି ମୁଦ୍ରଣ ସ୍ଥାନ ଦିଆ ଯାଏ କି, ଯେଭଳି ବଜାରପ୍ରିୟ ଚକମକି ବିଷୟ, କ୍ଷମତା-ଖମ୍ବ ଆରୋହଣର ସଫଳତା, ରାଜନୈତିକ କ୍ଷମତା ଲଢ଼େଇର ମାରପେଞ୍ଚ, କାଦୁଅ ଫିଙ୍ଗା ଇତ୍ୟାଦିକୁ ଦିଆଯାଏ ?
ପ୍ରତିବର୍ଷ ପରୀକ୍ଷାଫଳ ବାହାରିଲା ପରେ ଗଣମାଧ୍ୟମ ତରଫରୁ ସଫଳତମ ସନ୍ତାନମାନଙ୍କର ଜୀବନାଭିଳାଷକୁ ନେଇ ଯେଉଁ ପ୍ରଦର୍ଶନୀ କରାଯାଏ, ସେଇ ସଫଳ ସନ୍ତାନମାନଙ୍କର ଜୀବନ ଦୃଷ୍ଟି ଏବଂ ଜୀବନାଭିଳାଷ ଗୁଡ଼ିକୁ ଆମେ ନଜର ରଖିଛନ୍ତି କି ? ପରବର୍ତ୍ତୀ ଜୀବନରେ ସେମାନଙ୍କ ଭିତରୁ ଅଧିକାଂଶଙ୍କର ନାଗରିକ ଭୂମିକାଟି କଣ ହେଇଥାଏ ? ଏହି ପ୍ରଦର୍ଶନୀ ଦ୍ଵାରା ଆମେ କେଉଁ ଜୀବନ-ଦୃଷ୍ଟିକୁ, କେଉଁ ବିଦ୍ୟାମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ? ସେଇ ରୋଜଗାରିଆ ବିଦ୍ୟାମାନଙ୍କୁ ପଢ଼ିବା ପାଇଁ ପରା ଲଢ଼ାଭିଡ଼ା, ପ୍ରୋତ୍ସାହନ ବିନା କଣ ଏ ବିଦ୍ୟା ଗୁଡ଼ାକ ଅପଢ଼ା ରହିଯିବେ ?
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅଧିକାଂଶ ବିଭାଗରେ ଏବେ ତାଲା, ପଢ଼ିବାକୁ ପିଲା ନାହାନ୍ତି । ଯେଉଁ ବିଦ୍ୟାଗୁଡ଼ିକ ଅବହେଳିତ, ଅଥଚ ସେଗୁଡ଼ିକର ମାନବିକ ଭାବସ୍ପନ୍ଦନ ଉଜ୍ଜୀବିତ କରିବାର ଏବଂ ଜୀବନ-ଦୃଷ୍ଟି ତିଆରି କରିବାର କ୍ଷମତା ଥିବାରୁ ସେଗୁଡ଼ିକୁ ବଞ୍ଚେଇ ରଖିବାର ସାମାଜିକ ଆବଶ୍ୟକତା ରହିଛି, ସେଇ ବିଦ୍ୟାଗୁଡ଼ିକୁ ସେତିକି ପ୍ରୋତ୍ସାହନ କି ପ୍ରଚାର ଦ୍ଵାରା ମାନ୍ୟତା ମିଳୁଛିକି କି ?
ବିଶ୍ୱବିଦ୍ୟାଳୟମାନଙ୍କରେ ଏବେ ବୋଧହୁଏ ସବୁଠୁ ଅପାଂକ୍ତେୟ ବିଭାଗ ଦର୍ଶନଶାସ୍ତ୍ର । ବସ୍ତୁବିଦ୍ୟାମାନଙ୍କ ମାଡ଼ରେ ଯେତେବେଳେ ମଣିଷ ମସ୍ତିସ୍କର ଚିନ୍ତନ କେନ୍ଦ୍ର ବ୍ୟବହାର ବିନା ନିଷ୍କ୍ରିୟ ହେଇ ଆସୁଛି, ସେତେବେଳେ ଜୀବନ-ସ୍ଥିତି ପ୍ରତି ଚେତନାର ଦୃଷ୍ଟି ଖୋଲିବାରେ ସାହାଯ୍ୟ କରୁଥିବା ଦର୍ଶନ ଅଧ୍ୟୟନକୁ ବିଶେଷ ପ୍ରୋତ୍ସାହନ ଦେଇ ମେଧାବୀ ଛାତ୍ରମାନଙ୍କୁ ତାହା ପ୍ରତି ଆକୃଷ୍ଟ କରେଇବା ନିହାତି ଆବଶ୍ୟକ ବୋଲି ମନେ ହେଲାଣି । ବସ୍ତୁବିଦ୍ୟା ଆମକୁ ଶକ୍ତି ଦେବ । କିନ୍ତୁ ସେହି ଶକ୍ତିକୁ ବ୍ୟବହାର କରିବାର ସାମଗ୍ରିକ ଜୀବନ ଦୃଷ୍ଟି ଦେବ ନାହି । ପରିଣତି ହବ ପୁରାଣର ପ୍ରବଳ ଶକ୍ତିଶାଳୀ ଅସୁରମାନେ ରଚିଥିବା ଧ୍ଵଂସ ଲୀଳା ।
ବିକାଶ ଦୁବେ ମାନଙ୍କର ସ୍ରଷ୍ଟା ଏବଂ ପୃଷ୍ଟପୋଷକ କୋଉ ନିରକ୍ଷର ନୁହେଁ, ସମସ୍ତେ ବିଶ୍ୱବିଦ୍ୟାଳୟର ସଫଳ ସନ୍ତାନମାନେ । ମଣିଷର ବସ୍ତୁଗତ ଉତ୍କର୍ଷ ହାସଲର ବିଦ୍ୟାଗୁଡ଼ାକ ଯେତିକି ଦରକାର, ଭାବଗତ ଉତ୍କର୍ଷ ସାଧନ କରୁଥିବା ବିଦ୍ୟା ଗୁଡ଼ାକର ବି ଯେ ସେତିକି ଆବଶ୍ୟକତା ରହିଛି, ସେକଥା ଆମେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ଏବେ ସବୁ ଧାର୍ମିକ ବାବାମାନେ ବି ଯେଉଁ ସବୁ ଶିକ୍ଷାନୁଷ୍ଠାନ ଖୋଲୁଛନ୍ତି, ସେଗୁଡ଼ାକ ବି ସେଇ ଅର୍ଥକରୀ ବିଦ୍ୟା ପାଇଁ । ସ୍ଥୂଳ ବଳକୁ ଆୟତ୍ତରେ ରଖି ପାରିବ କେବଳ ଚେତନା, ଚିନ୍ତନ ଆଉ ଭାବସ୍ପନ୍ଦନର ଶକ୍ତି । ଜୀବନର କୁରୁକ୍ଷେତ୍ର ଜିତିବା ପାଇଁ ବାସ୍ତରୀ ଅକ୍ଷୌଣୀ ନାରାୟଣୀ ସେନା ନୁହେଁ, ଗୋଟିଏ କୃଷ୍ଣ ହିଁ ଜୀବନ ରଥର ସାରଥି ହେବା ଆବଶ୍ୟକ ।
ଆଗରୁ ଆମେମାନେ କର୍ମହୀନ ଜ୍ଞାନଚର୍ଚ୍ଚାକୁ ମାନ୍ୟତା ଦେଇ, ବୈଷୟିକ କୁଶଳତାକୁ ନାକ ଟେକି ସଂସାରୀ ବୁଦ୍ଧିଗୁଡ଼ିକ ଛାଡିଲୁ; ଗୋଟେ ଜାତିଭିତ୍ତିକ କର୍ମକୁଣ୍ଠ ବ୍ରାହ୍ମଣ୍ୟବାଦକୁ ଜନ୍ମ ଦେଇ ପରମାଣୁ ବିଦ୍ୟାଠାରୁ ପ୍ଲାଷ୍ଟିକ ସର୍ଜରୀ ପର୍ଯ୍ୟନ୍ତ ସବୁ ଆମ ଶାସ୍ତ୍ରରେ ମହଜୁଦ ଅଛି, ସେଥି ପାଇଁ ଆଉ କିଛି କରିବାର ନାହିଁ ବୋଲି ବାହାସ୍ଫୋଟ ମାରି ପରାଧୀନତାକୁ ଡାକି ଆଣିଲୁ । ଠିକ ସେମିତି ଆମେ ଏବେ ବୈଷୟିକ ବିଦ୍ୟାର ଆଧିପତ୍ୟକୁ ଅସମାନୁପାତିକ ମାନ୍ୟତା ଦେବାଦ୍ଵାରା ବିଶୃଙ୍ଖଳ ବୈଶ୍ୟବାଦକୁ ଜନ୍ମଦେଇ ମାନସିକ ପରାଧୀନତାକୁ ନିମନ୍ତ୍ରଣ ଦଉଛୁ । ଅର୍ଥକରୀ ଫସଲ ଲୋଭରେ ଉଦରପୂରଣ ପାଇଁ ଆତ୍ୟବଶ୍ୟକୀୟ ଖାଦ୍ୟାନ୍ନ ଉତ୍ପାଦନର ଯେ ଆବଶ୍ୟକତା ରହିଛି, ସେ ମୌଳିକ ପ୍ରଶ୍ନଟି ଭୁଲିଗଲେ ସମଗ୍ର ଜୀବନ ସତ୍ତା ବିପନ୍ନ ହବ ।
ରେଭେନଶା ବିଶ୍ବବିଦ୍ୟାଳୟର ଉପସ୍ଥିତ ସମସ୍ୟାମାନଙ୍କପାଇଁ ଉଦ୍ବେଗ ଯଥାର୍ଥ ଏବଂ ତାହାର ତାତ୍କାଳିକ ସମାଧାନର ପନ୍ଥା ଅବଶ୍ୟ ଖୋଜାଯିବା ଆବଶ୍ୟକ । ଶୁଣାଯାଏ କିଛିଟା ବିବାଦ ଭିତରେ ବି ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଦେବଦାସ ଛୋଟରାୟ ସେଭଳି କିଛି ସୁଧାରମୂଳକ ପ୍ରୟାସ କରିଥିଲେ । ସେସବୁ କିଛି ଫଳଦାୟୀ ହେଲା କି ଏବଂ ଏ ବିଷୟରେ କିଛି ମୂଲ୍ୟାୟନ ହେଇଛି କି ?କିନ୍ତୁ ଏଇ ସବୁ ମୌଳିକ ଏବଂ ସାର୍ବଜନୀନ ପ୍ରଶ୍ନଗୁଡ଼ିକୁ ଅଣଦେଖା କରି, ବରଂ ଯେଉଁ ସମସ୍ୟାମାନଙ୍କୁ ନେଇ ଆମେ ଅବଶୋସ ପ୍ରକାଶ କରୁଛୁ, ପକ୍ଷାନ୍ତରେ ସେଇ ସମସ୍ୟାମାନଙ୍କର ସମସ୍ତ କାରଣଗୁଡ଼ିକୁ ପରିପୁଷ୍ଟ କରି କେବଳ କୌଣସି ନିର୍ଦ୍ଦିଷ୍ଟ ସ୍ଥାନୀୟ ଏବଂ ତାତ୍କାଳିକ ସମସ୍ୟାଗୁଡ଼ିକୁ ଗୁରୁତ୍ତ୍ଵ ଦେବାର ଅର୍ଥ, ହାସ୍ୟକଥାର ସେଇ ନିଶାଗ୍ରସ୍ତର ନିଶାର୍ଦ୍ଧ କାନ୍ଦଣା ଭଳି ହବ ଯିଏ ରାତି ଅଧରେ ହାଉଳି ଖାଇ କାନ୍ଦି କାନ୍ଦି ଲୋକଙ୍କୁ ଉଠେଇ କହିଲା ଭାଇ ମୁଁ ଭାସିଗଲି, ମୋତେ ଆପଣମାନେ ଦୟାକରି ସାହାଯ୍ୟ କରନ୍ତୁ, କାହିଁକି ନା, ମୋ ସ୍ତ୍ରୀ ଏବେ ବିଧବା ହେଇଗଲା ।
ଆପଣା ହସ୍ତେ ଜିହ୍ଵା ଛେଦି !
Very Nice website,Very Informative. Thank You.
ReplyDeleteOdia Puja Book Kartika Mahatmya
Order Odia Books
Odia Books Online