Tuesday, February 09, 2016

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୪


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ' 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଅମାଲୁ ସୁଆର - ଶ୍ରୀମନ୍ଦିରର ରୋଷଶାଳାରୁ ଅମାଲୁ ପିଠା ଆଣି ପନ୍ତିରେ, ସାତପୁରୀ ଅମାବାସ୍ୟାରେ ଓ ପ୍ରତ୍ୟେହ ସନ୍ଧ୍ୟା ଧୂପରେ ରଖିବା ।

ଅମିନମହାସୁଆର - ପୁରୀ ମନ୍ଦିରର ରୋଷଘରେ ଠାକୁରଙ୍କ ନିମନ୍ତେ ପାକ କରାଯାଉଥିବା ଖାଦ୍ୟଦ୍ରବ୍ୟ ତଦାରଖ କରିବା ସେବକ । ଶ୍ରୀମନ୍ଦିରରେ କେତେକ ସେବକଙ୍କୁ ସମୟ କ୍ରମେ ଅମିନ କୁହାଯାଇଛି ଯଥା - ରୋଷ ଅମିନ, ତଦାରଖ ଅମିନ ।

ଅମୃତ କଦଳୀ - ନାଲି  ଚୋପା ବିଶିଷ୍ଟ ପାଚିଲା କଦଳୀ । ଏହା ଶ୍ରୀମନ୍ଦିରରେ ଭୋଗଲାଗି ଥାଏ । ଏହି କଦଳୀର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । 

ଅମୃତକୁଣ୍ଡ - ଦୁଧ, ଖଣ୍ଡ, ବା ଚିନି, କଦଳୀ ଆଦି ମିଶ୍ରିତ ଏକ ସ୍ୱାଦିଷ୍ଟ ପ୍ରସ୍ତୁତି । ଶ୍ରୀମନ୍ଦିରରେ ଏହା ଏକ ସ୍ୱାଦିଷ୍ଟ ଭୋଗ, ଯାହାକି ଛପନଭୋଗ ତାଲିକାରେ ଅନ୍ତର୍ଭୁକ୍ତ । 

ଅଳାଇଚ - ସୁଗନ୍ଧ ମସଲା ମଞ୍ଜି ବିଶେଷ । ଶ୍ରୀମନ୍ଦିରରେ ବ୍ୟବହୃତ ମସଲା । ଶ୍ରୀମନ୍ଦିରରେ ପ୍ରତ୍ୟେକ ଧୂପରେ, ଦଶାଙ୍ଗ ଧୂପରେ, ଏତଦ୍ ବ୍ୟତୀତ ଅଧରପଣାରେ ଓ ଖିଲିପାନରେ ମଧ୍ୟ ବ୍ୟବହାରକରାଯାଏ । 

ଅସିଦ୍ଧ - ଅସମ୍ପାଦିତ, ଅସିଝା, ଅସମ୍ପୂର୍ଣ୍ଣ, ଅପକ୍ୱ, ସିଦ୍ଧରହିତ, ଅପ୍ରମାଣିକ । ଯେଉଁ ଦ୍ରବ୍ୟ ଭୋଗ ପାଇଁ ଉପଯୁକ୍ତ  ନୁହେଁ । 

ଅହିଆ - ରୋଷଶାଳାରେ ଡାଲି ଓ ତରକାରୀ ପ୍ରସ୍ତୁତ ଲାଗି ଉଦ୍ଦିଷ୍ଟ ସ୍ଥାନ, ଯେଉଁଠାରେ ଚୁଲିରୁ ବାହାରୁଥିବା ଜଳନ୍ତା ଅଙ୍ଗାର ରଖି ରନ୍ଧାଯାଏ । 


No comments:

Post a Comment