Sunday, February 07, 2016

ପୁସ୍ତକ ସମୀକ୍ଷା - ଉତ୍କଳର କୁଟୀର ଶିଳ୍ପ 


ସମୀକ୍ଷକ - ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଡାକ୍ତର ଶ୍ରୀ ରାଧାଚରଣ ପଣ୍ଡାଙ୍କ ରଚିତ । ଏହା ସନ ୧୯୩୨ ରେ ଉତ୍କଳ ସାହିତ୍ୟ ସମାଜର ପୁକସ୍କାର ପ୍ରାପ୍ତ ପ୍ରବନ୍ଧ । ପ୍ରଣେତା ଏହାର ପ୍ରକାଶକ । ଏହା ଡବଲ୍ ଫୁଲ୍-ସ୍କାପ୍ ଆଠପେଜି ୧୨୭ ପୃଷ୍ଠା, ମୂଲ୍ୟ ଆଠ ଅଣା ; କଟକ ସାରସ୍ୱତ ପ୍ରେସ୍ ରେ ମୁଦ୍ରିତ । 

ଉତ୍କଳର ଯେଉଁ ହଜାର ହଜାର ଶିକ୍ଷିତ, ଅଶିକ୍ଷିତ, ଧନୀ, ନିର୍ଧନ, ଯୁବକ ଯୁବତୀ ଦାରିଦ୍ର୍ୟ ପଞ୍ଚାକ୍ଷର ମନ୍ତ୍ର (କଅଣ କରିବି) ଜପ କରି  ଅକର୍ମା ହୋଇ ନିଜର ଜୀବନ ଓ ସମୟ ବିତାଉଛନ୍ତି, ସେମାନଙ୍କଦ୍ୱାରା  ପୁସ୍ତକବର୍ଣ୍ଣିତ ଶିଳ୍ପକାର୍ଯ୍ୟ ଅବଲମ୍ବିତ ହେବା ଆଶାରେ ଗ୍ରନ୍ଥକାର ଏ ପୁସ୍ତକ ପ୍ରକାଶ କରିଥିବା କଥା ଗ୍ରନ୍ଥର ପ୍ରାରମ୍ଭରେ ଲେଖିଅଛନ୍ତି । ଆଧୁନିକ 'କଳଯୁଗ'ରେ ଦେଶର ଲକ୍ଷ ଲକ୍ଷ ଲୋକେ ପୋଷି ହୋଇପାରୁନାହାନ୍ତି । ସେମାନଙ୍କ ଅବଲମ୍ବନୀୟ ସ୍ୱ ସ୍ୱ ହସ୍ତପରିଶ୍ରମ-ସାଧ୍ୟ ଗୁଡ଼ିଏ ଅର୍ଥକର, କୁଟୀରଶିଳ୍ପ ବିଷୟ ଏ ପୁସ୍ତକରେ ଚର୍ଚ୍ଚା କରାଯାଇଛି । 

ଏଥିରେ ଗ୍ରନ୍ଥକାର କୁଟୀରଶିଳ୍ପ କାହାକୁ ବୋଲାଯାଏ, ପ୍ରାଚୀଲ ଉତ୍କଳର ଶିଳ୍ପବିଭବ, ଉତ୍କଳରେ କୁଟୀରଶିଳ୍ପର ଆବଶ୍ୟକତା, ଉତ୍କଳରେ କୁଟୀରଶିଳ୍ପର ସୁବିଧା, ବିଭିନ୍ନ ପ୍ରକାର କୁଟୀରଶିଳ୍ପ, ଉତ୍କଳର କେଉଁ କେଉଁ ସ୍ଥାନରେ କୁଟୀରଶିଳ୍ପର ଉପାଦାନ କଅଣ କଅଣ ମିଳେ  ଓ ସେମାନେ କିପରି ଅର୍ଥକାରୀ ହୋଇପାରେ, ଗୋ ମେଷ ଶୂକର କୁକ୍କୁଟାଦି ପାଳନ, କୃଷି ସଙ୍ଗେ କୁଟୀରଶିଳ୍ପର ସମ୍ବନ୍ଧ, ଉତ୍କଳରେ କୁଟୀର ଶିଳ୍ପର ପ୍ରତିବନ୍ଧକ, ଉତ୍କଳର ପାଟକକୁଳ (ଶିଳ୍ପଜୀବୀଜାତି)ଙ୍କ ଦୁରବସ୍ଥା ଓ ତହିଁର ପ୍ରତିକାର, ଶିଳ୍ପଶିକ୍ଷା ପାଇଁ ବିଦ୍ୟାଳୟମାନଙ୍କରୱ ପ୍ରତିଷ୍ଠାନର ବ୍ୟବସ୍ଥା, ଏହି ସବୁ ବିଷୟରେ ତାଙ୍କର ବହୁ ଅନୁସନ୍ଧାନ, ଗବେଷଣା ଓ ଅଧ୍ୟୟନର ଫଳ ପ୍ରକାଶ କରି ଅଛନ୍ତି । ଏହିଗୁଡ଼ିକ ପ୍ରତି କିପରି ଦେଶବାସୀଙ୍କ ଦୃଷ୍ଟି ଯିବ, ଏହା ଉତ୍କଳର ଶିକ୍ଷିତ, ପଦସ୍ଥ ଓ ଧନିମାନଙ୍କର ସର୍ବଥା ବିଚାର୍ଯ୍ୟ । ଡାକ୍ତର ରାଧାଚରଣଙ୍କର ପ୍ରାୟ ସବୁ ଲେଖାରେ ଆମ୍ଭେମାନେ ତାଙ୍କର ଗବେଷଣା ଓ ଦେଶବାସୀଙ୍କର ମଙ୍ଗଳକାମନାର ନିଦର୍ଶନ ପାଇଥାଉଁ । ଏ ପୁସ୍ତକରେ ମଧ୍ୟ ତାହା ଦେଖିଲୁଁ । ସେ ଏଗୁଡ଼ିକ ଲେଖ୍ ତାଙ୍କର କର୍ତ୍ତବ୍ୟ କରିଅଛନ୍ତି । କିନ୍ତୁ ତାଙ୍କ ପରିଶ୍ରମ ଫଳ ଦେଶବାସୀ କିପରି ଭୋଗ କରିବେ, ଏହା ଦେଶର ନେତୃଗଣଙ୍କୁ ଚିନ୍ତା କରିବାକୁ ଆମ୍ଭେମାନେ ଆହ୍ୱାନ କରୁଅଛ ୁଁ । 

No comments:

Post a Comment