ନିଜ
ଦଳ ସହ ଓଡ଼ିଶା ରାଇଜ ସାରା ବୁଲି
ଯାତରା ପରିବେଷଣ କଲା ବେଳେ ଥରେ
ଦଶପଲ୍ଲାରୁ ବିଫଳ ମନୋରଥ ହୋଇ
ବୈଷ୍ଣବ ପାଣି ପହଞ୍ଚନ୍ତି ଯାଇଁ
ତତ୍କାଳିନ ବଉଦ ରାଜ୍ୟରେ । କିଲ୍ଲା
ଦଶପଲ୍ଲାର କନ୍ଧ ଗାଁ ଛାମୁଡ଼ିଆରୁ
ବାହାରି ମଣିଭଦ୍ରା ଗିରି ଓ ମହାନଈ
ମଧ୍ୟସ୍ଥ ପଥ ଦେଇ ଯାତରା ଦଳଟି
ଯାଇ ପହଞ୍ଚନ୍ତି ସୂର୍ଯ୍ୟାସ୍ତ
ସମୟରେ ବୌଦ ରାଇଜର ଉପଖଣ୍ଡ
ହରଭଙ୍ଗାରେ । ସେଠି ସେତେବେଳେ
ପୋଲିସ ଥାନାଟିଏ ଓ ବିଦ୍ୟାଳୟ
ଗୋଟିଏ ଥାଏ । ଦାରୋଗାଙ୍କ ଆଗ୍ରହ
ଯୋଗୁଁ ସେଠାରେ ପାଞ୍ଚ ରାତି ନାଟ
ଚାଲେ ।
ନାନାଦି
କାରଣରୁ ପାଣିଙ୍କ ଦଳଟି ଆଉ ବଉଦ
ସଦର ଠାରେ ଥିବା ରାଜଉଆସକୁ ଗସ୍ତ
କଲା ନାହିଁ । ହରଭଙ୍ଗାଠାରେ ହିଁ
ଦଳଟି ମହାନଈ ପାରହୁଏ । ତାହା ପରେ
ସେମାନେ ଯାଇ ପହଞ୍ଚନ୍ତି ନଈ
ସେପାରି ଆଠମଲ୍ଲିକ ରାଜ୍ୟର ଅହିଡ଼ା
ଠାରେ । ସେଠାରେ ପ୍ରାଥମିକ
ବିଦ୍ୟାଳୟଟିଏ ଥାଏ । ସେଇଠାରେ
ଦଳଟି ରହେ । ରାତିକୁ ନାଟର ଆୟୋଜନ
ହୁଏ । ପରଦିନ ଆଠମଲ୍ଲିକ ସଦର ଯାଇଁ
ପାଣିଏ ରଜାଙ୍କ ସହ ଦେଖାକରନ୍ତି
। ରାଜାନୁଗ୍ରହରୁ ବଙ୍ଗଳାରେ
ଆସ୍ଥାନ ମିଳେ । ରାଜାସାହେବଙ୍କର
ଅତିଶୟ ଆଗ୍ରହ ଯୋଗୁଁ ଦଳଟି ସେଠି
ଗୋଟିଏ ପକ୍ଷ ରହିଯାଆନ୍ତି । ଉଭୟ
ଉଆସ ଓ ବଜରା ଆଦିରେ ନାଟ୍ୟାଭିନୟର
ପ୍ରଦର୍ଶନ ହୁଏ । ଆଠମଲ୍ଲିକର
ତତ୍କାଳିନ ନରପତି ବନ୍ଧୁକ ଚାଳନାରେ
ଧୁରନ୍ଧର ଓ ଶୀକାରବିଳାସୀ ଥିଲେ
। ଏଣୁ ମଣିମାଙ୍କ ସୌଜନ୍ୟରୁ ପାଣି
ମହାଶୟ ଏହି ଗସ୍ତରେ ଅନେକ ଥର ହରିଣ
ଓ ସମ୍ବର ଆଦି ବନ୍ୟପଶୁଙ୍କର ମାଂସ
ଭୋଜନ କରିବାର ସୁଯୋଗ ପାଇଲେ ।
ଶେଷକୁ ରାଜା ଲରିଟିଏରେ ବୈଷ୍ଣବଙ୍କୁ
ବସାଇ ବଉଦ ରାଜବାଟୀକୁ ପଠାଇଦେଲେ
।
ପାଣି
କିଆକେଣ୍ଟାଠାରେ ମହାନଦୀ ପାର
ହୋଇ ବୌଦ ରାଜ୍ୟରେ ପ୍ରବେଶ କଲେ
। ସେଇ ଦେଶର ଉଆସରେ ତିନି ରାତି
ନାଟ ପରିବେଷଣ କରି ରାଜ୍ୟତ୍ୟାଗ
କଲେ । ପାଣିଙ୍କ ମତରେ ବଉଦ ରାଜ୍ୟର
ନାରୀମାନେ ଯେଉଁ ପ୍ରକାରର ଅପଭାଷା
ବା ଗାଳିଗୁଲଜ ପ୍ରୟୋଗ କରନ୍ତି,
ତାହାକୁ
ନା ଶୁଣିହେବ ନା କହିହେବ । ସେ ଏହା
ମଧ୍ୟ ପର୍ଯ୍ୟବେକ୍ଷଣ କରନ୍ତି
ଯେ,
ସେହି
ରାଜ୍ୟର ଶୋଷିତ ଜାତିମାନଙ୍କର
କାଇଅଣ୍ଡା ଏକ ଆଦରର ଖାଦ୍ୟ । ଆଉ
ସେ ଏହି ତଥ୍ୟଟିକୁ ବଉଦବାସୀମାନଙ୍କର
‘ଜଘନ୍ୟ’ତାର ଉଦାହରଣ ଭାବରେ
ପରିବେଷଣ କରନ୍ତି ।
ବୌଦରୁ
ଆରମ୍ଭ ହୁଏ ସୋନପୁର ଯାତ୍ରା ।
ବାଟରେ ତେଲ ସରିଯାଇଥାଏ । ଶୁଖିଲା
ଭାବରେ ଗାଧୋଇବାକୁ ପଡ଼େ । ବାଟ
ସାରା ଛୋଟିଆ ଗାଉଁଲି ଦୋକାନ ବା
ଗୋଦାମଟିଏ ମଧ୍ୟ ଦିଶେ ନାହିଁ ।
ଏଣୁ ସମସ୍ତଙ୍କର ଖାଡ଼ାଖାଡ଼ା
ଓପାସ । ସୋନପୁର ରାଇଜର ସୁବଳୟାଠାରେ
ପହଞ୍ଚିଲା ବେଳକୁ ପାଣିଙ୍କୁ
ସହସା ଜର ହେଲା । ଗଙ୍ଗାଧର ମେହେରଙ୍କର
ଦିଅଁଘରେ ବିଶ୍ରାମ କରିବାର
ବେବସ୍ତା ହେଲା । ହେଲେ ବିନା
ଉପଯୁକ୍ତ ଚିକିତ୍ସାରେ ଏହି ଜର
କ୍ରମେ ନିମୋନିଆଁ ଆଡ଼କୁ ଗତି
କଲା । ଏଣେ କୁବଳୟାରେ ନଅ ରାତି
ରହି ବିନା ଦଳପତିଙ୍କର ଉପସ୍ଥିତିରେ
ନାଟ ଦଳଟି ନଅ ରାତି ଅଭିନୟ ଚଳାଇଥାଏ
।
ନଅ
ଦିନ ବିତିଗଲା ପରେ ମଧ୍ୟ ବୈଷ୍ଣବଙ୍କର
ଦେହ ଭଲ ହୋଇ ନଥାଏ । ସେହି ପରି
ବାଧିକି ପଡ଼ିଥିବା ଅବସ୍ଥାରେ
ଦଳଟି ସହ ପାଣି ସୋନପୁର ସଦରସ୍ଥ
ଉଆସ ପ୍ରତି ଯାତ୍ରାରମ୍ଭ କଲେ ।
ସେଠି ପହଞ୍ଚି ଦଳଟି ଦୁଇ ସପ୍ତାହ
ପର୍ଯ୍ୟନ୍ତ ନାଟ ଦେଖାଇଲା । ହେଲେ
ପାଣିଙ୍କ ଦେହର ଅବସ୍ଥା ‘ଯଥା
ପୂର୍ବଂ ତଥା ପରମ୍’ । ହେଲେ
ପାଣିଙ୍କର ଇଚ୍ଛା ଥାଏ ସୋନପୁର
ଯାତ୍ରା ସାରି ତରଭା,
ବଲାଙ୍ଗୀର
ଆଡ଼େ ଯିବାର । ହେଲେ ପଛିମ ଓଡ଼ିଶାରେ
ଖରାଦିନର ଅସହ୍ୟ ଗରମ କଥା ସ୍ମରଣ
କରି ଦଳର ଅନ୍ୟମାନେ ସେଆଡ଼ି
ଯିବାକୁ ରାଜି ହେଲେ ନାହିଁ ।
ସେଇଠୁ ଦଳଟି ପଛିମ ଓଡ଼ିଶାର ଅନ୍ୟ
ଆଡ଼େ ଆଉ ନ ଯାଇ ଲେଉଟି ଆସିବାର
ନିଷ୍ପତ୍ତି ନେଲା ।
ଶେଷକୁ
ନିଷ୍ପତ୍ତି ହେଲା ମହାନଈ ବାଟ
ଦେଇ ନଉକାରେ ଉପକୂଳ ଓଡ଼ିଶାକୁ
ଫେରିବା ପାଇଁ । ରନ୍ଧାବଢ଼ା କାମ
ନଈ କୂଳର ବାଲିରେ କରାଯାଉଥାଏ ।
ସେତେବେଳକୁ ଖାଇବା ସାମଗ୍ରୀର
ଅଭାବ ଦେଖାଦେଲାଣି । ଥରେ ବାଂଶମୂଳୀ
ଠାରେ ରନ୍ଧାବଢ଼ା ସାରି ଖାଇ ବସିଲା
ବେଳେ ସହସା ଏକ ଝଞ୍ଜା ମାଡ଼ି
ଆସିଲା । ପାଖରେ ଥିଲା ଏକ ମଇଁଷି
ଗୋଠ । ସେଠୁ ଗୋବର ଧୂଳି ଓ ନଈ ପଠାରୁ
ଶୁଖିଲା ବାଲି ଉଡ଼ି ଆସିଲା ।
ଶେଷକୁ ହାତରେ ପତର ଧରି,
ଠିଆ
ହୋଇ,
ଭୋଜନ
କାର୍ଯ୍ୟ ସମ୍ପାଦନ କରିବାକୁ
ପଡ଼ିଲା ।
ଖାଇ
ସାରି,
ନଈ
ପାଣିରେ ହାତ ମୁହଁ ଧୋଇ ପୁଣି
ନଉକାରେ ଯାତ୍ରାରମ୍ଭ କରାଗଲା
। ଖରାଦିନେ ନଦୀଟିର ଛାତି ଶୁଖିଲା
। ହେଲେ ତଥାପି ଯେତିକି ବା ପାଣିଥାଏ,
ସେଥିରେ
ଲୁଚିଥାଏ ଅନେକ ପଥରଖଣ୍ଡ । ଛୋଟିଆ
ନଉକାଟି ସେଥିରେ ବାଡ଼େଇ ହୋଇଗଲେ
କଥା ସରିଲା । ଅତି ସାବଧାନତାର
ସହ ନଉକା ବାହିବାକୁ ହୁଏ । ହେଲେ
ପଥରକୁ ଜଗିଲା ବେଳକୁ ସିଆଡ଼େ
ବାଲିଚଡ଼ାରେ ଡଙ୍ଗାଟି ଚଢ଼ିଯାଏ
। ସେଇଠୁ ନଉକାରୁ ସମେତେ ଓହ୍ଲାଇ
କସରତ କରି ଡଙ୍ଗାଟିକୁ ପୁଣି
ପାଣିକୁ ଓହ୍ଲାଇବାର କଥା । ଏଣୁ
ମହାନଦୀର ବକ୍ଷରେ ଦଳଟିର ଗତି
ଥିଲା ମନ୍ଥର ।
ଶନୈଃଶନୈଃ
ଆସି ନାଟୁଆମାନେ ପହଞ୍ଚନ୍ତି
ଆଠମଲ୍ଲିକର ଉତ୍ସ୍ନପ୍ରସ୍ରବଣ
ପାଖ ଠାକୁରଡ଼ିହ ପାଖେ । ସେଠି
ରଜାଙ୍କ ସହ ଭେଟ ହୁଏ । ଆଠମଲ୍ଲିକପତି
ତ ପାଣିଙ୍କ ଉପରେ ପ୍ରସନ୍ନ ଥାଆନ୍ତି
। ଏଣୁ ଖାଇବାପିଇବା ଓ ରହିବାର
ସମସ୍ତ ସୁବନ୍ଦୋବସ୍ତ କରାଇଦେଲେ
। ସେତେବେଳେ ପ୍ରାୟତଃ ସମସ୍ତ
କରଦ ରାଜ୍ୟର ପ୍ରଜାମାନେ ବେଠି
ଖଟି ରାସ୍ତା ତିଆରି ଥାଆନ୍ତି ।
ହେଲେ ଏହି ପଥରେ ସାଧାରଣ ଲୋକ
ବିନା ରାଜାନୁମତିରେ ଚାଲି ଯିବାର
କିମ୍ବା ବଳଦଗାଡ଼ି ଇତ୍ୟାଦି
ନେବାର ଅନୁମତି ନଥିଲା । ଏପରି
କଲେ ନାନାଦି ଦଣ୍ଡ ପାଞ୍ଚ ଆଇନରେ
ଭୋଗିବାକୁ ପଡ଼ୁଥିଲା । ଓଡ଼ିଶାର
ପ୍ରାକ୍ତନରାଜା ମାନେ ଅତ୍ୟନ୍ତ
ପ୍ରଜାନୁରଞ୍ଜକ ଥିଲେ ଓ ପରଜାଙ୍କୁ
ନିଜର ପିଲାପିଚିକା ଭଳି ନିଶ୍ଚୟ
ଦେଖୁଥିଲେ । ଏଣୁ ଏହି ବିବେକବାନ
ନରପତିମାନେ ବୋଧହୁଏ ‘ଲାଲୟେତ୍
ପଞ୍ଚ ବର୍ଷାଣି ଦଶ ବର୍ଷାଣି
ତାଡ଼ୟେତ୍’ ଭଳି ଆପ୍ତବାକ୍ୟର
ପ୍ରୟୋଗ କରି ପ୍ରଜାମାନଙ୍କୁ
ତାଙ୍କର ନିଜର ଭଲ ପାଇଁ କଠୋର
ଅନୁଶାସନ ଭିତରେ ରଖୁଥିଲେ । ଅବଶ୍ୟ
ବେଳେବେଳେ ତାଡ଼ନାଟି ସ୍ତ୍ରୀ
ଧର୍ଷଣ ଓ ଗୁଳି ବା ଲାଠି ବର୍ଷଣ
ଆଦି ଉଗ୍ର ରୂପ ମଧ୍ୟ ନେଉଥିଲା ।
ଏସବୁ
କହିବାର କାରଣ ହେଲା ଯେ,
ଆଠମଲ୍ଲିକର
ରାସ୍ତାରେ ବଳଦଗାଡ଼ି ଚଲାଇ
ଆଣିଥିବାରୁ ରାଜ୍ୟର ଦେୱାନ ସାହେବ
ଇତି ମଧ୍ୟରେ ପାଣିଙ୍କର ଦଳକୁ
ପାଞ୍ଚ ଆଇନିରେ ପକାଇ ସାରିଥାଆନ୍ତି
। ରାଜାସାହେବଙ୍କୁ ଏ ବିଷୟରେ
ଜଣାଇବାରୁ କରୁଣାସାଗର,
ଧାର୍ମିକ
ରାଜା ନିଜ ଆଇନିର ନିଜେ ଉଲ୍ଲଙ୍ଘନ
କରି,
ପାଞ୍ଚ
ଆଇନିର ରିପୋର୍ଟଟିକୁ ଦୀପନିଆଁରେ
ଜଳାଇଦେଲେ । ପାଣିଙ୍କୁ ଆଇନିର
ତାଡ଼ନାରୁ ନିଷ୍କୃତ୍ତି ମିଳିଲା,
ଯଦିଓ
ନିୟମ ବହିର୍ଭୁତ ଭାବରେ । ଏହା
ପରଦିନ ଆଠମଲ୍ଲିକ ସଦର ଛାଡ଼ି
ପୁଣି ଯାତ୍ରା ଆରମ୍ଭ ହେଲା ।
ବାଟରେ
ସନ୍ଧ୍ୟା ହେବାରୁ ବିଦ୍ୟାଳୟଟିଏ
ଦୁଶିବାରୁ ଦଳଟି ଯାଇଁ ଅନୁସନ୍ଧାନ
କଲା । ହେଲେ ସେଠିକାର ଶିକ୍ଷକ
ଜଣକ କହିଲେ କି,
ସ୍ଥାନୀୟ
ଲୋକେ କିରାସିନି ବ୍ୟବହାର କରନ୍ତି
ନାହିଁ । ଏବଂ ଗରୀବ ଲୋକେ,
ଯେଉଁମାନେ
ଜନସଙ୍ଖ୍ୟାର ସିଂହଭାଗ,
ସେମାନେ
ଖାଇବା ତେଲ ଇତ୍ୟାଦିର ବ୍ୟବହାର
ଜାଣନ୍ତିନି । ଏଣୁ ସେସବୁ ସେଠାରେ
ମିଳିବାର କିଛି ସମ୍ଭାବନା ନାହିଁ
। ଉପାୟହୀନ ହୋଇ କିଛି କାଷ୍ଠାଦି
ଶୁଷ୍କ ଜାଳ ସାହାଯ୍ୟରେ ଗୋଟିଏ
ପୋଖରୀ କୂଳରେ ରୋଷେଇର ଆୟୋଜନ
କରାଗଲା । ସେହି ଗଡ଼ିଆଟିରୁ ଦଳର
ପିଲାଏ କିଛି ଛୋଟଛୋଟ ମାଛ ଧରିଆଣିଲେ
। ଲୁଣ ଓ ଲଙ୍କାମରିଚରେ ସେସବୁ
ନିଆଁରେ ପୋଡ଼ି ତାହାର ସଦ୍-ବ୍ୟବହାର
କରାଗଲା । ରାତିଟି ସେଇଠି କଟାଇ
ଅନୁଗୋଳ ଆଡ଼କୁ ଗସ୍ତ ଆରମ୍ଭ ହେଲା
।
ସେତେବେଳେ
ଅନୁଗୋଳ ମୋଗଲବନ୍ଦୀର ଗୋଟିଏ
ଜିଲ୍ଲା । ହେଲେ ଚାରିଆଡ଼େ
ଗଡ଼ଜାତମାନଙ୍କ ଦ୍ୱାରା ଘେରା
। ଏହା ସ୍ୱାଧୀନତା ପରେ ଢ଼େଙ୍କାନାଳ
ରାଇଜ ସହ ଅନୁଗୋଳକୁ ମିଶାଇ ବୃହତ
ଢେଙ୍କାନାଳ ଜିଲ୍ଲା ଗଠନ ଆଗର
କଥା । ଅନୁଗୋଳ ସଦର ମହକୁମାରେ
ସେତେବେଳେ ଗୋଟିଏ ଜିଲ୍ଲା ଉଚ୍ଚ
ଇଂରାଜୀ ବିଦ୍ୟାଳୟ ଥାଏ । ସେହି
ପାଠଶାଳା ପାଖ ହାଡ଼ିଆ ପାନରଙ୍କ
ଘରେ ରହଣି କରାଗଲା । ସେତେବେଳେ
ଅନୁଗୋଳ ଥାନାଧୀଶ ଥାଆନ୍ତି
ନୀଳକଣ୍ଠ ମହାପାତ୍ର । ତାଙ୍କର
ଆଗ୍ରହରେ ଥାନାରେ ନାଟଦଳ ଅଭିନୟ
ପ୍ରଦର୍ଶନ କଲେ । ତାହା ପର ଦିନ
ଜିଲ୍ଲା ଚିକିତ୍ସାଳୟରେ ନାଟ
ହେଲା । ତୃତୀୟ ଦିନ ଟାଉନ୍ର
ମାରୁଆଡ଼ିମାନଙ୍କ ଫରମାସରେ
ତାଙ୍କରି ଚଉମୁହିଁରେ ଅଭିନୟ
ପ୍ରଦର୍ଶନ କରାଗଲା ।
ହେଲେ
ସେତେବେଳକୁ ଅନୁଗୋଳରେ ବସନ୍ତ
ରୋଗ ବ୍ୟାପିଥାଏ । ଯେହେତୁ ନାଟ
ପ୍ରଦର୍ଶନ ଯୋଗୁଁ ବହୁ ଜନସମାଗମ
ହେଉଥାଏ,
ପ୍ରଶାସନ
ଭାବିଲେ କି ଏଥିରୁ ରୋଗ ଅଧିକ
ମାଡ଼ିଯାଇପାରେ । ଚତୁର୍ଥ ଦିନ,
ମାଜିଷ୍ଟ୍ରେଟ
ସାହେବ ପାଣି ଆଜ୍ଞାଙ୍କୁ ପୋଲିସ
ଦ୍ୱାରା ତଲବ କରି,
ଲିଖିତ
ଭାବରେ ଜମାନବନ୍ଦୀ ଆଦାୟ କରିନେଲେ
ଯେ,
ଦଳଟି
ଆଉ ଅନୁଗୋଳରେ ନାଟ ଦେଖାଇବ ନାହିଁ
। ଏଣୁ ଅନୁଗୋଳ ଗସ୍ତର ପଞ୍ଚମ ଦିନ
ନାଟୁଆମାନେ ମେରାମୁଣ୍ଡଳି ଷ୍ଟେସନ
ଅଭିମୁଖେ ଗଲେ । ଦିନକ ସେଇଠେଁ
ରହିଲେ ।
ସେତେବେଳେ
ମେରାମୁଣ୍ଡଳି ଗୋଟିଏ ଜଳହୀନ,
ଶୁଖିଲା
ଓ ଟାଙ୍ଗରା ଯାଗା । ଗାଧୋଇବା
ପାଇଁ ଜଳ ଖୋଜି ଗୋଟିଏ ବଡ଼,
ହେଲେ
ଅଳପ ପାଣି ଥିବା ପୋଖରି ମିଳିଲା
। ସେଥିରେ ହାତୀ ଘୁଅ,
ମଇଁଷି
ଗୋବର ଆଦି ଭର୍ତ୍ତି । ସେଇଠି ହିଁ
ଶୌଚାଦି କର୍ମ ମେଣ୍ଟାଇବାକୁ
ପଡ଼ିଲା । ଯଥାକଥା କଅଣ ଟିକିଏ
ଖାଇଦେଇ ଷ୍ଟେସନ ମାଷ୍ଟରଙ୍କ
ପାଖକୁ ଟିକଟ କିଣିବା ପାଇଁ ଗଲା
ବେଳକୁ ଜଣାପଡ଼ିଲା କି,
ସେ
ଜଣେ ନାଟ୍ୟରସିକ । ବିନା ଯାତରା
ପ୍ରଦର୍ଶନରେ ଟିକଟ କାଟି ଦେବା
ପାଇଁ ନାରାଜ । ଯେତେ ଅନୁରୋଧ କଲେ
ମଧ୍ୟ ଏଥିରୁ ନିଷ୍କୃତି ମିଳିଲା
ନାହିଁ । ଦଳଟିକୁ ରାତିରେ ମେରାମୁଣ୍ଡଳି
ଷ୍ଟେସନରେ ରହି ନାଟ ଦେଖାଇବାକୁ
ହିଁ ପଡ଼ିଲା । ଅବଶ୍ୟ ଏହା ଫଳରେ
ଦଳର ଚବିଶ ଜଣ ଓ ନାଟ୍ୟଉପକରଣ ସବୁ
ବିନା ଟିକଟରେ ପହଞ୍ଚିଗଲେ
ମେରାମୁଣ୍ଡଳିରୁ କଟକ । ସେଠୁ
ବଇରି ଷ୍ଟେସନକୁ ବିନା ଟିକଟରେ
ଯାତ୍ରା କରି ଚାଲିଚାଲି ବୈଷ୍ଣବ
ପାଣି ପହଞ୍ଚିଲେ ନିଜ ଗାଁ କୋଠପଦାରେ
।
ବି.ଦ୍ର.
- ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାରେ ବ୍ୟବହୃତ ତଥ୍ୟ ସେକ୍
ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ
‘ଗଣକବି ବୈଷ୍ଣବ ପାଣିଙ୍କର
ଆତ୍ମକାହାଣୀ’ (୨୦୦୬,
ତୃତୀୟ
ପ୍ରକାଶନ)
ବହିଟିରୁ
ନିଆଯାଇଛି । ପ୍ରକାଶକ,
ସେକ୍
ମସୁଦ୍ ଅଲି । ପ୍ରକାଶନର ସ୍ଥାନ,
ଭୁବନେଶ୍ୱର
। ଏହି ଆତ୍ମଜୀବନୀଟି ସମ୍ଭବତଃ
୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା
।