Living in Bhubaneswar
Thursday, September 03, 2015
ଆହେ ନୀଳଗିରି
ସାଲବେଗ ଭଜନ
ଏହି ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=H3sSnXlkc8w
ଫଟୋ କ୍ରେଡିଟ୍ - ୱିକିପିଡିଆ କମନସ୍
ଆହେ ନୀଳଗିରି !
ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି । (ଘୋଷା)
ତୁଳସୀ ଚଉରା ପାଶେ ଜଗି
ବସି ଧ୍ୟାଉଛନ୍ତି କେତେ ଯୋଗୀ,
ବ୍ୟାଘ୍ରଚର୍ମ ପାରି ସ୍ତୁତି କରୁଛନ୍ତି, ଜପୁଛନ୍ତି ନାମ ସଂଖ୍ୟା କରି । ୧।
ବଡଦାଣ୍ଡ ଦେଖି ହେଲି ତୋଷ,
ରେଣୁମାତ୍ର ତେଣୁ କଲି ଗ୍ରାସ,
କ୍ଷୀରୀ ଖେଚୁଡିରେ ମନ ନ ବୋଧଇ ଟଙ୍କ ତୋରାଣିରେ ମନ ତୋଷ ।୨।
ସିଂହ ଦ୍ୱାରେ ପଡେ ବେତବାଡି,
ବାଜନ୍ତେ ପାତକ ଯାଏ ଛାଡି,
ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମିତ୍ତେ ଏକକୁ ଆରେକ ହୁଡାହୁଡି ।୩।
ବାଇଶି ପାବଚ୍ଛ ଗଲି ସୁଖେ,
କୈବଲ୍ୟ ପଶରା ବେନି ପାଖେ,
ଚାଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ କୈବଲ୍ୟ ଭୁଞନ୍ତି ମୁଖେ ମୁଖେ । ୪।
ରୋହିଣୀ ପାଦୁକା କୁଣ୍ଡରଜ
ସିଂହ ମାଡି ବସିଅଛି ଗଜ,
ସତେ କି ଏ ଜନ୍ମ ସୁଫଳ ଲଭିବ କାକ ପଡି ହେଲା ଚତୁର୍ଭୁଜ ।୫।
ରହି ଗରୁଡ ପଛରେ ଦେଖ
କି ଶୋଭା ପାଉଛି ପଦ୍ମମୁଖ,
ହୀରା ନୀଳା ମୋତି ମାଣିକ୍ୟ ଜଳୁଛି ହୃଦେ ଲମ୍ବିଅଛି ହୀରାନେକ ।୬।
ଶ୍ରୀଜଗନ୍ନାଥଙ୍କ ଠାକୁରାଣୀ
ସୂବର୍ଣ ଥାଳିରେ ଅର୍ଘ୍ୟ ଆଣି,
କଳପବଟକୁ ପ୍ରଦକ୍ଷିଣ କଲେ ସାଧୁସନ୍ଥ ଦେଲେ ହରିଧ୍ୱନି ।୭।
କହେ ସାଲବେଗ ହୀନ ଜାତି
ଶ୍ରୀରଙ୍ଗାଚରଣେ ରହୁ ମତି,
ଶ୍ରୀଜଗନ୍ନାଥଙ୍କୁ ଜଣାଣ କରୁଛି, ବାରେ ଦୟାକର ଲକ୍ଷ୍ମୀପତି ।୮।
No comments:
Post a Comment
‹
›
Home
View web version
No comments:
Post a Comment