ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ
ପ୍ରଥମ ପ୍ରକାଶ – ୧୮୮୭
ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୧୯ - ୨୬
ଶ୍ରୀ ଭଗବାନୁବାଚ
ଯ ଏନଂ ବେତ୍ତି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍ ।
ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ । ୧୯ ।
ଜୀବାତ୍ମା କରଇ ନାଶ ଅପର ପ୍ରାଣୀକୁ । କିମ୍ବା ଆନ ଜଣେ ନାଶ କରେ
ଜୀବାତ୍ମାକୁ ।।
ଏହି ଦୁଇ କଥା ଯେଉଁ ଲୋକ କରେ ବୋଧ । ନିଶ୍ଚୟ ଜାଣିବ ସେହି ଅଟଇ
ନିର୍ବୋଧ । ୧୯ ।
ନ ଜାୟତେ ମ୍ରିୟତେ ବା କଦାଚିନ୍ନାୟଂ ଭୂତ୍ୱା ଭବିତା ନ ଭୂୟଃ ।
ଅଜୋନିତ୍ୟଃ
ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟୀତେ ହନ୍ୟମାନେ ଶରୀରେ । ୨୦ ।
ଜୀବାତ୍ମାର ନାହିଁ କେଭେ ଜନମ ମରଣ । ବର୍ଦ୍ଧିତ ହୁଅଇ ନାହିଁ ମଧ୍ୟ
ପୁଣ ପୁଣ ।।
ଜନ୍ମ ଦିନ ଠାରୁ ଏହା ଥାନ୍ତି ପ୍ରକାଶିତ । ନିତ୍ୟ ପୁଣି ବୁଦ୍ଧି ରୂପ
ବିକାର ରହିତ ।।
ଏହାଙ୍କର ପରିଣାମ ନାହିଁ କଦାଚିତ । ବିନଷ୍ଟ ହୁଅନ୍ତି ନାହିଁ ଯେଣୁ ଏହା ନିତ୍ୟ । ୨୦ ।
ବେଦାବିନାଶିନଂ ନିତ୍ୟଂ ଯ ଏନମଜମବ୍ୟୟଂ ।
କଥଂ ସ ପୁରୁଷଃ ପାର୍ଥ କଂ ଖାତୟତି ହନ୍ତି କଂ । ୨୧ ।
ଅବିନାଶୀ ନିତ୍ୟ ଅଜ ପୁଣି ଯେ ଅବ୍ୟୟ । ଏହାଙ୍କର କଦାଚିତ ହୁଏନାହିଁ
କ୍ଷୟ ।।
ଯେ ଲୋକ କରଇ ଏହି କଥାକୁ ବିଶ୍ୱାସ । କରାଇବ କରିବ ବା କାହାକୁ ବିନାଶ
। ୨୧।
ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି ।
ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାନି ସଂଯାତି ନବାନି ଦେହୀ ।
୨୨ ।
ଯେମନ୍ତ ପୁରୁଣା ବସ୍ତ୍ର ତେଜି ଲୋକ ଗଣ । କରନ୍ତି ନୂତନ ବସ୍ତ୍ର
ଖଣ୍ଡ ପରିଧାନ ।।
ସେହି ରୂପେ ଜୀର୍ଣ୍ଣ ଦେହ କରି ପରିହାର । ଗ୍ରହଣ କରନ୍ତି ଆତ୍ମା
ନୂତନ ଶରୀର । ୨୨।
ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।
ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ । ୨୩।
ଛିନ୍ନ କରି ନ ପାରିଣ ଶସ୍ତ୍ର ଯେ ଆତ୍ମାକୁ । ଅନଳ କଦାପି ଦହି ନ ପାରେ ତାହାକୁ ।।
ନ ପଚାଏ ଜଳ ତାକୁ କଉଣସି କାଳେ । ଶୁଖାଇ ନ ପାରେ ବାୟୁ ଆପଣାର ବଳେ ।
୨୩ ।
ଅଛେଦ୍ୟୋଽୟମଦାହ୍ୟୋଽୟମକ୍ଲେଦୋଽଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ । ୨୪।
ଅବ୍ୟୋକ୍ତୋଽୟମଚିନ୍ତ୍ୟୋଽୟମବିକାର୍ଯ୍ୟୋଽୟମୁଚ୍ୟତେ ।
ଅଚ୍ଛେଦ୍ୟ ଅଟଇ ଆତ୍ମା ପୁଣି ନ ପୋଡଇ । ନ ପଚଇ ସେହି ଆତ୍ମା ପୁଣି ନ
ଶୁଖଇ ।।
ତେଣୁ ସେ ଅଟଇ ନିତ୍ୟ ଜାଣ ସର୍ବଗତ । ଅଚଳ ସ୍ୱଭାବ ସେହୁ ଅଟଇ ସତତ ।।
ଅଚଳ ଜାଣିବ ତାହା ଅନାଦି ପ୍ରକାର । ପୁଣି ଜାଣ ଜ୍ଞାନ ଇନ୍ଦ୍ରିୟର
ଅଗୋଚର ।।
ସେ ଅଟଇ ଏ ମନର ଅଚିନ୍ତ୍ୟ ବିଷୟ । ଯାହାର ଆଦ୍ୟନ୍ତ ନ ଜାଣନ୍ତି
କର୍ମେନ୍ଦ୍ରିୟ । ୨୪।
ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି । ୨୫ ।
ଆହେ ପାର୍ଥ ତୁମ୍ବେ ଏହା କରି ବିବେଚନା । ଆତ୍ମାର ନିମନ୍ତେ କେଭେ
ନକର ଶୋଚନା । ୨୫ ।
ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।
ତଥାପି ତ୍ୱଂ ମହାବାହୋ ନୈନଂ ଶୋଚିତୁମର୍ହସି । ୨୬ ।
ଯଦି ବୋଲ ଆତ୍ମା କରେ ଜନମ ଗ୍ରହଣ । କାଳକ୍ରମେ କାଳ ଗ୍ରାସ ହୁଅଇ ପତନ
।।
ତେବେ ଯେ ବା ପୁଣ ପୁଣ ଜନମି ମରଇ। ହେ ଅର୍ଜୁନ ତାହାପାଇଁ ଚିନ୍ତା
କାହିଁପାଇଁ । ୨୬ ।