ଜ୍ୟୋତି ବାବୁ,
ଆପଣଙ୍କର
କେଇ ପଦ କଥା ମୋତେ ପ୍ରାୟ ୩୭-୩୮
ବର୍ଷ ତଳକୁ ଫେରାଇ ନେଲା । ୧୯୮୦ରେ
ରେଭେନ୍ସାରୁ ପାଠ ପଢ଼ା ସାରି ମୁଁ
'ସମାବେଶ'ରେ
କାମ ଆରମ୍ଭ କଲି । ଅଖିଳ ମୋହନ
ସେତେବେଳକୁ ତାହାର ମୁଖ୍ୟ ସମ୍ପାଦକ ।
ସେହି 'ସମାବେଶ'
ସମୟରେ
୧୯୮୧ରେ ସେ 'ଓ
ଅନ୍ଧଗଳି'
ପାଇଁ
ସାହିତ୍ୟ ଏକାଡେମୀ ପୁରସ୍କାର
ପାଇଲେ । ତାହାର ପର ବର୍ଷ,
୧୯୮୨
ନଭେମ୍ବର,
କାର୍ତ୍ତିକ
ଶୁକ୍ଳ ଏକାଦଶୀ (ବଡ଼
ଏକାଦଶୀ) ଦିନ
ତାଙ୍କର ଆକସ୍ମିକ ବିୟୋଗ ଘଟିଲା ।
ସେତେ ବେଳେ ତାଙ୍କର ଏକାଦଶାହ ଦିନ
ପ୍ରକାଶ ପାଇ ଥିବା 'ଅଖିଳେଷୁ'ର
ସମ୍ପାଦନା ସହ ମୁଁ ପ୍ରତ୍ୟକ୍ଷ ଓ
ସକ୍ରିୟ ଭାବେ ଜଡ଼ିତ ଥିଲି ।
ସେଥି ପାଇଁ ରାତି ଦିନ ଏକ କରି ଆମେ
କାମ କରି ଥିଲୁ । ତାହା ରାଉରକେଲାରେ
ସେ ବର୍ଷ ଆୟୋଜିତ ଲେଖକ ସାମ୍ମୁଖ୍ୟର
ସାହିତ୍ୟୋତ୍ସବରେ ଉନ୍ମୋଚିତ
ହୋଇ ଥିଲା । ସେଦିନ ଭୋ୍ର୍ ଚାରିଟା
ବେଳେ ସମ୍ପାଦକ ଜଗଦୀଶ ପାଣି ତାହା
ନିଜେ ନେଇ କାର୍ରେ ରାଉରକେଲା
ଗଲେ ଏବଂ ଦିନ ୧୧ଟା ବେଳେ ସେଠି
ପହଞ୍ଚିଲେ । ସେହି ଉଦ୍ଘାଟନ ସମ୍ଭବ
ହୋଇ ପାରିଲା । ଜାନକୀବଲ୍ଲଭ
ପଟ୍ଟନାୟକ ବୋଧ ହୁଏ ସେହି ଦିନ ସଭାର
ମୁଖ୍ୟ ଅତିଥି ଥିଲେ ।
ଅଖିଳ
ମୋହନଙ୍କ ବିୟୋଗ ପରେ ତାଙ୍କର
ପ୍ରଥମ ଜନ୍ମଦିନକୁ 'ଅଖିଳଦିବସ'
ରୂପେ
ଆମେ ପାଳନ କରି ଥିଲୁ । ସେ ନାଟକକୁ
ଭଲ ପାଉ ଥିଲେ । ସେଥି ପାଇଁ ତାଙ୍କ
ପ୍ରେରଣାରେ 'କଚ୍ଛପ
ନାଟ୍ୟ ଆନ୍ଦୋଳନ'
ଗଢ଼ା ହୋଇ ଥିଲା । ତେଣୁ ପ୍ରଥମ 'ଅଖିଳ
ଦିବସ'ରେ
ନାଟକଟିଏ ବି ମଞ୍ଚସ୍ଥ ହୋଇ ଥିଲା ।
କପିଳାସ ଭୂୟାଁ ସେଥିରେ ସକ୍ରିୟ
ଭୂମିକା ନେଇ ଥିଲେ । ଏବେ ତାହା
ବିସ୍ମୃତ ଇତିହାସ ।
ଅଖିଳବାବୁଙ୍କ
ବିୟୋଗ ବେଳକୁ ତାଙ୍କର ଦୁଇଟି
ଗଳ୍ପ ସଙ୍କଳନ ପ୍ରକାଶ ପାଇ ଥିଲା ।
ପ୍ରଥମଟି 'ଝଡର
ଇଗଲ ଓ ଧରଣୀର କୃଷ୍ଣସାର'
ଏବଂ
ଦ୍ବିତୀୟଟି 'ଓ
ଅନ୍ଧଗଳି' ।
ତୃତୀୟ 'ନଦୀର
ନାମ ଗଣତନ୍ତ୍ର'
ପରେ
ପ୍ରକାଶ ପାଇଲା । ତାହା ତାଙ୍କ
ମୃତ୍ୟୁ ପରେ କପିଳାସ ଭୂୟାଁ
'ମ୍ୟୁଜ୍
ବୁକ୍ସ'
ପକ୍ଷରୁ
ପ୍ରକାଶ କରି ଥିଲେ । ଯେଉଁ ଦିନ
'ସମ୍ବାଦ'
ପ୍ରଥମେ
ପ୍ରକାଶ ପାଇଲା,
ସେଦିନ
(ଅକ୍ଟୋବର
୪, ୧୯୮୪)
ଥିଲା
ଗୁରୁବାର । ସେହି ଦିନ ବି ଥିଲା
'ସମ୍ବାଦ'ର
'ସାହିତ୍ୟ'
ପୃଷ୍ଠାର
ଦିନ । ସେଇ ପ୍ରଥମ ଦିନର ପ୍ରଥମ
'ସାହିତ୍ୟ'
ପୃଷ୍ଠାରେ
ମୁଁ 'ନଦୀର
ନାମ ଗଣତନ୍ତ୍ର'ର
ଏକ ସମୀକ୍ଷା ଲେଖି ଥିଲି ।
ତାହାର
କିଛି ବର୍ଷ ପରେ ପ୍ରକାଶ ପାଇଥିଲା
ଅଖିଳ ବାବୁଙ୍କର ଚତୁର୍ଥ ଓ ଶେଷ
ଗଳ୍ପ ସଙ୍କଳନ,
'ପ୍ରଥମ
ଓ ଶେଷ' ।
ସେତେବେଳକୁ ମୁଁ 'ସମାବେଶ'ରୁ
ଆସି 'ପ୍ରଜାତନ୍ତ୍ର'ରେ ।
ଦିନେ ହଠାତ୍ ଆସି ସେଠି ପହଞ୍ଚିଲେ
ବିଭୂତି ପଟ୍ଟନାୟକ । ତାଙ୍କ ସାଙ୍ଗରେ
ଥିଲେ କଣ୍ଡୁରିଚରଣ ଦାସ । ସେମାନେ
ତାହା ଛାପିବାକୁ ଚାହିଁଲେ । ସେଥିରେ
'ଶଙ୍ଖ'ରେ
ପ୍ରକାଶିତ ଅଖିଳ ବାବୁଙ୍କ ପ୍ରଥମ
ଗଳ୍ପ 'ସପନ'
ଓ
'ସୁଚରିତା'ରେ
ପ୍ରକାଶିତ ଶେଷ ଗଳ୍ପ 'ସ୍ପାର୍ଟାକସ୍'
ଥିଲା ।
ତେଣୁ ତାହାର ନାଆଁ 'ପ୍ରଥମ
ଓ ଶେଷ'
ରଖା ଗଲା ।
ଅଖିଳବାବୁଙ୍କ
ବିୟୋଗ ବେଳକୁ ସେ 'ସମାବେଶ'ରେ
ଲେଖୁ ଥିବା 'ବାଘରାଣୀ
ଖଇରୀ' ଅସମାପ୍ତ
ଥିଲା । ତାହାର ଶେଷ ଅଧ୍ୟାୟ 'ଖଇରୀର
ଶେଷ ଦିନଗୁଡ଼ିକ'
ମୁଁ
ଲେଖି ତାହାକୁ ସମ୍ପୂର୍ଣ୍ଣ କରି ଥିଲି ।
ତାହାର ଆଧାର ଥିଲା ଖଇରୀକୁ ଝିଅ
ପରି ପାଳି ଥିବା ସରୋଜ ରାୟ ଚୈଧୁରୀଙ୍କ
ଡାଏରି । ତାହାର ଅବଲମ୍ବନରେ ହିଁ
ଅଖିଳବାବୁ 'ବାଘରାଣୀ
ଖଇରୀ'
ଲେଖୁ ଥିଲେ ।
ଅଖିଳବାବୁଙ୍କ ଭାଷା,
ଭାବ
ଓ ଶୈଳୀ ଅକ୍ଷୁଣ୍ଣ ରଖି ମୁଁ ତାହା
ଲେଖିବାକୁ ଚେଷ୍ଟା କରି ଥିଲି ।
ଯେଉଁମାନେ ମୁଖବନ୍ଧ ନ ପଢ଼ି ତାହା
ପାଠ କରିଛନ୍ତି,
ସେମାନେ
ତାହା ଅଖିଳବାବୁ ଲେଖି ନାହାନ୍ତି
ବୋଲି ଜାଣି ପାରି ନାହାଁନ୍ତି ।
ସେତେବେଳେ 'ଦି ହେରିଟେଜ୍' ପତ୍ରିକାର
ସମ୍ପାଦନା କରୁଥିଲେ ମନୋଜ ଦାସ ।
ସେ ମୋ ଶେଷ ଲେଖା ସମେତ ଖଇରୀର ସବୁ
ଲେଖାତକ ମଗାଇ ନେଇ 'ହେରିଟେଜ୍'ରେ
ତାହାର ଏକ ଇଂରାଜୀ ସାରାନୁବାଦ
ପ୍ରକାଶ କରି ଥିଲେ । ପ୍ରଥମେ
'ଇଷ୍ଟର୍ଣ୍ଣ ମିଡିଆ'ରୁ
ଏବଂ ପରେ 'ଆମ
ଓଡିଶା'ରୁ
ତାହା ବହି ରୂପେ ପ୍ରକାଶ ପାଇ ଖୁବ୍
ଆଦୃତ ହୋଇଛି ।
ଯେଉଁ
ଦିନ 'ବାଘରାଣୀ
ଖଇରୀ' 'କନକ
ଟିଭି'ରେ
ଉନ୍ମୋଚିତ ହେଲା,
ସେଦିନ
ଖଇରୀ ପାଇଁ ନିଜକୁ ଉଜେଇଁ ଦେଇଥିବା
ନୀହାର ନଳିନୀ ଦେବୀଙ୍କ ସାକ୍ଷାତକାର
ଆମେ ତା' ସହ
ପ୍ରସ୍ତୁତ କରି ଥିଲୁ । ତାହା
ପ୍ରସ୍ତୁତ କରି ଥିଲେ, ନୀଳାମ୍ବର
ରଥ । ନୀହାର ନଳିନୀ ଦେବୀ ଆଜି ବି
ଭୁବନେଶ୍ବରରେ ଅଛନ୍ତି; କିନ୍ତୁ, ତାଙ୍କୁ କେହି ଚିହ୍ନନ୍ତି
ନାହିଁ ।
ଅଖିଳ ବାବୁ
ଯେଉଁ ଦିନ ନିଜେ ଗାଡ଼ି ଚଳାଇ ଅସ୍ତ୍ରୋପଚାର ପାଇଁ କଟକ ଗଲେ,
ଏବଂ
ଅପରେସନ ଟେବୁଲ୍ ଉପରେ ମରି ଗଲେ,
ସେଦିନ
ତାଙ୍କ ସବୁଜ ତାରୁଣ୍ୟର ପ୍ରେମପତ୍ରର
ସଙ୍କଳନ 'ଅନାଗତ
ଫାଲଗୁନ'ର
ହାତଲେଖା ମୁଖବନ୍ଧ ମୋ ହାତରେ
ଦେଇ ଯାଇ ଥିଲେ । ସେଇ ହାତଲେଖା
ମୁଖବନ୍ଧକୁ ନେଇ ସେ ବହି ତାଙ୍କ
ମୃତ୍ୟୁ ପରେ ପ୍ରକାଶ ପାଇ ଥିଲା ।
'ବାଘରାଣୀ
ଖଇରୀ'ର
ରେଖାଚିତ୍ର ସବୁ ସେଦିନ ଛନ୍ଦା
ଆଚାର୍ଯ୍ୟ ଓ 'ଅନାଗତ
ଫାଲଗୁନ'ର
ରେଖାଚିତ୍ର ସବୁ ଅସୀମ ବସୁ
ଆଙ୍କି ଥିଲେ ।
'ବାଘରାଣୀ
ଖଇରୀ'ର
ପ୍ରକାଶ ବେଳକୁ ଜ୍ଞାନଦା
ପଟ୍ଟନାୟକ (ମାଉସୀ)
ଜୀବିତ
ଥିଲେ । ସେ ତାହାର ମୁଖବନ୍ଧରେ
ଲେଖିଛନ୍ତି ଯେ,
ମୋ
ଉପରେ ଓ ମୋର ସେ ଦିନର ବନ୍ଧୁ
ପ୍ରଦୀପ୍ତଙ୍କ ଉପରେ ସେ ପୁତ୍ରବତ୍
ସମସ୍ତ ଅଧିକାର ସେତେବେଳେ ନ୍ୟସ୍ତ
କରୁ ଥିଲେ ।
ଅଖିଳବାବୁଙ୍କ
ମୃତ୍ୟୁ ପରେ ଏବଂ 'ସମାବେଶ'
ଛାଡ଼ିବା
ଆଗରୁ, ମୁଁ
'ସମାବେଶ'ର
ସମ୍ପାଦକୀୟ,
ସେଥିରେ
ସେ ଲେଖୁଥିବା 'କଚ୍ଛପୀୟ',
ଅଧା
ରହି ଯାଇ ଥିବା ଡିଟେକ୍ଟିଭ୍ ଉପନ୍ୟାସ
'ସୁନ୍ଦରବନରେ
ହତ୍ୟାର ବିଭୀଷିକା'
ଓ
'ବାଲ୍ମିକୀ
ରାମାୟଣର ସାରାନୁବାଦ'
ଆଦି
ସବୁ ଲେଖାକୁ ଏକାଠି କରି ଜ୍ଞାନଦା
ମାଉସୀଙ୍କୁ ଦେଇ ଆସି ଥିଲି । ଏ
ସମ୍ପର୍କରେ ଆଉ ଗୋଟିଏ ଉଲ୍ଲେଖନୀୟ
କଥା ହେଉଛି,
ସେତେ ବେଳେ
ଭୁବନେଶ୍ୱରରେ ରହୁ ଥିବା ନାଟ୍ୟକାର
ଗୋପାଳ ଛୋଟରାୟ 'ବାଘରାଣୀ
ଖଇରୀ' ପରି,
'ବାଲ୍ମିକୀ
ରାମାୟଣର ସାରାନୁବାଦ'କୁ
ପୂର୍ଣ୍ଣାଙ୍ଗ କରିବାକୁ ଚାହିଁ ଥିଲେ
ଓ ସେଥି ପାଇଁ ମୋର ସହଯୋଗ ଲୋଡ଼ି ଥିଲେ ।
କିନ୍ତୁ ଶେଷ ସୁଦ୍ଧା ତାହା ସମ୍ଭବ
ହୋଇ ପାରି ନ ଥିଲା ।
ସେତେବେଳେ
ସଙ୍କଳିତ ହୋଇ ନ ଥିବା ଅଖିଳବାବୁଙ୍କ
ଲେଖାଗୁଡ଼ିକ ସହିତ,
ବହୁ ବର୍ଷ
ତଳେ ସେ 'ଝଙ୍କାର'ରେ
ଲେଖି ଥିବା ଦୁଇଟି ଆତ୍ମଜୀବନୀମୂଳକ
ଲେଖା, ଏଯାଏ
ଅସଙ୍କଳିତ କେତୋଟି ଗପ (ଯଥା
ହାତଲେଖା 'କୁଙ୍କୁମ'
ରେ
ପ୍ରକାଶିତ ଗଳ୍ପ)
ଏବଂ
ତାଙ୍କର ଟିପାଖାତା ଆଦିକୁ ନେଇ
ଗୋଟିଏ ଶେଷ ବହି ପ୍ରସ୍ତୁତ କରିବାର
ଇଚ୍ଛା ମୋର ଥିଲା । ତାହାର ନାଆଁ
ରହି ଥାଆନ୍ତା, 'ଅବଶିଷ୍ଟ
ଅଖିଳମୋହନ' ।
ସେ କଥା ତାଙ୍କ ଘର ଓ ଫାଉଣ୍ଡେସନ
ସହ ସମ୍ପୃକ୍ତ ପ୍ରାୟ ସମସ୍ତଙ୍କୁ
ବହୁ ବାର କହିଛି । ପ୍ରତି ବର୍ଷ
ଜନ୍ମଦିନରେ ବି କହି ଆସୁଛି । କିନ୍ତୁ
କିଛି ଫଳ ହେଉ ନାହିଁ । କୋର୍ଟ
କାଗଜପତ୍ର ପରି ନାଲି ସାଲୁକନାରେ
ବନ୍ଧା ଥିବା ସେଇ ଲେଖାଗୁଡ଼ିକ
ଆଜି କି ଅବସ୍ଥାରେ ଅଛି, ମୁଁ ଜାଣେନା ।
ହଁ,
ମଝିରେ
ଥରେ ମୋଠୁ କିଛି ଲେଖା ନେଇ ଏମିତି
ଏକ ଜନ୍ମଦିନ ଅବସରରେ କେଦାର ମିଶ୍ର
'ଅନୁପମ
ଭାରତ'ରେ
ଏକ ପୂରା ପୃଷ୍ଠା ପ୍ରକାଶ କରି ଥିଲେ ।
ସେଇ ପୃଷ୍ଠାଟି ସେଦିନ ଖୁବ୍ ଆଦୃତ
ହୋଇ ଥିଲା ।
ଦୀର୍ଘ
ବର୍ଷର ବିରତି ପରେ,
ଏବେ
ଅଖିଳମୋହନଙ୍କ ସମଗ୍ର ଗଳ୍ପ
'ଅଖିଳାୟନ'
ମୋ
ଆଗ୍ରହ ଫଳରେ 'ଆମ
ଓଡିଶା'
ପକ୍ଷରୁ
ସୁଦୃଶ୍ୟ ଭାବେ ପ୍ରକାଶ ପାଇଛି ।
କିନ୍ତୁ ତାଙ୍କ ପ୍ୟାରିସ୍ ଭ୍ରମଣ
ବୃତ୍ତାନ୍ତ 'ଅନ୍ୟ
ଦେଶ' ଓ
'ଅନାଗତ
ଫାଲଗୁନ'
ଏବେ
ଦୁଷ୍ପ୍ରାପ୍ୟ । ସେ ଦିଗରେ କିନ୍ତୁ
କାହାରି ଧ୍ୟାନ ନାହିଁ । ଫଳରେ
ଅଖିଳ ବାବୁ ଆଜି କେବଳ ଜଣେ ଗାଳ୍ପିକର
ପରିଚୟ ଭିତରେ ସୀମିତ ହୋଇ
ରହି ଯାଇଛନ୍ତି ।
ଅଖିଳ ବାବୁ
କେବଳ ଜଣେ ଗାଳ୍ପିକ ନ ଥିଲେ । ସେ
ବିଭିନ୍ନ ସମୟରେ ବିଭିନ୍ନ ସୃଜନଶୀଳ
ବିଭାଵରେ ନିଜର ଶକ୍ତି ଓ ସିଦ୍ଧିର
ପରୀକ୍ଷା କରୁ ଥିଲେ । ଯେତେବେଳେ
ଯାହା ହେବାକୁ ଚାହୁଁ ଥିଲେ,
ସେ
ବାବଦରେ ପ୍ରଚୁର ପଢ଼ାପଢ଼ି ଓ
ନୋଟ୍ କରୁ ଥିଲେ । ତାହାର ବହୁ
ବିବରଣୀ ତାଙ୍କ ନୋଟ୍ ଖାତା ଗୁଡ଼ିକରେ
ଅଛି । ତାହା ଦର୍ଶାଏ,
ଗାଳ୍ପିକ
ଅଖିଳ ମୋହନଙ୍କ ତଳେ ଆହୁରି ଅନେକ
ଅଖିଳମୋହନ ପୋତି ହୋଇ ରହିଛନ୍ତି ।
ତାହାର ନିଦର୍ଶନ ତାଙ୍କ ଟିପାଖାତାରୁ
ଉଦ୍ଧାର କରିବାର ଗୁରୁତ୍ୱପୂର୍ଣ୍ଣ
ପ୍ରୟୋଜନ ରହିଛି । କିନ୍ତୁ ମନେ ହେଉଛି,
ତାହା
ଶେଷ ଯାଏଁ ଅନୁଦ୍ଘାଟିତ ହୋଇ
ରହି ଯିବ ।
ଏହି ମାସରେ ଟିକେ ପରେ ଆସୁ ଥିବା, ଅଖିଳମୋହନଙ୍କ
୯୦ତମ ଜନ୍ମଦିନ ଅବସରରେ, ଏହା ହିଁ ମୋର ସବୁଠୁ ବଡ଼ ଦୁଃଖ ।
(ଅନ୍ୟ
ବର୍ଷ ଗୁଡିକ ପରି ଏ ବର୍ଷ ମଧ୍ୟ
ଏଇ ଡିସେମ୍ବର ୧୮ ତାରିଖ ଦିନ ଅଖିଳ
ମୋହନ ପଟ୍ଟନାୟକଙ୍କର ଜୟନ୍ତୀ
'ଅଖିଳ
ଦିବସ' ଭାବରେ
ପାଳିତ ହେବ । ଏ
ନେଇ ଘୋଷିତ ହୋଇ ଥିବା କାର୍ଯ୍ୟକ୍ରମ
ଓ ପୁରସ୍କାର ବାବଦରେ ଅଖିଳ ମୋହନ
ଫାଉଣ୍ଡେସନର ଅଧ୍ୟକ୍ଷା ମମତା
ଦାଶଙ୍କ ପୋଷ୍ଟ୍ରେ ଜ୍ୟୋତି ନନ୍ଦ
କିଛି ମତାମତ ଦେଇଛନ୍ତି । ତାହା
ପଢ଼ିବା ପରେ ମୁଁ ଏଇ କିଛି କଥା
ସେଠି କହି ଥିଲି । ତାହା ଅଧିକ ଲୋକ
ପଢ଼ିବା ଦରକାର ବୋଲି ଜ୍ୟୋତି
ବାବୁ କହିବାରୁ, ତାହା ଏଠାରେ ଦିଆ ଗଲା ।)